‘…କ୍ଷିପ୍ର କେଶର ବନ୍ୟାରେ’

ସୁଭାଷ ପଟ୍ଟନାୟକ

ସୌନ୍ଦର୍ଯ୍ୟ ତତ୍ତ୍ୱ ଉପରେ କିଛି ଆଲୋଚନା କଲାବେଳେ ମୁଖ୍ୟତଃ ଦୁଇଟି ଆପ୍ତବାକ୍ୟ ମନକୁ ଆସେ। ଗୋଟିଏ ହେଲା- “ସୌନ୍ଦର୍ଯ୍ୟ ବସ୍ତୁରେ ନୁହେଁ, ଦେଖିବା ଲୋକର ଆଖିରେ ଥାଏ” ଓ ଅନ୍ୟଟି ହେଉଛି- “ବାହ୍ୟ ସୌନ୍ଦର୍ଯ୍ୟ କିଛି ନୁହେଁ, ବସ୍ତୁଟିର ଗୁଣ ହିଁ ସୌନ୍ଦର୍ଯ୍ୟ ଦ୍ୟୋତକ”। ଏ ଦୁଇଟିଯାକ ତତ୍ତ୍ବକୁ ବିଶ୍ଳେଷଣ କଲେ ଏକ ପ୍ରଶ୍ନ ମନକୁ ଆସେ- ସୌନ୍ଦର୍ଯ୍ୟ ଆତ୍ମନିଷ୍ଠ ନା ବସ୍ତୁନିଷ୍ଠ? ତୃତୀୟ ପ୍ରବାଦ ବାକ୍ୟଟି କବି କିଟ୍‌ସଙ୍କର ସୃଷ୍ଟି। ସୌନ୍ଦର୍ଯ୍ୟ ସମ୍ପର୍କରେ ସେ କୁହନ୍ତି, “ସୌନ୍ଦର୍ଯ୍ୟ ହିଁ ସତ୍ୟ, ସତ୍ୟ ହିଁ ସୌନ୍ଦର୍ଯ୍ୟ”। କିନ୍ତୁ ଏ ତିନିଟିଯାକ ତତ୍ତ୍ବ ଯେଉଁଠି ଯାଇ ଏକାକାର ହୋଇଯାଏ ଓ ସୌନ୍ଦର୍ଯ୍ୟ ଚେତନାକୁ ନୂତନ ଏକ ସଂଜ୍ଞା ପ୍ରଦାନ କରେ, ତାହା ହେଲା ନାରୀର କେଶ। ତାର କେଶ ସଜ୍ଜା। ସେ କେଶ ରାଜକୁମାରୀର ହେଉ ବା କାମବାଲୀର ହେଉ, ପ୍ରତ୍ୟେକ ଆଖି ସେଇ ସୁଶୋଭିତ କେଶରାଶି ପାଖରେ ଅଟକି ରହେ ଏବଂ ତାର ଅନ୍ତର୍ନିହିତ ରସବୋଧ, ସୌନ୍ଦର୍ଯ୍ୟ ଚେତନା ଓ ଜୀବନବୋଧ ସେଇଠାରେ ସାର୍ଥକତା ଲାଭ କରେ। ଭାରତ ଛଡ଼ା ଅନ୍ୟ କେଉଁଠାରେ ନାରୀର କେଶଗୁଚ୍ଛକୁ ନେଇ ଏତେ କଳ୍ପନା ବିଳାସ ଏବଂ କଳାତ୍ମକତା ଦେଖାଯାଏ ନାହିଁ।

କେଶ ବିନ୍ୟାସ ସମ୍ପର୍କରେ ସର୍ବପ୍ରଥମ ସୂଚନା ମିଳେ ଅଷ୍ଟ୍ରିଆରୁ ଆବିଷ୍କୃତ ପ୍ରାୟ ତିରିଶ ହଜାର ବର୍ଷ ତଳର ‘ଭିନସ୍ ଅଫ୍ ୱିଲେନଡର୍ଫ‌୍’ ନାମକ ଏକ କ୍ଷୁଦ୍ର ପ୍ରସ୍ତର ମୂର୍ତ୍ତିରୁ। ଆଫ୍ରିକା ମହାଦେଶ, ଇଜିପ୍‌ଟ ଓ ଗ୍ରୀସ୍‌ ଆଦି ଦେଶରୁ ମଧ୍ୟ ଆବିଷ୍କୃତ ବହୁ ପୁରାତନ ମୂର୍ତ୍ତିରୁ ତତ୍କାଳୀନ ନାରୀର କେଶ ବିନ୍ୟାସ ସମ୍ପର୍କରେ ଅନେକ ସୂଚନା ମିଳେ।

ନାଟ୍ୟଶାସ୍ତ୍ର ଅନୁସାରେ ପ୍ରାଚୀନ ଭାରତର ବିଭିନ୍ନ ପ୍ରାନ୍ତରେ କେଶ ବିନ୍ୟାସର ବିଭିନ୍ନ ଶୈଳୀର ପ୍ରଚଳନ ରହିଥିଲା। ଯେମିତିକି ମାଳବ ଅଞ୍ଚଳରେ କୁଞ୍ଚିତକେଶ, ଗୌଡ଼ ଦେଶରେ ଜୁଡ଼ା ଅଥବା ବେଣୀ ବାନ୍ଧିବା ଇତ୍ୟାଦି। ପ୍ରାଚୀନ ଭାରତୀୟ ସଭ୍ୟତାରୁ ସଂଗୃହୀତ ପ୍ରସ୍ତର ଓ ମାଟି ମୂର୍ତ୍ତି, ବିଭିନ୍ନ ଚିତ୍ରକଳା ଏବଂ ମୁଦ୍ରାଗୁଡ଼ିକରେ ନାରୀର କେଶସଜ୍ଜା ସମ୍ପର୍କରେ ଅନେକ ତଥ୍ୟ ଉପଲବ୍‌ଧ ହୁଏ।

ପ୍ରାକ୍‌-ଐତିହାସିକ ହରପ୍ପା ଓ ମହେଞ୍ଜୋଦାରୋ ସଭ୍ୟତାର ନୃତ୍ୟରତା ଯୁବତୀର କେଶ, ମୌର୍ଯ୍ୟ ଯୁଗ ସମୟର ଅର୍ଥଶାସ୍ତ୍ରରେ ବର୍ଣ୍ଣିତ ଯକ୍ଷିଣୀର କେଶ, ସୁଙ୍ଗ ଓ ଶତବାହନ ସମୟର ଅଜନ୍ତା ଓ ସାଞ୍ଚିର ଶାଳଭଞ୍ଜିକା ସ୍ଥପତି, କୁଶାଣ ସମୟର ଗାନ୍ଧାର କଳା ଏବଂ ଗୁପ୍ତ ଓ ମଧ୍ୟଯୁଗୀୟ ସମାଜରେ ନାରୀର କେଶସଜ୍ଜା ଶୈଳୀ ଓ ଏହାର ଗୁରୁତ୍ୱର ସୂଚନା ମିଳିଥାଏ; ଯେମିତି କି ଜୁଡ଼ା ବାନ୍ଧିବା, ଅର୍ଦ୍ଧ ଜୁଡ଼ା ଅର୍ଦ୍ଧ ବେଣୀ, କୁଞ୍ଚିତ କେଶ, ଆଜାନୁ ଲମ୍ବିତ କେଶ, ଏକ ବା ଏକାଧିକ ଲମ୍ବ ବେଣୀ, ପୁଷ୍ପାଳଙ୍କାରରେ ସୁସଜ୍ଜିତ ବେଣୀ, ମୁଣ୍ଡର ଶୀର୍ଷ ଭାଗରେ ଖୋପା ଏବଂ କାନ ପାଖରେ ଜୁଡ଼ା ଇତ୍ୟାଦି।

ପ୍ରାଚୀନ ଭାରତରେ ମୁଖ୍ୟତଃ ତିନି ପ୍ରକାରର କେଶସଜ୍ଜା ପ୍ରଚଳିତ ଥିଲା, ଯେମିତି କି ଚୂର୍ଣ୍ଣକୁନ୍ତଳ ବା କୁଞ୍ଚିତକେଶ, ଅଳକାବଳୀ ବା କୁଣ୍ଡଳୀକୃତ କେଶ ଏବଂ ଧମିଲ୍ଲ ବା ପୁଷ୍ପାଳଙ୍କାରରେ ଖଚିତ ଜୁଡ଼ା। ମଧ୍ୟଯୁଗ ବେଳକୁ କେଶସଜ୍ଜାର ପ୍ରକାର ଭେଦରେ ଆଉ କିଛି ଉନ୍ନତି ପରିଲକ୍ଷିତ ହୁଏ। ଯେପରିକି, ଗ୍ରନ୍ଥିଳ, ଖୋସା, କୁଞ୍ଚିତ, ବିଭକ୍ତିତ ଓ ବେଣୀ।
ଯୁଗ ବଦଳିବା ସହିତ ନାରୀର କେଶସଜ୍ଜା ମଧ୍ୟ ବଦଳିଗଲା। ଲମ୍ବ କେଶ ବଦଳରେ ବେକ ପର୍ଯ୍ୟନ୍ତ ଖର୍ବ କେଶ, ମୁକ୍ତ କେଶ ଆଦି କେଶସଜ୍ଜାର ନୂତନ ଶୈଳୀରେ ପରିଣତ ହେଲା, କିନ୍ତୁ କେଶର ସୌନ୍ଦର୍ଯ୍ୟ ଓ ଆକର୍ଷଣ ସେହିପରି ଅକ୍ଷୁଣ୍ଣ ରହିଲା।

ନାରୀର କେଶ କଥା କୁହେ। କେଶବନ୍ଧନ ଶୈଳୀର ଅନେକ ଅର୍ଥ ରହିଛି। ନାରୀର ସାମାଜିକ ଓ ନୈତିକ ପରିଚୟ, ତାର ଯୌନ ଆବେଗ, ରାଷ୍ଟ୍ରୀୟତା ଓ ବୟସ ଆଦିର କିଞ୍ଚିତ ବିବରଣୀ ମିଳିଥାଏ ତାର କେଶ ବନ୍ଧନର ଶୈଳୀରୁ।

କେଶସଜ୍ଜା ସହିତ ଯୌନତା ପୂର୍ଣ୍ଣ ସମ୍ପର୍କିତ। ସୁନ୍ଦର ଜୁଡ଼ାରେ ଫୁଲ ମାଳଟିଏ ହେଉ ବା ଆଲୁଳାୟିତ ମୁକ୍ତ କେଶ ହେଉ- ସବୁର ଯୌନ ଆବେଦନ ଅଲଗା। ଲମ୍ବ, ଅସଜ୍ଜିତ ମୁକୁଳା କେଶ ଋତୁମତୀ ନାରୀଟିଏର ସଙ୍କେତ ଦିଏ, ଅଥବା ପ୍ରିୟଜନ ପାଇଁ ଶୋକ ପାଳନର ଇଙ୍ଗିତ ପ୍ରଦାନ କରେ। ପୁରାତନ ସମୟରେ ବିଧବା ନାରୀ ସର୍ବଦା ମୁଣ୍ଡନ ହୋଇ ରହିବା ପରମ୍ପରା ଥିଲା। କେଶର ଆକର୍ଷଣରେ ପୁରୁଷ ଆକର୍ଷିତ ହେବାର ସମ୍ଭାବନାରୁ ବର୍ତ୍ତିବାକୁ ଏପରି ସାମାଜିକ ବ୍ୟବସ୍ଥାଟିଏ କରାଯାଇଥିଲା।

ନାରୀର କେଶକୁ ନେଇ ଆମ କାହାଣୀ ମୁଣିରେ ଅନେକ ରୋଚକ କଥା ରହିଛି। ଫରୁଆ ଭିତରୁ ବାରହାତ ଲମ୍ବର କେଶଟିଏ ପାଇ ରାଜକୁମାର ସେ କେଶର ଅଧିକାରିଣୀ କନ୍ୟାର ସନ୍ଧାନରେ ଯିବା ଆମ ଆଈମା’ କାହାଣୀର ‘କେଶବତୀ କନ୍ୟା’ ଗପରେ ଆମେ ଶୁଣିଛେ। ରପଞ୍ଜଲର ବେଣୀ ଏତେ ଲମ୍ବା ଥିଲା ଯେ, ତାର ପାଳନକର୍ତ୍ତ୍ରୀ ମାତା ବୁଢ଼ୀ ଅସୁରୁଣୀ ସେଇ ବେଣୀକୁ ଶିଡ଼ି ଭାବରେ ବ୍ୟବହାର କରୁଥିଲା। ମେଦୁସା ତାର ସାପ ପରି ବେଣୀକୁ ପ୍ରତିଶୋଧ ନେବାରେ ବ୍ୟବହାର କରୁଥିବାର କାହାଣୀ ମଧ୍ୟ ଆମେ ପଢ଼ିଛେ।

ଯୁଗ ଯୁଗ ଧରି ନାରୀର ସଯତ୍ନ ବର୍ଦ୍ଧିତ କେଶସମ୍ଭାର କବି ଚେତନାକୁ ଅନୁପ୍ରାଣିତ କରିଆସିଛି। ପ୍ରଣୟ ଓ ପ୍ରତିହିଂସାର ପ୍ରତୀକ ମଧ୍ୟ ପାଲଟିଛି ନାରୀର କେଶ। କାଳିଦାସଙ୍କଠାରୁ ଉପେନ୍ଦ୍ରଭଞ୍ଜ- ସମସ୍ତ ପ୍ରାଚୀନ କବି ଏ କେଶର ନିଶାରେ ପାଗଳ ହୋଇଛନ୍ତି। ପାଶ୍ଚାତ୍ୟ ସାହିତ୍ୟରେ କେଉଁଠି ସିଏ “କ୍ୟାସକେଡ୍ ଅଫ୍ ବ୍ରାଉନ ହେୟାର” ତ’ କେଉଁଠି “ଲକସ୍ ଅଫ୍ ଦ ଆପ୍ରୋଚିଂ ଷ୍ଟର୍ମ‌୍”।

ମୀର୍ଜା ଘାଲିବଙ୍କ ପାଇଁ କେଶ କିନ୍ତୁ ସ୍ବପ୍ନମୟ- “ନିନ୍ଦ୍ ଉସକୀ ହୈ, ଦିମାଗ୍ ଉସକା ହୈ, ରାତେଁ ଉସକୀ ହୈ, ତେରି ଜୁଲଫେଁ ଜିସକି ବାଜୁ ପର୍ ପରେଶାନ ହୋ ଗୟେ”। ସଚ୍ଚି ରାଉତରାୟଙ୍କ ଦୃଷ୍ଟିରେ- “ମୃତ୍ୟୁ ପରି ଆସେ ଘୋଟି ମୋହମୟ ଆଶ୍ଚର୍ଯ୍ୟ ଅଳକ/ ଶ୍ୟାମଳ ସର୍ପିଳ ଶ୍ଳଥ ଏଇ କ୍ଷିପ୍ର କେଶର ବନ୍ୟାରେ/ ହସ୍ତିନାର ସ୍ବର୍ଣ୍ଣଚୂଡ଼ା ଇନ୍ଦ୍ରନୀଳ ମହମ ମିନାରେ/ ଭସାଇକେ’ ନିଏ କାହିଁ, ମରଣର ତୀକ୍ଷ୍‌ଣ ଉପହାସ/ ଭଙ୍ଗା ଗଢ଼ା ମଧ୍ୟେ ରଚେ ଆଜି ଏକ ବିଚିତ୍ର ସମାସ”।

ଭାରତୀୟ ସଂସ୍କୃତି କଥା ଚିନ୍ତା କଲା ବେଳେ ଆମେ ମୁଖ୍ୟତଃ ନୃତ୍ୟ, ସଙ୍ଗୀତ, ପରିଧାନ ଓ ସାମାଜିକ ଅନୁଷ୍ଠାନ ଗୁଡ଼ିକର କଥା ହିଁ ଆଲୋଚନା କରୁ। ନାରୀର କେଶ ବିନ୍ୟାସ ଯେ ଏକ ସୁନ୍ଦର ଆଲୋଚ୍ୟ ବିଷୟ ହୋଇପାରେ, ତାହା ମନକୁ ଆଣି ନଥାଉ।

କେଶ- ତାହା ଲମ୍ବ ହେଉ ବା କୃଶ ହେଉ, ମୁକୁଳା ଥାଉ ଅବା ବନ୍ଧା ହୋଇଥାଉ- ଜଣେ ନାରୀକୁ ତାହା ସ୍ବତନ୍ତ୍ର ପରିଚୟ ଦେଇଥାଏ। ମନୁସ୍ମୃତିର ନିୟମ ଅନୁଯାୟୀ ତ’ କୌଣସି ନାରୀର କେଶ ସ୍ପର୍ଶ କରିବା ଅନୁଚିତ। ଏହାଛଡ଼ା ଆମର ଅଥର୍ବ ବେଦ, ସତପଥ ବ୍ରାହ୍ମଣ ଆଦି ପୁରାତନ ଶାସ୍ତ୍ରରେ କେଶ ସମ୍ପର୍କରେ ଅନେକ ନିର୍ଦ୍ଦେଶାବଳୀ ମିଳେ।

ଗତକାଲି ବସ୍ତି ଭିତର ଦେଇ ଚାଲି ଯାଉଥିବା ବେଳେ ପୁରୁଷଟିଏ ତା’ ପତ୍ନୀର ଲମ୍ବ କେଶକୁ ଟାଣି ଧରି ପ୍ରହାର କରୁଥିବା ପରି ଏକ ବିଷଣ୍ଣ ଦୃଶ୍ୟ ଦେଖିବା ପରେ ଏଇ ଆଲେଖ୍ୟଟିର ସୃଷ୍ଟି। ସେଇ ନାରୀଟି ମୋର ପରିଚିତ। ଘର ଘର ବୁଲି ବାସନ ମାଜେ। ଶ୍ୟାମ ବର୍ଣ୍ଣର ଚେହେରା ଉପରେ ନିତମ୍ବସ୍ପର୍ଶୀ ବେଣୀଟି ତାର ଖୁବ୍ ସୁନ୍ଦର ଲାଗେ।

କିନ୍ତୁ ହାୟ, ସେଇ ରୋଷାନ୍ଧ ପତିଟି ସେ ଦିନ ନିଜ ପତ୍ନୀର କେଶକୁ ଏପରି ନିର୍ମମ ଭାବରେ ଟାଣିଧରି ନିର୍ଯାତନା ଦେବା ପୂର୍ବରୁ ଥରଟିଏ ବି ଚିନ୍ତା କଲାନାହିଁ, କୁରୁ ସଭାରେ ଦ୍ରୌପଦୀଙ୍କର କେଶ ଟାଣିବାର ପରିଣତି କେତେବଡ଼ ବିପର୍ଯ୍ୟୟ ଆଣି ଦେଇଥିଲା।

[email protected]

ସମ୍ବନ୍ଧିତ ଖବର