‘ଶାରଳା ପୁରସ୍କାର’ର ଲୀଳା ଓ ଖେଳା

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

‘ଶାରଳା’ ହେଉଛନ୍ତି ଓଡ଼ିଶାର ବାକ୍‌ଦେବୀ। ତାଙ୍କରି ନାମରେ ପ୍ରବର୍ତ୍ତିତ ହୋଇଛି ‘ଶାରଳା ପୁରସ୍କାର’। ସେ ପୁରସ୍କାରକୁ ଚାରି ଦଶନ୍ଧି ବିତି ସାରିଲାଣି। ନିକଟରେ ୪୧ତମ ପୁରସ୍କାର ଦିଆସରିଛି ଏବଂ ୪୨ତମ ପୁରସ୍କାରର ଚୟନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। କିନ୍ତୁ ଏ ପୁରସ୍କାରକୁ ନେଇ ପ୍ରଶ୍ନ ଓ ସଂଶୟର ତଥାପି ଅନ୍ତ ଘଟିନାହିଁ।

୪୦ତମ ‘ଶାରଳା ପୁରସ୍କାର’ର ଚୟନ ବେଳେ, ପୁରସ୍କାର ‘ଉପଦେଷ୍ଟା ମଣ୍ଡଳୀ’ ପ୍ରଥମଥର ପାଇଁ ଗୋଟିଏ ନୂଆ କଥା କରିଥିଲେ। ପୁରସ୍କାର ଘୋଷଣା ହେବା ପୂର୍ବରୁ, ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକର ନାମ ତାଲିକା ଘୋଷଣା କରିଦେଇଥିଲେ। ସେତେବେଳେ କୁହାଯାଇଥିଲା ଯେ ପୁରସ୍କାର କମିଟି ଚୟନ ପ୍ରକ୍ରିୟାରେ ସ୍ୱଚ୍ଛତା ଚାହାନ୍ତି ଏବଂ ସେ ବାବଦରେ କିଛି ସଂଶୟ ବା ଗୋପନୀୟତା ରହୁ, ତାହା ଚାହାନ୍ତି ନାହିଁ।

କିନ୍ତୁ ୪୧ତମ ‘ଶାରଳା ପୁରସ୍କାର’ ଘୋଷଣା ହୋଇ, ପୁରସ୍କାର ପ୍ରଦାନ ମଧ୍ୟ ଶେଷ ହୋଇସାରିଲାଣି; ଅଥଚ ଚୂଡ଼ାନ୍ତ ଚୟନରେ କେତୋଟି ପୁସ୍ତକ ଥିଲା ଏବଂ ସେଗୁଡ଼ିକ କ’ଣ ତାହା ଏଯାଏ କାହାକୁ ଜଣା ନାହିଁ।

ସେହିପରି ମଧ୍ୟ, କାହାକୁ ଏ ଯାଏ ଜଣାନାହିଁ- ନବଗଠିତ ‘ପୁସ୍ତକ ଚୟନ ମଣ୍ଡଳୀ’ ଓ ‘ପୁରସ୍କାର ଉପଦେଷ୍ଟା ମଣ୍ଡଳୀ’ରେ ଏବେ କେଉଁମାନେ ନୂଆ ସଦସ୍ୟ ହୋଇଛନ୍ତି।

ପ୍ରତିବର୍ଷର ପୁରସ୍କାର ପ୍ରଦାନ ଉତ୍ସବରେ, ଏ ବାବଦରେ ଏହି ପୁରସ୍କାରର ପ୍ରଦାତା ‘ଇଣ୍ଡିଆନ୍ ମେଟାଲ୍‌ସ ପବ୍ଲିକ୍ ଚାରିଟେବଲ୍ ଟ୍ରଷ୍ଟ’ (ଇମ୍ପାକ୍ଟ) ପକ୍ଷରୁ ଗୋଟିଏ ପୁସ୍ତିକା ପ୍ରକାଶ ପାଏ। ସେଥିରେ ‘ଶାରଳା ପୁରସ୍କାର’ ସମେତ ସେହି ଉତ୍ସବରେ ଦିଆଯାଉଥିବା ‘ଇଲା ପଣ୍ଡା ଚିତ୍ରକଳା ସମ୍ମାନ’ ଓ ‘ଇଲା ପଣ୍ଡା ସଂଗୀତ ସମ୍ମାନ’ ବାବଦ ବିବରଣୀ ଆଦି ପ୍ରକାଶ ପାଇଥାଏ। କିନ୍ତୁ ଏ ବର୍ଷ କୋଭିଡ଼୍ କଟକଣା ଯୋଗୁଁ ପୁରସ୍କାର ପ୍ରଦାନ ଉତ୍ସବ ‘ଭର୍ଚୁଆଲ୍‌’ ମାଧ୍ୟମରେ ହୋଇଥିବାରୁ, ସେହି ପୁସ୍ତିକା ପ୍ରକାଶର ଅବକାଶ ନଥିଲା। କିନ୍ତୁ ପୁରସ୍କାର ଘୋଷଣା ବେଳର ପ୍ରେସ୍ ବିଜ୍ଞପ୍ତିରେ ବା ପୁରସ୍କାର ପ୍ରଦାନର ଭର୍ଚୁଆଲ୍‌ ପ୍ରଦର୍ଶନ ଅବସରରେ, ସେହିସବୁ ତଥ୍ୟ ସାର୍ବଜନୀନ କରାଯାଇ ନାହିଁ। ଏହା ଫଳରେ ଓଡ଼ିଶାର ସାହିତ୍ୟିକ ମହଲରେ ତାହାକୁ ନେଇ ଅନେକ କୌତୂହଳ ଓ ଉତ୍କଣ୍ଠା ପ୍ରକାଶ ପାଇଛି।

ଏବେ ତେଣୁ ପ୍ରଶ୍ନ- ‘ଶାରଳା ପୁରସ୍କାର’ର ନବଗଠିତ ‘ପୁସ୍ତକ ଚୟନ ମଣ୍ଡଳୀ’ରେ ଏବେ କେଉଁମାନେ ସଦସ୍ୟ ଅଛନ୍ତି? ଏହି ପୁରସ୍କାରର ‘ଉପଦେଷ୍ଟା ମଣ୍ଡଳୀ’ର ସଦସ୍ୟମାନେ ଏବେ କିଏ? ଏଥର କେଉଁସବୁ ପୁସ୍ତକ ଚୂଡ଼ାନ୍ତ ଚୟନରେ ଥିଲା?

ନିର୍ଦ୍ଦିଷ୍ଟ ତଥ୍ୟ ଅନୁସାରେ- ୨୦୧୯ର ୪୦ତମ ପୁରସ୍କାର ବେଳକୁ ‘ପୁସ୍ତକ ଚୟନ ମଣ୍ଡଳୀ’ର ସଦସ୍ୟ ଥିଲେ- ସୌଦାମିନୀ ନନ୍ଦ, ଶକୁନ୍ତଳା ବଳିଆରସିଂହ, ବସନ୍ତ କୁମାର ପଣ୍ଡା, ତମସାରାଣୀ ଦାସ ମହାପାତ୍ର ଓ ସନ୍ତୋଷ କୁମାର ରଥ। ନିର୍ଭରଯୋଗ୍ୟ ସୂତ୍ରର ତଥ୍ୟ ଅନୁସାରେ, ଏବେ, ୨୦୨୦ର ୪୧ତମ ପୁରସ୍କାରଠାରୁ, ତିନି ବର୍ଷିଆ ‘ପୁସ୍ତକ ଚୟନ ମଣ୍ଡଳୀ’ର ନୂଆ ସଦସ୍ୟ ହୋଇଛନ୍ତି- ସୂର୍ଯ୍ୟ ମିଶ୍ର, ବାବାଜୀ ଚରଣ ପଟ୍ଟନାୟକ, ପ୍ରବୀଣା ମହାନ୍ତି, ଗାୟତ୍ରୀବାଳା ପଣ୍ଡା ଓ ଅକ୍ଷୟ ବେହେରା।

ସେହିପରି, ୨୦୧୯ର ୪୦ତମ ପୁରସ୍କାର ବେଳକୁ ‘ଉପଦେଷ୍ଟା ମଣ୍ଡଳୀ’ର ସଦସ୍ୟ ଥିଲେ ନୀଳାଦ୍ରି ଭୂଷଣ ହରିଚନ୍ଦନ, ଶୁଭେନ୍ଦୁ ମୁଣ୍ଡ, ସୁରେନ୍ଦ୍ର କୁମାର ମହାରଣା, ବିଷ୍ଣୁପ୍ରିୟା ଓତା ଓ ଜୟନ୍ତୀ ରଥ। ଏବେ ୨୦୨୦ର ୪୧ତମ ପୁରସ୍କାରଠାରୁ, ତିନିବର୍ଷିଆ ‘ଉପଦେଷ୍ଟା ମଣ୍ଡଳୀ’ ବା ‘ଚୂଡ଼ାନ୍ତ ଚୟନ ମଣ୍ଡଳୀ’ର ନୂଆ ସଦସ୍ୟ ହୋଇଛନ୍ତି- ଗାୟତ୍ରୀ ସରାଫ, ହୃଷୀକେଶ ମଲ୍ଲିକ, ଦେବପ୍ରସାଦ ଦାଶ, କୃୃଷ୍ଣଚନ୍ଦ୍ର ପ୍ରଧାନ ଓ ହିରଣ୍ମୟୀ ମିଶ୍ର। ଏହି କମିଟିରେ ପୂର୍ବପରି ରାଜକିଶୋର ମିଶ୍ର ସଂପାଦକ ଓ ମାଳବିକା ରାୟ କାର୍ଯ୍ୟକାରୀ ସଭାପତି ଅଛନ୍ତି।

କିନ୍ତୁ କେତୋଟି ପୁସ୍ତକ ଏଥରର ଚୂଡ଼ାନ୍ତ ଚୟନରେ ଥିଲା ଏବଂ ସେଗୁଡ଼ିକ କ’ଣ?

ପୂର୍ବବର୍ଷ ଏହି ତାଲିକା ଆଗୁଆ ପ୍ରକାଶ ପାଇଥିବା ବେଳେ, ଏ ବର୍ଷ ପୁରସ୍କାର ଘୋଷଣା ବେଳେ ତ ଦୂରର କଥା, ପୁରସ୍କାର ପ୍ରଦାନ ପରେ ମଧ୍ୟ ତାହା ପ୍ରକାଶ ପାଇନାହିଁ। ତେବେ ନିର୍ଭରଯୋଗ୍ୟ ସୂତ୍ରର ତଥ୍ୟ ଅନୁସାରେ, ପୂର୍ବବର୍ଷ ପରି ଏଥର ମଧ୍ୟ ଚୂଡ଼ାନ୍ତ ଚୟନରେ ଥିଲା ସାତଟି ପୁସ୍ତକ। ସେଥିରେ ଥିଲା- ଦୁଇଟି ଗଳ୍ପ, ଦୁଇଟି ଉପନ୍ୟାସ, ଦୁଇଟି କବିତା ଓ ଗୋଟିଏ ନାଟକ। ଗଳ୍ପରେ ଥିଲା- ଦେବାଶିଷ ପାଣିଗ୍ରାହୀଙ୍କ ‘ରାସେଶ୍ୱରୀ’ ଓ ଦେବବ୍ରତ ମଦନରାୟଙ୍କ ‘ପ୍ରିୟଙ୍କରୀ’; ଉପନ୍ୟାସରେ ଥିଲା- ପଦ୍ମଜ ପାଳଙ୍କ ‘ହାଏ ମୁନି! କେମିତି ଅଛ?’ ଓ ଶ୍ରୀରାମ ଦାଶଙ୍କ ‘ଚାନ୍ଦ୍ରାୟଣ’; କବିତାରେ ଥିଲା- ସୌଭାଗ୍ୟ କୁମାର ମିଶ୍ରଙ୍କ ‘ଉତ୍ତାନପାଦ’ ଓ ନିତ୍ୟାନନ୍ଦ ନାୟକଙ୍କ ‘ସେତେବେଳକୁ ନଥିବି’; ଏବଂ ଏକମାତ୍ର ନାଟକ ଥିଲା- ବିଜୟ ମିଶ୍ରଙ୍କ ‘ଭଙ୍ଗା ଆଇନା’। ଏବଂ ସମସ୍ତଙ୍କୁ ଜଣା ଯେ ପରିଶେଷରେ ନିତ୍ୟାନନ୍ଦ ନାୟକଙ୍କ କବିତା ପୁସ୍ତକ ‘ସେତେବେଳକୁ ନଥିବି’ ହିଁ ପାଇଛି ୨୦୨୦ ବର୍ଷର ୪୧ତମ ‘ଶାରଳା ପୁରସ୍କାର’।

କିନ୍ତୁ ଏଥିରେ ‘ଲୀଳା ଓ ଖେଳା’ କଥାଟି କ’ଣ?
ଏହି ସ୍ତମ୍ଭର ପୂର୍ବ ଅଧ୍ୟାୟ (୬ ନଭେମ୍ବର, ୨୦୨୦)ରେ, ଏହି ପୁରସ୍କାରର ତିନିଟି ପର୍ଯ୍ୟାୟ ମଧ୍ୟରୁ ପ୍ରଥମ ପର୍ଯ୍ୟାୟର କିଛି ତଥ୍ୟ ଉପସ୍ଥାପିତ ହୋଇଛି। ପୁରସ୍କାର ପାଇଁ ଯୋଗ୍ୟ ପୁସ୍ତକର ଅବଧି ଦଶବର୍ଷ ହୋଇଥିବା ବେଳେ, ସେହି ଦଶବର୍ଷ ଭିତରୁ ବାଛିବାଛି, କେତେକ ପ୍ରସ୍ତାବକ କିପରି ନିଜର ସ୍ତ୍ରୀ, ଭାଉଜ ବା ସ୍ୱାମୀଙ୍କ ପୁସ୍ତକକୁ ହିଁ ସୁପାରିସ କରିଛନ୍ତି ତାହାର ନିର୍ଦ୍ଦିଷ୍ଟ ବିବରଣୀ ଦିଆଯାଇଛି। କିନ୍ତୁ ତାହା ପୂର୍ଣ୍ଣାଙ୍ଗ ବିବରଣୀ ନୁହେଁ। ଜଣେ କବୟିତ୍ରୀ ମାଆ ତାଙ୍କ କଥାକାର କନ୍ୟାଙ୍କ ଉପନ୍ୟାସକୁ ବି ଏଥର ସୁପାରିସ କରିଥିବାର ସୂଚନା ଏ ଭିତରେ ମିଳିଛି।

କିନ୍ତୁ ପ୍ରାଥମିକ ପର୍ଯ୍ୟାୟରେ ସୁପାରିସ ହୋଇଥିବା ଏହି ପୁସ୍ତକସୂଚୀରୁ ଆଉ ଯେଉଁ ସୂଚନା ମିଳିଛି- ତାହା ଆହୁରି ଚିନ୍ତାଜନକ। ତାହା ହେଉଛି- ଯେଉଁମାନେ ‘ପୁସ୍ତକ ଚୟନ ମଣ୍ଡଳୀ’ରେ ବା ‘ଉପଦେଷ୍ଟା ମଣ୍ଡଳୀ’ (ଚୂଡ଼ାନ୍ତ ଚୟନ)ରେ ଅଛନ୍ତି, ସେମାନଙ୍କ ମଧ୍ୟରୁ ବି କେତେଜଣ ପ୍ରସ୍ତାବକ ଭାବେ ରହି ପୁସ୍ତକ ସୁପାରିସ କରିଛନ୍ତି। ଏହା ଚିନ୍ତାଜନକ ଏଇଥିପାଇଁ ଯେ- ଯେଉଁମାନେ ପ୍ରସ୍ତାବକ ଭାବେ ନିର୍ଦ୍ଦିଷ୍ଟ ପୁସ୍ତକକୁ ସୁପାରିସ କରିଥିବେ ଏବଂ ପୁସ୍ତକ ଚୟନ ବା ଚୂଡ଼ାନ୍ତ ଚୟନରେ ବି ରହିଥିବେ, ସେମାନେ ନିଜ ପ୍ରସ୍ତାବିତ ବା ନିଜ ସୁପାରିସର ସେହି ନିର୍ଦ୍ଦିଷ୍ଟ ପୁସ୍ତକକୁ ହିଁ ଚୂଡ଼ାନ୍ତ ଚୟନ ପର୍ଯ୍ୟାୟକୁ ନେବାକୁ ତତ୍ପରତା ଦେଖାଇବେ ବା ଚୂଡ଼ାନ୍ତ ଚୟନରେ ଥିବାରୁ ତାହାର ଚୟନ ପାଇଁ ପକ୍ଷପାତୀ ହେବେ। କେନ୍ଦ୍ର ସାହିତ୍ୟ ଅକାଦେମି ପୁରସ୍କାରରେ କିନ୍ତୁ ଏପରି ହୁଏନାହିଁ। ଭିତ୍ତି ତାଲିକା ପ୍ରସ୍ତୁତକାରୀ (ପ୍ରସ୍ତାବକ), ରେଫରି (ପୁସ୍ତକର ଚୟନକାରୀ) ଓ ଜୁରି (ଚୂଡ଼ାନ୍ତ ଚୟନକାରୀ) ସମସ୍ତେ ଅଲଗା ଅଲଗା ହୋଇଥାଆନ୍ତି। ଏପରିକି ଆଭ୍ୟନ୍ତରୀଣ ‘ଭାଷା ଉପଦେଷ୍ଟା ମଣ୍ଡଳୀ’ର ଚୟନ ପର୍ଯ୍ୟାୟ ମଧ୍ୟ, ‘ରେଫରି’ ପର୍ଯ୍ୟାୟର ପୂର୍ବରୁ ହିଁ ରହିଥାଏ।

ଏବେ ଆସିବା ‘ପୁସ୍ତକ ଚୟନ’କୁ। ମିଳିଥିବା ସୂଚନା ଅନୁସାରେ- ସୁପାରିସ ହୋଇଥିବା ତାଲିକାରେ ଥିଲା ଆମ ସାହିତ୍ୟର ମାତ୍ର ଚାରିଟି ବିଭାଗର ପୁସ୍ତକ। ସେହି ଚାରିଟି ବିଭାଗ ହେଉଛି- କବିତା, ଗଳ୍ପ, ଉପନ୍ୟାସ ଓ ନାଟକ। କିନ୍ତୁ ଏହା ବାହାରେ କ’ଣ ଆମ ସାହିତ୍ୟରେ ଅନ୍ୟ କୌଣସି ବିଭାଗ ବା ବହି ନାହିଁ? ଏବଂ ଆହୁରି ଚିନ୍ତାଜନକ ବିଷୟ ହେଉଛି- ‘ପୁସ୍ତକ ଚୟନ ମଣ୍ଡଳୀ’ର ସଦସ୍ୟମାନେ ବି ସେହି ଚାରିଟି ବିଭାଗର ବହିକୁ ହିଁ ଚୂଡ଼ାନ୍ତ ପର୍ଯ୍ୟାୟ ପାଇଁ ଚୟନ କରିଛନ୍ତି। ସତେ ଯେମିତି, ଯୋଗ୍ୟତା ପର୍ଯ୍ୟାୟର ଦଶବର୍ଷ ଭିତରେ ଆମ ସାହିତ୍ୟରେ ଗୋଟିଏ ହେଲେ ଯୋଗ୍ୟ ଜୀବନୀ, ଆତ୍ମଜୀବନୀ, ଭ୍ରମଣବୃତ୍ତାନ୍ତ ବା ଅନ୍ୟ କୌଣସି ବିଭାଗର ବହି ନଥିଲା!

ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ ଯେ ୨୦୧୪ରେ ପ୍ରଫୁଲ୍ଲ ଦାସଙ୍କ ରଚିତ ଜୀବନୀ ପୁସ୍ତକ ‘ବହ୍ନିମାନ’ ଏବଂ ୧୯୯୬ରେ ସତ୍ୟନାରାୟଣ ରାଜଗୁରୁଙ୍କ ଆତ୍ମଜୀବନୀ ‘ମୋ ଜୀବନ ସଂଗ୍ରାମ’ ଶାରଳା ପୁରସ୍କାର ପାଇଥିଲା। ସେହିପରି ମଧ୍ୟ, ୧୯୯୫ରେ ଭୁବନେଶ୍ୱର ବେହେରା ତାଙ୍କ ଆତ୍ମଜୀବନୀ ‘ଗାଁର ଡାକ’ ପାଇଁ ଏହି ପୁରସ୍କାର ପାଇଥିଲେ। ଅଥଚ ପୁସ୍ତକ ଚୟନକାରୀଙ୍କୁ ଏହି ଦୁଇ ବିଭାଗରେ ଦଶବର୍ଷ ଭିତରେ ଗୋଟିଏ ବି ପୁରସ୍କାରଯୋଗ୍ୟ ବହି ମିଳିଲା ନାହିଁ!

ସେହିପରି ପ୍ରବନ୍ଧ ଓ ଆଲୋଚନା। ଶରତ କୁମାର ମହାନ୍ତି ଅବଶ୍ୟ ଏହି ପୁରସ୍କାରକୁ ପ୍ରତ୍ୟାଖ୍ୟାନ କରିଥିଲେ; କିନ୍ତୁ ୧୯୮୮ରେ ସେ ‘ସଂସ୍କୃତି ଓ ଅପସଂସ୍କୃତି’ ପାଇଁ ଏହି ପୁରସ୍କାର ପାଇଥିଲେ। ତା’ ପରବର୍ଷ ‘ଓଡ଼ିଶା ଓ ଓଡ଼ିଆ’ ପାଇଁ ଚିତ୍ତରଞ୍ଜନ ଦାସ ପାଇଲେ ଏ ପୁରସ୍କାର। ଶେଷଥର ପାଇଁ ୨୦୦୭ରେ ଦାଶରଥି ଦାସ ତାଙ୍କ ‘ବିଦଗ୍ଧ ମାନସ’ ପାଇଁ ବି ଏହି ପୁରସ୍କାର ପାଇଛନ୍ତି। କିନ୍ତୁ ତା’ ପରଠାରୁ, ପ୍ରବନ୍ଧ ଓ ଆଲୋଚନାକୁ ‘ସୃଜନଶୀଳ ସାହିତ୍ୟ ନୁହେଁ’ ବୋଲି ଦର୍ଶାଇ ଏହି ଚୟନରୁ ବାଦ୍ ଦିଆଯାଉଛି। ତେବେ କେବଳ ଗଳ୍ପ, କବିତା, ଉପନ୍ୟାସ ଓ ନାଟକ କ’ଣ ସୃଜନଶୀଳ; ଅନ୍ୟଗୁଡ଼ିକ ନୁହନ୍ତି?

‘ଶାରଳା ପୁରସ୍କାର’ର ଆରମ୍ଭରୁ ଯେ ଏ ନିୟମ ନଥିଲା, ତାହା ଉପରୋକ୍ତ ବିବରଣୀରୁ ସ୍ପଷ୍ଟ। କିନ୍ତୁ ଏ ବାବଦରେ, ଏହି ପୁରସ୍କାରର ପ୍ରତିଷ୍ଠାତ୍ରୀ ତଥା ‘ଶାରଳା ପୁରସ୍କାର ଉପଦେଷ୍ଟା ସମିତି’ର ସଭାନେତ୍ରୀ ଇଲା ପଣ୍ଡା ଯେଉଁ ବିଚାରଧାରା ବ୍ୟକ୍ତ କରିଥିଲେ, ତାହା ଅତ୍ୟନ୍ତ ପ୍ରାସଙ୍ଗିକ। ଏହି ବାର୍ଷିକ ପୁରସ୍କାରର ଆରମ୍ଭ ବେଳେ, ସେ ସ୍ପଷ୍ଟ ସୂଚାଇ ଦେଇଥିଲେ ଯେ “ଶ୍ରେଷ୍ଠ ମୌଳିକ ପୁସ୍ତକକୁ ଏହି ପୁରସ୍କାରର ପରିସରଭୁକ୍ତ କରାଯିବ।” ତା’ ସହିତ ସେ ଆହୁରି ମଧ୍ୟ କହିଥିଲେ, “ଆମେ ଅନ୍ତତଃ ଏତିକି ଆଶା କରିବା ଯେ ମନୋନୀତ ଶ୍ରେଷ୍ଠ ପୁସ୍ତକଟି ଭାଷା, ଶୈଳୀ ଓ ବିଷୟବସ୍ତୁରେ ସଂପୂର୍ଣ୍ଣ ଭାବେ ମୌଳିକ ହୋଇଥିବ।” ଅଥଚ ଇଲା ପଣ୍ଡାଙ୍କର ସେହି ବିଚାରଧାରାରେ ଆଉ ଗୋଟିଏ ଧାଡ଼ି ଏବେ ଯୋଡ଼ିଦେଇଛନ୍ତି ‘ଉପଦେଷ୍ଟା ମଣ୍ଡଳୀ’। ତାହା ହେଉଛି- “ସର୍ଜନାତ୍ମକ ସାହିତ୍ୟକୃତି ହିଁ କେବଳ ଗ୍ରହଣ କରାଯିବ।” ଏବଂ ଏହା ମାଧ୍ୟମରେ ପ୍ରବନ୍ଧ ଓ ଆଲୋଚନା ଆଦି ‘ସର୍ଜନଶୀଳ ନୁହେଁ’ ବୋଲି ସୂଚାଇ, ସେହିସବୁ ବିଭାଗର ପୁସ୍ତକକୁ ପୁରସ୍କାରର ଚୟନ ପରିସରରୁ ବାଦ୍ ଦେଉଛନ୍ତି।

କିନ୍ତୁ ପୁରସ୍କାର ‘ଉପଦେଷ୍ଟା ମଣ୍ଡଳୀ’ର ଏପରି ଲୀଳା ଓ ଖେଳାର ଅଧିକ ଉତ୍କଟ ରୂପ ଅନ୍ୟ ଏକ କ୍ଷେତ୍ରରେ ଦେଖିବାକୁ ମିଳିଛି। ଏଥରର ଚୟନରେ ମଧ୍ୟ ତାହା ପରିଲକ୍ଷିତ ହୋଇଛି। ତାହା ହେଉଛି- ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କୁ ପୁରସ୍କାରରୁ ବଞ୍ଚିତ କରିବାର ମନୋଭାବ। ଚଳିତବର୍ଷ ମଧ୍ୟ ସେହି ମନୋଭାବର ପରିଚୟ ମିଳିଛି।

ପୂର୍ବସୂଚିତ ଯେ ଏ ବର୍ଷ ଚୂଡ଼ାନ୍ତ ଚୟନରେ ଥିଲା ସୌଭାଗ୍ୟ କୁମାର ମିଶ୍ରଙ୍କ କବିତା ପୁସ୍ତକ ‘ଉତ୍ତାନପାଦ’। ଅଥଚ ‘ଉପଦେଷ୍ଟା ମଣ୍ଡଳୀ’ ତାହାକୁ ପୁରସ୍କାର ଦେଲେ ନାହିଁ। ସେମାନଙ୍କ ପକ୍ଷରୁ କୁହାହେଉଛି ଯେ ଏହି ପୁରସ୍କାର ପୁସ୍ତକକୁ ଦିଆଯାଏ ଏବଂ ଏଥିରେ ଚୂଡ଼ାନ୍ତ ଚୟନରେ ଥିବା ପୁସ୍ତକଗୁଡ଼ିକ ପାଇଁ ଗୋଟିଏ ‘ମାର୍କିଂ’ ବ୍ୟବସ୍ଥା ଅଛି। ସେଥିରେ ଯିଏ ଅଧିକ ‘ମାର୍କ’ ପାଇଥାଏ, ସେ ପୁରସ୍କାରଟି ପାଏ। କିନ୍ତୁ ବିଗତବର୍ଷର ପୁରସ୍କାରଗୁଡ଼ିକରେ ଏହାର ବ୍ୟତିକ୍ରମ ଘଟିବା ଦେଖାଯାଇଛି। ଉଦାହରଣ ସ୍ୱରୂପ, ବୀଣାପାଣି ମହାନ୍ତିଙ୍କ ‘ଅପହଞ୍ଚ ଆକାଶ’ ତାଙ୍କର ଏକ ଗୌଣ ଗଳ୍ପ ପୁସ୍ତକ ହେଲେ ମଧ୍ୟ, ସାମଗ୍ରିକ କୃତିକୁ ବିଚାରକୁ ନେଇ ୨୦୧୦ରେ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି। ପୁଣି, ୧୯୯୯ରେ ଔପନ୍ୟାସିକ ବିଭୂତି ପଟ୍ଟନାୟକ ଓ ୨୦୦୦ରେ ନାଟ୍ୟକାର ଗୋପାଳ ଛୋଟରାୟଙ୍କୁ ନିର୍ଦ୍ଦିଷ୍ଟ କୃତି ପାଇଁ ପୁରସ୍କାର ନ ଦିଆଯାଇ, ସାମଗ୍ରିକ କୃତି ନିମନ୍ତେ ଏହି ପୁରସ୍କାର ଦିଆଯାଇଛି। କିନ୍ତୁ ୧୯୬୫ର ‘ଆତ୍ମନେପଦୀ’ଠାରୁ ଆରମ୍ଭ କରି, ୨୦୧୭ର ‘ଉତ୍ତାନପାଦ’ ପର୍ଯ୍ୟନ୍ତ ୧୩ଟି କବିତା ସଂକଳନର ସ୍ରଷ୍ଟା ସୌଭାଗ୍ୟ କୁମାର ମିଶ୍ରଙ୍କ କ୍ଷେତ୍ରରେ ଏହାର ବ୍ୟତିକ୍ରମ କାହିଁକି?

ଏପରି ଆଉ ଏକ ବ୍ୟତିକ୍ରମ ଘଟିଛି ନାଟ୍ୟକାର ବିଜୟ ମିଶ୍ରଙ୍କ କ୍ଷେତ୍ରରେ। ୧୯୬୦ର ‘ଜନନୀ’ଠାରୁ ଆରମ୍ଭ କରି ୨୦୧୪ର ‘ଭଙ୍ଗା ଆଇନା’ ପର୍ଯ୍ୟନ୍ତ, ସେ ଅନେକ ନାଟକର ଜଣେ ଯଶସ୍ୱୀ ନାଟ୍ୟକାର। କାହିଁକି ଉପଦେଷ୍ଟାମଣ୍ଡଳୀ ତାଙ୍କର ସାମଗ୍ରିକ କୃତି ପାଇଁ ତାଙ୍କୁ ଏଥର ପୁରସ୍କାର ଦେଲେ ନାହିଁ? ଏ ଭିତରେ ତାଙ୍କର ବିୟୋଗ ଘଟି ସାରିଥିବାରୁ, ଏଥର ତ ଥିଲା ତାଙ୍କ ପାଇଁ ଏ ପୁରସ୍କାର ପାଇବାର ଶେଷ ସୁଯୋଗ!

ଏ ପ୍ରସଙ୍ଗରେ ଏଠି ପୁନର୍ବାର ଏହି ପୁରସ୍କାରର ପ୍ରତିଷ୍ଠାତ୍ରୀ ତଥା ପୁରସ୍କାର ଉପଦେଷ୍ଟା ସମିତିର ପ୍ରଥମ ସଭାନେତ୍ରୀ ଇଲା ପଣ୍ଡାଙ୍କର ସେହି ମୂଳ ବିଚାରଧାରାର ସମ୍ୟକ୍ ଅବତାରଣା ଆବଶ୍ୟକ। ସେଦିନ ସେ ସ୍ପଷ୍ଟ ଘୋଷଣା କରିଥିଲେ, “ଶ୍ରେଷ୍ଠ ମୌଳିକ ପୁସ୍ତକଟିକୁ ଏହି ପୁରସ୍କାରର ପରିସରଭୁକ୍ତ କରାଯିବ। କିନ୍ତୁ ଏପରି ଏକ ପୁସ୍ତକକୁ ବିଚାରକୁ ନେଲାବେଳେ ଲେଖକଙ୍କ ଜୀବନର ସାମଗ୍ରିକ ସାଧନା ଓ କୃତିତ୍ୱକୁ ଯଥାର୍ଥ ମୂଲ୍ୟ ଦିଆଯିବା ବିଧେୟ। ଲେଖକଙ୍କ ଜୀବନବ୍ୟାପୀ ସାଧନାକୁ କୌଣସି ପରିସ୍ଥିତିରେ ମଧ୍ୟ ଉପେକ୍ଷା କରାଯିବା ଉଚିତ ହେବ ନାହିଁ।”

କିନ୍ତୁ ପୁରସ୍କାର ଉପଦେଷ୍ଟା ମଣ୍ଡଳୀ ଯେ ବାରମ୍ବାର ଇଲା ପଣ୍ଡାଙ୍କ ବିଚାରଧାରାର ଉଲ୍ଲଙ୍ଘନ କରି, ଏପରି ‘ଅନୁଚିତ’ କାର୍ଯ୍ୟ କରୁଛନ୍ତି, ଏହା ଏ ବର୍ଷର ପୁରସ୍କାରରୁ ମଧ୍ୟ ସ୍ପଷ୍ଟ।

ଶାରଳା ପୁରସ୍କାର ‘ଉପଦେଷ୍ଟା ମଣ୍ଡଳୀ’ର ଏ ଅବାଂଛିତ ଲୀଳା ଓ ଖେଳାର ଅନ୍ତ କେବେ?

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର