ଏ ସଂଘର୍ଷର ଅନ୍ତ କେବେ?

ଚନ୍ଦ୍ରକଳା ନାୟକ

ବହୁ ଚର୍ଚ୍ଚିତ ଉତ୍ତର ପ୍ରଦେଶର ଉନ୍ନାଓ ନାବାଳିକା ଅପହରଣ ଓ ବଳାତ୍କାର ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ଥାନୀୟ ବିଜେପିର ବାହୁବଳୀ ବିଧାୟକ କୁଳଦୀପ ସି˚ହ ସେନଗର ସ୍ଥାନୀୟ ତିସ୍‌ ହଜାରୀ ଅଦାଲତରେ ୧୫ ଡିସେମ୍ବର ୨୦୧୯ରେ ଦୋଷୀ ସାବ୍ୟସ୍ତ ହେଲେ। ୨୦୧୭ ଜୁନ ୪ ତାରିଖରେ କୌଣସି ଏକ ଚାକିରିରେ ନିଯୁକ୍ତିର ଆଶା ନେଇ ବିଧାୟକଙ୍କ ପାଖକୁ ଯାଇଥିବା ୧୭ ବର୍ଷୀୟା ଜ‌େଣ ବାଳିକାଙ୍କୁ ବିଧାୟକ ଓ ତାଙ୍କ ସହଯୋଗୀମାନେ ଅପହରଣ କରିବା ସହ ତାଙ୍କୁ ବଳାତ୍କାର କରିଥିଲେ। ପ୍ରବଳ ପ୍ରଭାବଶାଳୀ ବାହୁବଳୀ ନେତାଙ୍କ ଚାପ ଓ ଭୟ ପ୍ରଦର୍ଶନ ସତ୍ତ୍ବେ ପୀଡ଼ିତାଙ୍କ ପରିବାର ସାହସ ସଞ୍ଚୟ କରି ୨୦୧୮ ଫେବ୍ରୁଆରିରେ ଥାନାରେ ଏତଲା ଦେଲେ।

ଏହା ପରେ ଯେଉଁ ଘଟଣା ସବୁ ଦେଖିବାକୁ ମିଳିଲା ସେ ସବୁ ଥିଲା ଅବିଶ୍ବସନୀୟ; ନିଜ ରାଜନୈତିକ ପ୍ରଭାବ ଦ୍ବାରା ଜଣେ କ’ଣ କରିପାରେ, ତାର ନଗ୍ନ ଉଦାହରଣ। ପ୍ରକାଶ ଥାଉ କି ସେନଗରଙ୍କ ପ୍ରଭାବରେ ପୁଲିସ ଏକାଧିକ ଥର ପୀଡ଼ିତାଙ୍କ ଏତଲାକୁ ଗ୍ରହଣ କରି ନଥିଲା। ଶେଷରେ ପୀଡ଼ିତା ଏପ୍ରିଲ ୮ ତାରିଖରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ବାସଭବନ ସମ୍ମୁଖରେ ଆତ୍ମାହୁତି ଦେବାର ଉଦ୍ୟମ କରିବା ପରେ ମାମଲାକୁ ନେଇ ଚର୍ଚ୍ଚା ଜୋରଦାର ହେଲା। ଅଭିଯୋଗକୁ ପୁଲିସ ଗ୍ରହଣ କରିବା ପରେ ପ୍ରଥମେ ପୀଡ଼ିତାଙ୍କ ବାପାଙ୍କୁ ମିଛ ଅଭିଯୋଗରେ ଗିରଫ କରାଗଲା। ତାହା ପରେ ହାଜତରେ ତାଙ୍କୁ ହତ୍ୟା କରାଗଲା। ଏଥିରେ ସେନଗରଙ୍କ ଭାଇ ସମ୍ପୃକ୍ତି ଥିବା ଅଭିଯୋଗ ହୁଏ। ସେନଗର ଗିରଫ ହୋଇ ଜେଲ୍‌ରେ ଥିବାବେଳେ ମଧ୍ୟ ତାଙ୍କ ଅତ୍ୟାଚାର ହ୍ରାସ ପାଏ ନାହିଁ। ୨୦୧୯ ଜୁଲାଇରେ ପୀଡ଼ିତାଙ୍କ ପରିବାର ସଦସ୍ୟଙ୍କୁ ରାୟବରେଲିଠାରେ ଦୁର୍ଘଟଣାଗ୍ରସ୍ତ କରାଇ ହତ୍ୟା ଉଦ୍ୟମ କରାଯାଏ। ଏଥିରେ ପୀଡ଼ିତାଙ୍କ ଦୁଇ ଖୁଡ଼ୀଙ୍କ ମୃତ୍ୟୁ ହୁଏ ଏବଂ ସେ ଓ ତାଙ୍କ ଓକିଲ ଗୁରୁତର ଆହତ ହୁଅନ୍ତି। ପୀଡ଼ିତା ଦିଲ୍ଲୀର ଏମ୍‌ସରୁ ଚିକିତ୍ସିତ ହୋଇ ସୁସ୍ଥ ହେବା ପରେ ନିଜର ସୁରକ୍ଷା ଓ ନ୍ୟାୟ ପାଇଁ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ମାମଲାର ତଦନ୍ତ ଓ ବିଚାର ହୋଇଥିଲା। ଏତେ କଷଣ ସହି ପୀଡ଼ିତା ପ୍ରଦର୍ଶନ କରିଥିବା‌ ସାହସ ହେତୁ ଶେଷରେ ସେନଗରଙ୍କୁ ଆଜୀବନ କାରାଦଣ୍ଡାଦେଶ ମିଳେ।

୨୦୧୮ରେ ପ୍ରକାଶିତ ଆସୋସିଏସନ ଅଫ ଡେମୋକ୍ରାଟିକ ରିଫର୍ମସ (ଏଡିଆର) ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟ ଅନୁସାରେ ଦେଶରେ ୪୮ ଜଣ ଜନପ୍ରତିନିଧିଙ୍କ ନାମରେ ମହିଳା ନିର୍ଯାତନା ମାମଲା ରହିଛି। ଚାଇଲ୍‌ଡ ରାଇଟ୍‌ସ ଆଣ୍ତ ୟୁ (କ୍ରାଏ) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ୧୦ ବର୍ଷ ମଧ୍ୟରେ ଆମ ଦେଶରେ ନାବାଳିକାଙ୍କ ଉପରେ ଅପରାଧ ସଂଖ୍ୟାରେ ୫୦୦% ବୃଦ୍ଧି ଘଟିଛି।

ସେହିଭଳି ୧୦ ଏପ୍ରିଲ ୨୦୧୮ରେ ଲୋକଲୋଚନକୁ ଆସିଥିଲା ଜାମ୍ମୁକାଶ୍ମୀରର କାଠୁଆ ଠାରେ ଜଣେ ୮ ବର୍ଷୀୟା ବାଳିକାକୁ ଚାରି ଦିନ ଧରି ଅଟକ ରଖି ଗଣଦୁଷ୍କର୍ମ ଓ ତା’ ପରେ ପଥରରେ ଛେଚି ହତ୍ୟା କରାଯାଇଥିବାର ଜଘନ୍ୟ ଘଟଣା। ଏଥିରେ ସ୍ଥାନୀୟ ନେତାଙ୍କ ସହିତ ପୁଲିସ ମଧ୍ୟ ସାମିଲ ଥିଲେ।

ଏହିଭଳି ଆଉ ଏକ ଲଜ୍ଜାଜନକ ଘଟଣା ଘଟିଥିଲା ୨୦୧୩ ଅଗଷ୍ଟ ୧୫ ତାରିଖରେ। ତାହା ଥିଲା ଭାରତର ସ୍ବାଧୀନତା ପ୍ରାପ୍ତିର ପଞ୍ଚଷଠିତମ ବର୍ଷ ପୂର୍ତ୍ତି। କିନ୍ତୁ ଏକ ଚରମ ବିଡ଼ମ୍ବନା ସ୍ବରୂପ ଏହି ଦିନ ଜନୈକ ଧର୍ମ ଗୁରୁ ଆଶାରାମଙ୍କ ହାତରେ ଉତ୍ତରପ୍ରଦେଶର ଜଣେ ନାବାଳିକା କେବଳ ନିଜର ସ୍ବାଧୀନତା, ସମ୍ମାନ ଓ ନିଜତ୍ବ ସବୁ କିଛି ହରାଇଥିଲେ। ୨୦୧୩ ଅଗଷ୍ଟ ୨୦ ତାରିଖରେ ସେ ଏ ବିଷୟରେ ଥାନାରେ ଏତଲା ଦେଲେ। ଅଗଷ୍ଟ ୩୧ରେ ଗିରଫ ହେଲେ ଏହି ତଥାକଥିତ ଆଧ୍ୟାତ୍ମିକ ଗୁରୁ। ୨୦୧୮, ୨୫ ଦିନ ଏକ ସ୍ବତନ୍ତ୍ର ଅଦାଲତ ଏହି ଦଳିତ ନାବାଳିକାଙ୍କୁ ବଳାତ୍କାର ଅଭିଯୋଗରେ ତାଙ୍କୁ ଆଜୀବନ ଜେଲ ଦଣ୍ତାଦେଶ ପ୍ରଦାନ କଲେ।

‌େତବେ ନ୍ୟାୟ ପାଇବା ଲାଗି ପୀଡ଼ିତାଙ୍କୁ କମ୍‌ ଯନ୍ତ୍ରଣା ସହିବାକୁ ପଡ଼ିନାହିଁ। ସାଢେ ୪ ବର୍ଷ କାଳର ଶୁଣାଣି ଭିତରେ ୩ ସାକ୍ଷୀଙ୍କୁ ହତ୍ୟା କରାଗଲା। ପୀଡ଼ିତାଙ୍କ ଲାଗି ଘରୁ ବାହାରିବା ଅସମ୍ଭବ ହୋଇ ପଡୁଥିଲା। ତାଙ୍କ ପାଠ ପଢ଼ା ବ୍ୟାହତ ହେଲା। ତଦନ୍ତକାରୀ ପୁଲିସ ଅଧିକାରୀଙ୍କୁ ଏ ସମୟ ଭିତରେ ମିଳିଥିଲା ଦୁଇ ହଜାରରୁ ଅଧିକ ଧମକଭରା ଚିଠି ଓ ଶତାଧିକ ଧମକ ଭରା ଫୋନ୍‌ କଲ୍‌।

ଏ ପ୍ରସଙ୍ଗରେ ନିହିତ ବିଡ଼ମ୍ବନାଟି ହେଉଛି ଏଭଳି ଅତ୍ୟନ୍ତ ଗର୍ହିତ ଓ ଘୃଣ୍ୟ କାର୍ଯ୍ୟ କରିଥିବା ବ୍ୟକ୍ତିର ପରିଚୟ ଥିଲା ଯେ ସେ ଜଣେ ସନ୍ଥ। ତାଙ୍କ ପ୍ରବଚନରେ ଆତ୍ମ ନିୟନ୍ତ୍ରଣ, ସ˚ଯମ ଓ ଅନ୍ତର୍ଦୃଷ୍ଟିର ପାଠ ପଢ଼ାଯାଉଥିଲା। ସେହି ଦୃଷ୍ଟିରୁ ଆଶାରାମ ସବୁଠାରୁ ନିକୃଷ୍ଟ ଧରଣର ବୋଲି କହିଲେ ଭୁଲ ହେବନାହିଁ। ସାଧୁ ବେଶରେ ଯେ ବ୍ୟଭିଚାର କରେ ସେ କେବଳ ଦୁରାତ୍ମା ରାବଣ ସହିତ ତୁଳନୀୟ। ତେବେ, କେବଳ ଆଶାରାମ ନୁହେଁ, ଆଜି ଏଭଳି ରାବଣରୂପୀ ସନ୍ଥଙ୍କର ପଟୁଆର ଲାଗିଛି। ଗୁରୁମିତ ରାମ ରହିମ, ସ୍ବାମୀ ନିତ୍ୟାନନ୍ଦ, ସନ୍ଥ ସ୍ବାମୀ ଭୀମାନନ୍ଦ, ସ୍ବାମୀ ପ୍ରେମାନନ୍ଦ, ସ୍ବାମୀ ଅମୃତ ଚୈତନ୍ୟ, ଆଶାରାମଙ୍କ ପୁଅ ନାରାୟଣ ସାଇଙ୍କ ଠାରୁ ଆରମ୍ଭ କରି ଆମ ରାଜ୍ୟର କିଛି ସାଧୁ ବେଶଧାରୀ ରାବଣଙ୍କ ପର୍ଯ୍ୟନ୍ତରେ ଅନେକଙ୍କୁ ଏହି ଧାଡ଼ିରେ ଦେଖିବାକୁ ମିଳିଛି।

ମହିଳା ନିର୍ଯାତନା ଓ ଦୁଷ୍କର୍ମ କ୍ଷେତ୍ରରେ ଆମ ରାଜ୍ୟ ଓଡ଼ିଶା ବି କିଛି ପଛରେ ନାହିଁ। କୁନ୍ଦୁଲି ନାନାଳିକା ବଳାତ୍କାର ଓ ଆତ୍ମହତ୍ୟା କି ସାଲେପୁରର ନାବାଳିକା ଦୁଷ୍କର୍ମ ଘଟଣା ଠାରୁ ଆରମ୍ଭ କରି ନବରଙ୍ଗପୁର କୋଷାଗୁମୁଡ଼ା ନାବାଳିକା ଗଣଦୁଷ୍କର୍ମ ଓ ହତ୍ୟା କିମ୍ବା ଧର୍ମଶାଳାର ଭି.ଏଲ.ଡବ୍ଲ୍ୟୁ ସ୍ମିତାରାଣୀଙ୍କ ରହସ୍ୟଜନକ ମୃତ୍ୟୁ ଘଟଣା ଏହାର ଗୋଟିଏ ଗୋଟିଏ ଉଦାହରଣ। ନାବାଳିକା ବଳାତ୍କାରୀଙ୍କୁ ଫାଶୀ ଦେବା ପାଇଁ କେନ୍ଦ୍ର ସରକାର ଅଧ୍ୟାଦେଶ ଜାରି କରିଛନ୍ତି। ଏ କ୍ଷେତ୍ରରେ ସୁପ୍ରିମକୋର୍ଟଙ୍କ ଠାରୁ କେନ୍ଦ୍ର ଓ ରାଜ୍ୟ ସରକାର ସମସ୍ତେ କଠୋର ହେଉଛନ୍ତି। କିନ୍ତୁ ଦେଖାଯାଉଛି ଯେ ନ୍ୟାୟ ପାଇବା ଲାଗି ଏବେ ବି ପୀଡ଼ିତାମାନଙ୍କୁ ବହୁ କ‌ଷ୍ଟ ସ୍ବୀକାର କରିବାକୁ ପଡୁଛି।

ଆଶାରାମଙ୍କ ଠାରୁ ଆରମ୍ଭ କରି ଉନ୍ନାଓ ପର୍ଯ୍ୟନ୍ତ ଉଦାହରଣ କହିଥାଏ ଯେ ଭାରତୀୟ ନାରୀ ନିଜର ମର୍ଯ୍ୟାଦା ରକ୍ଷା ପାଇଁ ଲଢେଇ କରିବାରେ ଲାଗିଛନ୍ତି। ଓଡ଼ିଶାର କୁନ୍ଦୁଲି ପୀଡ଼ିତା ପରି କେହି କେହି ଆତ୍ମହତ୍ୟା କରିଛନ୍ତି। ନିର୍ଭୟାଙ୍କ ପରିବାର ଗଲା ୧୩ ବର୍ଷ ଧରି ନ୍ୟାୟ ପାଇବା ଲାଗି ସଂଘର୍ଷ ଜାରି ରଖିଛନ୍ତିି। ଏହା ହେଉଛି ଆଜିର ଏକ ବଡ଼ ବିଡ଼ମ୍ବନା।

ଭୁବନପୁର, ଗଡ଼ମଧୁପୁର, ଯାଜପୁର
ମୋ-୯୪୩୭୯୫୭୬୧୭

ସମ୍ବନ୍ଧିତ ଖବର