ଛୁଟି ଲାଗି କୃତଜ୍ଞ

ଓଁ ଅଭିଜ୍ଞାନ ସାହୁ

ଜାନୁଆରି ୨୬ ହେଉ କି ଅଗଷ୍ଟ ୧୫; ସ୍କୁଲ ଛୁଟି। ସେମିତି କେତେ କେତେ ପର୍ବରେ ସ୍କୁଲ ଛୁଟି। ଆଉ କିଛି ମନେରହୁ କି ନ ରହୁ; ସ୍କୁଲରେ ପଢ଼ିବା ବେଳଠୁ ଏହିଭଳି କିଛି କିଛି ତାରିଖ ନିଶ୍ଚିତ ଭାବେ ମନେ ରଖୁଥିଲୁ। କାରଣ ଏହି ଦିନମାନଙ୍କରେ ଆମକୁ ସରକାରୀ ଭାବେ ଛୁଟି ମିଳୁଥିଲା। ନ ହେଲେ ସ୍କୁଲ ନ ଯିବା ପାଇଁ କେତେ ପ୍ରକାରର ବାହାନା ସବୁର ଯେ ଉଦ୍ଭାବନ କରିବାକୁ ପଡୁଥିଲା, ତାର ସୀମା ନାହିଁ। ବୋଧେ ସେଇଥି ପାଇଁ ସରକାର ଜାଣିଶୁଣି ଏହି ମହତ ଦିନ ଗୁଡ଼ିକୁ ଛୁଟି ଘୋଷଣା କରିଛନ୍ତି। କିଛି ନ ହେଲେ ବି ମୋ’ ଭଳି କୁଳାଙ୍ଗାରମାନେ ଛୁଟି ଦିନ ଭାବେ ଅନ୍ତତଃ ଦେଶର ଏହି ବିଶେଷ ଦିନ ଗୁଡ଼ିକୁ ମନରେ ଧରି ରଖିପାରିବେ। ଏହି ଦିନ ଦେଶ ସ୍ବାଧୀନ କରି ସଂଗ୍ରାମୀମାନେ ଯେତେ ଖୁସି ହୋଇ ନଥିବେ ତା’ଠୁ ଅଧିକ ଖୁସି ଆମେ ହେଉଥିଲୁ; କାରଣ ସେ ଦିନ କେହି ବି ଆମକୁ ବିଧା, ଚାପୁଡ଼ା ମାରି ବା ଗର୍ଜନ ତର୍ଜନ କରି ନିଦରୁ ଉଠଉ ନଥିଲେ। ମାଆଙ୍କ ସକାଳ ତାଗିଦା ଏହି ଦିନ ମାନଙ୍କରେ ଫିକା। କମ୍ବଳ ଭିତରୁ ମୁହଁଟିକୁ ବାହାର କରି କହି ଦେଉଥିଲୁ , ଆଜି ସ୍କୁଲ, ଟିଉସନ ସବୁ ଛୁଟି। ଆଉ ଟିକେ ଶୋଇବି।

କିଛି ଫ୍ରେଣ୍ଡ ଇନ୍ ନିଡ୍ ଟାଇପ୍‌ର ବନ୍ଧୁ ବର୍ଷ ଆରମ୍ଭରୁ ହିସାବ କରି ଜଣେଇ ଦିଅନ୍ତି ଚଳିତ ବର୍ଷ କେତେଟା ଲାଗଲାଗ ଛୁଟି ରହିବ। ଏଇ ଯେମିତି ଧରନ୍ତୁ ଶୁକ୍ରବାର ଅଗଷ୍ଟ ପନ୍ଦର, ପରଦିନ ଦ୍ବିତୀୟ ଶନିବାର, ତା’ପରେ ରବିବାର ଆଉ ସୋମବାର ଅଲ ଇଣ୍ଡିଆ ଷ୍ଟ୍ରାଇକ୍‌ ଅର୍ଥାତ୍‌ ପୂରା ଚାରି ଦିନ ଛୁଟି। ସେମିତି ଶୁଭେଚ୍ଛୁମାନେ ଆଗୁଆ ସମସ୍ତଙ୍କୁ ମନେ ପକେଇ ଦିଅନ୍ତି ଛୁଟିଦିନମାନଙ୍କରେ କେଉଁ କେଉଁ ପିକ୍‌ନିକ୍‌ ସ୍ପଟ୍ ସବୁ ଭିଡ଼ ରହିବ; ପୋଗ୍ରାମ୍ ଏବେ ଠୁ ଠିକ କର, ନଚେତ୍‌ ପରେ ପସ୍ତେଇବ!

ହ୍ବାଟ୍‌ସ୍ ଆପ୍‌ର ବହୁଳ ପ୍ରସାର ପରେ ‘କପି ପେଷ୍ଟ୍‌ ଫରୱାର୍ଡ‌୍’ମାର୍କା ବନ୍ଧୁମାନେ ଏହି ସବୁ ପବିତ୍ର ଦିନ ପାଇଁ ଆଗରୁ ଆଡ୍‌ଭାନ୍‌ସଡ୍‌ ଶୁଭେଚ୍ଛା ଓ ବଢ଼ିଆ ବଢ଼ିଆ ଦେଶପ୍ରେମମୂଳକ ଭିଡିଓ ଯୋଗାଡ଼ କରି ରଖୁଛନ୍ତି। ଦେଶର ସେବା ପାଇଁ ଯେତିକି ସବୁ ଗୁରୁବାଣୀ ଏହି ଦିନ ମାନଙ୍କରେ ଆସେ, ସେତକ ଜଣକୁ ଏକ ନମ୍ବର ଦେଶଭକ୍ତରେ ପରିଣତ କରିବା ପାଇଁ ଯଥେଷ୍ଟ। କିନ୍ତୁ ପଠେଇଲା ବାଲା ବି ଜାଣିଚି ଓ ପଢ଼ିଲା ବାଲା ବି ଜାଣିଛି ଯେ ଏଭଳି ଗୁରୁବାଣୀରେ ମଣିଷର ପରିବର୍ତ୍ତନ ହୁଏନି। ନ ହେଲେ ହ୍ବାଟ୍‌ସ୍‌ ଆପ୍‌କୁ କେବେଠୁ ଶାନ୍ତି ପାଇଁ ନୋବେଲ ପ୍ରାଇଜ୍‌ ଦିଆସରନ୍ତାଣି। ଲମ୍ବା ଲମ୍ବା ଭିଡିଓ ସବୁ ପଠେଇ ଦେଇ ପଠେଇଲା ବାଲା ଖୁସି ହୁଏ ଯାହା ହେଉ ଗୋଟେ କାମ ସରିଲା। କିନ୍ତୁ ପାଇଲା ବାଲାର ମୁଣ୍ଡ ବିଗିଡ଼େ। କାରଣ ଏଭଳି ଛୁଟି ଦିନରେ ପାଇଥିବା ଫଟୋ ଓ ଭିଡିଓ ଉଡ଼େଇ ନ ଦେଲେ ଫୋନ୍‌ ଅଚଳ, ତାର ମେମୋରି ଫୁଲ୍‌।

ଦୁଇ ପ୍ରକାର ଛୁଟି ରହିଛି। ଗୋଟିଏ ପ୍ରକାର ଛୁଟି ଠାକୁରମାନଙ୍କ ଲାଗି ତ ଆଉ ଗୋଟିଏ ପ୍ରକାର ଛୁଟି ରାଷ୍ଟ୍ର ଲାଗି। ଠାକୁରଙ୍କ ଲାଗି ଛୁଟି ଦିନ ଯଦି ଆମିଷ ବାରରେ ପଡ଼ିଯାଏ, ତେବେ ଅନେକ ଆମିଷ ରଙ୍କୁଣା ଦୀର୍ଘଶ୍ବାସ ପକାନ୍ତି। କିନ୍ତୁ ଯଦି ଜାନୁଆରି ୨୬ ବା ଅଗଷ୍ଟ ୧୫ ଭଳି ସରକାରୀ ଛୁଟି ଦିନ ଆମିଷ ବାରରେ ପଡ଼ିଲା ତେବେ ତ କଚେପୁଅ ବାର। ସେ ଦିନ କେତେ ଯେ କୁକୁଡ଼ା, ଛେଳି ଇତ୍ୟାଦି ଆମ ଉଦରସ୍ଥ ହୁଅନ୍ତି ତାର ହିସାବ ନ ଥାଏ।

ଆମ ପୁଣ୍ୟ ଭୂମିରେ କେତେ ଦେବଦେବୀ ଖେଳାଲୀଳା କରିଛନ୍ତି। କେତେ ମହାପୁରୁଷ ଜନ୍ମ ଲାଭ କରିଛନ୍ତି। ସେମାନଙ୍କ ଭିତରୁ କେତେକଙ୍କ ଅପାର କରୁଣାରୁ ଆମେମାନେ ଛୁଟି ମାନ ପାଇଥାଉ। ସେଥିପାଇଁ ଏହି ଅକିଂଚନ ସେମାନଙ୍କ ଠାରେ କୃତଜ୍ଞତା ଜ୍ଞାପନ କରୁଛି।

ଖାନନଗର, କଟକ
ମୋ: ୯୪୩୭୦୧୦୭୫୮
omabhigyan@gmail. com

ସମ୍ବନ୍ଧିତ ଖବର