ଲୋକ ଓ ବିଶ୍ୱ

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ମାନବୀୟ ମୂଲ୍ୟବୋଧ ବା ମାନବ ମୂଲ୍ୟର ଗୋଟିଏ ବିଶ୍ବକେନ୍ଦ୍ର ଓଡ଼ିଶାରେ ସ୍ଥାପିତ ହେଉ ବୋଲି ମୁଁ ଯେଉଁ ଆବେଦନ ଉପସ୍ଥାପିତ କରିଥିଲି ଏହି ସ୍ତମ୍ଭରେ, ଦୁଇ ସପ୍ତାହ ତଳେ, ତା’ର ପ୍ରତିକ୍ରିୟାରେ ଗୋଟେ ଗଭୀର ଉଦାସ ଭାବ ଥିଲା ଭଳି ଲାଗିଲା ମତେ। ସବୁଠୁ ବଡ଼ ଉଦାସୀ ଥିଲା ବିଶ୍ବର ଚଳନ୍ତି ରାଜନୀତିରେ ବିଶ୍ବମାନଙ୍କର କଳ୍ପନା। ଏଠି ଓଡ଼ିଶାରେ ବସି ବିଶ୍ବ ମାନବିକତାର କଳ୍ପନା ସମ୍ଭବ କି? ବିଶ୍ବ ଓଡ଼ିଶାକୁ ଚିହ୍ନିବ କି? ବିଶ୍ବମାନବର କଥା କହୁଥିବା ଏ ଓଡ଼ିଆମାନେ ଏତେ ବଡ଼ କଥା କହିବାକୁ କିଏ? ୟାକୁ ସିଧା କରି କହିଲେ, ଏଇଆ କୁହାଯିବ ଯେ ବିଶ୍ବମାନବର କଳ୍ପନା ବିଶ୍ବକୁ ନିୟନ୍ତ୍ରିତ କରୁଥିବା ରାଷ୍ଟ୍ରର ଲୋକେ କହିଲେ ସୁନ୍ଦର, ଭାରତର ପୂର୍ବତଟର ଗୋଟେ ଦରିଦ୍ର ରାଜ୍ୟରେ ବିଶ୍ବମାନବର କଳ୍ପନା ଅସାର ଓ ଅବାସ୍ତବ। ଉଦାସୀର ଆଉ ଗୋଟିଏ ପକ୍ଷ ଥିଲା ବଦାନ୍ୟ ଧନୀଙ୍କ ପୁଞ୍ଜିନିବେଶରେ ଏକ ବିଶ୍ବସ୍ତରୀୟ ଆଲୋକସ୍ତମ୍ଭ ନିର୍ମାଣର ଯୌକ୍ତିକତାକୁ ନେଇ। ଭଲ ହେଲା ଏ ପ୍ରସଙ୍ଗ ସବୁ ସାମ୍ନାକୁ ଆସିଗଲେ। ୟାର ମୁକାବିଲା କରିବା ପାଇଁ ବାଟ ଖୋଲିଗଲା। ମୁକାବିଲାର ଅର୍ଥ ଏଠି ଆକ୍ରାମକ ମୁହାମୁହିଁ ନୁହେଁ, ବର˚ ବିଚାର-ବିମର୍ଶର ଏକ ସମ୍ଭାବନା ଖୋଲିଗଲା ଲୋକକ୍ଷେତ୍ରରେ। ବିଚାର ବିମର୍ଶ ପାଇଁ ଆମ ସମ୍ମୁଖରେ ଯୋଡ଼ିଏ ବିନ୍ଦୁ। ଗୋଟିଏ ହେଉଛି ଲୋକତନ୍ତ୍ରରେ ମାନବ ମୂଲ୍ୟର ପରିକଳ୍ପନା କିଏ କରିବ? ଆଉ ଗୋଟିଏ ବିନ୍ଦୁ ହେଉଛି ବିଶ୍ବ ବର୍ତ୍ତମାନ ଯେଉଁଭଳି ପରିଚାଳିତ ହେଉଚି ତାହା ଲୋକତନ୍ତ୍ରକୁ ଏକ ମାନବମୂଲ୍ୟ ଭାବରେ ବଞ୍ଚେଇ ପାରିବ କି?

ପ୍ରଥମ ଓ ଦ୍ବିତୀୟ ବିଶ୍ବଯୁଦ୍ଧର ବ୍ୟାଖ୍ୟାନ ସହିତ ବିଭିନ୍ନ ରାଷ୍ଟ୍ରରେ ନିଜ ନିଜର ସ˚ସ୍କୃତି ଓ ସଭ୍ୟତାକୁ ନେଇ ବଞ୍ଚିଥିବା ଲୋକେ ‘ବିଶ୍ବ’କୁ ଏକ ରାଜନୈତିକ ଅଭିବ୍ୟକ୍ତି ଭାବରେ ଚିହ୍ନିଲେ। ପ୍ରଥମ ଓ ଦ୍ବିତୀୟ ବିଶ୍ବଯୁଦ୍ଧକୁ ‘ବିଶ୍ବଯୁଦ୍ଧ’ କାହିଁକି କୁହାଗଲା? ଏ ଥିଲା ସାମ୍ରାଜ୍ୟବାଦୀ ଶକ୍ତିଙ୍କ ଆଭ୍ୟନ୍ତରୀଣ ସ˚ଘର୍ଷ। ଯେହେତୁ ସାମ୍ରାଜ୍ୟବାଦୀଙ୍କ ଉପନିବେଶ ବିଶ୍ବର ବହୁ ଭାଗରେ ବ୍ୟାପ୍ତ ହୋଇ ରହିଥିଲା, ତେଣୁ ସାମ୍ରାଜ୍ୟବାଦୀ ସ˚ଘର୍ଷରେ ଔପନିବେଶିକ ପୃଥିବୀ ବି ସାମିଲ ହୋଇଗଲା ଓ ସାମ୍ରାଜ୍ୟବାଦୀ ବ୍ୟାଖ୍ୟାନ ନିର୍ମାତା ଏ ଯୁଦ୍ଧକୁ ବିଶ୍ବଯୁଦ୍ଧ ବୋଲି କହିଦେଲେ। ଦ୍ବିତୀୟ ବିଶ୍ବଯୁଦ୍ଧ ବି ସେହିଭଳି ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭିତରେ ଥିବା ଅସନ୍ତୋଷ, କ୍ଷେତ୍ରାଧିକାର ଓ ସାମ୍ରାଜ୍ୟବାଦୀ ଶକ୍ତିଙ୍କର ଅନ୍ତରୀଣ ବିଘଟନର ବିସ୍ଫୋଟ ଥିଲା। ଇଏ ବି ବିଶ୍ବଯୁଦ୍ଧ ହୋଇଗଲା, ସମଗ୍ର ବିଶ୍ବକୁ ଯୁଦ୍ଧର ଐତିହାସିକ ମାନଚିତ୍ରରେ ଯୁଦ୍ଧ-ଲିପ୍ତ ଶକ୍ତିମାନଙ୍କ ପ୍ରଭାବ କ୍ଷେତ୍ର ଭାବରେ ରଙ୍ଗେଇ ଦିଆଗଲା। କାରଣ ଅନୁସନ୍ଧାନର ନୂଆ ଫର୍ଦ୍ଦ ଏବେବି ଖୋଲୁଚି। କିନ୍ତୁ ଏସବୁ ଭିତରେ ଯୋଡ଼ିଏ କାରଣ ଅଭିବ୍ୟକ୍ତି ନ ପାଇ ରହିଗଲେ। ଗୋଟିଏ କାରଣ ଥିଲା ବିଶ୍ବର ବୈଚିତ୍ର୍ୟକୁ ଅବଦମିତ କରି ବିଶ୍ବ ନାମରେ ୟୁରୋପୀୟ ଓ ୟୁରୋପ ସୃଷ୍ଟ ଆମେରିକାନ ଜୀବନଧାରା ଓ ଜୀବନମୂଲ୍ୟକୁ ପ୍ରତିଷ୍ଠା ଦେବା। ଆଉ ଗୋଟିଏ କାରଣ ଥିଲା ମାନବ ସଭ୍ୟତାର ସ୍ବାଭାବିକ ପରିପ୍ରକାଶକୁ ସା˚ସ୍କୃତିକ ଚିନ୍ତନରୁ ବହିଷ୍କୃତ କରି ଶକ୍ତି ପ୍ରଦର୍ଶନର ଭୌଗୋଳିକ ସୀମାରେ ଆବଦ୍ଧ କରିବା। ପ୍ରକୃତ ବିଶ୍ବଯୁଦ୍ଧ ଥିଲା ସଭ୍ୟତାର ପ୍ରତିରୋଧକ ଶକ୍ତି ଓ ବର୍ବରତାର ସ˚କ୍ରମଣ ଭିତରେ। ପ୍ରକୃତ ବିଶ୍ବଯୁଦ୍ଧ ଥିଲା ସା˚ସ୍କୃତିକ ମାନବ ଓ ରାଜନୈତିକ ବିଶ୍ବ ଭିତରେ। ଏ ବିଶ୍ବଯୁଦ୍ଧ ଏବେ ମଧୢ ଚାଲିଚି।

ଲୋକତନ୍ତ୍ରର ପ୍ରତିଷ୍ଠା ସହିତ ମନେ ହେଲା ସତେ ଅବା ବର୍ବରତା ବିରୋଧରେ ସଭ୍ୟତାର ଜୟ ହେଲା, ସତେ ଅବା ସା˚ସ୍କୃତିକ ମାନବ ରାଜନୈତିକ ବିଶ୍ବକୁ ଦଖଲ କରିନେଲା। ମଣିଷର ମୌଳିକ ଅଧିକାର ଗୁଡ଼ିକୁ ଅଲ˚ଘ୍ୟ ବୋଲି ସ୍ବୀକାର କରିବା ଓ ମଣିଷକୁ ତା’ର ସା˚ସ୍କୃତିକ ନିବାସ କ୍ଷେତ୍ରରେ ନିଜର ସ˚କଳ୍ପ ବଳରେ ରାଷ୍ଟ୍ର ନାମକ ଏକ ତନ୍ତ୍ର ପ୍ରତିଷ୍ଠା କରିବାର ସ୍ବାଧୀନତା ଦେବା କିଛି କମ୍‌ ବଡ଼ ସ˚କେତ ନୁହେଁ ମାନବ-ବିଜୟର! ସମ୍ବିଧାନ ହେଲା, ମାନବ-ମୂଲ୍ୟର ସମ୍ବିଧାନ, ମାନବାଧିକାରର ସମ୍ବିଧାନ ଓ ମାନବ-ପରିଚାଳିତ ଉତ୍କୃଷ୍ଟ ଅନୁଷ୍ଠାନର ସମ୍ବିଧାନ। ଏ ସମ୍ବିଧାନର ଧେୢୟ ମାନବ ଓ ପରିଚାଳକ ରାଷ୍ଟ୍ର। କିନ୍ତୁ ରାଷ୍ଟ୍ରର ପରିଚାଳକ କିଏ? ରାଷ୍ଟ୍ରର ପରିଚାଳକ ସରକାର। ସରକାର କିଏ? ସରକାର ହେଲେ ଲୋକ ପ୍ରତିନିଧି ଓ ସମ୍ବିଧାନ ଅନୁସାରେ ପରିଚାଳିତ ବିଧି, ବ୍ୟବସ୍ଥା, କର୍ତ୍ତା ଓ ସେବକ। ଲୋକପ୍ରତିନିଧିଙ୍କୁ ଲୋକେ ନିର୍ବାଚିତ କଲେ ମତ ଦେଇ। ମତ କାହାକୁ ଦେଲେ, କାହିଁକି ଦେଲେ, ସିଏ କୋଉ ଦଳର? ଏଇଠି ଆସିଗଲା ସା˚ସ୍କୃତିକ ମଣିଷ ଓ ରାଜନୈତିକ ମଣିଷ ଭିତରେ ପ୍ରଥମ ଅସୁରକ୍ଷା ଓ ସନ୍ଧିଗ୍‌ଧତାର ଭାବ। ଯେଉଁ ଆସୁରିକ, ହି˚ସ୍ର, ସାମ୍ରାଜ୍ୟବାଦୀ ବିଶ୍ବର ଧ୍ବ˚ସସ୍ତୂପ ଉପରେ ଲୋକତାନ୍ତ୍ରିକ ନୂଆ ବିଶ୍ବର ପରିକଳ୍ପନା ସଫଳ ହେଲା ଭଳି ଲାଗୁଥିଲା, ସେଥିରେ ଗୋଟିଏ ଅପଶକ୍ତି ପ୍ରବେଶ କରିଗଲା। ଯେଉଁ ଧ୍ବ˚ସସ୍ତୂପ ଉପରେ ଲୋକତାନ୍ତ୍ରିକ ବିଶ୍ବର ପରିକଳ୍ପନା କରାଯାଇଥିଲା, ସେ ଧ୍ବ˚ସସ୍ତୂପର ଅବଶେଷରୁ ପୁନର୍ଜୀବିତ ହୋଇଗଲା ଗୋଟିଏ ଏଭଳି ଭୂତ, ଯିଏ ଧୋବଧାଉଳିଆ, ନମ୍ର, ସ୍ମିତ ହାସ୍ୟଯୁକ୍ତ ଓ ବରଦ ହସ୍ତଧାରୀ, ଭଦ୍ର! ଇଏ ଲୋକଙ୍କୁ ତାଙ୍କରି ମାୟାରେ ପକେଇ ଲୋଭ ଓ ଲାଭର କୁହେଳିକା ଭିତରେ ମତ ହାସଲ କରିନେଲା। ଏଭଳି ଅସ˚ଖ୍ୟ ଲୋକ ଆସିଗଲେ ଗଣତନ୍ତ୍ରର ଲୋକ ପ୍ରତିନିଧି ହୋଇ। ଲୋକତନ୍ତ୍ର ଭ୍ରଷ୍ଟ ହୋଇଗଲା। ଆଜି ଏ ଦଳ ଓ କାଲି ସେ ଦଳ! ଆଶୁତୁଷ୍ଟି, ଆଶ୍ବାସନା ଓ ପ୍ରତିଶ୍ରୁତିର ଭାଷାକୁ ପ୍ରତିହତ କରିବାର ଭାଷା ଅଭାବରେ ଲୋକେ ତାଙ୍କ ତନ୍ତ୍ରଟି ନଷ୍ଟ ହେବାର ଦେଖିଲେ, କିନ୍ତୁ କିଛି କରିବାର ଶକ୍ତି ତାଙ୍କ ପାଖରେ ନ ଥିଲା। ଇଏ ହେଲା ଭ୍ରଷ୍ଟ ଲୋକତନ୍ତ୍ରର ଉଦାହରଣ। ସଫଳ ଲୋକତନ୍ତ୍ରର ରୂପ ମଧୢ କଳ୍ପନା କରାଯାଇପାରେ। ଏଠି ଲୋକେ ପ୍ରାର୍ଥୀଙ୍କ ଅନୁଭୂତି, ଚରିତ୍ର ଓ ସାମର୍ଥ୍ୟ ଦେଖି ମତ ଦେଲେ। ଏଭଳି ଅସ˚ଖ୍ୟ ଲୋକପ୍ରତିନିଧି କେବେହେଲେ ଭୁଲିଲେ ନାହିଁ ଯେ ସେମାନେ ଲୋକଙ୍କ ସ˚କଳ୍ପରେ ନିର୍ମିତ ଏକ ଲୋକତାନ୍ତ୍ରିକ ବ୍ୟବସ୍ଥାର ଅ˚ଶ, ନିର୍ବାହକାରୀ ବା ସେବକ। ଗୋଟିଏ ସଫଳ ଲୋକତନ୍ତ୍ର ଓ ଗୋଟିଏ ଭ୍ରଷ୍ଟ ଲୋକତନ୍ତ୍ର ଭିତରେ ପ୍ରଭେଦ ରହିଲା କେବଳ ମାନବ-ମୂଲ୍ୟରେ।

ବିଶ୍ବରେ ବହୁ ବିଫଳ ଲୋକତନ୍ତ୍ର, କୋଉ ଲୋକତନ୍ତ୍ରଟି ସଫଳ ତାକୁ ନେଇ କୌଣସି ନିର୍ଦ୍ଦିଷ୍ଟ ନିଷ୍ପତ୍ତି ବି ନାହିଁ। ଏବେ କୁହାଯାଉଚି ଯେ ଯେହେତୁ ବିଶ୍ବରେ ରାଷ୍ଟ୍ରୀୟ ରାଜନୀତି ଆଗରେ କୌଣସି ବିଚାରଧାରା ବା ଆଇଡିଓଲୋଜି ନାହିଁ, ସମସ୍ତେ ସେଣ୍ଟ୍ରିଷ୍ଟ ବା ବିକଳ୍ପହୀନ କେନ୍ଦ୍ରୀୟତା ଦ୍ବାରା ପରିଚାଳିତ। ତାହା ସତ୍ୟ, ଅର୍ଥାତ୍‌ ବାମପନ୍ଥୀ ଓ ଦକ୍ଷିଣ ପନ୍ଥୀ ଚିନ୍ତନ ଆଉ କୋଉ କାମର ନୁହନ୍ତି। ବସ୍ତୁତଃ ଏଭଳି କୌଣସି ବାମ-ଦକ୍ଷିଣ ବିଚାର ନ ଥିଲା। ଆମେରିକାର ଘୋର କମ୍ୟୁନିଷ୍ଟ-ବିରୋଧୀ (୧୯୪୦-୧୯୫୫) କାର୍ଯ୍ୟକ୍ରମ ଚାଲିଥିଲା ବେଳେ ସବୁ କମ୍ୟୁନିଷ୍ଟ ଓ ସମାଜବାଦୀଙ୍କୁ ବୌଦ୍ଧିକ ବିଚାରମଞ୍ଚରେ ଆମେରିକାର ବାଁ ପଟେ ଓ ସବୁ ପୁଞ୍ଜିବାଦୀ, ପୁଞ୍ଜିବାଦ-ସମର୍ଥକ ଓ ପୁଞ୍ଜିବାଦ-ଅନୁଗୃହୀତଙ୍କୁ ଡାହାଣ ପଟେ ବସେଇ ଦିଆଗଲା ତ ବିଶ୍ବର ଚିନ୍ତନ ମଞ୍ଚ ବି ବାଁ-ଡାହାଣ ହୋଇଗଲା। ଲୋକତନ୍ତ୍ରରେ ଆଉ ବାଁ-ଡାହାଣ କ’ଣ? ଇଏ ଲୋକଙ୍କ ଦ୍ବାରା ସୃଷ୍ଟ ତନ୍ତ୍ର, ସେ ରାଷ୍ଟ୍ର ହେଉ ବା ସରକାର ଲୋକପ୍ରତିନିଧି ଲୋକଙ୍କ ମଙ୍ଗଳ ପାଇଁ ବିଧାନ କରିବେ, ତାକୁ କାର୍ଯ୍ୟାନ୍ବିତ କରିବେ ବିବିଧ ଅନୁଷ୍ଠାନ ମାନଙ୍କ ଦ୍ବାରା, ମାନବ ଅଧିକାର ସୁରକ୍ଷିତ ହେବ, ରାଜନୀତି ଲୋକନୀତି ହେବ, ତେଣୁ ସବୁ କେନ୍ଦ୍ରିତ ହେବ ଲୋକସ୍ବାର୍ଥ ଓ ଲୋକସେବାରେ। ଦଳୀୟ ରାଜନୀତି, ବିନା ବିଚାରଧାରାରେ ନା ଆବଶ୍ୟକ ନା ଅର୍ଥପୂର୍ଣ୍ଣ! ଅନ୍ୟ ଭାବରେ କହିଲେ ବିଚାରଧାରାର ବିଭାଜନ ନ ଥାଇ ରାଜନୀତିର ଦଳୀୟ ବିଭାଜନ ଅଯୌକ୍ତିକ ଓ ଅଦରକାରୀ। କଥାର ଗୁରୁତ୍ବ ଅନୁମାନ କରିବା ପାଇଁ ଆମେରିକାର ଦ୍ବି-ଦଳୀୟ ଲୋକତନ୍ତ୍ରର କଥା ନିଅନ୍ତୁ। ଟ୍ରମ୍ପ୍‌ ଓ ବାଇଡେନ୍‌ଙ୍କ ନିର୍ବାଚନ ପ୍ରଚାର ବେଳେ ଦୁଇ ପ୍ରାର୍ଥୀଙ୍କ ଭିତରେ ଯେଉଁ ମୁକାବିଲା ହୋଇଥିଲା ତହିଁରେ ବିଚାର-ଗତ ପାର୍ଥକ୍ୟ କେତେ ଥିଲା। ନା ଟ୍ରମ୍ପ୍‌ କରିପାରିଲେ ଆମେରିକାନ୍‌ଙ୍କ ପାଇଁ ଆମେରିକା, ନା ବାଇଡେନ୍‌ କରିପାରିଲେ ଆମେରିକାର ଦ୍ବାର ସମସ୍ତଙ୍କ ପାଇଁ ଉନ୍ମୁକ୍ତ! ମତ ହାସଲ କରିବା ପାଇଁ ଦୁହେଁ ଗୋଟିଏ ସର୍ତ୍ତର ଆଢ଼ୁଆଳରେ ଛାୟାଯୁଦ୍ଧ ହିଁ କଲେ। ସେ ସର୍ତ୍ତ ଥିଲା ଆମେରିକାର ଲୋକଙ୍କ ମଙ୍ଗଳ। ଡିମୋକ୍ରାଟ୍‌ ଓ ରିପବ୍ଲିକାନ୍‌ଙ୍କ ଭିତରେ କି ବିଚାର-ଯୁଦ୍ଧ! ଉପରକୁ ଲାଗେ ରିପବ୍ଲିକାନ୍‌ମାନେ ରାଷ୍ଟ୍ରବାଦୀ ଓ ଡିମୋକ୍ରାଟ୍‌ମାନେ ଉଦାରବାଦୀ, କିନ୍ତୁ ଏଗୁଡ଼ା କଥାର କଥା, ସତ୍ୟ ନୁହେଁ। ଆମେରିକାର ସୁପ୍ରିମ କୋର୍ଟ (ଜଷ୍ଟିସ୍‌ ଵାରେନ୍‌) ଘୋର କମ୍ୟୁନିଷ୍ଟ ବିରୋଧୀ ମାକ୍‌କାର୍ଥିଜମ୍‌କୁ ତାଙ୍କର କେତୋଟି ନିର୍ଣ୍ଣାୟକ ଫଇସଲା ଦେଇ ଶେଷ କରିଦେଲେ। ଭିଏତ୍‌ନାମ ଯୁଦ୍ଧରେ ଆମେରିକାର ଲଜ୍ଜାକର ପରାଜୟ ଓ ଅମାନବୀୟ ଲୋକକ୍ଷୟ ପରେ କମ୍ୟୁନିଷ୍ଟ-ବିରୋଧୀଙ୍କ ଗରମ ହାଵା ଥଣ୍ତା ହୋଇଗଲା। ଗୋର୍ବାଚେଭ୍‌ଙ୍କ ‘ପେରେଷ୍ଟ୍ରୋଇକା’ ଓ ‘ଗ୍ଲାସନଷ୍ଟ’ ପରେ ଶୀତଯୁଦ୍ଧର ଅବସାନ ହେଲା ଓ ତା’ ସହିତ ବିଶ୍ବର ସର୍ବାଧିକ ଚର୍ଚ୍ଚିତ ବିଚାରଧାରାର ଯୁଦ୍ଧ ସମାପ୍ତ ହୋଇଗଲା। ଠିକ୍‌ ଅର୍ଥରେ ଏବର ଦଳଗୁଡ଼ିକ ନେତାଙ୍କ ପାନେଲ୍‌!

ବହୁଦଳୀୟ ଗଣତନ୍ତ୍ରରେ ଗୋଟିଏ ପାନେଲ୍‌ର ନେତା ଯଦି ଅତି ପ୍ରଭାବଶାଳୀ, ତେବେ ସେହି ପାନେଲ୍‌ରୁ ସର୍ବାଧିକ ଲୋକ ପ୍ରତିନିଧି ନିର୍ବାଚିତ ହେବେ। ଅର୍ଥାତ୍‌ ଆଇଡିଓଲୋଜି ବା ବିଚାରଧାରା ଆଧାରରେ ଲୋକତନ୍ତ୍ରରେ ମତ-ନିର୍ଦ୍ଧାରଣ ହେଉନାହିଁ, ନେତୃତ୍ବର ପ୍ରଭାମଣ୍ତଳ ହିଁ ନିର୍ଣ୍ଣାୟକ। କେନ୍ଦ୍ରରେ ନରେନ୍ଦ୍ର ମୋଦୀ ଓ ଓଡ଼ିଶାରେ ନବୀନ ପଟ୍ଟନାୟକଙ୍କ ପାନେଲ୍‌ କଥା ଭାବନ୍ତୁ। ଏ ପାନେଲ୍‌ର ସର୍ବାଧିକ ସଫଳତାର କାରଣ ଏ ଦୁଇ ବ୍ୟକ୍ତିତ୍ବ। ଏହି ବ୍ୟକ୍ତିତ୍ବର ପ୍ରଭାବରେ ରାଷ୍ଟ୍ରୀୟ ସ୍ତରରେ ଓ ରାଜ୍ୟ ସ୍ତରରେ ଯେଉଁ ଲୋକମଙ୍ଗଳକାରୀ ଯୋଜନା ଗୁଡ଼ିକ ହେଉଚି, ସେଗୁଡ଼ିକୁ ଉଭୟ ପାନେଲ୍‌ର ପ୍ରାର୍ଥୀମାନେ ସମାଲୋଚନା କରୁଚନ୍ତି ରାଜନୀତିର ଦାୟରେ, କିନ୍ତୁ ଲୋକେ ଠିକ୍‌ ଜାଣନ୍ତି ଯେ ଭଲ ହିଁ ଭଲ, ଯିଏ ମତ ଦେବେ ଯାହାର ନେତୃତ୍ବ ତାଙ୍କୁ ପ୍ରଭାବିତ କରିଚି। କାରଣ, ସେମାନେ ଜାଣନ୍ତି ଯେ ବିକାଶରେ ବିଚାରଧାରାର ସ˚କଟ ନାହିଁ, ଧରାତଳରେ ପ୍ରମାଣିତ ବିକାଶ ହିଁ ବିକାଶ! ଏଇଠି ଭାରତୀୟ ରାଜନୀତିରେ ରାଷ୍ଟ୍ରବାଦର ଉଦୟ ବିଷୟରେ କହିବାକୁ ହେବ ଏଇଥିପାଇଁ ଯେ ବର୍ତ୍ତମାନର ରାଷ୍ଟ୍ରବାଦ, ଦୁଇ ବିଶ୍ବଯୁଦ୍ଧ କାଳର ରାଷ୍ଟ୍ରବାଦ ନୁହେଁ, ସେଗୁଡ଼ିକ ଥିଲେ ସାମ୍ରାଜ୍ୟବାଦୀ-ରାଷ୍ଟ୍ରବାଦ, ବର୍ତ୍ତମାନର ରାଷ୍ଟ୍ରବାଦ ଲୋକତାନ୍ତ୍ରିକ ରାଷ୍ଟ୍ରବାଦ। ବର୍ତ୍ତମାନ ଭାରତୀୟ ଜନତା ପାର୍ଟିର ଥିଓରେଟିସିଆନ୍‌ମାନେ ଯେଉଁ ରାଷ୍ଟ୍ରବାଦର କଥା କହୁଚନ୍ତି, ତାହା ଲୋକତାନ୍ତ୍ରିକ ରାଷ୍ଟ୍ରବାଦ। ସମାଜବାଦୀମାନେ ରାଷ୍ଟ୍ରବାଦର କଥା କହିପାରନ୍ତି ନାହିଁ କାରଣ ତାଙ୍କ ବିଚାରଧାରା ରାଷ୍ଟ୍ର ଠାରୁ ସମାଜକୁ ଅଧିକ ଗୁରୁତ୍ବ ଦିଏ, ସାମାଜିକ ଓ ଆର୍ଥିକ ବୈଷମ୍ୟ ଦୂରୀକରଣ ତାଙ୍କର ଲକ୍ଷ୍ୟ। କିନ୍ତୁ ଲୋକତାନ୍ତ୍ରିକ ରାଷ୍ଟ୍ରବାଦୀଙ୍କ ଚିନ୍ତନରେ ସ୍ଥିତି ଅଲଗା। ଭାରତୀୟଙ୍କ ସ୍ବନିର୍ଭରତା ସହିତ ସେମାନେ ସ୍ବାଭିମାନ, ସଭ୍ୟତା, ପରମ୍ପରା, ଆଦର୍ଶ କଥା କହନ୍ତି, ଇତିହାସ ପୁନର୍ଲିଖନର କଥା କହନ୍ତି। ଏବେ ବିଶ୍ବରେ ଲୋକତାନ୍ତ୍ରିକ ରାଷ୍ଟ୍ରବାଦର ପରୀକ୍ଷା ଚାଲିଚି, ଭାରତ ହେବ ତାର ପ୍ରଥମ ସଫଳ ଉଦାହରଣ।

ଲୋକତାନ୍ତ୍ରିକ ରାଷ୍ଟ୍ରବାଦ ଭାରତରେ ସଫଳ ହେବ, କାରଣ ଭାରତୀୟଙ୍କ ଅଚେତନରେ ସଭ୍ୟତାର ଏକ ଜାତୀୟ ସ୍ମୃତି କାର୍ଯ୍ୟ କରେ। ଆମେରିକାରେ ଲୋକତାନ୍ତ୍ରିକ ରାଷ୍ଟ୍ରବାଦ ସଫଳ ହେବନାହିଁ, କାରଣ ଆମେରିକାନ୍‌ଙ୍କର ସଭ୍ୟତା ନାହିଁ। ୟୁରୋପୀୟ ଗ୍ରେକୋ-ରୋମାନ୍‌ ସଭ୍ୟତାର ଆଧାରରେ ସେମାନେ ଲୋକତାନ୍ତ୍ରିକ ରାଷ୍ଟବାଦର ନିର୍ମାଣ କରିପାରିବେ। ବିଶ୍ବର ବହୁ ଦୁର୍ବଳ ରାଷ୍ଟ୍ର ଏଭଳି ଅଛନ୍ତି ଯାହାଙ୍କର ସଭ୍ୟତାର ବଳ ନାହିଁ, ପୁ˚ଜିର ବଳ ନାହିଁ ବା ନେତୃତ୍ବର ବଳ ନାହିଁ। ସେମାନେ ସ˚ପନ୍ନ ବଡ଼ ରାଷ୍ଟ୍ରମାନଙ୍କ ସହାୟତା ଲୋଡ଼ିବେ। ବି˚ଶ ଶତାବ୍ଦୀର ଶ୍ରେଷ୍ଠ ଅବଦାନ ‘ଗଣତନ୍ତ୍ର’, ଏକବି˚ଶ ଶତାବ୍ଦୀରେ ଏକ ‘ବିଶ୍ବତନ୍ତ୍ର’ର ସନ୍ଧାନ କରିବ। ଦୁଇ ବିଶ୍ବଯୁଦ୍ଧ ପରେ ୟୁନାଇଟେଡ୍‌ ନେସନ୍‌ସ ଓ ବିଶ୍ବବ୍ୟାଙ୍କ୍‌ ଭଳି ବ୍ରେଟନ୍‌ ଉଡ୍‌ସ ଅନୁଷ୍ଠାନ ଗୁଡ଼ିକର ପରିକଳ୍ପନାରେ ଯାହା ଉହ୍ୟ ହୋଇ ରହିଥିଲା ତାହା ହେଲା ସାମ୍ରାଜ୍ୟବାଦର ଅନ୍ତ ପରେ ଉପନିବେଶମୁକ୍ତ ବିଶ୍ବରେ ଗଣତନ୍ତ୍ରମାନଙ୍କର ସଫଳତା ପାଇଁ ଏକ ବିଶ୍ବତନ୍ତ୍ର ଲୋଡ଼ା। ଏ ବିଶ୍ବତନ୍ତ୍ର ମିଳିତ ଜାତିସ˚ଘ ବା ବ୍ରେଟନ୍‌ ଉଡ୍‌ସ ଅନୁଷ୍ଠାନ ଗୁଡ଼ିକ ଏ ଯାବତ୍‌ ସମ୍ଭବ କରାଇ ପାରିନାହାନ୍ତି, କାରଣ ୟୁରୋପୀୟ ଓ ଆମେରିକାନ୍‌ମାନେ ଏବେ ମଧୢ ବାହୁବଳ, ବିତ୍ତବଳ ଓ ମିଥ୍ୟାବଳ ଦ୍ବାରା ମାନସିକ ସାମ୍ରାଜ୍ୟବାଦ ଦ୍ବାରା ବିଶ୍ବ ଅଧିକାରର କଳ୍ପନା ଛାଡ଼ିନାହାନ୍ତି। ବିଶ୍ବବାଦ (ଗ୍ଲୋବାଲିଜ୍‌ମ୍‌), ବିଶ୍ବୀକରଣ (ଗ୍ଲୋବାଲାଇଜେସନ୍‌) ଓ ବିଶ୍ବବୋଧ ଦ୍ବାରା ଉଭୟ ଚୈତନ୍ୟ ଓ ବିପଣନରେ ଯେତିକି ଘଟିଚି ସେତିକି। ବିଶ୍ବବାଦ ଚିନ୍ତାରେ ରହିନାହିଁ, ଆମର ବାସ୍ତବତା ଭିତରକୁ ବିଶ୍ବ ପଶି ଆସିଲାଣି, ବିଶ୍ବବୋଧ ଆଉ ଏକ ଉଚ୍ଚାରଣ ନୁହେଁ, ଦୁର୍ବିପାକ ଆକ୍ରାନ୍ତ ବିଶ୍ବରେ ସେ ବୋଧ ଦୈନନ୍ଦିନ ସତ୍ୟରେ ପରିଣତ ହେଲାଣି ଓ ‘ବିଶ୍ବୀକରଣ’ ଦ୍ବାରା ବିଶ୍ବକୁ ବିପଣିରେ ପରିଣତ କରିବାର ପ୍ରଭୁପାଠ ବ୍ୟର୍ଥ ହୋଇସାରିଲାଣି। ଏବେ ଦରକାର ବିଶ୍ବରେ ଲୋକତନ୍ତ୍ରମାନଙ୍କର ଲୋକକେନ୍ଦ୍ରିତ ସ˚କଳ୍ପ ଓ ସ୍ଥାନୀୟ ନେତୃତ୍ବମାନଙ୍କୁ ବିଶ୍ବ ରାଜନୀତି ଦ୍ବାରା ନଷ୍ଟଭ୍ରଷ୍ଟ ନକରି ଏକ ବିଶ୍ବତନ୍ତ୍ର ଦ୍ବାରା ସମ୍ଭାଳିବା। ହଁ, ସମ୍ଭାଳିବା, କାରଣ ବିଶ୍ବରେ ଏଭଳି ଗଣତନ୍ତ୍ର ଅଛନ୍ତି, ଯିଏ କେବଳ ନାଁକୁ ଗଣତନ୍ତ୍ର, ଏଗୁଡ଼ିକ ଯେ କୌଣସି ମୁହୂର୍ତ୍ତରେ ଏକଛତ୍ରବାଦୀ ଓ ଅମାନବୀୟ ହୋଇଯାଇପାରନ୍ତି। ୟାଙ୍କୁ ନ ସମ୍ଭାଳିଲେ ଏ ଗୁଡ଼ିକ ମରିଯିବେ। ଲୋକତନ୍ତ୍ର ମରିଗଲେ, ଅମାନବୀୟ ତତ୍ତ୍ବ ବିଶ୍ବ ଦଖଲ କରିନେବେ। କିନ୍ତୁ ୟାଙ୍କୁ କିଏ ସମ୍ଭାଳିବ? ଆରବ ଭୂଖଣ୍ତରେ ବସନ୍ତ (ଆରବ-ସ୍ପ୍ରି˚ଗ୍‌) ଆସିଲା ନା ଘୋର ରକ୍ତପାତ ଭିତରେ ମାନବ ମୂଲ୍ୟର ଦଲାଲି କରୁଚନ୍ତି ବିଶ୍ବର ତଥାକଥିତ ଶକ୍ତିମାନେ ସେଠି? ଆମେରିକାନ୍‌ ଦାଦାଗିରିର ପରିଣତି ଆମେ ଦେଖିଚାଲିଚେ ଅନ୍ତତଃ ଅର୍ଦ୍ଧଶତାବ୍ଦୀ ଧରି। ଏବେ ଜାତିସ˚ଘର ଭୂମିକାକୁ ପୁଣିଥରେ ଦେଖିବାକୁ ହେବ। ଏ ଜାତିସ˚ଘ ବିଶ୍ବର ନୈତିକ ସଶସ୍ତ୍ରୀକରଣ (ମୋରାଲ୍‌ ରିଆର୍ମାମେଣ୍ଟ) ପାଇଁ ବିଶ୍ବର ଶ୍ରେଷ୍ଠ ବିଚାରବନ୍ତ ବ୍ୟକ୍ତିଙ୍କ ପାଇଁ ସ୍ଥାନ ସୃଷ୍ଟି କରିପାରିବ କି? ସ୍ବାମୀ ବିବେକାନନ୍ଦ ପାର୍ଲିଆମେଣ୍ଟ ଅଫ୍‌ ରିଲିଜିଅନ୍‌ସ୍‌ରେ ମାନବ ମୂଲ୍ୟର ଉତ୍କର୍ଷ ସମସ୍ତ ଧର୍ମରେ ଦେଖିଥିଲେ। ଧର୍ମମାନଙ୍କୁ ପରିତ୍ୟାଗ ନକରି ଧର୍ମ ଭିତରେ ମାନବସନ୍ଧାନ ବିଶ୍ବକୁ ଏକ ‘ପାର୍ଲିଆମେଣ୍ଟ ଅଫ୍‌ ନେସନ୍‌ସ୍‌’ରେ ପରିଣତ କରିପାରେ ତ! ଏବେ କୂଟନୀତି ଓ ପ୍ରଚ୍ଛନ୍ନ ସାମ୍ରାଜ୍ୟବାଦ ଦ୍ବାରା ବିଶ୍ବ ଯେଭଳି ପରିଚାଳିତ ହେଉଚି ତାହା ବିଶ୍ବରେ ଲୋକତନ୍ତ୍ରମାନଙ୍କୁ ମାରି ଦେଇପାରେ। ଆମର ଏ ଅଦୃଶ୍ୟ ବିଶ୍ବତନ୍ତ୍ର ଲୋଡ଼ାନାହିଁ। ଦିବାଲୋକ ଭଳି ସ୍ପଷ୍ଟ ଏକ ‘ବିଶ୍ବତନ୍ତ୍ର’ର ପରିକଳ୍ପନା ଜରୁରୀ। ତାର ଆରମ୍ଭ ହେବ ମାନବ ମୂଲ୍ୟର ପ୍ରତିଷ୍ଠାରେ। ଭାରତ ଭଳି ଏକ ବଡ଼ ରାଷ୍ଟ୍ର ବିଶ୍ବର ସବୁଠୁ ବଡ଼ ଗଣତନ୍ତ୍ର ଓ ଏକ ବିଶାଳ ମାନବ ସଭ୍ୟତାର ଏଯାବତ୍‌ ଜୀବନ୍ତ ପୀଠରୁ ହିଁ ଏ ମହତ୍‌ କାର୍ଯ୍ୟ ଆରମ୍ଭ ହେବ। ମାନବ ମୂଲ୍ୟର ଏକ ବିଶ୍ବକେନ୍ଦ୍ର ହେବ ବିଶ୍ବତନ୍ତ୍ରର ପ୍ରଥମ ଭିତ୍ତିପ୍ରସ୍ତର। ସେ ଭିତ୍ତିପ୍ରସ୍ତରର ମୂଲ୍ୟ କେତେ, କିଏ ସେ ମୂଲ୍ୟ ଦେବ, ସେ ପ୍ରଶ୍ନ ଆମେ ଆର୍ତ୍ତଜନ କିଆଁ ପଚାରିବା? ଆର୍ତ୍ତଜନ ଯଦି ଅକ୍ଷମ, ସେ କେବଳ ରଡ଼ିଛାଡ଼ି କାନ୍ଦୁ, କୋଉଠି ତ ଥିବେ ଆର୍ତ୍ତବନ୍ଧୁ, ବଢ଼େଇ ଦେବେ ହାତ!

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର