ପୁରୀ ବିବାଦ : ‘ପୁରୀ କ୍ୟା କଲକତା ମେଁ ହୈ?’

ପ୍ରସାଦ ହରିଚନ୍ଦନ

ରାଜେନ୍ଦ୍ର ଲାଲ ମିତ୍ର ୧୮୬୮ ଡିସେମ୍ବର ୯ ତାରିଖରେ କଟକ ଡିବେଟିଂ କ୍ଲବ୍‌ରେ ଏକ ଆଲୋଚନାରେ ଭାଗ ନେଇ କହିଥିଲେ ଯେ ଉତ୍କଳରେ ଓଡ଼ିଆ ଭାଷା ଉଠାଯାଇ ବଙ୍ଗ ଭାଷା ପ୍ରଚଳନ କରାଯାଉ। ଅନ୍ୟଥା ଉତ୍କଳର ଉନ୍ନତି ଅସମ୍ଭବ। ଗୋଟିଏ ବର୍ଷ ପରେ ମିତ୍ରଙ୍କ ମତକୁ ଆଧାର କରି ବାଲେଶ୍ବର ସରକାରୀ ସ୍କୁଲର ପଣ୍ଡିତ କାନ୍ତିଚନ୍ଦ୍ର ଭଟ୍ଟାଚାର୍ଯ୍ୟଙ୍କ “ଉଡ଼ିୟା ସ୍ବତନ୍ତ୍ର ଭାଷା ନହେ’ ବହି ବାହାରିଲା। ବିଡ଼ମ୍ବନା ହେଲା କଟକ ସୋସାଇଟି ପକ୍ଷରୁ ଓଡ଼ିଆ ଭାଷାରେ ପ୍ରକାଶିତ ‘ଉତ୍କଳ ହିତୈଷିଣୀ’ ପତ୍ରିକା ମଧ୍ୟ ସେହି ମତକୁ ବଳିଷ୍ଠ କରିଥିଲା।

ଗତ ସପ୍ତାହରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ୍‌ର ଗୁଆଳିପଡ଼ା ଠାରେ ବିଜେପି ଦଳର ‘ଭୋକାଲ ଫର୍‌ ଲୋକାଲ’ କାର୍ଯ୍ୟକ୍ରମରେ ଜିଲ୍ଲା ପ୍ରଭାରୀ ଶ୍ରୀମତୀ ଲେଖ‌ାଶ୍ରୀ ସାମନ୍ତସିଂହାରଙ୍କ ଭାଷଣର ଉକ୍ତି ବହୁ ଲୋକଙ୍କୁ କ୍ଷୁବ୍‌ଧ ଓ ବ୍ୟଥିତ କରିଛି। ଦେଢ଼ଶହ ବର୍ଷ ତଳେ ଦୁଇ ଜଣ ବଙ୍ଗୀୟ ବ୍ୟକ୍ତିଙ୍କ ମୁହଁରୁ ଓଡ଼ିଆ ଭାଷା ବିରୋଧୀ କଥା ବାହାରିଥିଲା। ସେତେବେଳେ ‘ଉତ୍କଳ ଦୀପିକା’ ଓ ‘ସମ୍ବାଦ ବାହିକା’ ତାହାର ତୀବ୍ର ବିରୋଧ କରିଥିଲେ। ଓଡିଆ ଭାଷା ସୁରକ୍ଷା ଆନ୍ଦୋଳନ ତେଜିଥିଲା। ଏବେ ଜଣେ ଓଡ଼ିଆ ମହିଳାଙ୍କ ମୁହଁରୁ ଜାତିପ୍ରାଣକୁ ଘୋର ଆଘାତ ଦେବାଭଳି ବୟାନ ଆମେ ଶୁଣିଲୁ। ‘ପୁରୀ କ୍ୟା କଲକତା ମେଁ ହୈ?’ ‘ସମ୍ବିତ ଭାଇ ପୁରୀ ଲୋକସଭାରୁ ଛିଡ଼ା ହେବା ପରେ ବୋଧେ ଦେଶବାସୀ ଜାଣିଲେ ଯେ ପୁରୀ ଓଡ଼ିଶାରେ ବୋଲି, ନହେଲେ ଅଧା ଲୋକ ଭାବୁଥିଲେ ଯେ ପୁରୀ କଲିକତାରେ।’ ସୁତରାଂ, ପୁରୀ ଅପନ୍ତରା, ଦେଶବାସୀଙ୍କ ପାଇଁ ଅଜଣା। ସମ୍ବିତ ପାତ୍ର ବିଜେପି ଦଳର ପ୍ରାର୍ଥୀ ଭାବେ ପୁରୀ ଲୋକସଭା ଆସନରୁ ଗତ ସାଧାରଣ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ପରେ ଦେଶବାସୀ ପୁରୀ ଓଡ଼ିଶାରେ ବୋଲି ଜାଣିଲେ। ସେ ପୁରୀର ପରିଚୟ ପାଲଟିଲେ! ମଂଚରେ ରାଜ୍ୟ ସଭାପତି, ଜିଲ୍ଲା ସଭାପତି ଓ ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ମଧ୍ୟ ବସିଥିଲେ। ଯେମିତି ମଂଚର ଏହା ମିଳିତ ମତ ଥିଲା। ଏହା ଭିତରେ ୫ ଦିନ ବିତି ଗଲାଣି। ଦଳ ମୁହଁ ବନ୍ଦ କରି ବସିଛି।

ଉତ୍କଳମଣି ଗୋପବନ୍ଧୁଙ୍କ ପ୍ରେରଣାର ଉତ୍ସ ଥିଲେ ପଣ୍ଡିତ ହରିହର ଦାସ । ପଣ୍ଡିତ ଆପଣେ ବାଗ୍ମୀ, ବିଦ୍ବାନ, ସଂସ୍କାରକ, ବହୁ ଭାଷାବିତ୍ ଥିଲେ। ସେତେବେଳେ ପାଠ ପଢ଼ିବା ପାଇଁ ଚାଟଶାଳୀ ଛଡ଼ା ସ୍କୁଲ ନଥିଲା। ବହି, କାଗଜ, କଲମ ଚାଲୁ ନଥିଲା; ବାରଣ ଥିଲା। ଉତ୍କଟ ଦାରିଦ୍ର୍ୟ ଥିଲା। ଲୋକେ ଅପାଠୁଆ ରହିଲେ ଦୁର୍ଦଶା, ଦୁର୍ଗତି ଦୂର ହେବ ନାହିଁ; ଦେଶ ବା ଜାତି ଆଗେଇ ପାରିବ ନାହିଁ। ସେଥିପାଇଁ ପଣ୍ଡିତ ହରିହର ନୂଆ ସ୍କୁଲ ବସାଇବା ପାଇଁ ଉଦ୍ୟମ ଆରମ୍ଭ କଲେ। ଅର୍ଥ ଆବଶ୍ୟକ। ଅର୍ଥ ଯୋଗାଡ଼ କରିବା ପାଇଁ ସେ ଦେଶାଟନରେ ବାହାରିଲେ। ପହଞ୍ଚିଲେ ଉତ୍ତରପ୍ରଦେଶର ବଳରାମପୁର ରାଜ୍ୟରେ। ରାଜା ଦିଗ୍‌ବିଜୟ ସିଂହ ଜଣେ ଗୁଣୀ, ଜ୍ଞାନୀ ଓ ଦାନୀ ରାଜା ବୋଲି ସେ ଶୁଣିଥିଲେ। ରାଜାଙ୍କୁ ଭେଟିବା ପାଇଁ ପଣ୍ଡିତ ହରିହର ଚାହିଁଲେ। ରାଜା ପଣ୍ଡିତ ସଭାରେ ବସିଥିଲେ। ସାଙ୍ଗରେ ରାଣୀ ଇନ୍ଦ୍ରକୁମାରୀ ବି ଥିଲେ। ପଣ୍ଡିତଙ୍କୁ ଦେଖି ରାଜା ପଚାରିଲେ “କ୍ବ ପୁର୍ବଃ?” ପଣ୍ଡିତ ଉତ୍ତର ଦେଲେ “ପୁରୀ ପୁର୍ଣ୍ଣଃ।’’ ରାଜା ଆସନରୁ ଉଠି ଆସିଲେ। ପଣ୍ଡିତଙ୍କର ଆଦର ଅଭ୍ୟର୍ଥନା କଲେ। ପ୍ରଶ୍ନ ଥିଲା “ଆପଣଙ୍କ ବାସସ୍ଥାନ କେଉଁଠାରେ?” “ପୁରୀଧାମ ଆମର ବାସସ୍ଥାନ।” ଅଧିକ ପରିଚୟ ଲୋଡ଼ା ନାହିଁ। ପଣ୍ଡିତ ମହାଶୟ ପୁରୀଧାମରୁ ଆସିଛନ୍ତି। ଦିବ୍ୟଧାମ ଜଗନ୍ନାଥ ପୁରୀ। ପଣ୍ଡିତ ହରିହର ସଭାସୀନ ହେଲେ। ତାଙ୍କ ସହ ଶାସ୍ତ୍ରା‌ଲୋଚନା କରି ରାଜା ଅଭିଭୂତ ହେଲେ। ପଣ୍ଡିତଙ୍କ ଆସିବାର କାରଣ ଜାଣି ୫ ହଜାର ଟଙ୍କା ଦାନ କଲେ। ପଣ୍ଡିତ ହରିହର ପୁରୀ ଫେରିଆସି ଗୋଟିଏ ଭଡ଼ା ଘରେ ସ୍କୁଲ ଖୋଲିଲେ।

ସେତେବେଳେ ଅନ୍ୟ ରାଜ୍ୟକୁ ଯାଇ ପୁରୀଧାମରୁ ଆସିଛନ୍ତି ବୋଲି କହିଲେ ଲୋକେ ହାତ ଯୋଡୁଥିଲେ, ମାନ, ମର୍ଯ୍ୟାଦା କରୁଥିଲେ। ପୁରୀ କେଉଁଠି ପଚାରୁ ନଥିଲେ। କଲିକତା ସହର ବସିଲା ୧୬୮୬ ଖ୍ରୀଷ୍ଟାବ୍ଦରେ। କଲିକତା, ଗୋବିନ୍ଦପୁର ଓ ସୂତାନଟ ତିନିଟି ଗାଁକୁ ନେଇ ବିଲାତି ମାଟିର ନିଅଁ ଉପରେ ଗଢ଼ାହେଲା କଲିକତା ସହର। ପୁରୀ ହେଉଛି ପୌରାଣିକ ପୀଠ। ଉଡ୍ର, ଉତ୍କଳ, କଳିଙ୍ଗ, ଓଡ଼ିଶା ଭୂମିରେ, ମହୋଦଧି କୂଳରେ ନୀଳଗିରିକୁ ଘେରି କରି ରହିଛି ପୁରୀଧାମ- ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ନୀଳାଚଳ।

ଜଗତ ସରସେ ଭାରତ କମଳ
ତା ମଧ୍ୟ କେଶର ପୁଣ୍ୟ ନୀଳାଚଳ।

ପୁରୀକୁ ନଜାଣେ କିଏ? ପୁରୀରେ ଉଭା ଜଗନ୍ନାଥ। ଜଗନ୍ନାଥଙ୍କ ପାଇଁ ପୁରୀ ବିଖ୍ୟାତ। ଜଗନ୍ନାଥଙ୍କ ବିନା ଓଡ଼ିଶାର ଅସ୍ତିତ୍ବ ନାହିଁ। ପୁରୀ ଜଗନ୍ନାଥଙ୍କର ଆସ୍ଥାନ, ଓଡ଼ିଆ ଜାତିର ଆସ୍ଥାଭୂମି। ପୁରୀ ଓଡ଼ିଆର ପ୍ରାଣରେ, ଓଡ଼ିଆର ଶରୀରରେ; ପୁରୀ ଓଡ଼ିଆର, ପୁରୀ ଓଡ଼ିଶାର। ପୁରୀରେ କେଉଁ ନେତାର ପ୍ରୟୋଜନ ନାହିଁ।

ବିଶେ‌େଷ ଉତ୍କଳେ ନାହିଁ ପ୍ରୟୋଜନ
ଉତ୍କଳର ନେତା ନିଜେ ନାରାୟଣ।

ଏଠି ରାଜପଣ କରିଥିବା ରାଜା ବି ସେବକ ଭାବେ ନିଜକୁ ସମର୍ପଣ କରିଛି। ଏଠି ଗର୍ବ, ଅହଂକାର ଚୂରମାର ହୋଇଯାଏ। ଇନ୍ଦ୍ରଦ୍ୟୁମ୍ନ ଦେଉଳ ତୋଳି ମଧ୍ୟ ନିବଂଶ ହେବା ପାଇଁ ପ୍ରାର୍ଥନା କରିଥିଲେ। ନିଜ ବଂଶରେ ଆଉ କେହି ଦେଉଳ ତୋଳାର ଅହଂକାର କରିବା ପାଇଁ ନ ରହନ୍ତୁ। ଅନଙ୍ଗଭୀମ ମଣିମା ଠାକୁରଙ୍କର ରାଉତ ସେବକ ସାଜିଥିଲେ। କପିଳେନ୍ଦ୍ର, ପୁରୁଷୋତ୍ତମ ସମସ୍ତେ ଥିଲେ ସମର୍ପିତ।

ପୁରୀ ପୀଠକୁ ଆସିଥିଲେ ଶୈବ, ଶାକ୍ତ, ବୈଷ୍ଣବ; ଶଙ୍କର, ରାମାନୁଜ, ମାଧ୍ବାଚାର୍ଯ୍ୟ, ଚୈତନ୍ୟ। ଶିଖ, ଇସ୍‌ଲାମ; ନାନକ, କବିର, ସାଲବେଗ, ଯବନ ହରିହାସ। ବ୍ରାହ୍ମଣ ବିଦ୍ୟାପତି ଶବର କନ୍ୟା ଲଳିତାଙ୍କୁ ବିବାହ କରିଥିଲେ। ପୁରୀ ସବୁ ମତବାଦର ପୋଷକତା କରିଛି। ଭେଦଭାବର ବିଭ୍ରାନ୍ତି ନୁହେଁ, ମୈତ୍ରୀ ଧର୍ମ ସଂସ୍କୃତିର ପୁଣ୍ୟଧାମ ପୁରୀ। ସେଥିପାଇଁ ପୁରୀ ସୁପରିଚିତ ଓ ସୁବିଦିତ ।

ମହାନଦୀ ଧାରରୁ ମହୋଦଧି ତଟ ଓ ଚିଲିକା ତୀର ଯାଏ ପୁରୀ ଲୋକସଭା ନିର୍ବାଚନ ମଣ୍ଡଳୀର ବିସ୍ତାର। ସ୍ବାଧୀନତା ସଂଗ୍ରାମୀ ଲୋକନାଥ ମିଶ୍ର (ପଙ୍କବାବୁ), କମ୍ୟୁନିଷ୍ଟ ନେତା ଏବଂ ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ ରାଜ୍ୟପାଳ ଚିନ୍ତାମଣି ପାଣିଗ୍ରାହୀ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବିବୁଧେନ୍ଦ୍ର ମିଶ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ ଲୋକସଭା ବାଚସ୍ପତି ରବି ରାୟ, ପୂର୍ବତନ ପିସିସି ସଭାପତି ବନମାଳି ପଟ୍ଟନାୟକ, ଜନନେତା ପଦ୍ମଚରଣ ସାମନ୍ତସିଂହାର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜମୋହନ ମହାନ୍ତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ, ଆଇନଜ୍ଞ ପିନାକୀ ମିଶ୍ର ପ୍ରମୁଖ ବିଜେଡି, କଂଗ୍ରେସ, କମ୍ୟୁନିଷ୍ଟ ଓ ସୋସିଆଲିଷ୍ଟ ଦଳରୁ ପ୍ରାର୍ଥୀ ଭାବରେ ଜିତି ଲୋକସଭାରେ ପୁରୀର ପ୍ରତିନିଧିତ୍ବ କରିଛନ୍ତି। ଲୋକମାନଙ୍କର ସେବା କରିଛନ୍ତି। ପ୍ରତ୍ୟେକ ମଣିଷ ଆପଣାର ବ୍ୟକ୍ତିଗତ ଜୀବନ ବଂଚେ ଓ ଜାତୀୟ ଜୀବନରେ ଯୋଗଦାନ ଦିଏ। କଟକ, ଇଦ୍‌ଗା ପଡ଼ିଆରେ ୧୯୦୪ ମସିହା ଡିସେମ୍ବର ୨୮ ତାରିଖରେ ଉତ୍କଳ ସମ୍ମିଳନୀର ପ୍ରଥମ ଦିବସରେ ଉତ୍କଳଗୌରବ ମଧୁସୂଦନ ଦାସ ଉଦ୍‌ବୋଧନ ଦେଇ କହିଥିଲେ ଯେ ଯେବେ ଜାତୀୟ ଜୀବନର ଚିହ୍ନ ଆମ୍ଭମାନଙ୍କ ମଧ୍ୟରେ ଅଛି, ତେବେ ଆମ୍ଭେମାନେ ପ୍ରତ୍ୟେକେ ଯେକୌଣସି କାର୍ଯ୍ୟ କରୁ ସେତେବେଳେ ନିଜକୁ ସର୍ବପ୍ରଥମେ ଏହି ପ୍ରଶ୍ନଟି ପଚାରିବା ଆବଶ୍ୟକ “ମୋ କାର୍ଯ୍ୟ ଦ୍ବାରା (ବାକ୍ୟ ଦ୍ବାରା) ମୋ ଜାତିର ନିନ୍ଦା ହେବ କି ନାହିଁ?” ମୁଁ ମିଥ୍ୟାବାଦୀ ହେଲେ କିମ୍ବା ଖୋସାମଦ କଲେ ଏହି ନିନ୍ଦାରେ ମୋ ଜାତି ଭାଗୀ ହେବ, ଏହା ପ୍ରତ୍ୟେକ ବ୍ୟକ୍ତିର ବୁଝିବା ଆବଶ୍ୟକ।

ପୁରୀ ଏବଂ ପୁରୀବାସୀଙ୍କର ମାନହାନି କରିଥିବା ଏବଂ ଓଡ଼ିଶାବାସୀଙ୍କୁ ଗଭୀର ଭାବେ ମର୍ମାହତ କରିଥିବା ବ୍ୟକ୍ତିମାନେ ଏହା ହୃଦୟଙ୍ଗମ କରି ପ୍ରାୟଶ୍ଚିତ୍ତ କରନ୍ତୁ।

[email protected]

ସମ୍ବନ୍ଧିତ ଖବର