ପୁରୀ ମାନବ ସଭ୍ୟତାର ପରିଚୟ

ସତ୍ୟ ନାରାୟଣ ସାହୁ

ପବିତ୍ର ପୁରୀ ଧାମର ଐତିହ୍ୟ ଓ ତାହାର ଧାର୍ମିକ ଓ ଆଧୢାତ୍ମିକ ପର˚ପରା ଚିରନ୍ତନ। ଭଗବାନ ଜଗନ୍ନାଥଙ୍କ ଧାମ ଭାବେ ପ୍ରତିଷ୍ଠିତ ଏହା ପୃଥିବୀ ଇତିହାସ ଓ ଲୋକ ଧର୍ମର ଏକ ଅଭିନ୍ନ ଅଙ୍ଗ। କେବଳ ଓଡ଼ିଶାର ବା ଭାରତର ନୁହେଁ; ସମଗ୍ର ମାନବ ଜାତିର ଏକ ପରିଚୟ ଭାବେ ପୁରୀ ଯୁଗ ଯୁଗ ଧରି ରହି ଆସିଛି। ଏହି ପରିଚୟକୁ କେବେ ମଧୢ କୌଣସି ବ୍ୟକ୍ତି ବା ରାଜନୀତି ଦୃଷ୍ଟିକୋଣରୁ ଦେଖିବାର ଧୃଷ୍ଟତା କରି ନାହାନ୍ତି।

ମାନବ ଇତିହାସର ପୃଷ୍ଠାରେ ବିଭିନ୍ନ ସ˚ଦର୍ଭରେ ପୁରୀ ଓ ଭଗବାନ ଜଗନ୍ନାଥଙ୍କ ଉଲ୍ଲେଖ ରହିଛି ଓ ସେଥିରେ ଆମେ ଦେଖୁ ଯେ ଉଭୟ ପ୍ରାଚ୍ୟ ଓ ପାଶ୍ଚାତ୍ୟ ଇତିହାସରେ ଯୁଗ ଯୁଗ ଧରି ପୁରୀ କଥା କୁହାଯାଇଛି।

ମହାତ୍ମା ଗାନ୍ଧୀ ଦକ୍ଷିଣ ଆଫ୍ରିକାରେ ୯.୧୧.୧୯୦୬ରେ ତାଙ୍କର ପ୍ରଥମ ସତ୍ୟାଗ୍ରହ ଆରମ୍ଭ କରିବାର ପ୍ରାୟ ୩ ବର୍ଷ ପୂର୍ବରୁ ୨୦.୮.୧୯୦୩ରେ ‘ଇଣ୍ତିଆନ୍‌ ଓପିନିଅନ୍‌’ରେ ଲେଖିଥିଲେ ଯେ ଯେଉଁ ବ୍ରିଟିସ୍‌ ଭାରତୀୟମାନେ ସେହି ଦେଶରେ ନିଜକୁ ଭାରତୀୟ ଭାବେ ପରିଚୟ ନ ଦେଇ ନିଜକୁ ହିନ୍ଦୁ, ମୁସଲମାନ, ଖ୍ରୀଷ୍ଟିଆନ, ତାମିଲ, ତେଲୁଗୁ, ବଙ୍ଗାଳି, ବ୍ରାହ୍ମଣ, କ୍ଷତ୍ରିୟ ଓ ଅନ୍ୟ ଜାତିର ଲୋକ ଭା‌େବ ପରିଚୟ ଦେଉଥିଲେ, ସେମାନେ ଧର୍ମ ଓ ଜାତିର ଊର୍ଦ୍ଧ୍ବରେ ଥିବା ପୁରୀର ସ˚ସ୍କୃତି ଓ ଐତିହ୍ୟରୁ ପ୍ରେରଣା ନେଇ ନିଜକୁ ଭାରତୀୟ ଭାବେ ପରିଚିତ କରାନ୍ତୁ। ଗାନ୍ଧୀ ଲେଖିଥିଲେ ଯେ ସେମାନେ ସମସ୍ତେ ଦକ୍ଷିଣ ଆଫ୍ରିକାକୁ ଏକ ବୃହତ୍ତର ପୁରୀ ବୋଲି ଭାବନ୍ତୁ ଓ ଗ୍ରହଣ କରନ୍ତୁ; ନିଜକୁ ଭାଷା, ଧର୍ମ ଓ ଜାତିଠାରୁ ଉପରେ ରଖି ଭାରତୀୟତାର ପରିଚୟ ଦିଅନ୍ତୁ। ଶହେ ସତର ବର୍ଷ ତଳେ ମହାତ୍ମା ଗାନ୍ଧୀ ଭାରତୀୟ ପରିଚୟକୁ ବଜାୟ ରଖିବା ପାଇଁ ଧର୍ମ, ଜାତି ଓ ଭାଷାର ଊର୍ଦ୍ଧ୍ବରେ ରହିବା ସକାଶେ ଦକ୍ଷିଣ ଆଫ୍ରିକାରେ ସେହି ସମୟର ବ୍ରିଟିସ୍‌ ଭାରତୀୟଙ୍କ ପାଖରେ ପୁରୀର ଉଦାହରଣ ରଖିଥିଲେ। ଗାନ୍ଧୀଙ୍କର ଏହି ଲେଖାର ପ୍ରାସଙ୍ଗିକତା ଏଇ ଯୁଗ ପାଇଁ ମଧ୍ୟ ବେଶ ଅଧିକ। ଆଜିର ଏକବି˚ଶ ଶତାବ୍ଦୀର ଭାରତରେ ଧର୍ମ, ଜାତି ଓ ଭାଷା ଆଧାରରେ ଘୃଣା ଓ ଦ୍ବେଷର ପ୍ରଚାର କରାଯାଉଥିବା ବେଳେ ଆମେ ଆମର ଜାତୀୟତା ଓ ପରିଚୟକୁ ପୁନର୍ଜୀବିତ କରିବା ଲାଗି ପୁରୀର ଏତିହ୍ୟର ଅବଲମ୍ବନ କରିପାରିବା, ଯାହା ମହାତ୍ମା ଗାନ୍ଧୀଙ୍କୁ ୧୯୦୩ରେ ଅନୁପ୍ରାଣିତ କରିଥିଲା।

ତେବେ ଗାନ୍ଧୀଙ୍କର ବହୁ ବର୍ଷ ପୂର୍ବରୁ ପୁରୀକୁ ହିନ୍ଦୁ ଧର୍ମର ଚତୁର୍ଥ ଧାମ ମଧୢରୁ ଅନ୍ୟତମ ଭାବେ ସ୍ଥାପନ ଓ ଗ୍ରହଣ କରିଥିଲେ ମହାନ ମନୀଷୀ ଆଦି ଶଙ୍କର; ଯାହାଙ୍କର ବେଦାନ୍ତ ଉପରେ ବ୍ୟାଖ୍ୟା ଓ ଟିପ୍ପଣୀ ଯୁଗ ଯୁଗ ଧରି ମାନବ ସମାଜକୁ ନୂଆ ଦିଗ୍‌ଦର୍ଶନ ଦେଇ ଆସୁଛି। ସେ ନିଜେ ପୁରୀ ଆସିଥିଲେ ଓ ତାଙ୍କର ଭକ୍ତିପୂର୍ଣ୍ଣ ରଚନା ‘ଜଗନ୍ନାଥ ସ୍ବାମୀ ନୟନ ପଥ ଗାମୀ’ ଲୋକଧର୍ମର ଏକ ଅଭିନ୍ନ ଅଙ୍ଗ ପାଲଟି ଯାଇଛି, ଯାହା ପୁରୀର ପରିଚୟକୁ ଧର୍ମ ଓ ଆଧୢାତ୍ମିକତା ପରିପ୍ରେକ୍ଷୀରେ ପରିଭାଷିତ କରିଥାଏ।

ପବିତ୍ର ଶିଖ ଧର୍ମରେ ମଧୢ ପୁରୀର ସ୍ଥାନ ସ୍ବତନ୍ତ୍ର। କି˚ବଦନ୍ତି ଅନୁସାରେ ଶିଖ ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ପୁରୀ ଆସିଥିଲେ ଓ ପୁରୀର ସ୍ଥାନ ସେହି ଧର୍ମାବଲମ୍ବୀଙ୍କ ପାଇଁ ଅତି ସ୍ବତନ୍ତ୍ର।

ଏହି ପ୍ରକାରର ସର୍ବ ଧର୍ମର ସମନ୍ବୟ ସ୍ଥଳୀ ପୁରୀର ପରିଚୟକୁ ବଜାୟ ରଖିବା ପ୍ରତ୍ୟେକ ଭାରତୀୟଙ୍କର କର୍ତ୍ତବ୍ୟ। ଏହି ବୃହତ୍ତର ପରିଚୟ ଯାହା ପୁରୀର ଐତିହ୍ୟକୁ ଉଜ୍ଜୀବିତ କରିଛି; ତାକୁ ମଧ୍ୟ ସମୟ ସମୟରେ ନାନା ପ୍ରକାରର ଆହ୍ବାନର ସମ୍ମୁଖୀନ କରିବାକୁ ବାଧ୍ୟ କରିଛି। ସେହି ପରିଚୟକୁ ରକ୍ଷା କରିବା ପାଇଁ ସାଧାରଣ ଲୋକେ ମଧୢ ବିପ୍ଳବ କରିଛନ୍ତି।

ଓଡ଼ିଶା ଯେତେବେଳେ ମରାଠା ଶାସନର ଶିକାର ହେଲା ଓ ମରାଠୀ ଶାସକମାନେ ହିନ୍ଦୁ ଧର୍ମାବଲମ୍ବୀ ହୋଇଥିଲେ ସୁଦ୍ଧା ପୁରୀରେ ତୀର୍ଥଯାତ୍ରୀ ଟିକସ ଧାର୍ଯ୍ୟ କଲେ, ସେତିକି ବେଳେ ତାର ବିରୋଧରେ ସ୍ବର ଉତ୍ତୋଳନ କରାଯାଇଥିଲା। ବ୍ରିଟିସ୍‌ ଶାସନ ସମୟରେ ମଧୢ ସେହି ତୀର୍ଥଯାତ୍ରୀ କରକୁ ପ୍ରତ୍ୟାହାର କରି ନିଆ ନ ଯିବାରୁ ତାର ବିରୋଧରେ ଲୋକଙ୍କ ପ୍ରତିକ୍ରିୟା ତୀବ୍ରରୁ ତୀବ୍ରତର ହୋଇଥିଲା ଓ ପାଇକ ବିଦ୍ରୋହର ଏକ ପ୍ରଧାନ କାରଣ ହୋଇଥିଲା। ସେହି ସମୟରୁ ବ୍ରିଟିସ ସରକାରଙ୍କର ବିଭିନ୍ନ ରିପୋର୍ଟରେ ଦର୍ଶାଯାଇଛି ଯେ ଲୁଣ ମାରିବା ଉପରେ ପ୍ରତିବନ୍ଧ ଓ କଉଡ଼ି ବଦଳରେ ତାମ୍ର ମୁଦ୍ରା ପ୍ରଚଳନ ସାଙ୍ଗରେ ପୁରୀ ଜଗନ୍ନାଥ ମନ୍ଦିର ପାଇଁ ତୀର୍ଥଯାତ୍ରୀ କରକୁ ଲାଗୁ କରିଥିବାରୁ ପାଇକ ବିଦ୍ରୋହ ହୋଇଥିଲା। ସୁତରାଂ, ପୁରୀର ମର୍ଯ୍ୟାଦାକୁ ରକ୍ଷା କରିବା ଲାଗି ତଥା ମହାପ୍ରଭୁ ଜଗନ୍ନାଥଙ୍କୁ ରାଜନୈତିକ ଓ ଆର୍ଥିକ ଦୃଷ୍ଟିକୋଣରୁ ବ୍ୟବହାର କରାଯିବାର ଉଦ୍ୟମକୁ ବିରୋଧ ଏହା ଥିଲା ଜନସମାଜର ପ୍ରତିବାଦ।

ତେଣୁ ଏକବି˚ଶ ଶତାବ୍ଦୀରେ ଯେଉଁମାନେ ପୁରୀର ପରିଚୟକୁ ରାଜନୈତିକ ଦୃଷ୍ଟିକୋଣରୁ ବିକୃତ କରିବାକୁ ଚେଷ୍ଟା କରୁଛନ୍ତି, ସେମାନେ ଭଗବାନ ଜଗନ୍ନାଥଙ୍କର ଐତିହ୍ୟ, ଧାର୍ମିକ ଓ ଆଧୢାତ୍ମିକ ପର˚ପରା ଉପରେ କୁଠାରାଘାତ କରୁଛନ୍ତି। ପାଶ୍ଚାତ୍ୟ ଇତିହାସ ଓ ମାନବ ଇତିହାସର ମହାନ ଦାର୍ଶନିକ କାର୍ଲ ମାର୍କ୍ସ ତାଙ୍କର ଲେଖା ‘ଭାରତରେ ବ୍ରିଟିସ୍‌ ଶାସନର ଭବିଷ୍ୟତ ପରିଣତି’ରେ (୨୨ ଜୁଲାଇ ୧୮୫୩) ଜଗନ୍ନାଥ ମନ୍ଦିରକୁ ‘Temple of Juggernaut’ ଭାବେ ଲେଖିଥିଲେ ଓ ଅନ୍ୟ ଏକ ସ˚ଦର୍ଭରେ ଦର୍ଶାଇଥିଲେ ଯେ ସେହି ସମୟର ବ୍ରିଟିସ୍‌ ସରକାର ସେହି ମନ୍ଦିରର ଅନେକ ସମସ୍ୟାକୁ ଅଣଦେଖା କରିବାର କାରଣ ଥିଲା ସେହି ମନ୍ଦିରରୁ ସରକାରୀ କଳ ଅନେକ ଆର୍ଥିକ ସୁବିଧା ପାଉଥିଲେ।

କାର୍ଲ ମାର୍କ୍ସଙ୍କ ଲେଖା ଏଠାରେ ଉଦ୍ଧୃତ କରିବାର ତାତ୍ପର୍ଯ୍ୟ ଏହା ଯେ ୧୮୫୩ରେ ପାଶ୍ଚାତ୍ୟରେ ମଧୢ ପୁରୀ ଓ ଜଗନ୍ନାଥଙ୍କୁ ନେଇ ବ୍ରିଟିସ୍‌ ସରକାର ଯେଉଁ ନୀତି ଆପଣାଇଥିଲେ ତାକୁ ଏକ ଆର୍ଥିକ ଆଭିମୁଖ୍ୟ ବୋଲି ବିଚାର କରାଯାଇଥିଲା ଓ ତାକୁ ମହାନ ଦାର୍ଶନିକ କାର୍ଲ ମାର୍କ୍ସ ମଧୢ ସମାଲୋଚନା କରିଥିଲେ। ମାର୍କ୍ସ ଜଗନ୍ନାଥ ମନ୍ଦିର ସମସ୍ୟା ଉପରେ ଜାଣିବାକୁ ପାଇଥିଲେ ବ୍ରିଟିସ୍‌ ପାର୍ଲାମେଣ୍ଟର କମିଟି ରିପୋର୍ଟ ମାନଙ୍କରୁ।

ଯେତେବେଳେ ୧୯୩୦ ଦଶକରେ ଓଡ଼ିଶାରେ ଭୀଷଣ ବନ୍ୟା ହେଲା ଓ ବହୁ ଜୀବନ ଓ ସ˚ପତ୍ତିର କ୍ଷୟକ୍ଷତି ହେଲା, ମହାତ୍ମା ଗାନ୍ଧୀ ଏକ ଲେଖା ଲେଖିଥିଲେ ଓ କହିଥିଲେ ଯେ ଭାରତର ଅନେକ ଲୋକ ହୁଏତ ଜାଣିନଥିଲେ ଯେ ଓଡ଼ିଶା କେଉଁଠି ଅବସ୍ଥିତ; କିନ୍ତୁ ଜାଣିଥିଲେ ଯେ ତାହା ହେଉଛି ଭଗବାନ ଜଗନ୍ନାଥଙ୍କର ପୀଠ।

ଆଧୁନିକ ଓଡ଼ିଆ ସାହିତ୍ୟର ପୁରୋଧା ଫକୀର ମୋହନ ସେନାପତି ତାଙ୍କର ପ୍ରସିଦ୍ଧ ‘ଲଛମା’ ଉପନ୍ୟାସରେ ଭାରତରେ ପଶ୍ଚିମାଞ୍ଚଳରୁ ପୁରୀକୁ ଚାଲିଚାଲି ଆସୁଥିବା ତୀର୍ଥଯାତ୍ରୀଙ୍କ ବିଷୟରେ ଆଲୋକପାତ କରିଥିଲେ। ଏଥିରୁ ଦର୍ଶାଯାଉଛି ଯେ ସେହି ଯୁଗରେ ଯେତେବେଳେ ଯୋଗାଯୋଗର ବିଶେଷ ସୁବିଧା ନ ଥିଲା, ଭାରତର ସୁଦୂର ପ୍ରାନ୍ତରୁ ବହୁ ଲୋକ ପୁରୀର ଧର୍ମ ଓ ଆଧ୍ୟାତ୍ମିକ ପରମ୍ପରା ବିଷୟରେ ଅବଗତ ଥିଲେ ଓ ତାହା ଦ୍ବାରା ଆକୃଷ୍ଟ ହୋଇ ପୁରୀକୁ ପାଦରେ ଚାଲିଚାଲି ଆସିବା ଭଳି କଷ୍ଟ ସ୍ବୀକାର କରୁଥିଲେ। ଏହା ପ୍ରତିପାଦିତ କରୁଛି ଯେ ଭାରତର ଜନମାନସରେ ପୁରୀର ପ୍ରାଧାନ୍ୟ ସବୁବେଳେ ରହିଥିଲା, ରହିଆସିଛି ଓ ତାହାକୁ ବ୍ୟକ୍ତି ବା ରାଜନୈତିକ ଦୃଷ୍ଟିକୋଣରୁ ଦେଖିବା ଏକ ଧୃଷ୍ଟତାର ପରିଚୟ ହେବ।

ବିଶ୍ବ ଇତିହାସରେ ଯେଉଁଭଳି ଭାବେ ପୁରୀକୁ ଭାରତୀୟତାର ପରିଚୟ ରୂପେ ଗାନ୍ଧୀ ୧୯୦୩ରେ ଏକ ଉଦାହରଣ ରୂପେ ଉପସ୍ଥାପନ କରିଥିଲେ, ତାହା ଆମକୁ ପୁରୀର ପରିଚୟକୁ ଏକ ବୃହତ୍‌ ଦୃଷ୍ଟିକୋଣରୁ ବୁଝିବାକୁ ସକ୍ଷମ କରୁଛି। ଏହି ପରିଚୟକୁ କୌଣସି ରାଜନୈତିକ ଓ ସ˚କୀର୍ଣ୍ଣ ଦୃଷ୍ଟିରୁ ଦେଖିଲେ ଶଙ୍କରାଚାର୍ଯ୍ୟ, ଗୁରୁ ନାନକ ଓ ମହାତ୍ମା ଗାନ୍ଧୀ ଏବଂ ସର୍ବୋପରି ଭଗବାନ ଜଗନ୍ନାଥଙ୍କ ପ୍ରତି ଘୋର ଅପମାନ ହେବ। ଆମେମାନେ ଓଡ଼ିଆ ଓ ଭାରତୀୟ ଭାବେ ଏହି ସ˚କୀର୍ଣ୍ଣ ମନୋବୃତ୍ତିରୁ ଦୂରେଇ ରହିବା ଅପରିହାର୍ଯ୍ୟ। ନବୀନ ପଟ୍ଟନାୟକ ସରକାରଙ୍କର ଚେଷ୍ଟା ପୁରୀକୁ ବିଶ୍ବ ଐତିହ୍ୟ ସ୍ଥଳ କରିବା ପାଇଁ। ତହିଁରେ କୌଣସି ବାଧା ଯେପରି ସୃଷ୍ଟି ନ ହୁଏ, ତାହା ଦେଖିବା ସମସ୍ତଙ୍କ ନୀତିଗତ ଦାୟିତ୍ବ।

(ଲେଖକ ଭାରତର ରାଷ୍ଟ୍ରପତି ସ୍ବର୍ଗତ କେ. ଆର୍. ନାରାୟଣନଙ୍କର ପୂର୍ବତନ ପ୍ରେସ୍ ସଚିବ)

ମୋ- ୯୮୭୧୮୯୪୫୩୪

ସମ୍ବନ୍ଧିତ ଖବର