ନିଶାମୁକ୍ତ ଗାଁରୁ ନିଶାମୁକ୍ତ ଦେଶ

ପଦ୍ମଚରଣ ନାୟକ

ବିହାର ନିର୍ବାଚନ ଫଳ ନ ବାହାରୁଣୁ, ଭାରତବର୍ଷର ସର୍ବାଧିକ ସ˚ଖ୍ୟାରେ ପ୍ରକାଶିତ ସମ୍ବାଦପତ୍ର ‘ଟାଇମ୍‌ସ ଅଫ୍‌ ଇଣ୍ତିଆ’ର ୧୦.୧୧.୨୦୨୦ ତାରିଖ ସମ୍ପାଦକୀୟରେ, ‘ବିହାରର ନିଶା ନିବାରଣ ଏକ ବ୍ୟର୍ଥ ଉଦ୍ୟମ ଓ ତାକୁ ଅଳିଆ ଗଦାକୁ ଫିଙ୍ଗି ଦିଆଯାଉ’ ବୋଲି ଘୋଷଣା କରାଗଲା।

ସେଥିରେ ପ୍ରଥମ ଯୁକ୍ତିଟି ହେଲା ‘ଗତ ନିର୍ବାଚନ କାଳରେ ୨୫ କୋଟି ଟଙ୍କାର ମଦ ଧରା ହୋଇଥିଲା। ୨୦୧୫ ଓ ୨୦୧୯ ନିର୍ବାଚନ କାଳରେ ଯେତେ ମଦ ଧରାଯାଇଥିଲା, ଅବକାରୀ କର୍ମଚାରୀମାନେ ଏଥର ତା’ଠାରୁ ଅଧିକ ମଦ ନିର୍ବାଚନ କାଳରେ ଧରିଛନ୍ତି। ଏଇଥିରୁ ନିଶା ନିବାରଣର ବ୍ୟର୍ଥତା ପରିସ୍ଫୁଟ ହୋଇଯାଉଛି ବୋଲି କୁହାଯାଇଛି। ନିଶା ନିବାରଣ ପାଇଁ ଅତୀତରେ ଅନେକଥର ଉଦ୍ୟମ ହୋଇଛି ଏବ˚ ପ୍ରତ୍ୟେକ ଥର ତାହା ବ୍ୟର୍ଥ ହୋଇଛି। ବହୁ ଦିନ ଧରି ନିଶା ନିବାରଣ ଚାଲୁ ରହିଲେ ଚୋରା ମଦ ତ ବ୍ୟାପକ ଭାବରେ ଚାଲେ ଓ ଦୁର୍ନୀତି ବଢ଼ିଚାଲେ ଏବ˚ ରାଜ୍ୟ ପ୍ରଚୁର ରାଜସ୍ବ ହରାନ୍ତି ଆଉ ସମାଜର ଗରିବମାନେ ବିଷାକ୍ତ ମଦ ଖାଇ ମରନ୍ତି ଏବ˚ ଜେଲ୍‌ରେ ଶଢ଼ନ୍ତି।

ସେଥିରେ ଉଲ୍ଲେଖ ଅଛି ଯେ, ପୂର୍ବରୁ ନିଶା ନିବାରଣ କାଳରେ ପ୍ରାୟ ୨ ଲକ୍ଷ ୯୦ ହଜାର ଲୋକ ଜାମିନ ଯୋଗାଡ଼ ନ କରିପାରି ଜେଲ୍‌ରେ ଥିଲେ। ଇତିମଧ୍ୟରେ ଆଉ ୪୦ ହଜାର ଗରିବ ଲୋକଙ୍କୁ ଏଇଥି ଲାଗି ଜେଲ୍‌କୁ ପଠାଯାଇଛି। ଏହା ଫଳରେ ଏକ ବିରାଟ ସ˚ଖ୍ୟକ ଗରିବ ପରିବାରଙ୍କ ଦାରିଦ୍ର୍ୟ ବଢ଼ିଛି। ପରିଶେଷରେ ତହିଁରେ କୁହାଯାଇଛି ଯେ ନିଶା ନିବାରଣ ଉଦ୍ୟମ ବାରମ୍ବାର ବ୍ୟର୍ଥ ହେଉଥିବାରୁ ସବୁ ରାଜ୍ୟ ସରକାର ଦୁର୍ନୀତି ଓ ଦାରିଦ୍ର୍ୟ ବୃଦ୍ଧିକାରୀ ଏଭଳି ଉଦ୍ୟମକୁ ପରିତ୍ୟାଗ କରିବା ଉଚିତ।

କିନ୍ତୁ ସୁଖର ବିଷୟ ୨୦୧୫ ନିର୍ବାଚନ କାଳରେ ଯେଉଁ ମହିଳାମାନଙ୍କର ଆଗ୍ରହକୁ ସ୍ବୀକାର କରି ନୀତୀଶ କୁମାର ନିଶା ନିବାରଣ ଲାଗୁ କରିଥିଲେ, ଏଥର ନିର୍ବାଚନରେ ସେହି ମହିଳାମାନଙ୍କ ସମର୍ଥନ ଏନ୍‌.ଡି.ଏ.ର ବିଜୟର ଅନ୍ୟତମ କାରଣ ବୋଲି ସ୍ବୀକାର କରାଯାଉଛି। ଉଲ୍ଲେଖନୀୟ ଯେ, ଆନ୍ଧ୍ରରେ ଅତୀତରେ ଏକାଧିକ ସରକାର ନିଶା ନିବାରଣ କାର୍ଯ୍ୟକାରୀ କରିଛନ୍ତି ଏବ˚ ପରବର୍ତ୍ତୀ ସରକାର ଆସି ତାହାକୁ ହଟାଇ ଦେଇଛନ୍ତି। ଏ ସବୁ ଅଭିଜ୍ଞତା ସତ୍ତ୍ବେ ୱାଇ.ଏସ୍‌. ଜଗନ ମୋହନ ରେଡି ତାଙ୍କ କାର୍ଯ୍ୟକାଳ ମଧ୍ୟରେ ସମ୍ପୂର୍ଣ୍ଣ ନିଶା ନିବାରଣ କାର୍ଯ୍ୟକାରୀ କରିବାକୁ ପୁଣି ସ˚କଳ୍ପ ନେଇଛନ୍ତି। ଗତ ନିର୍ବାଚନ ପୂର୍ବରୁ ସେ କରିଥିବା ପଦଯାତ୍ରା କାଳରେ ଆନ୍ଧ୍ରର ମହିଳାମାନଙ୍କର ନିଶା ନିବାରଣ ଲାଗି ଆଗ୍ରହ ଲକ୍ଷ୍ୟ କରି ଏଭଳି ଘୋଷଣା କରିଛନ୍ତି।

ସ୍ବାଧୀନତା ପାଇବା ପର ଠାରୁ ବିଭିନ୍ନ ରାଜ୍ୟ ସରକାର ନିଶା ନିବାରଣ କାର୍ଯ୍ୟକାରୀ କରିବାକୁ ଉଦ୍ୟମ କରି ଅସଫଳ ହେବାର ବଡ଼ କାରଣ, ନିଶା ପ୍ରଚଳନ ଥିବା ରାଜ୍ୟରୁ ନିଶା ନିବାରଣ ହୋଇଥିବା ରାଜ୍ୟକୁ ଚୋରା ମଦ ପଠାଇବା କାରବାର। ଏହା ଏଭଳି ଲାଭଦାୟକ ଯେ ନାନା ଆଇନ ଓ ଜେଲ୍‌ ଜୋରିମାନା ସତ୍ତ୍ବେ ବହୁ ଲୋକ ଏଭଳି ବିପଜ୍ଜନକ କାର୍ଯ୍ୟ କରିଥାନ୍ତି। ସୁତରାଂ, ସମଗ୍ର ଦେଶରେ ନିଶା ନିବାରଣ କାର୍ଯ୍ୟକାରୀ ହେଲେ ହିଁ ଏହି ମହାନ ଲକ୍ଷ୍ୟ ସଫଳ ହେବ। ତେବେ, ଅନ୍ୟମାନଙ୍କୁ ଅପେକ୍ଷା ନ କରି ବିହାର ଭଳି ଦରିଦ୍ର ରାଜ୍ୟ, ଅବକାରୀ ରାଜସ୍ବକୁ ଉପେକ୍ଷା କରି ନିଶା ନିବାରଣ ଲାଗି ଆଗଭର ହେବା ନୀତୀଶ କୁମାରଙ୍କର ଲୋକାଭିମୁଖୀ ନୀତିର ପରିଚୟ ଦିଏ।

ନବକୃଷ୍ଣ ଚୌଧୁରୀ ୧୯୫୦ ମସିହାରେ ମୁଖ୍ୟମନ୍ତ୍ରୀ ହୋଇ ଆସିବା ପରେ ୧୯୫୧ ମସିହାରେ ବଜେଟ୍‌ ଅଧିବେଶନ ଭାଷଣରେ କହିବା ଭିତରେ ନିଶା ନିବାରଣ କଥା ଉଲ୍ଲେଖ କରିଥିଲେ। କାରଣ ସ୍ବାଧୀନତା ସ˚ଗ୍ରାମ କାଳରେ ତାହା ଥିଲା କ˚ଗ୍ରେସ ଦଳର ଏକ ମୁଖ୍ୟ କାର୍ଯ୍ୟକ୍ରମ। କିନ୍ତୁ ହଠାତ୍‌ ନିଶା ନିବାରଣ ଲାଗୁ କରିବା ଦିଗରେ ନାନା ପ୍ରତିବନ୍ଧ ଥିବା ଦର୍ଶାଇବା ସଙ୍ଗେ ସଙ୍ଗେ ଧୀରେ ଧୀରେ ସରକାରୀ ଭାବରେ ନିଶା ଆୟ କମାଇବା ଲାଗି ସେ ବ୍ୟବସ୍ଥା କରିଥିଲେ। ୧୯୫୬ ମସିହାରେ ନିଶା ନିବାରଣ ଆଇନ ପାସ୍‌ କରିବା ବେଳକୁ ସରକାରଙ୍କର ଅବକାରୀ ଆୟ ଉପରେ ବିଶେଷ ନିର୍ଭର ନଥିଲା। ସେତେବେଳକୁ ଗଂଜେଇ ଓ ଅଫିମ ନିଲାମରୁ ସରକାର ଯାହା କିଛି ଆୟ କରୁଥିଲେ। ବିଦେଶୀ ମଦ କେବଳ ଜିଲ୍ଲା ମହାକୁମାରେ ବିକ୍ରି ହେଉଥିଲା ଏବ˚ ଅନ୍ୟତ୍ର ନଗଣ୍ୟ ସ˚ଖ୍ୟାରେ ଦେଶୀ ମଦ ଦୋକାନ ଥିଲା। ୧୯୫୬ ମସିହାରେ ସେ ମୁଖ୍ୟମନ୍ତ୍ରିତ୍ବରୁ ଇସ୍ତଫା ଦେବାର କିଛି ମାସ ପୂର୍ବରୁ ନିଶା ନିବାରଣ ଆଇନ ସର୍ବସମ୍ମତିକ୍ରମେ ବିଧାନସଭାରେ ପାରିତ ହୋଇଥିଲା। ତାଙ୍କ ପରେ ହରେକୃଷ୍ଣ ମହତାବଙ୍କ ମୁଖ୍ୟମନ୍ତ୍ରିତ୍ବ କାଳରେ ନିଶା ନିବାରଣ ଆଇନ ସମେତ ନବକୃଷ୍ଣ ଚୌଧୁରୀଙ୍କ ଅମଳର ବହୁ ଆଇନକୁ ଅଚଳ କରିଦିଆଗଲା। ଏହା କରିବା ଲାଗି, ନିଶା ନିବାରଣର କାର୍ଯ୍ୟକାରିତା ସମ୍ପର୍କରେ ପ୍ରାଣକୃଷ୍ଣ ପରିଜାଙ୍କ ଅଧ୍ୟକ୍ଷତାରେ ଏକ କମିଟି ବସାଗଲା। ପଡ଼ୋଶୀ ରାଜ୍ୟରୁ ମଦ ଆସିବାକୁ ରୋକିବା ଅସମ୍ଭବ ବୋଲି ମତ ଦେବା ସଙ୍ଗେ ସଙ୍ଗେ ସମଗ୍ର ଦେଶରେ ଏଭଳି ଆଇନ କାର୍ଯ୍ୟକାରୀ ହେଲେ ଏହା ସମ୍ଭବପର ବୋଲି ସେ ମତ ଦେଇଥିଲେ। ଏହାର ୬୪ ବର୍ଷ ପରେ ମଧ୍ୟ ବିଭିନ୍ନ ରାଜ୍ୟରେ ନିଶା ନିବାରଣ ଏହି କାରଣରୁ ବ୍ୟର୍ଥ ହୋଇଛି। ନିଶା ନିବାରଣ ଲାଗି ଏପର୍ଯ୍ୟନ୍ତ ସର୍ବଭାରତୀୟ ଆନ୍ଦୋଳନ ହୋଇନାହିଁ। (ତେବେ ତାକୁ ଲକ୍ଷ୍ୟ ରଖି ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ ୨୦୨୦ ମସିହା ଫେବ୍ରୁଆରି ୧୬-୧୭ରେ ଦିଲ୍ଲୀଠାରେ ନିଶାମୁକ୍ତ ଭାରତ ସମ୍ମିଳନୀ ଆୟୋଜନ କରିଥିଲା।) ଇତିମଧ୍ୟରେ ଗାନ୍ଧୀଜୀଙ୍କ ୧୫୦ ବର୍ଷ ଜୟନ୍ତୀ ଦୁଇ ବର୍ଷ ଧରି ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ର ସରକାର ଏକାଧିକ ବାର ବୈଠକ ଡାକିଛନ୍ତି ଓ ଶେଷ ବେଳକୁ ବିଭିନ୍ନ ରାଜ୍ୟକୁ ନିଶା ନିବାରଣ ସଚେତନତା ଲାଗି କିଛି ଅର୍ଥ ପ୍ରଦାନ କରି କର୍ତ୍ତବ୍ୟ ଶେଷ କରିଛନ୍ତି। ଗାନ୍ଧୀ କହୁଥିଲେ ଯେ ଯେଉଁ ନିଶା ଯୋଗୁ ଗରିବ ଲୋକମାନେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେଉଛନ୍ତି ସ୍ବାଧୀନତା ପ୍ରାପ୍ତିର ୨୪ ଘଣ୍ଟା ମଧ୍ୟରେ ତାହାର ନିବାରଣ କାର୍ଯ୍ୟକାରୀ ହେବା ଉଚିତ। କିନ୍ତୁ ତାକୁ ସଂପୂର୍ଣ୍ଣ ଅଣଦେଖା କରି ଦିଆଗଲା।

ଓଡ଼ିଶା ସମେତ ସମଗ୍ର ଦେଶରେ ଦୁଷ୍କର୍ମ ଓ ହତ୍ୟା ଭଳି ଜଘନ୍ୟ କାର୍ଯ୍ୟ ପ୍ରାୟ ଦୈନନ୍ଦିନର ଖବର ହୋଇଯାଇଛି।

ନିଶା ସବୁ ଯୁଗରେ ଊଣା ଅଧିକ ଥିଲେ ବି ଏହାକୁ ପ୍ରତ୍ୟେକ ଧର୍ମ ବର୍ଜନୀୟ ଭାବରେ ଦର୍ଶାଇଛନ୍ତି ଏବ˚ ନିଶାର ପ୍ରାବଲ୍ୟରେ ବହୁ ପ୍ରତିଭା ଠାରୁ ଆରମ୍ଭ କରି ବହୁ ସଭ୍ୟତା ଉଜୁଡ଼ିଛି। ଗାନ୍ଧୀଜୀ ନିଶାକୁ ଗଣିକା ବୃତ୍ତି ଠାରୁ ଘୃଣ୍ୟ ବୋଲି କହୁଥିଲେ। କାରଣ ନିଶାଗ୍ରସ୍ତ ବ୍ୟକ୍ତି ବିଚାର ଶକ୍ତି ହରାଇ ସବୁ ପ୍ରକାର ପାପରେ ନିଜକୁ ହଜାଇ ଦେଇଥାଏ।

ସେଇଥିପାଇଁ ନାନା ଅସଫଳତା ସତ୍ତ୍ବେ ସ୍ବାଧୀନତା ପ୍ରାପ୍ତି ପରେ ବିଭିନ୍ନ ସମୟରେ ଦେଶର ବିଭିନ୍ନ ଅଞ୍ଚଳରେ ନିଶାମୁକ୍ତ ଗାଁ, ନିଶାମୁକ୍ତ ଅଞ୍ଚଳ, ନିଶାମୁକ୍ତ ରାଜ୍ୟ ପାଇଁ ଉଦ୍ୟମ ହୋଇଛି ଓ ସାମୟିକ ଭାବରେ ସଫଳ ହୋଇଛି। କିନ୍ତୁ ଗାଁଟିର ଚୌଦିଗରେ ନିଶାଦ୍ରବ୍ୟ ମିଳୁଥିବାରୁ ତାକୁ ବହୁ କାଳ ନିଶାମୁକ୍ତ କରି ରଖିବା ଦିଗରେ ସଫଳତା ମିଳିନାହିଁ।

ସେହି ଦୃଷ୍ଟିରୁ କୁହାଯାଇପାରେ ଯେ ଗାଁରୁ ଦେଶ ଯାଏ ନିଶା ନିବାରଣ କରାଯାଇ ପାରିଲେ ଏକ ନିଶାମୁକ୍ତ ନାଗରିକ ସମାଜ ସମ୍ଭବ ହେବ।

(ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ଅବସରରେ)

ସଭାପତି,
ମିଳିତ ଓଡ଼ିଶା ନିଶା ନିବାରଣ ଅଭିଯାନ
ମୋ: ୯୯୩୮୮୯୦୪୪୫

ସମ୍ବନ୍ଧିତ ଖବର