ନିର୍ବାଚନ, ରାଜନୀତି ଓ ରାଜନୀତି ବିଜ୍ଞାନ

ଅଭିରାମ ବିଶ୍ବାଳ

ଗଣତନ୍ତ୍ରର ଅନ୍ୟତମ ମହତ୍ତ୍ବପୂର୍ଣ୍ଣ, ପ୍ରଭାବଶାଳୀ ଓ ଜୈବିକ ମହୋତ୍ସବ ନିର୍ବାଚନ ବାଟେ ଅନେକ ସମୟରେ ଗଣତନ୍ତ୍ରର ବହୁ ଅର୍ଥ ବହନକାରୀ ଝଲକ ଦର୍ଶନ କରିହୁଏ ଏବ˚ ଏପରିକି ସେଇ ନିର୍ବାଚନ ପ୍ରକ୍ରିୟାରେ ବେଳେବେଳେ ରାଜନୀତି ଠାରୁ କିଛି ଭୋଟ୍‌ରେ ହାରି ଯାଇଥାଏ ରାଜନୀତି ବିଜ୍ଞାନ। ଏଇ ଯେମିତି ଏଥରକର ବିହାର ବିଧାନସଭାର ନିର୍ବାଚନୀ ଫଳାଫଳ ବାବଦରେ ବୁଥ୍‌ ବାହୁଡ଼ା ମତ ଆଧାରିତ ଆକଳନ ଓ ଭବିଷ୍ୟବାଣୀ (ଏକ୍‌ଜିଟ୍‌ ପୋଲ୍‌) ମେଳ ଖାଇଲାନି ଅବିକଳ ମତଦାନ ଗଣତି ଫଳ (ଏକଜାକ୍‌ଟ୍‌ ପୋଲ୍‌) ସହ। ଜାତୀୟ ଗଣତାନ୍ତ୍ରିକ ମେଣ୍ଟ ବା ଏନ୍‌.ଡି.ଏ ୧୨୫ଟି ଆସନ ପାଇ ଆଗରେ ରହିଲା; ଆଉ ୧୧୦ଟି ଆସନ ଲାଭ କରି ମହାଗଠବନ୍ଧନ ସାମାନ୍ୟ ପଛରେ ରହିଗଲା। ଅବଶ୍ୟ ପ୍ରାରମ୍ଭିକ ପର୍ଯ୍ୟାୟର ମତାମତ ସର୍ବେକ୍ଷଣ (ଓପିନିଅନ୍‌ ପୋଲ୍‌) ସମୟରେ କୁହାଯାଉଥିଲା- କିଛିଟା ଆଗରେ ରହିପାରେ ଏନ୍‌.ଡି.ଏ। ଜନତା ଜନାର୍ଦ୍ଦନ ନିଜ ନିଜର ମତଦାନ ସମ୍ପର୍କିତ ପସନ୍ଦ ନିର୍ବାଚନ ପ୍ରକ୍ରିୟାର ବିଭିନ୍ନ ପର୍ଯ୍ୟାୟରେ ଚୂଡ଼ାନ୍ତ କରିଥାନ୍ତି। ପୁଣି ସେମାନେ ପବିତ୍ର ଓ ଗୋପନୀୟ ନିଷ୍ପତ୍ତି ସମ୍ବନ୍ଧରେ ସମସ୍ତଙ୍କୁ ସବୁକଥା କହିବାକୁ ଚାହିଁନପାରନ୍ତି। ବିହାର ବିଧାନସଭା ନିର୍ବାଚନ ଭୟାବହ ଓ ସ˚କ୍ରାମକ କରୋନା ମହାମାରୀ ସତ୍ତ୍ବେ ସମ୍ଭବ ହୋଇପାରିଲା ଏବ˚ ପୁଣି ବେଶ୍‌ ଶାନ୍ତିପୂର୍ଣ୍ଣ ଓ ହି˚ସାମୁକ୍ତ ଢଙ୍ଗରେ। ତାହା ଗଣତନ୍ତ୍ର ପ୍ରତି ଲୋକଙ୍କ ଆସ୍ଥା ଦର୍ଶାଏ। ଅନେକ ସ˚ସ୍ଥା ଓ ବିଶାରଦ ଯେଉଁ ନିରବ ମତଦାତାଙ୍କ ମତାମତ ସଠିକ୍‌ ଭାବେ ସ˚ଗ୍ରହ ତଥା ବିଶ୍ଳେଷଣ କରିପାରିଲେନି ସେମାନେ ହେଲେ ମୁଖ୍ୟତଃ ମହିଳା ମତଦାତା। କୋଭିଡ୍‌ କଟକଣା ସେ କ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିଥାଇପାରେ। ହେଲେ ଶେଷ ହିସାବ କହେ ବିହାରରେ ପୁରୁଷ ମତଦାତାଙ୍କ (ଶତକଡ଼ା ପ୍ରାୟ ୫୪.୬) ତୁଳନାରେ ମହିଳା ମତଦାତାମାନେ (ଶତକଡ଼ା ପ୍ରାୟ ୫୯.୭) ଅଧିକ ସ˚ଖ୍ୟାରେ ଭୋଟ୍‌ ଦେଇଛନ୍ତି ଯାହାକି ଗଣତନ୍ତ୍ରର ଶକ୍ତି ଓ ସମ୍ଭାବନା ସୂଚେଇ ଦିଏ।

ଏମିତିରେ ଦେଖିଲେ କୌଣସି ଗୋଟିଏ ଦଳକୁ ପୂର୍ଣ୍ଣ ସ˚ଖ୍ୟାଗରିଷ୍ଠତା ବା ସ୍ପଷ୍ଟ ଜନାଦେଶ ମିଳିନାହିଁ ଆଲୋଚ୍ୟ ନିର୍ବାଚନଟିରେ। ଏପରିକି ଅର୍ଧାଧିକ ଆସନ ହାସଲ କରିଥିବା ଚାରି ଦଳିଆ ମେଣ୍ଟରେ ତିନିଟି ଦଳ ମିଶିଲେ ବି ସ˚ଖ୍ୟାଗରିଷ୍ଠତା ପାଇ ପାରିନାହାନ୍ତି। ସେହିଭଳି ମହାଗଠବନ୍ଧନର ସବୁ ଦଳ ମିଶି ମ୍ୟାଜିକ୍‌ ନମ୍ବର ଛୁଇଁପାରିନାହାନ୍ତି। ଏକକ ସ˚ଖ୍ୟାଗରିଷ୍ଠ ଦଳ ଭାବେ ପୁଣି ଥରେ ଉଭା ହୋଇଛି ରାଷ୍ଟ୍ରୀୟ ଜନତା ଦଳ (ଆର‌୍‌.ଜେ.ଡ଼ି) ୭୫ଟି ଆସନ ଜିତି ଏବ˚ ୭୪ଟି ଆସନ ପାଇ ଦ୍ବିତୀୟ ସ୍ଥାନରେ ରହିଛି ବିଜେପି। ହେଲେ ତୃତୀୟ ସ୍ଥାନରେ ଥିବା ଜେ.ଡି(ୟୁ)ର ପୋଖତ ନେତା ନୀତୀଶ କୁମାର ପୁଣି ଥରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇସାରିଲେଣି। ନୀତୀଶଙ୍କ ଦଳକୁ ମିଳିଛି ୪୩ଟି ଆସନ ଯାହାକି ଗଲା ଥର ଠାରୁ ୨୮ଟି ଆସନ କମ୍‌। ଅନେକ ମହଲର ମତ ଯେ ସୁଶାସନ ବାବୁ ଓ ବିକାଶ ପୁରୁଷ ଭାବେ ନୀତୀଶଙ୍କ ଭାବମୂର୍ତ୍ତି କାରଣରୁ ସମ୍ଭାବ୍ୟ ସତ୍ତା ବିରୋଧୀ ଭାବନା ପ୍ରତିହତ ହୋଇଥାଇପାରେ। ଅତି ପୁରୁଣା ଜାତୀୟ ଦଳ କ˚ଗ୍ରେସ ନୈରାଶ୍ୟ ଜନକ ପ୍ରଦର୍ଶନ କରି ପାଇଛି ୧୯ଟି ଆସନ ଏବ˚ ସେଭଳି ପ୍ରଦର୍ଶନ ନେଇ ଦଳ ଭିତରେ ଆଲୋଚନା ସୃଷ୍ଟି ହେଲାଣି। ବାମପନ୍ଥୀ ଦଳମାନେ ଅପେକ୍ଷାକୃତ ଭଲ ପ୍ରଦର୍ଶନ କରି ପାଇଛନ୍ତି ୧୬ଟି ଆସନ। ଗରିବଗୁରୁବା, ଗ୍ରାମ୍ୟ, ଦଳିତ ଓ ସ˚ଖ୍ୟାଲଘୁ ଲୋକଙ୍କ ସହ ସେମାନଙ୍କ ସମ୍ବନ୍ଧ ଅତି ନିବିଡ଼ ଓ ସୁଦୃଢ଼। ସେମାନେ ନିରବଚ୍ଛିନ୍ନ ଭାବେ ଗଣତନ୍ତ୍ର, ବିକାଶ ଓ ମର୍ଯ୍ୟାଦା (୩ଡି- ଡିମୋକ୍ରାସି, ଡେଭଲପ୍‌ମେଣ୍ଟ, ଡିଗ୍‌ନିଟି) ପ୍ରସଙ୍ଗ ଉଠେଇ ଚାଲିଛନ୍ତି। ଏନ୍‌.ଡି.ଏର ଅ˚ଶୀଦାର ହିନ୍ଦୁସ୍ଥାନୀ ଆଵାମ୍‌ ମୋର୍ଚ୍ଚା (ହମ୍‌) ଓ ବିକାଶଶୀଲ ଇନ୍‌ସାନ୍‌ ପାର୍ଟି (ଭିଆଇପି) ହାସଲ କରିଛନ୍ତି ୪ଟି ଲେଖାଏଁ ଆସନ। ହାଇଦ୍ରାବାଦର ସା˚ସଦ ଅସାଦୁଦ୍ଦିନ୍‌ ଓେଵସିଙ୍କ ଦଳ ଏ.ଆଇ.ଏମ୍‌.ଆଇ.ଏମ୍‌ ଜିଣିଛି ୫ଟି ଆସନ। କୁହାଯାଉଛି ସୀମାଞ୍ଚଳ ଅଞ୍ଚଳରେ ସେ ଦଳର ଉପସ୍ଥିତି ଓ ସଫଳତା ଯୋଗୁଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି ମହାଗଠବନ୍ଧନକୁ; ଆହୁରି କୁହାଯାଉଛି ଚିରାଗ ପାଶ୍ବାନଙ୍କ ଲୋକ ଜନଶକ୍ତି ପାର୍ଟି ପାଇଁ ନିର୍ବାଚନୀ କ୍ଷତି ସହିବାକୁ ପଡ଼ିଛି ଜେ.ଡି(ୟୁ)କୁ! ଏସବୁ ଦଳ ଭିତରୁ କେଉଁ ଦଳ ବାମପନ୍ଥୀ, କେଉଁ ଦଳ ଦକ୍ଷିଣପନ୍ଥୀ ଓ କେଉଁ ଦଳ ମଧୢମପନ୍ଥୀ କହିବା ନିଷ୍ପ୍ରୟୋଜନ। ବିହାର ନିର୍ବାଚନରେ ତିନି ପ୍ରମୁଖ ମଧୢମପନ୍ଥୀ ଦଳଙ୍କ ଆସନ ସ˚ଖ୍ୟା କମିଛି। ଅବଶ୍ୟ ଆର‌୍‌.ଜେ.ଡିର ଜନାଧାର କମିନାହିଁ।

ନିର୍ବାଚନ ପ୍ରଚାର ବେଳେ ବିହାରର ଦୁଇ ବିରୋଧୀ ମେଣ୍ଟ ନିଜ ନିଜର କାର୍ଯ୍ୟସୂଚିରେ କୌଶଳ ତଥା ଆଭିମୁଖ୍ୟଗତ ପରିବର୍ତ୍ତନ ଆଣି ଉଭୟ ଅସ୍ମିତା (ଆଇଡେଣ୍ଟିଟି) ଓ ଅଭିଳାଷ (ଆମ୍ବିସନ୍‌) ପ୍ରସଙ୍ଗ ମିଶେଇ ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍‌ର ବିନ୍ଦୁମାନଙ୍କୁ ଯୋଡ଼ିଛନ୍ତି। ଦୁଇ ପକ୍ଷ ଉଠେଇଛନ୍ତି ‘ବିକାଶ’ କଥା। ଘୋଷଣା କରିଛନ୍ତି କ୍ଷମତାକୁ ଆସିଲେ ୧୦ ଲକ୍ଷ କିମ୍ବା ତା’ଠାରୁ ଅଧିକ ଚାକିରି/ନିଯୁକ୍ତିି ଯୋଗାଇ ଦେବେ। ନୀତୀଶଙ୍କ ଚିତ୍ର ବହନ କରୁଥିବା ପୋଷ୍ଟରରେ ଲେଖାଥିଲା- ‘‘ତରକି ଦିଖ୍‌ତି ହେ’’!- ପ୍ରଗତି ପୂରା ବାରି ହୋଇଯାଉଛି। ବିରୋଧୀମାନେ ସମାଲୋଚନା କରି କହିଥିଲେ- ନୀତୀଶ କୁମାର ବଢ଼ି, କୋଭିଡ୍‌ ଓ ତାଲାବନ୍ଦ ବେଳେ ପ୍ରବାସରୁ ବିହାରୀ ଶ୍ରମିକଙ୍କ ଘର ବାହୁଡ଼ା ଆଦି ସମସ୍ୟାର ସମୁଚିତ ପରିଚାଳନା କରିପାରିନାହାନ୍ତି! ଆର‌୍‌.ଜେ.ଡି ବିରୋଧରେ ସେଇ ପରିଚିତ ଆକ୍ଷେପ- ଜଙ୍ଗଲରାଜ୍‌! ନିଜ ଦଳ ଓ ମେଣ୍ଟର ଜନାଧାର ବାବଦରେ ତେଜସ୍ବୀ ଯାଦବ ସ୍ପଷ୍ଟୀକରଣ ଦିଅନ୍ତି ଏଇଭଳି- ଏମ୍‌.ଵାଇର ଅର୍ଥ ଖାଲି ମୁସଲମାନ-ଯାଦବ ନୁହେଁ; ଏମ୍‌.ଵାଇର ଅର୍ଥ ମଧୢ ମଜଦୁର‌୍‌-ଯୁବା। ଏମ୍‌.ଵାଇ ଜାଗାରେ ୩୧ ବର୍ଷିଆ ତେଜସ୍ବୀ ‘ଏ ଟୁ ଜେଡ୍‌’ କଥା ମଧୢ କହିଥିଲେ। ଶିକ୍ଷା, ଜଳସେଚନ, ନିଯୁକ୍ତି, ଦରବୃଦ୍ଧି, ବିକାଶ, ଚାଷୀ ଋଣ ଛାଡ଼ ଓ ଅର୍ଥନୀତିକ ନ୍ୟାୟ ପ୍ରସଙ୍ଗମାନ ଉଠେଇଥିଲେ। ତାଙ୍କ ସପକ୍ଷରେ ହାଵା ବହୁଥିଲା ଭଳି ବିଶାରଦ ଓ ପେସାଦାରଙ୍କୁ ଲାଗିଥିଲା; କିନ୍ତୁ ହାଵା ତ ଛାଁକୁ ଛାଁ ଭୋଟ୍‌ରେ ପରିଣତ ହୋଇଯାଏନି। (ବାତ୍ୟା ସମୟରେ ଯେମିତି ସବୁ ସାଇକେଲ୍‌ ଭିତରକୁ ପବନ ପଶୁ ନ ଥାଏ ବୋଲି କୁହାଯାଏ।) ଜାତି, ଶ୍ରେଣୀ, ସ˚ପ୍ରଦାୟ, ଲି˚ଗ, ଯୁବ ବୟସ, ଅ˚ଚଳ, ସ˚ଗଠନ, କ୍ୟାଡର‌୍‌, ମତାଦର୍ଶ, ନେତୃତ୍ବ, ନିର୍ବାଚନ ପରିଚାଳନା ଓ ରଣକୌଶଳ, ଗଣମାଧୢମ ଏବ˚ ସୋସିଆଲ ମିଡିଆ- ଏ ସବୁର ମିଶାମିଶି ଛାପ ବାରିହୁଏ ବିହାର ନିର୍ବାଚନର ଫଳାଫଳରୁ। ମହିଳା, ଯାଦବ, କୁର୍ମି, ରାଜପୁତ, ଭୂମିହାର, ବ୍ରାହ୍ମଣ, ଦଳିତ, ମହାଦଳିତ, ଅତି ଅନଗ୍ରସର ଶ୍ରେଣୀ, ସ˚ଖ୍ୟାଲଘୁ, କୋଏରୀ ଓ କୁଶଵାହା ଆଦି ଗଲା ବିହାର ନିର୍ବାଚନରେ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିଛନ୍ତି। ଯୁବଗୋଷ୍ଠୀର ଭୂମିକା ତ ବହୁଚର୍ଚ୍ଚିତ। ମହାଦଳିତ ପ୍ରକରଣ ସୃଷ୍ଟି କରିଥିଲେ ନୀତୀଶ। ସେଇଥିପାଇଁ ତାଙ୍କ ସହ ରାମ ବିଳାସ ପାଶ୍ବାନଙ୍କ ଘୋର ମତ ପାର୍ଥକ୍ୟ ଉପୁଜିଥିଲା। ରାମ ବିଳାସଙ୍କର ଆଶଙ୍କା ହେଲା ତାହା ବୃହତ୍ତର ଦଳିତ ସମାଜ ଭିତରେ ବିଭାଜନ ଓ ବିଭେଦ ପାଇଁ ବାଟ ଖୋଲି ଦେଇପାରେ।

ପ୍ରତି ଅନୁଷ୍ଠିତ ନିର୍ବାଚନ ଓ ଗଠିତ ସରକାର ଅନେକ ଘଟଣା ପ୍ରକ୍ରିୟା ଓ ପ୍ରସଙ୍ଗ ସାଙ୍ଗକୁ ଅନେକ ବ୍ୟକ୍ତି ବିଶେଷଙ୍କ ଉପରେ ଫର୍ଚ୍ଚା ଆଲୁଅ ପକାଏ। ନୀତୀଶ କୁମାର ଜଣେ ତାଲିମ୍‌ ପ୍ରାପ୍ତ ଇଞ୍ଜିନିଅର। ଏବେ ବିଜେପି ସହ ମେଣ୍ଟ କରିଥିବା ନୀତୀଶ ଆଗରୁ ଆର‌୍‌.ଜେ.ଡ଼ି ସହ ବି ମେଣ୍ଟ କରିଥିଲେ। ନିଜର ଆଦ୍ୟ ରାଜନୀତିକ ଜୀବନରେ ସିଏ ଜୟ ପ୍ରକାଶ ନାରାୟଣ ଓ ରାମ ମନୋହର ଲୋହିଆଙ୍କ ସ˚ସ୍ପର୍ଶରେ ମଧୢ ଆସିଥିଲେ। ବିଭିନ୍ନ ସମୟରେ ବିହାର ରାଜନୀତିର ପରିଚିତ ଚେହେରା ଲାଲୁ ପ୍ରସାଦ ଯାଦବ, ରାମ ବିଳାସ ପାଶ୍ବାନ ଓ ସୁଶୀଲ ମୋଦୀ ପ୍ରମୁଖ ମଧୢ ଜୟ ପ୍ରକାଶ ନାରାୟଣଙ୍କ ସ˚ସ୍ପର୍ଶରେ ଆସିଥିଲେ। ହେଲେ ନିର୍ବାଚନୀ ଓ କ୍ଷମତା ରାଜନୀତିର ଭିନ୍ନ ଭିନ୍ନ କାରଣ ଯୋଗୁଁ ସେମାନେ ଭିନ୍ନ ଭିନ୍ନ ଶିବିରରେ ରହିଯାଇଥିଲେ। ଏଥରକର ବିହାର ନିର୍ବାଚନରେ ଅନୁପସ୍ଥିତ ଥିଲେ ଲାଲୁ ପ୍ରସାଦ (ଜେଲ୍‌ରେ ଥିବାରୁ) ଓ ରାମ ବିଳାସ (ପରଲୋକଗତ)। ଲାଲୁ ପ୍ରସାଦଙ୍କ ପୁତ୍ର ତେଜସ୍ବୀ ଓ ରାମବିଳାସଙ୍କ ପୁତ୍ର ଚିରାଗ ଥିଲେ ଦୁଇଗୋଟି ଯୁବ ପ୍ରତୀକ। ଡି.ପି.ଏସ୍‌ରେ ପଢ଼ୁଥିବା ବେଳେ ତେଜସ୍ବୀ କ୍ରିକେଟ୍‌ ଖେଳିଛନ୍ତି। ରାଜନୀତିକୁ ଆସିବା ଆଗରୁ ଚିରାଗ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି। ତାଙ୍କ ଦଳ ୧୩୭ଟି ଆସନରେ ଲଢ଼ି ଜିତିଛି ମାତ୍ର ଗୋଟିଏ ଆସନ। ଦଳଟିର ସ୍ଲୋଗାନ୍‌ ଥିଲା- ସବା ଆଗ ବିହାର, ସର୍ବପ୍ରଥମେ ବିହାରର ଲୋକ। ନୂଆ ନୀତୀଶ ମନ୍ତ୍ରୀମଣ୍ତଳରେ ସ୍ଥାନ ପାଇଥିବା ‘ହମ’ର ସନ୍ତୋଷ ସୁମନ (ମା˚ଝୀ) ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ଜୀତନରାମ ମା˚ଝୀଙ୍କ ପୁତ୍ର ଓ ମହାଦଳିତ ବର୍ଗର। ଆଉ ଭିଆଇପିର ମୁକେଶ ସାହାଣୀ ଥିଲେ ଆଗରୁ ବଲିଉଡ୍‌ ଷ୍ଟେଜ୍‌ ଡିଜାଇନର‌୍‌। ତାଙ୍କ ସମର୍ଥକମାନେ ଗର୍ବର ସହ କହନ୍ତି- ଆମ ମୁକେଶ ଭାଇଙ୍କୁ ଶାହାରୁଖ୍‌ ଖାଁ ଓ ସଲ୍‌ମାନ ଖାଁ ଖାତିର କରନ୍ତି; କାରଣ ସିଏ ଦେବଦାସ ଓ ବଜରଙ୍ଗୀ ଭାଇଜାନ୍‌ ଚଳଚ୍ଚିତ୍ରର ଷ୍ଟେଜ୍‌ ଡିଜାଇନ୍‌ କରିଥିଲେ। ମୁକେଶଙ୍କର ମତ୍ସ୍ୟଜୀବୀ/କୈବର୍ତ୍ତ୍ୟ/ନିଷାଦ ବର୍ଗ ସହ ସମ୍ପର୍କ ରହିଛି। ଆଗରୁ ସିଏ ମହାଗଠବନ୍ଧନ ସାଙ୍ଗରେ ଥିଲେ। ବିଭିନ୍ନ ସମୟରେ ସିଏ ବ୍ୟାପକ ସ୍ତରରେ ମଧୢ ଛଟ୍‌ ପୂଜାର ଆୟୋଜନ କରିଛନ୍ତି। ଏବେକାର ମନ୍ତ୍ରୀମଣ୍ତଳରେ ବିଜେପି ପକ୍ଷରୁ ଦୁଇଜଣ ଉପମୁଖ୍ୟମନ୍ତ୍ରୀ ହୋଇଛନ୍ତି। ସମୀକ୍ଷକମାନେ କହନ୍ତି ତାହା ଏକ ପ୍ରକାରର ଉତ୍ତରପ୍ରଦେଶ ଫର୍ମୁଲା। ଦୁଇଜଣଙ୍କ ଭିତରୁ ଜଣେ ହେଲେ ରେଣୁ ଦେବୀ। ମହିଳା ଓ ଅତି ଅନଗ୍ରସର ଶ୍ରେଣୀ ନୋନିୟା ବର୍ଗର, ଚମ୍ପାରଣ ଅଞ୍ଚଳର। ଅନ୍ୟ ଜଣେ ହେଲେ ସୀମାଞ୍ଚଳ ଅଞ୍ଚଳର ତାର କିଶୋର ପ୍ରସାଦ ଯିଏ କି ପଛୁଆ ବର୍ଗ ବୈଶ୍ୟ ସମାଜର। ପର୍ଯ୍ୟବେକ୍ଷକଙ୍କ ମନରେ ଏସବୁ ସାମାଜିକ ଅଭିଯନ୍ତ୍ର (ସୋସିଆଲ୍‌ ଇଞ୍ଜିନିଅରି˚) ସାଙ୍ଗକୁ ୨୦୨୫ର ନକ୍‌ସା ବିଷୟ ଉଠାଯାଇପାରେ। ଦୀପଙ୍କର ଭଟ୍ଟାଚାର୍ଯ୍ୟ ହେଉଛନ୍ତି ସି.ପି.ଏମ୍‌-ଏଲ୍‌ ଦଳର ସାଧାରଣ ସ˚ପାଦକ। ବିହାର ନିର୍ବାଚନରେ ତାଙ୍କ ଦଳର ସଫଳତା ଉଲ୍ଲେଖଯୋଗ୍ୟ। ସିଏ ପଶ୍ଚିମବଙ୍ଗ ଉଚ୍ଚ ମାଧୢମିକ ବୋର୍ଡ ପରୀକ୍ଷାରେ ପ୍ରଥମ ହୋଇଥିଲେ ଓ କଲିକତାର ପ୍ରସିଦ୍ଧ ଇଣ୍ତିଆନ୍‌ ଷ୍ଟାଟିଷ୍ଟିକାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ଉଚ୍ଚଶିକ୍ଷା ଲାଭ କରିଥିଲେ। ପରିବାର ଓ ବ˚ଶମାନଙ୍କର ସଫଳତା ମିଶ୍ର ଧରଣର ହୋଇଛି। ଲାଲୁ ପ୍ରସାଦଙ୍କ ଦୁଇ ପୁଅ ଜିତିଛନ୍ତି। ଶତ୍ରୁଘ୍ନ ସିହ୍ନାଙ୍କ ପୁଅ ଓ ଶରଦ ଯାଦବଙ୍କ ଝିଅ ହାରିଛନ୍ତି। ରାଜ୍ୟ ଗୋଷ୍ଠୀ କ୍ରୀଡ଼ା ପ୍ରତିଯୋଗିତାରେ ପଦକ ହାସଲ କରିଥିବା ଶ୍ରେୟସୀ ସି˚ହ ବିଜେପି ଟିକେଟ୍‌ରେ ଲଢ଼ି ଜିତିଛନ୍ତି। ତାଙ୍କ ବାପା ଦିଗ୍‌ବିଜୟ ସି˚ ଏକଦା କେନ୍ଦ୍ରମନ୍ତ୍ରୀ ଥିଲେ ଓ ଛାତ୍ର ଜୀବନରେ ଜଵାହରଲାଲ ନେହରୁ ବିଶ୍ବବିଦ୍ୟାଳୟ ଛାତ୍ର ସଂସଦର ସଭାପତି ଥିଲେ। ଦିଗ୍‌ବିଜୟଙ୍କର ପ୍ରାରମ୍ଭିକ ରାଜନୀତି ସମାଜବାଦ ଓ ମଧୢମପନ୍ଥାର ଛାପ ବହନ କରୁଥିଲା। ସିଏ ଚନ୍ଦ୍ରଶେଖର ଓ ଜର୍ଜ ଫର୍ଣ୍ଣାଣ୍ତିଜ୍‌ଙ୍କ ଘନିଷ୍ଠ ଥିଲେ। ମଣ୍ତଳ କମିସନ ରିପୋର୍ଟ ଖ୍ୟାତି ସ˚ପନ୍ନ ବି.ପି. ମଣ୍ତଳଙ୍କ ନାତି ବି ହାରିଛନ୍ତି। ଏହି ପରିଚ୍ଛେଦର ଆଲୋଚନା ଗୋଟିଏ କଥା କହିବାକୁ ଚାହେଁ- ରାଜନୀତି ଚର୍ଚ୍ଚା ଲୋକଙ୍କ ମନକୁ ବେଶ୍‌ ଘାରି ରଖେ; ଏପରିକି ଧର୍ମ, ବିଜ୍ଞାନ, କ୍ରୀଡ଼ା ଓ ଚଳଚ୍ଚିତ୍ର ଠାରୁ ଆହୁରି ଅଧିକ। କାରଣ ଲୋକଙ୍କ ଭାଗ୍ୟ ବଦଳେଇବା ପାଇଁ ଚାବିକାଠି ରାଜନୀତି ହାତରେ। ଏବେ ବି ମଗଧ, ମିଥିଳା ଓ ଭୋଜପୁର ପ୍ରଭୃତି ଅଞ୍ଚଳରେ ନିର୍ବାଚନୀ ଫଳାଫଳର କାରଣ ତଥା ପରିଣାମ ନେଇ ଗରମାଗରମ ଆଲୋଚନା ଚାଲିଥିବ। ଦୁଇ ମେଣ୍ଟ ଭିତରେ ମୋଟ ଭୋଟ୍‌ର ବ୍ୟବଧାନ ଥିଲା ଅଳ୍ପ କେଇ ହଜାରର। ମୁକାବିଲା ଥିଲା ତୀବ୍ର, କଡ଼ା ଓ କଣ୍ଟାକଣ୍ଟି। ସେଇଥିପାଇଁ ତେଜସ୍ବୀ ‘ଫୈସଲା’ (ନିଷ୍ପତ୍ତି) ଓ ‘ନତିଜା’ (ଫଳାଫଳ) ଭିତରେ ପାର୍ଥକ୍ୟ ଦର୍ଶାଇଥିଲେ।

ଭାରତୀୟ ରାଜନୀତିରେ ବିହାର ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ବହନ କରି ଆସିଛି। ରାଜେନ୍ଦ୍ର ପ୍ରସାଦ ଥିଲେ ଆମ ଦେଶର ପ୍ରଥମ ରାଷ୍ଟ୍ରପତି ଓ ଭାରତର ସମ୍ବିଧାନ ପ୍ରଣୟନ ସ˚ସ୍ଥାର ସଭାପତି। ସିଏ ଥିଲେ ବିହାରର। ପୁଣି ଆଗର ବିହାର ସହ ଯୋଡ଼ା ବିର୍ସା ମୁଣ୍ତା, ଜୟପାଲ ସି˚ ମୁଣ୍ତା, ଜୟ ପ୍ରକାଶ ନାରାୟଣ ଓ ଜଗଜୀବନ ରାମ ପ୍ରମୁଖଙ୍କ ନାଁ। ବିଭିନ୍ନ ସମୟରେ ବିହାରରୁ ଉଠିଥିବା ପ୍ରସଙ୍ଗ ଦେଶରେ ତରଙ୍ଗ ଓ ତଡ଼ିତ୍‌ ସୃଷ୍ଟି କରିଛି। ସା˚ପ୍ରତିକ ବିହାର ବିଧାନସଭା ନିର୍ବାଚନ ଫଳାଫଳରୁ ଅନ୍ୟ ଅନେକ କଥା ସାଙ୍ଗକୁ ବହୁଦଳୀୟ ବ୍ୟବସ୍ଥାର ଗହନ କଥା ଜାଣିହୁଏ। ଆମ ଦେଶର ଜାତୀୟ ରାଜନୀତିରେ ଏକଦା ଯେଉଁ ପ୍ରମୁଖ ପ୍ରବାହ ଥିଲା ତାହା ହେଲା କ˚ଗ୍ରେସର ଆଧିପତ୍ୟ। ତାହା ଏବେ ଆଉ ନାହିଁ। ଏବେକାର ପ୍ରବାହ: କେନ୍ଦ୍ରରେ ବିଜେପିର ଆଧିପତ୍ୟ। କିନ୍ତୁ ପ୍ରାଦେଶିକ ରାଜନୀତିରେ, ନିର୍ବାଚନରେ ଆଞ୍ଚଳିକ ଦଳ ଠାରୁ ଜାତୀୟ ଦଳ ହାରିଛନ୍ତି, ହାରୁଛନ୍ତି। ସେଇଥିପାଇଁ ଜାତୀୟ ଦଳମାନେ ଆଞ୍ଚଳିକ ଦଳ ସହ ମେଣ୍ଟ କରିବାକୁ ବେଳେବେଳେ ଶ୍ରେୟସ୍କର ମଣନ୍ତି। ୨୦୨୧ରେ ହେବାକୁ ଥିବା ପଶ୍ଚିମବଙ୍ଗ, ତାମିଲନାଡୁ ଓ କେରଳ ପ୍ରଭୃତି ରାଜ୍ୟ ବିଧାନସଭା ନିର୍ବାଚନରେ ଉଭୟ କ˚ଗ୍ରେସ ଓ ବିଜେପି ଟାଣୁଆ ପ୍ରତିପକ୍ଷ/ଆଞ୍ଚଳିକ ଦଳକୁ ହିଁ ସାମ୍ନା କରିବେ। ସେସବୁ ରାଜ୍ୟ ବାବଦରେ ଭବିଷ୍ୟବାଣୀ ଦେବା ଉଭୟ ଅପରିଣାମଦର୍ଶୀ ଓ ଅପରିପକ୍ବ ସାବ୍ୟସ୍ତ ହୋଇପାରେ।

ବେହୁରିଆ ଭବନ, ଗୌରୀ ନଗର, ଭୁବନେଶ୍ବର-୨
ମୋ: ୮୯୧୭୬୮୩୫୩୬

ସମ୍ବନ୍ଧିତ ଖବର