ଆମେରିକାକୁ କେମିତି ବାଗେଇବେ ବାଇଡେନ୍‌

କୁମାର ପ୍ରଶାନ୍ତ

ସମସ୍ତେ ନିଶ୍ଚିନ୍ତ- ଜୋ ବାଇଡେନ୍‌, କମଳା ହାରିସ୍‌ ତଥା ସାରା ଆମେରିକା; ଭାରତରେ ଆମେ ସମସ୍ତେ ବି! ନିଶ୍ଚିନ୍ତ ଏଥିପାଇଁ ଯେ, ଗତ ଚାରି ବର୍ଷ ହେଲା ଆମେରିକାରେ ଯାହା ସବୁ ହେଉଥିଲା, ତାହା ସବୁ ଆଉ ହେବନାହିଁ। ଜଣେ ରାଷ୍ଟ୍ରମୁଖ୍ୟ ଆମେରିକାକୁ ବିଶ୍ବ ଦରବାରରେ ଜୋକର‌୍‌ ବନେଇ ଦେଇଥିଲେ ଏବ˚ ନିଜେ ଏକ ସୀମା ଭିତରେ ପାଲଟି ଥିଲେ ବିତୃଷ୍ଣାର ପାତ୍ର। ବାଇଡେନ୍‌ଙ୍କ ସମ୍ମୁଖରେ ଏବେ ଏକ ବଡ଼ ଆହ୍ବାନ। ତାଙ୍କୁ ସେହି ସମସ୍ତ ଚିହ୍ନ ଲିଭାଇବାକୁ ପଡ଼ିବ, ଯାହା ଟ୍ର˚ପ୍‌ଙ୍କୁ ମନେ ପକାଇପାରେ। ଟ୍ର˚ପ୍‌ଙ୍କୁ ଆମେରିକାନ୍‌ମାନେ ସ˚ପୂର୍ଣ୍ଣ ଭାବେ ଭୁଲିବାରେ ହିଁ ବାଇଡେନ୍‌ଙ୍କ ସଫଳତା। ନ ହେଲେ ସେ ପାଲଟିବେ ଆମେରିକାର ଲାଲୁ ପ୍ରସାଦ ଯାଦବ, ଯିଏ ଅସୀମ ସ˚ଭାବନା ଥିବା ଗୃହରେ ପ୍ରବେଶ କରିଥିଲେ; ତେବେ, ପାଲଟି ଗଲେ ଅସୀମ ବିଫଳତାର ପ୍ରତୀକ।

ବାଇଡେନ୍‌ଙ୍କ ବୟସ ସତସ୍ତରି ବର୍ଷ ଏବ˚ ସେ ଆମେରିକା ଇତିହାସର ବୟୋଜ୍ୟେଷ୍ଠତମ ରାଷ୍ଟ୍ରପତି। ଅନେକ ଗୁରୁ ଦାୟିତ୍ବ, ତାଙ୍କ ମୁଣ୍ତ ଉପରେ। ଟ୍ର˚ପ୍‌ଙ୍କ କୋଭିଡ୍‌ ପରିଚାଳନା ତ୍ରୁଟି ଯୋଗୁଁ ୨.୩୦ ଲକ୍ଷ ମାର୍କିନ୍‌ଙ୍କ ମୃତ୍ୟୁ ଘଟିଛି ଏବ˚ ବାଇଡେନ୍‌ଙ୍କ ଶାସନ କାଳରେ ଏହି ସ˚ଖ୍ୟା ବଢ଼ିବ। ଏହି ପ୍ରସଙ୍ଗରେ ତାଙ୍କ ପାଇଁ ସବୁଠାରୁ ବଡ଼ ଆହ୍ବାନ- ସବୁଠାରୁ ଶସ୍ତା ସ୍ବାସ୍ଥ୍ୟ ସେବା ଯୋଗାଣ। କେବଳ ମୁଖା ଓ ସାମାଜିକ ଦୂରତ୍ବ ଯଥେଷ୍ଟ ନୁହେଁ। ଏଥିପାଇଁ ତାଙ୍କୁ ମାର୍କିନ୍‌ ସମାଜର ବିଶ୍ବାସ ଜିଣିବାକୁ ହେବ। ଏହା ଏତେ ସହଜ ମଧ୍ୟ ନୁହେଁ। କାରଣ ଆମେରିକାର ଅର୍ଦ୍ଧେକରୁ କିଛି ଅଧିକ ତାଙ୍କ ସପକ୍ଷରେ ଥିବା ବେଳେ ଅବଶିଷ୍ଟ ଟ୍ର˚ପ୍‌ଙ୍କ ସହ ଅଛନ୍ତି। ଟ୍ର˚ପ୍‌ଙ୍କ ଉପରେ ଆମେରିକୀୟଙ୍କ ଭରସା କମ୍‌ ଥିଲା; ତାଙ୍କ ପାଇଁ ଉନ୍ମାଦତା ଥିଲା ଅଧିକ। ଯଦି ଉନ୍ମାଦମାନଙ୍କୁ ନିଜ ସପକ୍ଷରେ ଆଣିବାରେ ବାଇଡେନ୍‌ ସଫଳ ହେବେ, ଆମେରିକା ଆଗେଇବ। ଆମେରିକା ପାଇଁ ଏବେ ସବୁଠାରୁ ବଡ଼ ସମସ୍ୟା ସୃଷ୍ଟି କରିଛି- ‘କୋଭିଡ୍‌-୧୯’। ସଫଳତାର ସହ ଏହାର ପ୍ରତିରୋଧ ପାଇଁ ସମସ୍ତେ ଏକତ୍ର ହେବା ଦରକାର। ଅର୍ଥାତ୍‌, ଘର ଭିତରେ ହିଁ ପ୍ରଥମ ଆହ୍ବାନ। ପ୍ରତିଷେଧକ ଟିକା ଆସିବା ପର୍ଯ୍ୟନ୍ତ ରୋଗ ତଥା ଦେଶକୁ ସ˚ଭାଳିବାକୁ ପଡ଼ିବ।

ଏବେ ‘ଓବାମା-କେଆର‌୍‌’କୁ ପୁନର୍ଜୀବନ ଦେବାର ସମୟ। ଏହା ମାଧୢମରେ ଲୋକଙ୍କୁ ଶସ୍ତା ସ୍ବାସ୍ଥ୍ୟ ସେବା ଯୋଗାଇବା ସ˚ଭବ। ପ୍ରତ୍ୟେକ ଆମେରିକୀୟ ବୁଝିବା ଦରକାର ଯେ, ‘ଓବାମା-କେଆର‌୍‌’ କେବଳ ଅଣ-ଶ୍ବେତାଙ୍ଗଙ୍କ ପାଇଁ ନୁହେଁ; ସମସ୍ତଙ୍କ ପାଇଁ ଏବ˚ ପ୍ରତ୍ୟେକ ସାଧାରଣ ବ୍ୟକ୍ତି ଏହା ଦ୍ବାରା ଉପକୃତ ହେବେ। ଲୋକଙ୍କୁ ଭରସା ଦେବାର ଅଭିଯାନରେ ବାଇଡେନ୍‌ଙ୍କ ସହ ଅଛନ୍ତି କମଳା ହାରିସ୍‌। ଏହା ତାଙ୍କ ପାଇଁ ଏକ ବଡ଼ ଆଶ୍ବାସନା। ବାଇଡେନ୍‌ ଉଦାରବାଦୀ। ଉଦାରବାଦୀ ନୀତି ନିର୍ଦ୍ଧାରଣ ଏବ˚ କାର୍ଯ୍ୟନିର୍ବାହ ସହଜ ନୁହେଁ। ବ୍ୟାପକ ସହମତି ବିନା ଏହା ସ˚ଭବ ହେବନାହିଁ। ମହିଳା, ସ˚ଖ୍ୟାଲଘୁ, ବୟସ୍କ, ଯୁବା ନିର୍ବିଶେଷରେ ଟ୍ର˚ପ୍‌ଙ୍କ ଉପରେ ବିରକ୍ତ ହୋଇ ରିପବ୍ଲିକାନ୍‌ ପାର୍ଟି ଛାଡ଼ିଥିବା ମତଦାତାଙ୍କ ସମେତ ସମସ୍ତଙ୍କ ସହଯୋଗ ଲୋଡ଼ା। ନିର୍ବାଚନ ଫଳାଫଳ ଆସିବା ପରେ ଟ୍ର˚ପ୍‌ ତାହାକୁ ଅସ୍ବୀକାର କରୁଛନ୍ତି; ବିଚିତ୍ର ବୟାନବାଜି କରୁଛନ୍ତି। ଏହା ଏପରିକି ତାଙ୍କ ଦଳର ସା˚ସଦଙ୍କ ଭିତରେ ମଧ୍ୟ ଆଲୋଚନାର ବିଷୟବସ୍ତୁ ପାଲଟିଛି। ତେଣୁ, ଏହା ହିଁ ସମସ୍ତଙ୍କୁ ଭରସା ଦେବାର ପ୍ରକୃଷ୍ଟ ସମୟ।

କିନ୍ତୁ, କେବଳ ଏତିକି ଯଥେଷ୍ଟ ନୁହେଁ। ଆମେରିକା ପ୍ରଥମେ ବୁଝିବା ଦରକାର ଯେ ଏହା ନା ସାରା ଦୁନିଆର ଚୌକିଦାର ନା ଥାନେଦାର। ବିଶ୍ବର ବିଭିନ୍ନ ଅଞ୍ଚଳରେ ଅଯଥା କଳହରେ ଲିପ୍ତ ହେବା, ଯୁଦ୍ଧ କରିବା, ବାହ୍ୟ ମାମଲାରେ ଅଯଥା ହସ୍ତକ୍ଷେପ କରିବା, ଅନ୍ୟର ସ୍ବାଧୀନତାକୁ ସମ୍ମାନ ନ ଦେବା ଆଦି ଆମେରିକା କେଉଁ କାଳୁ କରିଆସିଲାଣି। ଆମେରିକାର ଏ ଭଳି ନୀତି, ତାହାକୁ କ୍ରମଶଃ ଦୁର୍ବଳ କରିଚାଲିଛି ଏବ˚ ସେହି ଦେଶ ବିଶ୍ବ ଦରବାରରେ ନିନ୍ଦିତ ହୋଇଚାଲିଛି। ଓବାମାଙ୍କ ଶାସନ କାଳରେ ଆମେରିକା ଏକାଧିକ ଅନାବଶ୍ୟକ ଯୁଦ୍ଧ ଲଢ଼ିଥିଲା। ତେବେ, ଟ୍ର˚ପ୍‌ଙ୍କ ଶାସନରେ ଯୁଦ୍ଧ ହୋଇ ନ ଥିଲା। ବାଇଡେନ୍‌ଙ୍କୁ ଜଗି ରଖି ଚଳିବା ସହ ଆମେରିକାର ପୂର୍ବ ଛବି ଲିଭାଇବାକୁ ହେବ।

ଯୁଦ୍ଧ ଅବଶ୍ୟମ୍ଭାବୀ ନୁହେଁ; ତଥାପି ହେଉଛି। ଯୁଦ୍ଧକୁ ରୋକିବା ପାଇଁ ଏକଦା ‘ଜାତିସ˚ଘ’ ଭଳି ଅନ୍ତର୍ଜାତୀୟ ସ˚ଗଠନ ଗଠନ କରାଯାଇଥିଲା। ତେବେ, ଏହା ଗଠିତ ହେବା ପରଠାରୁ ଆମେରିକା ଏହାକୁ ନିଜ ସ୍ବାର୍ଥ ପାଇଁ ବ୍ୟବହାର କରିଆସିଛି। ଏହା ନିଜର ନିଜତ୍ବ ଏତେ ମାତ୍ରାରେ ହରାଇସାରିଛି ଯେ, ଅନ୍ୟ ଦେଶ ଆଖିରେ ଏହା ଆମେରିକାର ପାପୋଛ ଛଡ଼ା ଭିନ୍ନ କିଛି ନୁହେଁ। ଆମେରିକା କବଳରୁ ‘ଜାତିସ˚ଘ’କୁ ମୁକ୍ତ କରିବା ଭୂମିକାରେ ବାଇଡେନ୍‌ଙ୍କୁ ଅବତୀର୍ଣ୍ଣ ହେବାକୁ ପଡ଼ିବ। ଆମେରିକା ଏହାକୁ ସମ୍ମାନ ଦେଲେ, ଅନ୍ୟ ରାଷ୍ଟ୍ର ଲକ୍ଷ୍ମଣ-ରେଖା ଅତିକ୍ରମ କରିବାର ଦୁଃସାହସ କରିବେନାହିଁ।

ଶେଷରେ ଆସିବା ଆମ ଦେଶ ସହ ଆମେରିକାର ସ˚ପର୍କ ପ୍ରସଙ୍ଗକୁ। ବାଇଡେନ୍‌ଙ୍କ ବିଜୟ ପରେ ଆମ ପ୍ରଧାନମନ୍ତ୍ରୀ, ତାଙ୍କୁ ଶୁଭେଚ୍ଛାର ବାର୍ତ୍ତା ଦେଇଛନ୍ତି। ବାଇଡେନ୍‌ଙ୍କ ଦଳ ଡେମୋକ୍ରାଟିକ୍‌ ପାର୍ଟି, ଭାରତ ସହ ସୁ-ସ˚ପର୍କ କଥା କହୁଛି। ଏବେ ବାଇଡେନ୍‌ ପ୍ରକୃତରେ କ’ଣ କରୁଛନ୍ତି, ଦେଖିବାର ବେଳ। ଆମ ଦେଶରେ ସାମ୍ବିଧାନିକ ବ୍ୟବସ୍ଥା ବାହାରେ ଅନେକ ପଦକ୍ଷେପ ନିଆଯାଉଛି। ଏହାକୁ ବାଇଡେନ୍‌ କେଉଁ ଦୃଷ୍ଟିରେ ଦେଖିବେ? ସେ କ’ଣ ଆମ ଦେଶର ଅଭ୍ୟନ୍ତରୀଣ ମାମଲାରେ ହସ୍ତକ୍ଷେପ କରିବେ? ଯଦି କରିବାକୁ ଚେଷ୍ଟା କରିବେ, ଭାରତ ତାହା ସ୍ବୀକାର କରିବ କି? ଓବାମାଙ୍କ କାଳରେ ଦୁଇ ଦେଶ ମଧ୍ୟରେ ସ˚ପର୍କ ସୁଦୃଢ଼ ହୋଇଥିଲା। ଓବାମା, ଆମ ଆଡ଼କୁ କିଛି ପରିମାଣରେ ଢଳିଥିଲେ। ତାଙ୍କ ପରେ ଆସିଲେ ଟ୍ର˚ପ୍‌। ‘ହାଉଡି ମୋଦୀ’ ଓ ‘ଜଶ୍‌ନ-ଏ-ଟ୍ର˚ପ୍‌’ ପର୍ବ ଚାଲିଲା। ଏହା ଦ୍ବାରା ଦୁଇ ଦେଶ ମଧ୍ୟରେ ଥିବା ସ˚ପର୍କ ଧୂଳିସାତ ହୋଇଗଲା। ବାଇଡେନ୍‌ କ’ଣ କରିବେ? ସନ୍ତୁଳନ ବଜାୟ ରଖି ଚାଲିବେ କି ନାହିଁ? ଆମ ସାମ୍ବିଧାନିକ ଲଢ଼େଇରେ ତାଙ୍କ ଭୂମିକା କ’ଣ ହେବ? ସେ ଟ୍ର˚ପ୍‌ ହୋଇ ପାରିବେ ନାହିଁ। ଓବାମା ହେବାର ସ˚ଭାବନା ଆଉ ନାହିଁ। ଅର୍ଥାତ୍‌, ରାସ୍ତା ଲମ୍ବା ଏବ˚ କଣ୍ଟା ପରିପୂର୍ଣ୍ଣ।

ଅଧ୍ୟକ୍ଷ, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଦିଲ୍ଲୀ

ସମ୍ବନ୍ଧିତ ଖବର