ଗୋଟିଏ ଚମତ୍କାରୀ ବିହନ

କୃଷି ଆଲୋଚନା - ଦିଲ୍ଲୀପ କୁମାର ମହାରଣା

କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ପଚାଶତମ ଜୟନ୍ତୀ ପାଳନ କିମ୍ବା କୌଣସି ଅନୁଷ୍ଠାନର ପଚାଶ ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣ ଜୁବୁଲି ଉତ୍ସବର ଆୟୋଜନ ଏକ ସାଧାରଣ କଥା। କିନ୍ତୁ ଗୋଟିଏ ନିର୍ଦ୍ଦିଷ୍ଟ କିସମର ଧାନ ବିହନର ବିଶ୍ବବ୍ୟାପୀ ସୁବର୍ଣ୍ଣ ଜୟନ୍ତୀ ପାଳନ ନିଶ୍ଚିତ ଭାବେ ବିରଳ। ଏବେ ଏହି ବିରଳ ସମ୍ମାନ ଓ ଗୌରବର ଅଧିକାରୀ ହୋଇଛି ଚମତ୍କାରୀ ଧାନ ବିହନ ଆଇ.ଆର‌୍‌-୮, ଯାହା ଭାରତ ସମେତ ଏସିଆ ଓ ବିଶ୍ବର ଅନେକ ଧାନ ଉତ୍ପ‌ାଦନକାରୀ ଦେଶରେ ସବୁଜ ବିପ୍ଳବ ସମ୍ଭବ କରାଇଥିଲା। ଅୟସସାଧ୍ୟ ଗବେଷଣା ପରେ ଆନ୍ତର୍ଜାତିକ ଧାନ ଗବେଷଣା ପ୍ରତିଷ୍ଠାନ ଦ୍ବାରା ୧୯୬୬ ନଭେମ୍ବରରେ ବାହାର କରାଯାଇଥିବା ବିଶ୍ବର ପ୍ରଥମ ସଙ୍କର ଜାତୀୟ ଧାନ ବିହନ ଆଇ.ଆର‌୍‌-୮ ବାସ୍ତବରେ ଥିଲା ଏକ ଅନନ୍ୟ ଉଦ୍ଭାବନ। ଏହି ବିହନର ବ୍ୟବହାର ଫଳରେ ଧାନ ଉତ୍ପ‌ାଦନ ୩ରୁ ୪ ଗୁଣ ବୃଦ୍ଧି ପାଇଥିଲା। ଖାଦ୍ୟାଭାବ ଓ ଦୁର୍ଭିକ୍ଷର ସଫଳ ମୁକାବିଲା କରି ଏସିଆ, ଆଫ୍ରିକା ଓ ଲାଟିନ୍‌ ଆମେରିକାର ଅନେକ ଦେଶ ଖାଦ୍ୟ ଉତ୍ପ‌ାଦନ କ୍ଷେତ୍ରରେ ସ୍ବାବଲମ୍ବୀ ହେବା ଲକ୍ଷ୍ୟ ଆଡ଼କୁ ଆଗେଇ ଥିଲେ। ‘ଆଇଆର‌୍‌ଆର‌୍‌ଆଇ’ ଆନୁକୂଲ୍ୟରେ ବିଶ୍ବର କୃଷି ବିଜ୍ଞାନୀ ଓ କୃଷକ ସମାଜ ଆଇ.ଆର୍‌-୮ର ସୁବର୍ଣ୍ଣ ଜୟନ୍ତୀ ପାଳନ କରୁଛନ୍ତି। ବିଶ୍ବର ଅନେକ ଅଂଚଳ ଯେତେବେଳେ ନିୟମିତ ଦୁର୍ଭିକ୍ଷ ଓ ଖାଦ୍ୟାଭାବର ସମ୍ମୁଖୀନ ହେଉଥିଲେ ସେତେବେଳେ କୋଟି କୋଟି ବୁଭୁକ୍ଷୁଙ୍କ ମୁହଁରେ ଆହାର ଦେବାରେ ସହାୟକ ହୋଇଥିବା ଆଇ.ଆର୍‌-୮ ଧାନ ବିହନର ପ୍ରଥମେ ବ୍ୟବହାର ହୋଇଥିଲା ଫିଲିପିନ୍‌ସରେ। ବର୍ଷକ ପରେ ୧୯୬୭ରେ ଭାରତରେ ପ୍ରଥମେ ଏହାର ବ୍ୟବହାର ସବୁଜ ବିପ୍ଳବର ବୀଜ ବପନ କରିଥିଲା। ଚୀନ୍‌ର ଡିଜିଓଉ ଏବ˚ ଇଣ୍ତୋନେସିଆର ପେଟା କିସମର ବିହନରୁ ବାହାର କରାଯାଇଥିବା ସଙ୍କର ଜାତୀୟ ଆଇ.ଆର‌୍‌-୮ ବିହନର ବିଶେଷତ୍ବ ଥିଲା, ଅନ୍ୟ କିସମର ବିହନର ଫସଲ ୧୬୦ରୁ ୧୭୦ ଦିନରେ ଅମଳକ୍ଷମ ହେଉଥିବା ବେଳେ ନୂଆ ଆଇ.ଆର୍‌-୮ ବିହନର ଫସଲ ୧୩୦ ଦିନରେ ଅମଳକ୍ଷମ ହେଲା। ବନ୍ୟା ସହଣି ଏହି ବିହନରୁ ଧାନ ଅମଳ ପୂର୍ବାପେକ୍ଷା ୩ରୁ ୪ଗୁଣ ଅଧିକ ଥିଲା। ଏହି ବିହନର ରୋଗପୋକ ନିରୋଧକ ଶକ୍ତି ମଧ୍ୟ ଉଲ୍ଲେଖନୀୟ। ଆନ୍ଧ୍ରପ୍ରଦେଶର ଚାଷୀ ନେକାନ୍ତି ସୁବ୍‌ବାରାଓ ଭାରତରେ ପ୍ରଥମେ ଆଇ.ଆର୍‌-୮ ଧାନ ବିହନର ବ୍ୟବହାର କରିଥିଲେ।

ଯେଉଁ ଜମିରେ ପାରମ୍ପରିକ ବିହନରୁ ସୁବ୍‌ବାରାଓ ହେକ୍ଟର ପିଛା ମାତ୍ର ୨ ଟନ୍‌ ଅମଳ କରୁଥିଲେ, ଉନ୍ନତ କିସମ ଆଇ.ଆର‌୍‌-୮ ବିହନରୁ ସାତ ଟନ୍‌ ଧାନ ଅମଳ କଲେ। ସୁବ୍‌ବାରାଓ ନିଜ ଜମିରେ ଆଇ.ଆର୍‌-୮ ବିହନ ବ୍ୟବହାର କରିବା ସହ ଅନ୍ୟ ଚାଷୀଙ୍କୁ ମଧ୍ୟ ଏହାର ବ୍ୟବହାର ଲାଗି ଉତ୍ସାହିତ କରିଥିଲେ, ଯାହା ଧାନ ଚାଷରେ ଏକ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା। ପରବର୍ତ୍ତୀ ସମୟରେ ତାମିଲନାଡୁ ଓ ଅନ୍ୟ ରାଜ୍ୟର ଚାଷୀମାନେ ମଧ୍ୟ ଆଇ.ଆର୍‌-୮କୁ ଆପଣେଇଥିଲେ, ଯାହା ଦେଶକୁ ଖାଦ୍ୟ ଉତ୍ପ‌ାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଆଡ଼କୁ ଆଗେଇ ନେଇଥିଲା।

ଆଜି ଯଦି ଭାରତ ଘରୋଇ ଚାହିଦା ପୂରଣ କରି ବିଦେଶକୁ ଚାଉଳ ରପ୍ତାନି କରିପାରୁଛି, ତେବେ ତା’ ପଛରେ ରହିଛି ଆଇ.ଆର୍‌-୮ ବିହନର ଅବଦାନ। କେବଳ ଏକା ଭାରତ ନୁହେଁ, ଏସିଆ ମହାଦେଶର ଫିଲିପିନ୍‌ସ, ଭିଏତ୍‌ନାମ, ଚୀନ୍‌ ସମେତ ଅନେକ ଲାଟିନ୍‌ ଆମେରିକୀୟ ଓ ଆଫ୍ରିକୀୟ ଦେଶରେ ମଧ୍ୟ ଆଇ.ଆର୍‌-୮ ଧାନ ବିହନର ବ୍ୟବହାରରୁ ଚମତ୍କାର ସଫଳତା ମିଳିଛି। ଆଇ.ଆର୍‌-୮ର ସଫଳ କାହାଣୀର ଆଦ୍ୟ ନାୟକ ସୁବ୍‌ବାରାଓ ଆନ୍ଧ୍ରପ୍ରଦେଶର ଚାଷୀ ସମାଜରେ ମିଷ୍ଟର ଆଇ.ଆର‌୍‌-୮ ଓ ଧାନ ପଣ୍ତିତ ଭାବେ ପରିଚିତ। ଆଇ.ଆର୍‌-୮ ବିହନ ଯୋଗୁଁ ହେକ୍ଟର ପିଛା ୨ ଟନ୍‌ ସ୍ଥାନରେ ୮ ଟନ୍‌ ଅମଳ ପରେ ତାମିଲନାଡୁର ଜଣେ ଚାଷୀ, ତାଙ୍କ ପୁଅର ନାମ ଆଇ.ଆର୍‌ଏଟୁ ରଖିଥିଲେ। ଭିଏତ୍‌ନାମ ଓ ଫିଲିପିନ୍‌ସରେ ଆଇ.ଆର୍‌-୮ ହୋଣ୍ତା ଧାନ ନାମରେ ପରିଚିତ। କାରଣ ଚାଷୀମାନେ ଆଇ.ଆର୍‌-୮ ଧାନ ବିହନ ବ୍ୟବହାର କରି ଚାଷର ଆୟରୁ ହୋଣ୍ତା ମଟର ସାଇକେଲ କିଣି ପାରିଥିଲେ। ଗତ ପାଞ୍ଚ ଦଶକରେ ଆଇଆର୍‌-୮ ଭଳି ଆହୁରି ୩୦୦ ଉନ୍ନତ କିସମର ଅଧିକ ଅମଳକ୍ଷମ ଧାନ ବିହନ କୃଷି ଉତ୍ପ‌‌ାଦନ ବୃଦ୍ଧିରେ ସହାୟକ ହୋଇଛି। ଖାଦ୍ୟ ଉତ୍ପ‌‌ାଦନ ବୃଦ୍ଧି, ଖାଦ୍ୟାଭାବ, ଅନାହାର ତଥା ଚାଷୀଙ୍କ ମଧ୍ୟରେ ଦାରିଦ୍ର୍ୟର ମୁକାବିଲାରେ ଏକ ପ୍ରଭାବଶାଳୀ ଭୂମିକା ଗ୍ରହଣ କରିଥିବା ଆଇ.ଆର୍‌-୮ର ସଫଳ କାହାଣୀର ବ‌ାର୍ତ୍ତା ହେଲା କୃଷି କ୍ଷେତ୍ରରେ ବିଜ୍ଞାନର ପ୍ରୟୋଗ ଦ୍ବାରା ଚମତ୍କାରୀ ଫଳ ସମ୍ଭବ। ଉଭୟ ସରକାର ଓ ଚାଷୀକୁଳ କୃଷିରେ ବିଜ୍ଞାନର ପ୍ରୟୋଗ ଉପରେ ସର୍ବାଧିକ ପ୍ରାଥମିକତା ଦେବା ଉଚିତ।

ଶିଖରପୁର ଉପରସାହି, କଟକ

ସମ୍ବନ୍ଧିତ ଖବର