ସକ୍ରେଟିସ କାହିଁକି?

ଦୃଷ୍ଟିପାତ - ଧନେଶ୍ବର ସାହୁ

ଗଲା ୧୯ ତାରିଖ ଥିଲା ‘ବିଶ୍ବ ଦର୍ଶନ ଦିବସ’ (ପ୍ରତି ନଭେମ୍ବର ମାସ ତୃତୀୟ ଗୁରୁବାର), ଯେତେବେଳେ ସକ୍ରେଟିସ୍‌ ସ୍ମରଣକୁ ଆସିଗଲେ। ପ୍ରଶ୍ନ କରିପାରନ୍ତି ସକ୍ରେଟିସ୍‌ କାହିଁକି? କାରଣ ଦର୍ଶନ କ୍ଷେତ୍ରକୁ ତ ତାଙ୍କର ଅବଦାନ ପ୍ଲାଟୋ ବା ଆରିଷ୍ଟୋଟଲ ବା ଅନ୍ୟାନ୍ୟ ଦାର୍ଶନିକଙ୍କ ତୁଳନାରେ ନଗଣ୍ୟ। ପୁଣି କୌତୂହଳର ବିଷୟ ସକ୍ରେଟିସ୍‌ ନିଜେ କିଛି ଲେଖି ଯାଇନାହାନ୍ତି; ବର˚ ତାଙ୍କ ବିଷୟରେ ତଥା ତାଙ୍କ ବିଚାର ଓ ଚରିତ୍ରର ସଦ୍‌ଗୁଣ ସମ୍ପର୍କରେ ତାଙ୍କର ଅନୁଗାମୀ ପ୍ଲାଟୋ ଯାହା କିଛି ଉଲ୍ଲେଖ କରିଯାଇଛନ୍ତି। ଏହାର ଉତ୍ତର ହେଉଛି ଜୀବନ କାଳରେ ସେ ଯେଉଁ ଦାର୍ଶନିକ ଦୃଷ୍ଟିଭଙ୍ଗୀର ପରିଚୟ ଦେଇଥିଲେ ବା ଯେପରି ବୌଦ୍ଧିକ ଅନୁସନ୍ଧିତ୍ସାରେ ବ୍ରତୀ ହୋଇଥିଲେ ଅଥବା ଯେଉଁ ଅନମନୀୟ ବୌଦ୍ଧିକ ସାଧୁତାକୁ ନେଇ ଗଭୀର ଅଙ୍ଗୀକାରବଦ୍ଧ ଥିଲେ, ତାହା ତାଙ୍କୁ ଦର୍ଶନ ଜଗତ୍‌ରେ ଅମର କରି ରଖିଛି। ପ୍ଲାଟୋଙ୍କ ରଚିତ ଡାଏଲଗ୍‌ମାନ ଚିନ୍ତାରାଜ୍ୟରେ ଅନନ୍ୟ କୃତି, ଯହିଁରେ ସକ୍ରେଟିସ୍‌ ଝଲସି ଉଠନ୍ତି। କେବଳ ଜ୍ଞାନ ବା ପ୍ରଜ୍ଞା କ୍ଷେତ୍ରରେ ତାଙ୍କର ପ୍ରବେଶ ଲାଗି ନୁହେଁ, ସକ୍ରେଟିସ୍‌ ଜଣେ ଅନନ୍ୟ ବ୍ୟକ୍ତିତ୍ବ ରୂପେ ମଧୢ ସ୍ମରଣୀୟ। ସ୍ବାଧୀନ ଚିନ୍ତା, ଜ୍ଞାନ ଅନ୍ବେଷଣ, ସତ୍ୟ ପ୍ରତି ନିଷ୍ଠା ଓ ନୈତିକ ଶୃଙ୍ଖଳା ତାଙ୍କ ବ୍ୟକ୍ତିତ୍ବର ମହକ। ତାଙ୍କ ବ୍ୟକ୍ତିତ୍ବର ମହନୀୟତା ହଜାର ବର୍ଷ ଧରି ମାନବ ସମାଜକୁ ପ୍ରଭାବିତ କରିଆସିଛି। ମୃତ୍ୟୁଦଣ୍ତରେ ଦଣ୍ତିତ ହୋଇଥିବା ସକ୍ରେଟିସ୍‌ଙ୍କର ଜୀବନ କାହାଣୀ ଯେ ଏକ ରୋମାଞ୍ଚ ସୃଷ୍ଟିିକାରୀ ଇତିହାସ, ତାହା କହିବା ବାହୁଲ୍ୟ ମାତ୍ର।

ସକ୍ରେଟିସ୍‌ (ଖ୍ରୀ.ପୂ.୪୭୦-ଖ୍ରୀ.ପୂ.୩୯୯) ଥିଲେ ଜଣେ ଜ୍ଞାନପିପାସୁ ବ୍ୟକ୍ତି। ତାଙ୍କ ମହାନ ବ୍ୟକ୍ତିତ୍ବ ସମ୍ବନ୍ଧରେ ପ୍ଲାଟୋ ଯେଉଁ ମର୍ମସ୍ପର୍ଶୀ ଚିତ୍ର ଦେଇଛନ୍ତି ସେ ଦୃଷ୍ଟିରୁ ସେ ଇତିହାସରେ ଅମର ହୋଇରହିଛନ୍ତି। ଜଣେ ରକ୍ତ ମା˚ସର ମଣିଷ ଏତେ ମହନୀୟ ହୋଇପାରେ, ତାହାକୁ ନେଇ କେତେକଙ୍କ ସନ୍ଦେହ ରହିଥାଏ; ଏପରିକି ପ୍ଲାଟୋଙ୍କ ଡାଏଲଗ୍‌ମାନଙ୍କରେ ବର୍ଣ୍ଣିତ ସକ୍ରେଟିସ୍‌ ଜଣେ ଐତିହାସିକ ବ୍ୟକ୍ତି କି ନୁହେଁ, ସେ ନେଇ ପ୍ରଶ୍ନ ଉଠାଇଥାନ୍ତି। ତେବେ ପ୍ଲାଟୋଙ୍କ ବ୍ୟତୀତ ଜେନୋଫୋନ ଏକ ପୁସ୍ତକରେ ସକ୍ରେଟିସ୍‌ଙ୍କ ମହନୀୟ ବ୍ୟକ୍ତିତ୍ବର ମଧୢ ଝଲକ ଦେଇଛନ୍ତି। ଜେନୋଫୋନଙ୍କର ଦର୍ଶନ ପ୍ରତି ରୁଚି ନ ଥିଲା, ସେ ଜଣେ ସୈନିକ ଥିଲେ। ତେବେ ସକ୍ରେଟିସ୍‌ଙ୍କ ସମ୍ପର୍କରେ ଆସିବା ପରେ ତାଙ୍କ ବ୍ୟକ୍ତିତ୍ବର ସରଳତା ଓ ମହନୀୟତା ବିଷୟରେ ତାଙ୍କ ପୁସ୍ତକରେ ଉଲ୍ଲେଖ କରିଛନ୍ତି। ସକ୍ରେଟିସ୍‌ଙ୍କ ମୃତ୍ୟୁର ପନ୍ଦର ବର୍ଷ ପରେ ଜନ୍ମ ହୋଇଥିବା ଆରିଷ୍ଟୋଟଲ ବି ତାଙ୍କ ଲେଖାରେ ସକ୍ରେଟିସ୍‌ଙ୍କ ବିଚାରର ଉଲ୍ଲେଖ କରିଥିବା ଜଣାଯାଏ। ଏସବୁ ତଥ୍ୟ ଦୃଷ୍ଟିରୁ ସକ୍ରେଟିସ୍‌ ଯେ ଜଣେ ଐତିହାସିକ ବ୍ୟକ୍ତି ଏହା ସ୍ବୀକୃତ। ପ୍ଲାଟୋ ବି ଥିଲେ ଜଣେ ପ୍ରବୀଣ ଦାର୍ଶନିକ ଓ ବହୁ ପ୍ରତିଭାର ଅଧିକାରୀ। ପ୍ଲାଟୋଙ୍କ ପରି ଜଣେ ମହାନ୍‌ ଦାର୍ଶନିକ ତାଙ୍କ ଡାଏଲଗ୍‌ମାନଙ୍କରେ ସକ୍ରେଟିସ୍‌ଙ୍କୁ ଯେପରି ଚିତ୍ରଣ କରିଛନ୍ତି ସେଥିରେ କିଛି ଅତିର˚ଜନ ଥାଇପାରେ। ତେବେ ପ୍ଲାଟୋଙ୍କ ପରି ଜଣେ ମନୀଷୀଙ୍କୁ ଆଜୀବନ ପ୍ରେରଣା ଯୋଗାଇଥିବା ସକ୍ରେଟିସ୍‌ ଯେ ଜଣେ ପ୍ରଜ୍ଞାଦୀପ୍ତ ମହାନ୍‌ ବ୍ୟକ୍ତି, ଏହା ନିଶ୍ଚିତ।

ସକ୍ରେଟିସ୍‌ ସର୍ବଦା ନିଜକୁ ଅଜ୍ଞ କହୁଥିଲେ ଓ ନିଜର ଅଜ୍ଞତାକୁ ସ୍ବୀକାର କରୁଥିଲେ। ତେବେ ଯୁକ୍ତି କରିବାର କୌଶଳ କ୍ଷେତ୍ରରେ ଅଦ୍ବିତୀୟ ଥିଲେ। ତାଙ୍କ ପାଖରେ ଚମତ୍କାର ରସିକତା ରହିଥିଲା। ନିଜର ରସିକତା ଓ ବିନୟ ଦ୍ବାରା ସେ ସବୁ ଶ୍ରେଣୀର ଲୋକମାନଙ୍କ ସହ ଆଲୋଚନାରେ ସ˚ପୃକ୍ତ ହେଉଥିଲେ। ଏଥେନ୍‌ସ ସହରର ଜନଗହଳିପୂର୍ଣ୍ଣ ସ୍ଥାନମାନଙ୍କୁ ଯାଇ ଲୋକମାନଙ୍କ ସହ ଆଲୋଚନାରେ ଭାଗ ନେଉଥିଲେ। ତାଙ୍କ ଜ୍ଞାନ ଚର୍ଚ୍ଚାର ମାଧୢମ ଥିଲା ‘‘ପାରସ୍ପରିକ ଆଲୋଚନା’’। ଅତି ସାଧାରଣ ବେଶପୋଷାକ, ବନ୍ଧୁତ୍ବପୂର୍ଣ୍ଣ ବ୍ୟବହାର, କିଛି ବ୍ୟଙ୍ଗପୂର୍ଣ୍ଣ ହାସ୍ୟ ରସ ଇତ୍ୟାଦି ଯୋଗୁଁ ଅନ୍ୟମାନେ ତାଙ୍କ ପାଖକୁ ଆକର୍ଷିତ ହୋଇ ଆସୁଥିଲେ। ମନୁଷ୍ୟର ମୁକ୍ତ ଚିନ୍ତନ ଓ ସତ୍ୟାନୁସନ୍ଧାନ ପାଇଁ ସେ ଯୁବକମାନଙ୍କୁ ଗଭୀର ଭାବରେ ପ୍ରଭାବିତ କରୁଥିଲେ। ମନୁଷ୍ୟ କିପରି ସୁଖ ଶାନ୍ତିରେ ଜୀବନ ବଞ୍ଚିବ?, କି ପ୍ରକାର ଜୀବନ ଏକ ଉତ୍ତମ ଜୀବନ?, କ’ଣ ଲାଭ କଲେ ମଣିଷ ସୁଖୀ ହେବ?, ସତ୍ୟ, ନ୍ୟାୟ, ସୌନ୍ଦର୍ଯ୍ୟର ସ˚ଜ୍ଞା କ’ଣ ହୋଇପାରେ?: ଏହିପରି ବିଭିନ୍ନ ପ୍ରଶ୍ନ ସେ ତାଙ୍କ ଆଲୋଚନା ବେଳେ ଉଠାଉଥିଲେ। ନିଜକୁ ଅଜ୍ଞ ବୋଲି କହି ନିଜର ବିନୟ ଭାବ ପ୍ରକାଶ କରୁଥିବା ସକ୍ରେଟିସ୍‌ ବିଭିନ୍ନ ଆତ୍ମଘୋଷିତ ଜ୍ଞାନୀ ଓ ପ୍ରାଜ୍ଞଙ୍କ ସହ ଆଲୋଚନା ବେଳେ ସେମାନଙ୍କ ପାଖରୁ ଯାହା ଶୁଣନ୍ତି ତହିଁରୁ ପ୍ରସଙ୍ଗ ନେଇ ସେମାନଙ୍କୁ ପ୍ରଶ୍ନ କରନ୍ତି। ଏହି ପ୍ରଶ୍ନ କରିବା ଭିତରେ ସେମାନଙ୍କ ଚିନ୍ତାର ବିରୋଧାଭାସ ସହଜରେ ପ୍ରକାଶ ପାଇଥାଏ। ଦେଖାଯାଏ, ଜଣେ ସତ୍ୟ, ନ୍ୟାୟ, ଉତ୍ତମ ଜୀବନ ଇତ୍ୟାଦି ବିଷୟରେ ପ୍ରଥମେ ଯାହା କହିଥାନ୍ତି, କେତୋଟି ପ୍ରଶ୍ନ ପରେ ତା’ର ବିପରୀତ କଥା ବ୍ୟକ୍ତ କରନ୍ତି। ଲୋକମାନଙ୍କର ଚିନ୍ତାଧାରାର ବିରୋଧାଭାସକୁ ସେ ସହଜରେ ପଦାକୁ ଆଣନ୍ତି। ଏହି ବାର୍ତ୍ତାଳାପରୁ ଜ୍ଞାନୀ ବ୍ୟକ୍ତିଙ୍କ ଅଜ୍ଞତା ଧରାପଡ଼େ। ଏଥେନ୍‌ସରେ ସକ୍ରେଟିସ୍‌ ଯେଉଁଆଡ଼େ ଯାଉଥିଲେ ତାଙ୍କ ବ୍ୟକ୍ତିତ୍ବ ଓ ପ୍ରଜ୍ଞାର ଚୁମ୍ବକରେ ଆକର୍ଷିତ ହୋଇ ଯୁବକମାନେ ତାଙ୍କ ପାଖକୁ ଆସୁଥିଲେ ଓ ଆଲୋଚନା ଭିତରେ ତାଙ୍କ ଠାରୁ ପ୍ରେରଣା ଲାଭ କରୁଥିଲେ।

ସକ୍ରେଟିସ୍‌ଙ୍କ ମାଆ ଥିଲେ ଧାଈ। ସକ୍ରେଟିସ୍‌ ବି ନିଜକୁ ଜଣେ ଧାଈ ମନେ କରୁଥିଲେ। ଜଣେ ଧାଈ ସନ୍ତାନ ପ୍ରସବରେ ସାହାଯ୍ୟ କରନ୍ତି ଓ ଅନ୍ୟର ଗର୍ଭ ଯନ୍ତ୍ରଣାକୁ ଦୂର କରନ୍ତି। ସକ୍ରେଟିସ୍‌ଙ୍କ ଦାର୍ଶନିକ ପ୍ରଣାଳୀକୁ କୁହାଯାଏ ‘ପ୍ରସବ-କରଣ ପ୍ରଣାଳୀ’। କାରଣ, ଜଣେ ବ୍ୟକ୍ତିଙ୍କର ମାନସିକ ଯନ୍ତ୍ରଣା ଲାଘବ କରିବାରେ ସେ ସାହାଯ୍ୟ କରନ୍ତି। ମଣିଷ ଯେତେବେଳେ ନିଜ ଅଜ୍ଞତା ନେଇ ସଚେତନ ହୁଏ, ତା’ପାଖରେ ଜିଜ୍ଞାସା ଜାତ ହୁଏ। ସେହି ସମୟରେ ବୌଦ୍ଧିକ ସ୍ପଷ୍ଟତା ନ ମିଳିଲେ ମନ ଅଶାନ୍ତ ଓ ଉଦ୍‌ବେଳିତ ହୁଏ। ସେତିକି ବେଳେ ସକ୍ରେଟିସ୍‌ ଆଲୋଚନା ମାଧୢମରେ ତାଙ୍କ ମନରୁ ଅଶାନ୍ତି ଦୂର କରନ୍ତି; ବୌଦ୍ଧିକ ସ୍ପଷ୍ଟତା ପ୍ରଦାନ କରନ୍ତି; ସତ୍ୟ ପ୍ରତିଷ୍ଠା କରିବାରେ ସହଯୋଗ କରନ୍ତି ଓ ବୌଦ୍ଧିକ ଜିଜ୍ଞାସା ସୃଷ୍ଟି କରାନ୍ତି।

ସକ୍ରେଟିସ୍‌ଙ୍କ ଜୀବନର ଏକ ଲକ୍ଷ୍ୟ ଥିଲା ସମାଜରେ ସଦ୍‌ଗୁଣର ପ୍ରସାର କରିବା ଓ ଲୋକଚରିତ୍ରକୁ ଉନ୍ନତ କରିବା। ଏହା ଦ୍ବାରା ଜୀବନର ଗୁଣାତ୍ମକ ମାନରେ ଉନ୍ନତି ଆସିବା ସହ ସମାଜ ଏକ ଉନ୍ନତ ସ୍ଥିତିକୁ ଯାଇପାରିବ ବୋଲି ସେ ବିଶ୍ବାସ କରୁଥିଲେ। ସେ କହୁଥିଲେ ଯେ ‘knowledge is virtue’ ଅର୍ଥାତ୍‌ ଜ୍ଞାନ ହେଉଛି ସଦ୍‌ଗୁଣ। ଏ ନେଇ ଲୋକେ ସ୍ପଷ୍ଟ ହେବା ଆବଶ୍ୟକ। ସମାଜରେ ଯଦି ଅନୀତି, ଅନ୍ୟାୟ, ଅମାନବିକତା ଇତ୍ୟାଦି ସୃଷ୍ଟି ହେଉଛି ଏହାର କାରଣ ହେଉଛି ଲୋକମାନେ ନୀତି, ନ୍ୟାୟ ଇତ୍ୟାଦି ବିଷୟରେ ସ୍ପଷ୍ଟ ଧାରଣା ରଖିନାହାନ୍ତି। ତେଣୁ ପ୍ରଥମେ ସତ୍ୟ ଓ ନୀତି ବିଷୟରେ ସ୍ପଷ୍ଟତା ଆସିବା ଦରକାର। ସଦ୍‌ଗୁଣର ଜ୍ଞାନ ରହିଲେ ଜଣେ ତାର ପରିପାଳନ କରିବ। ସୁତରା˚, ତାଙ୍କର ବିଶ୍ବାସ ଥିଲା ଯେ ସଦ୍‌ଗୁଣର ପ୍ରେରଣା ଜ୍ଞାନରୁ ଆସିଥାଏ।

ସତ୍ୟ ଓ ସଦ୍‌ଗୁଣର ପ୍ରତୀକ ଥିବା ସକ୍ରେଟିସ୍‌ଙ୍କ ସହ କିଛି ଲୋକଙ୍କର ଶତ୍ରୁତା ସୃଷ୍ଟି ହୋଇଥିଲା। ବ୍ୟକ୍ତିଗତ ଭାବରେ ସେ କାହା ସହ କଳହ କରିନଥିଲେ। ଯୁବକମାନଙ୍କ ଭିତରେ ସ୍ବାଧୀନ ଚିନ୍ତା ଓ ବିଚାରଶୀଳତାର ପ୍ରସାର କରାଉଥିବାରୁ ରାଜନୈତିକ ଲୋକମାନେ ତାଙ୍କୁ ବିପଦ ବୋଲି ମନେ କରୁଥିଲେ। ନିଜକୁ ବିଜ୍ଞ ବୋଲି ମଣୁଥିବା ଲୋକମାନେ ସକ୍ରେଟିସ୍‌ଙ୍କ ଠାରେ ଦୁର୍ବଳ ପଡୁଥିବାରୁ ଅନ୍ତରରେ ତାଙ୍କ ପ୍ରତି ଅସହିଷ୍ଣୁ ହେଉଥିଲେ। ସେତେବେଳେ ଏଥେନ୍‌ସରେ ଗଣତନ୍ତ୍ର ରହିଥିଲେ ବି ପ୍ରଭାବଶାଳୀ ଓ ପ୍ରତିପତ୍ତିଶାଳୀ ବ୍ୟକ୍ତିମାନେ ଶାସନକୁ ନିୟନ୍ତ୍ରଣ କରୁଥିଲେ। ଘଟଣାକ୍ରମେ କିଛି ବ୍ୟକ୍ତି ତାଙ୍କ ବିରୋଧରେ ଅଭିଯୋଗ ଆଣିଲେ ଯେ ସେ ଏଥେନ୍‌ସର ଯୁବ ସମାଜକୁ ବିପଥଗାମୀ କରୁଛନ୍ତି, ନଗରର ଜନଗଣ ଯେଉଁ ଦେବତାମାନଙ୍କୁ ଆରାଧନା କରୁଛନ୍ତି; ସେ ସେହି ଦେବତାମାନଙ୍କୁ ସ୍ବୀକାର କରୁନାହାନ୍ତି ଓ ତାଙ୍କ ପରିକଳ୍ପିତ ଦେବତାମାନଙ୍କ ବିଷୟରେ ପ୍ରଚାର କରୁଛନ୍ତି। ବିଚାର ପ୍ରକ୍ରିୟାରେ ସେ ଦୋଷୀ ସାବ୍ୟସ୍ତ ହେଲେ। ନିୟମାନୁଯାୟୀ ଅଭିଯୋଗକାରୀ ତାଙ୍କୁ ମୃତ୍ୟୁଦଣ୍ତ ଦେବାକୁ କହିଲେ। ତେବେ ସକ୍ରେଟିସ୍‌ ଯଦି ନିଜର ଭୁଲ ପାଇଁ ଅନୁତପ୍ତ ବୋଲି କହିଥାନ୍ତେ, କିଛି ଜୋରିମାନା ଦେବାକୁ ରାଜି ହୋଇଥାନ୍ତେ କିମ୍ବା ଦେଶାନ୍ତର ଗମନ କରିବାକୁ ରାଜି ଥାଆନ୍ତେ, ତେବେ ତାଙ୍କ ବିରୋଧୀମାନେ ସନ୍ତୁଷ୍ଟ ହୋଇଥାନ୍ତେ। ସକ୍ରେଟିସ୍‌ ଜାଣିଥିଲେ ଯେ ଏ ସବୁ କରିବାର ଅର୍ଥ ସେ ଭୁଲ କହୁଛନ୍ତି ବୋଲି ସ୍ବୀକାର କରିବା। ବିଚାରାଳାୟରେ ସେ ନିଜ ପାଇଁ ଲଢ଼ିଥିଲେ ଓ ତାଙ୍କର ଯୁକ୍ତି, ଦୃଢ଼ତା ଓ ଅନମନୀୟତା ବିଚାରକଙ୍କୁ ବିରକ୍ତ କଲା। ଶେଷରେ ସେ ମୃତ୍ୟୁଦଣ୍ତ ପାଇଲେ।

ମୃତ୍ୟୁଦଣ୍ତ କାର୍ଯ୍ୟକାରୀ ହେବା ପୂର୍ବରୁ ବନ୍ଦୀଶାଳାରେ ତାଙ୍କୁ ଗୋଟିଏ ମାସ ରଖାଗଲା। ଏହି ସମୟ କାଳରେ ତାଙ୍କର ପ୍ରିୟ ଅନୁଗାମୀ କ୍ରିଟୋ ଜଗୁଆଳିମାନଙ୍କୁ ଲୋଭ ଦେଖାଇ ସକ୍ରେଟିସ୍‌ଙ୍କୁ ବାହାରକୁ ପଠାଇଦେବାକୁ ସମସ୍ତ ଯୋଜନା କରିଥିଲେ। କ୍ରିଟୋଙ୍କର ଏହି ପ୍ରସ୍ତାବକୁ ସେ ଗ୍ରହଣ କଲେ ନାହିଁ। ତାଙ୍କର ଯୁକ୍ତି ଥିଲା ଯେ ସେ ଅପରାଧୀ ନ ହୋଇପାରନ୍ତି, କିନ୍ତୁ ଆଇନ ପ୍ରତି ତାଙ୍କର ସମସ୍ତ ସମ୍ମାନ ରହିଛି। ଏକ ମାସ ପରେ ବିଷ ଦେଇ ତାଙ୍କ ମୃତ୍ୟୁଦଣ୍ତକୁ କାର୍ଯ୍ୟକାରୀ କରାଯାଇଥିଲା। ପ୍ଲାଟୋ ସକ୍ରେଟିସ୍‌ଙ୍କର ବନ୍ଦୀ ଜୀବନ ଓ ମୃତ୍ୟୁ ବିଷୟ ‘ଫାଇଡୋ’ ଡାଏଲଗ୍‌ରେ ଯେପରି ଭାବଗର୍ଭକ ଭାବରେ ବର୍ଣ୍ଣନା କରିଛନ୍ତି, ତାହା ବିଶ୍ବ ସାହିତ୍ୟରେ ଏକ ଅମୂଲ୍ୟ କୃତି। ପ୍ଲାଟୋ ତାଙ୍କର ଜୀବନ, ଦର୍ଶନ, ଯୁକ୍ତି ଓ ଶେଷ ମୁହୂର୍ତ୍ତର ଉପଲବ୍‌ଧିକୁ ତାଙ୍କ କଲମ ମୁନରେ ଜୀବନ୍ତ କରିଛନ୍ତି। ବିଶ୍ବ ଇତିହାସରେ ସକ୍ରେଟିସ୍‌ ହେଉଛନ୍ତି ପ୍ରଜ୍ଞା ଓ ନୈତିକତାର ଏକ କୀର୍ତ୍ତିସ୍ତମ୍ଭ।

ଅବସରପ୍ରାପ୍ତ ପ୍ରାଧ୍ୟାପକ,
ଏ-୧୨, ଭାଗୀରଥି ବିହାର, ଢେଙ୍କାନାଳ
ମୋ: ୯୪୩୮୫୪୭୮୯୫

ସମ୍ବନ୍ଧିତ ଖବର