ସୁପ୍ରିମ କୋର୍ଟ ଏକ ଅତି ଗୁରୁତ୍ବପୂର୍ଣ୍ଣ ରାୟରେ ନିର୍ଦ୍ଦେଶ ଦେଇଛନ୍ତି ଯେ, ରାଜ୍ୟମାନଙ୍କର ବିନା ସମ୍ମତିରେ କେନ୍ଦ୍ର ସରକାର ସି.ବି.ଆଇ.ର କାର୍ଯ୍ୟ ପରିସରକୁ କୌଣସି ରାଜ୍ୟକୁ ବିସ୍ତାରିତ କରିପାରିବେ ନାହିଁ ା ଏ ଧରଣର ଏକ ନିର୍ଦ୍ଦେଶନାମା ଦାବି କରି ସୁପ୍ରିମ କୋର୍ଟରେ ପଶ୍ଚିମବଙ୍ଗ, କେରଳ, ମହାରାଷ୍ଟ୍ର, ମିଜୋରାମ, ପଞ୍ଜାବ, ରାଜସ୍ଥାନ, ଝାଡ଼ଖଣ୍ତ ଆଦି ରାଜ୍ୟମାନେ ଏକ ମାମଲା ଆଗତ କରିଥିଲେ। ୨୦୧୮ରେ ଯେତେବେଳେ ତେଲେଗୁ ଦେଶମ ଦଳ ଏନ.ଡି.ଏ. ମେଣ୍ଟରୁ ଓହରି ଗଲା, ସେତେବେଳେ କାଳେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ସି.ବି.ଆଇ.କୁ ଲଗାଇ ଚନ୍ଦ୍ରବାବୁ ନାଇଡୁଙ୍କ ସରକାରକୁ ହଇରାଣ ହରକତ କରିବେ, ସେଥିପାଇଁ ତଦାନୀନ୍ତନ ଆନ୍ଧ୍ର ସରକାର, ସେ ରାଜ୍ୟକୁ ସି.ବି.ଆଇ.କୁ ପଶିବାକୁ ମନା କରିଦେଇଥିଲେ। ସେହିପରି ପାଖାପାଖି ସେତିକି ବେଳେ ଶାରଦା ଚିଟ୍ଫଣ୍ତ୍ ଦୁର୍ନୀତି ମାମଲାରେ ଅଭିଯୁକ୍ତ ତଦାନୀନ୍ତନ କଲିକତାର ପୁଲିସ କମିସନରଙ୍କୁ ଗିରଫ କରିବା ପାଇଁ ସି.ବି.ଆଇ.ର ଏକ ଗୋଷ୍ଠୀ କଲିକତା ଯାଇଥିଲା ବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ପଶ୍ଚିମବଙ୍ଗ ପୁଲିସ ଏହି କେନ୍ଦ୍ରୀୟ ଗୋଷ୍ଠୀକୁ ଅଟକ ରଖି ସେମାନଙ୍କୁ ଗିରଫ କରିବାକୁ ଚେଷ୍ଟା କରିଥିଲା। ସେମାନେ କଲିକତା ପୁଲିସ କମିସନରଙ୍କୁ ମଧ୍ୟ ଗିରଫ ହେବାକୁ ଦେଲେନାହିଁ। ସେହିପରି ରାଜସ୍ଥାନ ଇତ୍ୟାଦି ବିରୋଧୀ ଦଳ ଶାସିତ ରାଜ୍ୟମାନେ ସି.ବି.ଆଇ.କୁ ସେମାନଙ୍କ ରାଜ୍ୟକୁ ଅନୁସନ୍ଧାନ ପାଇଁ ପ୍ରବେଶ କରିବାକୁ ଦେଉନାହାନ୍ତି। ଅଥଚ, ରାଜ୍ୟମାନେ ସାଧାରଣ ଭାବରେ ସି.ବି.ଆଇ.କୁ ସେମାନଙ୍କ ରାଜ୍ୟରେ ପ୍ରବେଶ କରି ଅନୁସନ୍ଧାନ କରିବାକୁ ଅନୁମତି ଦେଇଥାନ୍ତି। ଏଣୁ ପ୍ରଶ୍ନ ଉଠୁଛି, ଏକ କେନ୍ଦ୍ରୀୟ ସ˚ସ୍ଥା ସି.ବି.ଆଇ., ସ୍ବାଧୀନ ଭାବରେ ଗୋଟିଏ ରାଜ୍ୟ ମଧ୍ୟରେ ପ୍ରବେଶ କରି ଅନୁସନ୍ଧାନ କରିପାରିବ ନା ନାହିଁ! ଏଠାରେ ଏ ପ୍ରଶ୍ନ ଅତି ପ୍ରାସଙ୍ଗିକ ହୋଇପଡୁଛି କାରଣ ଆଇନଶୃଙ୍ଖଳା ରକ୍ଷା ହେଉଛି ରାଜ୍ୟ ସରକାରଙ୍କ ଦାୟିତ୍ବ ଓ ରାଜ୍ୟ ସରକାରମାନଙ୍କର କାର୍ଯ୍ୟ ତାଲିକାରେ ଏହି ବିଭାଗ ଅଛି। କେନ୍ଦ୍ର ସରକାରଙ୍କର କାର୍ଯ୍ୟ ତାଲିକାରେ ଏହା ନାହିଁ।
ସି.ବି.ଆଇ. ଭାରତରେ ଏକ ଅତ୍ୟନ୍ତ ବିଶ୍ବାସଯୋଗ୍ୟ ସ˚ସ୍ଥା ଅଟେ। ଅତି ସାଧାରଣ ଘଟଣାରେ, ଅର୍ଥାତ୍, ପଞ୍ଚାୟତ ସ୍ତରୀୟ ଘଟଣାରେ ସି.ବି.ଆଇ. ତଦନ୍ତ ହେଉ ବୋଲି ସାଧାରଣ ଜନତା ଦାବି କରିବସିଥାନ୍ତି। ପୁଣି ଯେତେବେଳେ ସ୍ଥାନୀୟ ପୁଲିସ ଉପରେ ଜନସାଧାରଣଙ୍କର ବିଶ୍ବାସ ନଥାଏ ଓ ସ୍ଥାନୀୟ ପୁଲିସ ପକ୍ଷପାତିତ୍ବ କରୁଛନ୍ତି ଓ ଅନ୍ୟାୟ ଅତ୍ୟାଚାର କରୁଛନ୍ତି ବୋଲି ଜନସାଧାରଣଙ୍କର ଧାରଣା ହୁଏ, ସେତେବେଳେ ସେମାନେ ଘଟଣାର ସି.ବି.ଆଇ. ତଦନ୍ତ ହେଉ ବୋଲି ଦାବି କରିବସିଥାନ୍ତି। ନିଜ ମୁଣ୍ତ ଉପରୁ ବୋଝ ଖସାଇ ନିଜକୁ ନିର୍ଦୋଷ ବୋଲି ପ୍ରମାଣିତ କରିବାକୁ କେତେକ ରାଜ୍ୟ ସରକାରମାନେ ଘଟଣାର ତଦନ୍ତ ଦାୟିତ୍ବ ସି.ବି.ଆଇ.କୁ ହସ୍ତାନ୍ତର କରିଥାନ୍ତି। ସାଧାରଣତଃ ଦୁର୍ନୀତି ଓ ଅପରାଧମୂଳକ କାର୍ଯ୍ୟର ଅନୁସନ୍ଧାନ ସି.ବି.ଆଇ. କରିଥାଏ।
ତେବେ ଯେତେବେଳେ କେବଳ ରାଜ୍ୟ ସରକାର ନିର୍ଦ୍ଦେଶ ଦିଅନ୍ତି ବା କେନ୍ଦ୍ର ସରକାର ନିର୍ଦ୍ଦେଶ ଦିଅନ୍ତି ଅବା ଅଦାଲତ ଆଦେଶ ଦିଅନ୍ତି, ସେତେବେଳେ ସି.ବି.ଆଇ. ତଦନ୍ତ କରିବା ପାଇଁ ଅଧିକୃତ ହୋଇଥାଏ। କେନ୍ଦ୍ର ସରକାର ମଧ୍ୟ ସାଧାରଣତଃ ରାଜ୍ୟ ସରକାରଙ୍କର ବିନା ଅନୁମତିରେ ସି.ବି.ଆଇ. ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇନଥାନ୍ତି। ଓଡ଼ିଶାକୁ ଦୃଷ୍ଟାନ୍ତ ହିସାବରେ ନେଲେ, ଏଠାରେ ଯେଉଁ ଖଣି ଦୁର୍ନୀତି ହୋଇଥିଲା, ସେଥିପାଇଁ ଶାହା କମିସନ ସି.ବି.ଆଇ. ତଦନ୍ତର ସୁପାରିସ କରିଥିଲେ ମଧ୍ୟ, ରାଜ୍ୟ ସରକାର ଅନୁମତି ନଦେବାରୁ ଏହି ତଦନ୍ତ ହୋଇ ପାରିଲା ନାହିଁ। ଓଡ଼ିଶାରେ ଚିଟ୍ଫଣ୍ତ ଦୁର୍ନୀତିର ସି.ବି.ଆଇ. ତଦନ୍ତ ପାଇଁ ପ୍ରଥମେ ରାଜ୍ୟ ସରକାର ଅନୁମତି ନଦେଇଥିଲେ ମଧ୍ୟ, ପରେ ସୁପ୍ରିମ କୋର୍ଟଙ୍କ ନିର୍ଦ୍ଦେଶ ବଳରେ ଏହି ତଦନ୍ତ ଆରମ୍ଭ ହୋଇଥିଲା।
ସୁପ୍ରିମ କୋର୍ଟ, ରାଜ୍ୟମାନଙ୍କର ଆପତ୍ତିକୁ ନେଇ ଯେଉଁ ରାୟ ଦେଇଛନ୍ତି ସେଥିରେ ସ˚ଘୀୟ ବ୍ୟବସ୍ଥାକୁ ସ୍ବୀକୃତି ଦିଆଯାଇଛି ଓ କେନ୍ଦ୍ର ସରକାର ସବୁ କ୍ଷେତ୍ରରେ ଆଧିପତ୍ୟ ବିସ୍ତାର କରିବା ତଥା ରାଜ୍ୟମାନଙ୍କର ନିଜ ସ୍ବାୟତ୍ତତା ରକ୍ଷା କରିବା ମଧ୍ୟରେ ଗୋଟିଏ ଲକ୍ଷ୍ମଣ ରେଖା ଟାଣି ଦେଇଛନ୍ତି। ସୁପ୍ରିମ କୋର୍ଟ, କେନ୍ଦ୍ର ସରକାର ସି.ବି.ଆଇ. କ୍ଷମତାର ଦୁରୁପଯୋଗ କରିବା, ରାଜ୍ୟମାନଙ୍କୁ ଏହି ସ˚ସ୍ଥା ମାଧ୍ୟମରେ ଡରାଇବା, ଧମକାଇବା ଓ ସମ୍ବିଧାନରେ ରାଜ୍ୟମାନଙ୍କୁ ନିଜ ଅଧିକାର ରକ୍ଷା କରିବାର ଯେଉଁ ଅଧିକାର ଦିଆଯାଇଛି, ତାହା ସ୍ପଷ୍ଟ କରିଦେଇଛନ୍ତି। ଏହାଦ୍ବାରା ସମ୍ବିଧାନର ମୂଳ ଉଦ୍ଦେଶ୍ୟକୁ ରକ୍ଷା କରାଯାଇଛି। କେନ୍ଦ୍ର ଓ ରାଜ୍ୟ ଏହି ସମ୍ପର୍କର କିଏ କ’ଣ କରିପାରିବେ, ସେ ସମ୍ବନ୍ଧରେ ସ୍ପଷ୍ଟ କରିଦେଇଛନ୍ତି। କେନ୍ଦ୍ର ଓ ଅନୁସନ୍ଧାନ ହେବାକୁ ଥିବା ରାଜ୍ୟ, ଉଭୟଙ୍କର ସହମତି ବିନା ସି.ବି.ଆଇ. ତଦନ୍ତ ହୋଇପାରିବ ନାହିଁ ବୋଲି ଏହି ରାୟରେ ସ୍ପଷ୍ଟ କରାଯାଇଛି।
ବର୍ତ୍ତମାନ ପର୍ଯ୍ୟନ୍ତ, ଯଦି ସୁପ୍ରିମ କୋର୍ଟ କୌଣସି ନିର୍ଦ୍ଦିଷ୍ଟ ମାମଲାର ସର୍ବଭାରତୀୟ ତଦନ୍ତ ପାଇଁ ସି.ବି.ଆଇ.କୁ ଆଦେଶ ଦିଅନ୍ତି ତେବେ ଏହି ସ˚ସ୍ଥା ରାଜ୍ୟ ପ୍ରତିବାଦକୁ ଅଗ୍ରାହ୍ୟ କରି ତଦନ୍ତ ଆରମ୍ଭ କରିପାରନ୍ତି, ଯେମିତି ପଶ୍ଚିମବ˚ଗର କଲିକତା ପୁଲିସ କମିସନରଙ୍କ କ୍ଷେତ୍ରରେ ହୋଇଥିଲା। ସେଠାରେ ପଶ୍ଚିମବ˚ଗ ସରକାରଙ୍କ ବିରୋଧ ସତ୍ତ୍ବେ ଶାରଦା ଚିଟ୍ଫଣ୍ତ୍ ଦୁର୍ନୀତିର ସି.ବି.ଆଇ. ତଦନ୍ତ ହୋଇଥିଲା।
ସୁପ୍ରିମ କୋର୍ଟରେ ମାମଲା ଆଗତ କରି ବିରୋଧୀ ଦଳ ଶାସିତ ରାଜ୍ୟମାନେ ଯୁକ୍ତି ବାଢ଼ିଥିଲେ, କେନ୍ଦ୍ର ସରକାର ବିରୋଧୀ ଦଳର ରାଜ୍ୟ ସରକାର ଓ କେତେକ ବିରୋଧୀ ଦଳର ନେତାମାନଙ୍କ ବିରୋଧରେ ପ୍ରତିହି˚ସା ନେବା ପାଇଁ ସି.ବି.ଆଇ.କୁ ବ୍ୟବହାର କରୁଛନ୍ତି। ମୋଟ ଉପରେ କହିବାକୁ ଗଲେ, କେନ୍ଦ୍ର ସରକାରମାନେ ଅତୀତରେ ସି.ବି.ଆଇ. କ୍ଷମତାର ଦୁରୁପଯୋଗ କରି ଆସିଛନ୍ତି ବୋଲି ସୁପ୍ରିମ କୋର୍ଟର ଧାରଣା। ମନମୋହନ ସି˚ହଙ୍କ କ˚ଗ୍ରେସ ସରକାର କ୍ଷମତାରେ ଥିଲାବେଳେ ଥରେ ସି.ବି.ଆଇ. ପ୍ରତି କଠୋର ମନ୍ତବ୍ୟ ଦେଇ ସୁପ୍ରିମ କୋର୍ଟ କହିଥିଲେ ଯେ, ଏହା ହେଉଛି ‘ପଞ୍ଜୁରି ଭିତରର ଶାରୀ’। ଅର୍ଥାତ୍ ପଞ୍ଜୁରିର ମାଲିକ ଯାହା କହୁଛି, ଶାରୀ କେବଳ ସେଇଆକୁ ଅନୁକରଣ କରୁଛି। ଏଣୁ ଏହି ପଦ୍ଧତିକୁ ପରିବର୍ତ୍ତନ କରି ସି.ବି.ଆଇ.ର ‘ଅଣରାଜନୀତୀକରଣ’ ହେବା ଉଚିତ ବୋଲି ମତ ଦେଇଛନ୍ତି।
ସି.ବି.ଆଇ. ରାଜନୀତୀକରଣର ଅନେକ ଉଦାହରଣମାନ ରହିିଛି। ଅତୀତରେ ସରକାରମାନେ ଏହି ସ˚ସ୍ଥା ମାଧ୍ୟମରେ ଜନସାଧାରଣମାନଙ୍କୁ ନ୍ୟାୟ ନଦେଇ, ଏହାର କ୍ଷମତାକୁ ଅନ୍ୟକୁ ହଇରାଣ ହରକତ କରିବା, ଧମକ ଦେବା ଆଦି କାର୍ଯ୍ୟରେ ବ୍ୟବହାର କରିଛନ୍ତି। ବାସ୍ତବରେ କେନ୍ଦ୍ର ସରକାରମାନେ ସି.ବି.ଆଇ.ର ବାସ୍ତବ କ୍ଷମତାକୁ ସ˚କୁଚିତ କରି ଏହି ସ˚ସ୍ଥା ଉପରେ ସେମାନଙ୍କର କ୍ଷମତାକୁ ବୃଦ୍ଧି କରିଛନ୍ତି। ଏହି ସ˚ସ୍ଥା ମାଧ୍ୟମରେ ବିରୋଧୀ ଦଳ ସରକାରଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗମାନଙ୍କୁ ବଢ଼ାଇ ଅବା କମାଇ ସେମାନଙ୍କୁ ନିଜ ନିୟନ୍ତ୍ରଣରେ ରଖାଯାଇଛି। ସି.ବି.ଆଇ.ର ଧମକ ଦେଖାଇ ଆଞ୍ଚଳିକ ଦଳମାନଙ୍କୁ ମେଣ୍ଟ କରିବା ପାଇଁ ବାଧ୍ୟ କରାଯାଇଛି। ମୁଲାୟମ ସି˚ହ ଯାଦବ, ମାୟାବତୀ ଆଦି ନେତା ଓ ନେତ୍ରୀମାନେ ସେଥିପାଇଁ ବିଭିନ୍ନ ପ୍ରକାର ମେଣ୍ଟମାନଙ୍କରେ ଯୋଗ ଦେଇଛନ୍ତି ଅବା ମେଣ୍ଟ ଛାଡ଼ିଛନ୍ତି। ସେମାନେ ରାଜନୀତିରେ ବଞ୍ଚି ରହିବା ପାଇଁ ଏପରି କରିବାକୁ ବାଧ୍ୟ ହୋଇଛନ୍ତି। ଯେତେବେଳେ କୌଣସି ସି.ବି.ଆଇ. ଅଫିସର କୌଣସି ରାଜନୈତିକ ବ୍ୟକ୍ତିଙ୍କର ଅନ୍ୟାୟ, ଆପରାଧିକ କାର୍ଯ୍ୟକୁ ପଦାରେ ପକାଇବା ଅବସ୍ଥାକୁ ଆସିଛନ୍ତି, ସେତେବେଳେ ତାଙ୍କୁ ଧିମେଇ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି।
ଆଗାମୀ ଦିନମାନଙ୍କରେ ଆସିବାକୁ ଥିବା ସରକାରମାନେ ହୁଏତ, ସି.ବି.ଆଇ.ର ଏହି ଅବସ୍ଥାକୁ ବଦଳାଇ ଦେଇପାରନ୍ତି। ଆହୁରି ଏକ ସମସ୍ୟା ହେଲା, ଯଦି ରାଜ୍ୟ ସରକାରମାନେ ସି.ବି.ଆଇ.କୁ ଅନୁସନ୍ଧାନ ପାଇଁ ଅନୁମତି ନଦିଅନ୍ତି ତେବେ ସେହି ରାଜ୍ୟରେ ଥିବା କେନ୍ଦ୍ର ସରକାରଙ୍କ ଅଫିସ, ସରକାରୀ ଉଦ୍ୟୋଗ, ବ୍ୟାଙ୍କ୍ମାନଙ୍କ ସମ୍ପର୍କରେ ଅନୁସ˚ଧାନ କରିବା କଷ୍ଟକର ହେବ। ଏମାନେ କେନ୍ଦ୍ର ସରକାରଙ୍କ ସ˚ସ୍ଥା ହୋଇଥିବାରୁ ସେମାନଙ୍କ ସମ୍ପର୍କରେ ସି.ବି.ଆଇ.ର ତଦନ୍ତ କରିବାର ଅଧିକାର ରହିବା କଥା। ଆହୁରି ଏକ ସମସ୍ୟା ହେଲା, ଦୁର୍ନୀତି ଓ ଅପରାଧ ସମ୍ପର୍କରେ ଯେଉଁ ଅଧିକାରୀଙ୍କ ଉପରେ ସନ୍ଦେହ ସୃଷ୍ଟି ହୋଇଛି, ଯଦି ସେହି ଅଧିକାରୀଙ୍କ ବିରୋଧରେ ତଦନ୍ତ ପାଇଁ ସି.ବି.ଆଇ.କୁ ରାଜ୍ୟମାନେ ସ୍ବୀକୃତି ପ୍ରଦାନ କରିବାରେ ବିଳମ୍ବ କରନ୍ତି, ତେବେ ଅଧିକାରୀଜଣକ ସବୁ ପ୍ରମାଣମାନଙ୍କୁ ସମୟର ସୁଯୋଗ ନେଇ ନଷ୍ଟ କରି ଦେଇପାରନ୍ତି। ରାଜ୍ୟ ସରକାରଙ୍କ ଅନୁମତିର ଅର୍ଥ ଅଧିକା˚ଶ କ୍ଷେତ୍ରରେ ସେହି ବିଭାଗର ମୁଖ୍ୟଙ୍କ ଅନୁମତି ବୋଲି ବୁଝାଯାଇଥାଏ। ସରକାରୀ ଅଧିକାରୀମାନେ ଦୁର୍ନୀତିକୁ ସମର୍ଥନ ଦେବା ପାଇଁ ନିଜ ନିଜ ମଧ୍ୟରେ ଏମିତି ଏକଯୁଟତା ପ୍ରଦର୍ଶନ କରିଥାନ୍ତି ଯେ, ତଦନ୍ତ ପାଇଁ ଅନୁମତି ମିଳିବା ମଧ୍ୟ ଅତି କଷ୍ଟସାଧ୍ୟ ବ୍ୟାପାର ହୋଇପଡ଼େ।
ଅନେକ ସମୟରେ ସରକାରୀ ବିଭାଗମାନଙ୍କ ପକ୍ଷରୁ କୁହାଯାଇଥାଏ ଯେ, ତଦନ୍ତ ଅନୁମତି ଦିଆଗଲେ ଅନେକ ସଚ୍ଚୋଟ ଅଧିକାରୀମାନଙ୍କୁ ହଇରାଣ ହରକତ କରାଯାଇପାରେ। କିନ୍ତୁ ଅଭିଯୁକ୍ତ ଅଫିସର ଓ ତାଙ୍କ ଊର୍ଦ୍ଧ୍ବର ଅଫିସରଙ୍କ ମଧ୍ୟରେ ଅପରାଧକୁ ଲୁଚାଇବା ପାଇଁ ଏକ ଭିତିରି ସମ୍ପର୍କ ସ୍ଥାପନ ହୋଇଥାଇପାରେ।
ଅତୀତରେ ଜୈନ ହୱାଲା ମାମଲାରେ ସି.ବି.ଆଇ. ତା’ର ରିପୋର୍ଟ ଦେବାପାଇଁ ଅତ୍ୟଧିକ ବିଳମ୍ବ କରି ସୁପ୍ରିମ କୋର୍ଟ ଦ୍ବାରା ଭର୍ତ୍ସିତ ହୋଇଥିଲା। ସୁପ୍ରିମ କୋର୍ଟ ପରାମର୍ଶ ମଧ୍ୟ ଦେଇଥିଲେ ଯେ, ସି.ବି.ଆଇ.ର ସ୍ବାଧୀନତା ଓ ସ୍ବାୟତ୍ତତା ରକ୍ଷା କରିବା ପାଇଁ କେନ୍ଦ୍ରୀୟ ସତର୍କତା ଆୟୋଗ (ସି.ଭି.ସି.) ଅଧୀନରେ ଏହାକୁ ରଖାଯାଉ, ଏହାକୁ ସରକାରୀ ନିୟନ୍ତ୍ରଣ ଓ ହସ୍ତକ୍ଷେପରୁ ମୁକ୍ତ ରଖିବା ପାଇଁ। କିନ୍ତୁ ସେଥିରେ ମଧ୍ୟ ସମସ୍ୟା ପୂର୍ଣ୍ଣରୂପେ ସମାହିତ ହେବ ବୋଲି ନିଶ୍ଚିତତା ନାହିଁ। ଅତୀତରେ ଏହି ସ˚ସ୍ଥାର ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ମଧ୍ୟରେ ଯେମିତି ଘୋର ବିବାଦ ଘଟି ସି.ବି.ଆଇ.ର ଦୁଇ ଗୋଷ୍ଠୀ ପରସ୍ପର ବିରୋଧରେ ମାମଲା ଆଗତ କଲେ ଓ ସୁପ୍ରିମ କୋର୍ଟକୁ ଗଲେ ତାହା ଏହି ମର୍ଯ୍ୟାଦା ସଂପନ୍ନ ଅନୁଷ୍ଠାନକୁ ଲୋକ ଚକ୍ଷୁରେ ନିନ୍ଦିତ କରିଦେଲା।
ତେଣୁ ଏହି ସ˚ସ୍ଥା ରାଜନୈତିକ ଆନୁଗତ୍ୟ ଉପରେ କାମ କରୁଛି, ଏ ଧାରଣାକୁ ଦୂର କରିବାକୁ ହେଲେ ଏହାର ନିରପେକ୍ଷତା ବଜାୟ ରଖିବାକୁ ହେବ ଓ ଏହାକୁ ଉତ୍ତରଦାୟୀ କରିବାକୁ ହେବ। ଗୋଟିଏ ସ˚ସଦୀୟ କମିଟି ପରି ସାମୂହିକ ସ˚ସ୍ଥା ଆଗରେ ଏହା ଉତ୍ତରଦାୟୀ ରହିବା ଉଚିତ। ସି.ଏ.ଜି. ଯେପରି ଏକ ନିରପେକ୍ଷ ଓ ରାଜନୀତି ମୁକ୍ତ ସ˚ସ୍ଥା ହୋଇରହିଛି, ସି.ବି.ଆଇ. ମଧ୍ୟ ସେହିପରି ଏକ ସ˚ସ୍ଥା ହେବା ଉଚିତ। ଆମେରିକା ପରି ଦେଶରେ ଆଟର୍ଣ୍ଣି ଜେନେରାଲ ପରି ଅଧିକାରୀ ରାଷ୍ଟ୍ରପତିଙ୍କ ଦ୍ବାରା ମନୋନୀତ ହେଉଥିଲେ ମଧ୍ୟ, ଯେ କୌଣସି ଅଧିକାରୀ ବା ସ˚ସ୍ଥା ବିରୁଦ୍ଧରେ ବା ସେହି ପଦବିରେ ଥିବା ବ୍ୟକ୍ତି ସମ୍ପର୍କରେ ଅନୁସନ୍ଧାନ ବା ମୋକଦ୍ଦମା ଆରମ୍ଭ କରିପାରନ୍ତି। ଏହି କାର୍ଯ୍ୟ ବେଳେ ସେ କାହା ଦ୍ବାରା ପ୍ରଭାବିତ ହୁଅନ୍ତି ନାହିଁ। ସି.ବି.ଆଇ.ର ଉଚ୍ଚ ପଦାଧିକାରୀମାନଙ୍କୁ ଏକ ନିର୍ଦ୍ଦିଷ୍ଟ ସମୟ କାଳ ଦିଆଯିବା ଦରକାର ଯେତେବେଳେ ସେ ବଦଳି ହୋଇପାରିବେ ନାହିଁ। ସେହି ନିର୍ଦ୍ଦିଷ୍ଟ ସମୟ ପରେ ମଧ୍ୟ ସେ ପଦରେ ରହିବା କଥା ନୁହେଁ। ଏହାଦ୍ବାରା ସେହି ସ˚ସ୍ଥା ସରକାରୀ ନିୟନ୍ତ୍ରଣ ମୁକ୍ତ ହୋଇପାରିବ। ଔଚିତ୍ବ, ଦୃଢ଼ତାର ଏକ ପ୍ରତୀକ ଭାବେ ଏହି ସ˚ସ୍ଥା ତିଷ୍ଠି ରହିବା ଉଚିତ ଓ ସମ୍ପୂର୍ଣ୍ଣ ପେସାଦାରୀ ଭଙ୍ଗୀରେ ଏହା କାର୍ଯ୍ୟ କରିବା ଉଚିତ।
ମୋ- ୯୪୩୭୦୨୦୨୯୦
[email protected]