ଆମ ସଂସ୍କୃତି ଓ ଉଦାରତା

ଶୁଭ୍ର ଅରବିନ୍ଦ ମହାନ୍ତି

ବାଧିଲା ଜାଣି କ୍ଷମା କର ନୋହିଲେ ରମାରମଣ ଦିଅ ଟାଳି।
ତୁମ୍ଭକୁ ଜଗନ୍ନାଥ ଆଜ ମୋ ମନୋରଥ ଭରତି କରି ଦେବି ଗାଳି ହେ କୃପାନିଧି।
କରୁଣାସିନ୍ଧୁ ବୋଲି କରି, କହନ୍ତି ବୁଧେ ଡରି ମରି।
କାଳସର୍ପ ଆପଣ, କବଳ କର ପ୍ରାଣ-ପବନମାନଙ୍କୁ ସବୁରି ହେ କୃପାନିଧି।୧।
(କବିସୂର୍ଯ୍ୟ ବଳଦେବ ରଥଙ୍କ ସର୍ପ ଜଣାଣରୁ ଉଦ୍ଧୃତ)

ଉପରୋକ୍ତ ଚଉତିଶାଟି ଓଡ଼ିଶାର ପୁର-ପଲ୍ଲୀରେ ବହୁ ଆଦୃତ। ଏହା ଏକ ଜଣାଣ, କିନ୍ତୁ ଏଠି ନିଜର ଅତି ପ୍ରିୟ ପ୍ରଭୁଙ୍କୁ ଗାଳି, ନିନ୍ଦା ଏବଂ ନାନା ପ୍ରକାରର ତାଚ୍ଛଲ୍ୟ ଛଡ଼ା ଆଉ କିଛି ପାଇବେ ନାହିଁ। ସମ୍ପୂର୍ଣ୍ଣ ଜଣାଣଟିରେ ବିଭିନ୍ନ ଉପାୟରେ ପ୍ରଭୁ ଜଗନ୍ନାଥଙ୍କ ଲାଗି ଅଭିମାନ ଭରା ଆକ୍ରୋଶ ଅଛି। କିନ୍ତୁ ଜଣାଣ ଶେଷରେ ପଢୁଥିବା ବ୍ୟକ୍ତିଟି ନିଜେ ଜଗନ୍ନାଥଙ୍କ ପ୍ରେମରେ ଭାବବିହ୍ବଳ ହିଁ ହେଇପଡ଼େ। ପୁରାଣରେ ମଧ୍ୟ ବର୍ଣ୍ଣନା ଅଛି- କିପରି ଭୃଗୁ ମୁନି ସବୁଠାରୁ ଶ୍ରେଷ୍ଠ ଦେବତାର ପରୀକ୍ଷା ନେବା ପାଇଁ ଅନନ୍ତ ଶୟନରେ ଶାୟିତ ବିଷ୍ଣୁଙ୍କ ହୃଦୟରେ ପଦାଘାତ କରିଥିଲେ। କିନ୍ତୁ ବିଷ୍ଣୁ ରାଗି ଅଭିଶାପ ଦେବା ତ ଦୂରର କଥା, ଏହି ପଦାଘାତର ଚିହ୍ନ ସବୁଦିନ ପାଇଁ ନିଜ ବକ୍ଷ ସ୍ଥଳରେ ବହନ କରିଥିଲେ।

ଆମ ସଂସ୍କୃତି (ସନାତନ କୁହନ୍ତୁ ବା ଜଗନ୍ନାଥ)ରେ ପ୍ରଭୁତ୍ବ (Divinity ବା Lordship)ର ସଂଜ୍ଞା ଅନନ୍ୟ। ପାଶ୍ଚାତ୍ୟ ସଂସ୍କୃତିରେ ପ୍ରଭୁତ୍ବର ସଂଜ୍ଞା ହେଉଛି ଅତି କଠୋର ଏବଂ କିଛି ମାତ୍ରାରେ ନୃଶଂସ ମଧ୍ୟ। ପ୍ରାକ୍‌-ରେନେସାଁ (ରେନେସାଁର ଅର୍ଥ ନୂତନ ଜ୍ଞାନୋଦୟ ଯାହା ୟୁରୋପରେ ଷୋଡ଼ଶ ଶତାବ୍ଦୀରେ ହୋଇଥିଲା) ସମୟରେ ଚର୍ଚ୍ଚର ଆଜ୍ଞା ବା ବିଚାରଧାରାରୁ ବାହାରି କୌଣସି ନୂଆ ଚିନ୍ତା କେବଳ ବ୍ୟକ୍ତ କଲେ ମୃତ୍ୟୁଦଣ୍ଡର ସମ୍ମୁଖୀନ ହେବାକୁ ପଡୁଥିଲା। ଏଭଳି ବିରୋଧୀ ଚିନ୍ତା ପ୍ରତି ଅସହିଷ୍ଣୁତାର କାରଣ ମଧ୍ୟ ଥିଲା। ପ୍ରାକ-ରେନେସାଁ ସମୟରେ ଧାର୍ମିକ ଓ ଦାର୍ଶନିକ ଚିନ୍ତାର ଗବେଷଣା ସମାନ୍ତରାଳ ନ ଥିଲେ। ତେଣୁ ଧାର୍ମିକ ଗୁରୁମାନଙ୍କ (ବା ଚର୍ଚ୍ଚ)ର ନିଜ ଧାର୍ମିକ ଅନୁଷ୍ଠାନର ଦାର୍ଶନିକ ଭିତ୍ତିଭୂମି ଉପରେ ଆତ୍ମବିଶ୍ବାସ ନ ଥିଲା। ତେଣୁ କିଂଚିତ ମାତ୍ର ଆଲୋଚନା ଦ୍ୱାରା ଧାର୍ମିକ ଅନୁଷ୍ଠାନମାନଙ୍କର ପ୍ରଭୁତ୍ବ କ୍ଷୁଣ୍ଣ ହେବାର ଭୟ ଦ୍ବାରା ସେମାନେ ଘାରି ହେଉଥିଲେ। ଆମେ ସମସ୍ତେ ଜାଣିଚୁ କିପରି ବୈଜ୍ଞାନିକ ଗାଲିଲିଓଙ୍କୁ ‘ପୃଥିବୀର ସୂର୍ଯ୍ୟ ଚାରି ପଟେ ପରିକ୍ରମଣ’ର ଉକ୍ତି ପାଇଁ କାଥୋଲିକ ଚର୍ଚ୍ଚ ଦ୍ବାରା ମୃତ୍ୟୁଦଣ୍ଡାଦେଶ ପର୍ଯ୍ୟନ୍ତ କଥା ଯାଇଥିଲା।

ରେନେସାଁ ସମୟର ଆନ୍ଦୋଳନ ଏବଂ ଚର୍ଚ୍ଚର କ୍ଷମତା ପ୍ରତି ପ୍ରଶ୍ନ ଓ ତା’ ସହିତ ବ୍ୟବସ୍ଥାପିତ ଧାର୍ମିକ ଓ ସାମାଜିକ ପ୍ରଥା ଉପରେ ବୁଦ୍ଧିଜୀବୀ ଓ କଳାକାରମାନଙ୍କ ଆଲୋଚନା; ଏହି କଠୋର ପ୍ରଭୁତ୍ବ ଉପରେ କୁଠାରାଘାତ କରିଥିଲା ଏବଂ ତା’ପରେ ହେଇଥିବା ବୈଜ୍ଞାନିକ ଚିନ୍ତାଧାରାର ଅଭ୍ୟୁଦୟ ପାଶ୍ଚାତ୍ୟ ସାଧାରଣ ଚଳଣିକୁ ଆଧୁନିକତା ଏବଂ ସମୃଦ୍ଧି ଆଡ଼କୁ ଠେଲି ନେଇଥିଲା।

କେବଳ ଏତିକି ନୁହେଁ, ଏହି ସମୟରେ ଦାର୍ଶନିକ ଚିନ୍ତା ମଧ୍ୟ ସମୃଦ୍ଧ ହୋଇଥିଲା ଏବଂ ବହୁତ ଦାର୍ଶନିକ ପ୍ରାଚ୍ୟ-ଧାର୍ମିକ ଶାସ୍ତ୍ର ଓ ସଂସ୍କୃତି (ବୈଦିକ ଏବଂ ଚୀନର ଧର୍ମ-ଦର୍ଶନ ଶାସ୍ତ୍ର) ଅଧ୍ୟୟନ କରି, ପାଶ୍ଚାତ୍ୟ ଦାର୍ଶନିକ ଚିନ୍ତା ସମୂହର ବିକାଶ ମଧ୍ୟ କରିଥିଲେ।

ଆମ ସଂସ୍କୃତି କିନ୍ତୁ ଆଦ୍ୟରୁ ହିଁ ଅନନ୍ୟ ଅଟେ। କୁହାଯାଏ ଯେ ଆମ ସନାତନ ଧର୍ମ ଓ ସଂସ୍କୃତି, କୌଣସି ଅନ୍ଧ ଓ କଠୋର ବିଶ୍ବାସ ନୁହେଁ ବରଂ ପରମ ସତ୍ୟର ଅବିରତ ଅନୁସନ୍ଧାନ ଉପରେ ସ୍ଥାପିତ। ଏହା ମଧ୍ୟ କୁହାଯାଏ ଯେ ଆମ ସନାତନ ଧର୍ମ ଓ ସଂସ୍କୃତି ଅନାବିଳ ପ୍ରେମ ଉପରେ ସ୍ଥାପିତ। ପରମ ସତ୍ୟର ଅନୁସନ୍ଧାନ ଯେ ଅନ୍ଧ ଓ କଠୋର ବିଶ୍ବାସ ଦ୍ବାରା ସମ୍ଭବପର ନୁହେଁ, ଏହା କହିବା ବାହୁଲ୍ୟ ମାତ୍ର।

ଏଥିପାଇଁ ଦରକାର ନିଜ ଧର୍ମ ଉପରେ ଏକ ସାବଲୀଳ ଆତ୍ମବିଶ୍ବାସ ଏବଂ ପ୍ରେମ। ଯେଉଁ ଆତ୍ମବିଶ୍ବାସ କୌଣସି ପ୍ରଶ୍ନ, ଅସମ ବିଚାରଧାରା ଦ୍ବାରା ଅହେତୁକ ଭାବରେ ଭୟଭୀତ ହୋଇଯାଏ ନାହିଁ। ଗୀତାରେ ପ୍ରଭୁ ଶ୍ରୀକୃଷ୍ଣ ସ୍ବୟଂ କହିଯାଇଛନ୍ତି –
‘ତଦ୍ବିଦ୍ଧି ପ୍ରଣିପାତେନ ପରିପ୍ରଶ୍ନେନ ସେବୟା। ଉପଦେକ୍ଷ୍ୟନ୍ତି ତେ ଜ୍ଞାନଂ ଜ୍ଞାନିନସ୍ତତ୍ତ୍ବଦର୍ଶିନଃ।। ୩୪।। (ଶ୍ରୀମଦ୍ଭାଗବତ ଗୀତା, ଚତୁର୍ଥ ଅଧ୍ୟାୟ)
-ଅର୍ଥାତ୍‌, ନିଜ ଗୁରୁଙ୍କ ପ୍ରତି ଶ୍ରଦ୍ଧାର ସହିତ ବାରମ୍ବାର ପ୍ରଶ୍ନ ଦ୍ବାରା ହିଁ ଉଚିତ ଜ୍ଞାନର ଅଭ୍ୟୁଦୟ ହୁଏ।

ତେଣୁ, ବ୍ୟବସ୍ଥାପିତ ବିଚାରଧାରାକୁ ପ୍ରଶ୍ନ କରିବା ଆମ ସନାତନ ସଂସ୍କୃତିର ଏକ ଅବିଚ୍ଛେଦ୍ୟ ଅଙ୍ଗ। ବ୍ୟବସ୍ଥାପିତ ବିଚାରଧାରାକୁ ପ୍ରତିହିତ କରି ନିଜ ସ୍ବତନ୍ତ୍ର ବିଚାରଧାରାକୁ ବଜାୟ ରଖିବା ମଧ୍ୟ ଆମ ସଂସ୍କୃତିରେ ଉଚ୍ଚ ସ୍ଥାନ ଦିଆଯାଏ। ଋଷି ଚାରବାକ ନିଜେ ଦେବଗୁରୁ ବୃହସ୍ପତିଙ୍କ ଶିକ୍ଷାକୁ ପ୍ରତିହିତ କରି- “ଯାବତ ଜୀବେତ ଘୃତଂ ପି‌େବତ…’ ଆଧାରୀ ମାତ୍ରାଧିକ ଭୋଗୀ ହେବାର ସ୍ବତନ୍ତ୍ର ଦର୍ଶନ ପାଇଁ ପରିଚିତ। ରାଜର୍ଷି ବିଶ୍ବାମିତ୍ର ମଧ୍ୟ ଅନୁରୂପ ଭାବରେ ନିଜ ସ୍ୱତନ୍ତ୍ର ବିଚାରଧାରାକୁ ବଜାୟ ରଖିଥିଲେ।

ସନାତନ ଧର୍ମ ଅତି ଆଶ୍ଚର୍ଯ୍ୟ ଭାବରେ ନିଜ ପ୍ରତି ପ୍ରତିକୂଳ ମନ୍ତବ୍ୟକୁ ମଧ୍ୟ ସମ୍ମାନ ଦେଇପାରେ। ନାସ୍ତିକମାନଙ୍କୁ ମଧ୍ୟ ଆମେ ଆଦରି ନେଉ। ଓଡ଼ିଶାର ପୁରପଲ୍ଲୀରେ ମହିମା ଗାଦି ଓ ଶୂନ୍ୟ ସ୍ବରୂପ ସମ୍ପ୍ରଦାୟ ପ୍ରତି ସେତିକି ଆଦର ଓ ସମ୍ମାନ ଥାଏ ଯେତିକି ଆମ କାଇପଦର ପୀରଙ୍କ ପ୍ରତି।

ସମଗ୍ର ବେଦାନ୍ତ ଓ ଉପନିଷଦ କେବଳ ଏହି ଗଭୀର ପ୍ରଶ୍ନ ଓ ପରିପ୍ରଶ୍ନ ଉପରେ ପର୍ଯ୍ୟବସିତ। ଏତେ ସବୁ ଉଦାହରଣର ଉଦ୍ଦେଶ୍ୟ ହେଲା ସନାତନ ଧର୍ମ ଓ ସଂସ୍କୃତିର ଆତ୍ମବିଶ୍ବାସକୁ ପ୍ରତିପାଦନ କରିବା ଯାହା ପ୍ରତିକୂଳ ମନ୍ତବ୍ୟକୁ ସାଦରେ ଗ୍ରହଣ କରିଥାଏ।

ଗାଁ ମୁଣ୍ଡର ସିନ୍ଦୂର ଲିପା ଆବଡ଼ାଖାବଡ଼ା ପଥର ଖଣ୍ଡରେ ହେଉ କିମ୍ବା ପଥର ଦେହରେ ସୃଷ୍ଟି ହେଇଥିବା କମନୀୟ ବିଗ୍ରହରେ ହେଉ; ଆମେ ସମାନ ଭାବେ ଆସ୍ଥା ଓ ଭକ୍ତି ପ୍ରକଟ କରୁ।

ତେବେ ସଂପ୍ରତି ଦେଖା ଯାଉଚି ଯେ ଫେସବୁକ୍‌ ବା ଟ୍ବିଟରରେ ପ୍ରକାଶିତ ଧର୍ମ ସମ୍ବନ୍ଧୀୟ ଉକ୍ତି ଦ୍ବାରା ଅନେକ ଉତ୍‌କ୍ଷିପ୍ତ ହୋଇ ପଡୁଛନ୍ତି। କିନ୍ତୁ ଯେଉଁମାନଙ୍କ ନିଜ ଧର୍ମର ପରାକାଷ୍ଠା ନେଇ ଆତ୍ମବିଶ୍ବାସ ରହିଛି, ସେମାନେ ବିପରୀତ ମତକୁ ହତାଦର କରନ୍ତି ନାହିଁ। ଆମ ସନାତନ ଧର୍ମର ଗଭୀର ଅଧ୍ୟୟନ ଓ ସାମ୍ପ୍ରତିକ ପରିସ୍ଥିତି ସହିତ ଏହାର ସମ୍ମିଳନ ହିଁ ଆମର ଧର୍ମ ଓ ସଂସ୍କୃତିକୁ ସମକାଳୀନ ଓ ପ୍ରାସଙ୍ଗିକ କରି ରଖିବ। ଆଶା କରିବା ଯେ ଆମ ସଂସ୍କୃତିର ପାରଂପରିକ ଉଦାରତା ଅକ୍ଷୁଣ୍ଣ ରହୁ। ଅସହିଷ୍ଣୁତା ଓ କଠୋର ଚିନ୍ତାଧାରା ହେତୁ ତାହା ମଧ୍ୟଯୁଗୀୟ ଅନ୍ଧକାର ମଧ୍ୟକୁ ଫେରି ନ ଯାଉ।
(ମତ ଲେଖକଙ୍କ ନିଜସ୍ବ)

[email protected]
Twitter – @subhrarabind

ସମ୍ବନ୍ଧିତ ଖବର