‘ଏଆଇଏମ୍ଆଇଏମ୍’ର ଉତ୍ଥାନ ମୋତେ ବିବ୍ରତ କରୁଛି। ବିହାର ନିର୍ବାଚନ ଫଳାଫଳ ବାହାରିବା ପରେ ଯେତେ ବେଳେ ଏକ ଟେଲିଭିଜନ୍ ବିତର୍କରେ ମୁଁ ଏହା କହିଲି, ଅନେକଙ୍କୁ ଏହା ପ୍ରତିକ୍ରିୟାଶୀଳ କଲା; ଏବ˚ ଏଥରକ ପ୍ରତିକ୍ରିୟା ପ୍ରକାଶ କଲେ ମୁସଲମାନ ପକ୍ଷ। ମୋତେ କେହି କେହି ଛଦ୍ମବେଶୀ ସ˚ଘୀ କହିଲେ; ଆଉ କେହି କେହି ଇସଲାମ-ଭୟାଳୁ ବା ଇ˚ଲିସ୍ରେ ‘ଇସଲାମୋଫୋବିକ୍’। ଏ ଭଳି ପ୍ରତିକ୍ରିୟା ପ୍ରକାଶ ପାଇବା ପରେ ‘ଏଆଇଏମ୍ଆଇଏମ୍’ ବା ‘ଅଲ୍ ଇ˚ଡିଆ ମଜଲିସ-ଏ-ଇତ୍ତେହାଦୁଲ ମୁସ୍ଲିମୀନ’ର ଉତ୍ଥାନ ଦ୍ବାରା ଆମେ କାହିଁକି ବିବ୍ରତ ହେବା ଆବଶ୍ୟକ, ଏ ବାବଦରେ ଅଧିକ ନିଶ୍ଚିତ ହୋଇଗଲି।
ମୋର ଚିନ୍ତାର କାରଣ ଧର୍ମ ନିରପେକ୍ଷ ଗୋଷ୍ଠୀଠାରୁ ଭିନ୍ନ। ବିହାରରେ ଧର୍ମ ନିରପେକ୍ଷ ଭୋଟ୍ ବିଭାଜନ କରି, ମହାଗଠବନ୍ଧନର ପରାଜୟ ନିଶ୍ଚିତ କରିଥିବାର ଆରୋପ, ‘ଏଆଇଏମ୍ଆଇଏମ୍’ ଉପରେ ମୁଁ ଲଗାଉନାହିଁ। ପ୍ରଥମତଃ, ଏହା ସତ୍ୟ ନୁହେଁ। ବିହାରର ଉତ୍ତର-ପୂର୍ବ କୋଣରେ ଥିବା ମୁସଲମାନ-ବହୁଳ ଅଞ୍ଚଳରେ ‘ଏଆଇଏମ୍ଆଇଏମ୍’ ପାଞ୍ଚଟି ଆସନରେ ଜିତିଛି। ଏହି ଅଞ୍ଚଳରେ ଏହି ଦଳର ଅବଶିଷ୍ଟ ପ୍ରାର୍ଥୀ ଭୋଟ୍ ବିଭାଜନ କରିପାରିନାହାନ୍ତି ବା ଏମାନଙ୍କ ଦ୍ବାରା ବିଭାଜିତ ଭୋଟ୍ ମହାଗଠବନ୍ଧନ ପ୍ରାର୍ଥୀଙ୍କୁ ପରାଜିତ କରିନାହିଁ। ‘ସିଏସ୍ଡିଏସ୍’ର ଆକଳନ ଅନୁଯାୟୀ ଛସ୍ତରି ପ୍ରତିଶତ ମୁସଲମାନ ଭୋଟ୍ ମହାଗଠବନ୍ଧନକୁ ଯାଇଛି। ଅର୍ଥାତ୍, ‘ଏନ୍ଡିଏ’କୁ ପରାସ୍ତ କରିବା ପାଇଁ ମୁସଲମାନମାନେ ଯୋଜନାବଦ୍ଧ ଭାବେ ଭୋଟ୍ ଦେଇଛନ୍ତି।
ସବୁଠାରୁ ଗୁରୁତ୍ବପୂର୍ଣ୍ଣ- ଯଦି ବି ଭୋଟ୍ ବିଭାଜିତ ହୋଇଛି, ଏଥିରେ ଭୁଲ୍ କେଉଁଠି? ପ୍ରତିଦ୍ବନ୍ଦ୍ବୀ ଦଳର ପ୍ରାର୍ଥୀଙ୍କୁ ଜିତାଇଦେଇ ନ ଥିବା କାରଣରୁ କୌଣସି ରାଜନୈତିକ ଦଳକୁ ଦାୟୀ କରାଯାଇପାରିବନାହିଁ। ସବୁ ନୂଆ ଦଳ ଉପରେ ଭୋଟ୍-ବିଭାଜକ ମୋହର ଲଗାଯାଉଛି। ୨୦୧୩ରେ ଦିଲ୍ଲୀ ନିର୍ବାଚନ ବେଳେ ‘ଆମ ଆଦମୀ ପାର୍ଟି’ ଉପରେ ଏହି ମୋହର ଲାଗିଥିଲା। ଟିକିଏ ଭାବନ୍ତୁ, ଯେଉଁ ଦଳଗୁଡ଼ିକ ଭାଜପା ବିରୋଧରେ ଏକତ୍ର ହୋଇଛନ୍ତି, ସେମାନଙ୍କ ବିଜୟ ନିଶ୍ଚିତ କରିବା ବା ସେମାନଙ୍କୁ ବିପଦରୁ ଉଦ୍ଧାର କରିବା ପାଇଁ ଅନ୍ୟ ସମସ୍ତେ ଆଗକୁ ଆସିବା ଆଶା କରିବା, ହାସ୍ୟାସ୍ପଦ ନୁହେଁ କି? ସେ ଯାହା ହେଉ ଭୋଟ୍ ପାଇବା ପାଇଁ ଏକ ସ˚ପ୍ରଦାୟର ସମସ୍ତଙ୍କୁ ଏକତ୍ର କରିବାର ଚିନ୍ତାଧାରା ଉଦ୍ଭଟ। ଯେପରି କୌଣସି ଏକ ଦଳ ବା ଏକ ମେଣ୍ଟ ସମସ୍ତ ହିନ୍ଦୁଙ୍କୁ ନିଜ ସପକ୍ଷକୁ ଆଣିପାରିନାହିଁ; ଠିକ୍ ସେହି ପରି କେହି ସମସ୍ତ ମୁସଲମାନଙ୍କୁ ନିଜ ପକ୍ଷକୁ ଆଣିପାରିବନାହିଁ। ଏକ ସୁସ୍ଥ ଗଣତନ୍ତ୍ରରେ ମତଦାତାମାନେ ନିଜ ଇଚ୍ଛା ଅନୁଯାୟୀ କୌଣସି ଦଳକୁ ସମର୍ଥନ ଦିଅନ୍ତି ବା ବିରୋଧ କରନ୍ତି। ନିଜ ଜାତି-ଗୋତ୍ର-ସ˚ପ୍ରଦାୟ ଅନୁଯାୟୀ ଦଳ ବାଛନ୍ତିନାହିଁ କି କୌଣସି ଦଳର ମୂଲ୍ୟାୟନ କରନ୍ତିନାହିଁ। ଯଦି ମୁସଲମାନ ଭୋଟ୍ ବିଭାଜିତ ହେଲା; ଏହାର ସବୁଠାରୁ ଗ୍ରହଣୀୟ ଅର୍ଥ- ସେମାନଙ୍କ ପାଖରେ ଏକାଧିକ ବିକଳ୍ପ ଅଛି। ଏହାକୁ ସ୍ବାଗତ କରାଯିବା ଉଚିତ।
ମୁଁ ଏଥି ପାଇଁ ବିବ୍ରତ ନୁହେଁ ଯେ, ‘ଏଆଇଏମ୍ଆଇଏମ୍’ ନିର୍ଦିଷ୍ଟ ଭାବେ ଏକ ହାନିକାରକ ରାଜନୈତିକ ସ˚ଗଠନ। ଆଜିକାଲି ‘ଏଆଇଏମ୍ଆଇଏମ୍’ ପ୍ରତି ବିଶେଷ ଘୃଣା ଓ ବିଦ୍ବେଷର କାରଣ ହେଉଛି, ଏହାର ମୁଖ୍ୟ ଅସାଦୁଦ୍ଦିନ ଓୱେସି ଜଣେ ଆଗ ଧାଡ଼ିର ଟେଲିଭିଜନ୍ ବ୍ୟକ୍ତିତ୍ବ। ସେ ଚତୁର, ସ୍ପଷ୍ଟ ଏବ˚ କହିଜାଣନ୍ତି। ତେଣୁ, ଯେଉଁମାନେ ଦେଶପ୍ରେମର ପ୍ରମାଣ-ପତ୍ର ବାଣ୍ଟୁଛନ୍ତି, ସେମାନେ ସର୍ବଦା ତାଙ୍କ ଦଳକୁ ଟାର୍ଗେଟ୍ କରୁଛନ୍ତି।
‘ଏଆଇଏମ୍ଆଇଏମ୍’ର ଅତୀତ ନିଶ୍ଚିତ ଭାବେ ସ˚ଶୟପୂର୍ଣ୍ଣ। ତତ୍କାଳୀନ ହାଇଦରାବାଦର ନିଜାମଙ୍କ ଆଶୀର୍ବାଦରେ ୧୯୨୭ରେ ଏହାର ମୂଳ ଦଳ ‘ଏମ୍ଆଇଏମ୍’ ଗଠିତ ହୋଇଥିଲା। ଏହି ଦଳ ମୁସଲମାନଙ୍କ ପାଇଁ ସ୍ବତନ୍ତ୍ର ଅଞ୍ଚଳ ଦାବିରେ ‘ମୁସଲିମ ଲିଗ୍’କୁ ସମର୍ଥନ ଦେଇଥିଲା। ପୁଣି, ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥା ହେଉଛି, ଏହା ‘ରଜାକାର ସଶସ୍ତ୍ର ଦଳ’ ସହ ସ˚ପର୍କିତ ଥିଲା। ସ୍ବାଧୀନତା ପରେ ଯେତେ ବେଳେ ଭାରତୀୟ ସେନା ହାଇଦରାବାଦକୁ ଭାରତ ସହ ମିଶାଇବା ପାଇଁ ଯୁଦ୍ଧାଭିଯାନ ଆରମ୍ଭ କରିଥିଲା, ଏହି ସଶସ୍ତ୍ର ଦଳ ବା ମିଲିସିଆ, ଭାରତୀୟ ସେନା ବିରୋଧରେ ଲଢ଼ିଥିଲା। ‘ଏମ୍ଆଇଏମ୍’ ଭାରତ ସ˚ପର୍କିତ ବାସ୍ତବତା ବୁଝିବା ପରେ ‘ଏଆଇଏମ୍ଆଇଏମ୍’ରେ ପରିଣତ ହୋଇଥିଲା ଏବ˚ ଏହାର ନେତୃତ୍ବ ଓୱେସି ପରିବାର ହାତକୁ ଆସିଥିଲା। ପରିବର୍ତ୍ତିତ ‘ଏମ୍ଆଇଏମ୍’ ଭାରତର ସାମ୍ବିଧାନିକ ଗଣତନ୍ତ୍ରକୁ ଗ୍ରହଣ କରିଥିଲା ଏବ˚ ଏହାର ଚାରି କାନ୍ଥ ଭିତରେ ଆଗକୁ ଗତିକରିଥିଲା। ହାଇଦରାବାଦ ଭିତରେ ଏହା ପ୍ରଥମରୁ ବେଶ୍ ଶକ୍ତିଶାଳୀ। ଅକବରାଉଦ୍ଦୀନ ଓୱେସିଙ୍କ ନେତୃତ୍ବ କାଳରେ ଏହି ଦଳ ରାଜନୈତିକ ଓ ବ୍ୟବସାୟିକ ପ୍ରତିଦ୍ବନ୍ଦ୍ବୀଙ୍କ ପ୍ରତି ଅତ୍ୟନ୍ତ ବଳପ୍ରୟୋଗ କରୁଥିବାର ଅଭିଯୋଗ ହୁଏ। ଏବେ ମଧ୍ୟ ଏହା ମୁମ୍ବାଇର ଶିବ ସେନାଠାରୁ କୌଣସି ପ୍ରକାରେ ଭିନ୍ନ ନୁହେଁ।
‘ଏଆଇଏମ୍ଆଇଏମ୍’ ଏକ ସା˚ପ୍ରଦାୟିକ ସ˚ଗଠନ। ଏହାର ରାଜନୈତିକ ଆଦର୍ଶ- ମୁସଲମାନଙ୍କର, ମୁସଲମାନଙ୍କ ପାଇଁ ଏବ˚ ମୁସଲମାନଙ୍କ ଦ୍ବାରା। ତେବେ, ଏହା ନିଶ୍ଚିତ ଭାବେ ଏ ଭଳି ଆଦର୍ଶ ରଖିଥିବା ଏକ ମାତ୍ର ଦଳ ନୁହେଁ। ‘ଶିରୋମଣି ଅକାଳୀ ଦଳ’ କଥା ଭାବନ୍ତୁ; ଏହା ମଧ୍ୟ କେବଳ ଶିଖ ରାଜନୀତିରେ ବିଶ୍ବାସ କରେ। କେରଳର ‘ଇ˚ଡିଆନ୍ ୟୁନିଅନ୍ ମୁସଲିମ ଲିଗ୍’ ତଥା ଉତ୍ତର ପ୍ରଦେଶର ‘ମିଲ୍ଲୀ କାଉନ୍ସିଲ୍’ର ଦୃଷ୍ଟାନ୍ତ ମଧ୍ୟ ଦିଆଯାଇପାରେ। ଆହୁରି ଅନେକ ଦଳ ଅଛନ୍ତି, ସେମାନେ ମାନନ୍ତୁ ବା ନ ମାନନ୍ତୁ, କାର୍ଯ୍ୟ-କଳାପ ଦୃଷ୍ଟିରୁ ଦେଖିଲେ, ସେମାନେ ସ˚ପୂର୍ଣ୍ଣ ଭାବେ ସା˚ପ୍ରଦାୟିକ। ଏହି ତାଲିକାରେ ଅନେକ ଆସିବେ- ଆସାମର ‘ଏୟୁଡିଏଫ୍’, କେରଳ କ˚ଗ୍ରେସ୍ର ବିଭିନ୍ନ ଟୁକୁଡ଼ା ସ˚ଗଠନ, ହାତୀ ଚିହ୍ନ ଏବ˚ ଭାଜପା। କେବଳ ଜାତିକୁ ନେଇ ବି ଅନେକ ରାଜନୈତିକ ଦଳ ଅଛନ୍ତି। ଏମାନେ ଜାତି, ଧର୍ମ ଓ ସ˚ପ୍ରଦାୟ ନାମରେ ଖୋଲାଖୋଲି ଭାବେ ଭୋଟ୍ ମାଗନ୍ତି। ଏହା ଆଇନ ଅନୁଯାୟୀ ଗ୍ରହଣୀୟ ନୁହେଁ। ତେବେ, ଆଇନକୁ ମାନୁଛି କିଏ? ଏମିତି ଅନେକ ଆଇନ ଅଛି, ଯାହା କେବଳ ନଥି-ପତ୍ରରେ। ଏ ଭଳି ଦଳଗୁଡ଼ିକୁ ବେଆଇନ ଘୋଷିତ କରିବା ବି ସମାଧାନ ନୁହେଁ। ସେମାନଙ୍କର ସାମନା ରାଜନୈତିକ ଭାବେ କରାଯିବା ଆବଶ୍ୟକ। ତେଣୁ, ସା˚ପ୍ରଦାୟିକ ରାଜନୀତି କରୁଥିବା ଅଭିଯୋଗ ଆଣି ‘ଏଆଇଏମ୍ଆଇଏମ୍’କୁ ଏକଲା ବା ଏକଘରିଆ କରାଯାଇପାରିବନାହିଁ।
ସମସ୍ୟା ‘ଏଆଇଏମ୍ଆଇଏମ୍’କୁ ନେଇ ନୁହେଁ; ସମସ୍ୟା ଏହା ଯେଉଁ ଆଦର୍ଶର ପ୍ରତିନିଧିତ୍ବ କରୁଛି, ତାହାକୁ ନେଇ। ଏହା ଜାତୀୟ ସ୍ତରରେ ସ୍ବତନ୍ତ୍ର ମୁସଲମାନ ରାଜନୀତିର ଉତ୍ଥାନ ଚାହେଁ। ଏହା ହିଁ ‘ଏଆଇଏମ୍ଆଇଏମ୍’ର ରାଜନୈତିକ ଆଭିମୁଖ୍ୟ। ଆମ ଦେଶରେ ମୁସଲମାନ ସ˚ପ୍ରଦାୟକୁ ଭୟଭୀତ କରିବା ପାଇଁ ଯାହା ଦରକାର, ମୋଦୀ ସରକାର କରିଚାଲିଛି। ସେମାନେ ଏବେ ନିଜ ଦେଶରେ ଦ୍ବିତୀୟ ଶ୍ରେଣୀର ନାଗରିକ ସ୍ତରକୁ ଖସିଯାଇଥିବା ଅନୁଭବ କରୁଛନ୍ତି। ଆଗକୁ ଅବସ୍ଥା ଆହୁରି ଅଧିକ ଖରାପ ହେବ ବୋଲି ଭୟ କରୁଛନ୍ତି। ଭୟ ଓ ଆତଙ୍କର ବାତାବରଣ, ଓୱେସିଙ୍କ ଭଳି ନେତାଙ୍କୁ ନିଜ ଦଳର ସ˚ପ୍ରସାରଣ ପାଇଁ ସୁବର୍ଣ୍ଣ ସୁଯୋଗ ଆଣିଦେଇଛି। ସେ ପାର˚ପରିକ ସା˚ପ୍ରଦାୟିକବାଦୀ ନୁହନ୍ତି। ସେ ସାମ୍ବିଧାନିକ ଗଣତନ୍ତ୍ରର ଭାଷା ବେଶ୍ ବୁଝନ୍ତି। ସେ ପାର˚ପରିକ ଧର୍ମ ନିରପେକ୍ଷ ରାଜନୀତି ସପକ୍ଷରେ ନାହାନ୍ତି। ସେ ମୁସଲମାନ ସ˚ପ୍ରଦାୟର ସ୍ବାର୍ଥ-ରକ୍ଷା ଚାହାଁନ୍ତି। ଏହା ସେ ସ୍ପଷ୍ଟ କହୁଛନ୍ତି। ଯେତେ ବେଳେ ସୁପ୍ରିମ୍ କୋର୍ଟ୍ ରାମ ମନ୍ଦିର ଉପରେ ନିଜର ବିଚିତ୍ର ରାୟ ପ୍ରଦାନ କଲେ, ଓୱେସି ମୁସଲମାନ ସ˚ପ୍ରଦାୟର ସ୍ବରକୁ ନିଜ ସପକ୍ଷରେ ନେବାର ସୁଯୋଗ ପାଇଲେ। ସେ ଯାହା କହିବାକୁ ଚାହାଁନ୍ତି, ଆଇନର ପରିସର ଭିତରେ ରହି, ତାହା କିପରି କହିବେ ଭଲ ଭାବେ ଜାଣନ୍ତି। ସେ ଟେଲିଭିଜନ୍ର ଶକ୍ତି ମଧ୍ୟ ବେଶ୍ ବୁଝନ୍ତି।
ଏକ ଦଳ ପକ୍ଷରେ, ନିଜ ଅଞ୍ଚଳ ବାହାରେ, ମୁସଲମାନ ରାଜନୀତିକୁ ଗଭୀର ଭାବେ ପ୍ରଭାବିତ କରିବା ଜନିତ ନିଜର ପରୀକ୍ଷାରେ ‘ଏଆଇଏମ୍ଆଇଏମ୍’ ସଫଳ। ବିହାରରେ ଏହାର ସଫଳତା ଏକ ବଳିଷ୍ଠ ଦୃଷ୍ଟାନ୍ତ। ଏହା ଅନେକ ବର୍ଷ ପୂର୍ବରୁ ଏହାର ରାଜନୀତିକୁ ହାଇଦରାବାଦ ବାହାରକୁ ନେବା ପାଇଁ ଉଦ୍ୟମ ଆରମ୍ଭ କରିଥିଲା। ବିହାରରେ ଏକ ଭଲ ସ୍ଥିତିକୁ ଆସିବା ପାଇଁ ଓୱେସି ଏକ ତୃତୀୟ ମେଣ୍ଟ ଗଠନ ପରୀକ୍ଷାରେ ସଫଳ ହୋଇଛନ୍ତି। ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବେଳେ ସେ ପ୍ରକାଶ ଆମ୍ବେଦକରଙ୍କ ‘ବହୁଜନ ବ˚ଚିତ ଅଗାଡ଼ୀ’ ସହ ମେଣ୍ଟ କରିଥିଲେ। ମହାରାଷ୍ଟ୍ରର ଔରଙ୍ଗାବାଦ ନଗରପାଳିକା ନିର୍ବାଚନରେ ତାଙ୍କ ଦଳକୁ ଉଲ୍ଲେଖନୀୟ ସଫଳତା ମିଳିଥିଲା। ଆସନ୍ତା ଦିନରେ ଉତ୍ତର ପ୍ରଦେଶ ଓ ପଶ୍ଚିମବଙ୍ଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଓୱେସିଙ୍କ ଦଳ ଭଲ ଫଳ ପାଇବ ବୋଲି ଆମେ ଆଶା କରିବା।
ବିଭାଜନ ପରବର୍ତ୍ତୀ ଭାରତର ରାଜନୀତିରେ ମୁସଲମାନ ସ˚ପ୍ରଦାୟ ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ। ମାଲାବାର ଓ ହାଇଦରାବାଦ ଭଳି ଦୁଇଟି କ୍ଷୁଦ୍ର ଅଞ୍ଚଳକୁ ଛାଡ଼ିଦେଲେ ଅନ୍ୟ ସବୁ ଅଞ୍ଚଳରେ ଏହି ସ˚ପ୍ରଦାୟ ମୁସଲମାନ ଦଳ ବା ମୁସଲମାନ ନେତୃତ୍ବ ଉପରେ ବିଶ୍ବାସ ରଖିନାହିଁ। ସେମାନେ ନେହରୁଙ୍କୁ ଦେଖିଥିଲେ; ତାହା ପରେ ବିଶ୍ବନାଥ ପ୍ରତାପ ସି˚ହ ଓ ମୁଲାୟମ ସି˚ହ ଯାଦବଙ୍କ ଭଳି ନେତାଙ୍କୁ। ସେମାନେ ଧର୍ମ ନିରପେକ୍ଷ ଦଳ ସହ ଥିଲେ, ଯେଉଁ ଦଳ ସ˚ଖ୍ୟାଗରିଷ୍ଠ ସ˚ପ୍ରଦାୟର ମଧ୍ୟ ସମର୍ଥନ ପାଉଥିଲା। ତେବେ, ଏବେ ‘ଏଆଇଏମ୍ଆଇଏମ୍’ର ଉତ୍ଥାନ ଭିନ୍ନ କିଛି ସୂଚାଉଛି। ମୁସଲମାନ ସ˚ପ୍ରଦାୟ ଏବେ କ˚ଗ୍ରେସ୍ ତଥା ଏସ୍ପି ଓ ଆର୍ଜେଡି ମାର୍କା ଧର୍ମ ନିରପେକ୍ଷ ରାଜନୀତି ଦ୍ବାରା ପୀଡ଼ିତ ଓ କ୍ଳାନ୍ତ ଥିବାର ସୂଚନା ମିଳୁଛି। ସେମାନଙ୍କୁ ଏକରକମ ପଣ୍ୟ ବନ୍ଦୀ କରି ଭୋଟ୍ ବ୍ୟାଙ୍କ୍ ରାଜନୀତି କରାଯାଉଥିବା, ସେମାନେ ଜାଣିସାରିଲେଣି। ଏହାକୁ ସେମାନେ ଆଉ ଗ୍ରହଣ କରିପାରିବେନାହିଁ। ଏ ପ୍ରକାରର ଧର୍ମ ନିରପେକ୍ଷ ରାଜନୀତି ମୁସଲମାନମାନଙ୍କୁ ଦୈନନ୍ଦିନ ଜୀବନର ମୌଳିକ ଆବଶ୍ୟକତା ପୂରଣ କରିବାରେ କୌଣସି ପ୍ରକାରେ ସହାୟକ ହେବନାହିଁ ବୋଲି ସେମାନେ ଭଲ ଭାବେ ବୁଝିସାରିଲେଣି। ଏ ପ୍ରକାରର ରାଜନୀତି ମାଧ୍ୟମରେ ମଧୢ ସେମାନେ କିଛି ଅଭିଯୋଗ କରିପାରିବେନାହିଁ କି ସରକାର ଉପରେ ଚାପ ପକାଇପାରିବେନାହିଁ। ‘ଏଆଇଏମ୍ଆଇଏମ୍’ ସେମାନଙ୍କୁ ଏକ ନୂଆ ମଞ୍ଚ ଦେଇଛି; ଯାହା ଦ୍ବାରା ସେମାନେ ସମାନ ନାଗରିକ ହୋଇ ନ ପାରିଲେ ବି ଅନ୍ତତଃପକ୍ଷେ ମୁସଲମାନ ହୋଇରହିପାରିବେ।
ଜାତୀୟ ସ୍ତରରେ ମୁସଲମାନ ସ୍ବତନ୍ତ୍ର ରାଜନୀତିର ଉତ୍ଥାନ, ହିନ୍ଦୁ ସ˚ଖ୍ୟାଗରିଷ୍ଠ ରାଜନୀତିର ନିଖୁଣ ଅ˚ଶୀଦାର ହୋଇପାରେ। ଏହାର ଏକ ଅର୍ଥ- ହିନ୍ଦୁ ଓ ମୁସଲମାନଙ୍କ ଭିତରେ ଥିବା ଶୂନ୍ୟ ସ୍ଥାନର ପୂରଣ ପାଇଁ ପରିକଳ୍ପିତ ସେତୁରେ ରାଜନୈତିକ ପ୍ରୋତ୍ସାହନର ଅନୁପସ୍ଥିତି। ଭାଜପାକୁ ପୁଣି ଥରେ କ୍ଷମତା ଦେଇ ସ˚ଖ୍ୟାବହୁଳ ହିନ୍ଦୁ ଧର୍ମ ନିରପେକ୍ଷ ରାଜନୀତିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ଯଦି ସ˚ଖ୍ୟାଲଘୁ ବି ଏହାକୁ ନିରର୍ଥକ ଓ ଅଦରକାରୀ ଭାବିବେ, ଆମ ସମ୍ବିଧାନରେ ଉଲ୍ଲେଖିତ ଧର୍ମ ନିରପେକ୍ଷ ଭାରତର ଅନ୍ତ ଘଟିବ।
(ଲେଖକଙ୍କ ମତାମତ ସଂପୂର୍ଣ୍ଣ ନିଜସ୍ବ)