କୋହଲିଙ୍କ ନିଷ୍ପତ୍ତି କେତେ ବିରାଟ?

କ୍ରୀଡ଼ାଙ୍ଗନ - ଅରବିନ୍ଦ ଦାସ

ସମସ୍ତେ ଜାଣନ୍ତି, କୋହଲି ଜଣେ ବିରାଟ କ୍ରିକେଟ୍‌ ଖେଳାଳି। ତାଙ୍କ ମହାନତା ବିଷୟରେ କେବଳ ଗୋଟିଏ ପରିସଂଖ୍ୟାନ ହିଁ ଯଥେଷ୍ଟ। ବେଶ କିଛି ବର୍ଷ ବହୁ ସଂଖ୍ୟାରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିବା ଖେଳାଳିଙ୍କ ଭିତରେ ସେ ହେଉଛନ୍ତି ଏକମାତ୍ର ବ୍ୟାଟ୍‌ସମ୍ୟାନ୍ ଯାହାଙ୍କ ବ୍ୟାଟିଂ ଆଭରେଜ୍ ବା ଇନିଂସ ପିଛା ରନ୍ ହାର ତିନିଟି ଯାକ ଫର୍ମାଟ୍‌ରେ ୫୦ରୁ ଅଧିକ। ସେ ଯଦି ଏବେ ବି ଖେଳ ଛାଡ଼ିଦିଅନ୍ତି; ଏ ଯାବତ୍‌ ତାଙ୍କ ପ୍ରଦର୍ଶନ ଏତେ ଉଚ୍ଚକୋଟୀର ଓ ସ୍ଥିର ରହିଆସିଛି ଯେ ବିଶ୍ବ କ୍ରିକେଟ୍‌ ତାଙ୍କୁ ସର୍ବକାଳୀନ ମହାନ ଖେଳାଳିମାନଙ୍କ ଭିତରେ ଗଣିବ। ଏମିତିରେ ବି ୨୪ ନଭେମ୍ବର ମଙ୍ଗଳବାର ଦିନ ତାଙ୍କୁ ଦଶନ୍ଧିର ଶ୍ରେଷ୍ଠ ଖେଳାଳି ମନୋନୟନ ତାଲିକାରେ ଆଇସିସି ସ୍ଥାନ ଦେଇଛି। ଖେଳାଳି ଭାବେ ସେ ଯେତେ ସଫଳ, ଅଧିନାୟକ ଭାବେ ସେ ସେତେ ସଫଳ କି ନା, ତାହା ଅଲଗା କଥା। କିନ୍ତୁ ସେ ଟିମ୍ ଇଣ୍ଡିଆର ଖାଲି ଅଧିନାୟକ ନୁହନ୍ତି, ସାମଗ୍ରିକ ଦୃଷ୍ଟିରୁ ଦଳର ୧ ନମ୍ବର ଖେଳାଳି ମଧ୍ୟ। ତେଣୁ ଅଷ୍ଟ୍ରେଲିଆ ଗସ୍ତର ଶେଷ ତିନିଟି ଟେଷ୍ଟ ମ୍ୟାଚ୍ ନଖେଳି ବିରାଟ ପିତୃତ୍ବ ଛୁଟି ନେବେ ବୋଲି ଜାଣିବା ପରଠୁ ଭାରତୀୟ କ୍ରିକେଟ୍‌ ପ୍ରେମୀଙ୍କ ମନରେ ଦ୍ବନ୍ଦ୍ବ ଦେଖାଦେଇଛି। ପ୍ରଥମ ଟେଷ୍ଟ ମ୍ୟାଚ୍ ପରେ କୋହଲି ଫେରି ଆସିବେ। କାରଣ କ’ଣ ସମସ୍ତେ ଜାଣନ୍ତି। ସେଇ ସମୟରେ ସେ ପ୍ରଥମ ସନ୍ତାନର ଜନକ ହେବେ। ସେତେବେଳେ ପତ୍ନୀ ଅନୁଷ୍କାଙ୍କ ସହ ରହିବାକୁ ସେ ପସନ୍ଦ କରିବେ। ତା’ମାନେ ଅଷ୍ଟ୍ରେଲିଆ ମାଟିରେ ଶେଷ ତିନିଟି ଟେଷ୍ଟ ମ୍ୟାଚ୍ ଟିମ୍ ଇଣ୍ଡିଆ ତା’ର ଶ୍ରେଷ୍ଠ ଖେଳାଳି ବିନା ଖେଳିବ। ଏଥିରେ କୋଟିକୋଟି କ୍ରିକେଟ୍‌ପ୍ରେମୀ ବିଶେଷ କରି କୋହଲି ପ୍ରେମୀ ମର୍ମାହତ ହେବା ସ୍ବାଭାବିକ। ଅନ୍ୟ ପକ୍ଷରେ କୋହଲି ଓ ଅନୁଷ୍କାଙ୍କ ପ୍ରେମ କାହାଣୀକୁ ନେଇ ମସ୍‌ଗୁଲ ଯୁବବର୍ଗ ତାଙ୍କର ସେଇ ନିଷ୍ପତ୍ତିରେ କୌଣସି ଅସ୍ବାଭାବିକତା ଦେଖି ନପାରିବା ମଧ୍ୟ ସ୍ବାଭାବିକ।

ଉକ୍ତ ନିଷ୍ପତ୍ତି ଘୋଷଣାର ଢେର୍ କିଛିଦିନ ‘କିଙ୍ଗ୍ କ୍ୟାନ୍‌ ଡୁ ନୋ ରଙ୍ଗ୍’ ନ୍ୟାୟରେ ମର୍ମାହତ ଲୋକେ ନିରବ ରହିଥିଲେ। ଶେଷରେ ବାଆଁରେଇକି ହେଉ ପଛେ କିଂବଦନ୍ତି ଅଲ୍‌ରାଉଣ୍ଡର୍ କପିଳ ଦେବ ପ୍ରସଙ୍ଗଟିକୁ ଉଠାଇବା ଦ୍ବାରା ଏହା ଉପରେ ଆଲୋଚନା ପାଇଁ ଖୋରାକ ମିଳିଛି।

ପ୍ରଥମେ ସବୁଠୁ ବଳିଷ୍ଠ ସପକ୍ଷ ଯୁକ୍ତି କଥା ଧରାଯାଉ। ପତ୍ନୀଙ୍କ ପ୍ରସବ, ସେ ପୁଣି ପ୍ରଥମ ପ୍ରସବ! ଦୁହିଁଙ୍କ ଜୀବନର ସବୁଠୁ ମଧୁର ମୁହୂର୍ତ୍ତ। ଉଭୟଙ୍କ ଜୀବନର ଅନ୍ୟତମ ନିର୍ଣ୍ଣାୟକ କ୍ଷଣ ମଧ୍ୟ। ଦାମ୍ପତ୍ୟ ପ୍ରେମର ଏକ ଆବଶ୍ୟକତା। ଆଉ ଗୋଟିଏ ଯୁକ୍ତି ହେଲା, ବିଶ୍ବକପ୍ ଭଳି ଗୁରୁତ୍ବପୂର୍ଣ୍ଣ ହୋଇଥିଲେ କୋହଲି ମୋଟେ ଫେରିନଥା’ନ୍ତେ। ଏମିତିରେ ବି ସେ ମୁଖ୍ୟତଃ ଦିନିକିଆ ଓ ଟି-୨୦ରେ ଶ୍ରେଷ୍ଠ। ଫେରିବା ପୂର୍ବରୁ ସେ ସବୁ ଦିନିକିଆ ଓ ଟି-୨୦ରେ ତ ଖେଳିସାରିଥିବେ! ମୋଟ ଉପରେ ୧୦ଟିରୁ ସେ ତ ୭ଟି ମ୍ୟାଚ୍ ଖେଳିସାରିଥିବେ! ଓଲଟା ପ୍ରଶ୍ନ ଉଠୁଛି, ଜଣେ ଖେଳାଳିଙ୍କ ଉପରେ ଏପରି ମାତ୍ରାଧିକ ନିର୍ଭର କରି କୋଉ ଟିମ୍ କ’ଣ ଅଷ୍ଟ୍ରେଲିଆକୁ ଯାଏ? ଏମିତିରେ ବି ତ ଆମ ‘ବେଂଚ୍ ଷ୍ଟ୍ରେଙ୍ଗ୍‌ଥ’ ଭଲ। ଆଉ ଏକ ଯୁକ୍ତି ବି ଉଠିପାରେ ଯେ ସ୍ବାଭାବିକ ପରିସ୍ଥିତିରେ ସେ ମାତ୍ର ଗୋଟିଏ ଟେଷ୍ଟରେ ଅନୁପସ୍ଥିତ ରହିଥାଆନ୍ତେ। କିନ୍ତୁ କରୋନାର କ୍ବାରାଣ୍ଟିନ୍ ନିୟମ ଯୋଗୁଁ ତାଙ୍କୁ ତିନିଟି ଟେଷ୍ଟରୁ ଦୂରେଇ ରହିବାକୁ ପଡ଼ୁଛି। ଆଉ ଗୋଟିଏ ଯୁକ୍ତି ହେଲା, ଚେତେଶ୍ବର ପୂଜାରା ଟେଷ୍ଟ୍‌ରେ ଅଧିକ ନିର୍ଭରଯୋଗ୍ୟ। ଗାଭାସ୍କରଙ୍କ ଭଳି କିଂବଦନ୍ତି ଖେଳାଳି ତ ତଥ୍ୟପ୍ରମାଣ ଦେଇ କହିଲେଣି ଯେ କୋହଲିଙ୍କ ଅନୁପସ୍ଥିତିରେ ଅନ୍ୟ ଖେଳାଳିମାନେ ନିଜ ସ୍ତରକୁ ଉପରକୁ ଉଠାନ୍ତି। ତେଣୁ ବିଶେଷ ଚିନ୍ତା କରିବାର କୌଣସି କାରଣ ନାହିଁ।

କିନ୍ତୁ ଅସଲ କଥା ହେଲା, ନିଷ୍ପତ୍ତିର ଯଥାର୍ଥତା ସପକ୍ଷରେ ଯେତେ ଯୁକ୍ତି ଥିଲେ ବି ତାହା ଏ ନିଷ୍ପତ୍ତିର ବିପକ୍ଷରେ ହେଉଥିବା ଯୁକ୍ତିର ସମକକ୍ଷ ହୋଇପାରୁନାହିଁ। ଗତ ପ୍ରାୟ ଗୋଟିଏ ଦଶନ୍ଧିରେ, ବିଶେଷ କରି ଦଳରୁ ତେନ୍ଦୁଲକରଙ୍କ ବିଦାୟ ପରେ, ସାତ-ଆଠ ବର୍ଷ କାଳ ଧରି କୋହଲି ଓ ଟିମ୍ ଇଣ୍ଡିଆ ଏମିତି ଭାବେ ଏକ ଓ ଅଭିନ୍ନ ହୋଇଯାଇଛନ୍ତି ଯେ, ଦଳରେ ଯେତେ ପ୍ରତିଭାବାନ ଖେଳାଳି ଥିଲେ ମଧ୍ୟ ତାଙ୍କ ବିନା ଟିମ୍ ଇଣ୍ଡିଆର ଚିନ୍ତା କରାଯାଇ ପାରୁନାହିଁ। ବିଶ୍ବ କ୍ରିକେଟ୍‌ର ଏକ ଅତି ଶକ୍ତିଶାଳୀ ଦଳ ଅଷ୍ଟ୍ରେଲିଆକୁ ତାଙ୍କ ଦେଶରେ ମୁକାବିଲା କରିବା ସବୁଠୁ କାଠିକର ବୋଲି ଧରାଯାଏ। ଅତୀତରେ ଅଷ୍ଟ୍ରେଲିଆ ମାଟିରେ ନିର୍ଦ୍ଦିଷ୍ଟ ଭାବେ ଟେଷ୍ଟ ମ୍ୟାଚ୍‌ରେ ସଫଳ ହୋଇଥିବା ଅଳ୍ପ କିଛି ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ଙ୍କ ଭିତରେ କୋହଲି ଜଣେ। ଗୋଟିଏ ଟେଷ୍ଟ ସିରିଜ୍‌ରେ ତ ସେ ଅଷ୍ଟ୍ରେଲିଆ ମାଟିରେ ଅଷ୍ଟ୍ରେଲିଆ ବିପକ୍ଷରେ ୪ଟି ଶତକ ହାସଲ କରିଥିଲେ। ତେଣେ ଆହତ ଥିବା କାରଣରୁ ଉଭୟ ରୋହିତ ଶର୍ମା ଓ ଇଶାନ୍ତ ଶର୍ମାଙ୍କୁ ନେଇ ମଧ୍ୟ ଅନିଶ୍ଚିତତା ରହିଛି। ଟେଷ୍ଟ ଲାଇନ୍-ଅପ୍‌ରେ ୩ ଓ ୪ ନମ୍ବର ସ୍ଥାନକୁ ସବୁଠୁ ଗୁରୁତ୍ବପୂର୍ଣ୍ଣ ବୋଲି ଧରାଯାଏ। ରେକର୍ଡ ମଧ୍ୟ କହିଥାଏ ଯେ ମହାନ ବ୍ୟାଟ୍‌ସମ୍ୟାନ୍‌ମାନେ ୨୮ରୁ ୩୨ ବର୍ଷ ବୟସରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରନ୍ତି। ଏଇ ନିକଟରେ କୋହଲି ୩୦ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରିକେଟ୍ କ୍ୟାରିଅର୍‌ର ଶ୍ରେଷ୍ଠ ଭାଗର ଶେଷ ଆଡ଼କୁ ତାଙ୍କ ରେକର୍ଡ ଅପହଞ୍ଚ ଦୂରତାକୁ ଚାଲିଯିବ ବୋଲି ଆଶା ବାନ୍ଧି ବସିଥିବା କୋହଲି ପ୍ରେମୀଙ୍କୁ ତାଙ୍କର ଏହି ନିଷ୍ପତ୍ତି ନିରାଶ କରିଛି। କାରଣ ଥରେ ଲୟ ହଜିଗଲେ ଫେରିପାଇବାକୁ ସମୟ ଲାଗେ। ସେହିଭଳି କ୍ରିକେଟ୍‌ର ବିଶେଷଜ୍ଞମାନଙ୍କ ମତରେ ଶ୍ରେଷ୍ଠ ବୋଲର୍‌ମାନଙ୍କ ବିପକ୍ଷରେ ଉଚ୍ଚକୋଟୀର ବ୍ୟାଟ୍‌ସମ୍ୟାନ୍‌ ସେମାନଙ୍କ ଶ୍ରେଷ୍ଠତ୍ବ ପ୍ରଦର୍ଶନ କରିଥାଆନ୍ତି। କମିନ୍‌ସ-ଷ୍ଟାର୍କ-ଲିଅନ୍‌ଙ୍କ ଶାଣିତ ବୋଲିଂ ବିପକ୍ଷରେ କୋହଲିଙ୍କ ମୁକାବିଲା ଯେଉଁ ‘କ୍ଲାସ୍-ଅଫ୍-ଟାଇଟାନ୍‌ସ’ ଭଳି ସ୍ଥିତି ସୃଷ୍ଟି କରନ୍ତା, ତାହା ଦେଖିବାରୁ ସମସ୍ତେ ବଞ୍ଚିତ ହେବେ।

ଭାରତୀୟ ଦଳର ଖେଳାଳିମାନେ ଏହା ହୃଦୟଙ୍ଗମ କରନ୍ତି ଯେ କୌଣସି ମ୍ୟାଚ୍‌ରେ କୋହଲି ରନ୍ କରନ୍ତୁ ବା ନ କରନ୍ତୁ; ତାଙ୍କ ଆକ୍ରମଣାତ୍ମକ ଶୈଳୀ ପ୍ରତିପକ୍ଷ ଖେଳାଳିଙ୍କ ମାନସିକ ଶକ୍ତିକୁ ନିଷ୍ପ୍ରଭ କରିପକାଏ। ଅଷ୍ଟ୍ରେଲୀୟ ସ୍ଲେଜିଂ(ଗାଳିଗୁଲଜ)ର ଯଦି ମୁକାବିଲା କେହି କରିବେ, ସେ ହେଉଛନ୍ତି କୋହଲି। ସୁତରାଂ, ଆଶଙ୍କା ହେଉଛି ଯେ ତାଙ୍କ ଅନୁପସ୍ଥିତିରେ ଭାରତୀୟ ଖେଳାଳିମାନେ ଅଷ୍ଟ୍ରେଲୀୟ ସ୍ଲେଜିଂ ତୀରର ସାମନା କରି ମାନସିକ ଭାରସାମ୍ୟ ରକ୍ଷା ପୂର୍ବକ ଉନ୍ନତ ପ୍ରଦର୍ଶନ କରିପାରିବେ ତ?

ଉଲ୍ଲେଖଯୋଗ୍ୟ, ମହୀନ୍ଦର ସିଂହ ଧୋନି ୨୦୧୫ ବିଶ୍ବକପ୍ ସମୟରେ ଜନ୍ମ ଲାଭ କରିଥିବା ଶିଶୁକନ୍ୟା ଜିଭାକୁ ଦେଖିବାକୁ ଭାରତ ଆସି ନ ଥିଲେ। ସେହିପରି ନବଜାତ ସନ୍ତାନ ରୋହନକୁ ଦେଖିବା ପାଇଁ ଗାଭାସ୍କରଙ୍କୁ ଅନେକ ମାସ ଅପେକ୍ଷା କରିବାକୁ ପଡ଼ିଥିଲା। ୨୦୦୧ରେ ଅଷ୍ଟ୍ରେଲିଆ ବିପକ୍ଷରେ ଘରୋଇ ଶୃଙ୍ଖଳାରେ ଖେଳୁଥିବା କାରଣରୁ ଗାଙ୍ଗୁଲି ନିଜ ନବଜାତ ଶିଶୁକନ୍ୟା ସାନାକୁ ମାସକ ପରେ ଦେଖିବାର ସୁଯୋଗ ପାଇଥିଲେ। ୧୯୯୯ ଇଂଲଣ୍ଡ ବିଶ୍ବକପ୍ ବେଳେ ବାପାଙ୍କ ମୃତ୍ୟୁ ଖବର ପାଇ ତେନ୍ଦୁଲକର ମୁମ୍ବାଇ ଆସିଥିଲେ ସିନା, ହେଲେ ଫେରିଆସି ଶତକ ହାସଲ କଲେ। ସେହି ପରିପ୍ରେକ୍ଷୀରେ କୋହଲି ମଧ୍ୟ ଦୃଷ୍ଟାନ୍ତ ରଖିଛନ୍ତି। ବାପାଙ୍କ ପରଲୋକରେ ଭାଙ୍ଗି ପଡ଼ିଥିବା ସତ୍ତ୍ବେ କୋହଲି ତା’ ପରଦିନ ନିଜ ଅସମାପ୍ତ ରଣଜୀ ଇନିଂସକୁ ଜାରି ରଖିଥିଲେ। ତେଣୁ ତାଙ୍କ ବର୍ତ୍ତମାନର ନିଷ୍ପତ୍ତି ବିସ୍ମୟର କାରଣ ହୋଇଛି। ଯଦିଓ ୨୦୦୯ରେ ରାହୁଲ ଦ୍ରାବିଡ୍ ଓ ୨୦୧୮ରେ ରୋହିତ ଶର୍ମା ନିଜ ନିଜ ସନ୍ତାନଙ୍କ ଜନ୍ମଲାଭ କାଳରେ ବିଦେଶରେ ଚାଲିଥିବା ଟୁର୍ନାମେଣ୍ଟ ଛାଡ଼ି ଭାରତକୁ ଫେରି ଆସିଥିବାର ଉଦାହରଣ ରହିଛି, ତଥାପି ପ୍ରଶ୍ନ ଉଠିଥାଏ ଯେ ଏକ ଟୁର୍ନାମେଣ୍ଟରେ ବିଦେଶ ଭୂମିରେ ରାଷ୍ଟ୍ରର ପ୍ରତିନିଧିତ୍ବ କରୁଥିବା ଦଳର ମୁଖ୍ୟ ଏକ ସାଧାରଣ ବ୍ୟକ୍ତିଗତ କାରଣ ଲାଗି କ୍ରୀଡ଼ାଙ୍ଗନରୁ ଦୂରେଇ ଯିବା କେତେ ଯୁକ୍ତିଯୁକ୍ତ?

କିଂବଦନ୍ତି ଅଷ୍ଟ୍ରେଲୀୟ ଖେଳାଳି ଆଲାନ୍ ବର୍ଡର ଏହି ପରିପ୍ରେକ୍ଷୀରେ କହନ୍ତି- ‘ଆମେ ଆଶା କରୁଥିଲୁ, କୋହଲିଙ୍କ ସନ୍ତାନ ଅଷ୍ଟ୍ରେଲିଆରେ ଜନ୍ମ ହେବ।’ ପରିହାସ ଛଳରେ ସେ ଏହା କହିଥିଲେ ମଧ୍ୟ ତାଙ୍କ କଥାଟି ବେଶ ପ୍ରଣିଧାନଯୋଗ୍ୟ। କାରଣ ତାଙ୍କ ଏ ବକ୍ତବ୍ୟ ପଛରେ କୋହଲିଙ୍କ ମନୋଭାବ ପ୍ରତି ଏକ କଟାକ୍ଷ ରହିଛି।

‘ସମ୍ବାଦ’, ରସୁଲଗଡ଼ ଶିଳ୍ପାଞ୍ଚଳ, ଭୁବନେଶ୍ବର
ମୋ-୯୪୩୭୦୯୭୫୦୩
[email protected]

ସମ୍ବନ୍ଧିତ ଖବର