ମୌଳିକ ଅଧିକାରର ସୁରକ୍ଷା

ଆଇନ ଆଲୋଚନା - ପ୍ରତୀକ ଦାଶ

ବେଆଇନ ଅର୍ଥ କାରବାର ବିରୋଧରେ ରହିଥିବା ‘ପ୍ରିଭେନ୍‌ସନ୍‌ ଅଫ୍‌ ମନି ଲଣ୍ତରି˚ ଆକ୍‌ଟ’ ବା ‘ପିଏମ୍‌ଏଲ୍‌ଏ’ର ଧାରା ୪୫(୧)କୁ ସୁପ୍ରିମ କୋର୍ଟ ରଦ୍ଦ କରିଦେଇ ମୌଳିକ ଅଧିକାରର ପ୍ରାଧାନ୍ୟ ତଥା ଆଇନର ଶାସନ ସପକ୍ଷରେ ନିଜର ମତକୁ ସ୍ପଷ୍ଟ କରି ଦେଇଛନ୍ତି। ଉପରୋକ୍ତ ଆଇନ ଅନୁସାରେ ଯେଉଁମାନେ ଗିରଫ ହେଉଥିଲେ ସେମାନେ ପ୍ରାୟତଃ ରଦ୍ଦ ହୋଇଥିବା ଧାରା ଯୋଗୁଁ ଜାମିନ ପାଇପାରୁ ନଥିଲେ। ଯଦିଓ ଜଣେ ଦୋଷୀ ସାବ୍ୟସ୍ତ ନ ହେବା ଯାଏଁ ନିର୍ଦ୍ଦୋଷ ବୋଲି ବିବେଚିତ ହେବେ; ତଥାପି ଭାରତରେ ଜାମିନ ବ୍ୟବସ୍ଥାର ଦୁର୍ବଳତା ଯୋଗୁଁ ଦେଶର ଜେଲଗୁଡ଼ିକରେ ୬୫୪ ଭାଗରୁ ଅଧିକ କଏଦୀ ଜାମିନ ନପାଇ ବିଚାରାଧୀନ ବନ୍ଦୀ ଭାବେ ଶଢ଼ୁଛନ୍ତି। ତା’ ସାଙ୍ଗକୁ ‘ମନି ଲଣ୍ତରି˚ ଆକ୍‌ଟ’ର ଉପର ଲିଖିତ କଠୋର ବ୍ୟବସ୍ଥା ଏହି କେସ୍‌ରେ ଗିରଫ ହେଉଥିବା ବ୍ୟକ୍ତିମାନଙ୍କ ପାଇଁ ଜାମିନ କ୍ଷେତ୍ରରେ ବଡ଼ ବାଧକ ହେଉଥିଲା, ଯାହା ସେମାନଙ୍କ ମୌଳିକ ଅଧିକାରକୁ ହନନ କରୁଥିଲା।

ଏବେ ସୁପ୍ରିମକୋର୍ଟ କହିଛନ୍ତି ଯେ ଆଇନର ଉପରୋକ୍ତ ଧାରା ସମାନତା ପ୍ରତି ଅଧିକାର ଥିବା ସମ୍ବିଧାନର ୧୪ ଅନୁଛେଦ ଓ ଜୀବନ ତଥା ସ୍ବାଧୀନତା ପ୍ରତି ଅଧିକାର ଥିବା ସମ୍ବିଧାନର ୨୧ ଅନୁଛେଦର ଉଲ୍ଲଂଘନ କରୁଛି। ଅର୍ଥାତ୍‌ ଦେଶର ଆଇନ ଅନୁସାରେ ଜଣେ ଦୋଷୀ ସାବ୍ୟସ୍ତ ନ ହେବା ଯାଏଁ ନିର୍ଦ୍ଦୋଷ ପରିଗଣିତ ହେବେ ବୋଲି ଯେଉଁ ବ୍ୟବସ୍ଥା ରହିଛି ଉପରୋକ୍ତ ନିୟମ ତାର ବିରୋଧରେ ଯାଉଥିଲା ଓ ଅଭିଯୋଗର ସମ୍ମୁଖୀନ ହୋଇଥିବା ବ୍ୟକ୍ତି ନିର୍ଦ୍ଦୋଷ ପ୍ରମାଣିତ ହେବା ପର୍ଯ୍ୟନ୍ତ ଦୋଷୀ ବିବେଚିତ ହେଉଥିଲା। ୨୦୦୫ରୁ ଏହି ‘ପିଏମ୍‌ଏଲ୍‌ଏ’ ଆଇନ ବଳବତ୍ତର ରହିଛି। ପରବର୍ତ୍ତୀ ସମୟରେ ଏଥିରେ ଦୁଇ ଥର ସ˚ଶୋଧନ କରାଯାଇଛି। ଆଶ୍ଚର୍ଯ୍ୟର କଥା ଯେ ବନ୍ୟପ୍ରାଣୀ ସୁରକ୍ଷା ଆଇନ ଓ ଆଣ୍ଟିକ୍ୟୁଟି ବା ପୂରାକାଳ ଆଇନରେ ଥିବା ଅପରାଧକୁ ମଧ୍ୟ ଉପରୋକ୍ତ ନିୟମ ମଧ୍ୟରେ ରଖା ଯାଇଥିଲା। ମୋଟାମୋଟି ଭାବେ ଦେଖିବାକୁ ଗଲେ ଏହା ଏକ ଅତ୍ୟନ୍ତ ଅଗଣତାନ୍ତ୍ରିକ ନିୟମ ଥିଲା।

ଦେଶରେ ଅପରାଧ ବିରୋଧରେ ଯେଉଁସବୁ କାର୍ଯ୍ୟାନୁଷ୍ଠାନ ବ୍ୟବସ୍ଥା ରହିଛି ସେଥିରେ ଗିରଫ ହେଲେ ଜାମିନ ପାଇବା ଏକ ସ୍ବାଭାବିକ ବ୍ୟବସ୍ଥା ଭାବେ ଗୃହୀତ ହେବା କଥା। ବର˚ ଜଣେ ଜେଲ ଯିବା ଏକ ବ୍ୟତିକ୍ରମ ବା ବିଶେଷ ପରିସ୍ଥିତି ଭାବେ ବିବେଚିତ ହେବା ଦରକାର। ଦୁର୍ଭାଗ୍ୟର ବିଷୟ ଯେ ଆମ ଦେଶରେ ଅପରାଧ ନାମରେ ବହୁ ଲୋକଙ୍କୁ ଗିରଫ କରାଯାଇ ବର୍ଷ ବର୍ଷ ଧରି ସେମାନଙ୍କୁ ଜେଲରେ ରଖାଯାଉଛି। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରୁ ଅଧିକା˚ଶ ନିର୍ଦ୍ଦୋଷ ଭାବେ କୋର୍ଟରୁ ଖଲାସ ହେଉଛନ୍ତି। ବିଚାରାଧୀନ ବନ୍ଦୀ ଭାବେ ସେମାନେ ଯେତିକି ଦିନ ଜେଲ ଭୋଗୁଛନ୍ତି ତାହା ସେମାନଙ୍କର ଜୀବନର ଏକ କଷ୍ଟକର ସମୟ ହୋଇ ରହିଯାଉଛି। ଏ ଦୃଷ୍ଟିରୁ ହତ୍ୟା ବା ହି˚ସାକାଣ୍ତ ଭଳି ଜଘନ୍ୟ ଅପରାଧ ବ୍ୟତୀତ ଅନ୍ୟ କେସ୍‌ଗୁଡ଼ିକରେ ଜାମିନ ତୁରନ୍ତ ଦିଆଯିବା ଉଚିତ। କେବଳ ସେତିକି ନୁହେଁ, ସେମାନଙ୍କ କେସ୍‌ଗୁଡ଼ିକର ତୁରନ୍ତ ଫଇସଲା କରାଯିବା ମଧ୍ୟ ଦରକାର।

ଉପରଲିଖିତ ‘ପିଏମ୍‌ଏଲ୍‌ଏ’ରେ ଧାରା ୪୫(୧)ରେ ରହିଛି ଯେ ସରକାରୀ ଓକିଲଙ୍କୁ ଜାମିନକୁ ବିରୋଧ କରିବା ପାଇଁ କୋର୍ଟରେ ସୁଯୋଗ ମିଳିବ। ଜାମିନର ବିଚାର କଲାବେଳେ କୋର୍ଟ ସନ୍ତୁଷ୍ଟ ହେବା ଦରକାର ଯେ ଅଭିଯୁକ୍ତ ଦୋଷୀ ନୁହନ୍ତି ଓ ଜାମିନ ପାଇଲା ପରେ ସେ ଅନ୍ୟ ଅପରାଧ କରିବାର ଆଶଙ୍କା କମ୍‌। ଉପରୋକ୍ତ ନିୟମରେ ଏହି ସର୍ତ୍ତାବଳୀ ଥିବାରୁ ଅଧିକା˚ଶ ଗିରଫ ବ୍ୟକ୍ତିଙ୍କୁ ଜାମିନ ମିଳୁନାହିଁ। ଆଇନ ଲାଗୁ ହେବାର ଗତ ୧୨ ବର୍ଷ ମଧ୍ୟରେ ମାତ୍ର ଦୁଇ ବା ତିନି ଜଣ ଜାମିନ ପାଇଛନ୍ତି। ଏହି କାରଣରୁ କୋର୍ଟ ଉପରୋକ୍ତ ନିୟମକୁ ସ୍ବେଚ୍ଛାଚାରୀ, ପାତରଅନ୍ତରଯୁକ୍ତ ଓ ଅନୁଚିତ ବୋଲି ଆଖ୍ୟା ଦେଇଛନ୍ତି। କୋର୍ଟ ମଧ୍ୟ ଉପରୋକ୍ତ ନିୟମ ଲଗାଯାଇଥିବା ସବୁ କେସ୍‌ର ସାନି ଜମାବନ୍ଦୀ ଆଦେଶ ଦେଇଛନ୍ତି। ଏଥିରୁ ଜଣାପଡ଼ୁଛି ଉପରୋକ୍ତ ନିୟମରେ ବର୍ଷ ବର୍ଷ ଧରି ଜେଲରେ ଶଢ଼ୁଥିବା ବହୁ ଲୋକ ମୁକ୍ତି ପାଇବେ। କାରଣ ସେମାନଙ୍କ କେସ୍‌କୁ ଯଥାଶୀଘ୍ର ବିଚାର କରାଯିବା ପାଇଁ କୋର୍ଟ କହିଛନ୍ତି। କେବଳ ଉପରୋକ୍ତ ଆଇନ ନୁହେଁ, ସବୁ ପ୍ରକାର ଅପରାଧ ବିରୋଧରେ ଥିବା ଆଇନଗୁଡ଼ିକ ଦେଶର ମୂଳ ଆଇନଗତ ସତ୍ତା ପରିଧି ମଧ୍ୟରେ ରହିବା ଉଚିତ। ନାଗରିକଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରିବାର ଅଧିକାର କୌଣସି ସରକାରଙ୍କର ନାହିଁ।

ତେବେ, ସର୍ବୋଚ୍ଚ ନ୍ୟାୟାଳୟଙ୍କର ରାୟକୁ କଳାଧନ ବିରୋଧରେ ସରକାରଙ୍କ ଅଭିଯାନ ପାଇଁ ଏକ ଧକ୍କା ବୋଲି ସରକାର ବିବେଚନା କରିବା ଅନୁଚିତ। ଗଣତାନ୍ତ୍ରିକ ରାଷ୍ଟ୍ରରେ ନାଗରିକଙ୍କର ମୌଳିକ ଅଧିକାରକୁ ସମ୍ମାନ ଦେଇ ଅପରାଧର ମୁକାବିଲା କରାଯିବା ଆବଶ୍ୟକ।

ଆଇନଜୀବୀ
ଓଡ଼ିଶା ହାଇକୋର୍ଟ, କଟକ
ମୋ: ୯୮୫୩୮୪୭୪୧୪

ସମ୍ବନ୍ଧିତ ଖବର