ଏବେ କହନ୍ତୁ ଦାୟୀ କିଏ?

ଶ୍ୟାମସୁନ୍ଦର ଅଗ୍ରୱାଲା

କୌଣସି ଏକ ସଭାସ୍ଥଳରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ସେମାନଙ୍କର ପ୍ରସନ୍ଦ ନାପସନ୍ଦ ନେଇ କେତୋଟି ପ୍ରଶ୍ନ ପଚାରି ସର୍ଭେ ନିମନ୍ତେ ହାତ ଉଠେଇବାକୁ ଅନୁରୋଧ କରାଗଲା। ପ୍ରଥମ ପ୍ରଶ୍ନ ପଚରାଗଲା, “ଆଛା, କେଉଁମାନେ ସରକାରୀ ସ୍କୁଲ କିମା କଲେଜରେ ପଢ଼ିବାକୁ ଚାହୁଁଛନ୍ତି?” ଲକ୍ଷ୍ୟ କରାଗଲା କୌଣସି ଗୋଟିଏ ବି ହାତ ଉପରକୁ ଉଠିଲା ନାହିଁ। ଦ୍ବିତୀୟ ପ୍ରଶ୍ନ ପଚରାଗଲା, “କେଉଁମାନେ ସରକାରୀ ହସ୍‌ପିଟାଲରେ ଚିକିତ୍ସିତ ହେବାକୁ ଚାହୁଁଛନ୍ତି?” ପୂର୍ବବତ ବିଷଣ୍ଣ ବଦନ ସହିତ ସମସ୍ତଙ୍କର ହାତ ତଳକୁ ହିଁ ରହିଲା। ତୃତୀୟ ପ୍ରଶ୍ନ ପଚରାଗଲା, “କେଉଁମାନେ ସରକାରୀ ବସ୍‌ରେ ଯାତାୟାତ କରିବାକୁ ଚାହୁଁଛନ୍ତି?” ହାତ ଉଠିବା ତ ଦୂରର କଥା ସଭାସ୍ଥଳରେ ଆହୁରି ଗଭୀର ନିରବତା ବିରାଜମାନ କଲା। ଆଛା ବର୍ତ୍ତମାନ ଶେଷ ପ୍ରଶ୍ନ, “କେଉଁମାନେ ସରକାରୀ ଚାକିରି କରିବାକୁ ଚାହୁଁଛନ୍ତି?” ତତ୍‌କ୍ଷଣାତ୍ ସମସ୍ତଙ୍କର ସହାସ୍ୟ ବଦନ ଏକ ସ୍ବରରେ ‘ହଁ…ହଁ’ କହିବାକୁ ଲାଗିଲା ଓ ହଜାର ହଜାର ହାତ ଏକାସହିତ ଉପରକୁ ଉଠିଯାଇ ଏକ ହସ୍ତମୟ ପରିବେଶ ସୃଷ୍ଟି କରିଥିଲା।

ବନ୍ଧୁଗଣ, ବର୍ତ୍ତମାନ ଭାରତୀୟ ବନ ସେବାର ଜନୈକ ଅଧିକାରୀ ଏହା ପ୍ରମାଣ କରିଦେଇଛନ୍ତି ଯେ ସରକାର ହିଁ ହେଉଛନ୍ତି ଏକମାତ୍ର ସଂସ୍ଥା ଯେଉଁଥିରେ ଆପଣ ଟଙ୍କାଟିଏ ମଧ୍ୟ ବିନିଯୋଗ ନ କରି ଏକ ବିପୁଳ ସମ୍ପତ୍ତିର ଅଧିକାରୀ ହୋଇପାରିବେ। ଏହା ହେଉଛି ଏକ ମାତ୍ର ସଂସ୍ଥା ଯେଉଁଥିରୁ ଆପଣ ଲକ୍ଷ ଲକ୍ଷ ଟଙ୍କା ମାସିକ ପାରିଶ୍ରମିକ ନେଇ ମଧ୍ୟ ବର୍ଷକୁ କୋଟି କୋଟି ଟଙ୍କା ଅର୍ଜନ କରିପାରିବେ। ସାମାଜିକ ବନୀକରଣ ଓ ଚାରାରୋପଣ ଦାୟିତ୍ବରେ ଥାଇ ଯଦି ଆପଣ କୋଡ଼ିଏ ଥର ସପରିବାର ଓ ବନ୍ଧୁବାନ୍ଧବଙ୍କ ସହିତ ଭୁବନେଶ୍ବରରୁ ଦିଲ୍ଲୀ, ପାଟଣା, ପୁନେ ଓ ମୁମ୍ବାଇ ଥରକୁ କୋଡ଼ିଏରୁ ପଚିଶ ଲକ୍ଷ ଟଙ୍କା ଦେଇ ଚାର୍ଟର୍‌ଡ ବିମାନରେ ଯାତ୍ରା କରିପାରୁଛନ୍ତି ତେବେ ଭାବନ୍ତୁ ରାଜ୍ୟରେ ଗଛମାନଙ୍କର ଚେର ମାଡୁ କି ନ ମାଡୁ, ତାଙ୍କ ଦୁର୍ନୀତିର ଚେର କି ଭଳି ଭିତରକୁ ଭିତର ମାଡ଼ି ଚାଲିଛି। ରାଜାଘର ପୁଅ ଭଳି ହୋଇଥାନ୍ତା ବାହାଘର, ଉଦୟପୁରରେ ବୁକିଂ ହୋଇଥିଲା ପ୍ୟାଲେସ, ବିମାନରେ ଯାଇଥାନ୍ତେ ବରଯାତ୍ରୀ, ପୁନେରେ ଫାର୍ମ ହାଉସ୍‌, ପାଟନାରେ କୋଠି, ପାଞ୍ଚଟି ନାମୀ ଦାମୀ ଗାଡ଼ି, ଆଲିସାନ ଘର, ପୁଅ ଆକାଉଣ୍ଟରେ ଦଶ କୋଟି, ସଂପର୍କୀୟଙ୍କ ଘରୁ ନଗଦ ପଚାଶ ଲକ୍ଷ ଟଙ୍କା ଇତ୍ୟାଦିର ଖବର ସବୁ ଏ ଭଳି ଚାଞ୍ଚଲ୍ୟକର ଥିଲା ଯେ ସେଦିନ ଖବରକାଗଜରେ ଫୁଟ୍‌ବଲ୍‌ କିମ୍ବଦନ୍ତି ମାରାଡୋନାଙ୍କ ଦେହାନ୍ତ ଖବରକୁ ପଛରେ ପକେଇ ଏହା ପ୍ରଥମ ସମ୍ବାଦ ହିସାବରେ ପୃଷ୍ଠା ମଣ୍ଡନ କରିଥିଲା।

ପ୍ରଶ୍ନ ଉଠେ ଏହିପରି ଚାଞ୍ଚଲ୍ୟକର ଦୁର୍ନୀତି ପାଇଁ ଦାୟୀ କିଏ? ଆଜକୁ ତିରିଶ ବର୍ଷରୁ ଅଧିକ କାଳ ହେବ ଅଧିକାରୀ ମହାଶୟ ଭାରତୀୟ ବନ ସେବାରେ ନିଜ ସେବା ଉତ୍ସର୍ଗ କରି ଆସୁଛନ୍ତି। ଏତେ ବ୍ୟାପକ ସମ୍ପତ୍ତିର ମାଲିକ ତ ସେ ଗୋଟିଏ ଦିନ ବା ମାସ ବା ବର୍ଷକ ଭିତରେ ହୋଇଯାଇ ନାହାନ୍ତି। ବର୍ଷ ବର୍ଷ ଧରି ଜଙ୍ଗଲ ଓ ପରିବେଶ ବିଭାଗର ସର୍ବେସର୍ବା ଅଧିକାରୀମାନେ କେମିତି ଏ କଥା ଜାଣିପାରିଲେ ନାହିଁ ନା ଜାଣିଶୁଣି ଚୁପ୍‌ ରହିବାକୁ ଉଚିତ ମନେ କରିଥିଲେ। ଠିକ୍ ଅଛି ସେମାନେ ହୁଏତ ଜାଣିପାରିଲେ ନାହିଁ କି ତାଙ୍କ ମଧ୍ୟରେ ଅନେକ ଦୁର୍ନୀତିଗ୍ରସ୍ତ ଅଧିକାରୀ ଜାଣି ମଧ୍ୟ ‘ରାଧେ ରାଧେ, ତୁମର ଅଧେକୁ ଆମର ଅଧେ’ ନ୍ୟାୟରେ ଚୁପ୍‌ ରହିଗଲେ, କିନ୍ତୁ ରାଜ୍ୟର ଦୁର୍ନୀତି ନିବାରଣ ବିଭାଗ ଆଜିଯାଏଁ କ’ଣ କରୁଥିଲା? ଏହି ବିଭାଗର ସର୍ବେସର୍ବାମାନେ କ’ଣ କରୁଥିଲେ? ସଂକ୍ଷିପ୍ତରେ ସେହି ଗୋଟିଏ ପ୍ରଶ୍ନ- ଏଥିପାଇଁ ଦାୟୀ କିଏ?

ଏହାର ଉତ୍ତର ପାଇଁ ବିକ୍ରମ ବେତାଳ କଥାଟିଏ ମନେ ପଡ଼େ। ମଗଧର ରାଜଧାନୀ ପାଟଳିପୁତ୍ରରେ ରାମଗୁପ୍ତ ନାମକ ଏକ ସାଧୁ ଓ ସଚ୍ଚୋଟ ସମାଜସେବୀ ବ୍ୟକ୍ତି ଥିଲେ। ଥରେ ତାଙ୍କ ପଡ଼ୋଶୀ କୃଷ୍ଣମୋହନ ତୀର୍ଥଯାତ୍ରାରେ ଯାଉଥିବାରୁ ସେ ଫେରିବା ପର୍ଯ୍ୟନ୍ତ ତାଙ୍କର ବ୍ୟବସାୟର ରକ୍ଷଣାବେକ୍ଷଣ ଦାୟିତ୍ବ ନେବାକୁ ରାମଗୁପ୍ତଙ୍କୁ ଅନୁରୋଧ କରିଥିଲେ। ରାମଗୁପ୍ତ ତାଙ୍କୁ ନିର୍ଭର ପ୍ରତିଶ୍ରୁତି ଦେଇ ନିଶ୍ଚିନ୍ତରେ ତୀର୍ଥଯାତ୍ରା କରିବା ପାଇଁ କହିଥିଲେ। କୃଷ୍ଣମୋହନଙ୍କ ତୀର୍ଥଗମନ ପରେ ରାମଗୁପ୍ତ ତାଙ୍କ ଜ୍ୟେଷ୍ଠ ପୁତ୍ର ଚନ୍ଦ୍ରଗୁପ୍ତଙ୍କୁ ବ୍ୟବସାୟର ଦାୟିତ୍ବ ଅର୍ପଣ କରିଥିଲେ ଓ ଏହାର ସୁଚାରୁ ପରିଚାଳନା ନିମନ୍ତେ ତାକୁ ପ୍ରତିଜ୍ଞାବଦ୍ଧ ମଧ୍ୟ କରିଥିଲେ। ଚନ୍ଦ୍ରଗୁପ୍ତ କିନ୍ତୁ ବାପାଙ୍କ ପରି ଏକ ସାଧୁ ଓ ନୀତିବାନ ଯୁବକ ନ ଥିଲା। ସେ ଧୀରେ ଧୀରେ କୃଷ୍ଣମୋହନଙ୍କ ବ୍ୟବସାୟ ଅର୍ଥରାଶିକୁ ଆତ୍ମସାତ୍‌ କରି ମଉଜ ମଜଲିସରେ ଉଡ଼େଇ ଦେଲା।

ତୀର୍ଥଯାତ୍ରାରୁ ଫେରି କୃଷ୍ଣମୋହନ ପଡ଼ୋଶୀ ରାମଗୁପ୍ତଙ୍କୁ ବ୍ୟବସାୟର କ୍ଷତି ଓ ଦୁର୍ଦଶା ବିଷୟରେ କହିଲେ। ରାମଗୁପ୍ତ ଘଟଣାର ସତ୍ୟତା ଜାଣିପାରି ପୁତ୍ର ଚନ୍ଦ୍ରଗୁପ୍ତଙ୍କୁ ଦୃଢ଼ ନିନ୍ଦା କରିବା ସହିତ ପଡ଼ୋଶୀ କୃଷ୍ଣମୋହନଙ୍କ ପାଖରେ କ୍ଷମା ପ୍ରାର୍ଥନା କଲେ। କୃଷ୍ଣମୋହନ ଏହା ଗ୍ରହଣ ନ କରି ରାଜା ବିଜୟ ସେନଙ୍କ ନିକଟରେ ଫେରାଦ ହେଲେ। ରାମଗୁପ୍ତ ରାଜାଙ୍କ ସମ୍ମୁଖରେ ଉପସ୍ଥିତ ହୋଇ ପୁଅର ସମସ୍ତ ଦୋଷ ସ୍ବୀକାର କରି କହିଲେ ‘ମହାରାଜ, ମୋ’ର ପୁତ୍ର ଚନ୍ଦ୍ରଗୁପ୍ତ ହିଁ ଦୋଷୀ। ତାକୁ କଠୋରରୁ କଠୋର ଦଣ୍ଡ ବିଧାନ କରି ମୋ’ର ପଡ଼ୋଶୀ କୃଷ୍ଣମୋହନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରନ୍ତୁ।’ ରାଜା ବିଜୟ ସେନ ରାମଗୁପ୍ତଙ୍କ ଦ୍ବାରା ନିଜ ପୁଅ ବିରୁଦ୍ଧରେ ଏ ଭଳି ବକ୍ତବ୍ୟରେ ପ୍ରଭାବିତ ହୋଇ ଚନ୍ଦ୍ରଗୁପ୍ତଙ୍କୁ ସମସ୍ତ କ୍ଷତି ଭରଣା କରିବା ଲାଗି କହିବା ସହିତ ଆଜୀବନ କାରାଦଣ୍ଡ ଦେଲେ।

କାହାଣୀ କହିସାରିବା ପରେ ବେତାଳ ରାଜା ବିକ୍ରମାଦିତ୍ୟଙ୍କୁ ପ୍ରଶ୍ନ କଲେ “ହେ ରାଜନ, ରାଜା ବିଜୟସେନଙ୍କ ନିଷ୍ପତ୍ତି ଯଥାର୍ଥ ଥିଲା କି?” ବିକ୍ରମାଦିତ୍ୟ କହିଲେ “ହେ ବେତାଳ, ରାଜା ବିଜୟସେନଙ୍କ ନିଷ୍ପତ୍ତି ଭୁଲ୍‌ ଅଟେ କାରଣ କୃଷ୍ଣମୋହନ ବ୍ୟବସାୟର ରକ୍ଷଣାବେକ୍ଷଣ ଦାୟିତ୍ବ ଚନ୍ଦ୍ରଗୁପ୍ତଙ୍କୁ ନୁହେଁ, ତାଙ୍କ ପିତା ରାମଗୁପ୍ତଙ୍କୁ ଦେଇଥିଲେ। ଏ କାହାଣୀରେ ପୁତ୍ର ଚନ୍ଦ୍ରଗୁପ୍ତଙ୍କ ଅପେକ୍ଷା ପିତା ରାମଗୁପ୍ତ ଅଧିକ ଦୋଷୀ ଓ ଦଣ୍ଡନୀୟ। କେବଳ ପୁତ୍ରକୁ ଦୋଷୀ କହି ପିତାକୁ ନିର୍ଦୋଷ କରିବା ନ୍ୟାୟର ପରିପନ୍ଥୀ ଅଟେ।”

ବନ୍ଧୁଗଣ, ଆପଣମାନଙ୍କୁ ମଧ୍ୟ ପୁନର୍ବାର ସେହି ଏକା ପ୍ରଶ୍ନ- ପ୍ରକୃତ ଦୋଷୀ କିଏ? ଜନୈକ ଅଧିକାରୀଙ୍କ ଏହି ପରି ଚାଞ୍ଚଲ୍ୟକର ଦୁର୍ନୀତି ପାଇଁ କାହାକୁ ଆପଣ ଅଧିକ ଦୋଷ ଦେବେ? ଥରେ ସ୍ବର୍ଗୀୟା ସୁଷମା ସ୍ବରାଜ ପାର୍ଲିଆମେଣ୍ଟରେ ଏହି ପ୍ରଶ୍ନର ଉତ୍ତର ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଏକ ଉର୍ଦ୍ଦୁ ସାୟରୀ ମାଧ୍ୟମରେ ଦେଇଥିଲେ ଯାହାର ସାରାଂଶ ହେଉଛି- “ଆମର ଚୋର, ଡକାଏତ ଓ ଲୁଣ୍ଠନକାରୀମାନଙ୍କ ଉପରେ ଅଭିଯୋଗ ନାହିଁ। ଆମର ଅଭିଯୋଗ ଆପଣଙ୍କ ଉପରେ କାରଣ ଆପଣଙ୍କୁ ହିଁ ଆମେ ଆମ ସମ୍ପତ୍ତିର ସୁରକ୍ଷା ଦାୟିତ୍ବ ଦେଇ ରାତିରେ ନିଦ୍ରା ଯାଇଥିଲୁ।”

୯୭, ଜନପଥ, ଭୁବନେଶ୍ବର
ମୋ- ୯୪୩୭୦୬୭୫୬୭

ସମ୍ବନ୍ଧିତ ଖବର