ଯୁଦ୍ଧ ଓ ପରିବେଶର କ୍ଷତି

ବିଜୟ କେତନ ପଟ୍ଟନାୟକ

ସାମ୍ପ୍ରତିକ ସ୍ଥିତିରେ ପରିବେଶ ଏକ ସ୍ପର୍ଶକାତର ଶବ୍ଦରେ ପରିଣତ ହୋଇସାରିଛି। ଯେ କୌଣସି ବିକାଶମୂଳକ କାର୍ଯ୍ୟଧାରା ଆପଣେଇଲେ, ତାହା ଦ୍ରୁତ ଶିଳ୍ପାୟନ ହେଉ, ପରିବହନ ବା ଗମନାଗମନ ହେଉ, ଯୋଗାଯୋଗ ବା ସହରୀକରଣ ହେଉ କିମ୍ବା ଆମ୍ଭମାନଙ୍କର ଖାଦ୍ୟ ଗ୍ରହଣ ଶୈଳୀର ଢାଞ୍ଚା ପରିବର୍ତ୍ତନ ହେଉ; ସମସ୍ତ କାର୍ଯ୍ୟକଳାପ ସବୁଜ କୋଠରି ଗ୍ୟାସ୍‌ ନିର୍ଗମନର ଏକ ମାଧୢମ ରୂପେ ବାୟୁମଣ୍ଡଳ ଓ ପରିବେଶକୁ ପ୍ରଦୂଷିତ କରୁଛି। ଯାହାର ସିଧାସଳଖ ପ୍ରତିଫଳନ ହେଉଛି, ବିଶ୍ବତାପନ ବା ପୃଥିବୀର ତାପମାତ୍ରାରେ ବୃଦ୍ଧି ଏବ˚ ଜଳବାୟୁ ପରିବର୍ତ୍ତନ। କିନ୍ତୁ କେବଳ ଶିଳ୍ପାୟନ, ପରିବହନ ବା ଜୀବନଯାପନ ଢାଞ୍ଚା ନୁହେଁ, ଦେଶ ଭିତରେ ଲାଗି ରହିଥିବା ଅନ୍ତଃଯୁଦ୍ଧ ଏବ˚ ଦେଶ ଦେଶ ମଧୢରେ ଘଟୁଥିବା ବହିଃଯୁଦ୍ଧ ମଧୢ ପରିବେଶ ପ୍ରଦୂଷଣର ଅନ୍ୟତମ କାରକ। ସାଧାରଣତଃ ଯୁଦ୍ଧର କ୍ଷୟକ୍ଷତି କଥା ଭାବିଲା ବେଳକୁ ଆମେ ମୃତାହତ ସୈନିକ ବା ସାଧାରଣ ନାଗରିକ, ଭିତ୍ତିଭୂମି ଧ୍ବ˚ସ ଏବ˚ ଜୀବନ ଜୀବିକା ନଷ୍ଟ ହେବା କଥା ଚିନ୍ତା କରିଥାଉ। କିନ୍ତୁ ଯୁଦ୍ଧ ଯେ ପରିବେଶର ନିରବ ଏବ˚ ବଳିଷ୍ଠ ଘାତକ ଏ କଥା ସାଧାରଣତଃ ହେଜକୁ ଆସି ନ ଥାଏ। ଯୁଦ୍ଧ ଘଟିଲେ ଜଳ ଉତ୍ସ ପ୍ରଦୂଷିତ ହୁଏ, ଜଳ ପ୍ରବାହ ପ୍ରଭାବିତ ହୁଏ, ମୃତ୍ତିକା ଅବକ୍ଷୟ ଘଟି ମରୁଭୂମୀକରଣ ଆରମ୍ଭ ହୋଇଥାଏ, ଫସଲ ଜଳିଯାଏ, ଜଙ୍ଗଲ ଧ୍ବସ୍ତ ବିଧ୍ବସ୍ତ ହୋଇଯାଏ ଏବ˚ ଜୀବଜନ୍ତୁମାନେ ମୃତ୍ୟୁବରଣ କରନ୍ତି ଇତ୍ୟାଦି ଇତ୍ୟାଦି।

ମିଳିତ ଜାତିସ˚ଘର ପରିବେଶ କାର୍ଯ୍ୟକ୍ରମ (UNEP) ପ୍ରଦତ୍ତ ଏକ ତଥ୍ୟରୁ ଜଣାଯାଏ, ବିଗତ ୬୦ ବର୍ଷ ମଧୢରେ ଘଟିଥିବା ଯୁଦ୍ଧ ଓ ଅନ୍ତର୍ଯୁଦ୍ଧ ମଧୢରୁ ୪୦ ପ୍ରତିଶତ ଘଟଣାରେ ପ୍ରାକୃତିକ ସମ୍ବଳର ବିପୁଳ ଅପଚୟ ଘଟିଛି। ପରିବେଶ ଉପରେ ଯୁଦ୍ଧର ପ୍ରଭାବ ବିଶ୍ବଯୁଦ୍ଧ ୧, ବିଶ୍ବଯୁଦ୍ଧ ୨ ଏବ˚ ଭିଏତ୍‌ନାମ ଯୁଦ୍ଧରେ ଖୋଲାଖୋଲି ଦେଖିବାକୁ ମିଳିଲା। ରାସାୟନିକ ବୋମାର ପ୍ରୟୋଗ ପ୍ରଥମ ବିଶ୍ବଯୁଦ୍ଧ ସମୟରୁ ହିଁ ଆରମ୍ଭ ହୋଇ ଯାଇଥିଲା। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ଆଉ ପାଦେ ଆଗକୁ ଯାଇ ଆଣବିକ ଅସ୍ତ୍ର ପ୍ରୟୋଗ କଲା। ୧୯୪୫ ମସିହା ଅଗଷ୍ଟ ମାସରେ ଜାପାନର ହିରୋସିମା ସହର ଉପରେ ନିକ୍ଷେପ କରିଥିବା ଆଣବିକ ବୋମା ଦ୍ବାରା ତତ୍‌କ୍ଷଣାତ୍‌ ୭୦,୦୦୦ ନାଗରିକ ମୃତ୍ୟୁବରଣ କଲେ। ଏହି ଘଟଣାର ତିନିଦିନ ପରେ ନାଗାସାକି ସହର ଉପରେ ନିକ୍ଷେପ କରାଯାଇଥିବା ବୋମାରେ ମୃତ୍ୟୁବରଣ କରିଥିଲେ ୩୫,୦୦୦ ନାଗରିକ। ବିସ୍ଫୋରଣ ସମୟରେ ସେଠିକାର ଉତ୍ତାପ ୭୨୦୦ ଡିଗ୍ରୀ ଫାରେନ୍‌ହିଟ୍‌ ହୋଇଯାଇଥିଲା। ସମସ୍ତ ଉଦ୍ଭିଦ ଜଗତ୍‌, ପ୍ରାଣୀଜଗତ୍‌ ସହରର ଭିତ୍ତିଭୂମି ସହିତ ସମ୍ପୂର୍ଣ୍ଣ ରୂପେ ଜଳି ଧ୍ବ˚ସ ପାଇଗଲେ।

୧୯୫୫ରୁ ୧୯୭୫ ମଧୢରେ ଉତ୍ତର ଭିଏତ୍‌ନାମ ଓ ଦକ୍ଷିଣ ଭିଏତ୍‌ନାମ ମଧୢରେ ଘଟିଥିବା ଯୁଦ୍ଧରେ ଅବିଚାରିତ ଭାବେ ପରିବେଶର ଅପବ୍ୟବହାର କରାଯାଇଥିଲା, ଯାହାକି ବିଶ୍ବବାସୀଙ୍କୁ ବିବ୍ରତ କରାଇ ଦେଇଥିଲା। ଏହି ଯୁଦ୍ଧରେ ଆମେରିକୀୟ ସୈନ୍ୟବାହିନୀ ଉଦ୍ଭିଦ ସମ୍ପଦକୁ ଧ୍ବ˚ସ କରିବା ପାଇଁ, ଗଛ ଲତାକୁ ପତ୍ରଶୂନ୍ୟ କରିବା ପାଇଁ ୨୦ ନିୟୁତରୁ ଅଧିକ ‘ଏଜେଣ୍ଟ ଅରେଞ୍ଜ’ ନାମକ ଏକ ବିଷାକ୍ତ ଔଷଧ ବ୍ୟବହାର କରିଥିଲେ। ଯାହା ଫଳରେ ଆଖପାଖ ଇଲାକାର ବୃକ୍ଷଲତା ପତ୍ର ଶୂନ୍ୟ ହୋଇଯିବା ସହିତ ରାସାୟନିକ ସ˚କ୍ରମଣର ପ୍ରଭାବ ମଧୢ ଅନୁଭୂତ ହୋଇଥିଲା।

ଭିଏତ୍‌ନାମ ଯୁଦ୍ଧ ପରବର୍ତ୍ତୀ ପର୍ଯ୍ୟାୟରେ ପରିବେଶର ପ୍ରଭୂତ କ୍ଷୟକ୍ଷତିକୁ ବିଚାରକୁ ନେଇ ଦୁଇଟି ଆନ୍ତର୍ଜାତିକ ଆଇନ ପ୍ରଣୟନ କରାଯାଇଥିଲା। ୧୯୭୬ ମସିହାରେ ‘ଇଣ୍ଟରନ୍ୟାସନାଲ ମଡିଫିକେସନ କନ୍‌ଭେନ୍‌ସନ୍‌’ ଦ୍ବାରା ଯୁଦ୍ଧ ସମୟରେ ପରିବେଶ ପ୍ରଭାବୀ କୌଣସି କୌଶଳ ପ୍ରୟୋଗ ନ କରିବା ନିମନ୍ତେ ମାର୍ଗଦର୍ଶିକା ଜାରି କରାଗଲା। ପୂର୍ବରୁ ଜେନେଭା କନ୍‌ଭେନ୍‌ସନ୍‌ରେ ଜାରି ହୋଇଥିବା ରାଜିନାମାର ଧାରା ୩୫ ଏବ˚ ୫୫ରେ ଦୁଇଟି ପରିବର୍ତ୍ତନ କରାଗଲା। ଯାହା ଫଳରେ ଯୁଦ୍ଧ ସମୟରେ ପ୍ରାକୃତିକ ପରିବେଶର କୌଣସି ବ୍ୟାପକ ଦୀର୍ଘସ୍ଥାୟୀ ଓ ଭୟାନକ କ୍ଷୟକ୍ଷତି ଘଟାଯାଇ ପାରିବ ନାହିଁ। କିନ୍ତୁ ୧୯୯୦-୯୧ର ଖାଡ଼ି ଯୁଦ୍ଧ ବେଳେ ଜଣାଗଲା ଯେ, ଏହି ନିୟମ ପରିବର୍ତ୍ତନ ଯଥେଷ୍ଟ ନୁହେଁ। କାରଣ କୁଏତ-ଇରାକ୍‌ ଯୁଦ୍ଧ ପରବର୍ତ୍ତୀ ଅବସ୍ଥାରେ ଅପସରି ଯାଉଥିବା ଇରାକୀ ସୈନ୍ୟମାନେ କୁଏତ୍‌ର ୬୦୦ ତୈଳ କୂପକୁ ନିଆଁ ଲଗାଇ ଧ୍ବ˚ସ କରିଦେଲେ। ୨୦୦୬ ମସିହାରେ ଇସ୍ରାଏଲ ଏବ˚ ଲେବାନନ୍‌ ମଧୢରେ ଘଟିଥିବା ଅନ୍ୟ ଏକ ଯୁଦ୍ଧ ଅବସରରେ, ଭୂମଧୢସାଗର ମଧୢକୁ ୧୨,୦୦୦ରୁ ୧୫,୦୦୦ ଟନ୍‌ ତୈଳ ଛାଡ଼ି ଦିଆଗଲା। ଯାହାକି ସାମୁଦ୍ରିକ ଜଳରାଶିକୁ ବିଷାକ୍ତ କରିବା ସହିତ ଅନେକ ସାମୁଦ୍ରିକ ଜଳଚର ଜୀବଙ୍କର ମୃତ୍ୟୁର କାରଣ ହେଲା। ନିକଟ ଅତୀତରେ ୨୦୧୪ ମସିହାରେ ଇରାକ୍‌ରେ ଘଟିଥିବା ଏକ ସଶସ୍ତ୍ର ସ˚ଘର୍ଷରେ ବିଭିନ୍ନ ବିଷାକ୍ତ ଗ୍ୟାସ୍‌ ଯଥା ଗନ୍ଧକାମ୍ଳ, ଯବକ୍ଷାରାମ୍ଳ, କାର୍ବନ ମନୋକ୍‌ସାଇଡ ଏବ˚ ନିକେଲ, ସୀସା, ଭାନାଡିୟମ ଭଳି କ୍ଷୁଦ୍ର କଣିକା ବାୟୁମଣ୍ତଳକୁ ଛାଡ଼ି ଦିଆଗଲା।

ପୂର୍ବ କାଳ ଭଳି, ଏବେ ଆଧୁନିକ ଯୁଦ୍ଧ ଓ ସଶସ୍ତ୍ର ସ˚ଗ୍ରାମ କେବଳ ଗୁଳି, ଗୋଳା, ଟ୍ୟାଙ୍କ୍‌ରୁ ତୋପ ପ୍ରୟୋଗ ଆଦିରେ ସୀମିତ ନୁହେଁ। ଏବେକାର ଯୁଦ୍ଧ କୌଶଳରେ ରାସାୟନିକ, ଆଣବିକ ଏବ˚ ଜୈବିକ ଅସ୍ତ୍ରର ପ୍ରୟୋଗ କରାଯାଉଛି, ଯାହାକି ଦୀର୍ଘକାଳୀନ ସୂତ୍ରରେ ପରିବେଶକୁ ବିପର୍ଯ୍ୟସ୍ତ କରି ଦେଉଛି। ଯୁଦ୍ଧ ଓ ସଶସ୍ତ୍ର ସ˚ଗ୍ରାମରେ ପରିବେଶର କ୍ଷୟକ୍ଷତି ଆକଳନ କଲାବେଳେ ଯୁଦ୍ଧର ପୂର୍ବାବସ୍ଥା, ଯୁଦ୍ଧ ସମୟରେ ଏବ˚ ଯୁଦ୍ଧ ପରବର୍ତ୍ତୀ କାଳରେ ଘଟିଥିବା କ୍ଷୟକ୍ଷତିକୁ ବିଚାରକୁ ନିଆଯାଏ। ପ୍ରତିକୂଳ ପରିସ୍ଥିତିରେ ନିୟୋଜିତ ସୈନିକମାନଙ୍କର ଦୈନନ୍ଦିନ ଜୀବନ ଯାତ୍ରା ନିମନ୍ତେ ପ୍ରାକୃତିକ ସମ୍ବଳର ବିପୁଳ ବିନିଯୋଗ ଆବଶ୍ୟକ ହୋଇଥାଏ। ଉଦାହରଣ ସ୍ବରୂପ, ଭାରତ ଚୀନ୍‌ ମଧୢରେ ଲାଦାଖ ସୀମାନ୍ତରେ ଥିବା ଗଲଵାନ୍‌ ଓ ସିଆଚୀନ୍‌ ଘାଟିରେ ଯେଉଁଠି ଅସ୍ବାଭାବିକ ଯୁଦ୍ଧ ପରିସ୍ଥିତି ଲାଗି ରହିଛି, ସେଠି ବରଫାବୃତ୍ତ ଅଞ୍ଚଳରେ, ବିଯୁକ୍ତ ତାପମାନ ଅବସ୍ଥାରେ ସୈନ୍ୟବାହିନୀଙ୍କୁ ସୁସ୍ଥ ଓ ପ୍ରସ୍ତୁତ ରଖିବା ନିମନ୍ତେ ଆଲୋକ ଓ ଉତ୍ତାପର ବ୍ୟବସ୍ଥା କରିବା, ସେମାନଙ୍କ ନିକଟରେ ନିୟମିତ ‘ରେସନ୍‌’ର ପ୍ରାବଧାନ କରିବା ବେଳେ ପ୍ରାକୃତିକ ସମ୍ବଳ ଉପରେ ଚାପ ପଡ଼ିଥାଏ। ଜଳଯୋଗାଣ, ଅସ୍ତ୍ରଶସ୍ତ୍ର ଓ ନିତ୍ୟ ବ୍ୟବହାର୍ଯ୍ୟ ପଦାର୍ଥ ଯୋଗାଣ ଏବ˚ ଟ୍ରେନି˚ ପାଇଁ ସାଧନ ଯୋଗାଣରେ ପ୍ରାକୃତିକ ସମ୍ବଳର ବିନିଯୋଗ ହୋଇଥାଏ। ଶକ୍ତି ଚାହିଦା ମେଣ୍ଟାଇବା ପାଇଁ ତୈଳ ବା ଜୀବାଶ୍ମ ଇନ୍ଧନର ଆବଶ୍ୟକତା ପଡ଼ିଥାଏ। ଏକ ଆକଳନରୁ ଦେଖାଯାଇଛି, ମିଲିଟାରି ସ˚ଗଠନ ଗୁଡ଼ିକର ପ୍ରସ୍ତୁତି କାର୍ଯ୍ୟକ୍ରମରୁ ବାୟୁମଣ୍ତଳକୁ ଯେତିକି ଅଙ୍ଗାରକାମ୍ଳ ଉତ୍ସର୍ଜନ ହୁଏ, ତାହା ବିଶ୍ବର ଅନେକ ଦେଶ ମିଶି କରୁଥିବା ଅଙ୍ଗାରକାମ୍ଳ ଉତ୍ସର୍ଜନ ଠାରୁ ଯଥେଷ୍ଟ ଅଧିକ। ଏହି ସମୟରେ ଯେତିକି ଜଳ ଓ ସ୍ଥଳ ଭାଗର ପରିସ˚ସ୍ଥା ବିପନ୍ନ ହୁଏ ଏବ˚ ରାସାୟନିକ ଅସ୍ତ୍ରଶସ୍ତ୍ରର ବିନିଯୋଗ କାରଣରୁ ବା ସାମରିକ ବିମାନ, ଟ୍ୟାଙ୍କ୍‌ ଓ ପରିବହନ ନିମନ୍ତେ ବ୍ୟବହୃତ ଯାନବାହନରୁ ଯେତିକି ଅଙ୍ଗାରକାମ୍ଳ ନିର୍ଗତ ହୁଏ ଏବ˚ ଗୁଳି, ଗୋଳା, ତୋପ, କମାଣ ବ୍ୟବହାରରୁ ଯେତିକି ଶବ୍ଦ ସୃଷ୍ଟି ହୁଏ, ତାହା ପ୍ରଦୂଷଣ ସୃଷ୍ଟିର ମୁଖ୍ୟ କାରକ।

ଯୁଦ୍ଧ ଚାଲିଥିବା ସମୟରେ ପରିବେଶ ଯେତିକି ପ୍ରଭାବିତ ହୁଏ, ଯୁଦ୍ଧ ପରବର୍ତ୍ତୀ ପର୍ଯ୍ୟାୟରେ ପରିବେଶର କ୍ଷୟକ୍ଷତି ତତୋଧିକ ହୋଇଥାଏ। ଆଫଗାନିସ୍ତାନ, କଲମ୍ବିଆ ଓ ଇରାକ ଆଦି ଦେଶମାନଙ୍କରେ ଦଶନ୍ଧି ଦଶନ୍ଧି ଧରି ଚାଲି ଆସିଥିବା କୁତ୍ସିତ ଯୁଦ୍ଧରେ ପ୍ରାକୃତିକ ସମ୍ବଳର ଯଥେଷ୍ଟ ଅପଚୟ ଘଟିଛି। କେବଳ ଆଫଗାନିସ୍ତାନରେ ଜଙ୍ଗଲ ସମ୍ପଦର କ୍ଷୟକ୍ଷତି ସର୍ବାଧିକ। ଅନେକତ୍ର ଏହା ୯୫ ପ୍ରତିଶତରୁ ମଧୢ ଅଧିକ। ଯୁଦ୍ଧ ପରେ ପରେ, ଗାଜା, ୟେମେନ ଓ ଅନ୍ୟାନ୍ୟ ଖାଡ଼ି ଅଞ୍ଚଳରେ ବୋମା ମାଡ଼ରେ ଜଳଯୋଗାଣ ଭିତ୍ତିଭୂମି ନଷ୍ଟ ହୋଇଯିବା କାରଣରୁ ଜଳସ˚କଟ ଦେଖା ଦେଇଥିଲା ଓ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି ହୋଇଥିଲା। କେଉଁଠି କ୍ଷେପଣାସ୍ତ୍ର ମାଡ଼ରେ ହଜାର ହଜାର ଏକର ଚାଷ ଜମିର ଫସଲ ନଷ୍ଟ ହୋଇଯାଇ ମରୁଡ଼ି ପରିସ୍ଥିତି ସୃଷ୍ଟି ହୋଇଥିଲା।

ଯୁଦ୍ଧ ଓ ସଶସ୍ତ୍ର ସ˚ଗ୍ରାମ ବନ୍ୟପ୍ରାଣୀଙ୍କୁ କିପରି ପ୍ରଭାବିତ କରେ, ସେ ପ୍ରସଙ୍ଗଟି ଅନେକ ସମୟରେ ଅନୁଚ୍ଚାରିତ ରହିଯାଏ। ପ୍ରତ୍ୟକ୍ଷରେ ହେଉ ବା ପରୋକ୍ଷରେ ହେଉ, ଯୁଦ୍ଧ ବନ୍ୟପ୍ରାଣୀ ଓ ଜୈବ-ବିବିଧତାର ଅପୂରଣୀୟ କ୍ଷତି ଘଟାଇଥାଏ। ସିଧାସଳଖ ପ୍ରଭାବ ମଧୢରେ ରହିଛି, ଜଙ୍ଗଲ ଅଞ୍ଚଳରେ ଲୁଚି ଛପି ରହୁଥିବା ସୈନ୍ୟମାନଙ୍କ ଦ୍ବାରା ମା˚ସ ପାଇଁ ଜନ୍ତୁ ଶିକାର। ଯୁଦ୍ଧ ଦ୍ବାରା ପ୍ରଭାବିତ ଓ ପ୍ରପୀଡ଼ିତ ନାଗରିକ ଦାରିଦ୍ର୍ୟର ତାଡ଼ନାରୁ ରକ୍ଷା ପାଇବା ପାଇଁ ଜନ୍ତୁ ଶିକାର କରି ତା’ର ମା˚ସ ଭକ୍ଷଣ କରନ୍ତି ଏବ˚ ମୃତ ଜନ୍ତୁର ଅଙ୍ଗପ୍ରତ୍ୟଙ୍ଗ ବିକ୍ରି କରି ରୋଜଗାର ମଧୢ କରନ୍ତି। ଅନେକ ସମୟରେ ଗୁଳିଚାଳନା, ବୋମା ବିସ୍ଫୋରଣ ଏବ˚ ରାସାୟନିକ ଅସ୍ତ୍ର ଆଦି ପ୍ରୟୋଗ ଫଳରେ ବନ୍ୟ ଜୀବ ପ୍ରଭୂତ ଭାବେ କ୍ଷତିଗ୍ରସ୍ତ ହୋଇଥାନ୍ତି। ପରିସ˚ସ୍ଥା ମଧୢ କ୍ଷତିଗ୍ରସ୍ତ ହୁଏ। ଆଫ୍ରିକାରେ ଯୁଦ୍ଧର ପୁନଃପୌନିକତା ସେଠିକାର ଜାତୀୟ ଉଦ୍ୟାନ ଓ ଅଭୟାରଣ୍ୟମାନଙ୍କରୁ ବୃହଦାକାୟ ସ୍ତନ୍ୟପାୟୀ ପ୍ରାଣୀ ଲୁପ୍ତ ହୋଇଯିବାର ଅନ୍ୟତମ କାରଣ। କେବଳ ଆଫ୍ରିକାରେ ନୁହେଁ, ଆଫଗାନିସ୍ତାନରେ ମଧୢ ୧୦ ନିୟୁତ ଲ୍ୟାଣ୍ତମାଇନ୍‌ ବିଛାଯିବା ଫଳରେ ସେଠିକାର ବରଫ ଚିତାବାଘ (Snow leopard) ଅନେକ ପରିମାଣରେ ମୃତ୍ୟୁବରଣ କରିଛନ୍ତି। ଭିଏତ୍‌ନାମ ଯୁଦ୍ଧର ପରବର୍ତ୍ତୀ ପର୍ଯ୍ୟାୟରେ ପରିବେଶବିତ୍‌ମାନେ ବିଷାକ୍ତ ରାସାୟନିକ ପଦାର୍ଥ ‘ସ୍ପ୍ରେ’ କରାଯାଇଥିବା ଜଙ୍ଗଲରେ ମାତ୍ର ୨୪ ପ୍ରଜାତିର ପକ୍ଷୀ ଓ ୫ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀଙ୍କୁ ଠାବ କରିପାରିଥିଲେ। ଯଦିଓ ପୂର୍ବରୁ ଏଠାରେ ୧୪୫ରୁ ୧୭୦ ପ୍ରଜାତିର ପକ୍ଷୀ ଏବ˚ ୩୦ରୁ ୩୫ ପ୍ରଜାତିର ସ୍ତନ୍ୟପାୟୀ ପ୍ରାଣୀ ଦେଖାଯାଉଥିଲେ। କିନ୍ତୁ ସବୁ ସମୟରେ ଯୁଦ୍ଧ ବନ୍ୟପ୍ରାଣୀଙ୍କୁ କ୍ଷତି ପହୁଞ୍ଚାଇ ନ ଥାଏ। କେତେକ କ୍ଷେତ୍ରରେ ଯୁଦ୍ଧ ଭୟରେ ସାଧାରଣ ଜନତା ଓ ଲୋଲୁପ ଶିକାରୀଙ୍କ ଅନୁପ୍ରବେଶ ବନ୍ଦ ରହିବା କାରଣରୁ ବନ୍ୟଜନ୍ତୁଙ୍କର ସ˚ଖ୍ୟା ବୃଦ୍ଧି ପାଇଥାଏ। ଉଦାହରଣ ସ୍ବରୂପ ଜିମ୍ବାେଵରେ ଗୃହଯୁଦ୍ଧ ଲାଗି ରହିଥିବା କାରଣରୁ ସେଠିକାର ହାତୀ ବ˚ଶ ଗତ ଚାଳିଶ ବର୍ଷ ଭିତରେ ସର୍ବାଧିକ ବୃଦ୍ଧି ପାଇଛି।

୧୯୯୯ ମସିହା ପର ଠାରୁ ମିଳିତ ଜାତିସ˚ଘର ପରିବେଶ କାର୍ଯ୍ୟକ୍ରମ ପ୍ରାୟ ୨୦ଟି ସ୍ଥାନରେ ଯୁଦ୍ଧ ପରବର୍ତ୍ତୀ ଅବସ୍ଥାର ମୂଲ୍ୟାୟନ କରିଛି। ଯୁଦ୍ଧ ସମୟରେ ପରିବେଶକୁ ସୁରକ୍ଷିତ ରଖିବା ନିମନ୍ତେ ଥିବା ଆନ୍ତର୍ଜାତିକ ଆଇନ ଗୁଡ଼ିକରେ କେଉଁଠି ଫାଟ ରହିଛି, ସେ ବିଷୟରେ ଅନୁସନ୍ଧାନ ଜାରି ରଖିଛି। ୨୦୧୬ ଏବ˚ ୨୦୧୭ ମସିହାରେ ମିଳିତ ଜାତିସ˚ଘର ସାଧାରଣ ପରିଷଦରେ ଗୃହୀତ ହୋଇଥିବା ସ˚କଳ୍ପ ଆଧାରରେ ବିଭିନ୍ନ ସଭ୍ୟ ରାଷ୍ଟ୍ରମାନେ ମଧୢ ଯୁଦ୍ଧ ସମୟରେ ପରିବେଶ ସୁରକ୍ଷା ପ୍ରତି ନଜର ଦେଇଛନ୍ତି। ୨୦୧୯ ମସିହାରେ ଆନ୍ତର୍ଜାତିକ ଆଇନ କମିସନ ଦ୍ବାରା ଗୃହୀତ ହୋଇଥିବା ସର୍ତ୍ତାବଳୀ ଯୁଦ୍ଧ ଏବ˚ ସଶସ୍ତ୍ର ସ˚ଗ୍ରାମର ପୂର୍ବ ତଥା ପରବର୍ତ୍ତୀ ପର୍ଯ୍ୟାୟରେ ଘଟିଥିବା କ୍ଷୟକ୍ଷତି ଉପରେ ବିଶେଷ ଧୢାନ ଦେଇଛି। ଏ ସମ୍ପର୍କରେ କେତେଗୁଡ଼ିଏ ଆନ୍ତର୍ଜାତିକ ଆଇନ ମଧୢ ପ୍ରଣୟନ କରାଯାଇଛି। ତନ୍ମଧୢରେ ରହିଛି ଆନ୍ତର୍ଜାତିକ ମାନବିକତା ଆଇନ, ଆନ୍ତର୍ଜାତିକ ଫୌଜଦାରୀ ଆଇନ ଓ ଆନ୍ତର୍ଜାତିକ ପରିବେଶ ଆଇନ।

ପୃଥିବୀର ପରିବେଶ ଉପରେ ଯୁଦ୍ଧ ଓ ସଶସ୍ତ୍ର ସ˚ଗ୍ରାମର ପ୍ରଭାବ ସ˚ପର୍କିତ ସମସ୍ତ ଉପଲବ୍‌ଧ ତଥ୍ୟ ଓ ମିଳିତ ଜାତିସ˚ଘର ଅନୁସନ୍ଧାନମୂଳକ ବିବରଣୀକୁ ଭିତ୍ତିକରି ଜାତିସ˚ଘର ମହାସଚିବ ଆଣ୍ଟୋନିଓ ଗୁଟେର‌୍‌ସ କୁହନ୍ତି, ଆମେ ବିଶ୍ବବାସୀ ଯଦି ସହନୀୟ ବିକାଶର ଲକ୍ଷ୍ୟ ହାସଲ କରିବାକୁ ଇଚ୍ଛୁକ, ତେବେ ଯୁଦ୍ଧ ଓ ସ˚ଗ୍ରାମରୁ ପରିବେଶର ଅବକ୍ଷୟ ଓ ତତ୍‌ଜନିତ ଜଳବାୟୁ ପରିବର୍ତ୍ତନକୁ ରୋକିବାକୁ ହେବ। ବିଶ୍ବବାସୀଙ୍କର ସ୍ବାସ୍ଥ୍ୟ ଓ ଜୀବନ-ଜୀବିକାର ସୁରକ୍ଷା ଯେମିତି ସମ୍ଭବ ହେବ, ସେଥିପ୍ରତି ତୁରନ୍ତ ଧୢାନ ଦିଆଯିବା ଆବଶ୍ୟକ।

ଅବସରପ୍ରାପ୍ତ ପ୍ରଧାନମୁଖ୍ୟ ବନସ˚ରକ୍ଷକ ଓ ପରିବେଶ ନିର୍ଦ୍ଦେଶକ
ମୋ: ୯୪୩୭୦୦୦୯୦୪

ସମ୍ବନ୍ଧିତ ଖବର