ଅପରାଧୀ ଚିହ୍ନଟରେ ମନସ୍ତତ୍ତ୍ବର ଭୂମିକା

ସୃଜନ ପ୍ରକାଶ ଦାସ

ଆଇନ ଶୃଙ୍ଖଳା ନିୟନ୍ତ୍ରଣ ବ୍ୟତିରେକ ଅପରାଧ ତଦନ୍ତ ପୁଲିସ ବିଭାଗର ଏକ ପ୍ରମୁଖ ଦାୟିତ୍ବ। ଏହି ତଦନ୍ତ ପ୍ରକ୍ରିୟା ଏକ କ୍ରମ ପରିବର୍ତ୍ତନଶୀଳ ପ୍ରକ୍ରିୟା। ସମୟ ସହିତ ତାଳ ଦେଇ ତହିଁରେ ଯେ କେବଳ ପରିବର୍ତ୍ତନ ଆସେ, ତାହା ନୁହଁ, ତାହା ଅପରାଧୀମାନଙ୍କର ନୂଆ ନୂଆ କୌଶଳକୁ ପ୍ରତିହତ କରିବା ଉଦ୍ଦେଶ୍ୟରେ ସୂକ୍ଷ୍ମରୁ ସୂକ୍ଷ୍ମତର ହୋଇଥାଏ। ଅପରାଧୀ ଚିହ୍ନଟ ଏକ ଜଟିଳ ପ୍ରକ୍ରିୟା- ଯେଉଁଠି ଆପରାଧିକ ମାମଲାରେ ପ୍ରତ୍ୟେକ ସନ୍ଦିଗ୍‌ଧ ନିଜକୁ ସମ୍ପୂର୍ଣ୍ଣ ନିର୍ଦୋଷ ବୋଲି ଦାବି କରିଥାଏ। ଅପରାଧ ଘଟାଇଥିବା ବ୍ୟକ୍ତି ଯେମିତି ନିଜକୁ ନିରପରାଧ ବୋଲି ଦାବି କରେ, ଅପରାଧ ଘଟାଇବାରେ ସାହାଯ୍ୟ କରିଥିବା ବ୍ୟକ୍ତି, ଯୋଜନା/ଖସଡ଼ା ପ୍ରସ୍ତୁତ କରିଥିବା ବ୍ୟକ୍ତି ମଧ୍ୟ ନିଜକୁ ସମପରିମାଣରେ ସମ୍ପୂର୍ଣ୍ଣ ଅଜ୍ଞ ଓ ନିର୍ଦୋଷ ବୋଲି ମୌଖିକ ଜାହିର କରିବାକୁ ପଛାଏ ନାହିଁ। ପାରମ୍ପରିକ କୌଶଳ ଛଡ଼ା ଅପରାଧ ଚିହ୍ନଟ ପ୍ରକ୍ରିୟାରେ ଅପରାଧ ମନସ୍ତତ୍ତ୍ବବିତ୍‌ମାନେ ସଂପ୍ରତି ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ଅପରାଧ ବିଧି ବିଜ୍ଞାନାଗାରର ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ହେଉଛି ଅପରାଧ ମନୋବିଜ୍ଞାନ ବିଭାଗ, ଯେଉଁଠି ପ୍ରଶିକ୍ଷଣ ପ୍ରାପ୍ତ ମନୋବିଜ୍ଞାନୀମାନେ ଅପରାଧୀ ଚିହ୍ନଟ ପ୍ରକ୍ରିୟାକୁ ବୈଜ୍ଞାନିକ ପଦ୍ଧତିରେ ସହଜ କରିବା ସହିତ ବିଶ୍ବାସଯୋଗ୍ୟ ଓ ଗ୍ରହଣଯୋଗ୍ୟ କରିଥାନ୍ତି।

ଅପରାଧୀର ମନସ୍ତତ୍ତ୍ବ ନିଃସନ୍ଦେହରେ ଏକ ଜଟିଳ ପ୍ରକ୍ରିୟା। ତାକୁ ଭେଦ କରିବା ସହିତ ସତ୍ୟ ଉଦ୍‌ଘାଟନ କରିବା ସାଧାରଣ ବ୍ୟକ୍ତି ପକ୍ଷରେ ସମ୍ଭବ ନୁହଁ। ମାତ୍ର ମନୋବିଜ୍ଞାନ ଲାଗି ତାହା ସହଜ। ମନୋବିଜ୍ଞାନୀ ବ୍ୟକ୍ତିର ବ୍ୟବହାରକୁ ବୁଝିବାର କ୍ଷମତା ରଖନ୍ତି। ସାଧାରଣତଃ, ବାହ୍ୟ ବ୍ୟବହାର ଓ ଅନ୍ତଃ ବ୍ୟବହାରର ସମଷ୍ଟି ବ୍ୟକ୍ତିର ବ୍ୟକ୍ତିତ୍ବକୁ ନିର୍ଦ୍ଧାରଣ କରିଥାଏ। ଆମ ଆଖିକୁ ଯାହା ଦେଖାଯାଏ ତାହା ହେଉଛି ବ୍ୟକ୍ତିର ବାହ୍ୟ ବ୍ୟବହାର। ସେମିତି ଶରୀର ମଧ୍ୟରେ ଘଟୁଥିବା ନାନା ପ୍ରକାର ସ୍ବୟ˚ଚାଳିତ ପରିବର୍ତ୍ତନ ଯେମିତିକି ରକ୍ତ ଚାପ, ନିଃଶ୍ବାସ ପ୍ରଶ୍ବାସ, ଝାଳ ବହିବା, ଆଖି ଡୋଳା ସାନ ବଡ଼ ହେବା ଇତ୍ୟାଦି ହେଉଛି ବ୍ୟକ୍ତିର ଅନ୍ତଃ ବ୍ୟବହାରର ସୂଚକ। ବାହ୍ୟ ବ୍ୟବହାର ଉପରେ ଆମର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ଥାଏ, କିନ୍ତୁ ଅନ୍ତଃ ବ୍ୟବହାର ଉପରେ ଆମର କୌଣସି ନିୟନ୍ତ୍ରଣ ନ ଥାଏ। କାରଣ, ଏଗୁଡ଼ିକ ଶରୀରର ସ୍ବୟ˚ଚାଳିତ ସ୍ନାୟବିକ ସ˚ସ୍ଥା ଦ୍ବାରା ପରିଚାଳିତ। ସୁତରାଂ, ଏକ ନିର୍ଦ୍ଦିଷ୍ଟ ଅପରାଧ ପରିପ୍ରେକ୍ଷୀରେ ଜଣେ ଅପରାଧ ମନସ୍ତତ୍ତ୍ବବିତ୍‌ କମ୍ପ୍ୟୁଟର ଓ ଅନ୍ୟାନ୍ୟ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଏହି ଦୁଇ ପ୍ରକାର ବ୍ୟବହାରକୁ ଅନୁଶୀଳନ କରି ତାର କାର୍ଯ୍ୟ-କାରଣ ସମ୍ବନ୍ଧ ସ୍ଥିର କରିଥାନ୍ତି ଓ ପୁଲିସ ଆଗରେ ନିଜକୁ ନିରପରାଧ ଦାବି କରୁଥିବା ଅପରାଧୀଙ୍କୁ ବୈଜ୍ଞାନିକ ପଦ୍ଧତିରେ ଦୋଷୀ ପ୍ରମାଣିତ କରିଥାନ୍ତି।

ଅପରାଧ ମନୋବିଜ୍ଞାନ ପରିସୀମାରେ ୩ଟି ପ୍ରମୁଖ ପଦ୍ଧତି ଯଥା- ‘ଲାଇ ଡେଟେକ୍‌ସନ୍‌’, ‘ବ୍ରେନ୍‌ ମ୍ୟାପି˚’ ଓ ‘ନାର୍‌କୋ ଏନାଲିସିସ୍‌’ ଅନ୍ତର୍ଭୁକ୍ତ। ‘ଲାଇ ଡେଟେକ୍‌ସନ୍‌’ପଦ୍ଧତିରେ ମନସ୍ତତ୍ତ୍ବବିତ୍‌ ସନ୍ଦିଗ୍‌ଧକୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିବା ବେଳେ ‘ଲାଇ ଡେଟେକ୍‌ସନ୍‌’(ମିଛ ଚିହ୍ନଟ) ମେସିନ ଦ୍ବାରା ସେହି ବ୍ୟକ୍ତିର ଶରୀର ଭିତରେ ହେଉଥିବା (ଉପରେ ବର୍ଣ୍ଣିତ ହୋଇଥିବା ଭଳି) ପରିବର୍ତ୍ତନକୁ ଗ୍ରାଫ ଆକାରରେ ଲିପିବଦ୍ଧ କରିଥାଏ। ଏହି ଗ୍ରାଫର ଅନୁଶୀଳନ ଦ୍ବାରା ଅପରାଧ ମନସ୍ତତ୍ତ୍ବବିତ୍‌ ଜଣେ ବ୍ୟକ୍ତିର ବୟାନର ସତ୍ୟତା କେତେ ବା ଅପରାଧ ସହିତ ସମ୍ପୃକ୍ତି ଅଛି କି ନାହିଁ- ଜାଣିପାରନ୍ତି।

‘ଲାଇ ଡେଟେକ୍‌ସନ୍‌’ ପଦ୍ଧତିର ଇତିହାସ ୧୦୦ ବର୍ଷରୁ ଅଧିକ ପୁରୁଣା ହୋଇଥିବା ବେଳେ, ‘ବ୍ରେନ୍‌ ମ୍ୟାପି˚’ ବା ‘ବ୍ରେନ୍‌ ଫିଙ୍ଗରପ୍ରିଣ୍ଟି˚ ’ ପଦ୍ଧତି ୧୯୯୦ ଦଶକରୁ ପ୍ରଚଳିତ ହୋଇ ଆସୁଛି। ଆମେରିକାର ବୈଜ୍ଞାନିକ ଡକ୍ଟର ଲରେନ୍‌ସ ଫାରେୱଲ ଏହି ପଦ୍ଧତିର ଜନକ। ତାଙ୍କ ମତରେ ଆମ ଜୀବନରେ ଯାହା ଯାହା ଘଟେ, ତାହା ଆମ ମସ୍ତିଷ୍କର ସ୍ମୃତି କେନ୍ଦ୍ରରେ (Memory Centre) ଗଚ୍ଛିତ ହୋଇ ରହିଯାଏ। ଯେଉଁ ଘଟଣା ସହିତ ଆମର ଭାବପ୍ରବଣତା ଯେତେ ଅଧିକ ଜଡ଼ିତ, ସେହି ସବୁ ଘଟଣାମାନ ଆମ ମସ୍ତିଷ୍କରେ ସେତେ ଅଧିକ ଦିନ ପାଇଁ ଗଚ୍ଛିତ ହୋଇ ରହିଥାଏ। ସେଥିପାଇଁ ପରବର୍ତ୍ତୀ ସମୟରେ ସେ ସବୁ ଘଟଣାମାନଙ୍କୁ ଆମେ ମନେ ପକାଇ ପାରୁ। ସେଭଳି କୌଣସି କଥା ବା ଘଟଣାକୁ ମନେ ପକାଇବା ପାଇଁ ଆମର ମସ୍ତିଷ୍କ ୧ ସେକେଣ୍ତର ୩୦୦ ଭାଗରୁ ୧ ଭାଗ ସମୟ ନେଇଥାଏ, ଯାହାକୁ ପି-୩୦୦ କୁହାଯାଏ। ଅପରାଧୀ ଚିହ୍ନଟରେ ଏହି ତତ୍ତ୍ବ ବିଶେଷ ଫଳପ୍ରଦ ହେଉଅଛି। ଅପରାଧୀକୁ ଅପରାଧ ସମ୍ବନ୍ଧୀୟ ଫଟୋ ଦେଖାଇ ପ୍ରଶ୍ନ ପଚାରିଲେ, ସେ ସେମାନଙ୍କୁ ଜାଣିନାହିଁ ବା ସେମାନଙ୍କ ସହିତ ତାର କୌଣସି ସମ୍ପର୍କ ନାହିଁ ବୋଲି ଦୋହରାଇ ଥାଏ। ମାତ୍ର, ତଡ଼ିତ୍‌ ବେଗରେ ପୂର୍ବରୁ ତାର ମସ୍ତିଷ୍କର ସ୍ମୃତି କେନ୍ଦ୍ରରୁ ଏକ ବୈଦ୍ୟୁତିକ ତରଙ୍ଗ (Event-related potential) କମ୍ପ୍ୟୁଟର ପରଦାକୁ ଚାଲି ଆସିଥାଏ। ତାହା ହିଁ ଅପରାଧୀକୁ ଧରା ପକାଇ ଦିଏ।

‘ନାର୍‌କୋ ଏନାଲିସିସ’ ପରୀକ୍ଷାରେ ସନ୍ଦିଗ୍‌ଧର ଶରୀର ମଧ୍ୟକୁ ଇଞ୍ଜେକ୍‌ସନ ମାଧ୍ୟମରେ ସୋଡିଅମ ପେ˚ତୋଠଲ (Sodium pentothal) ନାମକ ଏକ ରାସାୟନିକ ପଦାର୍ଥ ଛଡ଼ାଯାଏ। ଏହି ରାସାୟନିକ ପଦାର୍ଥର ବ୍ୟାବହାରିକ ନାମ ହେଉଛି ‘ଟ୍ରୁଥ୍‌ ସେରମ’(Truth Serum) ବା ସତ୍ୟ ‌େସରମ। ନିଶ୍ଚେତକ ବିଶେଷଜ୍ଞମାନଙ୍କ ଉପସ୍ଥିତିରେ ହେଉଥିବା ଏହି ପରୀକ୍ଷା ସମୟରେ ଜାଗ୍ରତ ଥିବା ସନ୍ଦିଗ୍‌ଧ ଧୀରେ ଧୀରେ ଅବଚେତନ ସ୍ଥିତିକୁ ଚାଲିଯାଏ। ସଚେତନ ଅବସ୍ଥାରେ ସତ ଲୁଚାଇ ପାରିଥିବା ଅପରାଧୀ ଅବଚେତନ ମାନସିକ ଅବସ୍ଥାରେ ନିଜ ମସ୍ତିଷ୍କ ଉପରୁ ନିୟନ୍ତ୍ରଣ ହରାଇଥାଏ ଏବ˚ ଅପରାଧ ସମ୍ବନ୍ଧୀୟ ସମସ୍ତ ତଥ୍ୟ ପ୍ରକାଶ କରିଦିଏ।

ଏହି ମନୋବୈଜ୍ଞାନିକ ପରୀକ୍ଷା ପଦ୍ଧତି ସମ୍ପୂର୍ଣ୍ଣ ନିରାପଦ। ଏହା ଦ୍ବାରା ସନ୍ଦିଗ୍‌ଧକୁ କୌଣସି ପ୍ରକାର ଶାରୀରିକ କିମ୍ବା ମାନସିକ ଯନ୍ତ୍ରଣା ଦିଆଯାଏ ନାହିଁ। ଏଥିରେ ଘଣ୍ଟା ଘଣ୍ଟା ଜେରାର ଆବଶ୍ୟକତା ନଥାଏ। ଏହି ପରୀକ୍ଷା ମାଧ୍ୟମରେ ତାଲିମପ୍ରାପ୍ତ ମନୋବିଜ୍ଞାନୀ ସନ୍ଦିଗ୍‌ଧର ଶିକ୍ଷାଗତ ଯୋଗ୍ୟତା, ପାରିବାରିକ/ସାମାଜିକ ପୃଷ୍ଠଭୂମିକୁ ଅନୁଧ୍ୟାନ କରି ଆବଶ୍ୟକତା ମୁତାବକ ପ୍ରଶ୍ନ ପଚାରିଥାନ୍ତି ଓ କମ୍ପ୍ୟୁଟରରୁ ମିଳିଥିବା ସୂଚନାକୁ ତର୍ଜମା କରି ଅପରାଧୀ ଚିହ୍ନଟ କରିଥାନ୍ତି। ସେହି ଭଳି ମିଛରେ ବନ୍ଧା ହୋଇଥିବା ନିରପରାଧ ମଧ୍ୟ ଏଥିରେ ଚିହ୍ନଟ ହୋଇଥାଏ। ଭାରତୀୟ ସମ୍ବିଧାନ ଧାରା ୨୦ (୩) ଅନୁଯାୟୀ, ଏହି ମନୋବୈଜ୍ଞାନିକ ପରୀକ୍ଷା ଏକ ଇଚ୍ଛାଧୀନ ପରୀକ୍ଷା। ସନ୍ଦିଗ୍‌ଧ ବ୍ୟକ୍ତିର ଲିଖିତ ସହମତି ମିଳିବା ପରେ ହିଁ ଏହି ପରୀକ୍ଷା ହୋଇଥାଏ। ପୁଲିସ ଜେରାର ବିକଳ୍ପ ନ ହେଲେ ମଧ୍ୟ ଏହା ତାର ପରିପୂରକ। ଆମ ଦେଶର କେତେକ ଗୁରୁତ୍ବପୂର୍ଣ୍ଣ ଆପରାଧିକ ମାମଲା ଯଥା ଆରୁଷୀ-ହେମରାଜ ହତ୍ୟାକାଣ୍ତ, ଷ୍ଟକ୍‌ ଏକ୍ସଚେଞ୍ଜ (ହର୍ଷଦ ମେହେଟା) ଘୋଟାଲା, ନିଠାରି ହତ୍ୟାକାଣ୍ତ, ଷ୍ଟାମ୍ପ୍‌ ପେପର (ତେଲଗୀ) ଘୋଟାଲା, କୋରେଗାଁ ବିସ୍ଫୋରଣ ମାମଲାରେ ଅପରାଧ ମନସ୍ତତ୍ତ୍ବ ପ୍ରମୁଖ ଭୂମିକା ନିର୍ବାହ କରିଛି। ଗୁଜରାଟ, ଦିଲ୍ଲୀ, ମହାରାଷ୍ଟ୍ର, କେରଳ, ମଧ୍ୟ ପ୍ରଦେଶ, ହରିୟାଣା, ଆନ୍ଧ୍ର ପ୍ରଦେଶ ସହିତ ୧୯୯୧ ମସିହାରୁ ଏହି ବିଭାଗ ଆମ ରାଜ୍ୟରେ ଭୁବନେଶ୍ବରସ୍ଥ ରାଜ୍ୟ ଅପରାଧ ବିଧି ବିଜ୍ଞାନାଗାରରେ କାର୍ଯ୍ୟ କରୁଛି।

ମୋ-୯୪୩୮୧୪୯୭୬୧
[email protected]

ସମ୍ବନ୍ଧିତ ଖବର