ଚାଷୀ ଆନ୍ଦୋଳନ ତେଜିଛି କାହିଁକି?

ସରଳ ବିଚାର - ସରଳ କୁମାର ଦାସ

ସଂସଦରେ କୃଷି ସମ୍ୱନ୍ଧୀୟ ତିନିଟି ନୂଆ ଆଇନ ପାରିତ ହେବା ପରେ ସାରା ଦେଶରେ ଚାଷୀ ଓ ଚାଷୀ ସଂଗଠନମାନଙ୍କ ଦ୍ୱାରା ଏହାର ବିରୋଧ ହେବାକୁ ଲାଗିଲା। ଏହା ଦ୍ୱାରା କୃଷି କ୍ଷେତ୍ରରେ କମ୍ପାନିଗୁଡ଼ିକର ଅବାଧ ପ୍ରବେଶ ସହ କୃଷକମାନେ ସେମାନଙ୍କ ଶୋଷଣର ଶିକାର ହେବାର ଆଶଙ୍କା ବ୍ୟକ୍ତ ହେଲା। କ୍ରମଶଃ ସରକାର ଖାଦ୍ୟଶସ୍ୟ ସଂଗ୍ରହ ପ୍ରକ୍ରିୟାରୁ ଦୂରେଇ ଯିବେ ଓ ‘ଏମ୍‌.ଏସ୍‌.ପି.’ ବା ‘ସର୍ବନିମ୍ନ ସହାୟକ ମୂଲ୍ୟ’ ପ୍ରକ୍ରିୟା ବନ୍ଦ ହୋଇଯିବ ବୋଲି ଚାଷୀ ସଂଗଠନମାନେ ଆଶଙ୍କା ପ୍ରକାଶ କଲେ। ଏ ସମ୍ପର୍କରେ ଚାଷୀଙ୍କୁ ଆଶ୍ୱସ୍ତ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କୁ ସର୍ବସାଧାରଣରେ ଘୋଷଣା କରିବାକୁ ହେଲା ଯେ ‘ଏମ୍‌.ଏସ୍‌.ପି.’ ରହିବ। କିନ୍ତୁ ତା’ ସତ୍ତ୍ୱେ ଦେଶର ୫୦୦ରୁ ଅଧିକ ଚାଷୀ ସଂଗଠନ ନୂଆ କୃଷି ଆଇନ ଚାଷୀ ବିରୋଧୀ ବୋଲି କହି ହଜାର ହଜାର ସଂଖ୍ୟାରେ ଦିଲ୍ଲୀକୁ ପଦଯାତ୍ରା କରିବାରୁ ସ୍ପଷ୍ଟ ହୋଇଛି ଯେ ଅନ୍ତତଃ ଚାଷୀଙ୍କୁ ବୁଝାଇବା ଲାଗି ସରକାର ସମର୍ଥ ହୋଇନାହାନ୍ତି। ତେବେ ‘ଏମ୍‌.ଏସ୍‌.ପି.’ ବ୍ୟବସ୍ଥାର କ୍ରିୟାନ୍ୱୟନ ତଥା କେତେକ ଆନୁଷଙ୍ଗିକ ନୀତି, ସ୍ଥିତି ଓ ତଥ୍ୟକୁ ଅନୁଧ୍ୟାନ କଲେ ଚାଷୀ ମନରେ ‘ଏମ୍‌.ଏସ୍‌.ପି.’ ରହିବା ନେଇ ଉଠୁଥିବା ପ୍ରଶ୍ନ ଯଥାର୍ଥ ବୋଧ ହୁଏ। ତେଣୁ ଚାଷୀ ଆନ୍ଦୋଳନ ତେଜିବାରେ ଲାଗିଛି।

କୃଷି ବ୍ୟୟ ଓ ମୂଲ୍ୟ ଆୟୋଗ (ସିଏସିପି)ଙ୍କ ସୁପାରିସ କ୍ରମେ କେନ୍ଦ୍ର ସରକାର ପ୍ରତି ବର୍ଷ ଖରିଫରେ ୧୪ଟି (ଧାନ, ବାଜରା, ଜୋଆର, ମକା, ମାଣ୍ଡିଆ, ହରଡ, ମୁଗ, ବିରି, ତୁଳା, ଚିନାବାଦାମ, ସୂର୍ଯ୍ୟମୁଖୀ ମଞ୍ଜି, ସୋୟାବିନ, ରାଶି ଓ ଅଳସି) ଓ ରବିରେ ୧୦ଟି (ଗହମ, ଯଅ, ବୁଟ, ମସୁର, ସୋରିଷ, ଜଡ଼ା, ତୋରିଆ, କୋପ୍ରା ବା ନଡ଼ିଆର ଶୁଖିଲା ଶସ, ଚୋପାଛଡ଼ା ନଡ଼ିଆ ଓ ଝୋଟ) ଫସଲ ପାଇଁ ଦୁଇ ଦଫାରେ ‘ଏମ୍‌.ଏସ୍‌.ପି.’ ଘୋଷଣା କରି ଥାଆନ୍ତି। ଅନ୍ୟ କୌଣସି ଫସଲ ପାଇଁ ‘ଏମ୍‌.ଏସ୍‌.ପି.’ର ବ୍ୟବସ୍ଥା ନାହିଁ। ଏଥି ମଧ୍ୟରୁ ଧାନ, ଗହମ, ମକା, ବାଜରା, ଜୋଆର, ଯଅ, ମାଣ୍ଡିଆ ଆଦି ଖାଦ୍ୟ ଶସ୍ୟଗୁଡ଼ିକର ସଂଗ୍ରହ ଦାୟିତ୍ୱ ‘ଏଫ୍‌ସିଆଇ’ ଓ ନାମିତ ରାଜ୍ୟ ସଂସ୍ଥାଙ୍କ ଉପରେ ନ୍ୟସ୍ତ। ପଞ୍ଜାବ, ହରିଆଣା ଆଦି କେତେକ ରାଜ୍ୟରେ ‘ଏଫ୍‌ସିଆଇ’ ସିଧାସଳଖ ସଂଗ୍ରହ କରୁଥିବା ବେଳେ ଓଡ଼ିଶା ଭଳି ଅନ୍ୟ ରାଜ୍ୟମାନଙ୍କରେ ତାହା ସମ୍ପୃକ୍ତ ରାଜ୍ୟର ଏଜେନ୍‌ସିଙ୍କ ମାଧ୍ୟମରେ ସଂଗୃହୀତ ହୋଇଥାଏ। ଡାଲି ଓ ତୈଳବୀଜ ଜାତୀୟ ଶସ୍ୟଗୁଡ଼ିକର ସଂଗ୍ରହ ଦାୟିତ୍ୱ ‘ନାଫେଡ’ ଓ ‘ଏସଏଫଏସି’ଙ୍କ ଉପରେ ନ୍ୟସ୍ତ। ସେହିପରି ତୁଳାର ସଂଗ୍ରହ କଟନ କର୍ପୋରେସନ (ସିସିଆଇ) ଓ ଝୋଟର ସଂଗ୍ରହ ଝୋଟ କର୍ପୋରେସନ (ଜେସିଆଇ) କରିଥାଆନ୍ତି। ଏଥିରୁ କେବଳ ଧାନ ଓ ଗହମର ସଂଗ୍ରହ ପାଇଁ ଆବଣ୍ଟିତ ସମୁଦାୟ ରାଶିର ପ୍ରାୟ ୯୫% ବ୍ୟୟ ହେଉଥିବାରୁ ଅନ୍ୟ ଫସଲଗୁଡ଼ିକ ‘ଏମ୍‌.ଏସ୍‌.ପି.’ ତାଲିକାରେ ଥିଲେ ବି ପ୍ରକୃତ ପକ୍ଷେ ସେଗୁଡ଼ିକର କେବଳ ନାମକୁ ମାତ୍ର ସଂଗ୍ରହ ହୋଇଥାଏ। ଏହା ସତ୍ତ୍ୱେ ସମୁଦାୟ ଉତ୍ପାଦିତ ଧାନର ମାତ୍ର ୪୩% ଓ ଗହମର ୩୬% ‘ଏମ୍‌.ଏସ୍‌.ପି.’ ଆଧାରରେ ସଂଗୃହୀତ ହୋଇଥାଏ। ତାଲିକାରେ ଥିବା ଅନ୍ୟ ଫସଲରୁ ଅଧିକାଂଶର ସଂଗ୍ରହ ସେଗୁଡ଼ିକର ସମୁଦାୟ ଉତ୍ପାଦନର ୧୦% ବି ନୁହେଁ। ପୁଣି ଧାନ ଓ ଗହମ ଯେ ସବୁ ରାଜ୍ୟରୁ ସଂଗୃହୀତ ହେଉଛି, ତାହା ମଧ୍ୟ ନୁହେଁ। ୨୦୧୯-୨୦ ବର୍ଷରେ ୨୩ଟି ରାଜ୍ୟରୁ ସଂଗୃହୀତ ୭୭୩.୩୦ ଲକ୍ଷ ଟନ୍‌ ଧାନ ମଧ୍ୟରୁ ୭୧୦.୩୯ ଲକ୍ଷ ଟନ୍‌ ବା ପ୍ରାୟ ୯୨% ପଞ୍ଜାବ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଓଡ଼ିଶା, ହରିଆଣା, ଉତ୍ତରପ୍ରଦେଶ, ତାମିଲନାଡୁ, ପଶ୍ଚିମବଙ୍ଗ ଓ ମଧ୍ୟପ୍ରଦେଶ ଭଳି ମାତ୍ର ୧୦ଟି ରାଜ୍ୟରୁ ହୋଇଛି। ଯେଉଁ ୧୦ଟି ରାଜ୍ୟରୁ ଗହମ ସଂଗ୍ରହ ହୋଇଥାଏ ତନ୍ମଧ୍ୟରୁ ପଞ୍ଜାବ (୩୮%) ଓ ହରିଆଣା (୨୭%) ଛଡ଼ା ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଓ ରାଜସ୍ଥାନରୁ ସଂଗୃହୀତ ହେଉଥିବା ଗହମର ପରିମାଣକୁ ମିଶାଇଲେ ଏହି ୫ଟି ରାଜ୍ୟରୁ ୯୯%ରୁ ଅଧିକ ଗହମ ସଂଗୃହୀତ ହୋଇଥାଏ। ଅବଶିଷ୍ଟ ଅଧିକାଂଶ ରାଜ୍ୟର ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦିତ ଶସ୍ୟ ସଂଗୃହୀତ ନ ହେବା ଯୋଗୁ ହେଉ ବା ସେମାନଙ୍କ ଫସଲ ‘ଏମ୍‌.ଏସ୍‌.ପି.’ ଅନ୍ତର୍ଭୁକ୍ତ ହୋଇ ନ ଥିବା କାରଣରୁ ହେଉ; ସେମାନଙ୍କ ଲାଗି ‘ଏମ୍‌.ଏସ୍‌.ପି.’ ସମ୍ପୂର୍ଣ୍ଣ ନିରର୍ଥକ।

ଜାତୀୟ ନମୁନା ସର୍ଭେକ୍ଷଣ ସଂଗଠନ (ଏନଏସଏସଓ)ର ୭୦ତମ ସର୍ଭେ ଅନୁଯାୟୀ ଦେଶର ମାତ୍ର ୬% ଚାଷୀ ନିଜ ଫସଲକୁ ନିର୍ଦ୍ଧାରିତ ଶସ୍ୟ ସଂଗ୍ରହକାରୀ ସଂସ୍ଥାଙ୍କୁ ବିକ୍ରି କରି ‘ଏମ୍‌.ଏସ୍‌.ପି.’ ପ୍ରକ୍ରିୟାରେ ସାମିଲ ହୋଇଥାଆନ୍ତି। ଅର୍ଥାତ୍‌ ପ୍ରାୟ ୯୪ ପ୍ରତିଶତ ଚାଷୀ ‘ଏମ୍‌.ଏସ୍‌.ପି.’ ବ୍ୟବସ୍ଥା ଓ ପ୍ରକ୍ରିୟାରୁ ବାହାରେ ଅଛନ୍ତି। ପ୍ରଫେସର କେ.ଏସ ଆଦିତ୍ୟଙ୍କ ଦ୍ୱାରା ୨୦୧୭ରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ ମାତ୍ର ୨୪% ଚାଷୀ ପରିବାର ସେମାନେ ଚାଷ କରୁଥିବା ଫସଲ ପାଇଁ ମିଳୁଥିବା ‘ଏମ୍‌.ଏସ୍‌.ପି.’ ବାବଦରେ ଅବଗତ। କାରଣ ଧାନ ଗହମକୁ ବାଦ ଦେଲେ ଅନ୍ୟ ଫସଲଗୁଡ଼ିକର ସଂଗ୍ରହ ପରିମାଣ ଏତେ ନଗଣ୍ୟ ଯେ ତାହା ‘ଏମ୍‌.ଏସ୍‌.ପି.’ ସମ୍ପର୍କରେ ସଚେତନତା ସୃଷ୍ଟି କରିବାରେ ସହାୟକ ହୋଇ ନଥାଏ। ‘ନିତି’ ଆୟୋଗର ୨୦୧୬ ମସିହାର ଏକ ରିପୋର୍ଟ ଅନୁଯାୟୀ ବିଳମ୍ୱରେ ଟଙ୍କା ମିଳିବା, ସଂଗ୍ରହ କେନ୍ଦ୍ରରେ ଉପଯୁକ୍ତ ଭିତ୍ତିଭୂମିର ଅଭାବ, ଘର ଠାରୁ ସଂଗ୍ରହ କେନ୍ଦ୍ରର ଅତ୍ୟଧିକ ଦୂରତା ଆଦି କାରଣରୁ ପ୍ରାୟ ୭୯% ଚାଷୀ ପ୍ରଚଳିତ ‘ଏମ୍‌.ଏସ୍‌.ପି.’ ବ୍ୟବସ୍ଥାରେ ସନ୍ତୁଷ୍ଟ ନୁହନ୍ତି। ଉଲ୍ଲେଖଯୋଗ୍ୟ, ଯେଉଁ ରାଜ୍ୟରେ ସଂଗ୍ରହ ତନ୍ତ୍ର ଓ ଭିତ୍ତିଭୂମି ଯେତେ ବ୍ୟବସ୍ଥିତ ସେହି ରାଜ୍ୟର ଚାଷୀଙ୍କ ଠାରୁ ସେତେ ଅଧିକ ସଂଗ୍ରହ ହୋଇ ପାରିଥାଏ। ସୁତରାଂ, ପଞ୍ଜାବ, ହରିଆଣାର ଚାଷୀ ଏଥିରେ ଅଧିକ ଉପକୃତ ଥିବାରୁ ଏହି ଆନ୍ଦୋଳନରେ ଅଧିକ ସଂଖ୍ୟାରେ ସାମିଲ ହୋଇଛନ୍ତି।

ଦରଦାମକୁ ନିୟନ୍ତ୍ରଣରେ ରଖିବା ତଥା ଜରୁରୀକାଳୀନ ଆବଶ୍ୟକତାର ପୂରଣ ପାଇଁ ରଖା ଯାଉଥିବା ‘ବଫର୍’ ଷ୍ଟକ୍‌ର ନିୟମ ଅନୁସାରେ ଦେଶରେ ୨୧୦.୪ ଲକ୍ଷ ଟନ୍‌ର ଖାଦ୍ୟଶସ୍ୟ ମହଜୁଦ ରହିବା କଥା। କିନ୍ତୁ ସେପ୍ଟେମ୍ୱର ୨୦୨୦ ଶେଷ ସୁଦ୍ଧା ମହଜୁଦ ଚାଉଳ ଓ ଗହମର ପରିମାଣ ୭୦୦ ଲକ୍ଷ ଟନ୍‌ ଯାହା ନିର୍ଦ୍ଧାରିତ ପରିମାଣର ତିନି ଗୁଣରୁ ଅଧିକ। ଏତେ ଅଧିକ ପରିମାଣର ଖାଦ୍ୟାନ୍ନର ସୁପରିଚାଳନା ସରକାରଙ୍କ ପାଇଁ ଏକ ବଡ଼ ଆହ୍ୱାନ। କାରଣ ଉପଯୁକ୍ତ ଭଣ୍ଡାରଣ ଅଭାବରୁ ଅନେକ ସମୟରେ ଖାଦ୍ୟଶସ୍ୟ ନଷ୍ଟ ହେଉଥିବାର ଖବର ମିଳୁଛି। ତା’ ଛଡା ‘ବଫର୍‌’ ଷ୍ଟକ୍‌ର ଆକାର ଯେତେ ଅଧିକ ହେବ ସରକାରଙ୍କୁ ଖାଦ୍ୟ ସବସିଡି ବାବଦରେ ଅଧିକ ଅର୍ଥ ପ୍ରାବଧାନ କରିବାକୁ ପଡ଼ିବ। ସୁତରାଂ, ‘ବଫର୍‌’ ଷ୍ଟକ୍‌ର ଆକାର କମ୍‌ କରିବା ପାଇଁ ଅର୍ଥନୀତିଜ୍ଞଙ୍କ ମତ। ଭାରତ ସରକାରଙ୍କ ଦ୍ୱାରା ୨୦୨୦ରେ ପ୍ରକାଶିତ ଅର୍ଥନୈତିକ ସମୀକ୍ଷାରେ ୨୦୨୧ ପାଇଁ ଖାଦ୍ୟ ସବସିଡିର ବଜେଟ୍‌ ଆକଳନକୁ ୧.୧୬ ଲକ୍ଷ କୋଟି ଟଙ୍କାକୁ କମାଇ ଦିଆଯାଇଛି, ଯାହା ପୂର୍ବ ବର୍ଷର ଆକଳନ ୧.୮୪ ଲକ୍ଷ କୋଟି ଟଙ୍କା ତୁଳନାରେ ପ୍ରାୟ ୩୭% କମ୍‌। ଫଳରେ ସରକାର ଖାଦ୍ୟଶସ୍ୟ ସଂଗ୍ରହରୁ ସମ୍ପୂର୍ଣ୍ଣ ଓହରି ନ ଗଲେ ବି ଭବିଷ୍ୟତରେ ତାର ପରିମାଣ ଯେ କମ କରିବାକୁ ଯାଉଛନ୍ତି ତାର ସୂଚନା ମିଳୁଛି। ଖାଦ୍ୟ ସବସିଡିର ପରିମାଣ କମ ହେଲେ ତାର ସିଧାସଳଖ ପ୍ରଭାବ ସଂଗ୍ରହ ଉପରେ ପଡ଼ିବ। ତେଣୁ ଆଗାମୀ ଦିନରେ ସରକାରୀ ଭାବେ ସଂଗ୍ରହ ପରିମାଣ ହ୍ରାସ ପାଇପାରେ। ସେ କ୍ଷେତ୍ରରେ ନିଜ ଆବଶ୍ୟକତାଠାରୁ ଅଧିକ ଧାନ ସଂଗ୍ରହ କରୁଥିବା ଓଡ଼ିଶା ଭଳି ରାଜ୍ୟ ସର୍ବାଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଦେଖାଦେବ। ଏପରି ହେଲେ ଭବିଷ୍ୟତରେ ସରକାର ତ ପ୍ରତିବର୍ଷ ‘ଏମ୍‌.ଏସ୍‌.ପି.’ ଘୋଷଣା କରୁଥିବେ, ହେଲେ ଚାଷୀଙ୍କଠାରୁ ସେମାନଙ୍କ ଉତ୍ପାଦ ସଂଗୃହୀତ ହେବ ବୋଲି କହି ହେବ ନାହିଁ। ତା’ ଛଡ଼ା ସରକାର ବି ସବୁ ଖାଦ୍ୟଶସ୍ୟ କିଣିବା ସମ୍ଭବ ନୁହେଁ କି ଉଚିତ ମଧ୍ୟ ନୁହେଁ। ଏ ପରିପ୍ରେକ୍ଷୀରେ ସରକାରୀ ଭାବେ ହେଉ କି ଘରୋଇ ଭାବେ ହେଉ; ଚାଷୀ କିପରି ତା’ ଉତ୍ପାଦ ଲାଗି ‘ଏମ୍‌.ଏସ୍‌.ପି.’ ନିର୍ଦ୍ଧାରିତ ମୂଲ୍ୟ ପାଇପାରିବ, ତାହା ସୁନିଶ୍ଚିତ କରାଯାଇପାରିଲେ ଚାଷୀ ଅଭାବୀ ବିକ୍ରି କରିବାକୁ ବାଧ୍ୟ ହେବ ନାହିଁ।

ଉପରୋକ୍ତ ତିନିଟି ଆଇନରେ ‘ଏମ୍‌.ଏସ୍‌.ପି.’ ବିଷୟରେ ଧାଡ଼ିଟିଏ ଉଲ୍ଲେଖ ନାହିଁ। ସେଥିରେ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ ବିଷୟ ଲେଖା ହୋଇ ନଥିଲେ ବି ତାହା ପରୋକ୍ଷରେ ମଣ୍ଡି ବ୍ୟବସ୍ଥାର କ୍ଷତି ସାଧନ କରି ସମଗ୍ର କୃଷି ବଜାର ବ୍ୟବସ୍ଥାକୁ କର୍ପୋରେଟ ନିୟନ୍ତ୍ରଣକୁ ନେଇଯିବ ବୋଲି ଚାଷୀ ସଂଗଠନମାନେ ଆଶଙ୍କା କରନ୍ତି। ପୂର୍ବ ବ୍ୟବସ୍ଥା ଅନୁଯାୟୀ କୌଣସି କ୍ରେତା ଚାଷୀର ଖାଦ୍ୟଶସ୍ୟକୁ ମଣ୍ଡି ମାଧ୍ୟମରେ ହିଁ କିଣି ପାରୁଥିଲା, ଯେଉଁଠାରେ ତାକୁ ମାର୍କେଟ୍‌ ଫି ଓ ବିକାଶ ଫି ବାବଦକୁ କିଛି ଅର୍ଥ ଗଣିବାକୁ ହେଉଥିଲା। ଏବେ କ୍ରେତା ସିଧାସଳଖ ଚାଷୀଠାରୁ କିଣିବାକୁ ସମର୍ଥ ହେବ। ସେ ଆଉ ମଣ୍ଡିକୁ ଯିବ ନାହିଁ। ସୁତରାଂ, କ୍ରେତା ଅଭାବରେ ଅଚିରେ ମଣ୍ଡିବ୍ୟବସ୍ଥା ଭୁଶୁଡ଼ି ପଡ଼ିବ। ଏହା ପରେ ବିକଳ୍ପ ଅଭାବରେ ଚାଷୀ ବ୍ୟବସାୟୀଙ୍କ ଶୋଷଣର ଅଧିକ ଶିକାର ହେବ ବୋଲି ସଂଗଠନଗୁଡ଼ିକର ମତ। ତେଣୁ ‘ଏମ୍‌.ଏସ୍‌.ପି.’କୁ ଆଇନଗତ କରାଯାଉ ବୋଲି ସେମାନେ ଅଡ଼ି ବସିଛନ୍ତି।

ପ୍ରତିବର୍ଷ ଗତାନୁଗତିକ ଭାବେ ବିଭିନ୍ନ ଫସଲ ପାଇଁ ‘ଏମ୍‌.ଏସ୍‌.ପି.’ କେବଳ ଘୋଷଣା ହେବା ଯଥେଷ୍ଟ ନୁହେଁ। ସବୁ କୃଷି ଉତ୍ପାଦ ସରକାରୀ ଭାବେ ସଂଗୃହୀତ ହୋଇ ପାରୁ ନ ଥିବାରୁ ବେପାରୀ ଯେତେବେଳେ ଚାଷୀ ଘର ପାଖରୁ ସେହି ଖାଦ୍ୟଶସ୍ୟ ସଂଗ୍ରହ କରୁଛି ସେତେବେଳେ ଚାଷୀର ଆଉ ମୂଲଚାଲ କ୍ଷମତା ରହୁନାହିଁ ଓ ବସ୍ତୁତଃ ସେ ‘ଏମ୍‌.ଏସ୍‌.ପି.’ଠାରୁ କମ ଦାମରେ ବିକିବାକୁ ବାଧ୍ୟ ହେଉଛି। ଏଭଳି ସ୍ଥଳେ ଛୋଟ ବେପାରୀ ସ୍ଥାନରେ ବଡ଼ ବଡ଼ କମ୍ପାନି ସିଧାସଳଖ ଚାଷୀଙ୍କଠାରୁ କିଣିବା ଆରମ୍ଭ କଲେ ଚାଷୀମାନେ ମୂଲଚାଲ କରିବାର ପ୍ରଶ୍ନ ରହିବ ନାହିଁ। ଉଲ୍ଲେଖଯୋଗ୍ୟ, ଦେଶର ପ୍ରାୟ ୮୭% ଚାଷୀ ହେଉଛନ୍ତି କ୍ଷୁଦ୍ର ଓ ନାମ ମାତ୍ର ବର୍ଗର। ଅର୍ଥାତ୍, କାଗଜ କଲମରେ ‘ଏମ୍‌.ଏସ୍‌.ପି.’ ଥିବ, ହେଲେ ବେପାରୀମାନେ ଚାଷୀଙ୍କଠାରୁ ସେହି ମୂଲ୍ୟରେ କିଣୁଛନ୍ତି କି ନାହିଁ ତାହା ସୁନିଶ୍ଚିତ କରି ହେବନାହିଁ। ସରକାରଙ୍କ ଯୁକ୍ତି ହେଉଛି ଏହି ବ୍ୟବସ୍ଥାରେ ଚାଷୀକୁ ସର୍ବନିମ୍ନ ସହାୟକ ମୂଲ୍ୟ ପରିବର୍ତ୍ତେ ସର୍ବାଧିକ ମୂଲ୍ୟ ମିଳିବ। କାରଣ ଅଧିକ ବେପାରୀ ଚାଷୀଙ୍କ ନିକଟରୁ ଖାଦ୍ୟଶସ୍ୟ ସଂଗ୍ରହ କରିବାକୁ ଆଗେଇ ଆସିଲେ ସେମାନଙ୍କ ମଧ୍ୟରେ ପ୍ରତିଯୋଗିତା ବଢ଼ି ଚାଷୀଙ୍କୁ ଲାଭବାନ କରିବ। କିନ୍ତୁ ଅନୁଭବ କହିଥାଏ ଯେ ସରକାର କହୁଥିବା ଭଳି ହେବାର ଆଶା କ୍ଷୀଣ। ଏହାର ସର୍ବଶ୍ରେଷ୍ଠ ଉଦାହରଣ ହେଉଛି ବିହାର, ଯେଉଁଠାରେ ପ୍ରାୟ ୧୫ ବର୍ଷ ତଳୁ ମଣ୍ଡି ବ୍ୟବସ୍ଥାକୁ ଉଠାଇ ଦିଆଯାଇଥିଲେ ବି ସେଠାରେ ଚାଷୀକୁ ଅନ୍ୟ ରାଜ୍ୟ ତୁଳନାରେ ଧାନ ଦର କମ ମିଳୁଛି। ଏହା ଦୂର କରିବାକୁ ହେଲେ ଚାଷୀକୁ ‘ଏମ୍‌.ଏସ୍‌.ପି.’ର ଏକ ସୁରକ୍ଷା ବଳୟ ପ୍ରଦାନ କରିବା ପାଇଁ ଆଇନ ପ୍ରଣୟନ ହେବା ଆବଶ୍ୟକ। ଏବେ ଚାଷୀ ସଂଗଠନଗୁଡ଼ିକ ଏହି ଦାବିରେ ଅଟଳ ଅଛନ୍ତି। ଏହା ଏକ ଆଇନ ହେଲେ ‘ଏମ୍‌.ଏସ୍‌.ପି.’ ଠାରୁ କମ୍‌ ଦାମ୍‌ରେ କୃଷିଜ କିଣିବା ଧର୍ତ୍ତବ୍ୟ ଅପରାଧ ହେବ।

୨୦୧୧ ମସିହାରେ ମୋଦୀ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିଲା ବେଳେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ପତ୍ର ଲେଖି ଦାବି ଜଣାଇଥିଲେ ଯେ ‘ଏମ୍‌.ଏସ୍‌.ପି.’କୁ ଆଇନ ପରିସରଭୁକ୍ତ କରାଯାଇ ଚାଷୀମାନଙ୍କୁ ଶୋଷଣରୁ ମୁକ୍ତ କରାଯାଉ। ବର୍ତ୍ତମାନ ଠିକ ସେହି ଏକା ଦାବି କରୁଥିବା ଚାଷୀ ସଂଗଠନମାନେ ଠିକ୍‌ ସେହି କଥା କହୁଥିବାରୁ ଏହାକୁ ସରକାର ମାନିନେବା ଉଚିତ ବୋଲି ମତ ପ୍ରକାଶ ପାଇଥାଏ।

ଭୁବନେଶ୍ବର
ମୋ- ୯୪୩୭୦୩୮୦୧୫
www.SaralJatil.com

ସମ୍ବନ୍ଧିତ ଖବର