କେମିତି ଥିଲେ ନବ ବାବୁ?

ସ୍ମୃତି ସରଣୀ - ଅନାଦି ନାୟକ

ପଇଁଚାଳିଶ ବର୍ଷ ତଳର କଥା। ଦେଶରେ ଜରୁରୀକାଳୀନ ଶାସନ ତଥାପି ଜାରି ଥାଏ। ଜେଲଖାନା ଭିତରେ ପକ୍ଷାଘାତରେ ମୂର୍ଚ୍ଛା ଗଲା ପରେ ଓ ତାଙ୍କର ଶାରୀରିକ ଅବସ୍ଥା ବହୁତ ଖରାପ ହେବା ଫଳରେ ନନ୍ଦିନୀ ସରକାର ନବକୃଷ୍ଣ ଚୌଧୁରୀଙ୍କୁ ଜେଲରୁ ଖଲାସ କରି ଥାଆନ୍ତି। କିଛି ଦିନ ପରେ ମୋତେ ମାସକ ପାଇଁ ପ୍ୟାରୋଲ ମିଳିଲା। ମୁଁ ପୁଣି ଥରେ ଜେଲ୍‌କୁ ଯିବି ନା ଯିବି ନାହିଁ, ଠିକ କରି ନଥାଏ। “ବାପି” (ନବକୃଷ୍ଣ ଚୌଧୁରୀ)ଙ୍କ ସହିତ ଏ ବିଷୟରେ ନିରୋଳାରେ କଥାବାର୍ତ୍ତା କରିବା ପାଇଁ ଗଲି। ବିଭିନ୍ନ ଗୋଷ୍ଠୀର କର୍ମୀ ତାଙ୍କ ପାଖକୁ ଆସନ୍ତି। କୌଣସି ଲୋକ ସାଧାରଣ କ୍ଷେତ୍ରରେ କୌଣସି କାମ କରିବାକୁ ଯାଉଥିଲେ ସେ ତାକୁ ସାହାଯ୍ୟ କରିବା ପାଇଁ ସବୁବେଳେ ପ୍ରସ୍ତୁତ ଥାଆନ୍ତି। ତାଙ୍କ ପାଖରେ ଜଣେ ଅପରିଚିତ ଲୋକ ବସିଥିବାର ଦେଖିଲି। ଚିହ୍ନିଲା ପରି ଭଦ୍ରଲୋକ ମୋତେ ନମସ୍କାର କଲେ ଅଥଚ ମୁଁ ତାଙ୍କୁ ଚିହ୍ନି ନପାରି ନାଆଁଟା କ’ଣ ବୋଲି ପଚାରିଲି। ଭଦ୍ରଲୋକ ଇତସ୍ତତଃ ହୋଇ ପାଟି ଖୋଲିବା ଆଗରୁ ନବକୃଷ୍ଣ ଚୌଧୁରୀ କହି ପକାଇଲେ, ‘ସବୁବେଳେ କ’ଣ ସବୁ କଥା କହି ହେବ?’ ଏଇଥିରୁ ମୁଁ ବୁଝିଗଲି ଯେ ଏ ଭଦ୍ରଲୋକ ଜଣେ ରାଜନୈତିକ କର୍ମୀ ଓ ଲୁକ୍କାୟିତ ଭାବରେ ଅଛନ୍ତି।

ମୁଣ୍ଡ ନୁଆଁଇ କେହି ତାଙ୍କୁ ନମସ୍କାର କଲେ ‘ବାପି’ ଖୁବ୍ ଚିଡ଼ନ୍ତି। ବିଶେଷ କରି ସର୍ବୋଦୟ କାମରେ ଲାଗିଥିବା କେହି ତରୁଣ କର୍ମୀ ତାଙ୍କୁ ଏଭଳି ଭାବରେ ଭକ୍ତି କଲେ ତାଙ୍କର ବିରକ୍ତି ଆହୁରି ବଢ଼ିଯାଏ। ସେଥିପାଇଁ ପୁରୁଣା କର୍ମୀମାନେ କେବଳ ଯୋଡ଼ା ହାତକୁ ଛାତି ପାଖକୁ ନେଇ ସିଧା ଠିଆ ହୋଇ ତାଙ୍କୁ ନମସ୍କା‌ର କରନ୍ତି। ବିନୋବାଜୀ କଲିକତା ସହରରେ ପଦଯାତ୍ରା କରୁଥିବା ବେଳେ ମାଳତୀ ଦେବୀ ଓ ନବବାବୁ କଲିକତା ଯାଇ ଥାଆନ୍ତି। ସେଠାର କର୍ମୀ ମହଲରେ ତାଙ୍କର ଖୁବ୍ ସମ୍ପର୍କ। ମୁଁ ଦେଖିଲି ଯେ କେହି କେହି ତାଙ୍କୁ ବଙ୍ଗୀୟ ଭାବରେ ପାଦ ଛୁଇଁ ନମସ୍କାର କଲେ ସେ ଓଲଟି ସେ ଲୋକଙ୍କର ପାଦ ଛୁଇଁ ନମସ୍କାର କରନ୍ତି। ତାର ମଧ୍ୟ କାରଣ ଅଛି। ଓଡ଼ିଶା ସାରା ଏକ ସମୟରେ ରାଜାରାଜୁଡ଼ା ଓ ଜମିଦାରମାନଙ୍କ ଆଧିପତ୍ୟ ଚାଲିଥିଲା। ସେତେବେଳେ ରଜାଙ୍କୁ ଦେଖିବା ମାତ୍ରେ ଲୋକେ ତାଙ୍କ ଆଗରେ ଲମ୍ବ ହୋଇ ପଡ଼ି ଯାଉଥିଲେ। ଯିଏ ସାଷ୍ଟାଙ୍ଗ କରୁ ନଥିଲା ତାକୁ ଶାସ୍ତି ଦିଆଯାଉଥିଲା। ଅନେକ ଜମିଦାରଙ୍କ ଘର ସାମନାରେ କେହି ଜୋତା ମାଡ଼ି କି ଛତା ଧରି ଯାଉ ନଥିଲେ। “ଭକ୍ତି ବା ସମ୍ମାନ ଦେଖାଇବା ବାହାନାରେ ବଡ଼ବଡ଼ିଆମାନେ ଲୋକମାନଙ୍କର ମନକୁ ପରାଧୀନ କରି ରଖୁଛନ୍ତି ବୋଲି କଂଗ୍ରେସ ସମାଜବାଦୀ ଦଳର ଲୋକେ କାହାରିକୁ ମୁଣ୍ଡ ନୁଆଁଇ ଦଣ୍ଡବତ ନ କରିବାକୁ ଲୋକଙ୍କୁ ମତାଉ ଥିଲେ।

ଦେଶକୁ ସ୍ୱାଧୀନ କରିବାକୁ ଚାହୁଁଥିବା ବହୁ ତରୁଣଙ୍କ ମନ ଭିତରେ ଗାନ୍ଧୀଜୀଙ୍କ ପ୍ରତି ଶ୍ରଦ୍ଧା ଥିଲା ଓ ସେମାନେ ତାଙ୍କର ସୂତାକଟା, ଲୁଣମରା, ଆଇନ ଅମାନ୍ୟ କଥାଗୁଡ଼ାକୁ ମାନୁଥିଲେ। ତା’ ସାଙ୍ଗେ ସାଙ୍ଗେ ମାର୍କ୍ସଙ୍କ ତତ୍ତ୍ୱ ଓ ଲେନିନଙ୍କ ସଂଗଠନ ଶକ୍ତି ମଧ୍ୟ ସେମାନଙ୍କୁ ଆକୃଷ୍ଟ କରୁଥିଲା। ସେଇକଥା ଆଖି ଆଗରେ ରଖି ନବକୃ୍ଷ୍ଣ ଚୌଧୁରୀ ଓଡ଼ିଶାରେ ସାମ୍ୟବାଦୀ କର୍ମୀ ସଂଘ ଗଠନ କରିଥିଲେ। ଓଡ଼ିଶାରେ ସମାଜବାଦୀ ଆନ୍ଦୋଳନର ପ୍ରଥମ ସଂଗଠକ ଥିଲେ ନବକୃଷ୍ଣ ଚୌଧୁରୀ। ପତ୍ନୀ ମାଳତୀ ଚୌଧୁରୀ ଓ ପୁତୁରା ମନମୋହନ ଚୌଧୁରୀଙ୍କ ସମେତ ଭଗବତୀ ପାଣିଗ୍ରାହୀ, ସୁରେନ୍ଦ୍ରନାଥ ଦ୍ୱିବେଦୀ, ପ୍ରାଣନାଥ ପଟ୍ଟନାୟକ, ସୁଧୀର ଘୋଷ, ଗୌରାଙ୍ଗ ଦାସଙ୍କ ପରି ଅଳ୍ପ କେତେ ଜଣଙ୍କୁ ଧରି ସଂଘର ପ୍ରଥମ ବୈଠକ ଜଗତ୍‌ସିଂହପୁରର ଅଣଖିଆ ଗାଆଁରେ ବସିଥିଲା। ଚୌଧୁରୀ ଦମ୍ପତି ସେହି ଗାଆଁ ମୁଣ୍ଡର ଗୋଟିଏ ନିଛାଟିଆ ଶ୍ମଶାନ ଭଳି ଜାଗାରେ ଚାଳି ବାନ୍ଧି ରହୁଥିଲେ ଓ ଲୋକଙ୍କ ମନରୁ ଡର ଛଡ଼ାଇବା ପାଇଁ ଆବଶ୍ୟକ କାର୍ଯ୍ୟ କରୁଥିଲେ। ୧୯୩୪ ମସିହାରେ ଗାନ୍ଧୀଜୀ ଓଡ଼ିଶା ଆସିଲେ ଓ ଓଡ଼ିଶା ବାହାରର ଲୋକ ଏଠି ଏକ ସାମ୍ୟବାଦୀ କର୍ମୀ ସଂଘ ହୋଇଛି ବୋଲି ଜାଣିଲେ। ସେତେବେଳକୁ କଂଗ୍ରେସ ଭିତରେ କଂଗ୍ରେସ ସୋସିଆଲିଷ୍ଟ ପାର୍ଟି ଆରମ୍ଭ ହୋଇ ସାରି ଥାଏ। ଆଚାର୍ଯ୍ୟ ନରେନ୍ଦ୍ରଦେବ, ମିନୁ ମାସାନୀ, ଜୟପ୍ରକାଶ ନାରାୟଣ ଓ ଜବାହାରଲାଲ ନେହରୁ ପ୍ରମୁଖ ପ୍ରଗତୀଶୀଳ ଲୋକେ ଏଥିରେ ଥାଆନ୍ତି। ସେତିକି ବେଳେ ଓଡ଼ିଶାର ସାମ୍ୟବାଦୀ କର୍ମୀ ସଂଘ ଅଖିଳ ଭାରତୀୟ ସ୍ତରର ସମାଜବାଦୀମାନଙ୍କ ସହିତ ମିଶି କଂଗ୍ରେସ ସମାଜବାଦୀ ଦଳର ଏକ ଅଂଶ ହୋଇଗଲା। ସ୍ୱାଧୀନତା ପାଇଁ ଆନ୍ଦୋଳନ କରିବା ସାଙ୍ଗେ ସାଙ୍ଗେ ଓଡ଼ିଶାରେ ଗଡ଼ଜାତ ଅଞ୍ଚଳରେ ଘଟିଥିବା ପ୍ରଜା ଆନ୍ଦୋଳନ, ମୋଗଲବନ୍ଦୀ ଅଞ୍ଚଳର ଜମିଦାରୀ ଉଚ୍ଛେଦ ଆନ୍ଦୋଳନ, ଭାଗଚାଷୀ ଆନ୍ଦୋଳନ ସବୁକୁ ଏହି ସମାଜବାଦୀ ଗୋଷ୍ଠୀ ହିଁ ନେତୃତ୍ୱ ଦେଇଥିଲେ। ୧୯୨୬ରୁ ୧୯୪୫ ପର୍ଯ୍ୟନ୍ତ କଂଗ୍ରେସର କାମ କହିଲେ ଓଡ଼ିଶାରେ ଏହି କଂଗ୍ରେସ ସମାଜବାଦୀ ଗୋଷ୍ଠୀର କାମକୁ ହିଁ ବୁଝାଉଥିଲା।

ନବକୃଷ୍ଣ ଚୌଧୁରୀ ଓଡ଼ିଶାରେ ୧୯୪୮ରୁ ୧୯୫୭ ଯାଏ ମୁଖ୍ୟମନ୍ତ୍ରୀ ଥିଲେ। ତାଙ୍କର ଧାରଣା ଥିଲା ଯେ ଭୂଦାନ ଆନ୍ଦୋଳନ ମାଧ୍ୟମରେ ଅହିଂସକ ପନ୍ଥାରେ ଭୂମିର ସମ ବିତରଣ ହେଲେ ସମାଜବାଦ ଆସିବ। ଆସନରେ ବସି ଅର୍ଡର ଦେବା ଅପେକ୍ଷା ଗାଆଁରେ ବୁଲି ଲୋକଙ୍କ ଭିତରେ ବଳ ବଢ଼ାଇବାଟା ତାଙ୍କୁ ଅଧିକ ଭଲ ଲାଗୁଥିଲା। ବନ୍ଧୁ ଓ ପ୍ରତିଦ୍ୱନ୍ଦ୍ବୀ ହରେକୃଷ୍ଣ ମହତାବ ଭୂଦାନକୁ ‘ଦାରିଦ୍ର୍ୟ ବଣ୍ଟନ’ ବୋଲି କହୁଥିଲେ। କିନ୍ତୁ ସେ ଏଥିପାଇଁ ଚିନ୍ତିତ ନଥିଲେ। ଯଦିଓ ସେ ଥିଲେ ଗାନ୍ଧୀଜୀଙ୍କ ବିଚାର ଓ କାର୍ଯ୍ୟକ୍ରମରେ ବିଶ୍ୱାସ କରିବା ଲୋକ, ତଥାପି ଯଦି କେହି ନିଜ ଉପରେ ଚାଲିଥିବା ଅନ୍ୟାୟର ପ୍ରତିରୋଧ କରିବାକୁ ଯାଇ ହିଂସା କରି ବସିଲା ସେ ସେଥିପାଇଁ କାହାରିକୁ ସମାଲୋଚନା କରୁ ନଥିଲେ। ଏଥିପାଇଁ ଉଗ୍ରପନ୍ଥୀ ରାଜନୈତିକ ଲୋକମାନେ ତାଙ୍କୁ ନିଜର ବୋଲି ଭାବୁଥିଲେ। ଆଦିବାସୀମାନଙ୍କ ଉପରେ ପୁଲିସ ଓ ସାହୁକାରଙ୍କ ଜୁଲମ ବିରୋଧରେ କାମ କରୁଥିବା ସର୍ବୋଦୟ କର୍ମୀ ଓ ତଥା କଥିତ ନକ୍ସଲପନ୍ଥୀଙ୍କ ଭିତରେ ଆଦିବାସୀ ଅଞ୍ଚଳରେ ବୁଝାମଣା ରହୁଥିଲା। ସେଥି ଲାଗି ଜଙ୍ଗଲ ଭିତରେ ଥିବା ଗରଣ୍ଡା ଗାଆଁରେ ଗୋବିନ୍ଦ ରେଡୀ ଓ ସବୁଆଡ଼େ ବୁଲୁଥିବା ବିଶ୍ୱନାଥ ପଟ୍ଟନାୟକଙ୍କୁ ‘ବାପିଙ୍କ ଲୋକ’ ବୋଲି ନକ୍ସଲପନ୍ଥୀ ଲୋକେ ସମ୍ମାନ ଦେଉଥିଲେ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମିଳିଥିବା ଜମିକୁ ବାଣ୍ଟିବା ପାଇଁ ତାଙ୍କ ସରକାର ଭୂଦାନ ବୋର୍ଡ ଗଢ଼ିଥିଲେ। ବୋର୍ଡର ଅମିନମାନେ ଭୂଦାନ କର୍ମୀ ନ ଥିଲେ। ଫଳରେ ଅମିନମାନେ ବନ୍ଦୋବସ୍ତ ବେଳେ ଯାହା କରନ୍ତି ଅନେକ ଜାଗାରେ ସେଇଆ ହେଲା। ଭୂଦାନ କର୍ମୀ ଗାଳି ଖାଇଲେ।

କଂଗ୍ରେସ ଦଳ ଭିତରୁ ଅନେକେ ଭାଗଚାଷ ଆଇନର ବିରୋଧୀ ଥିଲେ। କାରଣ ଜମିଦାରିଆ ଗୋଷ୍ଠୀର ଲୋକଙ୍କ ସ୍ୱାର୍ଥ ଏ ଭଳି ଆଇନରେ କ୍ଷତିଗ୍ରସ୍ତ ହେଉଥିଲା। ଓଡ଼ିଶାରେ ସମାଜବାଦ ପାଇଁ ମୂଳରୁ କାମ କରି ଆସିଥିବା ନବକୃଷ୍ଣ ଚୌଧୁରୀଙ୍କୁ ଭାଗଚାଷ ଆଇନ ପାସ୍ କରିବାରେ କଂଗ୍ରେସ ଦଳର ପ୍ରଗତିଶୀଳ ଯୁବକ ସଭ୍ୟଙ୍କ ସମେତ କମ୍ୟୁନିଷ୍ଟ ଓ ସମାଜବାଦୀ ଦଳର ସଭ୍ୟ ସାହାଯ୍ୟ କରିଥିଲେ। କ୍ଷମତାର ବିକେନ୍ଦ୍ରୀକରଣ ଦ୍ବାରା ସାଧାରଣ ଲୋକଙ୍କ ହାତକୁ କ୍ଷମତା ଆସିବ ବୋଲି ସେ ପଞ୍ଚାୟତିରାଜର ରୂପରେଖ ସମ୍ବନ୍ଧରେ ବାଟ ବାହାର କରିବା ପାଇଁ ବଳବନ୍ତ ରାୟ ମେହେତା କମିଟିର ସଭ୍ୟ ଥିଲେ। କିନ୍ତୁ ସେ ଅନୁଭବ କଲେ ଯେ ସରକାର ମାଧ୍ୟମରେ ଦେଶର ମଳିମୁଣ୍ଡିଆ ଲୋକଙ୍କ ଆତ୍ମବଳ ବଢ଼ା ଯାଇ ପାରିବ ନାହିଁ। ସେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହେବା ପରେ ଏହି ଧାରଣା ଦୃଢ଼ ହୋଇଥିଲା। ପୁଣି ଶାସନ କଳରେ ରହିଥିବା ନେତା ବନ୍ଧୁମାନଙ୍କର କାରବାର ତାଙ୍କୁ ଅଡୁଆ ଲାଗୁଥିଲା। ସେ ଓ ତାଙ୍କ ପରି ବୁଢ଼ାବୁଢ଼ାମାନଙ୍କ ବଦଳରେ ନୂଆ ଲୋକ କ୍ଷମତାକୁ ଆସିବାଟା ଭଲ ହେବ ବୋଲି ସେ ଭାବୁଥିଲେ।

ଅନେକେ ଭାବନ୍ତି ଯେ ହରେକୃଷ୍ଣ ମହତାବ ତାଙ୍କୁ ଗାଦିଚ୍ୟୁତ କରିଥିଲେ। ଏଣୁ ବିଜୁ-ବୀରେନଙ୍କ ମାଧ୍ୟମରେ ସେ ମହତାବଙ୍କୁ ବାହାର କଲେ। କିନ୍ତୁ କଥାଟା ସତ ନୁହେଁ। ବୟସରେ ବଡ଼ ବୋଲି ହରେକୃଷ୍ଣ ମହତାବଙ୍କୁ ନବକୃଷ୍ଣ ଚୌଧୁରୀ ସମ୍ମାନ କରୁଥିଲେ। ୧୯୬୨ ମସିହାର କଥା। ସବୁ ବିରୋଧୀ ଦଳକୁ ଏକାଠି କରି କ୍ଷମତାସୀନ କଂଗ୍ରେସ ଦଳ ବିରୋଧରେ ଲଢ଼ିବା ପାଇଁ ରାମ ମନୋହର ଲୋହିଆ ଓ ଜୟ ପ୍ରକାଶ ନାରାୟଣ ଉଦ୍ୟମ କରୁଥାଆନ୍ତି। ଏଥି ଲାଗି ଦୁଇ ବନ୍ଧୁ ମହତାବଙ୍କ ଭୁବନେଶ୍ୱରସ୍ଥ ଏକାମ୍ର ନିବାସକୁ ଗଲେ। ସାଙ୍ଗରେ ନବ ବାବୁ ଥିଲେ। ମହତାବ ଓ ଚୌଧୁରୀଙ୍କ ଭିତରେ ସେ ଦିନର କଥାବାର୍ତ୍ତା ଯେଉଁମାନେ ଦେଖିଛନ୍ତି, ସେମାନେ ବିଶ୍ବାସ କରିପାରି ନ ଥିଲେ ଯେ ନବକୃଷ୍ଣ ଚୌଧୁରୀ ଓ ହରେକୃଷ୍ଣ ମହତାବଙ୍କ ଭିତରେ କୌଣସି ବ୍ୟକ୍ତିଗତ ମନୋମାଳିନ୍ୟ କେବେ ଥିବ! ସୁଭଦ୍ରା ମହତାବଙ୍କର ପ୍ରଥମ ପ୍ରଶ୍ନ ଥିଲା, ‘ମାଳତୀ ଦେବୀ କେମିତି ଅଛନ୍ତି?’

ଆଉ ଏକ ଉଦାହରଣ। ଥରେ କଟକରୁ ଅନୁଗୁଳକୁ ଯିବା ପାଇଁ ମାଳତୀ ଦେବୀ ଓ ତାଙ୍କ ସାଙ୍ଗରେ ଥିବା ଜଣେ ଝିଅ କଟକରୁ ନିର୍ଗୁଣ୍ଡି ଷ୍ଟେସନକୁ ଯାଇ ସେଠୁ ଚାଲି ଚାଲି ଚୌଦ୍ୱାରକୁ ଯାଉ ଥାଆନ୍ତି ବସ୍ ଧରିବା ପାଇଁ। ମାଳତୀ ଦେବୀ ତାଙ୍କ ବିଛଣା ପତ୍ର ମିଲିଟାରି ଲୋକ ପରି ନିଜ ପିଠିରେ ଏକ ନ୍ୟାପସାକରେ ଧରି ଚାଲୁଥାଆନ୍ତି। ମୁଖ୍ୟମନ୍ତ୍ରୀ ମହତାବ ସେଇ ବାଟେ ଗାଡ଼ିରେ ଯାଉ ଥାଆନ୍ତି। ଏତେ ଧଳା ଶାଢ଼ି ପିନ୍ଧି କେଉଁ ସ୍ତ୍ରୀ ଲୋକ ପିଠିରେ ଏଭଳି ନ୍ୟାପସାକ ପକାଇ ବାଟ ଚାଲିବ? ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଅଟକିଲା। ସେ ଉଭୟଙ୍କୁ ନିଜ ଗାଡ଼ିରେ ବସ୍‌ଷ୍ଟାଣ୍ଡ୍‌ରେ ଛାଡ଼ି ଆସିଲେ।

ନବକୃଷ୍ଣ ଚୌଧୁରୀଙ୍କ ବେଳେ ଅନେକ କଥାର ମୂଳଦୁଆ ପଡ଼ିଥିଲା। ବିଶ୍ୱବିଦ୍ୟାଳୟ, ପୋଲ, ସଡ଼କ, ଟଙ୍କାକ ଶହେ ପଇସା- ଏମିତି ଅନେକ କଥା। ଏବେ ସେସବୁର ଫଳ ଆମେ ପାଉଛୁ। ଜୀବନ ସାରା ତାଙ୍କର ସବୁ କାମ ଦୁର୍ବଳକୁ ବଳ ଦେବାରେ ଲାଗି ରହିଥିଲା। ଅନୁଗୁଳରେ ବାଜିରାଉତ ଛାତ୍ରାବାସ ଠାରେ ସେ ଏକ ଛୋଟ କୁଡ଼ିଆ ଘରେ ରହିଲେ ବି ବିଶ୍ବ ବିଖ୍ୟାତ ପଣ୍ଡିତମାନଙ୍କର ଚିନ୍ତାଧାରା ସହିତ ସମ୍ବନ୍ଧ ରଖିଥିଲେ। ତତ୍କାଳୀନ ଓଡ଼ିଶାରେ ସେ ଥିଲେ ଆଧୁନିକତାର ଜୀବନ୍ତ ମୂର୍ତ୍ତି।

ଫ୍ରେଡେରିକ୍, ମେରିଲାଣ୍ଡ, ୟୁଏସ୍‌ଏ
[email protected]

ସମ୍ବନ୍ଧିତ ଖବର