ଆମ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ତିତ ଜଵାହାରଲାଲ ନେହରୁ ଶାସନ ଗାଦିରେ ଥିବା ବେଳେ ତାଙ୍କର ଏକ ପ୍ରଧାନ ଓ ଭଲ ଗୁଣ ଥିଲା ଏହି ଯେ କୌଣସି ନୂଆ ନୀତି ନିର୍ଦ୍ଧାରଣ କରିବା ପୂର୍ବରୁ ସେ ସମସ୍ତ ବରିଷ୍ଠ, ବୟୋଜ୍ୟେଷ୍ଠ, ଅଭିଜ୍ଞ, ବିଶାରଦ ବ୍ୟକ୍ତିବିଶେଷ ଓ ଶାସକ, ବିରୋଧୀ ସମସ୍ତ ଦଳର ନେତାଙ୍କ ପରାମର୍ଶ ଲୋଡୁଥିଲେ। ସେ ଯାହା ଚାହୁଁଥିଲେ ସେ କଥା ଅନ୍ୟମାନଙ୍କୁ ଯୁକ୍ତି ସହ ବୁଝାଉଥିଲେ ଏବ˚ ସେଇୟା ହେଲେ ବି କେହି ଭାବୁନଥିଲେ ଯେ ସେମାନଙ୍କୁ ଉପେକ୍ଷା କରାଯାଉଛି। ଏବେ ସ˚ଖ୍ୟାଗରିଷ୍ଠତା ହାସଲ କରିଥିବା ଶାସକ ଦଳ ଅନ୍ୟ କାହାକୁ ନ ପଚାରି ନୀତି ନିର୍ଦ୍ଧାରଣ କରୁଛନ୍ତି। ସେ ଅନୁସାରେ ଆଇନ ତିଆରି କରୁଛନ୍ତି ଓ ସେ ଆଇନକୁ ପ୍ରଶାସନିକ ବଳରେ ସର୍ବସାଧାରଣଙ୍କ ଉପରେ ଲଦି ଚାଲିଛନ୍ତି। ବର୍ତ୍ତମାନର ନୂଆ ଶିକ୍ଷାନୀତି ତା’ର ଏକ ଜ୍ବଳନ୍ତ ଉଦାହରଣ।
ଯୁଗୁ ଯୁଗ ଧରି ଆମ ଦେଶ ଅନ୍ୟ ଅନେକ ଦେଶକୁ ଆଧୢାତ୍ମିକତା, ସ˚ସ୍କାର ଇତ୍ୟାଦିର ଶିକ୍ଷା ପ୍ରଦାନ ଓ ପ୍ରସାର କରି ଆସୁଅଛି। କିନ୍ତୁ ଆମ ପିଲାମାନେ ସ୍ନାତକୋତ୍ତର ଶିକ୍ଷା ସାରିବା ପରେ ବି ‘ଗୀତା’ କ’ଣ ଜାଣୁନାହାନ୍ତି। ‘ଦ୍ରୌପଦୀ’ ଚରିତ୍ରଟି ରାମାୟଣରେ ବା ମହାଭାରତରେ ଅଛି କହି ପାରୁନାହାନ୍ତି। ଚବିଶ ଘଣ୍ଟାରୁ ଦଶ ବାର ଘଣ୍ଟା ମୋବାଇଲ୍ ଦେଖୁଥିଲେ ବି ସେଇଟା କିପରି ଚାଲୁଛି ଜାଣିନାହାନ୍ତି। ଧାନଚାଷ, ଫୁଲ ଓ ଫଳ ବଗିଚା ବିଷୟରେ କିଛି କହି ପାରୁନାହାନ୍ତି। ଆମ ଦେଶର ବୈଦେଶିକ ମନ୍ତ୍ରୀ କିଏ ତା’ବି ଜାଣିନାହାନ୍ତି। ଫଳ ସ୍ବରୂପ କେବଳ ବି.ଏ, ଏମ୍.ଏ ବା ଇଞ୍ଜିନିୟରି˚, ମେଡିକାଲ ଡିଗ୍ରି ଧରି ଚାକିରି ପାଇଁ ଏ ଦୁଆରରୁ ସେ ଦୁଆର ଦୌଡୁଛନ୍ତି। ନିଜ ଗୋଡ଼ରେ ନିଜେ ଠିଆ ହେବାର ସ୍ବପ୍ନ ବି ଦେଖୁନାହାନ୍ତି। ସରକାର ବାହାଦୁର ବି ମାଗଣା ଚାଉଳ, ପାଞ୍ଚଟଙ୍କିଆ ମିଲ୍, ମାଗଣା ଡ୍ରେସ୍, ଘର ଇତ୍ୟାଦି ଦେଇ ଭୋଟ ପାଉଛନ୍ତି, କିନ୍ତୁ ଲକ୍ଷ ଲକ୍ଷ ବେକାର ଯୁବକ କିପରି ଚଳିବେ ଏବ˚ କିଭଳି ସ୍ଥାୟୀ ରୋଜଗାର କରିବେ ସେ କଥା ଚିନ୍ତା ବି କରୁନାହାନ୍ତି। ଇ˚ରେଜ ଶାସନ ସମୟରୁ କେବଳ କିରାଣି ଓ ପିଅନ ହେବା ପାଇଁ ଦରକାର ହେଉଥିବା ଯୋଗ୍ୟତା ପାଇଁ ଆମ ପିଲାଏ ଦଶ, ପନ୍ଦର ବର୍ଷ ଗଣିତ, ଇ˚ରେଜୀ, ମାତୃଭାଷା, ସ˚ସ୍କୃତ, ହିନ୍ଦୀ, ବିଜ୍ଞାନ, ସାମାଜିକ ପାଠ ଇତ୍ୟାଦି ଗୁଡ଼ାଏ ଖେଚୁଡ଼ି ପାଠ ଶୁଆ ପରି ଘୋଷି ଚାଲିଛନ୍ତି। ଦେଶ ସେବା ଓ ଜାତୀୟତା ମନୋଭାବ ଆଣିବା, ରୁଗ୍ଣ ଦୁସ୍ଥଙ୍କୁ ସାହାଯ୍ୟ କରିବା, କାହାକୁ କିଭଳି ସମ୍ମାନ ଦେବା ବା ଆଦର କରିବା ବିଷୟ କୋର୍ସରେ ନାହିଁ। ଏଭଳି ଦୌଡ଼ରେ ଅନେକ ନୀତି ବିହୀନ ଶିକ୍ଷକଙ୍କ ଅବଦାନ ବି କିଛି କମ୍ ନୁହେଁ। ସେମାନେ ନିୟମିତ କ୍ଲାସ୍ ନିଅନ୍ତି ନାହିଁ, କୋଚି˚ ସେଣ୍ଟର ଓ ଟିଉସନକୁ ଯିବାକୁ କହନ୍ତି। ଏଣେ ଓଡ଼ିଆ ମିଡିୟମ ସ୍କୁଲ୍ଗୁଡ଼ିକୁ କ୍ରମେ ବନ୍ଦ କରି ଅତ୍ୟଧିକ ଟିଉସନ୍ ଫିସ୍ ନେଉଥିବା ଇ˚ରେଜୀ ମିଡିୟମ ସ୍କୁଲ୍ ବା କଲେଜ ଖୋଲିବାର ଉଦ୍ୟମ ହେଉଛି। ଏହା ଦ୍ବାରା ଶିକ୍ଷା ବ୍ୟବସ୍ଥାଟି (ସ୍ବାସ୍ଥ୍ୟ ସେବା ଭଳି) ବ୍ୟବସାୟରେ ପରିଣତ ହୋଇ ସାରିଲାଣି। ଜଣେ କେହି କହିଥିଲେ- ‘କୌଣସି ଦେଶକୁ ପରାଧୀନ ଓ ଧ୍ବ˚ସ କରିବାକୁ ହେଲେ, ତା’ର ଶିକ୍ଷା ଓ ସ୍ବାସ୍ଥ୍ୟ ବ୍ୟବସ୍ଥାକୁ ଉପେକ୍ଷା କରିଦିଅ।’ ଏହା ନିରାଟ ସତ୍ୟ।
ଏ ଦିଗରେ କେତେକ ସକାରାତ୍ମକ ଚିନ୍ତାଧାରା ରହିଛି ଯାହା ଅନ୍ତିମ ସମାଧାନର ସୂତ୍ର ହୋଇ ନ ଥିଲେ ବି ଶିକ୍ଷା ଓ ସମାଜକୁ ସଜାଡ଼ିବାରେ ନିଶ୍ଚିତ ସହାୟକ ହେବ। ସେଗୁଡ଼ିକ ହେଲା: (୧) ଇ˚ରେଜୀ ପୂର୍ବ ଭଳି ପ୍ରଥମ ଶ୍ରେଣୀ ଠାରୁ ମାଟ୍ରିକ ଶେଷ ପର୍ଯ୍ୟନ୍ତ ହିଁ ରହିବ, କିନ୍ତୁ ଇ˚ରେଜୀରେ ଗଦ୍ୟ ଓ ପଦ୍ୟ ସହ ବ୍ୟାକରଣ ଓ ଅନୁବାଦକୁ ଗୁରୁତ୍ବ ଦିଆଯିବ। ଷଷ୍ଠ ଠାରୁ ମାଟ୍ରିକ ଶେଷ ପର୍ଯ୍ୟନ୍ତ ପିଲାମାନେ ଇ˚ରେଜୀରୁ ଓଡ଼ିଆ ଓ ଓଡ଼ିଆରୁ ଇ˚ରେଜୀ ଅନୁବାଦ କରିବାରେ ଦକ୍ଷ ହେବା ଜରୁରୀ। (୨) ନୂଆ ଏକ ବିଷୟ- ‘ଆଧୢାତ୍ମିକ ସଚେତନତା’ ଅଷ୍ଟମ ଠାରୁ ଦଶମ ଯାଏ ପଢ଼ାଯାଉ। (୩) ‘ବୈଷୟିକ ଶିକ୍ଷା’ ସ୍ଥାନ ପାଉ ଯହିଁରେ ମୋବାଇଲ, ଟିଭି, ଅଟୋମୋବାଇଲ, ସିଲେଇ ଓ କମ୍ପ୍ୟୁଟର ବିଷୟରେ ଅଷ୍ଟମ ଠାରୁ ଦଶମ ଥିଓରି ଏବ˚ ଏକାଦଶ ଓ ଦ୍ବାଦଶ ଶ୍ରେଣୀରେ ଏଗୁଡ଼ିକର ପ୍ରାକ୍ଟିକାଲ ଶିଖାଯାଉ। (୪) ପୂର୍ବଭଳି ବିଜ୍ଞାନ ବିଷୟଟି ଯେମିତି ଥିଲା ସେମିତି ରହୁ। (୫) ନୂଆ ଏକ ବିଷୟ ‘ଜେନେରାଲ ନଲେଜ’ ବା ଜି.କେ. ଏକ ବିଷୟ ରୂପେ ପଢ଼ାଯାଉ। ମୋଟ ଉପରେ ଅଷ୍ଟମ ଠାରୁ ଦଶମ ପର୍ଯ୍ୟନ୍ତ ପିଲାମାନେ ଇ˚ରେଜୀ (୧୦୦), ଗଣିତ (୧୦୦), ଆଧୢାତ୍ମିକ ସଚେତନତା (୧୦୦), ବୈଷୟିକ ଶିକ୍ଷା (୧୦୦), କୃଷି ଓ ଉଦ୍ୟାନ ସମ୍ବନ୍ଧୀୟ ଶିକ୍ଷା ଏବ˚ ରୋଷେଇବାସ (୧୦୦), ସାଧାରଣଜ୍ଞାନ (୧୦୦) ଓ ବିଜ୍ଞାନ (୧୦୦) ଇତ୍ୟାଦି ୭୦୦ ନମ୍ବର ରହୁ। ତା’ ପରେ ଆମ ପିଲାମାନେ ଏକାଦଶ ଓ ଦ୍ବାଦଶ ଠାରୁ ଇଚ୍ଛାଧୀନ ବିଷୟ ଭାବେ ସାଇନ୍ସ, ଆର୍ଟସ ବା କମର୍ସ ପୂର୍ବଭଳି ନେଇପାରିବେ।
ଏ ସବୁ ପ୍ରସ୍ତାବକୁ ବିଶଦ୍ ଭାବରେ ଆଲୋଚନା କଲେ ନୂଆ ଏକ କୋର୍ସ ତିଆରି କରିହେବ। କାରଣ ଉପରଲିଖିତ ପ୍ରସ୍ତାବଗୁଡ଼ିକ କେବଳ ଉଦାହରଣ ମାତ୍ର। ଅଭିଜ୍ଞ, ବିଶାରଦ ଏ ସମ୍ବନ୍ଧରେ ଚିନ୍ତା କରି ସରକାରଙ୍କୁ ସାଙ୍ଗରେ ନେଲେ ଆମ ପିଲାଙ୍କ ବ୍ୟାବହାରିକ ଜ୍ଞାନ ଟିକିଏ ବଢ଼ନ୍ତା ଏବ˚ ନିଜେ ରୋଜଗାର କରି ଚଳିବାକୁ ସେମାନେ ନିଜ ଭିତରେ ଅନ୍ତତଃ ଆତ୍ମବିଶ୍ବାସ ଆଣନ୍ତେ!
ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]