ଶୂନ୍ୟତାର ଚିତ୍ରକଳ୍ପ

ଲୋକକ୍ଷେତ୍ର - ହରପ୍ରସାଦ ଦାସ

ମହାପ୍ରଭୁଙ୍କ ନାଗାର୍ଜୁନ ବେଶ ସ˚ପନ୍ନ ହେଲା। ଜଗନ୍ନାଥ ମହାପ୍ରଭୁଙ୍କ ବେଶ ସହିତ ଓଡ଼ିଆଙ୍କର ଭାବାବେଗ ଅତି ଅନ୍ତରଙ୍ଗ। ବିଶେଷତଃ ଦୁର୍ଲଭ ନାଗାର୍ଜୁନ ବେଶ କ୍ବଚିତ୍‌ ଦେଖିବାକୁ ମିଳୁଥିବାରୁ ଉତ୍କଣ୍ଠା ଅଧିକ ଥିଲା, ଲୋକେ ସ˚କ୍ରମଣ-ପ୍ରତିଷେଧକୁ ଅବଜ୍ଞା କରି ପୁରୀରେ ଅନ୍ତତଃ ପତିତପାବନଙ୍କ ନାଗାର୍ଜୁନ ବେଶ ଦେଖିବେ ବୋଲି ଆଶା କରିଥିଲେ। ସ˚କ୍ରମଣ-ପ୍ରତିଷେଧ ବ୍ୟବସ୍ଥା ଅନୁସାରେ ନାଗାର୍ଜୁନ ବେଶ ଯଥାବିଧି ଅନ୍ତରାଳରେ ହିଁ ଅନୁଷ୍ଠିତ ହେଲା ଓ ପତିତପାବନ ନାଗାର୍ଜୁନ ବେଶ ହେଲେ ନାହିଁ। ଲୋକେ ସ୍ଥିତି ବୁଝିଲେ, କିନ୍ତୁ ନାଗାର୍ଜୁନ ବେଶର ରହସ୍ୟକୁ ନେଇ ଲୋକକ୍ଷେତ୍ରରେ ଏକ ନୂଆ ଉତ୍କଣ୍ଠା ଉପୁଜିଲା। କିଏ ଏ ନାଗାର୍ଜୁନ?

ଏ ନାଗାର୍ଜୁନ କ’ଣ ଏକ ପୌରାଣିକ ଚରିତ୍ର? ଏ କ’ଣ କୌଣସି କିମ୍ବଦନ୍ତୀୟ ନାୟକ? ସାଧାରଣ ଲୋକମାନଙ୍କର ଏଭଳି ଏକ ପ୍ରତ୍ୟୟ ସୃଷ୍ଟି ହେଲା ଯେ ନାଗାର୍ଜୁନ ‘ମହାଭାରତ’ର ଚରିତ୍ର। ଇଏ ନାଗକନ୍ୟା ଉଲୁପି ଓ ଅର୍ଜୁନଙ୍କ ପୁତ୍ର। ଏଇ ଅର୍ଜୁନଙ୍କୁ ପରାସ୍ତ କରିଥିଲେ ଓ ବ୍ରହ୍ମଲୋକରେ ଭ୍ରାମ୍ୟମାଣ ଅମୋକ୍ଷ ପଣ୍ତୁଙ୍କ ମୋକ୍ଷ ପାଇଁ ୟାକୁ ଶ୍ରୀକୃଷ୍ଣ ଚକ୍ରରେ କାଟି ଦେଇଥିଲେ। ଇଏ ଦ୍ବାପର ଯୁଗର କଥା। କଳିଯୁଗରେ ଜଗନ୍ନାଥ (ଓ ବଳଭଦ୍ର) କାହିଁକି ନାଗାର୍ଜୁନ ବେଶ ହେବେ? ଏଭଳି ଗୋଟିଏ ଉତ୍ତର ବାହାରି ପାରେ ଯେ ନିର୍ଦ୍ଦୋଷ ନାଗାର୍ଜୁନଙ୍କୁ ପଣ୍ତୁଙ୍କ ମୋକ୍ଷ ପାଇଁ ବଧ କରି ଠାକୁର ଯେଉଁ ପାପ ଅର୍ଜନ କଲେ ତା’ର ପ୍ରାୟଶ୍ଚିତ୍ତ ପାଇଁ କଳିଯୁଗରେ ନାଗମାତା ଗର୍ଭସ˚ଭୂତ କିଶୋର ବା ତରୁଣ ଯୋଦ୍ଧାର ବେଶରେ ଏକ ବିଶେଷ ଦିନରେ ଆବିର୍ଭୂତ ହେଲେ। ସେହି ବେଶରେ ଅଳଙ୍କୃତ ହୋଇ ଠାକୁରେ ତାଙ୍କର ଅପଯଶକୁ ସତେ ଅବା ସ୍ବୀକାର କଲେ ଓ ନିଜ ପୀଡ଼ାକୁ ଅଭିବ୍ୟକ୍ତି ଦେଲେ। କିନ୍ତୁ ନାଗାର୍ଜୁନ ବେଶରେ ନାଗବ˚ଶୀ ପ୍ରତୀକ ଉତ୍‌ଫଣ ମଥାଳଙ୍କାର ନାହିଁ ତ! ବର˚ ଅଛି ହାଣ୍ତିଆ ନାମକ ଗୋଟିଏ ଟୋପି ବା ଶିରସ୍ତ୍ରାଣ ଓ ଗୋଟିଏ ଶୀର୍ଷପୁଷ୍ପ। ବିସ୍ମୟର କଥା ଯେ ଇଏ ଭାରତର ନାଗା ଲୋକବେଶର ପାଖାପାଖି ଓ ଦୃଷ୍ଟି ପ୍ରସାରିତ କଲେ ଗ୍ରୀକ୍‌, ଶକ ଓ ହୁଣ (ରକ୍ତବାହୁ?) ମଥାଭୂଷଣ ତଥା ଶିରସ୍ତ୍ରାଣର ପାଖାପାଖି ଗୋଟିଏ ଗଢ଼ଣ। କିନ୍ତୁ ନାଗାର୍ଜୁନ ବ୍ୟାସ ମହାଭାରତର ଚରିତ୍ର ନୁହନ୍ତି, କେବଳ ଶାରଳା ମହାଭାରତର ଠାଏ ଏ ଚରିତ୍ର ମିଳନ୍ତି। ୟାଙ୍କୁ ପଣ୍ତୁଙ୍କ ମୋକ୍ଷ ପାଇଁ ଶ୍ରୀକୃଷ୍ଣ ମାରିବାର କଳ୍ପନା କ୍ରମ ବର୍ଦ୍ଧମାନ ଲୋକକଳ୍ପନାର ପରିଣତି ହୋଇପାରେ। ସ୍ମରଣରେ ରହୁ ଯେ ଲୋକକଳ୍ପନାକୁ ବିଶ୍ବସନୀୟ କରିବା ପାଇଁ ପୁରାଣର ଆଶ୍ରୟ ନେଇ ବହୁ ଉପକଥା, ଉପପୁରାଣ ଓ ଉପ-କିଂବଦନ୍ତି ରଚିତ, କଥିତ ଓ ବ୍ୟାଖ୍ୟାୟିତ ହୋଇଚନ୍ତି ଭାରତରେ। ଭାରତର ବିପୁଳ ଓ ବହୁମୁଖୀ ସ୍ଥାନୀୟତା ଦ୍ବାରା ଏହିଭଳି ବହୁ ଉପଶାସ୍ତ୍ରୀୟ, ଉପ-ପୌରାଣିକ ଓ ଉପ କିଂବଦନ୍ତୀୟ ଗାଥା କଥା ସୃଜିତ ହେଇଚନ୍ତି। ନାଗାର୍ଜୁନଙ୍କ କଥା ଏହିଭଳି ଏକ ଗାଥା ହୋଇପାରେ। କିନ୍ତୁ ଅର୍ଜୁନଙ୍କ ପିତାଙ୍କ ମୋକ୍ଷ ପାଇଁ ଅର୍ଜୁନଙ୍କ ପୁତ୍ରର ବଧ ଏତେ ଅବିଶ୍ବସନୀୟ ଭାବରେ ଭାରତୀୟ ଲୋକମାନ୍ୟତାର ପରିପନ୍ଥୀ ଯେ ୟାକୁ ଗ୍ରହଣ କରି ଶେଷ ଯାଏଁ ଦୃଢ଼ କରି ରଖିବା ମୁସ୍କିଲ୍‌।

ଏ ନାଗାର୍ଜୁନ କ’ଣ ସେହି ସହସ୍ରାର୍ଜୁନ, ଯାହାଙ୍କୁ ପର୍ଶୁରାମ ବଧ କରିଥିଲେ? ପୃଥ୍ବୀକୁ ବହୁବାର ନିକ୍ଷତ୍ର କରିଥିବା ପର୍ଶୁରାମ ସହସ୍ରାର୍ଜୁନ ବା କାର୍ତବୀର୍ଯ ଅର୍ଜୁନଙ୍କୁ ବଧ କରିବା କାହିଁକି ଏତେ ସ୍ମରଣୀୟ ହୋଇଗଲା ଯେ ଜଗନ୍ନାଥ ନାଗାର୍ଜୁନ ବେଶ ହେବେ? ଇଏ ନା କାର୍ତବୀର୍ଯଙ୍କ କଳ୍ପିତ ବେଶ ନା ପର୍ଶୁରାମଙ୍କର କଳ୍ପିତ ବେଶ। ପ୍ରକ୍ଷେପ ଭଳି ଜାନୁଘଣ୍ଟକୁ ବେଶରେ ସାମିଲ୍‌ କରି କେହି କେବେ ଜଗନ୍ନାଥଙ୍କୁ ପର୍ଶୁରାମ ବେଶରେ ଦେଖିବାକୁ ଚାହିଁପାରିଥାନ୍ତି, କିନ୍ତୁ ତାହା ବଡ଼ କଥା ନୁହେଁ। ବଡ଼ କଥା ହେଉଚି କ୍ଷତ୍ରିୟ ଧ୍ବ˚ସକାରୀ ପର୍ଶୁରାମ ବିଷ୍ଣୁଙ୍କ ଅବତାର ଭାବରେ ଦଶାବତାରରେ ସାମିଲ ହେବା। ସାମାଜିକ ପ୍ରତୀକ ବ୍ୟାଖ୍ୟାରେ ପର୍ଶୁରାମ ବ୍ରାହ୍ମଣ ସାମର୍ଥ୍ୟର ପ୍ରତୀକ ଓ କ୍ଷତ୍ରିୟମାନଙ୍କ ଶତ୍ରୁ। ୟାଙ୍କ ବେଶ କାହିଁକି ଜଗନ୍ନାଥ ପିନ୍ଧିବେ? ବାସ୍ତବରେ ପର୍ଶୁରାମଙ୍କ ପୌରାଣିକ ଚରିତ୍ରର ବ୍ୟାଖ୍ୟା ଆର୍ଯ-ଦ୍ରାବିଡ଼ ସ˚ଘର୍ଷରେ ଦ୍ରାବିଡ଼ ବିନାଶ ପାଇଁ ଆର୍ଯ୍ୟାବର୍ତ୍ତରେ ଜାତିବାଦୀ ବ୍ରାହ୍ମଣ-କ୍ଷତ୍ରିୟ ସ˚ଘର୍ଷରେ କ୍ଷତ୍ରିୟଙ୍କ ବିନାଶ ପାଇଁ ଯେଭଳି ବ୍ୟବହୃତ ହୋଇଚି ତାହା ଜଗନ୍ନାଥଙ୍କ କଳ୍ପନାରେ ଆଦୌ ପ୍ରାସଙ୍ଗିକ ନୁହେଁ। କୁଠାରଧାରୀ ରାମ (ପର୍ଶୁରାମ)ଙ୍କ ପରିକଳ୍ପନା କୋଦଣ୍ତଧାରୀ, ବନବାସୀ, ପୁରୁଷୋତ୍ତମ ରାମଙ୍କ ଦ୍ବୈତ ଭାବରେ କରାଯିବା କ୍ଷତ୍ରିୟ ଶକ୍ତିତନ୍ତ୍ରରେ ଏକ ବ୍ରାହ୍ମଣ୍ୟ ‘କା’ ବା ବ୍ରାହ୍ମଣ୍ୟ ସ୍ଥାନ ସଂରକ୍ଷଣ ହୋଇପାରେ। ଜଗନ୍ନାଥଙ୍କୁ ଏଥିରେ ପ୍ରବେଶ କରାଇବାର ଆଉ ଏକ କାରଣ ହୋଇପାରେ ଷଷ୍ଠ ଅବତାର ଭାବରେ ପର୍ଶୁରାମଙ୍କ ଗଣନା। ଉଗ୍ର ବ୍ରାହ୍ମଣ୍ୟ ସବାଧିକାରର ଏକ ଧର୍ମାନୁପ୍ରବେଶ ଏଥିରେ ଥାଇପାରେ, ଜଗନ୍ନାଥ ଜାତିଭେଦର ଊର୍ଦ୍ଧ୍ବରେ ଶ୍ରୀପୁରୁଷୋତ୍ତମ ଭାବରେ କଳ୍ପିତ ହେଲା ବେଳେ ବେଦ କରାୟତ୍ତ କରିଥିବା ବ୍ରାହ୍ମଣ୍ୟ ସ˚ସ୍ଥାର ପର୍ଶୁରାମଙ୍କୁ ଅବତାରୀ ଭାବରେ ମାନ୍ୟତା ଦେଇଥିବ। କିନ୍ତୁ ଜଗନ୍ନାଥ ପର୍ଶୁରାମ ବେଶ କାହିଁକି ଗ୍ରହଣ କରିବେ?

ଜଣେ ସନାତନ ଧର୍ମାବଲମ୍ବୀ ଭାବରେ ଏ ପ୍ରଶ୍ନ ମୋତେ ଚିନ୍ତାରେ ପକାଏ। ଏମିତିତ ଆମ ଧର୍ମରେ, ଅନେକ ପ୍ରକାରର ମାନ୍ୟତା ବିଦ୍ୟମାନ। ମୁଁ ଜାଣିଶୁଣି ‘ହିନ୍ଦୁ’ ଶବ୍ଦର ପ୍ରୟୋଗ କରୁନାହିଁ, କାରଣ ଆମ ଧର୍ମର ନାଁ ହିନ୍ଦୁ ନୁହେଁ, ଇଏ ଇ˚ରେଜଙ୍କ ଦ୍ବାର ପ୍ରଦତ୍ତ ସିନ୍ଧୁତୀର (ଇଣ୍ତସ୍‌) ନିବାସୀ ଲୋକଙ୍କ ନାଁ, ବା ସିନ୍ଧୁ ନଦୀର ନାଁ, ଯାହାକୁ ଇ˚ରେଜମାନେ ପର୍ସିଆନ୍‌ ଉଚ୍ଚାରଣରୁ ସିଧା ଟେକିଆଣି ଆମ ମୁଣ୍ତ ଉପରେ ଲଦି ଦେଲେ। ପର୍ସିଆନ୍‌ରେ ‘ସ’ ଉଚ୍ଚାରଣରେ ‘ହ’ ହୋଇଯାଏ, ଯେମିତି ଅସମ ହୁଏ ଅହମ୍‌ ଓ ଅସମିୟା ହୁଏ ଅହମିୟା। ସନାତନ ଧର୍ମ ଏକ ମାନବଧର୍ମ ଭାବରେ ବିବର୍ତ୍ତିତ ହୋଇ ଚାଲିଚି ଓ ନବମ ଶତାବ୍ଦୀ ପରଠାରୁ ଶାସ୍ତ୍ର ଓ ପୁରାଣ ରଚନା ବନ୍ଦ ହୋଇଗଲା ପରେ ଏ ବିବର୍ତ୍ତନର କାହାଣୀ ଲେଖା ବି ବନ୍ଦ ହୋଇଯାଇଚି। ତେବେ ଧର୍ମ ନା ହିନ୍ଦୁ କାହିଁକି ହେବ? ସବୁ ଭାରତ ନିବାସୀ ହିନ୍ଦୁ ହୋଇପାରନ୍ତି ବା ହିନ୍ଦୀ ହୋଇପାରନ୍ତି, କିନ୍ତୁ ସମସ୍ତେ ହିନ୍ଦୁ ଧର୍ମାବଲମ୍ବୀ ହେବେ କାହିଁକି? ହିନ୍ଦୁରେ ଏକ ଲୋକଜୀବନର ବହୁମୁଖୀ ପ୍ରବାହ; ହିନ୍ଦୁତ୍ବ ଏକ ଧର୍ମଧାରା ନୁହେଁ। ଶ୍ରୀଜଗନ୍ନାଥ ସନାତନ ଦେବତା, ସେ ସନାତନ ଧର୍ମର ସବୁ ବିଭେଦର ସମାଧାନ-କର୍ତ୍ତା, ସମାଜ-ପୁରୁଷ, ପୁରୁଷୋତ୍ତମ। ସେହି ରୂପରେ ସେ ଶୈବ, ଶାକ୍ତ, ସୌର ଓ ଗାଣପତ୍ୟ ଆସ୍ଥାମାନଙ୍କରେ ସର୍ବୋଚ୍ଚ ସମ୍ମିଳନ, ସ˚ଶ୍ଳେଷଣ ବା ବିଲୟ। ପୁରୁଷୋତ୍ତମ ଶ୍ରୀଜଗନ୍ନାଥ ଅନାଦି, ଅନନ୍ତ ଓ ଶୂନ୍ୟ ପୁରୁଷ ଭାବରେ ପରିକଳ୍ପିତ ହେବା ବୋଧହୁଏ ସେହି ଅପରିମେୟ କୃଷ୍ଣଗର୍ତ୍ତ!

‘ଶୂନ୍ୟବାଦ’ର ପ୍ରଚଣ୍ତ ପ୍ରବକ୍ତା, ବ୍ୟାଖ୍ୟାକାର ଓ ପ୍ରାଜ୍ଞ ପୁରୁଷ ନାଗାର୍ଜୁନ। ୟାଙ୍କ ନାମରେ ପର୍ବତ ଓ ହ୍ରଦ ମଧୢ ଦାକ୍ଷିଣାତ୍ୟରେ ବିଦ୍ୟମାନ। ୟାଙ୍କ ନାମର କିଛି ସ˚ପର୍କ ‘ନାଗାର୍ଜୁନ ବେଶ’ରେ ଥାଇ ପାରେ କି? ମହାଭାରତରେ ନଥାଇ ମଧୢ, କେବଳ ଶାରଳା ମହାଭାରତର ଗୋଟିଏ ସୂଚନାକୁ ନେଇ ଆମେ ଅର୍ଜୁନପୁତ୍ର ନାଗାର୍ଜୁନଙ୍କ କଥା ସ୍ମରଣକୁ ଆଣୁଚେ। ପର୍ଶୁରାମଙ୍କ କଥା ସ୍ମରଣକୁ ଆସିବା ପାଇଁ ପୌରାଣିକ ଭାରତରେ ବହୁ ପାଠ। ସେ ‘ବିଷ୍ଣୁପୁରାଣ’ରେ, ସେ ‘ଦେବୀ ଭାଗବତ ପୁରାଣ’ରେ, ସେ ‘ବାୟୁ ପୁରାଣ’ରେ, ସେ ‘ଭାଗବତ ପୁରାଣ’ରେ। ସେ ମହାଭାରତରେ ଓ ରାମାୟଣରେ ବି। ସେ ଏକମାତ୍ର ବିଷ୍ଣୁ ଅବତାର ଯିଏ ରାମ ଓ କୃଷ୍ଣଙ୍କ ସହ-ଅବତାରୀ; ଅର୍ଥାତ୍‌ ତ୍ରେତୟା ଓ ଦ୍ବାପରରେ ବି ସେ ଥିଲେ। ‘ଭାଗବତ ପୁରାଣ’ ଅନୁସାରେ ସେ ‘ମହେନ୍ଦ୍ର ପର୍ବତ’ (ଆମ ଓଡ଼ିଶାର ମହେନ୍ଦ୍ର ପର୍ବତ)ରେ ଅଖଣ୍ତ ସମାଧିରେ ଅଛନ୍ତି, ଆଉ ବିଷ୍ଣୁକଳା ପ୍ରାପ୍ତ ହୋଇ ନାହାନ୍ତି। କିନ୍ତୁ ସହସ୍ରାର୍ଜୁନ ବଧକାରୀ ପର୍ଶୁରାମ ଜଗନ୍ନାଥଙ୍କ ବେଶ କଳ୍ପନା ଭିତରକୁ ଆସିବେ କାହିଁକି? ସ୍ମରଣରେ ରହୁ ଯେ ସହସ୍ରାର୍ଜୁନ ବଧକାରୀ ଭାବରେ ସେ ଜଣେ ଉଗ୍ର ବ୍ରାହ୍ମଣ, କୁଠାରଧାରୀ ଯୋଦ୍ଧା, ଭୀଷ୍ମ ଓ କର୍ଣ୍ଣଙ୍କ ଗୁରୁ, କିନ୍ତୁ କ୍ଷତ୍ରିୟ ବିନାଶ ଦୋଷରେ ଦୁଷ୍ଟ। ବର˚ ତାଙ୍କ ଅନ୍ତିମ ଲୌକିକ ଜୀବନ କାଳରେ ସେ କର୍ଣ୍ଣାଟକର ତୁଙ୍ଗନଦୀରେ କୁଠାରରେ ଲାଗି ରହିଥିବା ଅନ୍ତିମ ରକ୍ତବିନ୍ଦୁ ଧୋଇ, ନିଜକୁ ଦୋଷମୁକ୍ତ କରି ରାମେଶ୍ବରମ୍‌ ଲିଙ୍ଗ ପ୍ରତିଷ୍ଠା କରିଚନ୍ତି, ସମୁଦ୍ର ଗର୍ଭରୁ କେରଳ ଭୂଖଣ୍ତକୁ ଉତ୍‌ଥିତ କରିଚନ୍ତି ଓ ଶେଷରେ ଇହଲୀଳା ପରେ ମହେନ୍ଦ୍ର ପର୍ବତରେ ଧୢାନସ୍ଥ ହୋଇ ରହିଚନ୍ତି। ମହାନ୍‌ ପର୍ଶୁରାମଙ୍କୁ ଭୁଲି ଆମେ କୋଉ ପର୍ଶୁରାମଙ୍କୁ ନାଗାର୍ଜୁନ ବେଶରେ ସ୍ମରଣ କରୁଚେ?

ଲୋକ କଳ୍ପନାର ସ˚ସାର ବିଶାଳ ଓ ବ୍ୟାଖ୍ୟାତୀତ, ତେଣୁ କାହିଁକି କ’ଣ ହେଲା ସେ ପ୍ରଶ୍ନ ମୁଁ ଉପସ୍ଥାପନା କରୁନାହିଁ। ସେଭଳି ପ୍ରଶ୍ନ ପଚାରିବା ଦ୍ବାରା କିଛି ଫଳ ହେବ ନାହିଁ, କାରଣ ‘ନାଗାର୍ଜୁନ ବେଶ’ର କାଳ ନିର୍ଘଣ୍ଟ ଏଭଳି ଓ ଜଗନ୍ନାଥଙ୍କ ଇତିହାସ ଏତେ ରହସ୍ୟାବୃତ ଯେ ଆମେ କହିପାରିବା ନାହିଁ ଏ ବେଶ କେବେ ଆରମ୍ଭ ହେଲା, ସେତେବେଳେ ବେଶ କିଭଳି ଥିଲା, ଏବେ କିଭଳି ହୋଇଚି। ଲକ୍ଷ୍ୟ କରିବେ ଯେ ଠାକୁରଙ୍କ ମୁଖ୍ୟ ଆୟୁଧଗୁଡ଼ିକ, ଯାହା ନିୟମିତ ବ୍ୟବହୃତ ହୁଏ ସୁବର୍ଣ୍ଣର, ହାତ ପାଦ ବି ସୁବର୍ଣ୍ଣର, କିନ୍ତୁ ଆଉ ଯେଉଁ ଷୋହଳ ସତର ଅସ୍ତ୍ରାଳଙ୍କାର ଶ୍ରୀ ଜିଉ ଧାରଣ କରନ୍ତି, ସେଗୁଡ଼ିକ ଶିଳ୍ପୀ ନିର୍ମିତ। ଶିଳ୍ପୀ ଯେତେବେଳେ ନାଗାର୍ଜୁନ ବେଶ ନିର୍ମାଣ ପାଇଁ ନିର୍ଦ୍ଦେଶ ପାଇଥିବେ, ସେତେବେଳେ ତାଙ୍କ ପାଖରେ ପୁରୁଣା ନାଗାର୍ଜୁନ ବେଶର ପ୍ରତିମାନ ନ ଥିବ। ଯେମିତି ଚକ୍ରକୋଟ ଖୁଣ୍ଟିଆଙ୍କ ପିତା ହିଁ ଜାଣିଥିଲେ ବିଦ୍ୟା, ତାଙ୍କ ତିରୋଧାନ ପରେ ତାଙ୍କ ପୁଅ କାରିଗରଙ୍କୁ ନେଇ ଭାକ୍ତିକ କଳ୍ପନାରେ କିଛି ନୂଆ କଲେ, କିଛି ସ୍ମୃତିରେ ଥିଲା। କଥା ହେଉ ବୀରବେଶରେ। ବୀରବେଶର ନାମ ନାଗାର୍ଜୁନ ବେଶ କାହିଁକି ହେବ, ଯଦି ଧର୍ମଗ୍ରନ୍ଥ ବା ପୁରାଣରେ ତା’ର ସୂଚନା ନାହିଁ!

ଏଇଠି ପ୍ରାସଙ୍ଗିକତା ନାଗାର୍ଜୁନଙ୍କର। ପର୍ଶୁରାମ ଯେଭଳି ଜଣେ ଅବତରୀ; ସନାତନ ଧର୍ମରୁ ବାହାରି ଯାଇ ପ୍ରକାର ଆଲୋକରେ ଏକ ନୂଆ ଧର୍ମ ସ୍ଥାପନ କରିଥିବା ଗୌତମ ବୁଦ୍ଧ ସେହିଭଳି ଜଣେ ଅବତରୀ ଭାବରେ ଦଶାବତାରରେ ଅଛନ୍ତି। ବୁଦ୍ଧ ଯଦି ଅଛନ୍ତି ଅବତରୀ ଭାବରେ, ତେବେ ବୌଦ୍ଧଧର୍ମର ଶ୍ରେଷ୍ଠ ଚିନ୍ତକ ଓ ଦାର୍ଶନିକ ନାଗାର୍ଜୁନଙ୍କ ଶୂନ୍ୟବାଦକୁ ଚିତ୍ରମୟ କରି ସ୍ଥାପିତ କରିବାର ଓଡ଼ିଶା ଜ୍ଞାନମାର୍ଗୀ ବୈଷ୍ଣବ ଧାରାକୁ ସ୍ମରଣରେ ରଖିବା ଉଚିତ ହେବ।

ନାଗାର୍ଜୁନଙ୍କ ଜନ୍ମ ଖ୍ରୀ୧୫୦ରେ, ସେ ଶହେ ବର୍ଷ ବଞ୍ଚିଥିଲେ। ସେ ହେଉଚନ୍ତି ମହାଯାନ ବୌଦ୍ଧଧର୍ମର ‘ମାଧୢମକ’ ଧାରାର ପ୍ରବର୍ତ୍ତକ। ବୌଦ୍ଧ ଧର୍ମରେ ଏ ବିଶ୍ବାସ ଅଛି ଯେ ନାଗାର୍ଜୁନ ‘ନାଗ’ମାନଙ୍କ କବଳରୁ ଉଦ୍ଧାର କରି ପ୍ରଜ୍ଞାପାରମିତା ସୂତ୍ର ଉପସ୍ଥାପନ କରିଥିଲେ। ଏ ‘ନାଗ’ମାନେ କିଏ? ୟା ହୋଇପାରେ ଯେ ‘ନାଗ’ ଏକ ଜନଜାତି ବା ରାଜବ˚ଶ ଯାହାଙ୍କ କବଳରେ ଏ ବୌଦ୍ଧ ପାଠ ଅଗୋଚର ହୋଇ ରହିଥିଲା, ଯାହାକୁ ନାଗାର୍ଜୁନ ଉଦ୍ଧାର କଲେ। ‘ଦଶାବତାର’ରେ ମୀନ ଅବତାରରେ ବିଷ୍ଣୁ ମୀନ ଗର୍ଭରୁ ବେଦ ଉଦ୍ଧାର କରିବାର ଗୋଟିଏ ରୂପକ ଏଠି ଅଛି। ‘ପ୍ରଜ୍ଞାପାରମିତା’ର ଅର୍ଥ ପ୍ରଜ୍ଞାର ଶୁଦ୍ଧକୋଟୀ (ପରଫେକ୍‌ସନ)। ଏ ଶୁଦ୍ଧକୋଟୀ କ’ଣ? ଇଏ ହେଉଚି ବାସ୍ତବତାକୁ ଦେଖିବାର ସୂତ୍ର। ଏ ସୂତ୍ର ଆରୋପିତ ହୁଏ ସେତିକିବେଳେ ଯେତେବେଳେ ବୁଦ୍ଧତ୍ବ ଆରୋପିତ ହୁଏ। ବୁଦ୍ଧତ୍ବ ଆରୋପିତ ହେଲେ ‘ବୋଧିସତ୍ତ୍ବ’ଙ୍କ ଉଦୟ ହୁଏ। ଶ୍ରୀ ଜଗନ୍ନାଥଙ୍କ ଉପରେ ବୁଦ୍ଧତ୍ବର ଆରୋପ ଏହି ବୋଧିସତ୍ତ୍ବ କ୍ରିୟା ହୋଇପାରେ। ସବୁଠୁ ବଡ଼ କଥା ବାସ୍ତବତାକୁ ଦେଖିବାର ସୂତ୍ର ନାଗାର୍ଜୁନଙ୍କ ଦର୍ଶନରେ ‘ଶୂନ୍ୟବାଦ’। ନାଗାର୍ଜୁନଙ୍କ ଶୂନ୍ୟବାଦ ଜଗନ୍ନାଥଙ୍କର ସେହି ବିପୁଳ ବିସ୍ତାରକୁ ବ୍ୟଞ୍ଜିତ କରେ, ଜଗନ୍ନାଥ ସେହି ଉତ୍ସ ଯାହା ସମସ୍ତ ମୂର୍ତ ରୂପ, ପ୍ରଭେଦ, ଦ୍ବୈତ ରୂପର ସମାହାର, ସମାଧାନ ଓ ଆଧାର। ଓଡ଼ିଶା ଜ୍ଞାନମାର୍ଗୀ ବୈଷ୍ଣବମାନେ ଜଗନ୍ନାଥଙ୍କ ରୂପ କଳ୍ପନାରେ ଶୂନ୍ୟତାର ଏକ ବିଗ୍ରହ ନିର୍ମାଣ କରିଥିଲେ, ଦେବଶିଳ୍ପୀ ମଧୢ ବିଷ୍ଣୁଙ୍କର ସେହି ନିରାକାର ରୂପକୁ ସାକାର କରିଥିବେ ଦୁଇ ବିଶାଳ ଚକା ଆଖିରେ। ସେହି ଚକା ଆଖିରେ ବିଲୀନ ହେବାର ସବିଶେଷ ବାସ୍ତବତା ଥିଲା ଜ୍ଞାନମାର୍ଗର ପରମ ସାଧନା। ଷୋଡ଼ଶ ଶତାବ୍ଦୀ ପରଠାରୁ ଓଡ଼ିଆଏ ଜ୍ଞାନମାର୍ଗ ଛାଡ଼ି ସହଜିଆ ଭାବ ମାର୍ଗରେ ଭାସିଲେ। ଏ ମାର୍ଗରେ ଲୌକିକ ହିଁ ହୋଇଗଲା ପରମ! ନାଗାର୍ଜୁନଙ୍କ ଦ୍ବାରା ବା ନାଗାର୍ଜୁନଙ୍କ ତତ୍ତ୍ବ ଦ୍ବାରା ପରିଭାଷିତ ଜଗନ୍ନାଥ ସନାତନ ଧର୍ମର ବିରୋଧାଚରଣ କରେ ନାହିଁ, ତାକୁ ସିଦ୍ଧ କରେ। ତାତ୍ପର୍ଯ୍ୟ ଏହି ଯେ ନାଗାର୍ଜୁନ ବେଶ ପ୍ରକୃତରେ ଜଗନ୍ନାଥଙ୍କ ‘ଶୂନ୍ୟବେଶ’! ଅସ୍ତ୍ର ଓ ଅଳଙ୍କାରମାନେ ବିବିଧ। ଲାଳିତ୍ୟ ଓ ଉଗ୍ରତା, କୋମଳତା ଓ କଠୋରତା, ହି˚ସ୍ରତା ଓ କରୁଣା, ନିଦା ସୁନା ଓ ହାଲୁକା ସୋଲ, ସବୁ ବିରୋଧାଭାସର ସମାହାର ତତ୍ତ୍ବ। ସମାହାର ଦୁଇ ଚକ୍ଷୁରେ, ସମାଧାନ ତାହାରି କୃଷ୍ଣଗର୍ତ୍ତରେ। ପ୍ରଜ୍ଞାପାରମିତାର ସୂତ୍ରର ପ୍ରୟୋଗ ଶ୍ରୀ ଜଗନ୍ନାଥଙ୍କୁ ସନାତନ ଧର୍ମର ସର୍ବୋଚ୍ଚ ଦେବତା ସହିତ ବୌଦ୍ଧମାନଙ୍କର ଶ୍ରେଷ୍ଠ ପ୍ରଜ୍ଞା-ରୂପାୟନରେ। ନାଗା ଓ ଅର୍ଜୁନକୁ ମିଶାଇ ବିଚିତ୍ର କଳ୍ପନା କଲାବେଳେ ଜ୍ଞାନମାର୍ଗକୁ ଭୁଲିଯିବା ସ୍ବାଭାବିକ। କିନ୍ତୁ ନାଗାର୍ଜୁନଙ୍କ ଶୂନ୍ୟତାର ଚିତ୍ରକଳ୍ପ ଭାବରେ ଜଗନ୍ନାଥଙ୍କୁ ଯଦି ଦେଖାଯାଏ, ତାହା ଅଧିକ ଯୁକ୍ତିଯୁକ୍ତ ହେବ ଓ ଜ୍ଞାନମାର୍ଗୀ ବୈଷ୍ଣବ ଧାରା ସହିତ, ଏହି ବୌଦ୍ଧ ଦର୍ଶନର ମାର୍ଗରେ, ସ˚ଯୋଗ ସ୍ଥାପନ କରିବ। ଜଗନ୍ନାଥଙ୍କୁ ହି˚ସ୍ର ବୀରପୁରୁଷ ରୂପରେ କଳ୍ପନା କରିବା କ’ଣ ଠିକ୍‌? ସେ ଯୋଦ୍ଧା? ସେ ଶିକାରୀ? ତେବେ ସେ କାହା ସହିତ ଯୁଦ୍ଧ କରିବେ? କାହାର ଶିକାର କରିବେ? ବାଘ ନଖ, ବାଘ ଛାଲ, କାତି, ଛୁରୀ, ଖଣ୍ତା, ତ୍ରିଶୂଳ, କୁଠାର କାହାର ପ୍ରତୀକ? ଆୟୁଧ ତତ୍ତ୍ବର ପ୍ରତୀକାତ୍ମକ ବ୍ୟାଖ୍ୟାନରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ବିଷ୍ଣୁଙ୍କର ଶାନ୍ତ ସ୍ବରୂପ! ହି˚ସ୍ରତାର ଆରୋପ ଠିକ୍‌ ନୁହଁ, ବର˚ ଏ ଅଦ୍‌ଭୁତ ବେଶରେ ଶିଳ୍ପୀ-କଳ୍ପନାର ଅନ୍ତରୀକ୍ଷ ଉଡ଼ାଣ ଲୋଡା, ଯହିଁରେ ଶୂନ୍ୟତାର ଚିିତ୍ରକଳ୍ପ ପରମପୁରୁଷ ପ୍ରଭୁ ଜଗନ୍ନାଥଙ୍କ ଅନାଦି-ଅନନ୍ତ-ନିର୍ଗୁଣ-ନିରାକାର ରୂପରେ ଜ୍ଞାନ ଉଦ୍ରେକ କରୁଥିବ।

ମୁଁ ଜଣେ ସାଧାରଣ ଜନ, ଭକ୍ତରେ ଗଣା ନୁହେଁ କି ପ୍ରାଜ୍ଞରେ ଗଣା ନୁହଁ। ବ୍ୟଥା ବଳି ପଡ଼ିବାରୁ ଏ ପ୍ରସଙ୍ଗ ଉଠେଇଲି। ଜଗନ୍ନାଥ ପ୍ରେମୀ, ଯେଉଁମାନେ ଶିକାରୀ ବେଶରେ ଜଗନ୍ନାଥଙ୍କୁ ଦେଖି ସନ୍ତୁଷ୍ଟ ବା ବିହ୍ବଳ, ସେମାନେ କ୍ଷମା କରିବେ। ମୋ ଜଗନ୍ନାଥଙ୍କ ରୂପକଳ୍ପନା ପାଇଁ ମୁଁ ମାର୍ଗଟିଏ ଦେଖେଇଚି ମୋ ପାଇଁ। ସେ ମା‌ର୍ଗରେ କେହି ନ ଆସିଲେ ନ ଆସନ୍ତୁ, କିନ୍ତୁ ଘଡ଼ିଏ ଭାବିଲେ କ୍ଷତି କ’ଣ?

ବାଗର୍ଥ, ଏନ୍ ୨/୨୬
ଆଇଆର୍‌ସି ଭିଲେଜ୍, ଭୁବନେଶ୍ବର
ମୋ-୯୪୩୭୦୩୯୮୫୮

ସମ୍ବନ୍ଧିତ ଖବର