ଆମେରିକୀୟ ଲେଖକ ଆଇଜାକ୍ ଆସିମୋଭ୍ଙ୍କ ଲିଖିତ ଓ ୧ ଡିସେମ୍ବର ୧୯୫୧ରେ ଏକ ଶିଶୁ ସମ୍ବାଦପତ୍ରରେ ପ୍ରଥମେ ପ୍ରକାଶିତ ବିଜ୍ଞାନ ଆଧାରିତ କାଳ୍ପନିକ କାହାଣୀ ‘ଦ ଫନ୍ ଦେ ହେଡ୍’ ଆଗାମୀ ୨୧୫୭ ମସିହାରେ ଶିକ୍ଷାର୍ଥୀ କିପରି ବ୍ୟକ୍ତିଗତ ଭାବେ ନିଜ ଘରେ ଭର୍ଚୁଆଲ୍ କ୍ଲାସ୍ରୁମ୍ରେ ରୋବୋଟିକ୍ ଶିକ୍ଷକଠାରୁ ଶିକ୍ଷା ଗ୍ରହଣ କରିବେ ଓ ଶ୍ରେଣୀଗୃହ ତଥା ବହିର ଧାରଣାରୁ ଦୂରେଇ ଯାଇଥିବେ, ତା’ର ଏକ କାଳ୍ପନିକ ଚିତ୍ର ପ୍ରଦାନ କରିଛି। କହିବା ବାହୁଲ୍ୟ ଯେ ମନୁଷ୍ୟ ବିଜ୍ଞାନକୁ ଏଭଳି ଭାବରେ ଆୟତ୍ତାଧୀନ କରିସାରିଛି ଯେ ଅବାସ୍ତବ ଭଳି ମନେ ହେଉଥିବା କଳ୍ପନାକୁ ମଧ୍ୟ ବାସ୍ତବ ରୂପ ଦେବାକୁ ସେ ଅଣ୍ଟା ଭିଡ଼ି ବାହାରୁଛି ଏବଂ ସଫଳ ମଧୢ ହେଉଛି। ୧୯୫୧ରୁ ଆଜି ମଧ୍ୟରେ ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଘଟିଛି। ବିଜ୍ଞାନ ଓ ବୈଷୟିକ ଜ୍ଞାନକୁ ଶିକ୍ଷାରେ ବିଶେଷ ଭାବେ ପ୍ରୟୋଗ କରାଯାଉଛି। ସେହି ଆଧାରରେ ଆସିମୋଭଙ୍କ କଳ୍ପନାର ‘ଭର୍ଚୁଆଲ୍ କ୍ଲାସ୍’ ଏବେ ଏକ ବାସ୍ତବ ରୂପ ନେବାକୁ ଯାଉଛି।
ମହାଭାରତରେ ବର୍ଣ୍ଣିତ ଅଛି, ଏକଦା ଗୁରୁ ଦ୍ରୋଣାଚାର୍ଯ୍ୟ ଏକଲବ୍ୟଙ୍କୁ ଶିଷ୍ୟ ଭାବେ ଗ୍ରହଣ ନ କରିବା କାରଣରୁ ନିରାଶ ଏକଲବ୍ୟ ନିଘଞ୍ଚ ଜଙ୍ଗଲ ମଧ୍ୟରେ ଗୁରୁ ଦ୍ରୋଣଙ୍କ ଏକ ପ୍ରତିମୂର୍ତ୍ତି ସ୍ଥାପନ କରିବା ସହିତ ସେହି ମାଟି ପ୍ରତିମାକୁ ଗୁରୁ ଜ୍ଞାନ କରି ଧନୁର୍ବିଦ୍ୟାରେ ଅଦ୍ବିତୀୟ ପାରଦର୍ଶିତା ଅର୍ଜନ କରିଥିଲେ। ଶିକ୍ଷା ମନୋବିଜ୍ଞାନୀଙ୍କ ମତରେ ‘ହିରୋ ୱାର୍ସିପ୍’ ଅର୍ଥାତ୍ ସଫଳ ବ୍ୟକ୍ତିତ୍ବଙ୍କୁ ଆଦର୍ଶ ରୂପେ ଗ୍ରହଣ କରିବା ଏବଂ ସେହି ଆଧାରରେ ନିଜକୁ ପ୍ରଶିକ୍ଷିତ କରିବା ଓ ଗଢ଼ିବା ଭଳି ଏକ ପ୍ରକ୍ରିୟାର ଏକ ଚମତ୍କାର ଓ ପ୍ରାଚୀନ ଦୃଷ୍ଟାନ୍ତ ହେଉଛି ଏକଲବ୍ୟ। ପ୍ରାଚୀନ କାଳର ଏହି ସ୍ଥିତି ସହିତ କିଞ୍ଚିତ ସାମଂଜସ୍ୟ ଏବେ ପରିଲକ୍ଷିତ ହେଉଛି ଯେତେବେଳେ ସାରା ବିଶ୍ବରେ ସ୍କୁଲ ଓ କଲେଜର ପିଲାମାନେ ବିଦ୍ୟାଳୟ ଓ ଶିକ୍ଷକଙ୍କ ଠାରୁ ଦୂରରେ ରହି ଶିକ୍ଷା ଗ୍ରହଣ କରୁଛନ୍ତି। କରୋନା ମହାସଂକ୍ରମଣ ଯୋଗୁ ଉପୁଜିଥିବା ପରିସ୍ଥିତିରେ ଏହା ମୁଖ୍ୟସ୍ରୋତୀୟ ଶିକ୍ଷା ରୂପେ ବିବେଚିତ ହେଉଛି। ଇଣ୍ଟର୍ନେଟ୍ର ବହୁଳ ବ୍ୟବହାରର ଫଳ ସ୍ବରୂପ ଏଭଳି ଦୂର ଶିକ୍ଷା ବ୍ୟବସ୍ଥା ଇ-ଲର୍ଣ୍ଣିଙ୍ଗ୍ର ରୂପ ନେଇଛି। ଅବଶ୍ୟ ଆମେରିକା, ଇ˚ଲଣ୍ତ, ଜାପାନ, ଚୀନ ଓ ଦକ୍ଷିଣ କୋରିଆ ଭଳି ବିକଶିତ ରାଷ୍ଟ୍ରରେ ଅନ୍ଲାଇନ୍ କ୍ଲାସ୍ ଓ ଶିକ୍ଷା ବ୍ୟବସ୍ଥା ପୂର୍ବରୁ ବହୁ ସ୍ଥଳରେ ପ୍ରବର୍ତ୍ତିତ ହୋଇ ସାରିଛି।
ଆମେରିକାରେ ୩୦%ରୁ ଅଧିକ ଶିକ୍ଷାର୍ଥୀ ଅତି କମ୍ରେ ଗୋଟିଏ ଅନ୍ଲାଇନ୍ ଶିକ୍ଷା କାର୍ଯ୍ୟକ୍ରମରେ ନାମ ଲେଖାଇ ଥାଆନ୍ତି। ଗୋଟିଏ ସର୍ଭେରୁ ଜଣାପଡ଼ିଛି ଯେ, ଆମେରିକାର ୫୨% ସ୍ନାତକ ଛାତ୍ରଛାତ୍ରୀ ଶ୍ରେଣୀ ଗୃହର ଶିକ୍ଷାଦାନ ଅପେକ୍ଷା ଅନ୍ଲାଇନ୍ ଶିକ୍ଷାରେ ଅଧିକ ସନ୍ତୁଷ୍ଟ। ୟୁରୋପରେ ମଧୢ ଅନ୍ଲାଇନ୍ ଶିକ୍ଷା ବ୍ୟବସ୍ଥାର ଲୋକପ୍ରିୟତା ବୃଦ୍ଧି ପାଇଛି। ୟୁରୋପୀୟ ବିଶ୍ବବିଦ୍ୟାଳୟ ସ˚ଘର ଏକ ରିପୋର୍ଟ୍ କହିଥାଏ ଯେ ସେଠାକାର ଉଚ୍ଚଶିକ୍ଷାର ମୂଳ ଲକ୍ଷ୍ୟ ଅନ୍ଲାଇନ୍ ଶିକ୍ଷା ମାଧୢମରେ ପାରଂପରିକ ଶିକ୍ଷାକୁ ଅଧିକ ଦୃଢ଼ କରିବା। ଏହି କ୍ଷେତ୍ରରେ ଏକ ଚମକପ୍ରଦ ଘଟଣା ଭାରତରେ ଘଟିଛି। ତାହା ହେଲା ଷ୍ଟେସନ୍ରେ ଉପଲବ୍ଧ ହେଉଥିବା ମାଗଣା ‘ୱାଇ-ଫାଇ’ ସେବାର ସୁଯୋଗ ନେଇ ଇଣ୍ଟର୍ନେଟ୍ ବ୍ୟବହାର କରି କେରଳର ଏର୍ନାକୁଲମ୍ ଷ୍ଟେସନ୍ରେ କୁଲି କାମ କରୁଥିବା ଶ୍ରୀନାଥ କେ. ସେହି ଷ୍ଟେସନରେ ଶିକ୍ଷା ଅର୍ଜନ କରି ଡିଗ୍ରୀ ହାସଲ କରିବା ସହିତ ପରବର୍ତ୍ତୀ କାଳରେ ଲୋକ ସେବା ଆୟୋଗ ଦ୍ବାରା ଅନୁଷ୍ଠିତ ପରୀକ୍ଷାରେ ମଧ୍ୟ କୃତକାର୍ଯ୍ୟ ହୋଇଛନ୍ତି। ତାଙ୍କ ଠାରେ ଏକଲବ୍ୟଧର୍ମୀ ପରାକାଷ୍ଠା ଦେଖିବାକୁ ମିଳିଥାଏ।
ଭାରତରେ ନୂତନ ଭାବରେ ଗୃହୀତ ଶିକ୍ଷାନୀତି ମଧୢ ଅନ୍ଲାଇନ୍ ପାଠ୍ୟକ୍ରମ ଓ ପଦ୍ଧତିକୁ ପ୍ରୋତ୍ସାହନ ଦେଇଥାଏ। ଧୀରେ ଧୀରେ ଡିଜିଟାଲ୍ ଶିକ୍ଷାକୁ ସାର୍ବଜନୀନ କରିବା ପାଇଁ ଏଥିରେ ପ୍ରତ୍ୟେକ ଶ୍ରେଣୀକୁ ଏକ ଏକ ସ୍ମାର୍ଟ୍-କ୍ଲାସ୍ରେ ରୂପାନ୍ତରଣ କରାଯିବାର ଯୋଜନା ରହିଛି। ସେହି ଅନୁସାରେ ଶିକ୍ଷାନୁଷ୍ଠାନଗୁଡ଼ିକରେ ପ୍ରଚଳିତ ପାଠ୍ୟକ୍ରମ ସହିତ ସମାନ ମାନର ମୁକ୍ତ ଦୂରଶିକ୍ଷା କାର୍ଯ୍ୟକ୍ରମ ଆରମ୍ଭ ହେବ। ଉଚ୍ଚଶିକ୍ଷା ବିଭାଗରେ ବିଭିନ୍ନ କୋର୍ସ୍କୁ ପ୍ରଚଳିତ ଶିକ୍ଷଣ ବ୍ୟବସ୍ଥା ସହ ‘ସ୍ବୟମ’ ଭଳି ଏକ ଅନ୍ଲାଇନ୍ ପ୍ଲାଟ୍ଫର୍ମ୍ ମାଧୢମରେ ମିଶ୍ରଣ କରାଯିବ। ଟିଜିଟାଲ୍ ଲାଇବ୍ରେରି ସ୍ଥାପିତ ହେବ। ପାରମ୍ପରିକ ଶିକ୍ଷା ବ୍ୟବସ୍ଥା ଓ ଡିଜିଟାଲ୍କରଣ ମଧୢରେ ହନ୍ତସନ୍ତ ନ ହୋଇ ଶିକ୍ଷାର ଅଭିନବୀକରଣ ଓ ଅଗ୍ରଗତି ସହିତ ବର୍ତ୍ତମାନର ଶିକ୍ଷକ ତାଳ ମିଳେଇବା ପାଇଁ ସେମାନଙ୍କୁ ‘ସ୍ବୟମ’ ଓ ‘ଦୀକ୍ଷା’ ଭଳି ପ୍ଲାଟ୍ଫର୍ମ୍ ଜରିଆରେ ନିରବଚ୍ଛିନ୍ନ ଆତ୍ମ ବିକାଶର ସୁଯୋଗ ମଧୢ ପ୍ରଦାନ କରାଯିବ। ଏହା ଫଳରେ ସ୍ମାର୍ଟ୍ କ୍ଲାସ ରୁମ୍ରେ ସ୍ମାର୍ଟ୍ ଶିକ୍ଷକମାନଙ୍କ ଆବିର୍ଭାବ ଘଟିବ।
ଆଇଜାକ୍ ଆସିମୋଭ୍ଙ୍କ କଳ୍ପନାର ଶିକ୍ଷା ପରିବେଶ ବାସ୍ତବ ରୂପ ନେବା ଆମେ ସମସ୍ତେ କରୋନା କାଳରେ ଦେଖିଲେ। ଅନ୍ଲାଇନ୍ ଶିକ୍ଷାଦାନ ଇତିମଧ୍ୟରେ ଅଭ୍ୟାସରେ ପଡ଼ିଗଲାଣି। କିନ୍ତୁ, ଏହି ବିଶ୍ବ ମହାମାରୀର ପ୍ରାଦୁର୍ଭାବରୁ ଆଠ ମାସ ହେଲାଣି ସ୍କୁଲ ହତାରେ ଶିକ୍ଷାର୍ଥୀମାନଙ୍କ ପାଦ ନ ପଡ଼ିବା ଏବଂ ସେମାନେ ଏକ ବେଶ୍ ଦୀର୍ଘ ସମୟ ନିଃସଙ୍ଗତାରେ କାଟିବା ମଧ୍ୟ ଚିନ୍ତାର କାରଣ ହେଲାଣି। ମନୋବିଜ୍ଞାନୀମାନେ ଏହାର କୁପ୍ରଭାବର ଆଶଙ୍କା ବ୍ୟକ୍ତ କରିବସିଲେଣି। ସତ କହିବାକୁ ଗଲେ ଯାହା ଆଦର୍ଶ ସ୍ଥାନୀୟ ହୁଅନ୍ତା, ତାହା ହେଉଛି ବାସ୍ତବ ଶ୍ରେଣୀଗୃହ ଏବଂ ‘ଭର୍ଚୁଆଲ ଶ୍ରେଣୀ’ର ଏକ ମିଳିତ ରୂପ, ଯାହା କରୋନା ପୂର୍ବବର୍ତ୍ତୀ କାଳରେ କିଛି ବିକଶିତ ଦେଶରେ ଦେଖିବାକୁ ମିଳିଥିଲା। କିନ୍ତୁ ଏବେ କେବଳ ଅନ୍ଲାଇନ୍ ଶିକ୍ଷା ହିଁ ଚାଲିଛି। କରୋନା ‘ପାନ୍ଡେମିକ’ ପରେ ସ୍କୁଲ ଖୋଲିଗଲା ପରେ ନିଶ୍ଚିତ ଭାବେ ଏଭଳି ଦୁଇ ପ୍ରକାର ଶିକ୍ଷା ପଦ୍ଧତିର ସହାବସ୍ଥାନ ଦେଖିବାକୁ ମିଳିବ। ଏହା ହିଁ ଶିକ୍ଷାର ଉତ୍କର୍ଷକୁ ବୃଦ୍ଧି କରିବ।
ଗୋଲାମୁଣ୍ତା, କଳାହାଣ୍ତି
ମୋ- ୯୪୩୭୪୪୬୪୭୯
[email protected]