‘ଗଗନ ଥାଳରେ ସୂର୍ଯ୍ୟ ଓ ଚନ୍ଦ୍ରମା…’

ସାହିତ୍ୟିକ ପାଣିପାଗ - ଅସିତ ମହାନ୍ତି

“ଗଗନ ଥାଳରେ ସୂର୍ଯ୍ୟ ଓ ଚନ୍ଦ୍ରମା
ଦୀପ ରୂପେ ଜଳୁଥାଏ
ତାରାଗଣ ମୋତି ଧୂପ ରୂପେ ପୁଣି
ମଳୟ ଅନିଳ ବହେ।
ସଂସାରରେ ଯେତେ ବନଭୂମି ତହିଁ
ଫୁଟେ ତୁମ ପୂଜା ଫୁଲ
ହେ ଭବଖଣ୍ଡନ! ତୁମରି ଆରତି
ସଙ୍ଗେ ହେବ କିଏ ତୁଲ?”
ଏ ହେଉଛି ଶିଖ୍‌ଧର୍ମର ପ୍ରତିଷ୍ଠାତା ତଥା ପ୍ରଥମ ଗୁରୁ ନାନକ ଦେବଙ୍କ ରଚିତ ଏକ ଭଜନର ଅନୂଦିତ ଅଂଶ। ଏହା ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଦ୍ୱାରା ଅନୂଦିତ ଏବଂ ‘ପୌରୁଷ’ ପତ୍ରିକାର ୧୫ଶ ବର୍ଷ, ୧୧ଶ ସଂଖ୍ୟା, ମେ ୧୯୮୨ରେ ପ୍ରକାଶିତ। ସେହି ସଂଖ୍ୟାର ‘ସର୍ବଧର୍ମ ସମନ୍ୱୟ ଶ୍ରୀଜଗନ୍ନାଥ’ ପ୍ରବନ୍ଧରେ ଶ୍ରୀ ପଟ୍ଟନାୟକ ଏହି ଅଂଶକୁ ଅନୁବାଦ ରୂପରେ ଦେଇଥିଲେ। ପରବର୍ତ୍ତୀ କାଳରେ, ୧୯୮୫ରେ ତାଙ୍କର ପ୍ରୋତ୍ସାହନରେ ‘ଚାଲରେ ମନ’ ଶୀର୍ଷକରେ ଏକ ଏଲ.ପି. ରେକର୍ଡ ମଧ୍ୟ ପ୍ରକାଶ ପାଇଥିଲା। ତାହା ଥିଲା ବିଭିନ୍ନ ସମୟରେ ବାହାରୁ ଶ୍ରୀକ୍ଷେତ୍ରକୁ ଆସିଥିବା ସାଧୁସନ୍ଥମାନଙ୍କ ଭଜନର ଏକ ସୁନ୍ଦର ପ୍ରସ୍ତୁତି। ସେଥିରେ ସ୍ଥାନିତ ଭଜନଗୁଡ଼ିକୁ ଶ୍ରୀ ପଟ୍ଟନାୟକ ହିଁ ଓଡ଼ିଆରେ ଅନୁବାଦ କରିଥିଲେ ଏବଂ ତାହାର ଗାୟନ ଓ ସଂଗୀତ ନିର୍ଦ୍ଦେଶନା ଦେଇଥିଲେ ସଂଗୀତ ସୁଧାକର ବାଳକୃଷ୍ଣ ଦାଶ। ତୁଳସୀ, କବିର, ନାନକ ଆଦି ସାଧୁସନ୍ଥଙ୍କର ଭଜନ ସେଥିରେ ଥିଲା। ଗୁରୁ ନାନକଙ୍କର ଏହି ଭଜନଟି ପୂର୍ଣ୍ଣାଙ୍ଗ ରୂପରେ ସେଥିରେ ସ୍ଥାନପାଇଥିଲା।

ଓଡ଼ିଶା ମୁଖ୍ୟତଃ ଭାରତର ଏକ ପୂର୍ବାଞ୍ଚଳ ରାଜ୍ୟ। ସେହିପରି ପଞ୍ଜାବ ମୁଖ୍ୟତଃ ଭାରତର ଏକ ପଶ୍ଚିମାଞ୍ଚଳ ରାଜ୍ୟ। ଏ ଦୃଷ୍ଟିରୁ ଓଡ଼ିଶା ଓ ପଞ୍ଜାବର ଭୌଗୋଳିକ ଅବସ୍ଥିତି ପରସ୍ପରର ବିପରୀତ। ଅଥଚ ଭକ୍ତିର ଓ ସାହିତ୍ୟର ଶକ୍ତି ଏପରି ଅସୀମ ଯେ ତାହା ଏହି ଦୁଇ ବିପରୀତ ଭୌଗୋଳିକ ଭୂମିକୁ ଏକାଠି ଯୋଡ଼ିଦେଇଛି।

ଶ୍ରୀଜଗନ୍ନାଥଙ୍କ କ୍ଷେତ୍ର ଶ୍ରୀକ୍ଷେତ୍ର ବା ପୁରୀ ଏକ ସୁପ୍ରାଚୀନ ଧାମ। ଇତିହାସହୀନ କାଳରୁ ଏହାର ସ୍ଥିତି ରହି ଆସିଛି ବୋଲି ବ୍ୟାସଦେବ ବିରଚିତ ସଂସ୍କୃତ ‘ମହାଭାରତ’ରୁ ପ୍ରମାଣ ମିଳେ। ଜଗଦ୍‌ଗୁରୁ ଶ୍ରୀଶଙ୍କରାଚାର୍ଯ୍ୟ ଏ କ୍ଷେତ୍ରରେ ଚତୁର୍ଦ୍ଧାମ ମଧ୍ୟରୁ ଗୋଟିଏ ଧାମ ପ୍ରତିଷ୍ଠା କରି ଏହାକୁ ଏକ ସ୍ୱତନ୍ତ୍ର ମାନ୍ୟତା ଦେଇଥିଲେ। କାଳେ କାଳେ ବହୁ ସାଧୁ ସନ୍ଥ ଏ କ୍ଷେତ୍ରକୁ ଧାଇଁ ଆସିଛନ୍ତି ଅପୂର୍ବ ଆକର୍ଷଣରେ। ଗୁରୁ ନାନକଦେବ ସେମାନଙ୍କ ମଧ୍ୟରୁ ଜଣେ।

କିନ୍ତୁ ଗୁରୁ ନାନକ କେବେ ଓଡ଼ିଶା ଆସିଥିଲେ? କେଉଁ ପଥ ଦେଇ ପୁରୀ ଆସିଥିଲେ? ଏ ସଂପର୍କରେ କିଛି କିଛି ସୂଚନା ଇତିହାସରେ ଅଛି। ସେହି ସୂଚନା ଅନୁସାରେ, ୧୫୦୬ ଖ୍ରୀଷ୍ଟାବ୍ଦରୁ ଯାତ୍ରା ଆରମ୍ଭ କରି ଗୁରୁ ନାନକ ଭାରତବର୍ଷ ସମେତ ସାତଟି ଦେଶ ପଦବ୍ରଜରେ ପରିଭ୍ରମଣ କରିଥିଲେ। ତା’ ମଧ୍ୟରେ ଥିଲା ଭାରତର ହିମାଳୟଠାରୁ କୁମାରିକା ପର୍ଯ୍ୟନ୍ତ କ୍ଷେତ୍ର। ମକ୍କା, ମଦିନା, ତୁର୍କୀ, ଚୀନ୍‍ ଓ ଶ୍ରୀଲଙ୍କା ଆଦି ବି ଏହି ଯାତ୍ରାର ଅନ୍ତର୍ଭୁକ୍ତ ଥିଲା। ଦୀର୍ଘ ପ୍ରାୟ ୨୫ ବର୍ଷ ସେ ଏହି ‘ଉଦାସୀ’ ବା ପରିବ୍ରାଜକ ଜୀବନ ବିତାଇଥିଲେ।

‘ଶିଖ୍‍ୱିକି’ ବା ‘ଶିଖ୍‍ ଏନ୍‍ସାଇକ୍ଲୋପିଡିଆ’ ଅନୁସାରେ, ତାଙ୍କର ଏହି ଦୀର୍ଘ ୨୫ ବର୍ଷର ଯାତ୍ରା ଥିଲା ଚାରିଟି ‘ଉଦାସୀ’ ବା ଦୀର୍ଘ ପର୍ଯ୍ୟାୟର ଯାତ୍ରା। ତାହା ଥିଲା ଭାରତବର୍ଷର ଚାରି ଦିଗର ପରିବ୍ରାଜନ। ସେଥିମଧ୍ୟରୁ ପ୍ରଥମ ତଥା ସବୁଠୁ ଦୀର୍ଘ ଯାତ୍ରା ଥିଲା ଓଡ଼ିଶାର ଶ୍ରୀକ୍ଷେତ୍ର ବା ଶ୍ରୀଜଗନ୍ନାଥ ଧାମ ପୁରୀକୁ। କାମରୂପ ଦେଶ ବା ଆସାମ ଯାଇ, ସେଠାରୁ ବଙ୍ଗଳା ହୋଇ, ସେ ଓଡ଼ିଶା ଆସିଥିଲେ। ୧୫୧୦ ଖ୍ରୀଷ୍ଟାବ୍ଦରେ ସେ ଆସି ପୁରୀରେ ପହଞ୍ଚିଥିବା ଜଣାଯାଏ।

ଅନ୍ୟ ଏକ ସୂତ୍ର ମଧ୍ୟ ଏହି ତଥ୍ୟକୁ ସମର୍ଥନ କରେ। ଅମୃତସରର ଗୁରୁ ନାନକ ଦେବ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ ପ୍ରଫେସର ରଘୁବୀର ସିଂହ ତକ୍‍ ତାଙ୍କର ଏକ ଲେଖାରେ ‘ଭକ୍ତ ପଞ୍ଚକ’ ନାମକ ଏକ ତାଳପତ୍ର ପୋଥିର ଉଲ୍ଲେଖ କରିଛନ୍ତି। ତାହା ସେ ପୁରୀର ପଣ୍ଡିତ ସଦାଶିବ ରଥଶର୍ମାଙ୍କ ପାଖରେ ଦେଖିଥିଲେ ବୋଲି କହିଛନ୍ତି। ସେତେବେଳେ ଶ୍ରୀ ରଥଶର୍ମା ଶ୍ରୀମନ୍ଦିରର ଗବେଷକ ଥିଲେ। ପୋଥିଟି ଗୁରୁ ନାନକ ତଥା ରାଜା ପ୍ରତାପରୁଦ୍ର ଦେବଙ୍କର ସମସାମୟିକ ସନ୍ଥ ଯଶୋବନ୍ତ ଦାସଙ୍କ ଦ୍ୱାରା ରଚିତ। ତାହା ୧୮୦୭ରେ ଜନୈକ ମଧୁସୂଦନ ଦାସଙ୍କ ଦ୍ୱାରା ନକଲ ହୋଇଛି ବୋଲି ତାହାର ‘ପୁଷ୍ପିକା’ରେ ସୂଚିତ ଅଛି। ପୋଥିର ପ୍ରତି ପତ୍ରରେ ପାଞ୍ଚ ଧାଡ଼ିର ଗୋଟିଏ ଲେଖାଏଁ ପଦ୍ୟ ଲିପିବଦ୍ଧ ଅଛି। ସେଥିରେ ‘ପଞ୍ଚସାଧୁ’ ବା ପାଞ୍ଚଜଣ ଭକ୍ତଙ୍କର ବର୍ଣ୍ଣନା ରହିଛି। ସେମାନେ ହେଉଛନ୍ତି ଚୈତନ୍ୟ, ଜଗନ୍ନାଥ ଦାସ, ଅଚ୍ୟୁତାନନ୍ଦ ଦାସ, ନାନକାଚାର୍ଯ୍ୟ (ଗୁରୁ ନାନକ ଦେବ) ଓ ଶିଶୁଅନନ୍ତ ଦାସ। ଗୁରୁ ନାନକଙ୍କ ପ୍ରସଙ୍ଗ ପୋଥିର ପୃ-୧୪ରେ ଲିପିବଦ୍ଧ ହୋଇଛି। ତାହାର ବିବରଣୀ ଅନୁସାରେ, ପ୍ରତାପରୁଦ୍ର ଦେବଙ୍କ ରାଜତ୍ୱର ତ୍ରୟୋଦଶ ବର୍ଷରେ ଭାଇ ମର୍ଦ୍ଦାନା ନାମକ ଜଣେ ଶିଷ୍ୟ ଓ ଅନ୍ୟ ୧୪ ଜଣ ସାଧୁଙ୍କ ସହ ଗୁରୁ ନାନକ ଆସି ପୁରୀରେ ପହଞ୍ଚିଥିଲେ। କିନ୍ତୁ ତାଙ୍କର ବେଶଭୂଷାରୁ ତାଙ୍କୁ ଜଣେ ‘ଖଲିଫା’ ମନେକରି, ରୂଢ଼ିବାଦୀ ବ୍ରାହ୍ମଣମାନେ ତାଙ୍କୁ ଶ୍ରୀମନ୍ଦିର ପ୍ରବେଶ କରାଇଦେଲେ ନାହିଁ। ଫଳରେ ସେ ଅନତିଦୂରର ସାଗର ତଟକୁ ଚାଲିଯାଇ ସେହିଠାରେ ହିଁ ରଚନା କରିଥିଲେ ତାଙ୍କର ସୁପ୍ରସିଦ୍ଧ ଆରତି ସ୍ତୋତ୍ର ‘ଗଗନ୍‍ ମେଁ ଥାଲ୍‌…’।

କିନ୍ତୁ ଶ୍ରୀ ସିଂହଙ୍କ ବିବରଣୀ ଅନୁସାରେ, ପୋଥିରେ ଥିବା ସେହି ସମୟ (ସାଲ)ଟି ସଂଶୟରେ ପକାଏ। ସେଥିରେ ଗୁରୁ ନାନକଙ୍କ ଶ୍ରୀକ୍ଷେତ୍ର ପଦାର୍ପଣର ସାଲ ୯୨୪ ବୋଲି ଲେଖା ଅଛି। ସାଲ ଓ ଖ୍ରୀଷ୍ଟାବ୍ଦର ହିସାବ ଅନୁସାରେ ସେଥିରେ ୫୯୩ ବର୍ଷ ଯୋଡ଼ିଲେ ତାହା ହେବ ୧୫୧୭ ଖ୍ରୀଷ୍ଟାବ୍ଦ। ସମ୍ଭବତଃ ପୋଥିର ନକଲ ସମୟରେ ନକଲକାରଙ୍କର ଅସାବଧାନତା ଯୋଗୁଁ ଏହି ତ୍ରୁଟି ହୋଇଥାଇପାରେ।

କିନ୍ତୁ ଉଭୟ ‘ଶିଖ୍‍ୱିକି’ ଓ ‘ଭକ୍ତପଞ୍ଚକ’ ପୋଥିର ତଥ୍ୟ ସୂଚାଏ- ଗୁରୁ ନାନକଙ୍କ ଶ୍ରୀକ୍ଷେତ୍ର ପଦାର୍ପଣର ବର୍ଷ ୧୫୧୦ ଖ୍ରୀଷ୍ଟାବ୍ଦ। ଏ ଦୃଷ୍ଟିରୁ ‘ଗଗନ୍‍ ମେଁ ଥାଲ୍‍…’ର ରଚନାକାଳ ମଧ୍ୟ ୧୫୧୦ ଖ୍ରୀଷ୍ଟାବ୍ଦ। କାରଣ ଗୁରୁ ନାନକ ମାତ୍ର ୨୪ ଦିନ ଶ୍ରୀକ୍ଷେତ୍ରରେ ଅବସ୍ଥାନ କରିଥିଲେ।

ଗୁରୁ ନାନକ ଶ୍ରୀକ୍ଷେତ୍ର ପୁରୀକୁ ଓଡ଼ିଶାର କେଉଁ ପଥ ଦେଇ ଆସିଥିଲେ, ସେ ସଂପର୍କରେ ମଧ୍ୟ କିଛି ଅଧ୍ୟୟନ ଓ ଅନୁଧ୍ୟାନ ହୋଇଛି। ଗବେଷକ ଅନିଲ ଧୀର ଓ ଅନ୍ୟ କେତେଜଣ ଏକ ସ୍ୱତନ୍ତ୍ର ପ୍ରକଳ୍ପରେ ପ୍ରାଚୀନ ‘ଜଗନ୍ନାଥ ସଡ଼କ’ରେ ଶଗଡ଼ ଯାତ୍ରା କରି, ସେହି ଯାତ୍ରାପଥର ସନ୍ଧାନ କରିଛନ୍ତି। ତାଙ୍କ ଅନୁସାରେ- ସେତେବେଳେ ଦାନ୍ତୁନ୍‍ରୁ ପୁରୀ ପର୍ଯ୍ୟନ୍ତ ଗୋଟିଏ ଜଗନ୍ନାଥ ସଡ଼କ ଥିଲା ଏବଂ ଦାନ୍ତୁନ୍‍ ପର୍ଯ୍ୟନ୍ତ ପଥ ଭିନ୍ନ ଭିନ୍ନ ଥିଲା। ସବୁ ପଥ ଆସି ଦାନ୍ତୁନ୍‍ରେ ମିଶୁଥିଲା। ଗୁରୁ ନାନକ ପଶ୍ଚିମ ମିଦନାପୁରର ‘ଚନ୍ଦ୍ରକୋନା’ ଦେଇ ଆସି ଦାନ୍ତୁନ୍‍ରେ ପହଞ୍ଚିଥିଲେ। ଚନ୍ଦ୍ରକୋନାରେ ମଧ୍ୟ ଗୋଟିଏ ଗୁରୁଦ୍ୱାର ଅଛି। ଦାନ୍ତୁନ୍‍ରୁ ଓଡ଼ିଶାର ଜଳେଶ୍ୱର, ରାଜଘାଟ, ବାଲେଶ୍ୱର, ନୀଳଗିରି, ଭଦ୍ରକ, ଯାଜପୁର ଓ ଛତିଆ ହୋଇ ସେ ଆସି କଟକରେ ପହଞ୍ଚିଥିଲେ ଏବଂ ସେଠାରୁ ଭୁବନେଶ୍ୱରର ଦକ୍ଷିଣ ଉପକଣ୍ଠରେ ଥିବା ଉତ୍ତରା ଏବଂ ପିପିଲି ଓ ସାକ୍ଷୀଗୋପାଳ ଦେଇ ପୁରୀ ଆସିଥି‌େଲ। ଭକ୍ତ କବିର, ଶ୍ରୀଚୈତନ୍ୟ ଓ ଅନ୍ୟ ସାଧୁ ସନ୍ଥ ଓ ଭକ୍ତମାନେ ମଧ୍ୟ ସେହି ପଥ ଦେଇ ସେତେବେଳେ ପୁରୀ ଆସୁଥିଲେ।

ଅନ୍ୟ ସାଧୁ, ସନ୍ଥମାନଙ୍କର ଯାତ୍ରାପଥ ସହିତ ଜଡ଼ିତ ବହୁ ସ୍ମୃତିପୀଠ ଯେପରି ଓଡ଼ିଶାରେ ଅଛି, ସେହିପରି ଗୁରୁ ନାନକଙ୍କ ଯାତ୍ରାପଥ ସହିତ ଜଡ଼ିତ କେତେକ ସ୍ମୃତିପୀଠ ମଧ୍ୟ ଓଡ଼ିଶାରେ ରହିଛି। ଭଦ୍ରକର ‘ସଙ୍ଗତ’ ଓ ‘ନାନକ ଡିହା’ ସେଥିମଧ୍ୟରୁ ଦୁଇଟି। ‘ସଙ୍ଗତ’ଠାରେ ସେ ସମୂହ ପ୍ରାର୍ଥନା ସହିତ ‘ଲଙ୍ଗର’ (ସମୂହ ଭୋଜନ) କରିଥିବାରୁ ସେହି ନାମ ହୋଇଛି ବୋଲି କୁହାଯାଏ। ‘ନାନକ ଡିହା’ଠାରେ ମଧ୍ୟ ସେ କିଛି କାଳ ବିଶ୍ରାମ କରିଥିବାର କିଂବଦନ୍ତି ରହିଛି।।

ଗୁରୁ ନାନକ ତଥା ଶିଖଧର୍ମ ସହ ଜଡ଼ିତ ପୁରୀର ଦୁଇଟି ମଠ କିନ୍ତୁ ବିଶେଷ ଗୁରୁତ୍ୱ ରଖେ। ଡକ୍ଟର ଭାସ୍କର ମିଶ୍ର ଏ ବାବଦରେ ବିଶେଷ ଗବେଷଣା କରି ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରୁ ପିଏଚ୍‍.ଡି. ପାଇଛନ୍ତି। ତାଙ୍କ ଅନୁସାରେ, ପୁରୀ ସ୍ୱର୍ଗଦ୍ୱାରର ବାଉଳି ମଠ ଓ ଶ୍ରୀମନ୍ଦିର ସିଂହଦ୍ୱାରର ମଙ୍ଗୁ ମଠ ଏକ ଏକ ଗୁରୁତ୍ୱପୂର୍ଣ୍ଣ ସ୍ମୃତି। ଏହା ବ୍ୟତୀତ, ସ୍ୱର୍ଗଦ୍ୱାରଠାରେ ଥିବା ପ୍ରାୟ ଦେଢ଼ଶହ ବର୍ଷର ‘ଅଯୋଧ୍ୟା ଦାସ ମଠ’ ମଧ୍ୟ ଶିଖଧର୍ମ ସହ ଜଡ଼ିତ। ଏହା ବ୍ୟତୀତ, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ଦକ୍ଷିଣଦ୍ୱାରଠାରେ ଥିବା ‘ପଞ୍ଜାବୀ ମଠ’କୁ କେତେକ ଏହି ଧାରାର ଅନ୍ୟ ଏକ ମଠ ବୋଲି କହୁଥିଲେ ମଧ୍ୟ, ତାହା ସତ୍ୟ ନୁହେଁ। ମହାରାଜା ରଣଜିତ ସିଂହ ଶ୍ରୀଜଗନ୍ନାଥ ମନ୍ଦିରକୁ ଆସି ଶ୍ରୀଜଗନ୍ନାଥଙ୍କର ଦର୍ଶନ କରିଥିଲେ। ପରେ, ମୃତ୍ୟୁ ପୂର୍ବରୁ ସେ ଶ୍ରୀଜଗନ୍ନାଥଙ୍କୁ ‘କୋହିନୂର’ ହୀରା ଦାନ କରିବାକୁ ଚାହିଥିଲେ। ଶ୍ରୀଜଗନ୍ନାଥଙ୍କ ଦର୍ଶନରେ ଆସିଥିବା ବେଳେ ରାଜା ରଣଜିତ୍‍ ସିଂହ କିଛି କାଳ ଏହି ମଠରେ ଅବସ୍ଥାନ କରିଥିବାରୁ ଏହାର ନାମକରଣ ‘ପଞ୍ଜାବୀ ମଠ’ ହୋଇଛି। ଶ୍ରୀମନ୍ଦିରର ପଶ୍ଚିମ ଦ୍ୱାରର ଗୁମୁଟରେ, କାନପତା ହନୁମାନଙ୍କ ସମ୍ମୁଖ କାନ୍ଥରେ, ଗୁରୁମୁଖୀ ଭାଷାରେ ଗୋଟିଏ ଶିଳାଲେଖ ଅଛି। ସେଥିରେ ରାଜା ରଣଜିତ ସିଂହଙ୍କ ସଂପର୍କରେ ଉଲ୍ଲେଖ ରହିଛି। ସେହି ଶିଳାଲେଖ ସୂଚାଏ ଯେ ଲାହୋର ନିବାସୀ ରାଜା ରଣଜିତ୍‌ ସିଂହ ବାହାଦୂର ଶ୍ରୀମନ୍ଦିରର ପଶ୍ଚିମଦ୍ୱାରର ଜୀର୍ଣ୍ଣ ସଂସ୍କାର କରାଇଥିବାରୁ ସମ୍ବତ୍‍ ୧୮୯୮, ସନ ୧୨୫୮ରେ ଗଣେଶରାମଜୀଙ୍କ ମାଧ୍ୟମରେ ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ତାହା ଥିଲା ୧୮୪୧ ଖ୍ରୀଷ୍ଟାବ୍ଦର ଘଟଣା।

କିନ୍ତୁ ଦୁଇଟି ପ୍ରସଙ୍ଗ ଏ କ୍ଷେତ୍ରରେ ସବୁଠୁ ଗୁରୁତ୍ୱପୂର୍ଣ୍ଣ। ସେ ଦୁଇଟି ହେଉଛି, ପ୍ରଥମ ଗୁରୁ ତଥା ଶିଖ୍‍ଧର୍ମର ପ୍ରତିଷ୍ଠାତା ଗୁରୁ ନାନକ ଦେବଙ୍କ ‘ଆରତି ସାହିବ’ ରୂପେ ମାନ୍ୟତା ପ୍ରାପ୍ତ ‘ଗଗନ୍ ମେଁ ଥାଲ୍‌…’ ଓ ଦଶମ ଗୁରୁ ଗୋବିନ୍ଦ ସିଂହଙ୍କ ‘ପଞ୍ଚପ୍ୟାରେ’ଙ୍କ ମଧ୍ୟରୁ ଅନ୍ୟତମ ଭାଇ ହିମ୍ମତ ସିଂହ।

୧୬୬୪ ଖ୍ରୀଷ୍ଟାବ୍ଦରେ ଶ୍ରୀକ୍ଷେତ୍ର ପୁରୀର ଏକ ସେବକ ପରିବାରରେ ଜନ୍ମ ନେଇଥିବା ହିମ୍ମତ ରାୟ, ଗୁରୁ ଗୋବିନ୍ଦ ସିଂହଙ୍କଠାରେ ନିଜକୁ ସଂପୂର୍ଣ୍ଣ ସମର୍ପିତ କରିଦେଇଥିଲେ। ଏକ ଉଲ୍ଲେଖନୀୟ ସଂଯୋଗ ହେଉଛି- ଓଡ଼ିଶାରେ ଯେଉଁଦିନଟିକୁ ‘ପଣାସଂକ୍ରାନ୍ତି’ ଭାବରେ ପାଳନ କରାଯାଏ, ସେହିଦିନଟିକୁ ଶିଖ୍‍ମାନେ ‘ବୈଶାଖୀ’ ଭାବରେ ପାଳନ କରିଥାଆନ୍ତି। ତାହା ହେଉଛି ବୈଶାଖ ସଂକ୍ରାନ୍ତି। ଏହି ତିଥି ଓଡ଼ିଶା ଓ ପଞ୍ଜାବର ନୂଆବର୍ଷ। ୧୬୯୯ ମସିହା ମାର୍ଚ୍ଚ ୩୦ ତାରିଖର ଏହି ପଣାସଂକ୍ରାନ୍ତି ବା ବୈଶାଖୀ ତିଥିରେ ହିଁ ଆନନ୍ଦପୁର ସାହିବଠାରେ ଦଶମ ଗୁରୁ ଗୋବିନ୍ଦ ସିଂହ ‘ଖାଲସା ପନ୍ଥ’ର ପ୍ରବର୍ତ୍ତନ କରିଥିଲେ। ହିନ୍ଦୁଧର୍ମର ସୁରକ୍ଷାପାଇଁ, ଶିଖମାନଙ୍କୁ ଏକ ଲଢ଼ୁଆ ଜାତି ରୂପେ ସଂଗଠିତ କରି, ସେ କେଶ, କଡ଼ା, କଚ୍ଛା, କଙ୍ଗୀ ଓ କୃପାଣ ଧାରଣର ନିର୍ଦ୍ଦେଶ ଦେଇଥିଲେ। ତାଙ୍କର ସେଦିନର ପଞ୍ଚଶିଷ୍ୟ ବା ‘ପଞ୍ଚ ପ୍ୟାରେ’ଙ୍କ ମଧ୍ୟରେ ଥିଲେ ହିମ୍ମତ ରାୟ। ପରେ ସେ ହିମ୍ମତ ଭାଇ ସିଂହ ନାମରେ ପରିଚିତ ହେଲେ। ସେ ୧୭୦୪ରେ ଚମକୌରଠାରେ ମୋଗଲ ସେନା ବିରୋଧରେ ଲଢ଼ି ଆତ୍ମବଳି ଦେଇଥିଲେ।

ଏ ପ୍ରସଙ୍ଗରେ ବିଶେଷ ଉଲ୍ଲେଖନୀୟ ଯେ ମୂଳ ‘ଅବୋଲକରା କାହାଣୀ’ ଧାରାରେ, ମନୋଜ ଦାସ ଓ କଇଳାଶ ପଟ୍ଟନାୟକଙ୍କ ପରେ, ‘ନୂଆ ଅବୋଲକରା କାହାଣୀ’ ନାମରେ, ‘ପୌରୁଷ ପତ୍ରିକାରେ ୨୬ଟି କାହାଣୀ ଲେଖିଛନ୍ତି ସ୍ୱରାଜ ମିଶ୍ର। ‘ଆମ ଓଡ଼ିଶା’ ପକ୍ଷରୁ ତାହା ଏକ ପୁସ୍ତକ ରୂପେ ୨୦୧୯ରେ ପ୍ରକାଶ ମଧ୍ୟ ପାଇଛି। ତାହାର ଶେଷ କାହାଣୀ ରୂପେ ସଂକଳିତ ହୋଇଛି ‘ପୁରୀର ପ୍ୟାରେ’। ଭାଇ ହିମ୍ମତ ରାୟ (ସିଂହ)ଙ୍କୁ ନେଇ କାହାଣୀଟି ପ୍ରସ୍ତୁତ। ଆଜିର କେତେକ ଗବେଷକ ହିମ୍ମତ ରାୟ (ସିଂହ)ଙ୍କୁ ବ୍ରହ୍ମଗିରି ଅଞ୍ଚଳର ବୋଲି ସୂଚାଇ, ପ୍ରସଙ୍ଗଟିକୁ ଏକ ଆଞ୍ଚଳିକ ଭାବାବେଗ ଦେବାକୁ ଚେଷ୍ଟା କରିଛନ୍ତି। କିନ୍ତୁ ହିମ୍ମତ ରାୟ (ସିଂହ)ଙ୍କ ଘର ବ୍ରହ୍ମଗିରି ଅଞ୍ଚଳରେ ଥିବା ଏବଂ ଗୁରୁ ନାନକ ସେଠାକୁ ଆସିଥିବାର କୌଣସି ପ୍ରମାଣ ଇତିହାସରୁ ମିଳିନାହିଁ। ଏ ଦୃଷ୍ଟିରୁ ଶ୍ରୀମନ୍ଦିରର ପାଣିଆପଟ ସେବକ ଭାବରେ ତାଙ୍କର ଘର ଯେ ପୁରୀ ସହର ଥିଲା, ଏହା ନିଃସନ୍ଦେହରେ କୁହାଯାଇପାରିବ।

ଏଣୁ ଭାଇ ହିମ୍ମତ ରାୟ (ସିଂହ) ଓ ‘ଗଗନ୍ ମେଁ ଥାଲ୍‌’ ହିଁ ଗୁରୁ ନାନକଦେବଙ୍କର ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କ ସଂପର୍କର ସବୁଠୁ ବଡ଼ ପ୍ରମାଣ।

ଏହି ଉପସ୍ଥାପନାର ଆଦ୍ୟରେ ଉଦ୍ଧୃତ ଅନୂଦିତାଂଶ ବ୍ୟତୀତ, ‘ଆରତି ସାହିବ’ ରୂପେ ମାନ୍ୟତା ପ୍ରାପ୍ତ ଏହି ଭଜନର ଅନ୍ୟ ଅଂଶଗୁଡ଼ିକ ମଧ୍ୟ ବିଶେଷ ଗୁରୁତ୍ୱପୂର୍ଣ୍ଣ। ଜାନକୀବଲ୍ଲଭ ପଟ୍ଟନାୟକଙ୍କର ଅନୁବାଦ ଏବଂ ସଂଗୀତ ସୁଧାକର ବାଳକୃଷ୍ଣ ଦାଶଙ୍କର ଗାୟନରେ, ତାହା ଓଡ଼ିଆ ସାହିତ୍ୟ ଓ ଓଡ଼ିଆ ସଂଗୀତ ଗନ୍ତାଘରର ଏକ ମୂଲ୍ୟବାନ ରତ୍ନ ହୋଇଯାଇଛି। ତାହାର ଅବଶିଷ୍ଟ ଅଂଶ ହେଉଛି-
“ସହସ୍ର ନୟନ ଥାଇଟି ତୁମର
ଗୋଟିଏ ନୟନ ନାହିଁ।
ସହସ୍ର ଗନ୍ଧରେ ଆହେ ଗନ୍ଧହୀନ
ପାର ସଂସାରକୁ ମୋହି।
ଚାରିଆଡ଼େ ଯେତେ ଜ୍ୟୋତି ମୁଁ ଦେଖଇ
ସେ ତୁମର ଜ୍ୟୋତି ସିନା
ଏ ଅଖିଳ ବିଶ୍ୱ ହେବ ଅପ୍ରକାଶ
ତୁମର ଆଲୋକ ବିନା।
ଗୁରୁ କୃପାବଳେ ସେ ଆଲୋକ ମିଳେ
ସେ ତୁମ ଆରତି ସାଇଁ
ହରି ଚରଣ କମଳ ମକରନ୍ଦ
ବିନେ ଆନେ ମନ ନାହିଁ।
ତୃଷାର୍ତ୍ତର ଆଶା ମେଣ୍ଟାଅ ପିପାସା
ଢାଳି ପ୍ରଭୁ କୃପା ଜଳେ
ତୁମଠାରେ ଚିତ୍ତ ଥାଉ ମୋ ନିରତ
ନାନକ-ଚାତକ ଭାଳେ।”

ମୋ: ୯୪୩୭୦ ୩୪୮୦୪
[email protected]

ସମ୍ବନ୍ଧିତ ଖବର