ଗତ ବୁଧବାର ଦିନ ଅନୁଷ୍ଠିତ ଜାତିସଂଘର ୬୩ତମ ଅନ୍ତର୍ଜାତୀୟ ନାର୍କୋଟିକ୍ ଡ୍ରଗ୍ସ କମିସନ (ସିଏନ୍ଡି)ର ବୈଠକରେ ଗଞ୍ଜେଇ ଓ ଚରସକୁ ଜାତିସଂଘର ସବୁଠାରୁ ବିପଦପୂର୍ଣ୍ଣ ଡ୍ରଗ୍ସ ତାଲିକାରୁ ହଟାଇବା ପାଇଁ ୫୩ଟି ସଦସ୍ୟ ଦେଶମାନଙ୍କ ଠାରୁ ଭୋଟ ଗ୍ରହଣ କରାଯାଇଥିଲା। ସେଥି ମଧ୍ୟରୁ ଭାରତ, ଆମେରିକା ଓ ଅଧିକାଂଶ ୟୁରୋପୀୟ ଦେଶଙ୍କ ସମେତ ୨୭ଟି ଦେଶ ଏହାକୁ ସମର୍ଥନ କରିଥିବା ବେଳେ ଚୀନ, ପାକିସ୍ତାନ ଓ ରୁଷିଆ ସମେତ ୨୫ଟି ଦେଶ ଏହା ବିରୋଧରେ ଭୋଟ ଦେଇଥିଲେ। ଏହା ସହିତ ଗଞ୍ଜେଇକୁ ଏକ ଔଷଧୀୟ ସାମଗ୍ରୀ ରୂପେ ବ୍ୟବହାର କରିବା ପାଇଁ ଦୁଆର ଖୋଲିଯାଇଛି।
ଗଲା ଅଣଷଠି ବର୍ଷ ଧରି ଗଞ୍ଜେଇ ସିଏନ୍ଡିର ସିଡ୍ୟୁଲ୍-୪ ଅନ୍ତର୍ଗତ ସର୍ବାଧିକ ମାରାତ୍ମକ ତଥା ଅତ୍ୟନ୍ତ ନିଶାଯୁକ୍ତ ଦ୍ରବ୍ୟ ତାଲିକାରେ ରହିଆସିଥିଲା, ଯେଉଁ କାରଣରୁ ଏହାର ବିକ୍ରି ଓ ସେବନ ଉପରେ କଡ଼ା କଟକଣା ରହିଆସିଛି। ଗତ ବର୍ଷ ଜାନୁଆରିରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ସିଏନ୍ଡିର ସିଡ୍ୟୁଲ୍-୪ରୁ ଗଞ୍ଜେଇକୁ ବାଦ ଦେବା ନିମନ୍ତେ ଜାତିସଂଘକୁ ଛଅଟି ପ୍ରସ୍ତାବ ଦେଇଥିଲା। ଏବେ ଗଞ୍ଜେଇ ଜାତିସଂଘର ସିଡ୍ୟୁଲ୍-୪ ତାଲିକାରୁ ବାହାରି ଅପେକ୍ଷାକୃତ କମ୍ ମାରାତ୍ମକ ତଥା ଔଷଧୀୟ ଗୁଣ ସଂପନ୍ନ ଦ୍ରବ୍ୟ ତାଲିକା (ସିଡ୍ୟୁଲ୍-୧)ରେ ସ୍ଥାନ ପାଇଛି। ଜାତିସଂଘର ଏହି ନିଷ୍ପତ୍ତି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ହୋଇଥିଲେ ହେଁ ତତ୍କ୍ଷଣାତ ଏହାର କୌଣସି ପ୍ରଭାବ ପଡ଼ି ନ ପାରେ। ତେବେ ଗଞ୍ଜେଇ ନେଇ ରହିଥିବା ଆଇନ ସଂଶୋଧନ/ପ୍ରଣୟନ ବେଳେ ଜାତିସଂଘର ଏହି ନିଷ୍ପତ୍ତି ପ୍ରଭାବ ପକାଇବ।
ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ତଥ୍ୟ ଅନୁଯାୟୀ ବିଶ୍ବରେ ସର୍ବାଧିକ ଚାଷ, ଚାଲାଣ ଓ ବେଆଇନ ବ୍ୟବହାର ହେଉଥିବା ନିଶା ଦ୍ରବ୍ୟ ହେଉଛି ଗଞ୍ଜେଇ। ଭାରତରେ ଏହା ‘ନାର୍କୋଟିକ୍ ଡ୍ରଗ୍ସ ଆଣ୍ଡ୍ ସାଇକୋଟ୍ରୋପିକ୍ ସବ୍ଷ୍ଟାନ୍ସେସ୍’ (ଏନ୍ଡିପିଏସ୍) ଆକ୍ଟ-୧୯୮୫ ଅନୁଯାୟୀ ବେଆଇନ ଦ୍ରବ୍ୟ ଅନ୍ତର୍ଭୁକ୍ତ ହୋଇ ରହିଛି। ଉଲ୍ଲେଖଯୋଗ୍ୟ, ଚାରି ହଜାର ବର୍ଷ ପୂର୍ବରୁ ଭାରତରେ ଗଞ୍ଜେଇକୁ ବ୍ୟବହାର କରାଯାଇଆସୁଥିଲା। ୧୯୬୧ ମସିହାରେ ଆମେରିକା ଚାପରେ ଆସି ଭାରତରେ ଏହାକୁ ବେଆଇନ କରିଦିଆଗଲା। ୧୯୮୫ରେ ‘ଏନ୍ଡିପିଏସ୍’ ଆକ୍ଟ ବଳରେ ଏହାକୁ କଡ଼ାକଡ଼ି କରାଯାଇଥିଲା। କାନାଡା ଓ ଆମେରିକାର ୧୫ଟି ରାଜ୍ୟ ସମେତ ୫୦ରୁ ଅଧିକ ଦେଶରେ ଗଞ୍ଜେଇର ଔଷଧୀୟ ବ୍ୟବହାର ପାଇଁ ମଂଜୁରି ମିଳିସାରିଛି। ଭାରତ ଏହି କାରବାରରେ ଖୁବ୍ ପଛରେ ପଡ଼ିଛି। ଆଶା, ଏବେ ଗେଞ୍ଜଇ ଔଷଧୀୟ ବ୍ୟବହାର ଲାଗି ଅନୁମତି ପାଇ ଦେଶ ଲାଗି ବୈଦେଶିକ ମୁଦ୍ରା ଅର୍ଜନରେ ସହାୟକ ହୋଇପାରେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/ganja-fff.jpeg)