ମାଟିର ସ୍ବାସ୍ଥ୍ୟ

ମୃତ୍ତିକା ଦିବସ ଅନୁଚିନ୍ତା - ନାରାୟଣ ଚନ୍ଦ୍ର ବିଶ୍ବାଳ

ମାଟି ହେଉଛି ସୃଷ୍ଟି ସର୍ଜନାର ମୂଳାଧାର। ଏକକୋଷୀ ଜୀବରୁ ଆରମ୍ଭ ହୋଇଥିବା ପୃଥିବୀରେ ଜୀବନର ଅଭିଯାନ ଆଜି ମଣିଷ ପରି ଉନ୍ନତ ଜୀବ ଠାରେ ପହଞ୍ଚି ପାରିବା ପଛରେ ମାଟିର ଅବଦାନ ଅପରିସୀମ। ମାଟି ଯେ କେବଳ ଜୀବନର ଉତ୍ସ ତାହା ନୁହେଁ, ଏହା ଆଜି ଜୀବିକାର ମଧ୍ୟ ଏକ ବଡ଼ ଆଧାର। କିନ୍ତୁ ବିଡ଼ମ୍ବନା ହେଲା, ମାଟି ସହିତ ମଣିଷର ସମ୍ପର୍କ କ୍ରମେ ସଙ୍କୁଚିତ ହେବାରେ ଲାଗିଛି। ମଣିଷର ଅନେକ କାର୍ଯ୍ୟ ଆଜି ମୃତ୍ତିକା କ୍ଷୟର କାରଣ ରୂପେ ଉଭା ହୋଇଛି।

ଏହି ପ୍ରସଙ୍ଗରେ ମିଳିତ ଜାତିସ˚ଘ ସାଧାରଣ ପରିଷଦ ୨୦୧୩ ମସିହାରେ ଡିସେମ୍ବର ୫ ତାରିଖକୁ ବିଶ୍ବ ମୃତ୍ତିକା ଦିବସ ରୂପେ ପାଳନ କରିବା ଏକ ପ୍ରଣିଧାନଯୋଗ୍ୟ ପଦକ୍ଷେପ। ଏହାକୁ ଆଉ ଟିକେ ପ୍ରାଧାନ୍ୟ ଦେଇ ମିଳିତ ଜାତିସ˚ଘର ‘ଖାଦ୍ୟ ଓ କୃଷି ସ˚ସ୍ଥା’ ଡିସେମ୍ବର ୫ ତାରିଖରୁ ଆନ୍ତର୍ଜାତିକ ମୃତ୍ତିକା ବର୍ଷ ପାଳନ କରି ଆସୁଛି।

ଖାଦ୍ୟ, ବସ୍ତ୍ର, ଜାଳେଣି, ଔଷଧ ଇତ୍ୟାଦି ଯୋଗାଣରେ ଏକ ମାତ୍ର ଉତ୍ସ ଭାବେ ମାଟି ହିଁ ପରିଗଣିତ। ମାଟି ଆମ ପରିବେଶ ପରିସ˚ସ୍ଥା ପାଇଁ ଏକ ଅନିବାର୍ଯ୍ୟ ଅଙ୍ଗ। ପରିବେଶର ଅତି ଦରକାରୀ ଅଙ୍ଗାରଚକ୍ର ପାଇଁ ମାଟି ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ବିଶୁଦ୍ଧ ଭୂତଳ ଜଳ ଉତ୍ସ ସୃଷ୍ଟି ଓ ଜଳ ପ୍ରଦାନ କରିବା ତଥା ବନ୍ୟା, ମରୁଡ଼ି ଆଦି ପ୍ରାକୃତିକ ବିପର୍ଯ୍ୟୟକୁ ପ୍ରଶମିତ କରିବା ଦିଗରେ ମାଟିର ଅବଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଏହି ମାଟି ଜୈବିକ ଅଙ୍ଗାରକର ସର୍ବ ବୃହତ୍ତମ ଭଣ୍ତାର; ଯାହା ଜଳବାୟୁ ପରିବର୍ତ୍ତନ ଜନିତ ପ୍ରତିକୂଳ ପ୍ରଭାବକୁ ପ୍ରଶମନ କରିବାରେ ସାହାଯ୍ୟ କରିଥାଏ।

ମିଳିତ ଜାତିସ˚ଘ ଖାଦ୍ୟ ଓ କୃଷି ସ˚ସ୍ଥାର ନିର୍ଦ୍ଦେଶକ ଜୋସେ ଗ୍ରାଜିଆନେ ଡି ସିଲ୍‌ଭାଙ୍କ ମତାନୁଯାୟୀ ବର୍ତ୍ତମାନର ଜନସ˚ଖ୍ୟା ବୃଦ୍ଧି ପାଖାପାଖି ୬୦ ପ୍ରତିଶତ ଅଧିକ ଖାଦ୍ୟ ଉତ୍ପାଦନ ଦରକାର କରେ। ମାତ୍ର ବିଶ୍ବର ୩୩% ମୃତ୍ତିକା ସମ୍ପଦ ଅବକ୍ଷୟଗାମୀ। ମାଟି ଉପରେ ମଣିଷର ଅତ୍ୟଧିକ ବହୁମୁଖୀ ଚାପ ଏହାକୁ ତାର ସର୍ବନିମ୍ନ କାର୍ଯ୍ୟ ସମ୍ପାଦନ କରିବାରେ ମଧ୍ୟ ବାଧା ସୃଷ୍ଟି କରିଚାଲିଛି। ମାଟିର ଲାଭଦାୟକ ବ୍ୟବହାର ପାଇଁ ଏହାର ଅବକ୍ଷୟ, ସଙ୍କୋଚନ ଓ ବନ୍ଧନ କରାଯାଉଛି। ଏଥି ଯୋଗୁ ମାଟିର ଲବଣତା ବୃଦ୍ଧି ପାଉଛି; ଜୈବା˚ଶ ପ୍ରତିହତ ହେଉଛି; ଏହା ପୋଷଣହୀନ ହୋଇ ପଡୁଛି; ଏବଂ ଅମ୍ଳ ବୃଦ୍ଧି ତଥା ଅନ୍ୟାନ୍ୟ ପ୍ରଦୂଷଣର ମାତ୍ରା ମାଟିକୁ ଅସୁସ୍ଥ କରି ପକାଉଛି। ଏପରି ସ୍ଥିତି ଲାଗି ରହିଲେ ୧୯୬୦ ମସିହାରେ ମାଟିର ମୁଣ୍ତ ପିଛା ଉତ୍ପାଦନ କ୍ଷମତା ଯେତିକି ଥିଲା, ୨୦୫୦ ମସିହା ବେଳକୁ ତାହା ତାର ଏକ ଚତୁର୍ଥା˚ଶରେ ପହଞ୍ଚିଥିବ। ଗୋଟିଏ ସେଣ୍ଟିମିଟର ମୃତ୍ତିକା ସୃଷ୍ଟି ହେବା ପାଇଁ ପ୍ରକୃତିକୁ ୧୦୦୦ ବର୍ଷ ପର୍ଯ୍ୟନ୍ତ ସମୟ ଲାଗିଥାଏ। କିନ୍ତୁ ଆମେ ସେତିକି ମାଟିକୁ ୧୦୦୦ ଦିନରୁ କମ୍‌ ସମୟରେ ନଷ୍ଟ କରି ଦେଉ। ଦ୍ରୁତ ସହରୀକରଣ ଓ ଜଙ୍ଗଲ ଧ୍ବଂସ ମୃତ୍ତିକା ଅବକ୍ଷୟ ଲାଗି ଦାୟୀ ହୋଇଥିବା ବେଳେ ବିଭିନ୍ନ ପ୍ରକାର ବର୍ଜ୍ୟ ବସ୍ତୁ ତଥା ରାସାୟନିକ ସାର ଓ କୀଟନାଶକର ବହୁଳ ପ୍ରୟୋଗ ଦ୍ବାରା ମୃତ୍ତିକା ତାର ଉର୍ବରତା ଓ ଜୀବନୀ ଶକ୍ତିି ହରାଉଛି। ଆମ ଜୈବ ବିବିଧତାର ଏକ ଚତୁର୍ଥା˚ଶ ମାଟି ତଳେ ଅବସ୍ଥାନ କରନ୍ତି। ଅସ˚ଖ୍ୟ ଅଣୁଜୀବ ଅଦୃଶ୍ୟ ଭାବେ ରହି ପଚାଶଢ଼ା ମଇଳା ପଦାର୍ଥର ବିଘଟନ କରି ପରିବେଶକୁ ବିଶୁଦ୍ଧ କରିଥାନ୍ତି। କିନ୍ତୁ ମୃତ୍ତିିକାର ଦୁରବସ୍ଥା ଏମାନଙ୍କୁ ମଧ୍ୟ ଆକ୍ରାନ୍ତ କରିଛି।

ମଣିଷର ଏହି ଅପରିଣାମଦର୍ଶୀ କାର୍ଯ୍ୟକଳାପ ବନ୍ଦ ନ ହେଲେ ମୃତ୍ତିକାର ଅବକ୍ଷୟ ‌େହବା ସହିତ ଏହା ତାର ଧାରଣ ଶକ୍ତି ହରାଇବ। ତାହା ହେଲେ ସମଗ୍ର ମାନବ ଜାତି ଅଭିଶପ୍ତ ହୋଇପଡ଼ିବା ନିଶ୍ଚିତ।

କଟିକଟା, ମଙ୍ଗଳପୁର, ଯାଜପୁର
ମୋ: ୯୪୩୮୨୭୬୭୬୦

ସମ୍ବନ୍ଧିତ ଖବର