ବଦନାମ୍ ବାବୁମାନେ

ବିବିଧ ବିଚାର - ଗୌତମବୁଦ୍ଧ ଦାସ

ଦେଶର ଅର୍ଦ୍ଧାଧିକ ଲୋକ ଦାରିଦ୍ର୍ୟ ମଧ୍ୟରେ ଶଢୁଥିବା ବେଳେ ସେମାନଙ୍କ ବିକାଶ ଲାଗି ନିୟୋଜିତ ପ୍ରଶାସନର ଅଧିକାରୀ ଓ କର୍ମଚାରୀ ସରକାରୀ ଅର୍ଥକୁ ହଡ଼ପ କରି ନିଜେ ଅର୍ବପତି କୁବେର ସାଜୁଥିବା ବିଷୟ ଆମ ରାଷ୍ଟ୍ର ଓ ରାଜ୍ୟର ସର୍ବାଧିକ ବିଡ଼ମ୍ବିତ ସତ୍ୟ। ସେହି କ୍ରମରେ ବରିଷ୍ଠ ଆଇଏଫ୍‌ଏସ୍‌ ଅଫିସର ରାଜ୍ୟର ଅତିରିକ୍ତ ପିସିସିଏଫ୍‌ ଅଭୟକାନ୍ତ ପାଠକଙ୍କ ଦ୍ବାରା ଠୁଳ କରାଯାଇଥିବା ଆୟ ବହିର୍ଭୂତ ସଂପତ୍ତିର ପାହାଡ଼ ଯେଉଁ ଅକଳ୍ପନୀୟ ଦୁର୍ନୀତିର ସ୍ତରକୁ ଇଙ୍ଗିତ କରୁଛି, ସେ ସଂପର୍କରେ ଏକ ଆଲୋଚନା ପ୍ରାସଙ୍ଗିକ ହୋଇଥାଏ। ସେ ଏବଂ ତାଙ୍କ ପୁତ୍ର ଅତିବାହିତ କରୁଥିବା ବିଳାସମୟ ଜୀବନର ଯେଉଁ ଫର୍ଦ୍ଦ ଖୋଲିବାରେ ଲାଗିଛି ତାହା ଆମ ଦେଶ ବା ରାଜ୍ୟରେ ଅତ୍ୟନ୍ତ ଦେହସୁହା ହୋଇଯାଇଥିବା‌ ଦୁର୍ନୀତିକୁ ଏକ ନୂଆ ଆଲୋକରେ ଦେଖିବାକୁ ବାଧ୍ୟ କରିଥାଏ।

କହିବା ବାହୁଲ୍ୟ ଯେ ଭାରତୀୟ ଉଚ୍ଚବର୍ଗର ପ୍ରତିନିଧିତ୍ବ କରୁଥିବା ରାଜନେତା ଓ ଅଫିସରଙ୍କ ମଧ୍ୟରେ ଲାଞ୍ଚ ନେବାର ବା ସରକାରୀ ଅର୍ଥ ହେରଫେର କରିବାର ପ୍ରବଣତା ସର୍ବାଧିକ। ସଦ୍ୟ ପ୍ରକାଶିତ ‘ଟ୍ରାନ୍‌ସପାରେନ୍‌ସି ଇଣ୍ଟରନ୍ୟାସନାଲ୍‌’ର ତଥ୍ୟ ମଧ୍ୟ ଏହା ପୁଷ୍ଟି କରିଥାଏ। ଦୁର୍ନୀତିଗ୍ରସ୍ତ ପ୍ରଶାସନର ତାଲିକାରେ ଭାରତ ଲଜ୍ଜାଜନକ ଭାବେ ଏସିଅ‌ାରେ ପ୍ରଥମ ସ୍ଥାନରେ ରହିଛି। ‘ଟ୍ରାନ୍‌ସପାରେନ୍‌ସିଇଣ୍ଟରନ୍ୟାସନାଲ’ ଦୁର୍ନୀତିର ଯେଉଁ ସଂଜ୍ଞା ନିରୂପଣ କରିଛି ତାହା ହେଲା ‘ସରକାରୀ କ୍ଷମତାର ଅପବ୍ୟବହାର କରି ବ୍ୟକ୍ତିଗତ ସ୍ବାର୍ଥ ବା ଲାଭ ହାସଲ କରିବା।’ ସେହି ଆଧାରରେ ଆମ ଦେଶ ବା ରାଜ୍ୟର ପ୍ରଶାସନ ଯେ ଶାସ୍ତ୍ରୀୟ ସଂଜ୍ଞାନୁସାରେ ଦୁର୍ନୀତିଗ୍ରସ୍ତ ଏଥିରେ ଦ୍ବିଧା ନାହିଁ।

ତେବେ ଧରା ପଡ଼ିଥିବା ଆଇଏଫ୍‌ଏସ୍‌ ଅଫିସର ଖାଲି ଟଙ୍କା ଠୁଳ କରି ନାହାନ୍ତି, ଟଙ୍କା ଉଡ଼ାଇବାର ଅଭିନବ ଶୈଳୀ ଓ ମିଜାଜ ମଧ୍ୟ ପେସ୍‌ କରିଛନ୍ତି। ଲକ୍‌ଡାଉନ୍ ବେଳେ ୨୦ ଥର ଚାଟର୍ଡ ପ୍ଲେନ୍‌ ବା ଭଡ଼ା ବିମାନରେ ସପରିବାର ଦେଶ ଭିତରେ ବୁଲି ୩ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ପରିବାର ଓ ବନ୍ଧୁବାନ୍ଧବ ସହ ଗୋଟିଏ ଦିନରେ ମୁମ୍ବାଇର ତାଜ୍‌ ହୋଟେଲରେ ରହି ୮୪ ଲକ୍ଷ ଟଙ୍କା ବ୍ୟୟ କରିଛନ୍ତି। ଜଣେ ସରକାରୀ ଚାକିରିଆ ଏଭଳି କାର୍ଯ୍ୟ ଅତ୍ୟନ୍ତ ନିର୍ଭୟ ଚିତ୍ତରେ କରିବା ଏହା ମଧ୍ୟ ସୂଚାଇ ଥାଏ ଯେ ସମ୍ଭବତଃ ଧରାପଡ଼ିବାର କୌଣସି ଭୟ ତାଙ୍କର ନ ଥିଲା।

ଏବେ ସମସ୍ତେ ପ୍ରଶ୍ନ କରୁଛନ୍ତି ସେହି ଅଧିକାରୀ ଏତେ ଟଙ୍କା ହଡ଼ପ କଲେ କିପରି? ତାଙ୍କର ଏହି ବିଶାଳ ସମ୍ପତ୍ତିର ଏକମାତ୍ର ସ୍ରୋତ କ’ଣ କେବଳ ଜଙ୍ଗଲ ବିଭାଗରୁ ସେ ହଡ଼ପ କରିଥିବା ଟଙ୍କା ନା ଆଉ କିଛି? ଗଞ୍ଜାମରୁ ତାଙ୍କ କଳା ସାମ୍ରାଜ୍ୟ ଆରମ୍ଭ ହୋଇ ବିସ୍ତାର ଲାଭ କରିଥିବା କଥା କୁହାଯାଉଛି; ଯହିଁରେ ଗଞ୍ଜାମ ମଦ ମାଫିଆଙ୍କ ସହିତ ସଂପୃକ୍ତି ନେଇ ମଧ୍ୟ ସନ୍ଦେହ ଉପୁଜିଲାଣି। ଗୋପାଳପୁରର ବିଧାୟକ ତଥା ଦଳରୁ ସଦ୍ୟ ବହିଷ୍କୃତ ପ୍ରଦୀପ ପାଣିଗ୍ରାହୀ (ଗଲା ଗୁରୁବାର ଦିନ ତାଙ୍କୁ ମଧ୍ୟ ଗିରଫ କରାଯାଇଛି)ଙ୍କ ସହିତ ତାଙ୍କ ସଂପୃକ୍ତି ନେଇ ଖୋଳତାଡ଼ ଆରମ୍ଭ ହୋଇଛି। ବିଧାୟକ ଗିରଫ ହେବା ପରେ ଯେଉଁ ସମ୍ବାଦ ହସ୍ତଗତ ହେବାରେ ଲାଗିଛି ତହିଁରୁ ଜଣାପଡ଼ିଛି ଯେ ଏ ବିରାଟ ଅର୍ଥ କାରବାରରେ ବିଧାୟକ ସ୍ବୟଂ ଜଣେ ମାଧ୍ୟମ ଥିଲେ। ସୁତରାଂ, ନେତା ଓ ଅଫିସରଙ୍କ ଅସାଧୁ ମଧୁଚନ୍ଦ୍ରିକା କି ରୂପ ପରିଗ୍ରହଣ କରିପାରେ ତାର ଏହା ହେଉଛି ଏକ ଦୃଷ୍ଟାନ୍ତ।

ତେବେ ଦୁର୍ନୀତିଗ୍ରସ୍ତ ଉଚ୍ଚ ପଦାଧିକାରୀଙ୍କ ଅନେକ ଉଦାହରଣ ରହିଛି। ୧୯୭୧ ବ୍ୟାଚ୍‌ର ଆଇଏଏସ୍‌ ଅଫିସର ନୀରା ଯାଦବ (ଉତ୍ତର ପ୍ରଦେଶର ମୁଖ୍ୟ ଶାସନ ସଚିବ ହୋଇଥିଲେ) ଏଭଳି ଦୁର୍ନୀତିର ଏକ ବଡ଼ ଉଦାହରଣ। ସେ ନୋଇଡା ଷ୍ଟେଟ୍‌ ରେଭିନ୍ୟୁ ବୋର୍ଡ ଅଥରିଟିର ଅଧ୍ୟକ୍ଷା ଥିଲା ବେଳେ ବିପୁଳ ଲାଞ୍ଚ ନେଇ କିଛି ରାଜନେତା ଓ ବ୍ୟବସାୟୀଙ୍କୁ ନୋଇଡାରେ ବହୁ ମୂଲ୍ୟବାନ ପ୍ଲଟ୍‌ ପ୍ରଦାନ କରିଥିବା ଅଭିଯୋଗ ଦ୍ବାରା କଳଙ୍କିତ ହୋଇଥିଲେ। ଏହି କୋଟି କୋଟି ଟଙ୍କାର ଜମି ଦୁର୍ନୀତି‌େର ଅଦାଲତ ତାଙ୍କୁ ଦୋଷୀ ସାବ୍ୟସ୍ତ କରି ୨ ବର୍ଷ କାରାଦଣ୍ଡ ଶୁଣାଇଥିଲେ। ଏହି ରାୟ ବିରୋଧରେ ପରେ ସେ ଆଲାହାବାଦ ହାଇକୋର୍ଟ ଓ ସୁପ୍ରିମ କୋର୍ଟ ଯାଇଥିଲେ ମଧ୍ୟ ଦଣ୍ଡ କାଏମ୍ ରହିଥିଲା। ସେମିତି ସ୍ମରଣଯୋଗ୍ୟ ମହାରାଷ୍ଟ୍ରର ବରିଷ୍ଠ ଅଧିକାରୀ ନିତେଶ ଜନାର୍ଦ୍ଦନ ଠାକୁର। ସେ ଆଲିବାଗର ଜିଲ୍ଲାପାଳ ଥିଲା ବେଳେ ଜମି ଦୁର୍ନୀତିରେ ଜଡ଼ିତ ହୋଇ ୨୦୦ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତିର ମାଲିକ ହୋଇଥିଲେ। ୨୦୧୨ରେ ତାଙ୍କ ଘରେ ହୋଇଥିବା ଚଢ଼ାଉରେ ବିପୁଳ ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଥିଲା। ତାଙ୍କ ଘରେ ମର୍ସିିଡିଜ୍ ବେନ୍‌ଜ, ବିଏମ୍‌ଡବ୍ଲ୍ୟୁ ଓ ଲ୍ୟାଣ୍ଡ ରୋଭର ଭଳି ଅତ୍ୟନ୍ତ ମୂଲ୍ୟବାନ ୧୦ଟି ଗାଡ଼ି ଜବତ କରାଯାଇଥିଲା। ତେବେ ଇଡି ଏହି ଦୁର୍ନୀତି ମାମଲାର ତଦନ୍ତ କରିବା ପୂର୍ବରୁ ନିତେଶ କୌଶଳ କ୍ରମେ ଦୁବାଇ ଖସି ପଳାଇଯାଇ ଏକ ରାଷ୍ଟ୍ରବିରୋଧୀ କାର୍ଯ୍ୟ ମଧ୍ୟ କରିଛନ୍ତି।

ସେମିତି ଏକଦା ଛତିଶଗଡ଼ର ରାଜ୍ୟ କୃଷି ସଚିବ ଥିବା ୧୯୯୮ ବ୍ୟାଚ୍‌ର ଆଇଏଏସ୍ ଅଫିସର ବାବୁଲାଲ ଅଗ୍ରୱାଲ ମାତ୍ର ଅଳ୍ପ କେଇ ବର୍ଷର ଚାକିରି କାଳରେ ୫୫୦ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତି ଠୁଳ କରିପାରିଥିଲେ। ତାଙ୍କ ୪୪୬ଟି ବେନାମୀ ବ୍ୟାଙ୍କ୍ ଆକାଉଣ୍ଟରେ ୪୦ କୋଟି ଜମା ରହିଥିଲା। ଆୟକର ବିଭାଗ ନଜରରୁ ବର୍ତ୍ତିବା ଲାଗି ସେ ୧୬ଟି ବେନାମୀ ସେଲ୍ କମ୍ପାନି ଖୋଲି ହାୱାଲା ଯୋଗେ ଅର୍ଥ ଦେଣନେଣ କରୁଥିଲେ।

ଏହି ପରିପ୍ରେକ୍ଷୀରେ ୨୦୦୦-୦୧ ମସିହାରେ ଓଡ଼ିଶା ଗ୍ରାମୀଣ ଗୃହ ନିର୍ମାଣ ନିଗମ (ଓଆର୍‌ଏଚ୍‌ଡିସି)ର ଅଧ୍ୟକ୍ଷ ଥିବା ବିନୋଦ କୁମାର ସ୍ମରଣକୁ ଆସନ୍ତି। ସେ କରିଥିବା ଦୁର୍ନୀତି ପାଇଁ ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଛି। ମହାବାତ୍ୟା ପରବର୍ତ୍ତୀ କାଳରେ ଓଡ଼ିଶାର ଭଗ୍ନ ସ୍ତୂପକୁ ସଜାଡ଼ିବା ଲାଗି କ୍ଷତିଗ୍ରସ୍ତଙ୍କ ଗୃହ ନିର୍ମାଣରେ ସହାୟତା ସ୍ବରୂପ ସରକାର ପ୍ରଦାନ କରିଥିବା ୫୫୦ କୋଟି ଟଙ୍କାର ଋଣକୁ କିଛି ଠିକାଦାର ଓ ବିଲ୍‌ଡରଙ୍କୁ ଅନୈତିକ ଭାବେ ଋଣ ମଞ୍ଜୁର କରି କୋଟି କୋଟି ଟଙ୍କା ହଡ଼ପ କରିଥିଲେ। ଭିଜିଲାନ୍‌ସ ଚଢ଼ଉ ବେଳେ ତାଙ୍କ ବାଥ୍‌ରୁମ୍‌ରୁ ଲକ୍ଷ ଲକ୍ଷ ଟଙ୍କା ମିଳିଥିଲା। ସେହିପରି ଗତ ବର୍ଷ ଡିସେମ୍ବର ମାସରେ ଭିଜିଲାନ୍‌ସ ଜାଲରେ ପଡ଼ିଥିବା ଜଣେ ଓଡ଼ିଆ ଆଇଏଏସ୍ ଅଧିକାରୀ ହେଉଛନ୍ତି ବିଜୟ କେତନ ଉପାଧ୍ୟାୟ। ଉଦ୍ୟାନ ବିଭାଗର ନିର୍ଦ୍ଦେଶକ ଥିବା ବିଜୟ କେତନ ‘ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ଯୋଜନା’ରେ କୃଷକଙ୍କୁ ସ୍ପ୍ରିଙ୍କ‌ଲର ଯୋଗାଉଥିବା ସରକାରଙ୍କ ଦ୍ବାରା ଅନୁବନ୍ଧିତ ଏକ କମ୍ପାନିର ୫୦ ଲକ୍ଷ ଟଙ୍କାର ବିଲ୍ ପ୍ରଦାନ ଲାଗି ଜଣେ ଘରୋଇ ବ୍ୟାଙ୍କ୍ ଅଧିକାରୀଙ୍କ ଜରିଆରେ ଲକ୍ଷେ ଟଙ୍କା ଲାଞ୍ଚ ନେବା ଅଭିଯୋଗ ଆସିଥିଲା। ତାଙ୍କ ଘ‌େର ଭିଜିଲାନ୍‌ସ ଚଢ଼ାଉ ବେଳେ ବିପୁଳ ସମ୍ପତ୍ତିର ସନ୍ଧାନ ମିଳିଥିଲା। ୨୦୧୨ରୁ ୨୦୧୯ ମଧ୍ୟରେ ତାଙ୍କ ବିଭିନ୍ନ ବ୍ୟାଙ୍କ୍ ଆକାଉଣ୍ଟରେ ସେ ୭୦ ଲକ୍ଷ ଟଙ୍କା ନଗଦ ଜମା କରିଥିବା ଜଣାପଡ଼ିଛି। ଏହା ଏବେ ବି ତଦନ୍ତର ପରିସର ଭିତରେ ରହିଛି।

ଏହି ପରିପ୍ରେକ୍ଷୀରେ ‘ଟ୍ରାନ୍‌ସପାରେନ୍‌ସି ଇଣ୍ଟରନ୍ୟାସନାଲ’ର ଅଧ୍ୟକ୍ଷା ଡେଲିଆ ଫେରିରା ରୁବିଓଙ୍କ ଗୋଟିଏ ଉକ୍ତି ପ୍ରାଣିଧାନଯୋଗ୍ୟ। ସେ କହୁଛନ୍ତି; ଦୁର୍ନୀତି ପ୍ରତି ଲୋକଙ୍କ ଉଦାସୀନତା ଓ ଉଦ୍‌ବେଗଶୂନ୍ୟତା ହିଁ ଦୁର୍ନୀତି ବଢ଼ିବା ଲାଗି ଏକ ଉର୍ବର ଭୂମିର କାମ କରେ। ଏହା ଯଥାର୍ଥ। ଦୁର୍ନୀତିଗ୍ରସ୍ତମାନେ ଏତେ କାଳ ଧରି ସେମାନଙ୍କ କାର୍ଯ୍ୟକଳାପ ଚାଲୁ ରଖିଥିବା ବେଳେ ଯାଞ୍ଚକାରୀ ସଂସ୍ଥାଗୁଡ଼ିକ ଆଖି ବୁଜି ଦେବା ଯେତିକି ଦୁର୍ଭାଗ୍ୟଜନକ, ସାଧାରଣ ଲୋକେ ବି ବାବୁମାନେ ଦୁର୍ନୀତିଗ୍ରସ୍ତ ବୋଲି ଜାଣି ନିରବ ରହିବା ଏବଂ ପ୍ରକାରାନ୍ତରେ ନିଜର ସୁବିଧା ଲାଗି ଲାଞ୍ଚ ପ୍ରଦାନ କରିବାରେ ପଶ୍ଚାତ୍‌ପଦ ନ ହେବା ହେଉଛି ତତୋଧିକ ହତାଶାଜନକ। ଅବସ୍ଥାରେ ପରିବର୍ତ୍ତନ ଲାଗି ପ୍ରଥମେ ନାଗରିକମାନେ ସଚେତନ ଓ ପ୍ରତିକ୍ରିୟାଶୀଳ ହେବା ଦରକାର, ଯାହା ସରକାରଙ୍କୁ କାର୍ଯ୍ୟାନୁଷ୍ଠାନ କରିବାକୁ ବାଧ୍ୟ କରିବ।

ମୋ: ୯୪୩୭୦୮୨୫୨୬
[email protected]

ସମ୍ବନ୍ଧିତ ଖବର