ଅଙ୍କଲ ସାମ୍‌ଙ୍କ ଘର କେମିତି ଚାଲିବ!

ବଜାର ହାଲଚାଲ - ଓମ୍‌ ପ୍ରକାଶ ଜଗତି

ଚାରିବର୍ଷ ତଳେ ଅର୍ଥାତ୍‌ ୨୭ ଡିସେମ୍ବର ୨୦୧୬ ଦିନ ସମ୍ବାଦର ଏହି ସ୍ତମ୍ଭରେ ‘ଡୋନାଲ୍‌ଡ ଡକ୍‌ର ନୂଆ ଅବତାର’ ଶୀର୍ଷକ ଏକ ଲେଖା ପ୍ରକାଶିତ ହୋଇଥିଲା। ଏହି ସମୟରେ ଡୋନାଲ୍‌ଡ ଟ୍ରମ୍ପ ଆମେରିକାର ନୂଆ ରାଷ୍ଟ୍ରପତି ରୂପେ ନିର୍ବାଚିତ ହୋଇଥାନ୍ତି, କିନ୍ତୁ କାର୍ଯ୍ୟଭାର ଗ୍ରହଣ କରିବା ବାକି ଥାଏ। ସେହି ଲେଖାରେ ତାଙ୍କ ବ୍ୟକ୍ତିତ୍ବ ଓ ଚିନ୍ତାଧାରାର କିଛିଟା ସୂଚନା ଭିତ୍ତିରେ ତାଙ୍କୁ କାର୍ଟୁନ ଚରିତ୍ର ଡୋନାଲ୍‌ଡ ଡକ୍‌ ସହିତ ତୁଳନା କରାଯାଇଥିଲା। ହଲିଉଡ୍‌ର ଖ୍ୟାତନାମା ଚଳଚ୍ଚିତ୍ର ପ୍ରଯୋଜକ ଵାଲ୍‌ଟ ଡିସ୍‌ନିଙ୍କ ଦ୍ବାରା ପ୍ରସ୍ତୁତ ଦୁଇଟି ଅତ୍ୟନ୍ତ ଲୋକପ୍ରିୟ ଆନିମେଟେଡ୍‌ ଚରିତ୍ର (ଗତିଶୀଳ କାର୍ଟୁନ) ହେଉଛି ମିକି ମାଉସ୍‌ ଓ ଡୋନାଲ୍‌ଡ ଡକ୍‌; ଯାହାକୁ ଦେଶ ବିଦେଶର ପିଲାମାନେ ଅତ୍ୟନ୍ତ ଉପଭୋଗ କରିଥାନ୍ତି। ଡୋନାଲ୍‌ଡ ଡକ୍‌ ଚରିତ୍ରଟି ଚଗଲିଆ ଓ ବଦ୍‌ରାଗୀ ସ୍ବଭାବର ଥିଲା। ନିଜ ଉଦ୍ଦେଶ୍ୟ ହାସଲ ପାଇଁ ସେ ସର୍ବଦା ବ୍ୟଗ୍ର। ଏହାକୁ ହାସଲ କରିବା ପାଇଁ ସେ ଅନ୍ୟ ଉପରେ ଔଦ୍ଧତ୍ୟ ଦେଖାଇଥାଏ। ନିଜ ବଦ୍‌ ମିଜାଜ୍‌ ଯୋଗୁଁ ଅନେକ ସମୟରେ ସେ ଅପଦସ୍ଥ ହୋଇଛି ଓ ପ୍ରତିଦ୍ବନ୍ଦ୍ବିତାରେ ହାରିଛି ମଧୢ। କିନ୍ତୁ ପରାଜୟକୁ ସହଜରେ ଗ୍ରହଣ କରିବାକୁ ସେ କେବେ ବି ପ୍ରସ୍ତୁତ ନୁହେଁ। ସେହି ଅନୁସାରେ ଡୋନାଲ୍‌ଡ ଟ୍ରମ୍ପଙ୍କ ଆମେରିକାର ରାଷ୍ଟ୍ରପତି ହିସାବରେ ଚାରିବର୍ଷର ଶାସନ ଶୈଳୀକୁ ଅନୁଶୀଳନ କଲେ ପାଠକ ବନ୍ଧୁମାନେ ହୁଏତ ଵାଲ୍‌ଟ ଡିସ୍‌ନିଙ୍କ କାର୍ଟୁନ ଚରିତ୍ର ସହିତ ଟ୍ରମ୍ପଙ୍କ ସାମଂଜସ୍ୟ ଦେଖି ପାରନ୍ତି। ବିଶେଷ କରି ରାଷ୍ଟ୍ରପତି ନିର୍ବାଚନରେ ପରାଜୟ ଜନିତ ପ୍ରତିକ୍ରିୟା ଡୋନାଲ୍‌ଡ ଟ୍ରମ୍ପଙ୍କୁ ଡୋନାଲ୍‌ଡ ଡକ୍‌ର ଆହୁରି ନିକଟବର୍ତ୍ତୀ କରିପାରିଛି।

ଵାଲ୍‌ଟ ଡିସ୍‌ନିଙ୍କ ଅନ୍ୟ କାର୍ଟୁନ ମିକି ମାଉସ୍‌ ଭଲ ସ୍ବଭାବ ଓ ଖୁସି ମିଜାଜ୍‌ର ଚରିତ୍ରଟିଏ। ନିଜ ବାନ୍ଧବୀ ମିନି ମାଉସ୍‌ ସହିତ ହସ ଖୁସିରେ ଦିନ କାଟିବାକୁ ପସନ୍ଦ କରିଥାଏ। ପ୍ରଶ୍ନ ଉଠେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ଉପରାଷ୍ଟ୍ରପତି କମ୍‌ଲା ହାରିସ୍‌ ମିକି ମାଉସ୍‌ ଓ ମିନି ମାଉସ୍‌ ଚରିତ୍ରକୁ ଯଥାର୍ଥତା ପ୍ରଦାନ କରି ଅଙ୍କଲ ସାମ୍‌ଙ୍କ ଘରକୁ ସମୃଦ୍ଧିର ପଥରେ ଆଗେଇ ଦେବାକୁ କେତେଦୂର ସମର୍ଥ ହେବେ? ଅଙ୍କଲ ସାମ୍‌ କହିଲେ ଯୁକ୍ତରାଷ୍ଟ୍ର ଆମେରିକାକୁ ବୁଝାଇଥାଏ। ଦୁଇ ଶହ ବର୍ଷ ତଳେ ଆମେରିକା ଓ ଇ˚ଲଣ୍ତ ମଧୢରେ ହୋଇଥିବା ଯୁଦ୍ଧ ସମୟରେ କେତେକ ଆମେରିକୀୟ ସୈନ୍ୟ ‘ୟୁଏସ୍‌’ର ସଂକ୍ଷିପ୍ତୀକରଣରେ ଏକ ରହସିଆ ରୂପାନ୍ତର ଆଣିଥିଲେ, ଯାହା ହେଉଛି ଅଙ୍କଲ ସାମ୍‌। ସମୟ ସ୍ରୋତରେ ଆମେରିକା ସରକାର କାଳ୍ପନିକ ଅଙ୍କଲ ସାମ୍‌ଙ୍କ ଲୋକପ୍ରିୟତାକୁ ବିଧିବଦ୍ଧ ଭାବରେ ଗ୍ରହଣ କରି ଏହାକୁ ଆମେରିକାର ମାନବୀକରଣ ରୂପେ ସ୍ବୀକୃତି ଦେଇଥିଲେ। ଏହାକୁ ମୁଖ୍ୟତଃ ବ୍ୟଙ୍ଗ ଭାବରେ ପ୍ରୟୋଗ କରାଯାଇଥାଏ। ବିଶ୍ବ ‘ଜିଓ ପଲିଟିକ୍‌ସ’ରେ ଡେମୋକ୍ରାଟିକ ଦଳର ଏହି ଦୁଇ ତୁଙ୍ଗ ନେତାଙ୍କ ଭୂମିକା କିଭଳି ରହିବ? ବିଶେଷ କରି ଚୀନ ଓ ଭାରତ ସହିତ ଆମେରିକାର ଦ୍ବିପାକ୍ଷିକ ସମ୍ପର୍କର ରୂପରେଖ କିଭଳି ହେବ?

ଡେମୋକ୍ରାଟିକ୍‌ ଦଳର ନିର୍ବାଚନ ଇସ୍ତାହାରରେ ଚାରିଟି ବିଷୟ ଉପରେ ବିଶେଷ ଗୁରୁତ୍ବ ଦିଆଯାଉଥିଲା। ସେଗୁଡ଼ିକ ହେଲା ୧) କୋଭିଡ ମହାମାରୀ ନିୟନ୍ତ୍ରଣ ସହିତ ସ୍ବାସ୍ଥ୍ୟ ସେବା ବ୍ୟବସ୍ଥାକୁ ବ୍ୟାପକ କରିବା, ୨) ବର୍ଣ୍ଣ ବିଦ୍ବେଷମୂଳକ କାର୍ଯ୍ୟକଳାପ ରୋକିବା, ୩) ପରିବେଶ ସୁରକ୍ଷା ଜନିତ ଆବଶ୍ୟକ ପଦକ୍ଷେପ ଓ ୪) ମଧୢବିତ୍ତ ଶ୍ରେଣୀ ଜନସାଧାରଣ ଓ କ୍ଷୁଦ୍ର ଏବ˚ ମଧୢମ ବର୍ଗ ବ୍ୟବସାୟିକ ସ˚ସ୍ଥାଗୁଡ଼ିକର ଆର୍ଥିକ ବିକାଶ ପାଇଁ ବିଶେଷ ପଦକ୍ଷେପ। ନିର୍ବାଚନ ଇସ୍ତାହାର ଅନୁସାରେ ବାଇଡେନ୍‌ ସରକାର ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ସହିତ ସହଯୋଗ କରିବା ସହିତ ଆବଶ୍ୟକ ଆର୍ଥିକ ସମ୍ବଳ ଯୋଗାଇ ଦେବେ। ବାଇଡେନ୍‌ ନିର୍ବାଚନ ପ୍ରଚାର ସମୟରେ କହିଥିଲେ ଯେ ୯୭ ପ୍ରତିଶତ ଆମେରିକୀୟ ଜନସାଧାରଣଙ୍କୁ ସ୍ବାସ୍ଥ୍ୟ ବୀମା ସୁବିଧା ମିଳିବ। ‘ବ୍ଲାକ୍‌ ଲାଇଭ୍‌ସ ମ୍ୟାଟର’ ଅର୍ଥାତ କୃଷ୍ଣକାୟଙ୍କ ଜୀବନର ମୂଲ୍ୟ ଅଛି ସ୍ଲୋଗାନକୁ ନିର୍ବାଚନ ଇସ୍ତାହାରରେ ଉଲ୍ଲେଖ କରାଯାଇଥିଲା। ଜଳବାୟୁ ପରିବର୍ତ୍ତନ ସ˚କ୍ରାନ୍ତ ପ୍ୟାରିସ ରାଜିନାମାରେ ଆମେରିକା ପୁନଃ ଯୋଗଦାନ କରିବ। ସାଧାରଣ ଜନତା ବହନ କରିପାରୁଥିବା ଖର୍ଚ୍ଚରେ ଉଚ୍ଚକୋଟୀର ଶିକ୍ଷା ବ୍ୟବସ୍ଥା, ଶ୍ରମିକମାନଙ୍କୁ ସମତାପୂର୍ଣ୍ଣ ମଜୁରି, ବ୍ୟାପକ କର୍ମଯୋଗାଣ ସୃଷ୍ଟି ଇତ୍ୟାଦି ପ୍ରତିଶ୍ରୁତି ଦିଆଯାଇଛି। ବାଇଡେନ୍‌ ରାଷ୍ଟ୍ରପତି ହେଲାପରେ କର୍ପୋରେଟ ଟିକସ ହାର ୨୧%ରୁ ୨୮%କୁ ବୃଦ୍ଧି ପାଇବ ବୋଲି ସୂଚନା ଦେଇଛନ୍ତି। ବ୍ୟକ୍ତିଗତ ଆୟକର କ୍ଷେତ୍ରରେ ସର୍ବୋଚ୍ଚ ହାର ୩୭%ରୁ ୪୦%କୁ ବୃଦ୍ଧି ପାଇବ। ଏକ ନିୟୁତ ଡଲାରରୁ ଅଧିକ ଆୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ପୁଞ୍ଜିଗତ ଲାଭ ଓ ଡିଭିଡେଣ୍ତ ଉପରେ ଆୟକର ରିହାତି ହାର ପରିବର୍ତ୍ତେ ନିୟମିତ ହାରରେ ନିର୍ଦ୍ଧାରିତ ହେବ। ଅପର ପକ୍ଷରେ ବାର୍ଷିକ ଚାରିଲକ୍ଷ ଡଲାରରୁ କମ୍‌ ବେତନଭୋଗୀ କର୍ମଚାରୀଙ୍କ କ୍ଷେତ୍ରରେ ସାମାଜିକ ସୁରକ୍ଷା ଟିକସ ଲାଗୁ ହେବ ନାହିଁ। ସ˚କ୍ଷିପ୍ତରେ କହିଲେ ଡେମୋକ୍ରାଟିକ୍‌ ଦଳର ନିର୍ବାଚନ ଇସ୍ତାହାର ଓ ପ୍ରଚାରରେ ସମାଜବାଦର ଛାପ ଅଧିକ ଦେଖିବାକୁ ମିଳିଥିଲା।

ପ୍ରଶ୍ନ ଉଠେ ବିଶ୍ବର ସର୍ବବୃହତ୍‌ ପୁଞ୍ଜିବାଦ ଦେଶରେ ବାଇଡେନ୍‌ଙ୍କ ନେତୃତ୍ବରେ ଡେମୋକ୍ରାଟିକ୍‌ ଦଳର ସମାଜବାଦ ନୀତି କେତେଦୂର ପ୍ରଭାବଶାଳୀ ହେବ? ସାମ୍ୟବାଦର ଛଦ୍ମମୁଖା ମଧୢରେ ନୈତିକତାକୁ ଜଳାଞ୍ଜଳି ଦେଇ ଉଗ୍ର ବେପାର ବଣିଜ କରୁଥିବା ଚୀନକୁ ନିୟନ୍ତ୍ରଣ କରିବାକୁ ଆମେରିକାର ନବ ନିର୍ବାଚିତ ରାଷ୍ଟ୍ରପତି ସକ୍ଷମ ହେବେ ତ? ଏଠାରେ ଉଲ୍ଲେଖ କରିବା ଉଚିତ ହେବ ଯେ ଟ୍ରମ୍ପ ରାଷ୍ଟ୍ରପତି ହେଲା ପର ଠାରୁ ‘ଆମେରିକା ପ୍ରଥମ’ ନୀତି ଅନୁସରଣ କରି ଆମେରିକୀୟ କମ୍ପାନିମାନଙ୍କୁ ଚୀନ ପରିବର୍ତ୍ତେ ନିଜ ଦେଶରେ ହିଁ ଶିଳ୍ପ ଉତ୍ପାଦନ କାର୍ଯ୍ୟକଳାପ ବୃଦ୍ଧି କରିବା ସହିତ ଅଧିକ କର୍ମ ଯୋଗାଣ ସୃଷ୍ଟି କରିବାକୁ ଆହ୍ବାନ ଦେଇଥିଲେ। ପ୍ରୋତ୍ସାହନ ସ୍ବରୂପ କର୍ପୋରେଟ ଟିକସ ହାରକୁ ୩୫%ରୁ ୨୧%କୁ ହ୍ରାସ କରିଥିଲେ। ବିଶ୍ବ ଅର୍ଥନୀତି କେତେ ବର୍ଷ ହେବ ମାନ୍ଦାବସ୍ଥା ମଧୢରେ ଗତି କରୁଥିଲେ ହେଁ କର୍ମଯୋଗାଣ ସୃଷ୍ଟି କରିବାରେ ସେ ଉଲ୍ଲେଖନୀୟ ସଫଳତା ହାସଲ କରିଥିଲେ। ବେରୋଜଗାରି ହାର ୩.୫%କୁ ହ୍ରାସ ପାଇଥିଲା, ଯାହାକି ଆମେରିକାର ଗତ ପଚାଶ ବର୍ଷ ଇତିହାସରେ ସର୍ବନିମ୍ନ ଅଟେ। ରାଷ୍ଟ୍ରପତି ପଦ ସମ୍ଭାଳିଲା ପର ଠାରୁ ଟ୍ରମ୍ପ ଚୀନ ସହିତ ଆମେରିକାର କ୍ରମବର୍ଦ୍ଧିଷ୍ଣୁ ନିଅଣ୍ଟିଆ ବାଣିଜ୍ୟକୁ ନିୟନ୍ତ୍ରଣ କରିବା ପାଇଁ ଆକ୍ରାମକ ଭୂମିକା ଗ୍ରହଣ କରିଥିଲେ। ୨୦୧୮ ମସିହା ଠାରୁ ଚୀନ୍‌ ସାମଗ୍ରୀ ଉପରେ ଆମଦାନି ଶୁଳ୍‌କ ବୃଦ୍ଧି କରି ନିଅଣ୍ଟିଆ ବାଣିଜ୍ୟକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରି ଆସୁଥିଲେ। ୨୦୧୮ ମସିହାରେ ଚୀନ୍‌ ସହିତ ଆମେରିକାର ନିଅଣ୍ଟିଆ ବାଣିଜ୍ୟ ପରିମାଣ ୪୧୯ ବିଲିୟନ ଡଲାର ଥିଲା ବେଳେ ୨୦୧୯ ମସିହାରେ ଏହା ୩୪୫ ବିଲିୟନ ଡଲାରକୁ ହ୍ରାସ ପାଇଥିଲା। ଚଳିତ ବର୍ଷ ଏହା ଆହୁରି ହ୍ରାସ ପାଇବାର ସମ୍ଭାବନା ଅଛି।

ବାରାକ୍‌ ଓବାମା ରାଷ୍ଟ୍ରପତି ଥିଲା ବେଳେ ଆମେରିକା-ଚୀନ ଦ୍ବିପାକ୍ଷିକ ସମ୍ପର୍କକୁ ସର୍ବଦା ଗୁରୁତ୍ବ ଦେଇ ଆସୁଥିଲେ। ଅନ୍ତର୍ଜାତୀୟ ‘ଜିଓ ପଲିଟିକ୍‌ସ’ରେ ଚୀନ୍‌ର କ୍ଷିପ୍ର ଅଭ୍ୟୁଦୟ ତଥା ବିଶ୍ବ ବ୍ୟାପାରରେ ଆମେରିକାକୁ ପଛରେ ପକାଇ ଦେବାର ସାମର୍ଥ୍ୟ ସମ୍ପର୍କରେ ସଚେତନ ଥିଲେ ହେଁ ସେ ଚୀନକୁ ପ୍ରତିହତ କରିବାକୁ ଚେଷ୍ଟା କରି ନ ଥିଲେ। ବାଇଡେନ୍‌ ଓବାମାଙ୍କ ନୀତି ଦ୍ବାରା ପ୍ରଭାବିତ ହେବାର ସମ୍ଭାବନା ଅଛି। ଯଦିଓ ନିର୍ବାଚନ ଜିଣିବାର ଚାପ ଯୋଗୁଁ ସେ ଜିନ୍‌ପିଙ୍ଗ୍‌ଙ୍କୁ ଜଣେ ‘ଠଗ’ ଅର୍ଥାତ୍‌ ଅପରାଧୀ ବୋଲି ଉଲ୍ଲେଖ କରିଥିଲେ ଏବ˚ ଚୀନ୍‌ ସହିତ ଆମେରିକା କଠୋର ରହିବ ବୋଲି କହିଥିଲେ; ହେଲେ, କାର୍ଯ୍ୟଭାର ଗ୍ରହଣ କଲାପରେ ଚୀନ୍‌ ସହିତ ବ୍ୟାପାର ଯୁଦ୍ଧରେ କୋହଳ ମନୋଭାବ ପୋଷଣ କରିପାରନ୍ତି। ଆମେରିକୀୟ ଅର୍ଥନୀତିର ବିକାଶ ପାଇଁ ୭୦୦ ବିଲିଅନ ଡଲାର ବ୍ୟୟ ହେବ ବୋଲି ବାଇଡେନ୍‌ ସୂଚନା ଦେଇଛନ୍ତି। କିନ୍ତୁ ଅପରପକ୍ଷରେ କର୍ପୋରେଟ ଟିକସ ବୃଦ୍ଧି ସୂଚନା ଦିଏ ଯେ ଚୀନ୍‌ ସହିତ ନିଅଣ୍ଟିଆ ବାଣିଜ୍ୟ ହ୍ରାସ ପାଇଁ ସେ ଟ୍ରମ୍ପଙ୍କ ଭଳି ଗମ୍ଭୀର ନୁହଁନ୍ତି। ଏସବୁ ସତ୍ତ୍ବେ ବାଇଡେନ୍‌ ଚୀନ୍‌ ସହିତ ଆମେରିକାର ସା˚ପ୍ରତିକ ଭୂମିକାରେ ଆମୂଳ ପରିବର୍ତ୍ତନ କରିବାକୁ ସାହସ କରିବେ ନାହିଁ। ଏହାର କେତେଗୁଡ଼ିଏ କାରଣ ଅଛି। ସିନେଟରେ ରିପବ୍ଲିକାନ୍‌ ଦଳର ସ˚ଖ୍ୟାଗରିଷ୍ଠତା ରହିଛି, ଯାହାର ଅନୁମୋଦନ ବିନା ଅନ୍ତର୍ଜାତୀୟ ରାଜିନାମା ନିଷ୍ପାଦନ କିମ୍ବା ପରିବର୍ତ୍ତନ ସମ୍ଭବ ନୁହେଁ। ଦ୍ବିତୀୟରେ କୋଭିଡ ମହାମାରୀ ପରେ ସମଗ୍ର ବିଶ୍ବରେ ଚୀନ୍‌ ଏକ ଦଗାବାଜ ରାଷ୍ଟ୍ର ବୋଲି ପ୍ରବଳ ଜନଅସନ୍ତୋଷ ସୃଷ୍ଟି ହୋଇଛି। ଏପରି ସ୍ଥିତିରେ ଚୀନ ପ୍ରତି କୋହଳ ମନୋଭାବ ଆମେରିକାର ଜନତାଙ୍କୁ କ୍ଷୁବ୍‌ଧ କରିପାରେ। ତୃତୀୟ କାରଣ ହେଉଛି ଚୀନ ‘ଵାନ୍‌ ବେଲ୍‌ଟ, ଵାନ୍‌ ରୋଡ୍‌’ ପ୍ରୋଜେକ୍ଟ ତଥା ଆର‌୍‌ସେପ ମେଣ୍ଟ (ରିଜିଓନାଲ କମ୍ପ୍ରିହେନ୍‌ସିଭ୍‌ ଇକୋନମିକ୍‌ ପାର୍ଟନରସିପ୍‌) ଜରିଆରେ ବିଶ୍ବ ଅର୍ଥନୀତିରେ ନିଜ ସ୍ଥିତିକୁ ଆହୁରି ପ୍ରଭାବଶାଳୀ କରିବାକୁ ଚାହେଁ। ଏହି ପରିପ୍ରେକ୍ଷୀରେ ବାଇଡେନ୍‌ ସରକାର ଧୢାନାକର୍ଷୀ ଶିଥିଳ ଭୂମିକା ପ୍ରଦର୍ଶନ କଲେ ଆଗାମୀ ଦିନରେ ସହଯୋଗୀ ରାଷ୍ଟ୍ରମାନେ ଆମେରିକାର ନେତୃତ୍ବ ପ୍ରତି ଆସ୍ଥା ହରାଇବାର ସମ୍ଭାବନା ରହିବ। ସାରା˚ଶରେ କହିଲେ ବାଇଡେନ୍‌ଙ୍କ କାର୍ଯ୍ୟଶୈଳୀରେ ଉଭୟ ଓବାମା ଓ ଟ୍ରମ୍ପଙ୍କ ମିଶ୍ର ପ୍ରଭାବ ଦେଖିବାକୁ ମିଳିପାରେ। କିନ୍ତୁ ଏହା ସତ ଯେ ଟ୍ରମ୍ପଙ୍କ ଭଳି ଆକ୍ରାମକ ଭୂମିକା ଦେଖିବାକୁ ମିଳିବ ନାହିଁ।

ପ୍ରଶ୍ନଉଠେ ବାଇଡେନ୍‌-ହାରିସ୍‌ଙ୍କ ନେତୃତ୍ବ ଆମେରିକା ଓ ଭାରତ ଦ୍ବିପାକ୍ଷିକ ସମ୍ପର୍କକୁ କିଭଳି ପ୍ରଭାବିତ କରିବ? ନିର୍ବାଚନ ପୂର୍ବରୁ ଏହି ଦୁଇ ନେତା ଅନୁଚ୍ଛେଦ ୩୭୦ ଉଚ୍ଛେଦ, ନାଗରିକତା ସ˚ଶୋଧନ ଆଇନ ତଥା ରାଷ୍ଟ୍ରୀୟ ନାଗରିକ ରେଜିଷ୍ଟର ପାଇଁ ଭାରତକୁ ସମାଲୋଚନା କରିବା ନଜରକୁ ଆସିଥିଲା। କମଲା ହାରିସ୍‌ଙ୍କ ମାତା ଭାରତୀୟ ହୋଇଥିଲେ ହେଁ ଭାରତ ପ୍ରତି ତାଙ୍କର ବିଶେଷ ଅନୁରାଗ ଏ ଯାବତ୍‌ ଦେଖିବାକୁ ମିଳିନାହିଁ। ଓବାମା ରାଷ୍ଟ୍ରପତି ଥିଲା ବେଳେ ଆମେରିକାର ତତ୍‌କାଳୀନ ବୈଦେଶିକ ମନ୍ତ୍ରୀ ଜନ୍‌ କେରି ଭାରତ ମହାସାଗର ଓ ପ୍ରଶାନ୍ତ ମହାସାଗରର ଅନ୍ତଃବର୍ତ୍ତୀ ଅଞ୍ଚଳକୁ ଇଣ୍ତୋ-ପାସିଫିକ୍‌ ନାମକରଣ କରିଥିଲେ। ଉଦ୍ଦେଶ୍ୟ ଥିଲା ଏହି ଅଞ୍ଚଳରେ ଭାରତ ଏକ ପ୍ରଭାବଶାଳୀ ରାଷ୍ଟ୍ର ଯାହା ସହାୟତାରେ ଆମେରିକା ଓ ଏହାର ସହଯୋଗୀ ରାଷ୍ଟ୍ରମାନେ ଚୀନର ଔଦ୍ଧତ୍ୟକୁ ପ୍ରତିହତ କରିପାରିବେ। କିନ୍ତୁ ବାଇଡେନ୍‌ଙ୍କ ନିର୍ବାଚନ ଇସ୍ତାହାରରେ ଏହି ଅଞ୍ଚଳର ନାମକରଣକୁ ପରିବର୍ତ୍ତନ କରାଯାଇ ଏସିଆ-ପାସିଫିକ୍‌ ଉଲ୍ଲେଖ କରାଯାଇଛି, ଯାହାକି ପରୋକ୍ଷରେ ଭାରତର ପ୍ରଭାବକୁ ଗୌଣ କରିବାର ପ୍ରୟାସ କୁହାଯାଇପାରେ। ନିର୍ବାଚନ ଉତ୍ତେଜନାରେ ବେଳେ ବେଳେ ନେତାମାନେ ଅନଧିକୃତ ମନ୍ତବ୍ୟ ଦେଇଥାନ୍ତି। କିନ୍ତୁ ଶାସନ ଭାର ଗ୍ରହଣ କଲାପରେ ବାସ୍ତବବାଦୀ ହେବାକୁ ବାଧୢ ହୋଇଥାନ୍ତି। ଭବିଷ୍ୟତ୍‌ରେ ଯଦି ବାଇଡେନ୍‌ ସରକାର ଭାରତ ବିରୋଧୀ ଟିପ୍ପଣୀ ଦେବାର ପ୍ରୟାସ କରନ୍ତି, ଭାରତ ଏଥିପାଇଁ ଉପଯୁକ୍ତ ପ୍ରତ୍ୟୁତ୍ତର ଦେବାକୁ କୁଣ୍ଠାବୋଧ କରିବ ନାହିଁ।

ଚୀନ୍‌ର ବିସ୍ତାରବାଦକୁ କ୍ଷୁଣ୍ଣ କରି ନିଜର ଆଗୁଆ ସ୍ଥିତିକୁ ବଜାୟ ରଖିବାକୁ ହେଲେ ଆମେରିକାକୁ ଭାରତର ସହଯୋଗ ଲୋଡ଼ିବାକୁ ପଡ଼ିବ। ଗତ ଦୁଇ ଦଶନ୍ଧିରେ ଭାରତ ଓ ଆମେରିକା ଦ୍ବିପାକ୍ଷିକ ସମ୍ପର୍କରେ ନିୟମିତ ଉନ୍ନତି ହୋଇଛି। ପ୍ରଧାନମନ୍ତ୍ରୀ ମୋଦୀ ନିଜର କୂଟନୀତିକ ଦକ୍ଷତା ଯୋଗୁଁ ଭାରତକୁ ବିଶ୍ବ ଦରବାରରେ ଏକ ସ୍ବତନ୍ତ୍ର ସ୍ଥାନରେ ପହଞ୍ଚାଇପାରିଛନ୍ତି। ଆମେରିକା, ଜାପାନ, ଅଷ୍ଟ୍ରେଲିଆ ଓ ଭାରତ ଗଢ଼ିଥିବା ‘କ୍ବାଦ ମେଣ୍ଟ’ ମାଧୢମରେ ଚୀନକୁ ସାମରିକ କ୍ଷେତ୍ରରେ ନିୟନ୍ତ୍ରଣ କରିବା ଉଦ୍ୟମକୁ ବାଇଡେନ ସରକାର ଜାରି ରଖିବାକୁ ବାଧୢ ହେବେ, ଯାହା ଭାରତ ପାଇଁ ଶୁଭଙ୍କର। ନିଜର ସାମରିକ ଶକ୍ତି ସୁଦୃଢ଼ କରିବା ପାଇଁ ଭାରତ ନିୟମିତ ବିପୁଳ ପରିମାଣର ଉନ୍ନତ ମାନର ସାମରିକ ସରଞ୍ଜାମ ଆମଦାନି କରୁଛି। ବାଇଡେନ ସରକାର ଏପରି ସୁଯୋଗ ହାତଛଡ଼ା କରିବାକୁ ଚାହିଁବେ ନାହିଁ। ବ୍ୟାପାର ଯୁଦ୍ଧରେ ଚୀନ୍‌କୁ ପରାହତ କରିବାକୁ ହେଲେ ଆମେରିକା ଭାରତକୁ ବିକଳ୍ପ ସପ୍ଲାଏ ଚେନ୍‌ ରୂପେ ଗ୍ରହଣ କରିବା ଉଚିତ ହେବ। ଭାରତ ଓ ଆମେରିକା ମଧୢରେ ବାର୍ଷିକ ପ୍ରାୟ ୧୫୦ ବିଲିଅନ ଡଲାରର ବ୍ୟାପାର ହୋଇଥାଏ।

ଆମ ଦେଶର ସାର୍ବଭୌମତ୍ବକୁ ହାନି ପହଞ୍ଚାଇବା ପାଇଁ ଚୀନ୍‌ର ନିୟମିତ ଉଦ୍ୟମ ଓ ଆତଙ୍କବାଦକୁ ପ୍ରୋତ୍ସାହିତ କରିବା ପାଇଁ ପାକିସ୍ତାନର ହୀନ ଉଦ୍ୟମକୁ ପ୍ରତିହତ କରିବା ସକାଶେ ଭାରତକୁ ଆମେରିକାର ସହଯୋଗ ଆବଶ୍ୟକ। ଆଗାମୀ ଦିନରେ ଭାରତ ପ୍ରତି ଆମେରିକାର ଆଭିମୁଖ୍ୟକୁ ଅତ୍ୟନ୍ତ ଗମ୍ଭୀରତା ସହିତ ଅନୁଧୢାନ କରିବା ସହିତ ନିୟମିତ କୂଟନୈତିକ କଥାବାର୍ତ୍ତା ଜରିଆରେ ଆମେରିକାକୁ ଭାରତ ନିଜ ପକ୍ଷରେ ରଖିବାକୁ ପଡ଼ିବ। ଶେଷରେ ଆଶା କରିବା ମିକି ମାଉସ୍‌ ଓ ମିନି ମାଉ୍‌ସ ଯୋଡ଼ି ସମ୍ବେଦନ ଓ ଦକ୍ଷତାର ସହିତ ଅଙ୍କଲ୍‌ ସାମ୍‌ଙ୍କ ଘରକୁ ସମ୍ଭାଳିବେ।

ମୋ: ୯୮୮୬୨୧୧୭୭୨
[email protected]

ସମ୍ବନ୍ଧିତ ଖବର