କେନ୍ଦ୍ରରେ ମୋଦୀ ସରକାର କିମ୍ବା ଏହାର କୌଣସି ନୀତି ବା ନିୟମ ବିରୋଧରେ କେହି ସ୍ବର ଉତ୍ତୋଳନ କଲେ ତାଙ୍କୁ ଏକ ଭିନ୍ନ ରୂପରେ ସମ୍ବୋଧନ କରାଯାଉଥିବା ଅନେକ ସମୟରେ ଦେଖିବାକୁ ମିଳୁଛି। ସରକାର ବିରୋଧୀ ଆଭିମୁଖ୍ୟକୁ ଆତଙ୍କବାଦ ବା ରାଷ୍ଟ୍ର ବିରୋଧୀ ବା ବିଶ୍ବାସଘାତକତା ବୋଲି ଅଭିହିତ କରାଯାଉଛି। ପୁଣି ଏହା ଯେ ବିଜେପି ଭକ୍ତ ସାଜିଥିବା କିଛି ବେମୁରବା ‘ଫୁଟ୍ ସୋଲଜର୍‌’ ବା ପଦାତିକମାନଙ୍କ ଠାରୁ ଶୁଣିବାକୁ ମିଳୁଛି, ତାହା ନୁହେଁ; ବିଜେପିର ଦାୟିତ୍ବସଂପନ୍ନ ନେତା ଏପରିକି କ୍ଷମତାସୀନ ମନ୍ତ୍ରୀ ଏବଂ ଦଳ ଅନୁଗତ ଗଣମାଧ୍ୟମ ପାଖରୁ ମଧ୍ୟ ଏଭଳି ମନ୍ତବ୍ୟ ଶୁଣିବାକୁ ମିଳୁଛି। ନାଗରିକତା ସଂଶୋଧନ ବିଲ୍‌ ବା ‘ସିଏଏ’ ହେଉ ଅଥବା ଜାତୀୟ ନାଗରିକତା ଆଇନ ହେଉ ବା ‘ରାଷ୍ଟ୍ରୀୟ ନାଗରିକ ପଂଜିକା ବା ‘ଏନ୍‌ଆରସି’ ହେଉ; ଏହା ବିରୋଧରେ ହୋଇଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ଉପରୋକ୍ତ ନେତାମାନେ ରାଷ୍ଟ୍ରଦ୍ରୋହ ବୋଲି ଆଖ୍ୟା ଦେଇଥିଲେ। ଦିଲ୍ଲୀର ସାହିନ ବା‌ଗରେ ଧାରଣାରେ ବସିଥିବା ଆନ୍ଦୋଳନକାରୀଙ୍କ ଉପରେ ଆତଙ୍କବାଦୀ ଓ ପାକିସ୍ତାନର ଏଜେଣ୍ଟର ଆରୋପ ଲଗାଗଲା। ସେହି ସମୟରେ ଦିଲ୍ଲୀରେ ଅନୁଷ୍ଠିତ ନିର୍ବାଚନ ପ୍ରଚାର ବେଳେ ବିଜେପିର କିଛି ନେତା ଏବଂ ଜଣେ କେନ୍ଦ୍ର ମନ୍ତ୍ରୀ ପ୍ରଦାନ କରିଥିବା ସ୍ଲୋଗାନ୍‌ ଥିଲା ‘ଦେଶକେ ଗଦ୍ଦାରୋଁ କୋ, ଗୋଲି ମାରୋ...’। ପୁଣି ବିଡ଼ମ୍ବନାର କଥା ଏହି ସ୍ଲୋଗାନ୍‌ ‌େସହି ସମୟରେ ଦଳର ଏକ ମୁଖ୍ୟ ସ୍ଲୋଗାନ୍‌ ହୋଇଗଲା। କେବଳ ସେତିକି ନୁହେଁ, ଏଭଳି ଆଭିମୁଖ୍ୟକୁ ସମର୍ଥନ ଜଣାଇ କେତେକ ନ୍ୟୁଜ୍‌ ଚ୍ୟାନେଲ ଆହୁରି ଉତ୍କଟ ବିଭାଜନମୂଳକ ବାର୍ତ୍ତା ପ୍ରେରଣ କରିବାକୁ ଲାଗିଥିଲେ। କହିବା ବାହୁଲ୍ୟ ଯେ ସେହି ସମୟରେ ଆନ୍ଦୋଳନକାରୀମାନଙ୍କ ମନରୁ ସେମାନଙ୍କ ସନ୍ଦେହ ଓ ଶଙ୍କା ଦୂର କରିବା ଲାଗି ସରକାରଙ୍କ ପକ୍ଷରୁ କୌଣସି ଉଦ୍ୟମ କରାଯାଇ ନ ଥିଲା।

Advertisment

ଏହି ପରିପ୍ରେକ୍ଷୀରେ ପ୍ରଶ୍ନ ଉଠିଥାଏ ଯେ ସରକାର ବିରୋଧୀ ମତ ବା ମନ୍ତବ୍ୟ ଦେବା କ’ଣ ଦେଶଦ୍ରାହ ସହିତ ସମାନ? ଅତୀତରେ ଅନେକ ପ୍ରସଙ୍ଗରେ ସରକାର ବିରୋଧୀ ଆନ୍ଦୋଳନ ହୋଇଛି। ଜନ ଲୋକପାଳ ଆଇନ ଆଣିବା ଲାଗି ତଥା ସରକାରୀ ଦୁର୍ନୀତି ବିରୋଧରେ ଆନ୍ନା ହଜାରେଙ୍କ ବିଶାଳ ଆନ୍ଦୋଳନକୁ ୟୁପିଏ ସରକାରର ପତନର ଏକ ବଡ଼ କାରଣ ବୋଲି କୁହାଯାଏ। କିନ୍ତୁ ଆନ୍ନା ହଜାରେଙ୍କୁ ଦେଶଦ୍ରୋହୀ ବୋଲି ଆଖ୍ୟାୟିତ କରାଯାଇ ନ ଥିଲା! ୧୯୯୦ ମସିହାରେ ମହେନ୍ଦ୍ର ସିଂହ ଟିକାୟତଙ୍କ ନେତୃତ୍ବରେ ଏକ ଲକ୍ଷରୁ ଅଧିକ ସଂଖ୍ୟକ ଚାଷୀ ଦିଲ୍ଲୀ ବୋଟ୍‌ କ୍ଲବ୍‌ରେ ଜମି ରହି ଶାସନକୁ ଏକ ରକମର ଅଚଳ କରି ପକାଇଥିଲେ। ସେ ସମୟରେ ମଧ୍ୟ ଆନ୍ଦୋଳନକାରୀଙ୍କୁ ଦେଶଦ୍ରୋହୀ ବୋଲି ସମ୍ବୋଧନ କରାଯାଇ ନ ଥିଲା।

କିନ୍ତୁ ଏବେ ଦିଲ୍ଲୀରେ ଚାଲିଥିବା ଚାଷୀ ଆନ୍ଦୋଳନକାରୀମାନଙ୍କ ଉପରେ ‌ଦେଶଦ୍ରୋହୀର ଆରୋପ ଲଗାଗଲାଣି। ବିଜେପିର କେତେକ ନେତା ତଥା କିଛି ଗଣମାଧ୍ୟମ ପଞ୍ଜାବର ଚାଷୀମାନଙ୍କୁ ‘ଖଲିସ୍ତାନୀ’ ଆତଙ୍କବାଦୀଙ୍କ ସହ ଯୋଡ଼ିଲେଣି ତ କେହି ଏମାନଙ୍କୁ ‘ଟୁକ‌୍‌‌େଡ଼ ଟୁକ୍‌ଡ଼େ ଗ୍ୟାଙ୍ଗ୍’ର ଏଜେଣ୍ଟ ବୋଲି କହିଲେଣି। କେହି କେହି ଏହା ମଧ୍ୟ କହିବାରେ ଲାଗିଛନ୍ତି ଯେ ଏହି ଆନ୍ଦୋଳନ ପଛରେ ପାକିସ୍ତାନର ହାତ ରହିଛି। ଯଦି ଏଭଳି ମନ୍ତବ୍ୟ ଦାୟିତ୍ବଶୂନ୍ୟ ଲୋକଙ୍କ ଠାରୁ ଆସନ୍ତା, ତେବେ ହୁଏ’ତ ଟିକିଏ ସାନ୍ତ୍ବନା ଥାଆନ୍ତା। କିନ୍ତୁ ତାହା ପୁଣି ଆସିବାକୁ ଲାଗୁଛି ଦାୟିତ୍ବ ସଂପନ୍ନ ନେତାମାନଙ୍କ ଠାରୁ; ଯେମିତି ହରିଆଣା ମୁଖ୍ୟମନ୍ତ୍ରୀ ମ‌େନାହର ଲାଲ ଖଟ୍ଟର କହିଛନ୍ତି ଯେ ଆନ୍ଦୋଳନକାରୀଙ୍କ ମଧ୍ୟରେ ଖାଲିସ୍ତାନୀ ଆତଙ୍କବାଦୀ ଅଛନ୍ତି।

ଏହା ସମ‌େସ୍ତ ଜାଣନ୍ତି ଯେ କୌଣସି ସରକାର ରାଷ୍ଟ୍ର ସହିତ ତୁଳନୀୟ ନୁହନ୍ତି। ସରକାର ଅସ୍ଥାୟୀ, କିନ୍ତୁ ରାଷ୍ଟ୍ର ସ୍ଥାୟୀ। ସରକାର ଯିବେ ଓ ଆସିବେ ଏବଂ କୌଣସି ଗୋଟିଏ ରାଜନୈତିକ ଦଳ ବା ମେଣ୍ଟ ସରକାର ଗଢ଼ିବ। ‌େତଣୁ ସରକାରଙ୍କ ନୀତି ବା ସରକାରଙ୍କ ପ୍ରଣୀତ ଆଇନର ବିରୋଧ କଲେ ଜଣେ ଦେଶଦ୍ରୋହୀ ହେବ କାହିଁକି? ସେମିତି ଗୋଟିଏ ସରକାରର କୌଣସି କାମକୁ ବିରୋଧ କରୁଥିବା ଲୋକେ ଯେ ସର୍ବଦା ଓ ସବୁ କାର୍ଯ୍ୟରେ ସରକାରକୁ ବିରୋଧ କରିବେ; ତାହା ମଧ୍ୟ ନୁହେଁ। ହୁଏ’ତ ଏକ ନିର୍ଦ୍ଦିଷ୍ଟ ସରକାରୀ ନୀତିକୁ ବିରୋଧ କରୁଥିବା ଲୋକେ ଅନ୍ୟ ଏକ ସରକାରୀ ନୀତିକୁ ସମର୍ଥନ କରି ପାରନ୍ତି। ତେଣୁ ସରକାରୀ ବିରୋଧୀ ମତ ପୋଷଣ କରୁଥିବା ଲୋକଙ୍କୁ ଦେଶଦ୍ରୋହୀ ବୋଲି ଏକାବେଳକେ ଆଖ୍ୟାୟିତ କରିବା ଅତ୍ୟନ୍ତ ଅପରିଣାମଦର୍ଶିତାର ପରିଚାୟକ।