ସ୍ବର୍ଗଲୋକରେ ଦେବର୍ଷି ନାରଦ ଇନ୍ଦ୍ରଦେବଙ୍କୁ ପଚାରିଲେ ‘‘ପ୍ରଭୁ, ଏ ବର୍ଷ ମାର୍ଚ୍ଚ ମାସରେ ଏତେ ବର୍ଷା କରୁଛନ୍ତି କାହିଁକି? ଇନ୍ଦ୍ରଦେବ କହିଲେ, ‘‘ମୁନିବର, ଏ ବର୍ଷ ବର୍ଷାର ଟାର୍ଗେଟ୍‌ ପୂରଣ ହୋଇନାହିଁ; ତେଣୁ ଯେନ ତେନ ପ୍ରକାର ଏହି ମାସରେ ନିଅଣ୍ଟ ପୂରଣ ନ କଲେ କୁବେର ମହାଶୟ ମୋ ବିଲ୍‌ ପେମେଣ୍ଟ କରିବେ ନାହିଁ।’’ ବନ୍ଧୁଗଣ, କେବଳ ସ୍ବର୍ଗଲୋକରେ ନୁହେଁ, ମର୍ତ୍ତ୍ୟରେ ମଧୢ ଏହି ଅବସ୍ଥା ଦେଖିବାକୁ ମିଳୁଛି। ଏଠି ମାର୍ଚ୍ଚ ମାସ ହେଉଛି ସମସ୍ତଙ୍କର ଟାର୍ଗେଟ୍‌ର ମାସ। ଯେନ ତେନ ପ୍ରକାର ଯାହାର ଯାହା କୋଟା ଅଛି ତାକୁ ପୂରଣ କରି ବିଲ୍‌ ଦାଖଲ କଲେ ଯାଇ ପେମେଣ୍ଟ ମିଳିବ। ସେଥିପାଇଁ ଏଠି ବି ମାର୍ଚ୍ଚ ମାସ ଭାରି ଭିଡ଼। ଏହି ମାସରେ କେହି ଫୁରସତରେ ନ ଥାନ୍ତି। ଯାହାକୁ ପଚାରିବେ ସେ କହିବ ‘‘ଭାଇ, ମାର୍ଚ୍ଚ ମାସଟା ଯାଉ, ଆର ମାସକୁ ଆସ।’’

Advertisment

ହୁଏତ ଏଇଥିପାଇଁ ଆପଣ ଲକ୍ଷ୍ୟ କରିିବେ ମାର୍ଚ୍ଚ ମାସରେ ଖବର ନାହିଁ, ଟବର ନାହିଁ ହଠାତ୍‌ କେଉଁଠି ଗୋଟେ କ’ଣ କାମ ଆରମ୍ଭ ହୋଇଗଲାଣି। କିଏ ଗୋଟେ କେଉଁଠି କ’ଣ ଖୋଳି ପକେଇଲାଣି ତ କିଏ ଗୋଟେ କେଉଁଠି କ’ଣ ପୋତି ପକେଇଲାଣି। ରାତିରେ କିଛି ନଥିବ ଅଥଚ ସକାଳୁ ଦେଖିଲା ବେଳକୁ କ’ଣ ଗୋଟେ ଛିଡ଼ା ହୋଇଗଲାଣି। ଡ୍ରେନ୍‌ ଭିତରୁ କୁଢ଼ କୁଢ଼ ମଇଳା ରୋଡ୍‌ ଦି ପଟେ ଗଦା ହୋଇଗଲାଣି ତ ପୁରୁଣା ରାସ୍ତା ଗୁଡ଼ିକରୁ ପିଚୁ ଗୁଡ଼ାକ ଛଡ଼େଇ ଦିଆଯାଇ ଏଣେ ତେଣେ ଫୋପାଡ଼ି ଦିଆଗଲାଣି। ଏମିତି ଯଦି କିଛି ଉଦ୍ଭଟ କଥା ଆପଣ ଅକସ୍ମାତ୍‌ ଦେଖିବେ ଆଉ ତୀବ୍ର ଗତିରେ ଭଙ୍ଗାରୁଜା ଚାଲିବାର ଲକ୍ଷ୍ୟ କରିବେ ତେବେ ଭାବି ନେବେ ଏଇଟା ନିଶ୍ଚୟ ମାର୍ଚ୍ଚ ମାସ।

ଯେତିକି ତତ୍ପରତା ମାର୍ଚ୍ଚ ମାସରେ ପ୍ରକାଶ ପାଏ ସେତିକି ଯଦି ଆଗରୁ ପାଉଥାନ୍ତା, ତେବେ ମାର୍ଚ୍ଚ ମାସରେ ଏତେ କେଳେଙ୍କାରୀ ଅବସ୍ଥା ଆମକୁ ଦେଖିବାକୁ ପଡୁନଥାନ୍ତା। ତଥାପି ଅସୁବିଧା କ’ଣ ହୁଏ ନା ଯେତେବେଳେ ସବୁ ବିଭାଗ ସମସ୍ତଙ୍କର ଟାର୍ଗେଟ୍‌ରେ ଲାଗିଯାଆନ୍ତିି ସେତେବେଳେ ଏମାନଙ୍କ ଭିତରେ ଆଉ ସମନ୍ବୟ ରହି ନଥାଏ ଆଉ ଗୁଡ଼ାଏ ବିଭ୍ରାଟ ହୋଇଥାଏ। ଇଲେକ୍ଟ୍ରି ବାଲା ଖୋଳିପକେଇ ତାର ପକେଇ ପୋତିଦେଲେ, ତା’ପରେ ପାଣିବାଲା ଆସି ତାକୁ ପୁଣି ଖୋଳିପକେଇ ତାଙ୍କର ପାଇପ୍‌ ପକେଇ ଦେଲେ। ପାଣିବାଲା ଯାଇଛନ୍ତି କି ନାହିଁ ଗ୍ୟାସ୍‌ବାଲା ଆସି ତାକୁ ପୁଣି ଖୋଳିପକେଇଲେ। ଶେଷକୁ ଡ୍ରେନ୍‌ବାଲା ଆସି ଖୋଳିତାଡ଼ି ସବୁ ବିଭ୍ରାଟ କରିଦେଲେ। ସମସ୍ତେ ସମସ୍ତଙ୍କର ଟାର୍ଗେଟ୍‌ ପୂରଣ କରି ବିଲ୍‌ ସବ୍‌ମିଟ୍‌ କରି ପେମେଣ୍ଟ ନେଇଗଲେ। ଦେଖିଲା ବେଳକୁ ଇଲେକ୍ଟ୍ରିକ୍‌ ନାହିଁ, କି ପାଣି ନାହିଁ, କି ଗ୍ୟାସ୍‌ ନାହିଁ। ଏପ୍ରିଲ ମାସରେ ସବୁ ଶୂନ୍ୟ ଅର୍ଥାତ୍‌ ଦଳେଇ ଆଇଲେ, ପୁଣି ମୂଳରୁ ଗା। କାହାକୁ ଆପଣ ଯଦି କିଛି ପଚାରି ବସିବେ ସେ କହିବ ‘‘ଆମ କାମ ଆଜ୍ଞା ରାସ୍ତା ଖୋଳିବା, ପାଇପ୍‌ ପକେଇବା ନୁହେଁ ଆଉ ପାଇପ୍‌ ବାଲା କହିବେ ଆମ କାମ ପାଇପ ପକେଇବା, ରାସ୍ତା ପୋତିବା ନୁହେଁ।’’ ଫଳରେ କ’ଣ ହୁଏ ନା ମାସକ କାମକୁ ଛଅମାସ ଲାଗେ ଆଉ ଖୋଳା ପୋତା ସବୁ ସରିବା ପରେ ମଧୢ କାର୍ଯ୍ୟଟି ସୁଚାରୁ ରୂପେ ହୋଇନଥାଏ।

ଉଦାହରଣ ସ୍ବରୂପ ବର୍ତ୍ତମାନ ଆମ ଜନପଥ ସ୍ମାର୍ଟ ହେଉଛି। ରାସ୍ତାର ଗୋଟିଏ ପାର୍ଶ୍ବରେ ଚାରିଟି ସ˚ସ୍ଥା କାମ କରୁଛନ୍ତି। ଗୋଟେ ସ˚ସ୍ଥା ଇଲେକ୍ଟ୍ରିକ୍‌ କେବୁଲ ଟାଣୁଛି, ଗୋଟେ ପାଣି ପାଇପ ପକଉଛି, ଗୋଟେ ଗ୍ୟାସ୍‌ ଲାଇନ ବିଛଉଛି ଆଉ ଗୋଟେ ଡ୍ରେନ୍‌ ଲାଇନ କାମ କରୁଛି। କାହାରି କାହା ସାଥିରେ ତାଳମେଳ ନାହିଁ। ପ୍ରଥମେ ଇଲେକ୍ଟ୍ରିକ୍‌ ବାଲା ଆସିଲେ। ସବୁ ଖୋଳିପକେଇଲେ ଆଉ କେବୁଲ ପକେଇ ରାସ୍ତା କଡ଼ରେ ବଡ଼ ବଡ଼ ପ୍ୟାନେଲ ବୋର୍ଡମାନ ସବୁ ବସେଇ ଦେଲେ। ତା’ପରେ ପାଣି ପାଇପ ବାଲାଏ ଆସିଲେ। ତାକୁ ସବୁ ପୁଣି ଖୋଳି ପକେଇଲେ ଆଉ ମୋଟା ମୋଟା ପାଣି ପାଇପ ପକେଇଦେଲେ। ବିଦ୍ୟୁତ୍‌ ବିଭାଗ ଯେଉଁ ପ୍ୟାନେଲ ବୋର୍ଡ ସବୁ ବସେଇଥିଲେ ସେଥିରୁ ଅଧିକା˚ଶକୁ ସେମାନେ ତଳେ ଗଡ଼େଇ ଦେଲେ। ଏବେ ବି ଅଧିକା˚ଶ ନୂଆ ପ୍ୟାନେଲ ବୋର୍ଡ ତଳେ ଗଡ଼ିକି ପଡ଼ିଛି। ତା’ ପରେ ଗ୍ୟାସ୍‌ ଲାଇନବାଲା ଆସି ଏମିତି ଖୋଳିଲେ ଯେ ପାଣି ପାଇପ ଗୁଡ଼ାକ ସବୁ ଫଟେଇ ଦେଇ ବିଭ୍ରାଟ କରିଦେଲେ। ବର୍ତ୍ତମାନ ଏହି ଅଞ୍ଚଳରେ କେତେ ଲୋକଙ୍କର ଘରେ ଇଣ୍ଟରନେଟ୍‌ ଲାଇନ ନାହିଁ ତ କେତେ ଲୋକଙ୍କ ଘରେ ପାଣି ନାହିଁ। ଡ୍ରେନ୍‌ ବାଲାଙ୍କ କାମ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ। ଦେଖାଯାଉ ପୁଣି କ’ଣ ହେଉଛି?

ଏଇଠି ଘଟଣାଟିଏ ମନେ ପଡୁଛି। ଥରେ ଜଙ୍ଗଲ ବିଭାଗ ସବୁଜ ବିପ୍ଳବର ବୃକ୍ଷରୋପଣ କାର୍ଯ୍ୟକ୍ରମ ନିମନ୍ତେ ଟେଣ୍ତର ଆହ୍ବାନ କରିଥିଲା। ଟେଣ୍ତରଟି ତିନିଟି ଭାଗରେ ବିଭକ୍ତ ହୋଇଥିଲା- ଜଣେ ଗଛ ପାଇଁ ଗାତ ଖୋଳିବ, ଜଣେ ସେହି ଗାତରେ ବୃକ୍ଷରୋପଣ କରିବ ଆଉ ଜଣେ ଶେଷକୁ ସେଗୁଡ଼ିକ ମାଟି ପକେଇ ପୋତିବ। ମାର୍ଚ୍ଚ ମାସ ପୂର୍ବରୁ ଗାତ ଖୋଳିବା ଲୋକ ନିର୍ଦ୍ଦିଷ୍ଟ ସ୍ଥାନ ମାନଙ୍କରେ ଗାତ ଗୁଡ଼ିକ ଖୋଳି ପକେଇଲା। ବୃକ୍ଷରୋପଣ ଲୋକଟି କାମରେ ହେଳା କଲା। ଗଛ ଲଗେଇ ପାରିଲା ନାହିଁ। ମାଟି ପୋତିବା ଲୋକ ତା’ କାମରେ ହେଳା ନ କରି ଆଉ ଗଛ ଲଗେଇବାକୁ ଅପେକ୍ଷା ନକରି ସାଙ୍ଗେ ସାଙ୍ଗେ ସେହି ଗାତଗୁଡ଼ିକ ମାର୍ଚ୍ଚ ସରିବା ପୂର୍ବରୁ ପୋତି ପକେଇଲା। ମାଟି ଖୋଳା ହେଲା ଓ ପୋତା ହେଲା କିନ୍ତୁ ଗଛ ଲାଗି ପାରିଲା ନାହିଁ। ତିନିଟି ସ˚ସ୍ଥା ଅଥଚ କାହାର କାହା ସହିତ ସମନ୍ବୟ ନାହିଁ, ତେଣୁ ଯାହା ବିଭ୍ରାଟ ହେବା କଥା ହେଲା। ଦୁଃଖର କଥା ଏବେ ମଧୢ ଏମିତି ଚାଲିଛି।

୯୭, ଜନପଥ, ଭୁବନେଶ୍ବର
ମୋ- ୯୪୩୭୦୬୭୫୬୭