କଟକ ନଗର, ଧବଳ ଟଗର

କହିବାର ଅଛି - ଦାଶ ବେନହୁର

କଟକ ଏବେ ଖବରରେ।

ଯିଏ ଯାହା କହି ଗାଳି କରୁ ପଛେ କଟକ, କଟକ। ଅଞ୍ଚଳ ଭେଦରେ କେହି କେହି ମଧୁର-ସମ୍ପର୍କ ଲେଖା କରି ଅମୁକ କଟକୀ ବୋଲି ଗାଳି କରନ୍ତି। ସେତେବେଳେ କଟକ ପାଲଟିଯାଏ ଗୋଟାଏ ବ୍ୟକ୍ତି। କେବଳ ବ୍ୟକ୍ତି ନୁହେଁ ଏକ ଈର୍ଷଣୀୟ ବ୍ୟକ୍ତିତ୍ବ। ଈର୍ଷା ନ ଥିଲେ କିଏ କାହାକୁ କାହିଁକି ନିନ୍ଦା କରନ୍ତା?

ନିନ୍ଦାଯୋଗ୍ୟ ବ୍ୟକ୍ତିତ୍ବ କିଏ? କାହିଁକି କିଏ ନିନ୍ଦାପାଏ ବା ଈର୍ଷାର ଶିକାର ହୁଏ? ସଫଳ ମଣିଷମାନେ ହିଁ ଈର୍ଷାର ଆଘାତ ପାଆନ୍ତି। ମାତ୍ର ନିନ୍ଦା ମିଳେ ଦୁଇଟି କାରଣରୁ। ଗୋଟିଏ ହେଲା କୁକର୍ମ କରି ଓ ଅନ୍ୟଟି ହେଲା ସୁକର୍ମ ଯୋଗୁଁ। ଏହି ସୁକର୍ମ ବା ସଫଳତା ହିଁ ଜଣକୁ ଅନ୍ୟ ପାଖରେ ଈର୍ଷଣୀୟ କରେ। ସେଇଥିରୁ ସୃଷ୍ଟି ହୁଏ ସଫଳ ମଣିଷ ଲାଗି ନିନ୍ଦା ଓ ଗାଳି। ଅନେକ ସମୟରେ ଏ ଗାଳି ପଛରେ ଯଥାର୍ଥତା ବି ନ ଥାଏ।

କଟକ ଅନେକ ବର୍ଷ ଧରି ଥିଲା ଓଡ଼ିଶାର ରାଜଧାନୀ। ଶାସନ କେନ୍ଦ୍ର ପୁଣି ବେପାର ବଣିଜର ପେଣ୍ଠସ୍ଥଳ। ତା’ ସହିତ ସୂକ୍ଷ୍ମ ଶିଳ୍ପକଳା ତଥା ସାହିତ୍ୟ-ସଙ୍ଗୀତର ସର୍ବ-ପ୍ରଧାନ ଭାବଭୂମି। ଗୋଟାଏ ସମୟରେ ସାରା ଓଡ଼ିଶାର ରାଜା ମହାରାଜାଙ୍କ ଠାରୁ ଆରମ୍ଭ କରି ସମସ୍ତ ସମର୍ଥ ଓଡ଼ିଆ ଚାହୁଁଥିଲେ କଟକରେ ଖଣ୍ତେ ବସାଘର। ତା’ର ମୂଳ କାରଣ ହେଉଛି ରାଜନୈତିକ, ସାମାଜିକ, ସା˚ସ୍କୃତିକ, ବାଣିଜ୍ୟିକ, ଶାସନିକ ଆଦି ସବୁ କ୍ଷେତ୍ରରେ କଟକ ହିଁ ଥିଲା ଓଡ଼ିଶାର ମୂଳ କେନ୍ଦ୍ର। ମହିଷାସୁରର ଅଦଉତିରୁ ରକ୍ଷା ପାଇବା ପାଇଁ ଦେବତାମାନେ ଆପଣାର ସକଳ ଅସ୍ତ୍ର ଶସ୍ତ୍ର ପ୍ରଦାନ କରି ମାଆ ଦୁର୍ଗାଙ୍କୁ ଶକ୍ତିମତୀ କରିବା ପରି ସାରା ଓଡ଼ିଶାର ଅବଦାନରେ ତିଆରି ହୋଇଥିଲା ଅନୁପମ କଟକ ସହର।

ମୟୂରଭଞ୍ଜ, ସୋନପୁର, କନିକା, କେଉଁଝର ଭଳି ଗଡ଼ଜାତ ଓ ଜମିଦାରୀର ଅସ୍ଥି ପଞ୍ଜରାରେ ଗଢ଼ା ଏ ସହର। ସାରା ଓଡ଼ିଶାରୁ ସମ୍ବଳ ଆସେ, କାରିଗର ଆସନ୍ତି। କବି, କଳାକାର ଆସି ଠୁଳ ହୁଅନ୍ତି। ସାହୁକାର, ଜମିଦାର, ଶିକ୍ଷାର୍ଥୀ ସମସ୍ତଙ୍କର ସମାଗମରେ ହିଁ କଟକ ତା’ର ସ୍ବରୂପ ଗଠନ କରେ। ଯାତ୍ରା ହୁଏ, ବଜାର ବସେ। ସଭାଘର ଉନ୍ମୁଖ ହୁଏ। ସରକାର ବି ଦରବାର କରନ୍ତି।

ଦୁଇପଟେ ମହାନଦୀ ଓ କାଠଯୋଡ଼ି। ଅତୀତରେ ଜଳପଥ ହିଁ ଥିଲା ଅସଲ ପଥ। ସେ ଦିଗରୁ ଏ ସହର ଥିଲା ସହଜ-ଗମନାଗମନର ଅବଧାରିତ ଭୂମି। ଦୁଇପଟର ଚିର ପ୍ରବାହମାନ ଜଳଧାରା ସତେ ଯେମିତି ଅହରହ ଶୀତଳ ପବନ ତୋଳି ବିଞ୍ଚୁଥାନ୍ତି ତା’ର କୋମଳ ଅବୟବକୁ। କଟକ, ଧବଳ ଟଗର ପରି ସତେଜ, ଶୋଭାମୁଖର ପୁଣି ପେନ୍ଥିପେନ୍ଥି ଯୌଥ ଏକ ଜୀବନମୁଖୀ ମନୋଭାବର ଜୀବନ୍ତ ନଗର।

ଅତୀତ ଓଡ଼ିଶାର ସ୍ନାୟୁକେନ୍ଦ୍ର ଥିଲା କଟକ।

ଦୂର ଦୂର କେଉଁ ଅପନ୍ତରା ଗାଁରେ ରୋଗଶଢ଼ା ଜଣେ ମଣିଷ ଶ୍ରୀଜଗନ୍ନାଥ ଭକ୍ତଟିଏ ଆକୁଳ ନୟନରେ ଶ୍ରୀମନ୍ଦିରକୁ ଚାହିଁଲା ପରି ଚାହିଁରହେ କଟକ ବଡ଼ ଡାକ୍ତରଖାନାକୁ, ମାଲିମକଦ୍ଦମାରେ ଜଡ଼ସଡ଼ ସର୍ବହରା ଜଣେ ଅନିଶା କରି ରହେ କଟକ ନାଲିକୋଠା (ହାଇକୋର୍ଟ)ର ଭଗବାନ ସ୍ବରୂପୀ ନ୍ୟାୟକୁ, ସ୍କୁଲ ଛାତ୍ରଟିଏ ମନକରେ ମଧୁସୂଦନ, ସୁଭାଷଙ୍କ ଭଳି ମଣିଷ ଗଢ଼ିଥିବା ସେ ଦିନର କଟକ ସ୍କୁଲ ବା ରେଭେନ୍‌ସା କଲେଜିଏଟ୍‌ ସ୍କୁଲ୍‌କୁ। ପ୍ରତ୍ୟେକ ଭଲ ଶିକ୍ଷାର୍ଥୀର ମୁରବି ମନ କରେ ମୋ ପିଲାଟି ରେଭେନ୍‌ସା କଲେଜରେ ପଢ଼ୁ। ବାହା, ବ୍ରତ ପୁଣ୍ୟ ପର୍ବ ଆଦିରେ କେତେ ଅପନ୍ତରାର ଟଙ୍କା ଟୋକର ଯୋଗାଡ଼ କରି ଗୃହସ୍ଥଟିଏ ଧାଇଁ ଆସେ ଚୌଧୁରୀ ବଜାର, ଜାଉଁଳିଆ ପଟି। ସ୍ବର ସାଧକ ପାଇଁ କଟକ ହିଁ ସ୍ବର୍ଗ। ନାଟକଠାରୁ ଆରମ୍ଭ କରି ନୃତ୍ୟ, ବାଦ୍ୟର ପ୍ରଥମ ପ୍ରଣବଧ୍ବନି ଦିନେ ସଞ୍ଚାରିତ ହେଉଥିଲା ଏଇ କଟକରୁ। ବିନୋଦବିହାରୀ, ବାଲୁବଜାର ଥିଲା ଲେଖାପଢ଼ା ଓଡ଼ିଶାର ଅକ୍ଷର ବିପଣୀ।

କଟକ ଭାବର ଭୂମି, ସ୍ବପ୍ନ ଓ ସଫଳତାର ଭୂମି। ଓଡ଼ିଶାର ଅନିନ୍ଦ୍ୟ ଅଳଙ୍କାର। ହୃଦ ପଦକ। ହେଲେ ଆଜି?

ଖବର ବାହାରିିଛି, ‘‘ଅପମିଶ୍ରଣର ଅମରାବତୀ, କଟକ।’’ ଆଲୋଚିତ ହେଉଛି- ମୋଷ୍ଟ୍ ଵାଣ୍ଟେଡ୍‌ କ୍ରିମିନାଲ୍‌ କଟକରୁ ଗିରଫ। ମଶା, ମାଛି, ନାଳ, ନର୍ଦ୍ଦମାର ସହର କଟକ। ଧପ୍ପାବାଜି, ଚୋରି, ରାହାଜାନୀରେ କଟକ ଅସମ୍ଭାଳ। ରେଭେନ୍‌ସାରେ ନିଆଁ ଜଳୁଛି। ମ୍ୟୁନିସିପାଲିଟିରେ ଦୁର୍ନୀତି। ସାଇ ସାଇରେ ଗଣ୍ତଗୋଳ।

କିଏ ଏମିତି ବିକଳାଙ୍ଗ କଲା କଟକକୁ? ପାଦରେ ଦଳିଦେଲା ତା’ର ଧବଳ ଟଗର ରୂପ?

ଗାଆଁ ଗାଆଁରେ ପାଲାକାରମାନେ ବନା ଅବନା ଗୀତର ନମୁନା ଦେଇ ହାସ୍ୟ ଉଦ୍ରେକ କରିବା ପାଇଁ ଗାଆନ୍ତି, ‘‘କଲିକତାକୁ ଯିବି/ଟିକେଟ କାଟିବି/ଗାଡ଼ିରେ ଚଢ଼ିବି/ଦେଖିବି ହାବଡ଼ା ପୋଲ।’’ ଅବନା କରି ପାଳିଆ ଗାଏ, ‘‘କଲକତକ ଯବ/ଟକଟ କଟବ/ଗଡ଼ର ଚଢ଼ବ/ଦଖବ ହବଡ଼ ପଲ।’’ କଲିକତା କଥା ଏଇଥିପାଇଁ ଯେ କଟକ ଭଳି ପୂର୍ବ ଓ ମଧୢଭାରତର ଅନେକଙ୍କ ଲାଗି କଲିକତା ଥିଲା ସ୍ବପ୍ନ, ସମ୍ଭାବନା ତଥା ସାମ୍ଭ୍ରାନ୍ତ୍ୟର ଭୂମି। ଓଡ଼ିଆ ଗାୟକ ପାଳିଆକୁ ତାଗିଦ କରି କହେ- ଆରେ ଓଡ଼ିଆର ଅବନା ଧାଡ଼ି ହେଉଛି, ‘‘କଟକ ନଗର/ଧବଳ ଟଗର।’’ ସେଇ ସମୟରେ ଦୂର ଦୂର ଧୂଳି ଧୂସରିତ ଭୂଇଁରେ ବସି ପାଲା ଶୁଣୁଥିବା ଓଡ଼ିଆ ଆଖିରେ ଚହକି ଯାଏ କେବେ ଦେଖି ନ ଥିବା କଟକର ସ୍ବପ୍ନିଳ ଅବୟବ। ଏବେ ବି ସେଥିପାଇଁ ଛଚିନ୍ଦ୍ରାକୁ ଗାଆଁମାନଙ୍କରେ କହନ୍ତି ପୋଟଳ, ମାତ୍ର ଅସଲ ପୋଟଳକୁ କହନ୍ତି କଟକୀ ପୋଟଳ। ଭଲ ଶାଢ଼ି ବୋଇଲେ କଟକୀ ଶାଢ଼ି। ଉତ୍ତରପ୍ରଦେଶରୁ ଆସୁଥିବା ବଡ଼ ବଡ଼ ବରକୋଳିକୁ ସୁଦ୍ଧା କୁହାଯାଏ କଟକୀ କୋଳି। ସବୁ ବଡ଼ଯାକ ଯେମିତି କଟକର, ସବୁ ଭଲ ସତେ ଅବା କଟକରେ ଉପଲବ୍‌ଧ।

ଆଜି କିନ୍ତୁ କଟକ ଆଉ ସେ ଭଳି ବାଞ୍ଛିତ ହୋଇ ନାହିଁ। ବାବୁଭାୟାମାନେ ବି ଭିଟାମାଟି ଛାଡ଼ି ଅନ୍ୟତ୍ର ପଳାୟନରତ। ବୁନିଆଦି ସହର କଟକରେ ଘୁଣ ଲାଗିଯାଇଛି। ଈର୍ଷଣୀୟ ସହର ଦୁଷଣୀୟ ପାଲଟିଛି।

ଏଠାରେ ଗୋଟିଏ କଥା ବିଶେଷ ପ୍ରଣିଧାନ ଯୋଗ୍ୟ। ଗତ ଶତାବ୍ଦୀର ସତୁରି ଦଶକର ଶେଷ ଆଡ଼କୁ ବିଦୂଷୀ-ସାମ୍ବାଦିକା ଆନିସ୍‌ ଜଙ୍ଗ୍‌ ଗୋଟିଏ ବହି ଲେଖିଥିଲେ, ‘‘ହ୍ବେନ୍‌ ଏ ପ୍ଲେସ୍‌ ବିକମ୍‌ସ୍‌ ଏ ପରସନ୍‌’’, ‘‘ଯେତେବେଳେ ଗୋଟିଏ ସ୍ଥାନ ଜଣେ ବ୍ୟକ୍ତିରେ ପରିଣତ ହୁଏ’’। ସେଥିରେ ସ୍ଥାନର ବିଶେଷତ୍ବ ସହିତ ସେଠାରେ ଥିବା ଇମାରତ୍‌ ଓ ପ୍ରସିଦ୍ଧ ଚରିତ୍ରମାନଙ୍କର ସେ ଆଲୋଚନା କରିଥିଲେ। ତେବେ ସବୁଠାରୁ ଅଧିକ ଗୁରୁତ୍ବ ରହିଛି ତହିଁରେ ନିବାସ ସ୍ଥାପନ କରିଥିବା ବ୍ୟକ୍ତିବିଶେଷଙ୍କ ଉପରେ। ଇମାରତ ଗୋଟିଏ ସ୍ଥାନକୁ ହୁଏତ ପ୍ରସିଦ୍ଧ କରିପାରେ ମାତ୍ର ସ୍ଥାନର ଚରିତ୍ର ନିର୍ଭର କରେ ସେଠାରେ ବାସ କରୁଥିବା ବ୍ୟକ୍ତିବିଶେଷଙ୍କୁ ନେଇ।

ସ˚ପ୍ରତି କଟକ ଯେ ଅପମିଶ୍ରଣର ଅମରାବତୀ ପାଲଟିଛି, ଅପରାଧର ଖେଳପଡ଼ିଆ ସାଜିଛି ବା ଅପରିଷ୍କାର ଅପରିଚ୍ଛନ୍ନତାର ଅଳିଆଗଦା ହୋଇଛି ତାହା, କାହାପାଇଁ? କଟକ କ’ଣ ନିଜେ ଆପଣାକୁ ବିକୃତ କରିଛି? କଟକ କହିଲେ କିଲାପଡ଼ିଆକୁ ନେଇ ନୁହେଁ କି ଉଜୁଡ଼ିଯାଇଥିବା ବାରବାଟୀକୁ ନେଇ ନୁହେଁ। କଟକ, କଟକିଆଙ୍କୁ ନେଇ, ସେଠାରେ ବାସକରୁଥିବା ନାଗରିକ ସମାଜକୁ ନେଇ।

ସାଇ ସାଇ ଗଳିକନ୍ଦିରେ ଗଢ଼ା କଟକ। ସାଇରେ ଅଘଟଣ ଘଟିଲେ ସାଇ ମୁରବି ବାହାରି ପଡ଼ନ୍ତି କାନ୍ଧରେ ଗାମୁଛା ପକାଇ। ଆମ ସାଇ। ଆମ କଟକ। ଆମ ଝିଅ ବୋହୂ। ଆମ ସାଇ ମେଢ଼। ଆମ ସାଇ ଲୋକ। ଆମ ଇଜ୍ଜତ।

କୁଆଡ଼େ ଗଲା ସବୁ? କଟକ ନାଆଁଟି ଅଛି ଅଥଚ କଟକ ବ୍ୟକ୍ତିଟି କୁଆଡ଼େ ହଜି ଯାଇଛି ଯେମିତି। କିଏ ଫେରାଇ ଆଣିବ ତା’ର ଇଜ୍ଜତ? ସରକାର ନା ନାଗରିକ ସମାଜ? କିଏ ରୋକିବ ଅପମିଶ୍ରଣ? ସାଇ ମୁରବି ନା ଛପି ଛପି ପଶି ଆସିଥିବା ଚୋର ଅପମିଶ୍ରଣକାରୀ?

ରାଜୁଡ଼ା ଗଲା, ବିଦେଶୀ ଶାସନ ଗଲା। ଗଣତନ୍ତ୍ର ଆସିଲା। ଆମ ସାଇ ଭଳି,ଶାସନ ହେଲା ଆମ ଶାସନ। ଅଥଚ ଗଣତନ୍ତ୍ର ବା ଆମେପଣ ଯେଉଁ ସୁଫଳ ଦେବା କଥା ତାହା ଦେଲାନାହିଁ। ସମସ୍ତେ ଗଣତନ୍ତ୍ର ଡଙ୍ଗାରେ ବସିଲେ ମାତ୍ର ମଙ୍ଗୁଆଳ ବାଛିବାରେ ବା ଏ ଡଙ୍ଗା ଆମର ବୋଲି ବିଚାର କରିବାରେ ଯେଉଁ ଆପଣାପଣ ସୃଷ୍ଟି ହେବା କଥା ତାହା ହୋଇପାରିଲା ନାହିଁ।

ସତ କହିବାକୁ ଗଲେ କଟକ ଏଠାରେ ଗୋଟାଏ ଉପଲକ୍ଷ୍ୟ ମାତ୍ର। ଏ କଥା ବ୍ରହ୍ମପୁର, ପୁରୀ, ଢେଙ୍କାନାଳ, ସମ୍ବଲପୁର, ବଲାଙ୍ଗୀର, ରାଉରକେଲା, ପାରାଦ୍ବୀପ ଭଳି ସବୁ ସହର ଉପସହର ପାଇଁ ମଧୢ ସତ୍ୟ। ଦୁଇଟି କଥାର ଅଘଟଣ ହିଁ ଏ ନଗରଗୁଡ଼ିକୁ ବିକଳାଙ୍ଗ କରିବାରେ ଲାଗିଛନ୍ତି। ପ୍ରଥମ କଥାଟି ହେଲା ଆମେ ସହରକୁ କୋଠାବାଡ଼ି ଓ ଧୂଆଁ ମାଧୢମରେ ଉଚ୍ଚ କରିବାରେ ଲାଗିଛୁ ଏବ˚ ଦ୍ବିତୀୟ କଥାଟି ହେଲା ଯେ ଆମେ ସଭିଏଁ ନିଜକୁ ରାଜନୀତିର ଦାସ କରି ଚାଲିଛୁ। ବିକାଶ ଯେ କେବଳ କୋଠାବାଡ଼ି, ଗାଡ଼ି ମଟରରେ ନ ଥାଏ ବା ସମାଜ ରାଜନୀତିର କ୍ରୀଡ଼ନକ ନୁହେଁ ତାହା କେହି ବୁଝିବା ପାଇଁ ନାରାଜ।

ଗଣତନ୍ତ୍ର କହିଲେ ଆମେ ରାଜନୈତିକ ଦଳ, ଦଳଗଢ଼ା ସରକାର ଓ ରାଜନୈତିକ କର୍ମୀମାନଙ୍କର କାର୍ଯ୍ୟକଳାପକୁ ଆଖିରେ ରଖି ଆଲୋଚନା କରୁ। ନିର୍ବାଚନକୁ ଏକ ପାଞ୍ଚବର୍ଷିଆ ହୋ ହଲ୍ଲା ଭାବେ ଗ୍ରହଣ କରିନେଉ। ରାଜନୀତି, ଶ୍ରେଷ୍ଠ ନୀତି, ଏଥିରେ ଦ୍ବିମତ ହେବାର କିଛି ନାହିଁ। ମାତ୍ର ରାଜନୀତି ଯେ ଶେଷ ନୀତି ବା ଚୂଡ଼ାନ୍ତ ନୀତି ନୁହେଁ ସେ କଥାକୁ ଆମେ ନଜରକୁ ଆଣୁନା। ସମାଜରେ କେତେ କେତେ ବିଶ୍ବାସ ଓ ବିଚାରର ପ୍ରଭାବ ଥାଏ। ସେ ସବୁ ରାଜନୀତି କବଳିତ ହେବା ଅଦରକାରୀ ତଥା ସମାଜ ଲାଗି ଅସ୍ବାସ୍ଥ୍ୟକର। ଧର୍ମ, ପରମ୍ପରା, ଚଳଣି, ବିଶ୍ବାସ, ଜଳବାୟୁ, ସ୍ବାସ୍ଥ୍ୟ, ଦର୍ଶନ, ସାହିତ୍ୟ, ସ˚ଗୀତ, କଳା ଆଦି ସମସ୍ତ କ୍ଷେତ୍ର ଭଳି ରାଜନୀତି ଏକ କ୍ଷେତ୍ର। ଏହାର ମୂଳ କ୍ଷେତ୍ରଟି ଶାସନ। ଅତୀତରେ ଯେବେ ଯେବେ ଶାସନ ଧର୍ମ, ଚଳଣି, ବିଶ୍ବାସ, ଜଳବାୟୁ, ଦର୍ଶନ, ସାହିତ୍ୟ ଆଦିରେ ହସ୍ତକ୍ଷେପ କରିଛି ସେତେବେଳେ ସାମାଜିକ ଅବକ୍ଷୟ ସୃଷ୍ଟି ହୋଇଛି ସିନା କୌଣସି ସୁଫଳ ଫଳିନାହିଁ। ସରକାର ସବୁ କରିଦେବେ ଏହା ଭାବିବା ହିଁ ଗଣତନ୍ତ୍ରକୁ ଅପାରଗ କରେ।

ରାଷ୍ଟ୍ର, ସରକାର ଓ ଲୋକ ଏହି ତିନିଗୋଟି ଆଧାରରେ ଗଣତନ୍ତ୍ର ଶାସନର ପର୍ଯ୍ୟାଲୋଚନା କରାଯାଏ। କୁହାଯାଏ ଯେ ରାଷ୍ଟ୍ର ଓ ବ୍ୟକ୍ତି ଭିତରେ ଥିବା ସମ୍ପର୍କ ହିଁ ରାଜନୀତିର ମୂଳ ବିଷୟବସ୍ତୁ। ସରକାର, ରାଷ୍ଟ୍ରର ଏକ ଅ˚ଶମାତ୍ର। ବ୍ୟକ୍ତିର ସ୍ବାତନ୍ତ୍ର୍ୟ ରାଷ୍ଟ୍ର-ଅଧିକାରକୁ ମଧୢ ପ୍ରଶ୍ନ କରେ। ସରକାର କିବା ଛାର! ବ୍ୟକ୍ତିର ସମୂହ ଚେତନା ଆଗରେ ରାଷ୍ଟ୍ର ଓ ସରକାର ଉଭୟ ନତମସ୍ତକ। ଏଇ ସମୂହ ଚେତନା ହିଁ ରାଜତନ୍ତ୍ରକୁ ହଟାଇ ଗଣତନ୍ତ୍ର ଆଣିଛି। ସାମ୍ରାଜ୍ୟକୁ ହଟାଇ ଆଧୁନିକ ରାଷ୍ଟ୍ରକୁ ପ୍ରତିଷ୍ଠିତ କରିଛି। ବିଡ଼ମ୍ବନାର କଥା ହେଲା ରାଷ୍ଟ୍ର ଓ ବ୍ୟକ୍ତି ମଝିରେ ଥିବା ‘‘ନାଗରିକ ଗୋଷ୍ଠୀ’’ ଯେ ସମାଜ ଗଠନରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରନ୍ତି ତାହା ଭୁଲିଗଲେ ଚଳିବ ନାହିଁ। ଆଧୁନିକ ସମୟରେ ଏଇ ନାଗରିକ ଗୋଷ୍ଠୀ ହିଁ ସାମାଜିକ ସଚେତନତାର କେନ୍ଦ୍ରବିନ୍ଦୁ। ତାହା ଯେତେ ଦୁର୍ବଳ, ସମାଜ ସେତେ ଦୁର୍ବଳ ଓ ଅନୁନ୍ନତ। ସାଧାରଣ ଲୋକ କହି ଆମେ କଥାଟାକୁ ହାଲୁକା କରିଦେଉ ମାତ୍ର ଅସଲରେ ସାଧାରଣ ଲୋକ କେଉଁଠାରେ ଜନମତ ସୃଷ୍ଟି କରନ୍ତି ନାହିଁ, କରନ୍ତି ଏହି ‘ନାଗରିକ ଗୋଷ୍ଠୀ’। ତେଣୁ ରାଷ୍ଟ୍ର ହେଉ ବା ଜନପଦ ହେଉ, ସହର ହେଉ ବା ଗାଁ ହେଉ ଯେଉଁଠାରେ ଏ ଗୋଷ୍ଠୀଟି ନିସ୍ପୃହ ସେଠାରେ ସ˚କୀର୍ଣ୍ଣ ରାଜନୀତିର ସ୍ବାର୍ଥ ବଳବତ୍ତର ରହେ, ଅପମିଶ୍ରଣ ଚାଲେ, ବ୍ୟଭିଚାର ବ୍ୟାପେ।

ଆଜି ଯେ କଟକ, ବ୍ରହ୍ମପୁର, ପୁରୀ ଭଳି ସହରଗୁଡ଼ିକରେ ବିଲକ୍ଷଣର ମାତ୍ରା ଅଧିକ ହୋଇଛି ତା’ର କାରଣ ନାଗରିକ ଗୋଷ୍ଠୀର ମୁରବିପଣରେ ନିସ୍ପୃହତା ଓ ଆଡ଼ଛାଡ଼ଭାବ। ନାଗରିକ ଗୋଷ୍ଠୀ ବା ସାଇମନୋଭାବ ମେଢ଼, ଯାତ୍ରା ଓ ଉତ୍ସବ ପ୍ରତି ଯେଭଳି ମନଯୋଗୀ ସେହିଭଳି ନିଜ ଇଲାକାର ସାମାଜିକ ଅବସ୍ଥିତି ଲାଗି ଅନୁରୂପ ଅନୁରାଗୀ ହେବା ମଧୢ ଆବଶ୍ୟକ। ଏମ୍‌ଏଲ୍‌ଏମାନେ ବିଧାନସଭାର ସଭ୍ୟ ମାତ୍ର ସାଇ ବା ସହରର ମୁରବି ନୁହନ୍ତି।

ରାଜତନ୍ତ୍ରରେ ନାଗରିକ ଗୋଷ୍ଠୀ ଦୁର୍ବଳ, ମାତ୍ର ଗଣତନ୍ତ୍ରରେ ନାଗରିକ ଗୋଷ୍ଠୀ ହିଁ ସବଳ। ଗୋଟିଏ ଜନପଦ ବା ସହରର ଚରିତ୍ର ସୃଷ୍ଟି କରିବାରେ ଏଇ ନାଗରିକ ଗୋଷ୍ଠୀ ହିଁ ମୂଳ ଭୂମିକା ନିର୍ବାହ କରିଥାଏ। ମର୍କତ କେଶରୀ ତ ଥିଲେ, ମାତ୍ର କଟକଚିନ୍ତା ଘାରିଥିଲା ବାଇମୁଣ୍ତିଙ୍କୁ। ବାଇମୁଣ୍ତି ଥିଲେ ଏଇ ନାଗରିକ ଗୋଷ୍ଠୀର ଏକକ ପ୍ରତୀକ।

ଏଠାରେ ଏକ ଘଟଣାର ଅବତାରଣା କରାଯାଇପାରେ। କିଛି ବର୍ଷ ତଳେ ହଠାତ୍‌ ଗୋଟିଏ ଖବରକାଗଜରେ ମାଲିକ ହୋଇ ତୋଳାକନିଆ ଭଳି କଟକରେ ଆବିର୍ଭୂତ ହେଲେ ଜଣେ ବ୍ୟକ୍ତି। ସମସ୍ତେ ଜାଣିଥିଲେ ସେ କଟକର କିଛି ନୁହନ୍ତି। ଶିକ୍ଷା ଦୀକ୍ଷା ତାଙ୍କର ଅନେକ ପ୍ରଶ୍ନରେ ଭରା। ଅଥଚ ସହସା କଟକ ଶାନ୍ତି କମିଟିର ସେ ପାଲଟିଗଲେ ଅଧୢକ୍ଷ। ଯୋଗ୍ୟତା ଏତିକି ଯେ ଖବରକାଗଜଟି ତାଙ୍କ କର୍ତ୍ତୃତ୍ବରେ ଥିଲା କିଛିଦିନ ପାଇଁ।

ଏ କଥା ସୂଚାଉଛି ଯେ କଟକ ଏବେ ମୁରବି ଶୂନ୍ୟ। ସାଇପଣରେ ଆଉ ଭାଇପଣ ନାହିଁ। କଟକକୁ ମୋର ବୋଲି କହିବାକୁ କେହି ନାହାନ୍ତି। କେତେ ପ୍ରଫେସର, ବିଚାରପତି, ଧନପତି, ଡାକ୍ତର ଅବସର ନେଇ ଅଛନ୍ତି ଅଥଚ ଜଣେ ଅଜ୍ଞାତ କୁଳଶୀଳଙ୍କୁ ସାରା ସହର ସେଦିନ ଟେକି ଦେଇଥିଲା ଆପଣା ଶାନ୍ତିର ଭବିଷ୍ୟତକୁ। ତା’ର ଅର୍ଥ କଟକର ନାଗରିକ ଗୋଷ୍ଠୀ ଏବେ ସମ୍ପୂର୍ଣ୍ଣ ନିଷ୍କ୍ରିୟ।

କହିବାର ଅଛି, କଟକ ଅବଶ୍ୟ ଖବର ସୃଷ୍ଟି କରୁଛି, ହେଲେ ସେ ଦିନର ନଗର ଆଉ ନାହିଁ କି ସେ ଟଗର ବି ଆଉ ନାହିଁ। ଦୁଃଖଦ!

[email protected]

ସମ୍ବନ୍ଧିତ ଖବର