କର୍ପୂର ନାହିଁ, କନା ବି ଚିରି ଗଲାଣି

ପ୍ରତିବିମ୍ବ - ଧୀରେନ୍ଦ୍ର କର

ମୋତେ ଲାଗୁଛି ଯେମିତି ରାଜ୍ୟ ସରକାର ଗରିବ ରହିବା ପାଇଁ ପ୍ରୟାସ କରି ସଫଳ ହୋଇଛନ୍ତି। ଓଡ଼ିଶାର ଭୂମି ଉର୍ବର। ଦୀର୍ଘ ଉପକୂଳ, ସମୃଦ୍ଧ ବନ୍ଦର, ଏଠାକାର ଲୋକେ ବସ୍ତ୍ର, ରୁପା ତାରକସି କାମ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାରର ରପ୍ତାନି ଯୋଗ୍ୟ ଦ୍ରବ୍ୟ ତିଆରି କରନ୍ତି; ଏହା ସହିତ ମୂଲ୍ୟବାନ ଖଣିଜ ଦ୍ରବ୍ୟରେ ଏ ଭୂଖଣ୍ଡ ଭରପୂର ଥିଲେ ବି ଆମେ ଗରିବ।

ଗତ ଏଗାର ବର୍ଷ ମଧ୍ୟରେ ମୁଁ ପ୍ରାୟ ପଚାଶ ଥର ଆମେରିକାରୁ ଓଡ଼ିଶାକୁ ଯାଇଛି। ସେ ସମୟ ମଧ୍ୟରେ ବିଭିନ୍ନ ଯୁବ ଉଦ୍ୟୋଗୀମାନଙ୍କ ସହିତ ସାକ୍ଷାତ କରିବାର ସୁଯୋଗ ପାଇଛି। ସମସ୍ତଙ୍କର ଗୋଟିଏ କ୍ଷୋଭ ଯେ ରାଜ୍ୟ ସରକାର ଯୁବ ଉଦ୍ୟୋଗୀମାନଙ୍କ ପାଇଁ କୌଣସି ଯୋଜନା ରଖି ନାହାନ୍ତି। ସେମାନଙ୍କ ପାଇଁ କୌଣସି ପ୍ରୋତ୍ସାହନ ନାହିଁ। ତେଣୁ ସେମାନେ ଆଶା ଶୂନ୍ୟ ହୋଇ ନିରବ ରହୁଛନ୍ତି। କେହି କେହି ଅନ୍ୟ ରାଜ୍ୟକୁ ଯାଇ ଚେଷ୍ଟା କରୁଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଭାରତର ବିଭିନ୍ନ ରାଜ୍ୟରେ ବ୍ୟବସାୟ କରି ସଫଳ ହେଲେଣି। ଯୁବ ଉଦ୍ୟୋଗୀମାନଙ୍କର ଏହି ଅସୁବିଧାକୁ ମୁଁ ମଧ୍ୟ ହୃଦୟଙ୍ଗମ କରିଛି। ଏଭଳି ପ୍ରସ୍ତାବଟିଏ ନେଇ ଗଲେ ସରକାରଙ୍କ ମନ୍ତ୍ରୀ ବା ଅଫିସରମାନେ ପ୍ରଥମେ ସମୟ ଦେବାକୁ କୁଣ୍ଠାବୋଧ କରନ୍ତି। ସାକ୍ଷାତ ହେଲେ ମିଛ ଆଶ୍ୱାସନା ଦେଇ ଦୂରେଇ ଯିବାକୁ ଚେଷ୍ଟା କରନ୍ତି। ସରକାରୀ ବାଧ୍ୟବାଧକତାରେ ଯଦି କୌଣସି ସଭାକୁ ଯୁବ ଉଦ୍ୟୋଗୀଙ୍କୁ ଉପସ୍ଥିତ ରହିବାକୁ ହୋଇଥାଏ, ତେବେ ତାଙ୍କର ପରିଚୟ ହଜି ଯାଇଥାଏ। ମନ୍ତ୍ରୀ, ନେତାଙ୍କ ଭଳି ଅତିଥି, ବକ୍ତା ଓ ସମ୍ମାନନୀୟ ଅତିଥିମାନେ ବକ୍ତବ୍ୟ ଦେଇ ସାରିଲା ପରେ ଉଦ୍ୟୋଗୀଙ୍କୁ କହିବାର ସୁଯୋଗ ଦିଆଯାଏ। ସେତେବେଳକୁ ଦର୍ଶକ ଓ ଶ୍ରୋତା ଚାଲି ଯାଇଥାନ୍ତି ବା ବିରକ୍ତ ହୋଇ ବସିଥାନ୍ତି।

ଓଡ଼ିଶା ଦିନେ ଏକ ସମୃଦ୍ଧ ଓ ଧନୀ ରାଜ୍ୟ ଥିଲା। ଓଡ଼ିଆ ବଣିକମାନେ ପୃଥିବୀର ପ୍ରାଚୀନ ବଣିକମାନଙ୍କ ମଧ୍ୟରୁ ଅନ୍ୟତମ ଥିଲେ। ଏଠାକାର ଅଧିବାସୀମାନେ ଖୁବ କର୍ମଠ ଓ ସର୍ଜନାଶୀଳ ଥିଲେ। ସେମାନଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ରାଜ୍ୟର ବଣିକମାନେ ରପ୍ତାନି କରୁଥିଲେ। ହାତୀଦାନ୍ତ, ଲୁଣ, ସୌଖୀନ ବସ୍ତ୍ର ଓ ସୂକ୍ଷ୍ମବସ୍ତ୍ର ବୋଇତରେ ନେଇ ବିଭିନ୍ନ ଦେଶକୁ ଯାଉଥିଲେ। ‘‘ଖ୍ରୀଷ୍ଟ ଜନ୍ମର ଶହ ଶହ ବର୍ଷ ପୂର୍ବରୁ ଆମର ନୌବାଣିଜ୍ୟ ଥିଲା। ବୌଦ୍ଧଗ୍ରନ୍ଥ ଅନୁଯାୟୀ ଓଡ଼ିଶାରେ ସୂକ୍ଷ୍ମ ବସ୍ତ୍ର ତିଆରି ହୋଇ ବାହାରକୁ ପଠା ଯାଉଥିଲା। ତାହା ଏତେ ସୂକ୍ଷ୍ମ ଥିଲା ଯେ ଗୋଟେ ବାଉଁଶ ନଳୀରେ ରହି ଯାଉଥିଲା। ସେତେବେଳେ ଚୀନ ରାଜାଙ୍କ ସହିତ ଉତ୍କଳ ରାଜାମାନଙ୍କର ଭଲ ସଦ୍ଭାବ ଥିଲା। ଉପଢୌକନ ଦିଆନିଆ ହେଉଥିଲା। ୧୬୩୩ ମସିହା ଜୁଲାଇ ୨୨ ତାରିଖରେ ଇଂରେଜ ବଣିକଙ୍କ ‘ସ୍ୱାନ’ ନାମକ ଜାହାଜ ପୁରୀ ଜିଲ୍ଲାର ହରିଶପୁର ବନ୍ଦରରେ ପ୍ରବେଶ କରିଥିଲା। ସେତେବେଳେ ଇଂରେଜ ଓ ପର୍ତ୍ତୁଗୀଜ ବଣିକ ଏଠାରୁ ଲୁଗା ପ୍ରଭୃତି ବିଭିନ୍ନ ଜିନିଷ ନେଉଥିଲେ।’’ (ପ୍ରାଚୀନ ଉତ୍କଳ, ଶ୍ରୀଯୁକ୍ତ ଜଗବନ୍ଧୁ ସିଂହ, ଓଡ଼ିଶା ସାହିତ୍ୟ ଏକାଡେମୀ)

ଓଡ଼ିଆ ବଣିକମାନଙ୍କର ପାଣିପାଗ ଓ ସମୁଦ୍ର ବିଷୟରେ ପ୍ରଚୁର ଜ୍ଞାନ ଥିଲା। “ସେମାନେ ଆଷାଢ଼ ସପ୍ତମୀଠାରୁ ଆରମ୍ଭ କରି କାର୍ତ୍ତିକ ମାସ ପର୍ଯ୍ୟନ୍ତ ମଧ୍ୟବର୍ତ୍ତୀ ସମୟ ଭିତରେ ତାଙ୍କର ବ୍ୟବସାୟିକ ଯାତ୍ରା ଆରମ୍ଭ କରୁଥିଲେ। ସିଂହଳ, ଜାଭା, ବାଲୀ, ସୁମାତ୍ରା, ବୋର୍ଣ୍ଣିଓ, ବର୍ମା, ନିକୋବର, କାମ୍ବୋଡ଼ିଆ, ଚୀନ, ଚମ୍ପା, ମାଳୟ, ଥାଇଲାଣ୍ଡ ପ୍ରଭୃତି ଦେଶ ଓ ଦ୍ୱୀପମାନଙ୍କୁ ଯାତ୍ରା କରୁଥିଲେ। ସମୁଦ୍ର ବିଷୟରେ ଉତ୍କଳୀୟମାନଙ୍କର ଯଥେଷ୍ଟ ଜ୍ଞାନ ଥିଲା। କେବଳ ପବନ ଉପରେ ନିର୍ଭର କରି ସେମାନେ ସାରା ସମୁଦ୍ର ଉପରେ ନିର୍ଭୁଲ ଭାବରେ ଯାତାୟତ କରି ପାରୁଥିଲେ। ମାଳୟ ପ୍ରାୟ ଦ୍ୱୀପ ଅତିକ୍ରମ କରି ମଲାକ୍କା ଦେଇ ସୁମାତ୍ରା, ଜାଭା, ବାଲୀ, ବୋର୍ଣ୍ଣୋଇ ଯାଉଥିଲେ।

ଏଇଭଳି ସମୟରେ କଳିଙ୍ଗର ଜଣେ ରାଜକୁମାରଙ୍କ ସହିତ କଳିଙ୍ଗର ୨୦୦୦୦ ପରିବାର ଜାଭା ଦ୍ୱୀପକୁ ଯାଇ ବସବାସ କରିଥିଲେ। ତେଣୁ ଜାଭାର ପୂର୍ବାଞ୍ଚଳକୁ ପୂର୍ବ କଳିଙ୍ଗ କୁହାଯାଏ। ପରବର୍ତ୍ତୀ ସମୟରେ ସେଠାରୁ କିଛି ଲୋକ ବାଲୀ ଦ୍ୱୀପକୁ ଚାଲି ଯାଇଥିଲେ।’’ (Studies in maritime Heritage of Odisha, Sj. Sunil Kumar Patnaik) ଆଜି ଏ ସବୁ ସ୍ୱପ୍ନ ହୋଇ ଯାଇଛି। ପୂର୍ବ ଅପେକ୍ଷା ଆମ ରାଜ୍ୟର ରପ୍ତାନିଯୋଗ୍ୟ ଦ୍ରବ୍ୟ ବହୁ ପରିମାଣରେ ବୃଦ୍ଧି ପାଇଛି। ଖଣିଜଦ୍ରବ୍ୟ ରପ୍ତାନି ପାଇଁ ଓଡ଼ିଶାର ବନ୍ଦରମାନଙ୍କରେ ଅନେକ ଜାହାଜ ଲାଗୁଛି। କିନ୍ତୁ ସେଥିରୁ ଗୋଟିଏ ବି ଓଡ଼ିଶାର କିମ୍ବା ଓଡ଼ିଆ ଲୋକଙ୍କର ନାହିଁ।

ସରକାର ଉଦ୍ୟୋଗୀ ସୃଷ୍ଟି କରି ରାଜ୍ୟକୁ ସମୃଦ୍ଧ କରିବା ବଦଳରେ ନୌଯାତ୍ରାର ସ୍ମୃତି ଉଦ୍ଦେଶ୍ୟରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବୋଇତ ବନ୍ଦାଣ ଉତ୍ସବ ପାଳନ କରୁଛନ୍ତି। ଅର୍ଥାତ୍ କଦଳୀ ପଟୁଆ ଓ ସୋଲ ଡଙ୍ଗା ଭସାଇ ନୌବାଣିଜ୍ୟର ଅଭିନୟ କରୁଛନ୍ତି। ଓଡ଼ିଆ ଜାତି ତାର ନିଜ ପୂର୍ବ ଗୌରବର ଫେରିବା ଆଶାରେ ବସି ରହିଛି, ହେଲେ ତାର ଫେରିବା ଉଦ୍ୟମ କରିବା ପାଇଁ ଆଗେଇ ଆସୁନାହିଁ। କର୍ପୂର ଉଡ଼ି ଯାଇଛି, ଏବେ କନା ମଧ୍ୟ ଚିରି ଗଲାଣି।

ୟୁଏସ୍‌ଏ

ସମ୍ବନ୍ଧିତ ଖବର