ଉପହାର ନୁହେଁ, ପାହାର

ଯୋଗେନ୍ଦ୍ର ଯାଦବ

ସ˚ପ୍ରତି ନିଜର ନୀତି ଯୋଗୁଁ ସରକାର, କୃଷକଙ୍କ ସହ ମୁହାଁମୁହିଁ ହୋଇଥିବା ବେଳେ ଶାସନ କଳ ଓ ଏହାର ସମର୍ଥକ ଗଣମାଧ୍ୟମ ପକ୍ଷରୁ ଏହି ପ୍ରସଙ୍ଗରେ ବିଚିତ୍ର ଯୁକ୍ତି ଉପସ୍ଥାପନ କରାଯାଉଛି: ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଏକ ଅଦରକାରୀ ଉପହାରକୁ ଯଥାର୍ଥ ଓ ନ୍ୟାୟସଙ୍ଗତ କହାଯାଉଛି। ପୁଣି, କହାଯାଉଛି, ଉପହାରକୁ ପ୍ରତ୍ୟାଖ୍ୟାନ ନ କରି ଗ୍ରହଣ କର; ଏବ˚ ଏକ ମଧ୍ୟମ ମାର୍ଗ ଖୋଜ। ମୋଟାମୋଟି କହିଲେ, ଆନ୍ଦୋଳନକାରୀ କୃଷକଙ୍କ କୌଣସି ଦାବିକୁ ମାନିବାକୁ ସରକାର ଏ ପର୍ଯ୍ୟନ୍ତ ପ୍ରସ୍ତୁତ ନାହିଁ। କୃଷକମାନେ ଯେପରି ଦିଲ୍ଲୀରେ ନ ପହଞ୍ଚିପାରିବେ, ସେଥି ପାଇଁ ସମସ୍ତ ପ୍ରକାରେ ଉଦ୍ୟମ ଚାଲିଛି; କଳ-ବଳ-କୌଶଳ ପ୍ରୟୋଗ କରାଯାଉଛି। ଏହା ମାମଲାକୁ ଅଧିକରୁ ଅଧିକ ସମ୍ବେଦନଶୀଳ କରିଚାଲିଛି। କୃଷକ ନେତାମାନେ ବି ରୋକଠୋକ ଶୁଣାଇଦେଇଛନ୍ତି- ସେମାନେ ବୁଝାମଣା କରିପାରିବେନାହିଁ କି ଲକ୍ଷ୍ୟ ହାସଲରୁ ହଟିବେନାହିଁ। ସରକାର, କୃଷକମାନଙ୍କର କୌଣସି କଥା ଶୁଣିବାକୁ ପ୍ରସ୍ତୁତ ନୁହେଁ। ଏହା କେବଳ ନିଜର କଥା କହୁଛି; କୃଷକମାନଙ୍କୁ କହିବାକୁ ଦେଉନାହିଁ। ସରକାରର ଏ ଭଳି କଠୋର ମନୋଭାବ, ଆନ୍ଦୋଳନକାରୀ କୃଷକମାନଙ୍କୁ ଆଚମ୍ବିତ କରୁଛି। କ୍ଷମତା କ’ଣ ନ କରିପାରେ! ଏହା ଯୁକ୍ତିକୁ ମୋଡ଼ିବାକୁ, ଅସତ୍ୟକୁ ସତ୍ୟ ପ୍ରତିପାଦିତ କରିବାକୁ ଏବ˚ ‘ଯଥାର୍ଥ ଓ ନ୍ୟାୟସଙ୍ଗତ’ର ସ˚ଜ୍ଞା ନିରୂପଣ କରିବାକୁ ସମର୍ଥ।

ଆମ ପ୍ରଧାନମନ୍ତ୍ରୀ ଯାହାକୁ ‘କୃଷକଙ୍କ ପାଇଁ ଉପହାର’ କହୁଛନ୍ତି, ତାହାକୁ ହିଁ କୃଷକମାନେ ବିରୋଧ କରୁଛନ୍ତି। କୃଷକମାନଙ୍କ ପାଇଁ ଏହା କୌଣସି ‘ଐତିହାସିକ ଉପହାର’ ନୁହେଁ। କୌଣସି ଉପହାରକୁ ଗ୍ରହଣ କରିବା ବା ନ କରିବା, ନିଶ୍ଚିତ ଭାବେ ଇଚ୍ଛାମୂଳକ। କାହା ଉପରେ କୌଣସି ଉପହାର ଲଦିଦିଆଯାଇ ନ ପାରେ। କାହାକୁ, କିଛି ଉପହାର ଦେବା ପୂର୍ବରୁ ଦାତା ଏହା ଭଲ ଭାବେ ଜାଣିବା ଦରକାର ଯେ, ଗ୍ରହୀତା ଚାହୁଁଛି କ’ଣ? ଯଦି ଗ୍ରହୀତାର ଇଚ୍ଛାକୁ ଦାତା ନ ବୁଝି, କିଛି ଦେବା ପାଇଁ ଉଦ୍ୟମ କରିବେ, ତାହାକୁ ପ୍ରତ୍ୟାଖ୍ୟାନ କରିବାର ଅଧିକାର ଗ୍ରହୀତାର ଅଛି। କୃଷକକୁ ଯଦି ଉପହାରଟି ଭଲ ନ ଲାଗିବ, ସେ ସିଧା-ସଳଖ ଏହା କହିପାରିବ- ‘ନା। ମୋର ଏହି ଉପହାର ଦରକାର ନାହିଁ। ଧନ୍ୟବାଦ।’ ଆଉ ଏ କ୍ଷେତ୍ରରେ କୃଷକମାନଙ୍କୁ ମିଳିଥିବା ଉପହାରଟି ଉପହାର ନୁହେଁ, ଏକ ପାହାର। ଉପହାରର ସ୍ବାଦ ମିଠା ନୁହେଁ; ତେଣୁ, ତିକ୍ତ-କଷାୟ ଉପହାର ଉପରେ ଶର୍କରାର ପ୍ରଲେପ ଦିଆଯାଇଛି। ସରକାର-ସପକ୍ଷବାଦୀ ଅର୍ଥଶାସ୍ତ୍ରୀମାନେ ମଧ୍ୟ ଏହା ଭଲ ଭାବେ ଜାଣନ୍ତି।

କେନ୍ଦ୍ରରେ ସରକାର ଚଳାଉଥିବା ଭାରତୀୟ ଜନତା ପାର୍ଟିର ମଧ୍ୟ ଗୋଟିଏ କୃଷକ ଶାଖା ଅଛି- ‘ଭାରତୀୟ କିସାନ ସ˚ଘ’। ବିବାଦୀୟ କୃଷି ନୀତି ପ୍ରସ୍ତୁତି ବେଳେ ଏହି ଅନୁଷ୍ଠାନର ମତ ପଚରାଯାଇ ନ ଥିଲା ବା ଏହା ସହ ପରାମର୍ଶ କରାଯାଇ ନ ଥିଲା। ଏବେ ଯାହା ଜଣାପଡ଼ୁଛି, ସରକାରୀ ଉପହାରକୁ ଗ୍ରହଣ କରିବାବାଲା କେହି ନାହାନ୍ତି। ସାରା ଦେଶର କୃଷକ ସ˚ଗଠନଗୁଡ଼ିକ ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ମନେପକାନ୍ତୁ ‘ଗ୍ରାମ ସ˚ଯୋଗ’ (Gaon Connection)ସର୍ବେକ୍ଷଣରୁ କିଭଳି ନିଷ୍କର୍ଷ ବାହାରିଥିଲା। ଏହା ଦୁଇ ମାସ ତଳର କଥା। କୃଷକ ଆନ୍ଦୋଳନ ଶୀର୍ଷକୁ ଆସି ନ ଥିଲା। ସର୍ବେକ୍ଷଣ କାଳରେ ବିଭିନ୍ନ ଅଞ୍ଚଳର କୃଷକମାନେ ନିଜ ମତ ଦେଇଥିଲେ। ତିନି ନୂତନ କୃଷି ନୀତିକୁ ନେଇ ସେମାନେ ଶଙ୍କା ପ୍ରକଟ କରିଥିଲେ। ଏହାକୁ ନେଇ କେହି ସୁ-ଆଶା ପ୍ରକାଶ କରି ନ ଥିଲେ। ସେତେ ବେଳେ କୃଷକମାନେ ସ୍ପଷ୍ଟ କହିଥିଲେ- ‘ଧନ୍ୟବାଦ! ଆମର ଏହି ଉପହାର ଲୋଡ଼ାନାହିଁ। ଉପହାର ଫେରାଇନିଅନ୍ତୁ। ଆମେ କେବଳ ଯାହା ଚାହୁଁଛୁ, ଆମକୁ ତାହା ଦିଅନ୍ତୁ। ଆମର ଲୋଡ଼ା, ଆମ ଉତ୍ପାଦର ଉଚିତ ଲାଭଜନକ ମୂଲ୍ୟ।’ ଏବେ ଆନ୍ଦୋଳନର ନେତୃତ୍ବ ନେଉଥିବା ‘ସ˚ଯୁକ୍ତ କୃଷକ ମୋର୍ଚା’ ପ୍ରଥମରୁ ହିଁ ତିନି କୃଷି ଆଇନ ଉଚ୍ଛେଦ କରିବା ପାଇଁ ଦାବି କରିଆସିଛି। ସରକାର ସହ ଯେତେ ବେଳେ ବି ଆଲୋଚନା ହୋଇଛି, ସମାନ ଦାବି ଦୋହରାଯାଇଛି। ଏହି ଦାବି ପ୍ରସଙ୍ଗରେ କୌଣସି ବୁଝାମଣା ହୋଇପାରିବନାହିଁ ବୋଲି ସେମାନଙ୍କ ପକ୍ଷରୁ ପ୍ରତ୍ୟେକ ଥର ସ୍ପଷ୍ଟ କରାଯାଇଛି। ତେଣୁ, ସରକାର ତଥା ଦରବାରୀ ଗଣମାଧ୍ୟମ କୃଷକଙ୍କ ଦାବିକୁ ନେଇ ଏବେ କାହିଁକି ଆଚମ୍ବିତ ହେଉଛନ୍ତି ଭାବିଲେ ବିସ୍ମିତ ହେବାକୁ ହୁଏ।

ଆନ୍ଦୋଳନକାରୀ କୃଷକଙ୍କୁ ସରକାର ଏବେ ଯେଉଁ ପ୍ରସ୍ତାବ ଦେଇଛନ୍ତି, ତାହାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରିଦିଆଯାଇଛି। ଉକ୍ତ କୋଡ଼ିଏ ପୃଷ୍ଠାର ପ୍ରସ୍ତାବରେ ଯାହା କହାଯାଇଛି, ତାହା ସରକାରୀ ପକ୍ଷ ବହୁ ଦିନ ହେଲା କହିଆସୁଛି। ସେଥିରେ କୌଣସି ନୂତନତ୍ବ ନାହିଁ। ଏହି ପ୍ରସ୍ତାବନାମା ପ୍ରସ୍ତୁତି ବେଳେ ଚତୁର ନୀତି ଗ୍ରହଣ କରିବାରୁ ମଧ୍ୟ ସରକାରୀ ପକ୍ଷ ବିରତ ରହିନାହିଁ। ବିରୋଧୀ ଦଳ ଯଥା- କ˚ଗ୍ରେସ୍‌, ସରକାରର କୃଷି ନୀତିକୁ କୌଣସି ନା କୌଣସି ବାଟରେ ସମର୍ଥନ ଦେଉଥିବା, ଏଥିରେ ଚତୁରତାର ସହ ଦର୍ଶାଯାଇଛି। କ˚ଗ୍ରେସ୍‌ ନେତା ସ˚ପୃକ୍ତ ଥିବା କିଛି ପୁରୁଣା କମିଟିର ଉଲ୍ଲେଖ ଏଥିରେ କରାଯାଇଛି, ଯେମିତିକି କ˚ଗ୍ରେସ୍‌, ସରକାରୀ କୃଷି ନୀତିକୁ ସମର୍ଥନ ଦେଉଥିବା ଭଳି ଲାଗିବ। ଆଉ ଏହି ପ୍ରସଙ୍ଗରେ ସବୁଠାରୁ ମହତ୍ତ୍ବପୂର୍ଣ୍ଣ କଥାଟି ହେଲା, ୨୦୧୧ରେ ବସାଯାଇଥିବା ମୁଖ୍ୟମନ୍ତ୍ରୀ କମିଟିର ରିପୋର୍ଟ‌୍‌ ଏଥିରେ ସ୍ଥାନ ପାଇନାହିଁ। ଅର୍ଥାତ୍‌, ଜାଣିଣୁଣି ଏଥିରୁ ତାହାକୁ ବାଦ୍‌ ଦିଆଯାଇଛି। କାରଣ, ୨୦୧୧ କମିଟିର ମୁଖ୍ୟ ଥିଲେ ଗୁଜରାଟର ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବ˚ ତାଙ୍କ ନେତୃତ୍ବରେ ଗଠିତ କମିଟି କୃଷକମାନଙ୍କ ପାଇଁ ‘ନ୍ୟୂନତମ ସହାୟକ ମୂଲ୍ୟ’କୁ ଆଇନ କରିବା ପାଇଁ ସୁପାରିସ କରିଥିଲା। ସରକାର ଏବେ ଯେଉଁ ନୂଆ ପ୍ରସ୍ତାବ ଦେଇଛନ୍ତି, ସେଥିରେ କୌଣସି ନୂତନତ୍ବ ନାହିଁ। ୫ ଡିସେମ୍ବର‌୍‌ରେ କୃଷକ ନେତାଙ୍କ ସହ ଆଲୋଚନା ବେଳେ ସମାନ ପ୍ରସ୍ତାବ ଦିଆଯାଇଥିଲା।

କୃଷକମାନେ ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନକୁ ବିରୋଧ କରୁଛନ୍ତି। କାରଣ, ଏହା ଦ୍ବାରା ଦରଦାମରେ ହେରଫେର ହେବା ସହ ଅବୈଧ ଭଣ୍ତାର ବଢ଼ିବ। ସରକାରର ନୂତନ ପ୍ରସ୍ତାବରେ ଏ ବାବଦରେ କୌଣସି ଉଲ୍ଲେଖ ନାହିଁ। ‘ଆଦାନୀ ଏଗ୍ରି ଲଜିସ୍‌ଟିକ୍‌ ଲିମିଟେଡ୍‌’ର କୃଷି-ବ୍ୟବସାୟ ଯୋଜନା ପାଇଁ ଏହି ଆଇନ ବିଶେଷ ଭାବେ ସହାୟକ ହେଉଥିବାରୁ, ସରକାର ଏହି ଆଇନରେ କୌଣସି ପରିବର୍ତ୍ତନ ଚାହାଁନ୍ତିନାହିଁ। ବାୟୁ ପ୍ରଦୂଷଣ ଅଧ୍ୟାଦେଶରେ କୃଷକମାନଙ୍କୁ ଦଣ୍ତିତ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବକୁ ଗ୍ରହଣ ନ କରିବା ପାଇଁ କୃଷକଙ୍କ ପକ୍ଷରୁ ଦାବି କରାଯାଉଥିଲେ ହେଁ ନୂତନ ପ୍ରସ୍ତାବରେ ଏହା ଉପରେ କୌଣସି ଗାରେନ୍‌ଟି ଦିଆଯାଇନାହିଁ; କେବଳ ସରକାର, କୃଷକଙ୍କ ବିରୋଧ ବାବଦରେ ବିଚାର କରିବେ ବୋଲି କହାଯାଇଛି। ସେହି ପରି ବିଦ୍ୟୁତ୍‌ ସ˚ଶୋଧନ ଆଇନ ଦ୍ବାରା କୃଷକମାନେ ପ୍ରଭାବିତ ହେବେନାହିଁ ବୋଲି କହାଯାଉଥିଲେ ହେଁ କିପରି ପ୍ରଭାବିତ ହେବେନାହିଁ, ତାହାର ବିସ୍ତୃତ ଆଲୋଚନା କରାଯାଇନାହିଁ। ତେଣୁ, ସରକାରଙ୍କର ପ୍ରସ୍ତାବନାମାକୁ ନେଇ କୃଷକମାନେ ଆନନ୍ଦିତ ହେବା ଭଳି କିଛି ନାହିଁ।

‘ନ୍ୟୂନତମ ସହାୟକ ମୂଲ୍ୟ’ ସହ କୌଣସି ବୁଝାମଣା ହେବନାହିଁ ବୋଲି ବଡ଼ ଜୋର‌୍‌ରେ ପ୍ରଚାର କରାଯାଉଥିଲେ ବି ଏହା ନୈରାଶ୍ୟ ଆଣୁଛି। କାରଣ, ସରକାର ‘ନ୍ୟୂନତମ ସହାୟକ ମୂଲ୍ୟ’ ଆଧାରିତ ଉପାର୍ଜନା ପ୍ରଣାଳୀ ଉପରେ ଲିଖିତ ଆଶ୍ବାସନା ଦେବାକୁ ପ୍ରସ୍ତୁତ; କିନ୍ତୁ, ଏଥି ପାଇଁ ଆଇନରେ ବ୍ୟବସ୍ଥା କରିବାକୁ ଇଚ୍ଛୁକ ନୁହେଁ, ଯାହା କୃଷକମାନେ ଅନେକ ଦିନ ହେଲା ଦାବିକରିଆସୁଛନ୍ତି। ‘ନ୍ୟୂନତମ ସହାୟକ ମୂଲ୍ୟ’ ନିର୍ଦ୍ଧାରଣ କରିବା ପାଇଁ ସ୍ବାମୀନାଥନ କମିଟି କରିଥିବା ସୁପାରିସ (c2+50) ବାବଦରେ ଏହି ପ୍ରସ୍ତାବରେ କୌଣସି ଉଲ୍ଲେଖ ନାହିଁ। ଅର୍ଥାତ୍‌, ଯାହା ଚାଲିଛି, ତାହା ବଦଳାଇବାକୁ କୌଣସି ପ୍ରଯତ୍ନ କରାଯାଉନାହିଁ। ତେଣୁ, କୃଷକ ଅପମାନିତ।

‘କୃଷି ଉପଜ ବିପଣନ ସମିତି’କୁ ଦୂରଉଥିବା ଆଇନ(ଫାର୍ମର୍ସ‌୍‌ ପ୍ରଡ୍ୟୁସ୍‌ ଟ୍ରେଡ୍‌ ଆଣ୍ତ୍‌ କମର୍ସ‌୍‌, ପ୍ରମୋସନ୍‌ ଆଣ୍ତ୍‌ ଫେସିଲିଏସନ୍‌ ଆକ୍‌ଟ ଏବ˚ ଦ ଫାର୍ମର୍ସ‌୍‌ ଏମ୍‌ପାଵାର‌୍‌ମେନ୍‌ଟ ଆଣ୍ତ୍‌ ପ୍ରୋଟେକ୍‌ସନ୍‌ ଏଗ୍ରିମେନ୍‌ଟ ଅନ୍‌ ପ୍ରାଇସ୍‌ ଆସ୍ୟୋରାନ୍‌ସ ଆଣ୍ତ୍‌ ଫାର୍ମ‌୍‌ ସର୍ଭିସେସ୍‌ ଆକ୍‌ଟ)ରେ କିଛି ନିଦା କଥା କହାଯାଇଛି। ‘କୃଷି ଉପଜ ବିପଣନ ସମିତି’ ଭଳି ଘରୋଇ ମଣ୍ତି ଉପରେ ମଧ୍ୟ ଶୁଳ୍‌କ ଲାଗିବ ଏବ˚ ଏହା ରାଜ୍ୟ ସରକାରମାନଙ୍କ ଦ୍ବାରା ନିୟନ୍ତ୍ରିତ ହେବ ବୋଲି ଶୁଣିବାକୁ ମିଳୁଛି। ତେବେ, ରାଜ୍ୟ ସରକାରମାନେ କ’ଣ କରିବେ, କେହି ଜାଣନ୍ତିନାହିଁ। କିନ୍ତୁ, ଏହା ସ୍ପଷ୍ଟ ଯେ, ଏହା ଦ୍ବାରା କୃଷକମାନଙ୍କର କୌଣସି ଉପକାର ହେବନାହିଁ। କୃଷକର ପ୍ରକୃତରେ କ’ଣ ଲୋଡ଼ା, ତାହାର ସମାଧାନ ଏହି ବ୍ୟବସ୍ଥା ଦ୍ବାରା ହେବନାହିଁ। ନୂଆ ବ୍ୟବସ୍ଥା ଦ୍ବାରା ‘କୃଷି ଉପଜ ବିପଣନ ସମିତି’ ସ˚ପୂର୍ଣ୍ଣ ଭାବେ ନିଶ୍ଚିହ୍ନ ହୋଇଯିବାର ଆଶଙ୍କା ମଧ୍ୟ ଉପୁଜିଲାଣି। ଅନୁବନ୍ଧ ବା ଚୁକ୍ତି ଆଧାରିତ କୃଷି କର୍ମରେ କୃଷକର ପ୍ରକୃତ ଅବସ୍ଥା କ’ଣ ହେବ, ଏହାକୁ ନେଇ ମଧ୍ୟ ଶଙ୍କା ପ୍ରକାଶ ପାଇଛି। ଏହି ବ୍ୟବସ୍ଥାରେ କୃଷକ, କର୍ପୋରେଟ୍‌ ସହ ମୂଲଚାଲ କରିବା ପାଇଁ ଶକ୍ତି ପାଇବ ତ? ନା ଏହି ବ୍ୟବସ୍ଥା କର୍ପୋରେଟ୍‌କୁ ସୁହାଇବ? ଏପରିକି ଜମି ଉପରେ କୃଷକର ଅଧିକାର ରହିବ କି ନା, ଏହାକୁ ନେଇ ମଧ୍ୟ ଆଶଙ୍କା ଉପୁଜିଛି। ଅନେକ ବିଷୟରେ ସରକାର କିଛି ସ୍ପଷ୍ଟ କରୁ ନ ଥିବାରୁ, କୃଷକ ସମାଜ ବିବ୍ରତ।

ଦରବାରୀ ଗଣମାଧ୍ୟମଗୁଡ଼ିକ ଏବେ କୃଷକଙ୍କ ଉପରେ ଦୋଷାରୋପ କରୁଛନ୍ତି। ପ୍ରଚାର କରାଯାଉଛି- ସରକାର ତ ଆଇନରେ ସ˚ଶୋଧନ ଆଣିବାକୁ ରାଜି; ତାହା ହେଲେ କୃଷକମାନେ ଆଇନ ଉଚ୍ଛେଦ କରିବା ପାଇଁ କାହିଁକି ଜିଦ୍‌ କରୁଛନ୍ତି? କୃଷକମାନେ କେବଳ ଏତିକି କହୁଛନ୍ତି- ଆମେ କେବେ ସ˚ଶୋଧନ ପାଇଁ ଦାବି କରି ନ ଥିଲୁ। ଯେହେତୁ ଏହି ଆଇନ ଉପରେ ଆମର ଭରସା ନାହିଁ, ଆମେ କାହିଁକି ସ˚ଶୋଧନକୁ ଗ୍ରହଣ କରିବୁ; ତାହା ମୁଖ୍ୟ ହେଉ ବା ଗୌଣ? ଆମେ କ’ଣ ଆପଣଙ୍କ ଉପହାରକୁ ପ୍ରତ୍ୟାଖ୍ୟାନ କରିପାରିବୁନାହିଁ?

କୃଷକମାନେ ପ˚ଜାବୀ ବିପ୍ଳବୀ କବି ଅବତାର ସି˚ହ ପାଶଙ୍କୁ ଉଦ୍ଧାର କରୁଛନ୍ତି, ଯିଏ ଖଲିସ୍ତାନୀ ଆତଙ୍କବାଦୀଙ୍କ ହାତରେ ନିହତ ହୋଇଥିଲେ: ‘କେତେକ ମାମଲାରେ ତଥା ଇତିହାସର କିଛି ନିର୍ଦିଷ୍ଟ ମୋଡ଼ରେ ମଧ୍ୟମ ମାର୍ଗ ବୋଲି କିଛି ନାହିଁ।’

[email protected]

ସମ୍ବନ୍ଧିତ ଖବର