ରାତିର ବିପଣି

ରଞ୍ଜନ କୁମାର ଦାସ

ଗାଁ’ ଗହଳରେ ଆଗକାଳରେ ଲୋ‌େକ ସାରା ଦିନର ଶ୍ରମ ପରେ କ୍ଳାନ୍ତ ହେଇ ଖାଇପିଇ ଶୀଘ୍ର ଶୋଇ ଯାଉଥିଲେ। ସହର ସଭ୍ୟତା ଆରମ୍ଭ ହେଲା ପ‌େର ଓ ବିଜୁଳି ବତିର ଉଦ୍ଭାବନ ପରେ ଅନ୍ଧାର ଆପେ ଆପେ ଦୂରେଇ ଗଲା। ଲୋକେ ଅଧକି ରାତି ଯାଏ ଚେଇଁଲେ। ସହର ଯେତେ ବଡ଼, ଯେତେ ଚଳଚଞ୍ଚଳ ହୁଏ, ତା’ର ନାଗରିକମାନେ ସେତେ ଅଧିକ ଗଭୀର ରାତି ଯାଏ ଚେଇଁ ରହନ୍ତି। ସେଭଳି ନଗରୀମାନଙ୍କରେ ବାସିନ୍ଦାଙ୍କ ସୁବିଧା ପାଇଁ ହୋଟେଲ, ବଜାର ସବୁ ଖୋଲା ରହେ, ଗାଡ଼ି ମଟର ଚାଲେ, ଆମୋଦପ୍ରମୋଦ ବି ଚାଲେ। ବିଶ୍ୱର ଯେତେସବୁ ବଡ଼ ବଡ଼ ସହର ସେମାନେ ତାଙ୍କର ଉଜାଗର ରାତ୍ରି ଜୀବନ ପାଇଁ ଜଣାଶୁଣା। ପ୍ୟାରିସ, ଲଣ୍ଡନ, ନ୍ୟୁୟର୍କ, ସିଙ୍ଗାପୁର, ବ୍ୟାଙ୍କକ୍‌ ଏପରିକି ଆମ ମୁମ୍ବାଇ ଆଦି ସହର ରାତ୍ରିର ବୟସ ବୃଦ୍ଧି ସହ ନିଜ ଅପରୂପ ସୌନ୍ଦର୍ଯ୍ୟର ପରିପ୍ରକାଶ କରନ୍ତି। ସିଙ୍ଗାପୁରରେ ମୁସ୍ତାଫା ସେଣ୍ଟର ନାମକ ଏକ ବଡ଼ ମଲ୍ ବର୍ଷକୁ ବାର ମାସ, ମାସର ତିରିଶ ଦିନ, ଦିନର ଚବିଶ ଘଣ୍ଟା ଖୋଲା ରହେ। ପୃଥିବୀର ଏମିତି କିଛି ପଣ୍ୟଦ୍ରବ୍ୟ ନାହିଁ ଯାହା ସେଠି ମିଳେ ନାହିଁ। ଏହାର ପ୍ରତିଷ୍ଠାତା ମହମ୍ମଦ ମୁସ୍ତାଫା ଜଣେ ଭାରତୀୟ ବ୍ୟବସାୟୀ। ମୁସ୍ତାଫା ଭଳି ସିଙ୍ଗାପୁରରେ କ୍ଲାର୍କେ କ୍ବେ ଆଦି ଅନେକ ଜାଗା ଅଛି ଯେଉଁଠି ରାତି ଯେତେ ବଢ଼େ, ଭିଡ଼ ସେତେ ବଢ଼େ।

ଖାଲି ସିଙ୍ଗାପୁର ନୁହେଁ ବିଶ୍ବର ବିଭିନ୍ନ ପ୍ରାନ୍ତରେ ଏବେ ‘ନାଇଟ୍ ବଜାର’ ବା ‘ରାତିର ବିପଣି’ ଲୋକପ୍ରିୟ ହେଇ ଉଠୁଚି! ସ୍ପେନ୍‌ର ବାର୍ସେଲୋନାର ବ୍ରୁକ୍‌ଲିନ୍ ନାଇଟ୍ ବଜାର ନିକଟ ଅତୀତରେ ଆରମ୍ଭ ହେଇଚି। ଶୁକ୍ରବାର ଓ ଶନିବାର ବାର୍ସେଲୋନାର ପାସିଗ ଡି ଗ୍ରାସିଆ ରୋଡ୍‌ରେ ରାତି ସାରା ଏ ବଜାର ଚାଲେ। ଥାଇଲାଣ୍ଡର ଚ୍ୟାଙ୍ଗ୍‌ମାଇରେ ମଧ୍ୟ ବିଶ୍ବର ଅନ୍ୟତମ ପ୍ରସିଦ୍ଧ ରାତ୍ରି ବଜାର ରହିଛି। ସେଠି ସ୍ୱାଭାବିକ ଭାବେ ରାସ୍ତାରେ ଗାଡ଼ିମଟର ଚାଲେ, ଲୋକ ପାଦରେ ଚଲାବୁଲା କରନ୍ତି। ଅପରାହ୍‌ଣ ହେଇ ଆସିଲେ ଅବହାୱା ବଦଳି ଯାଏ। ଲୁଗାପଟା, ଜୋତା, ବେଲ୍‌ଟ, ମନୋହରୀ ସାମଗ୍ରୀ ଓ ଇଲେକଟ୍ରୋନିକ ସାମଗ୍ରୀର ପସରା ଖୋଲେ। ରାତିର ଶୀତଳତା ଭିତରେ ଲୋକେ ଆରାମରେ ବୁଲନ୍ତିି ଓ ଶସ୍ତାରେ କିଣାକିଣି କରନ୍ତି। ନାଇଟ୍ ବଜାରଗୁଡ଼ିକ ବୁଲାବୁଲି ଓ ଅବସର ବିନୋଦନ ପାଇଁ ମଧ୍ୟ ପ୍ରକୃଷ୍ଟ କ୍ଷେତ୍ର। ଧାଡ଼ି ଧାଡ଼ି ହେଇ ବସୁଥିବା ଏ ଷ୍ଟଲ୍‌ରେ ସ୍ଥାନୀୟ ଠାରୁ ଆରମ୍ଭ କରି ଅନ୍ତର୍ଜାତୀୟ ସାମଗ୍ରୀ ମିଳିଥାଏ। ସୋ’ ରୁମ୍‌ ଭଳି ଏଠାରେ ଟ୍ୟାକ୍‌ସ ଓ ସୋ’ ରୁମ୍‌ ଚାର୍ଜ ଆଦି ପଡ଼ୁନଥିବାରୁ ସାମଗ୍ରୀ ସବୁ ଶସ୍ତାରେ ମିଳିଥାଏ। କିଣାବିକା ବ୍ୟତୀତ ସଙ୍ଗୀତ, ନୃତ୍ୟ, ଖାଦ୍ୟପେୟର ଆସର ମଧ୍ୟରେ ରାତି ରଙ୍ଗିନ ହୋଇ ଉଠେ।

ମାଲେସିଆ ଓ ଇଣ୍ଡୋନେସିଆରେ ମଧ୍ୟ ନାଇଟ୍‌ ବଜାରର ଆଦୃତି ବଢୁଚି। ମରକ୍କୋର ମାରାକେଚ୍‌ ନାଇଟ୍ ବଜାର, ତାଇୱାନର ନିଙ୍ଗ୍‌ଜିଆ ନାଇଟ୍ ବଜାର ତଥା ସାନ୍ ଫ୍ରାନସିସ୍‌କୋ ଓ ଲସ୍ ଆଞ୍ଜେଲ୍‌ସର ନାଇଟ୍‌ ବଜାର ବେଶ୍‌ ଲୋକପ୍ରିୟ। ଏହି ସବୁ ବଜାରର ଆଉ ଏକ ବଡ଼ ଆକର୍ଷଣ ବିଭିନ୍ନ ପ୍ରକାର ସ୍ବାଦିଷ୍ଠ ଖାଦ୍ୟର ପସରା।

ତେବେ, କେବଳ ବିଦେଶ ନୁହେଁ ଆମ ଦେଶରେ ଦିଲ୍ଲୀ ଓ ଗୋଆରେ ମଧ୍ୟ ନାଇଟ୍ ବଜାର ଦ୍ରୁତ ଗତିରେ ଲୋକପ୍ରିୟତା ଅର୍ଜନ କରୁଛି। ଗତ କିଛି ବର୍ଷ ହେଲାଣି ଦିଲ୍ଲୀ ହାଟରେ ପର୍ଯ୍ୟଟନ ବିଭାଗ ଦ୍ବାରା ଏକ କ୍ରାଫ୍‌ଟ ଏବଂ ଫୁଡ୍ ବଜାର ଆୟୋଜନ କରାଯାଉଛି, ଯାହା ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି। ବୁଲାବୁଲି, କିଣାକିଣି ଓ ମଉଜମଜଲିସ ଛଡ଼ା ତା’ ଭିତରେ ଥିବା ଆମ୍ଫିଥିଏଟର୍‌ରେ ବିଭିନ୍ନ ସାଂସ୍କୃତିକ ଉତ୍ସବର ଆନନ୍ଦ ଲୋକେ ଆହରଣ କରନ୍ତି। ଦିଲ୍ଲୀ ଭଳି ଗୋଆରେ ଅପେରା ନାଇଟ୍ ମାର୍କେଟ୍‌ ଆୟୋଜିତ ହେଉଛି। ଏଠିକି ବହୁ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଓ ବଣିକ ଆସନ୍ତି। ଗୋଆର ସଙ୍ଗୀତ, ନୃତ୍ୟ ଓ ଆଲୋକର ଇଫେକ୍ଟ ଭିତରେ ଆତ୍ମହରା ପର୍ଯ୍ୟଟକ ତହିଁରେ ମସଗୁଲ ରହନ୍ତି। ତେବେ କେବଳ ପର୍ଯ୍ୟଟକ ନୁହନ୍ତି ସ୍ଥାନୀୟ ଲୋକେ ମଧ୍ୟ ଅଫିସ, ବଜାର, ପିଲାପିଲିଙ୍କ ପାଠପଢ଼ା ସରିଲା ପରେ ରାତିରେ ଏଭଳି ବଜାରକୁ ଚିତ୍ତ ବିନୋଦନ ଲାଗି ଆସନ୍ତି। କେବଳ ଆନନ୍ଦ ବା ଗମାତ କଥା ନୁହେଁ, ଦିନରେ କାର୍ଯ୍ୟବ୍ୟସ୍ତ ଅନେକ ଲୋକ ରାତି ବଜାରରୁ ହିଁ ସେମାନଙ୍କ ଆବଶ୍ୟକ ସାମଗ୍ରୀ କିଣାକିଣି କରନ୍ତି। ଏହା ଅର୍ଥନୀତିକୁ ଚଳଚଞ୍ଚଳ କରିବା ସହିତ ରୋଜଗାର ସୁଯୋଗ ମଧ୍ୟ ସୃଷ୍ଟି କରିଥାଏ।

ଏବେ ଭୁବନେଶ୍ବର ସ୍ମାର୍ଟ ସିଟି ହେବା ପରେ ଏଠି ମଧ୍ୟ ରାତ୍ରି ବଜାର ପାଇଁ ଆଗ୍ରହ ସୃଷ୍ଟି ହେଇଚି। ଏଥିପାଇଁ ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଯଥା ଏକାମ୍ର ହାଟ, ଜନତା ମଇଦାନ, ପ୍ରଦର୍ଶନୀ ପଡ଼ିଆ, ମାର୍କେଟ୍ ବିଲ୍‌ଡିଂ, ସହିଦନଗର ପୂଜା ମଣ୍ଡପ, ଇନ୍ଦିରା ମୈଦାନ, ଖଣ୍ଡଗିରି, ପୋଖରୀପୁଟ ଏବଂ ଏକ ନମ୍ବର ହାଟ ଆଦି ଅନେକ ସ୍ଥାନରେ ସର୍ବେକ୍ଷଣ କରାଯାଇଥିଲା। ଏହା ମଧ୍ୟରୁ ଏକାମ୍ର ହାଟ ସର୍ବାଧିକ ଗ୍ରହଣୀୟ ବୋଲି ସାବ୍ୟସ୍ତ ହେଇଚି। ଏଠାରେ ଘରକରଣା ଜିନିଷ, ଗୃହ ସାଜସଜ୍ଜା ସାମଗ୍ରୀ, ହସ୍ତଶିଳ୍ପ ସାମଗ୍ରୀ, ପ୍ରସାଧନ, ଲୁଗାପଟା, ଜୋତା, ଖେଳନା ଓ ରୋଷେଇବାସ ସାମଗ୍ରୀ ବ୍ୟତୀତ ଟାଟୁ, ପେଡ଼ିକିଓର, ମାନିକିଓର କରାଯିବାର ସୁବିଧା ସହିତ ଓଡ଼ିଶୀ ନୃତ୍ୟ, ସଙ୍ଗୀତ, ଖାଦ୍ୟ ଆଦି ପରିବେଷଣ କରାଯିବ। ଦେଶ ଓ ବିଦେଶର ଖାଦ୍ୟ ସହ ସ୍ଥାନୀୟ ଓଡ଼ିଶୀ ଖାଦ୍ୟ ମଧ୍ୟ ଗୁରୁତ୍ବ ପାଇବ। ସେଠାରେ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ, ସାମରିକ କ୍ରୀଡ଼ା କୌଶଳ, ବାଲୁକା ଶିଳ୍ପ, ବନାଟି, ଲଉଡ଼ି, ଛଉ ନାଚ, ଓଡ଼ିଶୀ, ସମ୍ବଲପୁରୀ ଆଦିର ପରିବେଷଣ କରାଯାଇପାରେ, ମୁକ୍ତାକାଶ ରଙ୍ଗମଞ୍ଚ, ଚଳଚ୍ଚିତ୍ର ମାଧମରେ ନାଟକ, ସିନେମା, ଫ୍ୟାସନ ସୋ, ମେଲୋଡି ଆଦି ପରିବେଷଣ କରାଯାଇପାରେ। ଭୁବନେଶ୍ବର ପଥୋତ୍ସବ ଆରମ୍ଭ ହେବା ପରେ ଯେମିତି ତା’ର ସଫଳତାରେ ଉଦ୍‌ବୁଦ୍ଧ ହେଇ ଆହୁରି ଅନେକ ଛୋଟବଡ଼ ସହର ତା’ର ଅନୁକରଣ କଲେ, ସେଭଳି ଥରେ ଏହା ଭୁବନେଶ୍ବରରେ ସଫଳ ହେଲେ ଅନ୍ୟ ସହରମାନେ ମଧ୍ୟ ଏହାର ଅନୁକରଣ କରିବେ। ଏହା ହେଲେ ସହରର ବିଭିନ୍ନ ଅନ୍ଧାରିଆ, ଗଳି ରାସ୍ତା ଓ ଖୋଲା ଜାଗାରେ ଜନ ଗହଳି ହେବ ଓ ଅପରାଧମୂଳକ କାର୍ଯ୍ୟ ହ୍ରାସ ପାଇବ। ଏହା ଦ୍ବାରା ପର୍ଯ୍ୟଟନର ବିକାଶ ହେବା ସଙ୍ଗେ ସଙ୍ଗେ ସ୍ଥାନୀୟ ପୌର କର୍ତ୍ତୃପକ୍ଷଙ୍କ ଟିକସ ଆୟରେ ମଧ୍ୟ ବୃଦ୍ଧି ଘଟିବ। ସ୍ଥାନୀୟ କଳା, ସ୍ଥାପତ୍ୟ, ହସ୍ତଶିଳ୍ପ, ବୟନ ଶିଳ୍ପ ବାହାର ପର୍ଯ୍ୟଟକମାନଙ୍କ ଦୃଷ୍ଟିଗୋଚର ହେବ। ପିଲାମାନଙ୍କ ପାଇଁ କଣ୍ଢେଇ ନାଚ, ମ୍ୟାଜିକ୍, ମ୍ୟୁଜିକ ସୋ, ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଓ ମହିଳାଙ୍କ ପାଇଁ ରନ୍ଧନ ପ୍ରତିଯୋଗିତା, ଝୋଟିଚିତା, ଗପସପ ଓ ଟ୍ୟାଲେଣ୍ଟ ସୋ ଆଦି ଆୟୋଜିତ ହେଇପାରିବ।

ଏକାମ୍ର ହାଟ ସହରର କେନ୍ଦ୍ରସ୍ଥଳ ଏବଂ ଏଠାକୁ ଗମନାଗମନର ସୁବିଧା ଉପଲବ୍‌ଧ। ଏଠାରେ ପାର୍କିଂ ଓ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଉପଲବ୍‌ଧ। ତେଣୁ ଏଠାରେ ରାଜ୍ୟର ପ୍ରଥମ ରାତ୍ରି ବଜାର ହେଲେ ତାହା ଭୁବନେଶ୍ବରକୁ ଅଧିକ ଆମୋଦଦାୟକ କରିବା ସହ ଅଧିକ ଆକର୍ଷଣୀୟ କରିବ।

ନିର୍ଦ୍ଦେଶକ, ସଂସ୍କୃତି ବିଭାଗ

ସମ୍ବନ୍ଧିତ ଖବର