ଲୋକଙ୍କ ଠାରୁ ଗଣତନ୍ତ୍ର ଛଡ଼ାଇ ନେଉଛନ୍ତି ନେତା

ଭଗବାନପ୍ରକାଶ

‘ଟାଇମ୍‌ସ ଅଫ୍‌ ଇଣ୍ତିଆ’ରେ ତାଙ୍କର- ‘ପଲିଟିକାଲି ଇନ୍‌କରେକ୍‌ଟ’ ସ୍ତମ୍ଭରେ ବରିଷ୍ଠ ସାମ୍ବାଦିକ ଓ ସମୀକ୍ଷକ ଶୋଭା ଦେ ୨୦୨୦କୁ ମାନବ ଇତିହାସର ସବୁଠାରୁ ଭୟାନକ ବର୍ଷ ବୋଲି କହିଛନ୍ତି। ତାଙ୍କ ମତରେ ଏହାର ଖଳନାୟିକା ହେଉଛନ୍ତି କୋଭିଡ-୧୯ ଓ ମହାନାୟକ ହେଉଛନ୍ତି ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ତିଆର ଅଧୢକ୍ଷ ଅଦର ପୁନାଵାଲା, ଯେ କି ଆତଙ୍କିତ ଭାରତୀୟମାନଙ୍କ ମନରେ ନବ ବର୍ଷର ନୂଆ ଆଶା ସ˚ଚାର କରି ଆଣ୍ଟି-କରୋନା ଭାକ୍‌ସିନ୍‌ ବା ଟିକା ଉପହାର ଦେବେ ବୋଲି ଘୋଷଣା କରିଛନ୍ତି। କରୋନା ମାତାଙ୍କ କୃପାରୁ ଆଜି ସମଗ୍ର ମାନବ ସମାଜ ଗୋଟିଏ ବୋଇତରେ ବସିଚି। ଆମ ଶିକ୍ଷା, ସ˚ସ୍କୃତି, ଆନନ୍ଦ-ଉତ୍ସବ, ପୂଜା, ପ୍ରାର୍ଥନା, ବେଶଭୂଷା, ଶବ୍ଦକୋଷ, ସ୍ବାସ୍ଥ୍ୟରକ୍ଷା, ଆଚାର ବ୍ୟବହାରରେ ଘଟିଚି ଅଭୂତପୂର୍ବ ପରିବର୍ତ୍ତନ। ଆମ ପରିଚୟକୁ ଆବୃତ କରିଛନ୍ତି ରଙ୍ଗବେରଙ୍ଗ ମୁଖାମାନେ। ଅଦୃଶ୍ୟ ମହାମାରୀ କୃପାରୁ ହିମାଳୟ ଏବେ ବହୁ ଦୂରରୁ ଦୃଶ୍ୟମାନ, ଗଙ୍ଗା, ଗୋଦାବରୀ ଅଧିକ ସଫା, ଆକାଶ ଶାନ୍ତ, ବୃକ୍ଷଲତା, ପଶୁପକ୍ଷୀ ନିଃଶ୍ବାସ ମାରୁଛନ୍ତି ମନ ଆନନ୍ଦରେ। ତା’ସହ ଭକ୍ତଙ୍କ ପାଇଁ ମନ୍ଦିର, ମସ୍‌ଜିଦ୍‌, ଗୀର୍ଜା, ଗୁରୁଦ୍ବାର ଦ୍ବାର ବନ୍ଦ। ତା’ସହ ବିଦ୍ୟାଳୟ, କାର୍ଯ୍ୟାଳୟ, ବିଚାରାଳୟ, ବସ୍‌, ରେଳ, ବିମାନବନ୍ଦର ଓ ବର୍ଡର ବା ସୀମାନ୍ତରେ ଆଉ ନାହିଁ କୋଳାହଳ। ପରିବର୍ତ୍ତିତ ପରିସ୍ଥିତି ସହ ଖାପ ଖାଇବା ପାଇଁ ଲୋକେ ନୂଆ ଜୀବନଶୈଳୀ ଆପଣେଇଲେଣି। ନୂଆ ଜୀବନ ଓ ଜୀବିକା ପାଇଁ ଆରମ୍ଭ ହେଲାଣି ନୂଆ ଅନ୍ବେଷଣ। ଘୁଞ୍ଚି ଯାଉଚି ପ୍ରେମ ସମୟ ଓ ବିବାହ ତାରିଖ। ଲକ୍‌ଡାଉନ୍‌, ସଙ୍ଗରୋଧ, ଏକାନ୍ତବାସ ଆଉ ଗଣତନ୍ତ୍ର, ବ୍ୟକ୍ତି ସ୍ବାଧୀନତା, ମାନବାଧିକାରର ପ୍ରଶ୍ନ ନୁହେଁ। ଥଟ୍ଟାରେ ଲୋକେ କହୁଛନ୍ତି କୃଷକ ଆନ୍ଦୋଳନ ପରେ ଆରମ୍ଭ ହେବ କରୋନା ବିରୋଧରେ ଆନ୍ଦୋଳନ ଓ ଧାରଣା, ଅନଶନ ହରତାଳ। ସ୍ଳୋଗାନ ହେବ- ‘ନାହିଁ ଚିକିତ୍ସା, ନାହିଁ ଦବାଇ- କୋଭିଡ୍‌ ବାବା, ହାଇ ହାଇ।’ ସୋସିଆଲ ମେଡିଆରେ ପଚରା ଯାଉଛି- ହେ ‌େଟ୍ବଣ୍ଟିଟ୍ବେଣ୍ଟି- କାହିଁକି ପିଲା ବୁଢ଼ାଙ୍କ ପଛରେ ପଡ଼ିଚୁ? ଯାହାକୁ ସାଙ୍ଗରେ ନେଇ ଆସିଥିଲୁ, ତାକୁ ସାଙ୍ଗରେ ନେଇ ଯା’। ତୋ ପାଇଁ ଏ ବର୍ଷ ବିଦାୟ ଉତ୍ସବ ପାଳନ କରାଯିବ ନାହିଁ। ଏମିତି ଅନେକ କୌତୁକପୂର୍ଣ୍ଣ ମନ୍ତବ୍ୟ।

୨୦୨୦ ଥିଲା ଏକ ଘଟଣା ଦୁର୍ଘଟଣା ବହୁଳ ବର୍ଷ। ଭୁଶୁଡ଼ି ପଡ଼ିଥିଲା ଅର୍ଥନୀତି ଓ ଅତି ଉଷ୍ଣ ହୋଇଥିଲା ରାଜନୀତି। ଦୁଇଟି ଆନ୍ତର୍ଜାତିକ ବର୍ଷ ଓ ଦିବସ ପାଳିତ ହୋଇଥିଲା। ମିଳିତ ରାଷ୍ଟ୍ରସ˚ଘ ୨୦୨୦କୁ ଆନ୍ତର୍ଜାତିକ ଉଦ୍ଭିଦ ଜଗତ୍‌ ସ୍ବାସ୍ଥ୍ୟ ବର୍ଷ ଭାବରେ ପାଳନ କରିଥିଲେ। ଖାଦ୍ୟ ସୁରକ୍ଷା ପାଇଁ, ଦାରିଦ୍ର୍ୟ ନିରାକରଣ ପାଇଁ, ପରିବେଶ ରକ୍ଷା ପାଇଁ ଏବ˚ ଅର୍ଥନୀତିକୁ ସୁଦୃଢ଼ କରିବା ପାଇଁ, କୃଷି ଉତ୍ପାଦନ ବୃଦ୍ଧିରେ ଉଦ୍ଭିଦର ଭୂମିକା ସ˚ପର୍କରେ ସାରା ବିଶ୍ବରେ ବିଚାର ଆଲୋଚନା ହୋଇଥିଲା। ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ ୨୦୨୦କୁ ଆନ୍ତର୍ଜାତିକ ନର୍ସ ଓ ମିଡ୍‌ଵାଇଫ୍‌ ବା ଧାତ୍ରୀ ବର୍ଷ ଭାବରେ ପାଳନ କରିଥିଲେ। କୋଭିଡ୍‌ ସ˚କ୍ରମଣକୁ ରୋକିବାରେ ସ୍ବାସ୍ଥ୍ୟ କର୍ମୀମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। କର୍ତ୍ତବ୍ୟରତ ଥାଇ ଅନେକ ଜୀବନ ହରାଇଥିଲେ। ୨୦୨୦ ଭାରତ ପାଇଁ ମଧୢ ମହତ୍ତ୍ବପୂର୍ଣ୍ଣ ଥିଲା। ଏହି ବର୍ଷ ନବନିର୍ବାଚିତ ସରକାରର ଏକ ବର୍ଷ ପୂରିଲା। ଏହି ବର୍ଷ ବାବ୍ରି-ରାମ ଜନ୍ମଭୂମି ବିବାଦର ସମାଧାନ ହେଲା। ଜାମ୍ମୁ-କାଶ୍ମୀର ସ˚ପର୍କରେ ସମ୍ବିଧାନର ଧାରା ୩୭୦ ଉଠାଇ ଦିଆଗଲା ଓ ଜିଲ୍ଲା ଉନ୍ନୟନ ପରିଷଦ ପାଇଁ ନିର୍ବାଚନ ହେଲା। ନାଗରିକତା ବିଲ୍‌ ପାର୍ଲାମେଣ୍ଟରେ ପାରିତ ହେଲା। ଏହା ବିରୋଧରେ ଆନ୍ଦୋଳନ ଆରମ୍ଭ ହେଲା ଓ ସରିଲା। ଟ୍ରିପଲ୍‌ ତଲାକ୍‌ ବା ତିନି ତଲାକ୍‌କୁ ସୁପ୍ରିମ କୋର୍ଟ ଅବୈଧ ଘୋଷଣା କରି ମୁସଲିମ୍‌ ମହିଳାମାନଙ୍କୁ ନ୍ୟାୟ ପ୍ରଦାନ କଲେ। ଏହି ସମୟରେ ଲଦାଖରେ ଭାରତ ଓ ଚାଇନା ମୁହାମୁହିଁ ହେଲେ। କୃଷକମାନଙ୍କୁ ନ୍ୟାୟ ଦେବା ପାଇଁ ସରକାର ସମ୍ବିଧାନ ସ˚ଶୋଧନ କଲେ, କିନ୍ତୁ ଏହା ବିରୋଧରେ କେତେକ ରାଜ୍ୟର କୃଷକ ସ˚ଗଠନ ସ୍ବର ଉତ୍ତୋଳନ କଲେ। ଆଶା କରାଯାଏ ନୂଆ ବର୍ଷରେ ଏହି ସମସ୍ୟାର ସମାଧାନ ସୂତ୍ର ବାହାରିବ। ଏହି ବର୍ଷ ଦିଲ୍ଲୀ ଓ ବିହାର ବିଧାନସଭା ଓ ଖାଲି ପଡ଼ିଥିବା ସ୍ଥାନ ପାଇଁ ନିର୍ବାଚନ ହେଲା। ବାରମ୍ବାର ନିର୍ବାଚନ ଓ ତତ୍‌ସ˚ପର୍କୀୟ ବ୍ୟୟ, ଅପବ୍ୟୟ ରୋକିବା ପାଇଁ ‘ନିତି’ ଆୟୋଗ, ନିର୍ବାଚନ କମିସନ ଓ ରାଷ୍ଟ୍ରୀୟ ଆଇନ କମିସନ ସରକାରଙ୍କୁ ପରାମର୍ଶ ଦେଲେ। ନଭେମ୍ବର ୨୬ ସମ୍ବିଧାନ ଦିବସ ପାଳନ ଅବସରରେ ପ୍ରିଜାଇଡିଙ୍ଗ୍‌ ଅଫିସରମାନଙ୍କ ରାଷ୍ଟ୍ରୀୟ ସମ୍ମିଳନୀକୁ ଉଦ୍‌ବୋଧନ ଦେଇ- ପ୍ରଧାନମନ୍ତ୍ରୀ ଏକ ଦେଶ- ଏକ ନିର୍ବାଚନ ଆହ୍ବାନ ଦେଲେ। ଏ ବିଷୟରେ ସାରା ଦେଶରେ ବିଚାର ଆଲୋଚନା ପାଇଁ ଅନୁରୋଧ କଲେ।

ଆଲୋଚନା, ସମାଲୋଚନା, ପକ୍ଷ, ପ୍ରତିପକ୍ଷ, ନିରପେକ୍ଷ, ମତ, ଦ୍ବିମତ ଓ ବହୁମତ ଗଣତନ୍ତ୍ରର ଅଭିନ୍ନ ଅଙ୍ଗ ଓ ଆଧାର। ତୃତୀୟ ସହସ୍ରାବ୍ଦୀର ଦ୍ବିତୀୟ ଦଶକ ସରିଲା। ପୃଥିବୀରେ-୨୦୦୧ରେ ଯେଉଁମାନେ ଜନ୍ମ ହୋଇଥିଲେ ଆଜି ସେମାନେ ସମସ୍ତେ ମତଦାତା, ଭୋଟର। ଆଜିର ଗଣତାନ୍ତ୍ରିକ ବ୍ୟବସ୍ଥାରେ ସେମାନଙ୍କର ଆସ୍ଥା ଓ ବିଶ୍ବାସ ଉପରେ ନିର୍ଭର କରିବ ଲୋକତନ୍ତ୍ରର ଭବିଷ୍ୟତ। ଦ୍ବିତୀୟ ସହସ୍ରାବ୍ଦୀର ପ୍ରଥମ ଦଶକରେ ପୃଥିବୀରେ ଗୋଟିଏ ବି ଦେଶ ଗଣତନ୍ତ୍ର ନ ଥିଲା। ଏବେ ମିଳିତ ରାଷ୍ଟ୍ରସ˚ଘର ୧୯୩ ସଦସ୍ୟଙ୍କ ମଧୢରୁ ୧୨୦ ହେଲେ ଗଣତନ୍ତ୍ର। ଏଇ ଦେଶମାନଙ୍କରେ ପୃଥିବୀର ୫୯ ଭାଗ ଲୋକ ବାସ କରନ୍ତି। ସୂଚନା ବିପ୍ଳବ ପରେ ଅଧିକା˚ଶ ସିଟିଜେନ୍‌ ଆଜି ନେଟିଜେନ୍‌ (ଇଣ୍ଟରନେଟ୍‌ରେ କାରବାର କରୁଥିବା ଲୋକେ)। ଏବେ ସମସ୍ତେ ଦୃଶ୍ୟ-ଶ୍ରାବ୍ୟ ମାଧୢମରେ ଗଣତନ୍ତ୍ରକୁ ନିକଟରୁ ଦେଖି ପାରୁଛନ୍ତି। ଆମେରିକାରେ ୨୦୨୦ ଥିଲା ନିର୍ବାଚନ ବର୍ଷ। ହାରିଲା ପରେ ବି ସତ୍ୟକୁ ଅସ୍ବୀକାର କରିବା, କ୍ଷମତା ହସ୍ତାନ୍ତର ପାଇଁ କୁଣ୍ଠିତ ହେବା ଦ୍ବାରା ଡୋନାଲଡ୍‌ ଟ୍ରମ୍ପ୍‌ ଆମେରିକା ଗଣତନ୍ତ୍ରକୁ କଳଙ୍କିତ କରିଥିଲେ। ଭାରତରେ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀମାନେ ପରାଜୟର ଆଭାସ ମିଳିଲା ମାତ୍ରେ ଇସ୍ତଫା ଦେଇଥାନ୍ତି। ରାଷ୍ଟ୍ର ସ˚ଘ ନିରାପତ୍ତା ପରିଷଦର ଏକ ମୁଖ୍ୟ ସଦସ୍ୟ ଚାଇନା। ସେଠାରେ ୧୫୦ କୋଟିି ଲୋକ ଗଣତନ୍ତ୍ରରୁ ବଞ୍ଚିତ। ହ˚କ˚ରେ ପ୍ରଚଳିତ ଲୋକତାନ୍ତ୍ରିକ ବ୍ୟବସ୍ଥାକୁ ସ୍ବୀକାର କରି ଚୁକ୍ତିପତ୍ରରେ ଦସ୍ତଖତ କଲା ପରେ ଚାଇନା ଏବେ ସେଠାରେ ଗଣତନ୍ତ୍ର ବ୍ୟବସ୍ଥାର ଗଳା ରୋଧ କରିଚାଲିଛି। ସହସ୍ର ସ˚ଖ୍ୟାରେ ଲୋକତନ୍ତ୍ର ସପକ୍ଷବାଦୀମାନେ ଏବେ ଜେଲ୍‌ରେ। ସେମିତି ଗଣତାନ୍ତ୍ରିକ ତାଇଵାନ୍‌କୁ ବଳ ପୂର୍ବକ ‘ମେନ୍‌ଲାଣ୍ତ ଚାଇନା’ ବା ମୁଖ୍ୟ ଭୂଖଣ୍ଡରେ ମିଶାଇବା ପାଇଁ ଉଦ୍ୟମ ଜାରି ରହିଚି। ଜିନ୍‌ପିଙ୍ଗ୍‌ ଦଳକୁ ପ୍ରଭାବିତ କରି ନିଜକୁ ଆଜୀବନ ରାଷ୍ଟ୍ରପତି ପ୍ରସ୍ତାବ ପାରିତ କରାଇଛନ୍ତି। ‌େସମିତି ଆଉ ଗୋଟିଏ ତଥାକଥିତ ଗଣତନ୍ତ୍ର ହେଲା ଶକ୍ତିଶାଳୀ ରୁଷିଆ। ସମ୍ବିଧାନ ସ˚ଶୋଧନ କରାଇ ନିଜକୁ ୨୦୩୬ ମସିହା ପର୍ଯ୍ୟନ୍ତ ରାଷ୍ଟ୍ରପତି ପଦରେ ରହିବା ପାଇଁ ବ୍ୟବସ୍ଥା କରିଛନ୍ତି ଭ୍ଳାଦିମିର‌୍‌ ପୁଟିନ୍‌। ଲାଗୁଛି ସତେ ଯେମିତି ଲୋକଙ୍କ ହାତରୁ ଗଣତନ୍ତ୍ରକୁ ନେତାମାନେ ଛଡ଼ାଇ ନେବାରେ ବ୍ୟସ୍ତ।

ପୃଥିବୀର ଅନେକ ଦେଶରେ ସାମରିକ ବାହିନୀଙ୍କ ହାତରେ ପ୍ରକୃତ କ୍ଷମତା ରହିଚି। ପାକିସ୍ତାନ ତା’ର ଏକ ଉଦାହରଣ। ମିଆଁମାର‌୍‌ ପାର୍ଲାମେଣ୍ଟର ୨୫ ପ୍ରତିଶତ ସ୍ଥାନ ମିଲିଟାରି ପାଇଁ ଆରକ୍ଷିତ। ଏସବୁ ସତ୍ତ୍ବେ, ଗଣତାନ୍ତ୍ରିକ ଜଗତ୍‌ ପାଇଁ ୨୦୨୦ ଆଣି ଦେଇଚି ଏକ ସୁଖବର। ସେଇଟି ହେଲା ସୁଦାନର ପ୍ରଧାନମନ୍ତ୍ରୀ ଅବ୍‌ଦଲ୍ଳା ସମ୍ବିଧାନ ସ˚ଶୋଧନ ଜରିଆରେ ଇସ୍‌ଲାମିକ୍‌ ସୁଦାନକୁ ଏକ ଧର୍ମ ନିରପେକ୍ଷ ରାଷ୍ଟ୍ର କରିବା ପାଇଁ ଉପସ୍ଥାପିତ ହୋଇଥିବା ବିଲ୍‌ରେ ଦସ୍ତଖତ କରି ନିଜର ସମ୍ମତି ଦେଇଛନ୍ତି। ଏହାଦ୍ବାରା ସେ ଦେଶରେ ଗଣତନ୍ତ୍ର ମଜଭୁତ ଓ ଇନ୍‌କ୍ଳୁସିଭ୍‌ ବା ଅନ୍ତର୍ଭୁକ୍ତୀ ହେବ। ଏ ବର୍ଷ ଆନ୍ତର୍ଜାତିକ ଗଣତନ୍ତ୍ର ଦିବସ (ସେପ୍‌ଟେମ୍ବର-୧୫)ର ମୁଖ୍ୟ ବିଷୟ ଥିଲା- ‘କୋଭିଡ୍‌ ୧୯: ଗଣତନ୍ତ୍ର ସୁରକ୍ଷା ପାଇଁ ଧୢାନ ଆକର୍ଷଣ’। କାରଣ ଏକ ସୁଦୃଢ଼ ଗଣତନ୍ତ୍ର କରୋନା ପୀଡ଼ିତଙ୍କ ସ୍ବାର୍ଥ ରକ୍ଷା କରିପାରିବ। ଏହି ଗଣତନ୍ତ୍ର ଯୋଗୁଁ ପ୍ରତି ବର୍ଷ ଭାରତରେ କୋଟି କୋଟି ଲୋକ ଦାରିଦ୍ର୍ୟ ସୀମାରେଖା ଅତିକ୍ରମ କରି ପାରୁଛନ୍ତି। ତଥାପି ଗଣତାନ୍ତ୍ରିକ ଦେଶମାନଙ୍କରେ ବି ମାନବାଧିକାର ହନନ ଜାରି ରହିଚି।

‘ଫ୍ରିଡମ୍‌ ହାଉସ୍‌’ଙ୍କର ଏକ ସଦ୍ୟ ଅଧୢୟନ ଅନୁସାରେ ୬୪ଟି ଦେଶରେ ନାଗରିକମାନଙ୍କର ରାଜନୈତିକ ଓ ସାମାଜିକ ନ୍ୟାୟ ସ˚ପର୍କରେ ତିକ୍ତ ଅଭିଜ୍ଞତା ରହିଚି। ଅନେକ ନିର୍ବାଚିତ ସରକାରରେ ସ˚ଖ୍ୟାଲଘୁ ଓ ପଛୁଆ ସ˚ପ୍ରଦାୟ ବିକାଶ ଶିଡ଼ିର ନିମ୍ନ ପାହାଚରେ ଅଛନ୍ତି। ୨୦୨୦ରେ ଅନେକ ଗୋଷ୍ଠୀ ଓ ସ˚ପ୍ରଦାୟ ଆନ୍ଦୋଳନ ଜରିଆରେ ନିଜର ଗଣତାନ୍ତ୍ରିକ ଅଧିକାର ପାଇଁ ଏକାଠି ହୋଇଛନ୍ତି। ପୃଥିବୀର ବିଭିନ୍ନ ଅଞ୍ଚଳରେ ମାନବାଧିକାର ଗୋଷ୍ଠୀମାନେ ହାଜତରେ ମୃତ୍ୟୁ, ପୁଲିସ ଅତ୍ୟାଚାର, ସୀମା ସୁରକ୍ଷା ବାହିନୀର ହି˚ସାଚରଣ, ମାଓବାଦୀଙ୍କ ଆତଙ୍କ, ସ୍ବେଚ୍ଛାସେବୀ ସ˚ଗଠନମାନଙ୍କ ପାଇଁ ଅନାବଶ୍ୟକ ଅଙ୍କୁଶ ଓ ଦୁର୍ନୀତିଗ୍ରସ୍ତ ପ୍ରଶାସନ ବିରୋଧରେ ସ୍ବର ଉତ୍ତୋଳନ କରି ଆସୁଛନ୍ତି। ତା’ସହ ଚାଲୁ ରହିଚି ମୃତ୍ୟୁ ଦଣ୍ତ, ଅନର କିଲିଙ୍ଗ୍‌, କନ୍ୟା ଭ୍ରୂଣ ହତ୍ୟା, ପାରିବାରିକ ହି˚ସା ଇତ୍ୟାଦି ସମସ୍ୟା। କିନ୍ତୁ ସାନ୍ତ୍ବନାର କଥା ଯେ ଆମ ଦେଶରେ ରହିଚି ଏକ ସକ୍ରିୟ ଗଣମାଧୢମ, ସଚେତନ ନାଗରିକ ସମାଜ ଏବ˚ ସ୍ବାଧୀନ ବିଚାର ବ୍ୟବସ୍ଥା। ଏହି ପରିପ୍ରେକ୍ଷୀରେ ‘ଇକୋନମିକ୍‌ ଇଣ୍ଟେଲିଜେନ୍‌ସ ୟୁନିଟ୍‌’ର ଗ୍ଳୋବାଲ ଡେମୋକ୍ରାସି ଇଣ୍ତେକ୍‌ସ-୨୦୨୦ ପ୍ରଣିଧାନ ଯୋଗ୍ୟ। ଏହି ଅଧୢୟନ ଅନୁସାରେ ବିଶ୍ବର ସର୍ବବୃହତ୍‌ ଓ ସର୍ବ ଶକ୍ତିମାନ- ଭାରତ ଓ ଯୁକ୍ତରାଷ୍ଟ୍ର ଆମେରିକା- ଉଭୟ ଦେଶରେ ଗଣତାନ୍ତ୍ରିକ ବ୍ୟବସ୍ଥା କ୍ରମେ ଦୁର୍ବଳରୁ ଦୁର୍ବଳତର ହେବାରେ ଲାଗିଛି। ଏହି ସୂଚକାଙ୍କ ଅନୁସାରେ ୨୦୨୦ରେ ଯେଉଁ ତିନିଟି ଦେଶକୁ ସର୍ବୋତ୍ତମ ଗଣତନ୍ତ୍ର ବୋଲି କୁହାଯାଉଛି ସେମାନେ ହେଲେ- (୧) ନରେଵ, (୨) ଆଇସ୍‌ଲାଣ୍ତ ଓ (୩) ସୁଇଡେନ୍‌। ୧୬୫ ଦେଶର ତାଲିକାରେ ଭାରତର ସ୍ଥାନ ୫୧। ୨୦୧୯ରେ ଭାରତର ସ୍ଥାନ ଥିଲା ୪୧। ଅର୍ଥାତ୍‌ ଗୋଟିଏ ବର୍ଷରେ ଆମେ ଦଶ ପାହାଚ ତଳକୁ ଖସି ଆସିଚେ।

ଏହାର ଏକ ମୁଖ୍ୟ କାରଣ ହେଲା ନାଗରିକ ଅଧିକାର ଉପରେ କ୍ରମାଗତ ପ୍ରହାର। ଏହା ବିରୋଧରେ ଭାକ୍‌ସିନ ବା ଟିକା ପାଇଁ ଗବେଷଣା ଆରମ୍ଭ ହୋଇନାହିଁ। ବିଶ୍ବ ସ୍ତରରେ ଗଣତନ୍ତ୍ରର ସ୍ବାସ୍ଥ୍ୟକୁ ପରୀକ୍ଷା କରିବା ପାଇଁ ପାଞ୍ଚଟି ମାପଦଣ୍ତ ପ୍ରୟୋଗ କରାଯାଏ। ସେଗୁଡ଼ିକ ହେଲା (୧) ସ୍ବଚ୍ଛ ନିରପେକ୍ଷ ନିର୍ବାଚନ ପ୍ରକ୍ରିୟା ଓ ବହୁବାଦୀ ବିଚାରଧାରା, (୨) ଉତ୍ତରଦାୟୀ ପ୍ରଶାସନ, (୩) ରାଜନୈତିକ ସହଭାଗିତା, (୪) ପଲିଟିକାଲ କଲ୍‌ଚର ବା ରାଜନୈତିକ ସ˚ସ୍କୃତି ଏବ˚ (୫) ନାଗରିକ ସ୍ବାଧୀନତା। ତଥାପି ସାମନ୍ତବାଦୀ ଶକ୍ତି, ବ୍ୟକ୍ତି ସ୍ବାର୍ଥ, ରାଜତନ୍ତ୍ର ପୁନଃ ପ୍ରତିଷ୍ଠା, ବ˚ଶବାଦ ଓ ଦିଗ୍‌ଦିଜୟ ଏବଂ ନୂଆ ସାମ୍ରାଜ୍ୟ ଗଠନର ସ୍ବପ୍ନ ଦେଖୁଛନ୍ତି ଅନେକ ନେତା ଓ ତାଙ୍କ ଅନୁଗତମାନେ। ଏବେ ପାକିସ୍ତାନୀ କ୍ରିକେଟର ସୋହେବ ଆଖ୍‌ତାର ଟୁଇଟରରେ ଲେଖିଛନ୍ତି ଶାସ୍ତ୍ର ଅନୁସାରେ ଖୁବ୍ ଶୀଘ୍ର ପାକିସ୍ତାନ ଭାରତ ବିଜୟ କରି ମୁସଲିମ୍‌ ସାମ୍ରାଜ୍ୟ ପ୍ରତିଷ୍ଠା କରିବ। ତୁର୍କୀ ରାଷ୍ଟ୍ରପତି ଏର୍ଡୋଗାନ, ମଧୢପ୍ରାଚ୍ୟରେ ନୂଆ ଅଟ୍ଟୋମାନ୍‌ ସାମ୍ରାଜ୍ୟ ପ୍ରତିଷ୍ଠା ପାଇଁ ବାହାରିଛନ୍ତି। ଅପର ପକ୍ଷେ ବହୁ ଭାଷୀ, ବହୁ ଧର୍ମାବଲମ୍ବୀ, ବହୁ ସ˚ପ୍ରଦାୟ ଓ ସ˚ସ୍କୃତିରେ ସମୃଦ୍ଧ ଭାରତୀୟ ଗଣତନ୍ତ୍ର ବଞ୍ଚି ରହିବା ପାଇଁ ସ˚ଗ୍ରାମ ଜାରି ରଖିଚି। ସ୍ବାଧୀନତା ପର ଠାରୁ ଏପର୍ଯ୍ୟନ୍ତ ଦେଶରେ କ୍ରମାଗତ ଭାବେ ୧୭ ଥର ସାଧାରଣ ନିର୍ବାଚନ ହୋଇ ଶାନ୍ତିପୂର୍ଣ୍ଣ ଭାବରେ କ୍ଷମତା ହସ୍ତାନ୍ତର ହୋଇ ସାରିଲାଣି। କୋଭିଡ୍‌-୧୯ ଦ୍ବାରା ବିପର୍ଯ୍ୟସ୍ତ ଅର୍ଥନୀତି ପଡ଼ି ଉଠି ଆଗକୁ ଚାଲିଲାଣି। ସକାରାତ୍ମକତାବାଦୀମାନେ କହନ୍ତି- ପଛକୁ ଚାହିଁଲେ ଅନୁଭୂତି ଓ ଅଭିଜ୍ଞତା; ଆଗକୁ ଚାହିଁଲେ ଆଶା, ଚାରି ପଟକୁ ଚାହିଁଲେ ବାସ୍ତବତା ଏବ˚ ନିଜ ଭିତରକୁ ଚାହିଁଲେ ଆତ୍ମଦର୍ଶନ। ଆଉ ଦୁଇ ଦିନ ପରେ ୨୦୨୧। ଆସିବ କରୋନା ମହାମାରୀ ପ୍ରତିଷେଧକ ଟିକା। ପୁଣି ମାନବ ସମାଜ ଓ ସଭ୍ୟତା ଆଗକୁ ବଢ଼ିବ।

୨୯-ବି, ବିଡିଏ ଡୁପ୍ଳେକ୍ସ,ପ୍ରଜ୍ଞାବିହାର, ବରମୁଣ୍ତା, ଭୁବନେଶ୍ବର-୩
ମୋ-୯୯୩୭୦୨୭୦୧୭
[email protected]

ସମ୍ବନ୍ଧିତ ଖବର