ସଫେଇ କର୍ମୀ ଆବଶ୍ୟକ

ସ˚ସ୍କୃତି ଓ ସ˚ସ୍କାର - ରାଧାମୋହନ

ବେଦ, ଉପନିଷଦ, ରାମାୟଣ, ମହାଭାରତ, ଶ୍ରୀମଦ୍‌ ଭାଗବତ ସହ ସମସ୍ତ ପୁରାଣ, ସ୍ମୃତି ଶାସ୍ତ୍ର ବିଶେଷତଃ ମନୁ ସ୍ମୃତି ଇତ୍ୟାଦି ଗ୍ରନ୍ଥଗୁଡ଼ିକ ଯୁଗ ଯୁଗ ଧରି ଆମର ବିଚାର, ଭାବନା, ଚଳଣି ଓ ସାମଗ୍ରିକ ଦୃଷ୍ଟିକୋଣକୁ ପ୍ରଭାବିତ କରି ଆସିଛନ୍ତି। ଏସବୁ ବ୍ୟତୀତ ଓଷା ବ୍ରତ ଇତ୍ୟାଦି ପାଇଁ ଲେଖାଯାଇଥିବା ବହିଗୁଡ଼ିକ ମଧୢ ଆମର ଦୈନନ୍ଦିନ ଜୀବନ ସହ ଓତପ୍ରୋତ ଭାବେ ଜଡ଼ିତ ଅଛନ୍ତି। ଏମାନଙ୍କ ମଧୢରୁ ରାମାୟଣ, ମହାଭାରତ ଓ ଶ୍ରୀମଦ୍‌ ଭାଗବତ ଭଳି ମହାନ୍‌ ଗ୍ରନ୍ଥ ଗୁଡ଼ିକ ବିଭିନ୍ନ ସମୟରେ ସ୍ଥାନୀୟ ରଙ୍ଗ ପୁଟ ସହ ବହୁ ଭାବରେ ପରିବର୍ତ୍ତିତ ଓ ପରିବର୍ଦ୍ଧିତ ହୋଇଚନ୍ତି। ରାମାୟଣ ବିଭିନ୍ନ ଦେଶରେ ଭିନ୍ନ ଭିନ୍ନ ରୂପ ନେଇଚି, ମହାଭାରତରେ ହଜାର ହଜାର ଶ୍ଳୋକ ବିଭିନ୍ନ ସମୟରେ ଯୋଡ଼ାଯାଇ ଶେଷରେ ଏହା ଅତି ପୃଥୁଳକାୟ ହୋଇଚି। କୁହାଯାଏ ଯେ ମନୁସ୍ମୃତିରେ ଅର୍ଦ୍ଧାଧିକ ଶ୍ଳୋକ ଏଭଳି ଚତୁର ଭାବେ ଖଞ୍ଜି ଦିଆଯାଇଚି ଯେ କେବଳ ଅତି ସୂକ୍ଷ୍ମ ଭାବରେ ନିରୀକ୍ଷଣ କଲେ ସେଗୁଡ଼ିକ ଅପ୍ରାସଙ୍ଗିକ ଓ ମୂଳ ଲେଖା ସହ ଖାପ ଖାଉ ନଥିବା କଥା ଜଣାପଡ଼େ। ଓଷା ଉପବାସ ପାଇଁ ଲେଖା ଯାଇଥିବା ବହିଗୁଡ଼ିକୁ ଅନୁଧୢାନ କଲେ ଅନେକ ସମୟରେ ଖୁବ୍‌ ହାସ୍ୟାସ୍ପଦ ଜଣାପଡ଼େ, ଅଥଚ ସେଗୁଡ଼ିକୁ ଶିକ୍ଷିତ ଅଶିକ୍ଷିତ ନିର୍ବିଶେଷରେ ନିଷ୍ଠାର ସହ ପାଳନ କରିଥାନ୍ତି। ବେଦୋକ୍ତ ମନ୍ତ୍ରଗୁଡ଼ିକ ପ୍ରାୟ ଅକ୍ଷତ ଅବସ୍ଥାରେ ଚାଲି ଆସିଥିଲେ ମଧୢ ମନ୍ତ୍ରରେ ଥିବା ଶବ୍ଦଗୁଡ଼ିକର ବିଭିନ୍ନ ଅର୍ଥ ଥିବାରୁ ପଣ୍ତିତମାନେ ନିଜର ବିଚାରକୁ ସୁହାଇଲା ଭଳି ଭିନ୍ନ ଭିନ୍ନ ଅର୍ଥ କରି ଦେଇଥାନ୍ତି।

ଆମେ ବ୍ୟବହାର କରୁଥିବା ହାତ ହତିଆରରୁ ଆରମ୍ଭ କରି ସାଇକେଲ, ଗାଡ଼ିମୋଟର ଓ ଯନ୍ତ୍ରପାତିରେ କଳଙ୍କି ଲାଗିଯାଏ, ମଝିରେ ମଝିରେ ସେସବୁରେ ସଫେଇ ଆବଶ୍ୟକ ହୁଏ। ସେହିପରି କାନ୍ଥ ବାଡ଼ରେ ଶିଉଳି ଲାଗିଯାଏ ଓ ଶିଉଳି ସଫା କରିବାକୁ ହୁଏ। ଆମ ଗ୍ରନ୍ଥମାନଙ୍କର ଅବସ୍ଥା ମଧୢ ସେୟା।

ଏଠାରେ ଆଉ ଗୋଟିଏ କଥା ସୂଚାଇ ଦେବା ଆବଶ୍ୟକ ମନେ ହୁଏ। ଜନସାଧାରଣଙ୍କର ଆସ୍ଥା ଭାଜନ ପାଇଁ, ତାଙ୍କର ବିଶ୍ବାସ ବଢ଼େଇବା ପାଇଁ, ଗ୍ରନ୍ଥଗୁଡ଼ିକ ପ୍ରତି ସମ୍ମାନ ବଢ଼େଇବା ପାଇଁ ଏ କଥାଟି ବ୍ରହ୍ମା ନାରଦଙ୍କୁ ବା ଅମୁକ ଋଷିଙ୍କୁ କହିଲେ, ଏହା କୃଷ୍ଣଙ୍କ ମୁଖ ନିଃସୃତ ବାଣୀ ବା ଲକ୍ଷ୍ମୀ ପଚାରିଲେ ଓ ବିଷ୍ଣୁ ଉତ୍ତରରେ କହିଲେ ବା ପାର୍ବତୀଙ୍କର ପ୍ରଶ୍ନର ଉତ୍ତର ମହାଦେବ ଏହିପରି ଭାବରେ ଦେଇଥିଲେ ଏଭଳି ଲେଖାଯାଇଥାଏ। ପ୍ରକୃତରେ କିନ୍ତୁ ସେସବୁ କବି ବା ଲେଖକଙ୍କର ନିଜସ୍ବ ମତ। ଦ୍ବିତୀୟରେ, ମହାଭାରତ ମହର୍ଷି ବ୍ୟାସ ରଚନା କରିଥିଲେ, ତା’ସହ ଅଷ୍ଟାଦଶ ପୁରାଣର ରଚୟିତା ମଧୢ ସେଇ। ପ୍ରକୃତ କଥା ହେଲା ଏଗୁଡ଼ିକ ବିଭିନ୍ନ ସମୟର। ବର୍ତ୍ତମାନର ମହାଭାରତ ଶହ ଶହ ବର୍ଷ ଧରି ବିଭିନ୍ନ ବ୍ୟକ୍ତିଙ୍କ ଦ୍ବାରା ଲିଖିତ। ପୁରାଣମାନଙ୍କର ରଚନା କାଳ ତ ଏଇ କେତେ ଶହ ବର୍ଷ ତଳେ। ତେଣୁ ଜଣେ ବ୍ୟାସଙ୍କ ପକ୍ଷରେ ଏ ସବୁ ଲେଖିବା ସମ୍ଭବ ନୁହେଁ। (ଅବଶ୍ୟ ବ୍ୟାସର ଅର୍ଥ ବିସ୍ତାର, ଯିଏ ଗପ ଭିତରେ ଗପ, ତା’ଭିତରେ ଆଦୃତ ଗପ ଏ ଭଳି ବିସ୍ତାର କରି ଲେଖିଲେ ସେ ବ୍ୟାସ ହୋଇଗଲେ ଓ ବ୍ୟାସ ଗୋଟାଏ ସାଙ୍ଗିଆ ହୋଇଗଲା) ପୁଣି କୌଣସି କଥା ଯଦି ସ˚ସ୍କୃତରେ ଲେଖା ହୋଇଗଲା ଓ ଅମୁୁକ ଋଷି କହିଛନ୍ତି ବୋଲି କହି ଦିଆଗଲା, ତେବେ ସେ ଧର୍ମଗ୍ରନ୍ଥ ହୋଇଗଲା।

ଏଇ ହଜାର ହଜାର ବର୍ଷ ଭିତରେ ଗ୍ରନ୍ଥଗୁଡ଼ିକରେ ଅନେକ ମିଶ୍ରଣ ବା ଅପମିଶ୍ରଣ ହୋଇଛି। ବିଭିନ୍ନ ଭାବେ ମୂଳ ବିଚାର ଗୁଡ଼ିକ କଳୁଷିତ ହୋଇଛି। ପ୍ରଚଣ୍ତ ପ୍ରତିଭାବାନ ଓ ବେଦଜ୍ଞ ସ୍ବାମୀ ଦୟାନନ୍ଦ, ସ୍ବାମୀ ବିବେକାନନ୍ଦ ପ୍ରଭୃତି ବେଦର କଦର୍ଥ ଓ ଶାସ୍ତ୍ରମାନଙ୍କରେ ପଶିଥିବା ଆବର୍ଜନାଗୁଡ଼ିକୁ ସଫା କରିବା ପାଇଁ ପ୍ରଗାଢ଼ ଓ ନିଷ୍ଠାପର ଉଦ୍ୟମ କରିଥିଲେ; କିନ୍ତୁ କଳଙ୍କି ବା ଅପମିଶ୍ରଣର ପରିମାଣ ଏତେ ଯେ ଓ ସେଗୁଡ଼ିକ ଆମର ଏଭଳି ଅସ୍ଥିମଜ୍ଜାଗତ ହୋଇଯାଇଚି ଯେ ଜଣେ ଦି’ଜଣ ବା ଗୋଟେ ଜୀବନ କାଳ ମଧୢରେ ସେଗୁଡ଼ିକୁ ସଫା କରିବା ସମ୍ଭବ ହୋଇନପାରେ। ତା’ ବ୍ୟତୀତ ଗ୍ରନ୍ଥମାନଙ୍କରେ ଥିବା ସବୁ ବିଚାର ଯେ ବର୍ତ୍ତମାନ ମଧୢ ଗ୍ରହଣଯୋଗ୍ୟ, ତା’ ହୋଇ ନ ପାରେ। ବହୁ ବିଜ୍ଞ ବ୍ୟକ୍ତି ଅନେକ ଆଲୋଚନା, ତର୍କବିତର୍କ ପରେ ଆମର ସମ୍ବିଧାନ ତିଆରି କଲେ, କିନ୍ତୁ ଶହେ ବର୍ଷ ନ ପୂରୁଣୁ ଶହେରୁ ଅଧିକ ସ˚ଶୋଧନ ଆବଶ୍ୟକ ହେଲା ଯୁଗୋପଯୋଗୀ କରିବା ପାଇଁ। ହଜାର ହଜାର ବା ଶହ ଶହ ବର୍ଷ ତଳେ ମଣିଷ ସମାଜ ପାଇଁ ଯେଉଁ ଆଚାର ସଂହିତା ରଚିତ ହୋଇଥିଲା ସେଥିରେ ମଧୢ ପରିବର୍ତ୍ତନର ଆବଶ୍ୟକତା ରହିଛି।

ଏବେ କେତୋଟି ଉଦାହରଣ ଦେବା। ଗୀତା ହିନ୍ଦୁମାନଙ୍କର ଏକ ପବିତ୍ର ଗ୍ରନ୍ଥ, କିନ୍ତୁ ଏହା ମହାଭାରତର ଏକ ଅ˚ଶ। ମହାଭାରତର ରଚୟିତା ମହର୍ଷି ବ୍ୟାସ ହୋଇଥିବା ଦୃଷ୍ଟିରୁ, ଗୀତାର ରଚୟିତା ମଧୢ ସିଏ। ଆଉ ଗୀତାରେ କୁହାଗଲା ଯେ, ସ୍ତ୍ରୀ କୁଳଟା ହେଲେ ଧର୍ମ ନଷ୍ଟ ହୁଏ, ବର୍ଣ୍ଣ ଶଙ୍କର ଜାତ ହୁଅନ୍ତି ଓ ଧର୍ମ ନଷ୍ଟ ହୁଏ। ଏଭଳି କଥା ଠିକ୍‌ ବା ଭୁଲ୍‌ କୁହାଯାଉନି, କିନ୍ତୁ ମହର୍ଷି ବ୍ୟାସଙ୍କ ଦ୍ବାରା ଏଭଳି କଥା କିପରି କୁହାଯିବ? ତାଙ୍କର ପିତା ଥିଲେ ମୁନି ପରାଶର, ମାତା ଥିଲେ କୈବର୍ତ୍ତ ପୁତ୍ରୀ ମତ୍ସ୍ୟଗନ୍ଧା ବା ସତ୍ୟବତୀ। ପୁଣି କୁହାଯାଏ ଯେ ପାଣ୍ତବଃ ଜାରଜାତକାଃ। ଆଉ ସେମାନେ ଧର୍ମାଚରଣ କରୁଥିବା ଧର୍ମରକ୍ଷା ପାଇଁ ଶ୍ରୀକୃଷ୍ଣ ସେମାନଙ୍କ ପକ୍ଷରେ ଥିଲେ। ଏଥିରୁ ଗୋଟିଏ କଥା ସ୍ପଷ୍ଟ ହେଉଛି କୌଣସି ଏକ ସମୟରେ ଗୀତାରେ ଏଇ ଶ୍ଳୋକଟି ଯୋଡ଼ି ଦିଆଯାଇଚି।

ମହାଭାରତର ଅନ୍ୟ ଏକ କାହାଣୀ ପ୍ରତି ଦୃଷ୍ଟି ଦେବା। ଭୀମଙ୍କର ଗଦାଘାତରେ ଦୁର୍ଯ୍ୟୋଧନଙ୍କର ମୃତ୍ୟୁ ହେଲା। ମୃତ୍ୟୁ ପୂର୍ବରୁ ସେ କହିଲେ- ଏ ଯୁଦ୍ଧରେ ଆମର ହିଁ ବିଜୟ ସୁନିଶ୍ଚିତ ଥିଲା। ନାନା ଛଳ କରି, କପଟ କରି ଗୁରୁ ଦ୍ରୋଣାଚାର୍ଯ୍ୟ, ମହାବୀର କର୍ଣ୍ଣ ଓ ଜୟଦ୍ରଥ ଇତ୍ୟାଦିଙ୍କୁ ହତ୍ୟା କରି, ଶିଖଣ୍ତୀକୁ ଆଗରେ ରଖି ପିତାମହ ଭୀଷ୍ମଙ୍କୁ ନିରସ୍ତ୍ର କଲ। ଅଧର୍ମାଚରଣ କରି ଓ ଅନ୍ୟାୟ ଭାବେ ଆମକୁ ପରାସ୍ତ କରିଛ। ଆଉ ମୁଁ ଧର୍ମରେ ଥିବା ହେତୁ ତୁମ ଆଗରେ ମୁଁ ସ୍ବର୍ଗାରୋହଣ କରୁଚି। ଏଇ ମର୍ତ୍ତ୍ୟରେ ପଡ଼ିଥାଅ ତୁମେ।

ଏତିକି କହିବା ନ ସରୁଣୁ ସ୍ବର୍ଗରୁ ପୁଷ୍ପ ବୃଷ୍ଟି ହେଲା, ଦୁନ୍ଦୁଭିନାଦ ଓ ଦୁର୍ଯ୍ୟୋଧନଙ୍କର ଯଶୋଗାନ ଶୁଭିଲା। ଅପସରାମାନେ ଦୁର୍ଯ୍ୟୋଧନକୁ ସ୍ବର୍ଗକୁ ପାଛୋଟି ନେଲେ। ଅପର ପକ୍ଷରେ ପାଞ୍ଚ ପତି ଥିଲେ ମଧୢ ଦ୍ରୌପଦୀ ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁନଥିଲେ। ନକୁଳ ଓ ସହଦେବ ନିଜ ନିଜର ସୌନ୍ଦର୍ଯ୍ୟ ନେଇ ଗର୍ବ କରୁଥିଲେ ଏବଂ ଭୀମ ଓ ଅର୍ଜୁନ ନିଜ ନିଜର ଶକ୍ତିକୁ ନେଇ ମଧୢ ଗର୍ବାନ୍ବିତ ଥିଲେ। ଏଇ ଅପରାଧ ପାଇଁ ସେମାନେ ସ୍ବର୍ଗ ଦେଖିପାରିଲେ ନାହିଁ। କେବଳ ଯୁଧିଷ୍ଠିର ହିଁ ସ୍ବର୍ଗ ଦେଖିଲେ। ସେ ପୁଣି ନରେ ବା କୁୁଞ୍ଜରେ ଅଶ୍ବତ୍‌ଥମା ହତ ଭଳି କଥା କହିଥିବାରୁ ନର୍କ ବାଟ ଦେଇ ସ୍ବର୍ଗକୁ ଯିବାକୁ ହେଲା। ପୁଣି ସେ ଗଲା ପରେ ତାଙ୍କ ଆଗରୁ ଦୁର୍ଯ୍ୟୋଧନ ଯାଇଥିବା ଦେଖିଲେ।

ମହର୍ଷି ବ୍ୟାସ ମଣିଷ ଚରିତ୍ରର ଏକ ଚମତ୍କାର ବ୍ୟାଖ୍ୟାକାର ଓ ସମସ୍ତଙ୍କର- ଦୁର୍ଯ୍ୟୋଧନ, କର୍ଣ୍ଣ, ଭୀଷ୍ମ, ଯୁଧିଷ୍ଠିର ଇତ୍ୟାଦି- ଉଭୟ ଭଲ ଓ ମନ୍ଦ ଦିଗଗୁଡ଼ିକୁ ଅତି ନିଖୁଣ ଭାବେ ଚିତ୍ରଣ କରିଛନ୍ତି। କିନ୍ତୁ ଦୁର୍ଯ୍ୟୋଧନଙ୍କ ଭକ୍ତି ଓ ପ୍ରଥମେ ସ୍ବର୍ଗାରୋହଣ କଥାଟା ମହାଭାରତର ମୂଳତତ୍ତ୍ବର ସ˚ପୂର୍ଣ୍ଣ ବିପରୀତ ଜଣାପଡ଼େ। ମହାଭାରତ ଭଳି ମହାସମୁଦ୍ରରେ କଥାଟି ମିଶେଇ ଦିଆଯାଇଥିବା ଜଣାପଡ଼େ। କାରଣ ଭୀମ ଓ ଅର୍ଜୁନ, ବା ନକୁଳ ଓ ସହଦେବଙ୍କ ଠାରୁ ଦୁର୍ଯ୍ୟୋଧନଙ୍କର ଗର୍ବ କ’ଣ କମ୍‌ ଥିଲା? ଏକବସ୍ତ୍ରୀ କୁଳବଧୂ ଦ୍ରୌପଦୀକୁ ରାଜସଭାକୁ ଟାଣି ଆଣି ବିବସନା କରିବା କ’ଣ ଅପରାଧ ନ ଥିଲା? ସର୍ତ୍ତ ଅନୁଯାୟୀ ପାଣ୍ତବମାନଙ୍କୁ ଅଜ୍ଞାତବାସ ପରେ ରାଜ୍ୟ ନ ଫେରାଇ, ଏପରିକି ପାଞ୍ଚଟି ପଡ଼ା ମଧୢ ନ ଦେଇ ବିନା ଯୁଦ୍ଧରେ ସୂଚ୍ୟଗ୍ର ମେଦିନୀ ନ ଦେବା ଘୋଷଣା କରି ଯୁଦ୍ଧରେ ଅଶେଷ ରକ୍ତପାତର କାରଣ କ’ଣ ଦୁର୍ଯ୍ୟୋଧନ ନ ଥିଲେ? ଏମିତି ଦୁର୍ଯ୍ୟୋଧନଙ୍କ ଅଧର୍ମାଚରଣର ଉଦାହରଣରେ ମହାଭାରତ ଭରପୂର।

ଅନ୍ୟ ପକ୍ଷରେ ଯୁଧିଷ୍ଠିରଙ୍କୁ କାହିଁକି ନର୍କ ବାଟ ଦେଇ ସ୍ବର୍ଗକୁ ଯିବାକୁ ହେଲା। ଅଶ୍ବତ୍‌ଥମାଙ୍କର ମୃତ୍ୟୁର ସତ୍ୟତା ଜାଣିବା ପାଇଁ ଗୁରୁ ଦ୍ରୋଣ ଯୁଧିଷ୍ଠିରଙ୍କୁ ପଚାରିଲେ, କାରଣ ସେ ଧର୍ମରେ ଥାଆନ୍ତି ଓ ସେ ହିଁ ସତ୍ୟ କହିବେ, କିନ୍ତୁ ସିଧାସଳଖ ଉତ୍ତର ନ ଦେଇ ବାଆଁରେଇ ଦେଲେ। ଏ ଆଚରଣ ପାଇଁ ହିଁ ତାଙ୍କୁ ନର୍କ ଦର୍ଶନ ଯୋଗ ମିଳିଲା। ନିଜ ପତ୍ନୀଙ୍କୁ ପଶା ଖେଳରେ ଯେ ବାଜି ରଖିଲେ ଓ ସେଇଥିପାଇଁ ନିଜ ଆଖିରେ ପଞ୍ଚପତି ନିଜ ପତ୍ନୀଙ୍କର ଇଜ୍ଜତ ଲୁଟିର ଦୃଶ୍ୟ ଦେଖି ମଧୢ ନିର୍ଧର୍ଯ୍ୟ ହୋଇ ରହିଲେ- ଏ ଘଟଣାଟି, ଏ ଅପରାଧଟି କ’ଣ ଗୌଣ ଥିଲା?

ଏ ସବୁ ବ୍ୟତୀତ ମହାଭାରତର ଯାହା ଅସଲ ମଞ୍ଜ କଥା, ତା’ ହେଲା କୃଷ୍ଣାବତାରଟି ଧର୍ମସ˚ସ୍ଥାପନ ପାଇଁ ହୋଇଥିଲା। ଏହା ଯଦି ସତ୍ୟ, ତେବେ ଦୁର୍ଯ୍ୟୋଧନଙ୍କର ପ୍ରଥମେ ସ୍ବର୍ଗାରୋହଣ କଥାଟି ସମ୍ପୂର୍ଣ୍ଣ ଖାପଛଡ଼ା ଜଣାଯାଏ। ଏହା ଏକ ଅପମିଶ୍ରଣ, କାରଣ ଧର୍ମରେ ଥିବା ହେତୁ ତ ପାଣ୍ତବଙ୍କ ପକ୍ଷରେ କୃଷ୍ଣ ରହିଲେ।

ମହାଭାରତର ଆଉ କେଉଁ କେଉଁ କାହାଣୀଗୁଡ଼ିକ ଏଭଳି ମିଶେଇ ଦିଆଯାଇଚି ଯାହା ମୂଳ ବିଚାରକୁ ବିରୋଧ କରୁଚି; ଗଭୀର ଅନୁଧୢାନ ପରେ ସେସବୁ ଠାବ କରିବାକୁ ହେବ, ସେ କାମଟି ସଫେଇ କର୍ମୀମାନେ କରିବେ। ଏହା ଏକ ଜଟିଳ କାର୍ଯ୍ୟ, କିନ୍ତୁ ସମ୍ଭବ।

ମୋ- ୯୪୩୮୫୦୬୭୮୦

ସମ୍ବନ୍ଧିତ ଖବର