ନ୍ୟାୟପାଳିକାର ଜାଗ୍ରତ ପ୍ରହରୀ

ବିଭୁ ପ୍ରସାଦ ତ୍ରିପାଠୀ

ଭାରତବର୍ଷର ଗଣତାନ୍ତ୍ରିକ ବ୍ୟବସ୍ଥାରେ ଆଇନର ଶାସନକୁ ସୁଦୃଢ଼ କରିବା ପାଇଁ ନ୍ୟାୟପାଳିକାର ବିଚାରଗତ ନିଷ୍ଠାକୁ କେହି ଅସ୍ବୀକାର କରିପାରିବେ ନାହିଁ। ସତୁରୀ ବର୍ଷର ସ୍ବାଧୀନତୋତ୍ତର ଭାରତବର୍ଷରେ ସାଧାରଣ ଜନତା ନିଜେ ନିର୍ବାଚିତ କରୁଥିବା ଜନପ୍ରତିନିଧି କିମ୍ବା ସେମାନଙ୍କ ଅର୍ଥ ଦ୍ବାରା ପ୍ରତିପାଳିିତ କାର୍ଯ୍ୟପାଳିକା ଅପେକ୍ଷା ନ୍ୟାୟପାଳିକା ଉପରେ ଅଧିକ ବିଶ୍ବାସ ରଖି ଆସିଛନ୍ତି। ଆମ ବିଚାର ପ୍ରକ୍ରିୟାଟି ଯେତେ ବିଳମ୍ବିତ ହେଲେ ମଧ୍ୟ, ଅପରାଧୀମାନେ ସମୟସୀମା ଭିତରେ ଦୋଷୀ ପ୍ରମାଣିତ ହୋଇ ନ ପାରିଲେ ମଧ୍ୟ ନ୍ୟାୟ ପାଇଁ ସାଧାରଣ ବ୍ୟକ୍ତିଟିଏ ନ୍ୟାୟପାଳିକାର ନିରପେକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିବା ବଦଳରେ ନ୍ୟାୟପାଳିକା ଉପରେ ଅଧିକ ନିର୍ଭର କରିଥାଏ। ସେଥିପାଇଁ ସରକାରଙ୍କ ତରଫରୁ ବହୁ ସ˚ଖ୍ୟାରେ କୋର୍ଟ ପ୍ରତିଷ୍ଠା କରାଯାଇ ସମସ୍ତଙ୍କ ନିକଟରେ ନ୍ୟାୟ ପହଞ୍ଚାଇବା ପାଇଁ ଯୋଜନା କରାଯାଉଛି। କେତେକ ରାଜ୍ୟମାନଙ୍କରେ କ୍ୟାମ୍ପ କୋର୍ଟ ପ୍ରତିଷ୍ଠା କରାଯାଇ ଜନସାଧାରଣଙ୍କର ସାମ୍ବିଧାନିକ ଅଧିକାରଗୁଡ଼ିକୁ ସୁରକ୍ଷା ଦେବା ଲାଗି ଉଦ୍ୟମ ହେଉଛି। ସେହିପରି ଆଇନ ସେବା ପ୍ରାଧିକରଣ ମାଧ୍ୟମରେ ଆଇନ ସ୍ବେଚ୍ଛାସେବୀମାନଙ୍କୁ ପ୍ରଶିକ୍ଷଣ ଦିଆଯାଇ ସାଧାରଣ ଲୋକଙ୍କୁ ବିଭିନ୍ନ ଦରଖାସ୍ତ ଲେଖିବା ଦିଗରେ ସହାୟତା ପ୍ରଦାନର ବନ୍ଦୋବସ୍ତ କରାଯାଉଛି। ଏବେ କରୋନା ପରିପ୍ରେକ୍ଷୀରେ ଭର୍ଚୁଆଲ୍ କୋର୍ଟ ମାଧ୍ୟମରେ, ଏପରିକି କେତେକ ସ୍ଥଳରେ ଭିଡିଓ କନଫରେନ୍‍ସିଂ ମାଧ୍ୟମରେ ଗୁରୁତ୍ବପୂର୍ଣ୍ଣ ମକଦ୍ଦମା ଗୁଡ଼ିକର ଶୁଣାଣି କରାଯାଉଛି। ଆମ ରାଜ୍ୟର ହାଇକୋର୍ଟ ଓ ନିମ୍ନ ଅଦାଲତ ଗୁଡ଼ିକରେ ଏଭଳି ଭର୍ଚୁଆଲ୍ କୋର୍ଟର ସୁଫଳ ମିଳିପାରିଛି। ସରକାର ଓ ନ୍ୟାୟପାଳିକା ମକଦ୍ଦମାଗୁଡ଼ିକୁ ଆପୋଷ ବୁଝାମଣା କେନ୍ଦ୍ର କିମ୍ବା ଆର୍ବିଟ୍ରେସନ୍ କେନ୍ଦ୍ର ମାଧ୍ୟମରେ ସମାଧାନ ପାଇଁ ବାରମ୍ବାର ଗୁରୁତ୍ବାରୋପ କରୁଥିଲେ ହେଁ ଲୋକମାନେ ନ୍ୟାୟ ପାଇଁ କୋର୍ଟ ଉପରେ ହିଁ ଅଧିକ ନିର୍ଭର କରୁଥିବା ଦେଖାଦେଉଛି।

ଆଇନର ଶାସନ ବ୍ୟବସ୍ଥାଟି ସ୍ବାଧୀନ ଓ ନିରକ୍ଷେପ ନ୍ୟାୟିକ ପ୍ରକ୍ରିୟା ଉପରେ ନିର୍ଭର କରେ। ଏଥିପାଇଁ ସାମାଜିକ ପ୍ରତିବଦ୍ଧତା ସମ୍ପନ୍ନ ଆଇନଜୀବୀମାନଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ। ସେମାନେ ହିଁ ଆଇନର ବ୍ୟବସ୍ଥାର ଅଭିଭାବକ। କିନ୍ତୁ ଦୁଃଖର ବିଷୟ ସେମାନଙ୍କ ସାମାଜିକ ନିରାପତ୍ତା, ଆର୍ଥିକ ସ୍ବଚ୍ଛଳତା ଓ ବୌଦ୍ଧିକ ଶକ୍ତିର ବିକାଶ ଲାଗି କୌଣସି ସ୍ବତନ୍ତ୍ର କାର୍ଯ୍ୟକ୍ରମ କରାଯାଉନାହିଁ। ଇତିହାସର ପୃଷ୍ଠାକୁ ଅବଲୋକନ କଲେ ଜଣାପଡ଼େ ଯେ ସ୍ବାଧୀନତା ସ˚ଗ୍ରାମ ସମୟରୁ ଆରମ୍ଭ କରି ଅଷ୍ଟମ ଦଶକ ପର୍ଯ୍ୟନ୍ତ ଆଇନଜୀବୀମାନେ ଦେଶ ଗଠନ ଓ ସୁଶାସନ କ୍ଷେତ୍ରରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏବେ ମଧ୍ୟ ଆମ ଦେଶରେ ଅନେକ ଆଇନଜୀବୀ ସେହି ଭୂମିକା ତୁଲାଇବା ଲାଗି ଉଦ୍ୟମ କରୁଛନ୍ତି। ସେଥିପାଇଁ ସେମାନଙ୍କୁ ବିଭିନ୍ନ ଘାତ ପ୍ରତିଘାତର ସାମନା କରିବାକୁ ପଡୁଛି।

ବିଗତ କିଛିବର୍ଷ ମଧ୍ୟରେ ଆମ ନ୍ୟାୟିକ ପ୍ରକ୍ରିୟାର ଭାବମୂର୍ତ୍ତି ଉପରେ ବିଭିନ୍ନ ସ୍ତରରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନୁଷ୍ଠାନର ପବିତ୍ରତା ରକ୍ଷା କରିବାରେ ଆଇନଜୀବୀମାନଙ୍କ ଭୂମିକା ଏବେ ଆହୁରି ଗୁରୁତ୍ବପୂର୍ଣ୍ଣ ହୋଇଯାଇଛି। ଜନତାଙ୍କ ସ୍ବାର୍ଥର ସାମ୍ବିଧାନିକ ସୁରକ୍ଷା ପାଇଁ ସୃଷ୍ଟି ହୋଇଥିବା ନ୍ୟାୟାଳୟର ବିଶ୍ବାସନୀୟତା ଓ ସାଧୁତା ଉପରେ ବରିଷ୍ଠ ବିଚାରପତି ଗଣମାଧ୍ୟମ ସମ୍ମୁଖରେ ପ୍ରଶ୍ନ କରିବା ଘଟଣା ହେଉ ବା ସୁପ୍ରିମ୍‌ କୋର୍ଟର ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କ ଅଦାଲତ ଅବମାନନା ମାମଲା ହେଉ, ଏସବୁ ଆମ ନ୍ୟାୟିକ ଅନୁଷ୍ଠାନର ବିଭିନ୍ନ ଦୁର୍ବଳତାକୁ ପରିପ୍ରକାଶ କରୁଛି। ଏ ଘଟଣା ସତ୍ତ୍ବେ ଆମ ନ୍ୟାୟିକ ବ୍ୟବସ୍ଥାକୁ ସଜାଡ଼ିବାର ଉଦ୍ୟମ କରାଯାଇନାହିଁ। ହାଇକୋର୍ଟ ଓ ସୁପ୍ରିମ୍ କୋର୍ଟର ବିଚାରପତି ନିଯୁକ୍ତି ପ୍ରକ୍ରିୟାଟି ଯେଭଳି ଗୋପନୀୟତା ଉପରେ ପର୍ଯ୍ୟବସିତ ତାହାର ସକାରାତ୍ମକ ଦିଗଟି ସମ୍ପର୍କରେ ଆମେ ଯେତେ ଯୁକ୍ତି ବାଢ଼ିଲେ ମଧ୍ୟ ସାଧାରଣ ଜନତା ଏହାର ସୁଫଳକୁ ହୃଦୟଙ୍ଗମ କରିପାରୁନାହାନ୍ତି। ବିଚାରପତିମାନଙ୍କର ବଦଳି ପ୍ରକ୍ରିୟା ଉପରେ ଅନେକ ବରିଷ୍ଠ ଆଇନଜୀବୀ ସମ୍ବାଦପତ୍ରମାନଙ୍କରେ ନିଜର ମତ ପ୍ରକାଶ କରିବା ଘଟଣା ସାଧାରଣ ଲୋକଙ୍କ ମନରେ ନ୍ୟାୟପାଳିକାର ଆଉ ଏକ ନକାରାତ୍ମକ ଛବି ସୃଷ୍ଟି କରୁଛି। କୋର୍ଟର କଲେଜିୟମ୍ ପ୍ରକ୍ରିୟାରେ ସ˚ସ୍କାର ସ˚ପର୍କରେ ଯେଉଁ ସବୁ ପ୍ରଶ୍ନ ଉଠୁଛି ସେଗୁଡ଼ିକର ଆଧାର କ’ଣ ସେ ସ˚ପର୍କରେ ସା˚ସଦ ଓ ବିଚାରପତିମାନେ ଆତ୍ମସମୀକ୍ଷା କରିବାର ଆବଶ୍ୟକତା ରହିଛି।

ବିଭିନ୍ନ ଆଇନଜୀବୀ ସ˚ଘଗୁଡ଼ିକ ରାଜନୈତିକ ଦଳମାନଙ୍କର ଏଜେଣ୍ତାକୁ କାର୍ଯ୍ୟକାରୀ କରିବାକୁ ନିଜର ଦାୟିତ୍ବ ବୋଲି ଭାବି ନେଇଛନ୍ତି। ଏହି ସ˚ଘଗୁଡ଼ିକର ନିର୍ବାଚନ ସାଧାରଣ ନିର୍ବାଚନଠାରୁ ଅଧିକ ବ୍ୟୟବହୁଳ। ଅଧିକାଂଶ ସ˚ଘର ନିର୍ବାଚନ ପରବର୍ତ୍ତୀ କାର୍ଯ୍ୟକ୍ରମଗୁଡ଼ିକରେ ନ୍ୟାୟପାଳିକା ସ˚ସ୍କାର କିମ୍ବା ଆଇନଜୀବୀମାନଙ୍କ ପ୍ରଶିକ୍ଷଣ ପ୍ରସଙ୍ଗକୁ ଅଗ୍ରାଧିକାର ଦିଆଯାଉନାହିଁ। ସେମାନଙ୍କ ମଧ୍ୟରେ ଏକତା ଓ ସମନ୍ବୟର ଅଭାବ କାର୍ଯ୍ୟସୂଚୀର ସଫଳ ରୂପାୟନ ଦିଗରେ ଅବରୋଧ ସୃଷ୍ଟି କରୁଛି। ସ˚ଘର ବରିଷ୍ଠ ଆଇନଜୀବୀମାନେ ମଧ୍ୟ ଏକ ଶକ୍ତିଶାଳୀ ବାର୍‍ର ନେତୃତ୍ବ ନେବା ଲାଗି ଆଗେଇ ଆସୁନାହାନ୍ତି। ଆମ ନ୍ୟାୟପାଳିକାର ଭୂମିକାଟି ସାମ୍ପ୍ରତିକ ପରିସ୍ଥିତିରେ କେତେ ପ୍ରାସଙ୍ଗିକ ବୋଲି ବିତର୍କ କଲାବେଳେ ଆଇନଜୀବୀମାନେ ନିଜ କାର୍ଯ୍ୟ ପ୍ରଣାଳୀର ସମୀକ୍ଷା କରିବା ଆବଶ୍ୟକ। ସମାଜରେ ଦୁର୍ବଳ ସ୍ଥିତିରେ ଥିବା ନାଗରିକମାନଙ୍କୁ ଗୁଣାତ୍ମକ ଆଇନ ସହାୟତା ଯୋଗାଇ ଦେବା ପାଇଁ ନ୍ୟାୟପାଳିକା ଓ ଆଇନଜୀବୀମାନେ କିଭଳି କାର୍ଯ୍ୟ କରିବେ ତାହା ଏକ ବିରାଟ ଆହ୍ବାନ ଭାବେ ଛିଡ଼ାହୋଇ ରହିଛି। ବ୍ୟକ୍ତିଗତ ସ୍ବାର୍ଥର ସୁରକ୍ଷା ବଦଳରେ ଆଇନଜୀବୀମାନେ ସର୍ବନିମ୍ନ ଆୟ, ସ୍ବାସ୍ଥ୍ୟ ବୀମା, ଆଇନ ଶିକ୍ଷାରେ ସ˚ସ୍କାର ପାଇଁ ଏକତ୍ରିତ ହେଲେ ଯାଇ ନ୍ୟାୟପାଳିକାର ପବିତ୍ରତା ଅକ୍ଷୁଣ୍ଣ ରହିପାରିବ।

(ନିଖିଳ ଓଡ଼ିଶା ଆଇନଜୀବୀ ସ˚ଘର ୪୯ତମ ବାର୍ଷିକ ଅଧିବେଶନ ଅବସରରେ)

ସାଧାରଣ ସ˚ପାଦକ,
ନିଖିଳ ଓଡ଼ିଶା ଆଇନଜୀବୀ ସ˚ଘ
ମୋ: ୯୮୬୧୦୨୩୨୮୨

ସମ୍ବନ୍ଧିତ ଖବର