କରୋନା ଭୂତାଣୁ ଭୟରେ, ସାରା ବିଶ୍ବରେ ୨୦୨୦ ବର୍ଷର ଆଦ୍ୟଭାଗ ଅର୍ଥାତ୍ ଜାନୁଆରି-ଫେବ୍ରୁଆରିରୁ ଆରମ୍ଭ କରି, ଜୁଲାଇ, ଅଗଷ୍ଟ ଏପରିକି କେଉଁଠି କେଉଁଠି ସେପ୍ଟେମ୍ବର ପର୍ଯ୍ୟନ୍ତ ଯେଉଁ ତାଲାବନ୍ଦ ଘୋଷଣା ହେଲା ବା ଏକ ଅଘୋଷିତ ଜରୁରୀକାଳୀନ ପରିସ୍ଥିତି ପରି ବିଶ୍ବର ୨୧୮ଟି ଦେଶର ଅଧିବାସୀ ଗୃହବନ୍ଦୀର ଜୀବନ ବିତାଇଲେ, ତାର ପରିଣାମ ସ୍ବରୂପ ପୃଥିବୀରେ ଉପଲବ୍ଧ ପ୍ରାକୃତିକ ସମ୍ବଳର ଅବକ୍ଷୟ ତଥା ଅପଚୟରେ ରୋକ୍ ଲାଗିଲା। ସମ୍ବଳର ଦୁରୁପଯୋଗ ବା ଆବଶ୍ୟକତା ଠାରୁ ଅଧିକ ଉପଯୋଗ ପ୍ରାୟତଃ ବନ୍ଦ ହୋଇଗଲା। ପ୍ରକାରାନ୍ତରେ ପ୍ରକୃତି ଓ ପରିବେଶ କେତେକା˚ଶରେ ତାର ପୂର୍ବବର୍ତ୍ତୀ ନିର୍ମଳତର ଅବସ୍ଥାକୁ ଫେରିଆସିବାକୁ ସମୟ ପାଇଲା।
ମହାମାରୀ କାରଣରୁ ଆନ୍ତର୍ଜାତିକ ଓ ଦେଶୀୟ ବିମାନ ଉଡ଼ାଣ, ଦେଶ ଭିତରେ ରେଳ, ମେଟ୍ରୋ, ବସ୍, ଟ୍ରକ୍ରେ ଗମନାଗମନ, ପରିବହନ, ବାଣିଜ୍ୟ ବ୍ୟବସାୟ, ଶିଳ୍ପାୟନ, ସ୍ବାଭାବିକ ଜୀବନଯାପନ ଆଦି ଠପ୍ ହୋଇଗଲା। ଏହି କାରଣରୁ ଯେଉଁ ପ୍ରମୁଖ ପାରିପାର୍ଶ୍ବିକ ସୁଧାର ଦେଖିବାକୁ ମିଳିଲା, ସେଗୁଡ଼ିକ ହେଲା କଳକାରଖାନାରୁ ନିର୍ଗତ ବର୍ଜ୍ୟ, ନାଳ, ନର୍ଦ୍ଦମାର ଦୂଷିତ ଜଳ ଓ ମଇଳା ନଦୀ ନାଳରେ ମିଶିବା ପ୍ରାୟ ଶତ ପ୍ରତିଶତ କମିଗଲା। ଜଳରେ ଦ୍ରବୀଭୂତ ଅମ୍ଳଜାନର ପରିମାଣରେ ୭୯% ବୃଦ୍ଧି ଘଟିବାରୁ ଜଳଚର ଜୀବମାନଙ୍କର ଜୀବନଧାରା ଓ ଜୈବ ବିବିଧତାରେ ଉନ୍ନତି ପରିଲକ୍ଷିତ ହେଲା। ଖବର ପ୍ରକାଶ ପାଇଲା ଯେ ଲଣ୍ତନର ଟେମ୍ସ ନଦୀ ଜଳର ସ୍ବଚ୍ଛତା ବୃଦ୍ଧି ପାଇବାରୁ ତହିଁରେ ଥିବା ଜଳଚର ଜୀବମାନେ ଦୃଷ୍ଟିଗୋଚର ହେଲେ। ଆମ ଦେଶରେ ଦିଲ୍ଲୀ ଠାରେ ଯମୁନା ନଦୀ ଜଳ (ଯାହା ନଦୀକୂଳରେ ଗଢ଼ି ଉଠିଥିବା ବିଭିନ୍ନ ଶିଳ୍ପ ସ˚ସ୍ଥାର ବର୍ଜ୍ୟ ଜଳ ଦ୍ବାରା ପ୍ରଦୂଷିତ ହେବା ଫଳରେ ପ୍ରାୟତଃ ଅନୁପଯୋଗୀ ବିବେଚିତ ହେଉଥିଲା) ପରିଷ୍କାର ହୋଇଗଲା। ହରିଦ୍ବାର ଏବ˚ ବାରାଣସୀ ଠାରେ ଗଙ୍ଗା ନଦୀ ଜଳର ଗୁଣାତ୍ମକ ମାନରେ ଅଭିବୃଦ୍ଧି ଘଟିଲା। ଋଷିକେଶ ଠାରେ ଗଙ୍ଗାନଦୀର ଜଳ ପାନୀୟ ଉପଯୋଗୀ ବୋଲି ଜଣାପଡ଼ିଲା। ଏହି ସମୟର ତାଲାବନ୍ଦ ଯେ କେବଳ ନଦୀଗୁଡ଼ିକ ପାଇଁ ‘ଭେଣ୍ଟିଲେଟର’ ସଦୃଶ କାମ କଲା, ତାହା ନୁହେଁ; ସମଗ୍ର ପରିବେଶ ଓ ତା’ ଭିତରେ ବସବାସ କରୁଥିବା ଜୀବଜଗତ୍ ପାଇଁ ମଧୢ ଏହା ଭେଣ୍ଟିଲେଟର ଭାବରେ କାମ ଦେଲା।
/sambad/media/post_attachments/wp-content/uploads/2020/12/paribesha.jpg)
ବିମାନ ଚଳାଚଳ, ରେଳ, ମେଟ୍ରୋ, ସଡ଼କ ପରିବହନ, ଯାନବାହନ ଚଳାଚଳ ଠପ୍ ହୋଇଯିବା ଦ୍ବାରା ସାରା ବିଶ୍ବରେ ବାୟୁର ଗୁଣାତ୍ମକ ମାନରେ ଉନ୍ନତି ପରିଲକ୍ଷିତ ହେଲା। ଏହା ଦ୍ବାରା ପ୍ରାୟ ୪୪% ବାୟୁ ପ୍ରଦୂଷଣ ହ୍ରାସ ପାଇଲା। ୨୦୧୬ରେ ପ୍ରକାଶିତ ‘ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନ’ର ରିପୋର୍ଟରେ ଦର୍ଶାଯାଇଛି ଯେ ବିଶ୍ବରେ ଘଟୁଥିବା ବାର୍ଷିକ ମୃତ୍ୟୁ ସ˚ଖ୍ୟାର ୮% ବାୟୁ ପ୍ରଦୂଷଣ କାରଣରୁ ଘଟିଥାଏ। କୋଭିଡ୍ ମହାମାରୀ ବିଶ୍ବରେ ବ୍ୟାପିବା ପୂର୍ବରୁ ପ୍ରତି ବର୍ଷ ବାୟୁମଣ୍ତଳକୁ ଅଙ୍ଗାରକାମ୍ଳ ଉତ୍ସର୍ଜନ ଗତ ଦଶନ୍ଧି ତୁଳନାରେ ହାରାହାରି ୧% ବୃଦ୍ଧି ପାଉଥିଲା। ସେହି ଦୃଷ୍ଟିରୁ ତାଲାବନ୍ଦ କାରଣରୁ ଏହି ସକାରାତ୍ମକ ଉପଲବ୍ଧି ହେଲା ଯେ ୨୦୧୯ ମସିହାର ହାରାହାରି ସ୍ତରଠାରୁ ଅଙ୍ଗରକାମ୍ଳ ଉତ୍ସର୍ଜନ ୧୭% ହ୍ରାସ ପାଇଲା। କରୋନା ଭୂତାଣୁର ଉତ୍ପତ୍ତି ସ୍ଥଳ ଚୀନ୍ର ଉହାନ୍ ସହରର ବାୟୁମଣ୍ତଳରେ ଅଙ୍ଗାରକାମ୍ଳ ଉତ୍ସର୍ଜନ ୨୫% କମିଗଲା। ଅନ୍ୟ ସମୟରେ ବାୟୁର ଗୁଣାତ୍ମକ ମାନକ ୧୦୦ରୁ ୨୦୦ ମଧୢରେ ରହୁଥିବା ବେଳେ ତାଲାବନ୍ଦ କାରଣରୁ ଏହା ୫୦ରୁ ୧୦୦ ମଧୢକୁ ଖସି ଆସିଲା; ଯାହାକି ‘ସନ୍ତୋଷଜନକ’ ସ୍ତର ବୋଲି କୁହାଯାଏ। ‘ସଫର’ର ବୈଜ୍ଞାନିକ ଗୁରଫାମ୍ଙ୍କ ଗବେଷଣାତ୍ମକ ତଥ୍ୟ ମୁତାବକ ୨୦୨୦ ମସିହା ମାର୍ଚ୍ଚ ୧୬ ତାରିଖରୁ ଏପ୍ରିଲ ୧୪ ମଧୢରେ ଭାରତର ୨୨ଟି ସହରରେ କ୍ଷୁଦ୍ର କଣିକା ପିଏମ୍ ୧୦, ପିଏମ୍ ୨.୫, କାର୍ବନ ମନୋକ୍ସାଇଡ, ଯବକ୍ଷାରାମ୍ଳ ଆଦି ଯଥେଷ୍ଟ ପରିମାଣେର ହ୍ରାସ ପାଇଥିଲା। ବାୟୁ ସ୍ତରରେ ପ୍ରଦୂଷଣ ହ୍ରାସ ପାଇବାରୁ ଆକାଶ ପରିଷ୍କାର ଓ ନିର୍ମଳ ଦେଖାଗଲା। ବିଶୁଦ୍ଧ ବାୟୁ ଓ ଉଜ୍ଜ୍ବଳ ଦୃଶ୍ୟମାନତା ହିଁ ପରିବେଶ ପ୍ରତି ବିଶ୍ବବ୍ୟାପୀ ତାଲାବନ୍ଦର ଏକ ବିଶେଷ ତଥା ଅନନ୍ୟ ଉପହାର। ଦିଲ୍ଲୀର ବୟସ୍କ ବ୍ୟକ୍ତିମାନେ କହିଲେ ଯେ ଅନେକ ବର୍ଷ ପରେ ସେମାନେ ରାତିରେ ନିର୍ମଳ ଓ ତାରକିତ ଆକାଶ ଦେଖିବାକୁ ପାଇଲେ। ୨୦୦ କିଲୋମିଟର ଦୂରରୁ ପଞ୍ଜାବର ଅନେକ ସ୍ଥାନରେ ବରଫାବୃତ ହିମାଳୟ ପର୍ବତ ଦୃଶ୍ୟମାନ ହେଲା। ଗତ ୩୦ ବର୍ଷ ଭିତରେ ଏପରି ଦୃଶ୍ୟ ସେମାନେ ଦେଖିବାକୁ ପାଇନଥିଲେ। ଶବ୍ଦ ପ୍ରଦୂଷଣ ସ୍ତର ମଧୢ ୬୮ ପ୍ରତିଶତରୁ ୩୫ ପ୍ରତିଶତକୁ ହ୍ରାସ ପାଇଲା। ପ୍ରଦୂଷିତ ପରିବେଶରେ ଧୀରେ ଧୀରେ ବିଲୁପ୍ତି ଦିଗରେ ଅଗ୍ରସର ହେଉଥିବା ଜୈବ ବିବିଧତା ମଧୢ ଏକ ପ୍ରକାର ଆଶ୍ବସ୍ତିର ନିଃଶ୍ବାସ ମାରିଲା। ମନୁଷ୍ୟର ଅବା˚ଛିତ ଅନୁପ୍ରବେଶ ହ୍ରାସ ପାଇବା କାରଣରୁ ବନ୍ୟଜୀବମାନେ ମଧୢ ନିର୍ଭୟରେ ଓ ସ୍ବାଧୀନ ଭାବରେ ବିଚରଣ କରୁଥିବାର ଖବର ବିଶ୍ବର ବିଭିନ୍ନ ସ୍ଥାନରୁ ଆସିଲା।
ତେବେ ତାଲାବନ୍ଦ ପରବର୍ତ୍ତୀ ପର୍ଯ୍ୟାୟରେ ଅନୁଭବ କରାଗଲା ଯେ ଏ ସମସ୍ତ ଉପଲବ୍ଧି ସାମୟିକ ଥିଲା। ତେଣୁ ଏହାକୁ ନେଇ ଆତ୍ମ ସନ୍ତୋଷ ଲାଭ କରିବାର ବିଶେଷ କୌଣସି ଯଥାର୍ଥତା ନାହିଁ। କାରଣ ତାଲାବନ୍ଦ ଘୋଷଣା ପର୍ଯ୍ୟାୟକ୍ରମେ ଉଠିଯିବା ପରେ ପରିବେଶରେ ବାୟୁ, ଜଳ ଓ ଶବ୍ଦ ପ୍ରଦୂଷଣର ସ୍ଥିତି ଯଥା ପୂର୍ବ˚ ତଥା ପର˚ ଅବସ୍ଥାକୁ ଫେରି ଆସିଲାଣି। ଆମ୍ଭମାନଙ୍କର ଜୀବନଯାପନ ଶୈଳୀ ଯେତିକି ପୂର୍ବାବସ୍ଥାକୁ ଫେରି ଆସୁଛି, ପରିବେଶ ପାଦଚିହ୍ନର ଗ୍ରୁପ୍ ସେତିକି ବୃଦ୍ଧି ପାଉଛି। ପରିବେଶର ଅବକ୍ଷୟ ସେତିକି ଦ୍ରୁତ ପରିଲକ୍ଷିତ ହେଉଛି। ଏବେ କରୋନା କବଳରୁ ମୁକ୍ତି ପାଇବା ଲାଗି ସାରା ପୃଥିବୀର ଜନ ସମାଜ ଟିକାର ଅପେକ୍ଷାରେ ରହିଛି। କିନ୍ତୁ ଏକ ଭିନ୍ନ ଦୃଷ୍ଟିରୁ ବିଚାର କଲେ ବୁଝି ହେବ ଯେ ଏହି କରୋନା ମହାମାରୀ ଜନିତ ତାଲାବନ୍ଦ ପ୍ରକୃତରେ ବିଶ୍ବ ପରିବେଶ ଲାଗି ମଧୢ ଏକ ଟିକା ତୁଲ୍ୟ ଥିଲା, ଯାହା ଦ୍ବାରା ବ୍ୟାଧିଗ୍ରସ୍ତ ଓ ଶ୍ବାସରୁଦ୍ଧ ପରିବେଶ ଭଲ ହେବାକୁ ବସିଥିଲା।
ଅବସରପ୍ରାପ୍ତ ପ୍ରଧାନ ମୁଖ୍ୟ ବନସ˚ରକ୍ଷକ (ବନ୍ୟପ୍ରାଣୀ), ଓଡ଼ିଶା
ମୋ: ୯୪୩୭୦୦୦୯୦୪
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/ecology_green-15-512.png)