୨୦୨୧ ଭିନ୍ନ ହେବ!

କିଶୋର ମହାନ୍ତି

ଆମେ ଯାହା ଭାବି କ୍ୟାଲେଣ୍ତରରେ ତାରିଖ ବଦଳାଉ ବା ମାସ ବଦଳାଉ, ସେହି ଭଳି ଭାବନା ସମୟ ପ୍ରବାହରେ ପରିଦୃଷ୍ଟ ହୁଏନାହିଁ। ସମୟ ଏକ ଅନ୍ତହୀନ ସ୍ରୋତ ଭଳି ବହି ଚାଲିଥାଏ ଯାହାକୁ କେବଳ ମଣିଷ ଘଣ୍ଟା, ମିନିଟ୍‌ ଓ ସେ‌େକଣ୍ତ ବା ଦିନ, ମାସ ଓ ବର୍ଷରେ ବିଭାଜିତ କରିଛି। ପୃଥିବୀର ଆଉ କୌଣସି ପ୍ରାଣୀ ଲାଗି ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ୍‌ ମଧୢରେ ଏଭଳି ସୀମାରେଖା ନାହିଁ। ସେହି ଦୃଷ୍ଟିରୁ ବିଚାର କଲେ ୨୦୨୦ ସରି ଯାଇ ପୁଣି ୨୦୨୧ ପ୍ରାରମ୍ଭ ହେବା ମଧୢରେ କୌଣସି ବିଭାଜନ ରେଖା ନାହିଁ। କିନ୍ତୁ ମଣିଷ ଯେହେତୁ କ୍ୟାଲେଣ୍ତରର ସମୟ ଦେଇ ବଞ୍ଚିବା ଶିଖି ସାରିଛି; ସେ ଭାବି ନିଏ ଯେ ବର୍ଷ ସରିବା ସହିତ ଏକ ସମୟ ଖଣ୍ତ ସରିଗଲା ଏବ˚ ଆଉ ଏକ ସମୟ ଖଣ୍ତର ପ୍ରାରମ୍ଭ ହେଲା। ସେହି ବିଚାରରେ ଆଜି ଦିନଟିକୁ ୨୦୨୦ ମସିହାର ଅନ୍ତିମ ଦିବସ ବୋଲି କହିଲେ ହୁଏତ ଭୁଲ ହେବ ନାହିଁ, କିନ୍ତୁ ଆଜି ଓ କାଲି ଅର୍ଥାତ୍‌ ୨୦୨୧ ମସିହାର ପ୍ରଥମ ଦିନ ମଧୢରେ ଏମିତି କିଛି ପ୍ରଭେଦ ରହିବ କି ଯାହା ତାକୁ ଅନ୍ୟ ଦିନଗୁଡ଼ିକ ଠାରୁ ଅଲଗା କରିବ? ତାହା ବିଚାର୍ଯ୍ୟ।

ବିଖ୍ୟାତ ଭାରତୀୟ ଦାର୍ଶନିକ ଜିଡ୍‌ଡୁ କୃଷ୍ଣମୂର୍ତ୍ତି କହିଥିଲେ- ‘ସମୟ ଏମିତି ଗୋଟିଏ ପ୍ରବାହ, ଯେଉଁଠି ଭବିଷ୍ୟତ୍‌ ଓ ବର୍ତ୍ତମାନ ବୋଲି କିଛି ନାହିଁ। ପ୍ରକୃତରେ ସବୁ କିଛି ଅତୀତ’। କାରଣ ଯେଉଁ କ୍ଷଣି ଭବିଷ୍ୟତ୍‌ ବର୍ତ୍ତମାନରେ ପରିଣତ ହୁଏ, ସେହି କ୍ଷଣି ବର୍ତ୍ତମାନ ବି ଅତୀତ ହୋଇଯାଏ। ସୁତରା˚, ତାକୁ ଧରି ରଖିବା କଷ୍ଟକର। ଠିକ ନଈର ପାଣି ଭଳି। ତେଣୁ ୨୦୨୦ ଯେମିତି ଆସନ୍ତା କାଲିକୁ ଅତୀତ ହୋଇଯିବ, ଆଉ ବର୍ଷକ ପରେ ୨୦୨୧ ମଧୢ ଅତୀତ ହୋଇଯିବ ଏବ˚ ଭବିଷ୍ୟତ୍‌ ବର୍ତ୍ତମାନ ମଧୢ ଦେଇ ଅତୀତ ହେବାର ଧାରା ଜାରି ରହିଥିବ। ଆପଣଙ୍କୁ ଲାଗୁଛି କି ଗୋଟିଏ ବର୍ଷ ବହୁତ ଦୀର୍ଘ ସମୟ? ମହାକାଳରେ ଏହା ଗୋଟିଏ କ୍ଷଣର ଅଣୁ ସଦୃଶ।

କିନ୍ତୁ ଚାଲନ୍ତୁ ଦାର୍ଶନିକ ତତ୍ତ୍ବରୁ ବାହାରି ଯାଇ ବାସ୍ତବତାର ଭୂମି ଉପରେ ଛିଡ଼ା ହେବା। ତାହା ହେଲେ ଆମକୁ କ୍ୟାଲେଣ୍ତରର ଆଶ୍ରୟ ନେଇ ବଞ୍ଚିବାକୁ ହେବ। ଦିନ ପରେ ଦିନ ଗଣି ଯୋଜନା କରି ସମୟ କାଟିବାକୁ ହେବ। ୨୦୨୦ ଗୋଟିଏ ଭୟାବହ ପାନ୍‌ଡେମିକ୍‌ର ବର୍ଷ ଥିଲା ବୋଲି ଇତିହାସ ପୃଷ୍ଠାରେ ରହିଯିବ, ଯେମିତି ସ୍ପାନିସ୍‌ ଫ୍ଲୁ ଲାଗି ୧୯୧୮ ମସିହାର ଉଲ୍ଲେଖ ଆମେ ଆଜି ବି ଦେଖୁଛେ। କହିବାର ଆବଶ୍ୟକତା ନାହିଁ ଯେ ପ୍ରାୟ ସମସ୍ତଙ୍କ ମତରେ ୨୦୨୦ ଏକ ଅଶୁଭ ବର୍ଷ ଥିଲା। କିନ୍ତୁ ଯେଉଁମାନେ ଆଶାବାଦକୁ ପୁ˚ଜି କରି ବଞ୍ଚନ୍ତି, ସେମାନେ କହନ୍ତି ୨୦୨୦ ତ ଆମକୁ ଅନେକ କିଛି ଶିକ୍ଷା ଦେଇ ଯାଇଛି। ମଣିଷର ସମସ୍ତ କ୍ଷୁଦ୍ରତା ସତ୍ତ୍ବେ ସେ ଅହ˚କାରର ବଶବର୍ତ୍ତୀ ହୋଇ ନିଜକୁ କେତେ ବଡ଼ ବୋଲି ଭାବି ନ ଥାଏ ସତେ? ଏହି କ୍ଷୁଦ୍ରାତିକ୍ଷୁଦ୍ର ଭୂତାଣୁ ଦେଖାଇ ଦେଇ ଯାଇଛି ମଣିଷ କେତେ ଅସହାୟ। ବୈଜ୍ଞାନିକମାନେ କହନ୍ତି ଏବେ ସାରା ପୃଥିବୀରେ ପ୍ରାୟ ୧୮ ଲକ୍ଷ ଲୋକଙ୍କ ପ୍ରାଣନାଶ କରିଥିବା ଏବ˚ ୮ କୋଟି ୨୪ ଲକ୍ଷରୁ ଊର୍ଦ୍ଧ୍ବ ଲୋକଙ୍କୁ ବ୍ୟାଧିଗ୍ରସ୍ତ କରିଥିବା ସବୁ ଭୂତାଣୁଙ୍କୁ ଯଦି ଗୋଟିଏ ଟେଷ୍ଟ ଟ୍ୟୁବ୍‌ରେ ରଖି ଓଜନ କରାଯାଏ, ତେବେ ତାହା ଦେଢ଼ ଗ୍ରାମ୍‌ରୁ ଅଧିକ ହେବ ନାହିଁ। କିନ୍ତୁ ଦେଖନ୍ତୁ ପୃଥିବୀର କି ଅବସ୍ଥା! ମଣିିଷମାନଙ୍କ ଚଳପ୍ରଚଳ, ଜୀବନଯାତ୍ରା, କଳକାରଖାନା, ଦେକାନବଜାର, ହୋଟେଲ, ରେସ୍ତୋରାଁ ସବୁ ବନ୍ଦ। ଆମେମାନେ କହି ଚାଲିଛେ ଯେ କରୋନା ଯୋଗୁ ପୃଥିବୀ ଶ୍ବାସରୁଦ୍ଧ ଅବସ୍ଥାରେ! କିଏ କହୁଛି ପୃଥିବୀ ମୁମୂର୍ଷୁ ଅବସ୍ଥାରେ! କିନ୍ତୁ ଆଉ କାହାର କିଛି କ୍ଷତି ହୋଇନାହିଁ। ଫୁଲମାନେ ତ ସବୁ ଦିନ ଭଳି ମୃଦୁ ସମୀରଣ ଓ ସୂର୍ଯ୍ୟାଲୋକରେ ନାଚୁଛନ୍ତି। ପ୍ରଜାପତିଙ୍କ ଠାରୁ ଆରମ୍ଭ କରି ହାତୀ ପର୍ଯ୍ୟନ୍ତ ସମସ୍ତେ ଆନନ୍ଦରେ ବିଚରଣ କରୁଛନ୍ତି। ତା’ ଅର୍ଥ ସବୁଠୁ ବୁଦ୍ଧିଆ ପ୍ରାଣୀ ମଣିଷ ପୃଥିବୀକୁ କେବଳ ତାର ବୋଲି ବିଚାର କରି ନେଇଛି, ଯେଉଁଠି ଅନ୍ୟ ଜୀବ ଜଗତ୍‌ର କୌଣସି ମୂଲ୍ୟ ନାହିଁ। ତେଣୁ ମଣିଷ କହୁଛି ଯେ କରୋନା ଯୋଗୁ ପୃଥିବୀ ମୃତ୍ୟୁ ଶଯ୍ୟାରେ! କି ବିଡ଼ମ୍ବନା? ଜୀବବିଜ୍ଞାନୀ କହନ୍ତି ପୃଥିବୀରୁ ଯଦି କେବଳ ମହୁମାଛି ଓ ପ୍ରଜାପତି ବିଲୁପ୍ତ ହୋଇଯାଆନ୍ତି, ତେବେ ମାନବ ସମାଜ ଅନାହାରରେ ରହିବ। କାରଣ ସେମାନଙ୍କ ଦ୍ବାରା ପରାଗ ସଙ୍ଗମ ହୋଇ ତ ଫସଲ ଅମଳ ହେଉଛି। ଅଥଚ, ଆମେ ଭାବୁଛୁ ଯେ ଖାଦ୍ୟ ଉତ୍ପାଦନ କରିବାରେ ଆମର ଅବଦାନ ସର୍ବାଧିକ!

ଏବେ ଛାଡ଼ନ୍ତୁ ସେ କଥା! ଅନ୍ତତଃ ଆମେ ଆଶା ବାନ୍ଧିବା ଯେ ୨୦୨୧ ଏକ ଶୁଭ ବର୍ଷ ହେବ। କିନ୍ତୁ ସତ କହିଲେ ଏହା ସେତେବେଳେ ଏକ ଶୁଭ ବର୍ଷରେ ପରିଣତ ହେବ, ଯଦି ଆମେମାନେ ଜାନୁଆରି ପହିଲା ଦିନ ଏକ ଶପଥ ନେବା ଯେ ପୃଥିବୀକୁ ସମସ୍ତଙ୍କ ଲାଗି ବାସଯୋଗ୍ୟ କରି ତୋଳିବା, ନିଜ ମନରୁ ଅହ˚କାର ଦୂର କରିବା, ସମସ୍ତଙ୍କ ପ୍ରତି ସହାନୁଭୂତିଶୀଳ ହେବା ଓ ନିଜେ ବଞ୍ଚି ଅନ୍ୟକୁ ବଞ୍ଚିବାକୁ ଦେବା। ନିଜ ଠାରେ ପରିବର୍ତ୍ତନ କଲେ ଯାଇ ପୃଥିବୀ ବଦଳିବ ଓ ସମୟ ବଦଳିବ। ସେମିତି ହେଲେ ୨୦୨୧ ତାର ପୂର୍ବ ବର୍ଷଗୁଡ଼ିକ ଠାରୁ ଭିନ୍ନ ହୋଇପାରେ।

ମୋ- ୯୪୩୭୭୨୮୪୭୫

ସମ୍ବନ୍ଧିତ ଖବର