ଯେଉଁ କରୋନା ମହାମାରୀ ପ୍ରଥମେ ଚୀନ୍‌ର ଉହାନ୍‌ ସହରରେ ୨୦୧୯ ମସିହାର ଡିସେମ୍ବର ମାସରେ ଚିହ୍ନଟ କରାଯାଇଥିଲା ତାହା ୨୦୨୦ ମସିହା ଡିସେମ୍ବର ମାସ ସରିବା ଆଗରୁ ଆଣ୍ଟାର୍କଟିକା ବି ଛୁଇଁସାରିଲାଣି। ଯେବେ ବି ୨୦୨୦ ମସିହାର ପୂର୍ଣ୍ଣାଙ୍ଗ ଜୀବନୀ ଲେଖାଯିବ ତାହା କେବେ ବି କରୋନାକୁ ବାଦ୍‌ ଦେଇ ସମ୍ଭବ ହୋଇପାରିବନି। କାରଣ କରୋନା ମହାମାରୀ ଥିଲା ୨୦୨୦ ମସିହାର ଦୁର୍ଭାଗ୍ୟ ନିର୍ଦ୍ଧାରକ ପ୍ରମୁଖ ଉତ୍ସ ଯାହାକୁ କି ମହାମାରୀ ଛଡ଼ା ଅତିମାରୀ ଓ ବିଶ୍ବମାରୀ ମଧୢ କୁହାଯାଉଥିଲା। କରୋନା ପୁଣି ଉଭା ହୋଇଥିଲା ଏକ ନୂଆ କାଳ ବିଭାଜକ ଭାବେ। ପୁଲିଜର‌୍‌ ପୁରସ୍କାର ବିଜେତା ବିଶିଷ୍ଟ ଲେଖକ, ବ୍ୟାଖ୍ୟାକାର ଓ ପତ୍ରକାର ଥମାସ୍‌ ଫ୍ରେଡ୍‌ମ୍ୟାନ୍‌ ତ ତାଙ୍କର ଏକ ବିଶ୍ଳେଷଣରେ ଆଭାସ ଦେଇଥିଲେ ଯେ ଆଗକୁ ଲୋକେ ବି.ସି କହିଲେ ‘ବିଫୋର‌୍‌ ଖ୍ରାଏଷ୍ଟ୍’ ବା ଖ୍ରୀଷ୍ଟପୂର୍ବ ସାଙ୍ଗକୁ ‘ବିଫୋର କରୋନା’ ବା କରୋନା ପୂର୍ବ ଅର୍ଥରେ ମଧୢ ଦେଖିପାରନ୍ତି। ଏପରିକି, ଡି.ସି ବା ‘ଡ୍ୟୁରିଙ୍ଗ୍‌ କରୋନା’ ଓ ଏ.ସି ବା ‘ଆଫ୍‌ଟର କରୋନା’ ପର୍ଯ୍ୟାୟ ପ୍ରସଙ୍ଗ ଉଠେଇ ସାରିଲେଣି ଲୋକେ। ମାନେ ଯଥାକ୍ରମେ କରୋନା କାଳର ଓ ପରର ସମୟଖଣ୍ତ କଥା। ହେଲେ କରୋନା ସ˚ପୂର୍ଣ୍ଣ ଅପସରି ଯିବାର ନାଁ ଧରୁନାହିଁ। କେତେ ନା କେତେ ‘ନ୍ୟୁ ନର୍ମାଲ୍‌’ ବା ‘ନୂଆ ସ୍ବାଭାବିକ’ର ସର୍ଜନା କରିଛି ୨୦୨୦ ମସିହାରେ।

Advertisment

ମଣିଷ ସମାଜର ଇତିହାସରେ ମୋଡ଼ ଓ ଆଲୋଡ଼ନ ସୃଷ୍ଟି କରିଥିବା ଅନେକ ଘଟଣା, ଅଘଟଣ ଓ ବ୍ୟକ୍ତିତ୍ବଙ୍କୁ ଆମେ ସିଧାସଳଖ ଭୋଗିନେ କିଂବା ଭେଟିନେ। ଏଇ ଯେମିତି ନଅଙ୍କ ଦୁର୍ଭିକ୍ଷ, ବିଶ୍ବଯୁଦ୍ଧ, ପ୍ଲେଗ୍‌, ବି˚ଶ ଶତାବ୍ଦୀର ପ୍ରଥମ ଭାଗର ଅର୍ଥନୀତିକ ମହା ମାନ୍ଦାବସ୍ଥା, ଗାନ୍ଧୀ, ମାକ୍‌ର୍ସ ଓ ଗୋପବନ୍ଧୁ। କିନ୍ତୁ କରୋନା ସାରା ବିଶ୍ବର ଜୀବନ ଓ ଜୀବିକାକୁ ଏମିତି କ୍ଷତବିକ୍ଷତ କରି ଦେଇଛି ଯେ ତଜ୍ଜନିତ ସ˚କ୍ରମଣ, ଅସୁସ୍ଥତା ଓ ମାରାତ୍ମକ ପରିଣତିରୁ ବର୍ତ୍ତିଯାଇଥିବା ଅନ୍ୟ ସଭିଏଁ ବି ଭୁକ୍ତଭୋଗୀ ସମ ପ୍ରଭାବିତ ଓ ବିଚଳିତ ହୋଇଛନ୍ତି। ୨୦୨୦କୁ ପାରି ହୋଇ ୨୦୨୧କୁ ଯାଇପାରିବା ଅନେକ ଦୃଷ୍ଟିରୁ ବ୍ୟକ୍ତି ଓ ସମାଜ ପାଇଁ ସାରା ପୃଥିବୀରେ ଥିଲା ୨୦୨୦ର ଏକ ବଡ଼ ସଫଳତା, ଉପଲବ୍‌ଧି। ବିରାଟ ଆହ୍ବାନ ମଧୢ।

publive-image

କରୋନାକାଳୀନ ସର୍ବବ୍ୟାପୀ କାରୁଣ୍ୟର ଦୁଇଟି ଦୃଷ୍ଟାନ୍ତ ଦିଆଯାଇପାରେ। ଆରମ୍ଭରୁ ଆରମ୍ଭରୁ ଯେତେବେଳେ ଅଜଣା ଓ ଅଦୃଶ୍ୟ ଭୂତାଣୁ ଯୋଗୁଁ ରୋଗୀଙ୍କ ସ˚ଖ୍ୟା ବଢ଼ୁଥିଲା ଏବ˚ ଚିକିତ୍ସାଳୟରେ ଭର୍ତ୍ତି ହେବା ପାଇଁ ଆକ୍ରାନ୍ତମାନେ ଚାହୁଁଥିଲେ ସେତେବେଳେ ଅନୁରୋଧଟି ଥିଲା ଏଇଭଳି- ଆଜ୍ଞା, ଯେମିତି ଓ ଯେଉଁଠି ହେଉ ପଛେ, ଆମ ଲୋକଟି ପାଇଁ ବେଡ୍‌ଟିଏ କରିଦିଅନ୍ତୁ। ଆପଣଙ୍କର କଲ୍ୟାଣ ହେବ। ପରେ ଯେତେବେଳେ କୋଭିଡ୍‌ କାରଣରୁ ମୃତ୍ୟୁ ଘଟିଥିବା ଖବର ପହଞ୍ଚୁଥିଲା ଓ ଉଚିତ ବୈଜ୍ଞାନିକ-ଡାକ୍ତରୀ କାରଣରୁ ମରଶରୀରକୁ ଅନ୍ୟ କାହାକୁ ହସ୍ତାନ୍ତର ନ କରି ସିଧା ଶେଷକୃତ୍ୟ ପାଇଁ ନିଆଯାଉଥିଲା ସେତେବେଳେ ଅନୁରୋଧ କରାଯାଉଥିଲା- ଆଜ୍ଞା, ଆମକୁ ଅସ୍ଥି ଟିକେ ମିଳନ୍ତାନି! ଶେଷଥର ପାଇଁ ସିଏ ଘୋଡ଼େଇ ହୋଇଥିବା ଚଦରରୁ ସୂତା ଖିଏ ମିଳନ୍ତାନି। ଶାରୀରିକ ଦୂରତା ରକ୍ଷା କରିବା ସାଙ୍ଗକୁ ଛୁଇଁବା ମନା ପରାମର୍ଶ ପୃଷ୍ଠଭୂମିରେ ଏହି ଅନୁରୋଧର ପାଳନ ଅନୁଚିତ ଓ ଅସମ୍ଭବ ଥିଲା।

ପୂର୍ବସୂରୀ ସବୁ ମହାମାରୀ ଓ ବିରାଟ ବିପତ୍ତି ଠାରୁ କରୋନା ଥିଲା ନିଆରା। ଏହା ଥିଲା ପ୍ରକୃତରେ ନିଖିଳ ବିଶ୍ବ ସ୍ବଭାବ ସ˚ପନ୍ନ। ପୃଥିବୀର ୨୧୮ଟିରୁ ଅଧିକ ଦେଶ ଏଥିରେ ଆକ୍ରାନ୍ତ ହୋଇସାରିଛନ୍ତି। ଦୁଇଟି ପ୍ରକାଣ୍ତ ଜଳଜାହାଜ ମଧୢ। ରୋଗ ଭୋଗୁଥିବା ଲୋକେ ଚିକିତ୍ସା ପାଇଁ ସାଧାରଣତଃ ଅନ୍ୟ ସମୟରେ ନିଜେ ନିଜର ବା ନିଜ ଲୋକଙ୍କର ଦାୟିତ୍ବ ନିଅନ୍ତି। ଏ କରୋନା ସମୟରେ ଅନେକତ୍ର ରାଷ୍ଟ୍ର ବା ରାଜ୍ୟ (ଏବ˚ ଉଭୟ) ଆକ୍ରାନ୍ତଙ୍କ ଚିକିତ୍ସାର ଦାୟିତ୍ବ ନେବା ନିଶ୍ଚୟ ଏକବି˚ଶ ଶତାବ୍ଦୀର ଆଧୁନିକ ରାଜନୀତି ଓ ରାଷ୍ଟ୍ର-ରାଜ୍ୟ ବ୍ୟବସ୍ଥା ତରଫରୁ ଏକ ଉତ୍ତମ ଜନମନସ୍କ ପଦକ୍ଷେପ।

ଆମ୍ଭମାନଙ୍କ ଦୈନନ୍ଦିନ ଜୀବନକୁ ଅଧିକ ଆଶ୍ବସ୍ତ ଓ ଜିଇବାଯୋଗ୍ୟ କରୁଥିବା ଅତ୍ୟାବଶ୍ୟକ ସେବା ପ୍ରଦାନକାରୀ କର୍ମୀ ଆଉ କର୍ମଚାରୀ ପରିଣତ ହୋଇଥିଲେ ୨୦୨୦ ମସିହାରେ ଅସଲ କରୋନା ଯୋଦ୍ଧା। ସେମାନଙ୍କ ଭିତରେ ସାମିଲ ଥିଲେ ନର୍ସ, ଆମ୍ବୁଲାନ୍‌ସ ଡ୍ରାଇଭର, ଡାକ୍ତର, ପାରାମେଡିକ୍‌, ପୁଲିସ୍‌, ସ୍ବେଚ୍ଛାସେବୀ ଓ ଅନେକ ଅନାମ ବ୍ୟକ୍ତି ବିଶେଷ। କିଛିଦିନ ପାଇଁ କଳାଧଳା ଓ ରଙ୍ଗିନ କଳେବରରେ ଖବରକାଗଜ ବାହାରି ପାରିନଥିଲେ ମଧୢ ଡିଜିଟାଲ୍‌ ବିକଳ୍ପ କିଛି ପରିମାଣରେ ସମାଧାନ ଯୋଗାଇ ପାରିଥିଲା। ଏ କଥା ସତ ଯେ ବିଭିନ୍ନ କ୍ଷେତ୍ରରେ ସେ ବିକଳ୍ପଟିର ଭେଦ ସୃଷ୍ଟିକାରୀ ଆଶଙ୍କା ବାସ୍ତବ ରୂପ ଧାରଣ କରିଥିଲା, ଯେଉଁଥିପାଇଁ କି ‘ଡିଜିଟାଲ୍‌ ସମାଜ’ଟି ‘ବ୍ରିଜିଟାଲ ସମାଜ’ ପାଇଁ ବାଟ ଦେଖାଉ ବୋଲି ଯୁକ୍ତି ବଢ଼ାଗଲାଣି। ତଦ୍ଦ୍ବାରା ଅଭେଦ, ଯୋଡ଼ାଯୋଡ଼ି ସୃଷ୍ଟି ହୋଇପାରିବ। ଫଳରେ କେତେକ ପିତାମାତାଙ୍କୁ ନିଜ ପିଲାପିଲିଙ୍କ ପାଇଁ ଉପଯୁକ୍ତ ଓ ଅନୁକୂଳ ମୋବାଇଲ କିଣିବା ପାଇଁ ଗହଣା ବିକିବାକୁ ପଡ଼ିବନି କିମ୍ବା କନେକ୍‌ଟିଭିଟିର କୃପା ଅନ୍ବେଷଣରେ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବେଳେବେଳେ ପାହାଡ଼ ଚଢ଼ିବାକୁ ପଡ଼ିବନି। ଡାଟା ସରିଗଲେ ଅନେକ ମଧୢ ଭର୍ଚୁଆଲ (ପ୍ରତୀୟମାନ) ବନ୍ଦୋବସ୍ତର ସୁଫଳ ପାଇ ପାରୁନଥିଲେ। ଡାଟା ଏକବି˚ଶ ଶତାବ୍ଦୀର ନୂଆ ‌େପଟ୍ରୋଲ, ନୂଆ ଗ୍ୟାସ୍‌। ଡାଟା ନାହିଁ ତ ସମ୍ପର୍କ ବିଚ୍ଛିନ୍ନ, ସୁଯୋଗରୁ ବଞ୍ଚିତ।

ପୃଥିବୀରେ ଆଗକୁ ବିଧିବଦ୍ଧ ଭାବେ ଯେଉଁ କରୋନା ପରର ସମୟ ଆସିବ ସେତେବେଳେ ଜଗତାୟନର ନୂଆ ଅବତାର ଦେଖିବାକୁ ମିଳିବ। ତାହା ଆଉ ସେତେଟା ଏପରିକି ଆଦୌ, ରାଷ୍ଟ୍ର ବା ବହୁରାଷ୍ଟ୍ରୀୟ ସ˚ସ୍ଥା ଭିତ୍ତିକ ହେବ ନାହିଁ। ତାହା ହେବ କୋମଳ ଶକ୍ତି, ସୂଚନା-ଯୋଗାଯୋଗ- ପ୍ରଯୁକ୍ତି ଭିତ୍ତିକ। ସା˚ପ୍ରତିକ କରୋନା କାଳରେ ତା’ର ଯଥେଷ୍ଟ ପୂର୍ବାଭାସ ମିଳିସାରିଛି। ଏମିତିରେ ତ ଏ କରୋନା ସମୟରେ ପୃଥିବୀର ଏକମାତ୍ର ବୃହତ୍‌ ଶକ୍ତି ଓ ବିରାଜମାନ ଜଗତାୟନର ମୁଖ୍ୟ ନିୟନ୍ତା ଆମେରିକା ସାରା ପୃଥିବୀର କ’ଣ ମାର୍ଗଦର୍ଶକ ସାଜିବ? ସେ ତ ନିଜ ଦେଶର ସ˚କ୍ରମଣ ସ˚କଟକୁ ସମ୍ଭାଳି ପାରିନଥିଲା। କରୋନା ଜନିତ ସ˚କ୍ରମଣ ଓ ମୃତ୍ୟୁ ପରିସ˚ଖ୍ୟାନ ଆଧାରରେ ଆମେରିକାର ସ୍ଥାନ ବି ଥିଲା ସବା ଉପରେ। ପୁଣି କରୋନା ସମୟରେ ଆମେରିକା ଆହୁରି ଅନ୍ୟାନ୍ୟ ଅଣକରୋନା ସ˚କ୍ରମଣ ଅନୁଭବ କରିଥିଲା। କରୋନାକ୍ରାନ୍ତ ରାଷ୍ଟ୍ରପତି ଟ୍ରମ୍ପ ପିନ୍ଧିଥିବା ମାସ୍କ ଫୋପାଡ଼ି ଦେଇ ଅଧାରୁ ଡାକ୍ତରଖାନାରୁ ପଳେଇ ଆସିଥିବା କଥା କିଏ ବା ନ ଜାଣେ?

ଶରୀରର ଅନ୍ୟତମ ଅତି ଗୁରୁତ୍ବପୂର୍ଣ୍ଣ ଅ˚ଗ ମୁହଁକୁ ସଭିଏଁ ସାଧାରଣତଃ ଉଦ୍‌ଭାସିତ କରିବାକୁ ଚାହାଁନ୍ତି; ଢାଙ୍କି ଓ ଲୁଚେଇ ରଖି ଗୁପ୍ତ ବା ପ୍ରଚ୍ଛନ୍ନ କରିବାକୁ ଚାହାଁନ୍ତିନି। କିନ୍ତୁ ମାସ୍କ ବା ମୁଖାଭରଣ ନୂଆ ମୁହଁର ବେଶ ଧାରଣ କରିଥିଲା ଅନ୍ୟତମ କରୋନା ପ୍ରତିଷେଧକ ଭାବେ। ଏସ୍‌.ଏମ୍‌.ଏସ୍‌ ବୋଇଲେ ବୁଝିବାକୁ ପଡୁଥିଲା- ସାନିଟାଇଜେସନ୍‌ (ହାତଧୁଆ), ମାସ୍କି˚ ଓ ସୋସିଆଲ ଡିଷ୍ଟାନ୍‌ସିଂ (ଶାରୀରିକ ଦୂରତା ରକ୍ଷା); ମୋବାଇଲ ସନ୍ଦେଶ ନୁହେଁ। ‘ଲକ୍‌ଡାଉନ୍‌, ସଟ୍‌ଡାଉନ୍‌, ନାଇଟ୍‌ କର୍ଫ୍ୟୁ, କଣ୍ଟେନ୍‌ମେଣ୍ଟ ଜୋନ୍‌, କ୍ବାରାଣ୍ଟାଇନ୍‌, ସେଲ୍‌ଫ ଆଇସୋଲେସନ୍‌, ଆଣ୍ଟିଜେନ୍‌ ଓ ଆର‌୍‌ଟିପିସିଆର ସମକାଳର ପ୍ରତୀକ ତଥା ପରିଭାଷା ହୋଇଥିବାରୁ ଭାଷାନ୍ତରର ମଧୢସ୍ଥତା ଦରକାର ହେଉନଥିଲା।

ମହାମାରୀ କରୋନା କହିଦେଲା କ୍ଷମତା ଆକାରରେ ନଥାଏ। କରୋନା ଭୂତାଣୁର ଆକାର ବୋଧହୁଏ କ୍ଷୁଦ୍ରାତିକ୍ଷୁଦ୍ର। କିନ୍ତୁ ତା’ର ପ୍ରକୋପ ପୃଥିବୀର ସର୍ବତ୍ର ଅନୁଭୂତ। ଯେତେବେଳେ ଅନେକ ଭାବୁଥିଲେ କରୋନା ଚାଲିଗଲା ନତୁବା ଥମିଗଲା ବୋଲି ଠିକ୍‌ ସେହି ବେଳେ ଶୁଣିବାକୁ ମିଳିଲାଣି କରୋନାର ନୂଆ ପ୍ରଜାତି, ନୂଆ ଉପସର୍ଗ କଥା। ନିଜକୁ ବଞ୍ଚେଇ ରଖିବା ପାଇଁ ଭୂତାଣୁ ତା’ ବାଟରେ ନିଜର ପୁନଃ ଉଦ୍ଭାବନ, ନବୀକରଣ କରି ଚାଲିଛି। ମାନବ ଜାତିକୁ ବି କହି ଦେଉଛି ନିଜର ତତୋଽଧିକ ପୁନଃ ଉଦ୍ଭାବନ, ନବୀକରଣ କଥା। ଚିନ୍ତକ ଓ ବିଶେଷଜ୍ଞଙ୍କ ଭବିଷ୍ୟ କଳ୍ପନା ମୁତାବକ ଆଗକୁ ଯେତେବେଳେ ବ୍ୟାପକ ଜଳବାୟୁ ପରିବର୍ତ୍ତନ କାରଣରୁ ମହାମାରୀ ଠାରୁ ଅଧିକ ବିଷମ ପରିସ୍ଥିତି ଉପୁଜିବ ସେଭଳି ସ୍ଥିତିରେ ମଣିଷର ଜୀବନ ଓ ଜୀବିକା ବଞ୍ଚେଇବା ପାଇଁ ଧନ, ଜ୍ଞାନ ଓ ବଳ ଅପେକ୍ଷା ଅଧିକ କାମରେ ଲାଗିବ ଖାପଖୁଆଇ ଚଳିପାରିବାର କଳାକୌଶଳ।

୨୦୨୦ ମସିହାରେ ଗୋଷ୍ଠୀ, ପରିବାର, ସ˚ପ୍ରଦାୟ ଓ ସମୂହ ସ୍ତରରେ ସାଧାରଣ ଲୋକଙ୍କ କରୋନା ମୁକାବିଲାଧର୍ମୀ ସାହସ ସାଙ୍ଗକୁ ପଦକ୍ଷେପ ଥିଲା ଅସାଧାରଣ ତଥା ଚମକପ୍ରଦ। ଦକ୍ଷିଣ ଭାରତରେ ଜଣେ ମା’ ତାଙ୍କ ପୁଅକୁ ସ୍କୁଟିରେ ବସେଇ ନେଇ ଆସିଲେ ଗୋଟିଏ ସହରରୁ ଆଉ ଏକ ସହରକୁ। ଉତ୍ତର ଭାରତରେ ଜଣେ ଝିଅ ତାଙ୍କ ବାପାଙ୍କୁ ସାଇକେଲରେ ନେଇ ଆସିଲେ ନିଜ ରାଜ୍ୟକୁ। ଆଟାଚି ବା ସୁଟ୍‌କେସ୍‌ ଉପରେ ଶୋଇପଡ଼ି ବାପା ମା’ଙ୍କ ସାଙ୍ଗରେ ଅନ୍ୟତ୍ର ଗମନ କରିପାରିଲେ ଜଣେ ଅଳ୍ପ ବୟସର ପିଲା। ଧାରୁଆ ହେବେନି ବୋଲି କିଛି ଦିନ ଆଶ୍ରୟ ନେଇଥିବା ଏକ ସ୍କୁଲ୍‌ କାନ୍ଥର ରଙ୍ଗ ଓ ମରାମତି କାମ କଲେ ରାଜସ୍ଥାନ ଦେଇ ନିଜ ସ୍ଥାୟୀ ଠିକଣାକୁ ଫେରୁଥିବା କିଛି ଲୋକେ। ଗଣ୍ଠିଲି ପତ୍ର, ପିଲାଛୁଆ ସହ ଖାଲି ପାଦରେ ଘରବାହୁଡ଼ିବାରେ ଲାଗିଥିଲେ ଲକ୍ଷ ଲକ୍ଷ ପ୍ରବାସୀ ଶ୍ରମିକ ଯାହା ଥିଲା କଲିଜାରେ କଣା କରି ଦେଲା ଭଳିଆ ଦୃଶ୍ୟ।

ସ˚ସ୍କୃତି, ଶିକ୍ଷା, ଅର୍ଥନୀତି, ସ୍ବାସ୍ଥ୍ୟ, ପରିବେଶ, ଶିଳ୍ପ, ପର୍ଯ୍ୟଟନ, ସିନେମା, କ୍ରୀଡ଼ା ଓ ଗମନାଗମନ- ସବୁ କ୍ଷେତ୍ର ବିପର୍ଯ୍ୟସ୍ତ ହୋଇଯାଇଥିଲା କରୋନା ସକାଶେ। ମନୋର˚ଜନ ରହିତ ଓ କ୍ରୀଡ଼ାଶୂନ୍ୟ ବାତାବରଣରେ ନୂଆ ନୂଆ ଅବସାଦ, ଉଦ୍‌ବେଗ, ସନ୍ଦେହ ଓ ଅସୂୟା ଜନ୍ମ ନେଉଥିଲା। ଏପରିକି କୁହାଯାଏ ସ˚କ୍ରମଣ ଭୟରେ ଆତଙ୍କବାଦୀମାନେ ମୋଟାମୋଟି ଆତ୍ମଗୋପନ କରିଥିଲେ। ଯଥାର୍ଥ କାରଣରୁ ଅଗ୍ରାଧିକାର ତାଲିକାରେ କରୋନା ମହାମାରୀ ଥିଲା ୨୦୨୦ ମସିହାରେ ପୃଥିବୀର ସବୁଠୁ ବଡ଼ ଦୁଃଖ। କିନ୍ତୁ ଏହା ମଧ୍ୟରେ କିଛି ସୁଖ ମଧ୍ୟ ଥିଲା। ସେସବୁ ସୁଖ ଭିତରେ ପ୍ରଦୂଷଣ କମିଥିଲା। ରାସ୍ତାଘାଟରେ ଦୁର୍ଘଟଣା ହ୍ରାସ ପାଇଥିଲା। ପ୍ରକୃତିକୁ ବିଶ୍ରାମ ମିଳିଥିଲା। ବହୁ ଦୂରରୁ ହିମାଳୟ ସଫା ଦିଶୁଥିଲା, ସ୍ପଷ୍ଟ ଦେଖି ହେଉଥିଲା। ମହାନଗରୀ ମୁମ୍ବାଇର ସମୁଦ୍ର କୂଳ ରାସ୍ତାରେ ପକ୍ଷୀଙ୍କ ଆସର ଜମୁଥିଲା, କଳରବ ଶୁଭୁଥିଲା। ନାରୀମାନଙ୍କ ନେତୃତ୍ବରେ ପରିଚାଳିତ ହେଉଥିବା ନ୍ୟୁଜିଲ୍ୟାଣ୍ତ, ଜର୍ମାନୀ, ଫିନ୍‌ଲ୍ୟାଣ୍ତ, ଡେନ୍‌ମାର୍କ, ଆଇସ୍‌ଲ୍ୟାଣ୍ତ ଓ ତାଇଵାନ୍‌ ପ୍ରଭୃତି କରୋନା ବିରୋଧୀ ଲଢ଼େଇରେ ବେଶ୍‌ ସଫଳ ସାବ୍ୟସ୍ତ ହେଉଥିଲେ। ମଣିଷ ଜାତି ମହାମାରୀ ସହିତ ବଞ୍ଚି ରହିବାର ଜୀବନ କୌଶଳ ଶିଖିବାରେ ଲାଗିଥିଲା।

ଔଷଧ ଦୋକାନର ଥାକମାନଙ୍କରେ ପ୍ରକୃଷ୍ଟ କରୋନା ଔଷଧ ଓ ଉପଯୁକ୍ତ ଫ୍ରିଜ୍‌ରେ ଟିକା ଉପଲବ୍‌ଧ ନ ହେବା ଯାଏ କରୋନା ଭୟ କିଛି ମାତ୍ରାରେ ରହିପାରେ। ନିକଟରେ ବିଶ୍ବ ସ୍ବାସ୍ଥ୍ୟ ସ˚ଗଠନର ମୁଖ୍ୟ କହିଲା ଭଳି, କରୋନା ଶେଷ ମହାମାରୀ ଭାବି ନିଧଡ଼କ ହୋଇଯିବା ଠିକ୍‌ ନୁହେଁ। ଏ କରୋନା ସ˚କଟ ପ୍ରକୃତି, ମାନବ ଜାତି ଓ ପଶୁପକ୍ଷୀଙ୍କ ଭିତରେ ଏକ ନୂଆ ସମ୍ପ୍ରସାରିତ, ଜୈବିକ ସମୀକରଣ ସ୍ଥାପନ କରିବା ଉପରେ ଗୁରୁତ୍ବ ଦେବା ପାଇଁ ସତର୍କ ଘଣ୍ଟି ବଜେଇ ସାରିଲାଣି। ନୋହିଲେ କେଉଁଠି ବିସ୍ଥାପିତ ଓ ବିବ୍ରତ ବାଦୁଡ଼ିଟେ ସବୁ ଏପଟସେପଟ କରି ଦେଇପାରେ! ଯେଉଁଥି ଲାଗି ସମସ୍ତଙ୍କୁ ଏବେ ଥରକୁ ଥର ପଜିଟିଭ ଜାଗାରେ ନେଗେଟିଭ ପ୍ରମାଣପତ୍ର ଦେଖେଇବାକୁ ପଡୁଛି।

ବେହୁରିଆ ଭବନ, ଗୌରୀ ନଗର, ଭୁବନେଶ୍ବର-୨
ମୋ: ୮୯୧୭୬୮୩୫୩୬