ଲୋଡ଼ା ସତର୍କତା ଓ ସଚେତନତା

ଅକ୍ଷୟ କୁମାର ସାହୁ

ସମଗ୍ର ବିଶ୍ବ ଏବେ ନୋଭେଲ୍‌ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଭୂତାଣୁ ଜନିତ ମହାମାରୀ ନେଇ ଆତଙ୍କିତ। ଏହି ଲେଖା ପ୍ରସ୍ତୁତି ହେଲା ବେଳକୁ କରୋନାରେ ୧୮୮ଟି ଦେଶରେ ଏ ପର୍ଯ୍ୟନ୍ତ ୩ ଲକ୍ଷ ୮ ହଜାର ୭୨୦ ଜଣ ଲୋକ ଆକ୍ରାନ୍ତ ହେବା ସହିତ ପ୍ରାୟ ୧୩ ହଜାର ୭୧ ଜଣ ମୃତ୍ୟୁବରଣ କରିଛନ୍ତି। ପ୍ରତି ଘଣ୍ଟାରେ ଆକାନ୍ତ ଓ ମୃତକମାନଙ୍କ ସ˚ଖ୍ୟା ବୃଦ୍ଧି ପାଉଛି।

ସବୁଠୁ ଅଧିକ ପ୍ରଭାବିତ ହୋଇଛନ୍ତି ଚୀନ ଓ ଇଟାଲୀ। ଚୀନରେ ଏ ପର୍ଯ୍ୟନ୍ତ ୮୧ ହଜାର ୫୪ ଜଣ କରୋନା ଆକ୍ରାନ୍ତଙ୍କ ଭିତରୁ ୩୨୬୧ ଜଣ ମୃତ୍ୟୁବରଣ କରିଛନ୍ତି। ୭୨ ହଜାରରୁ ଅଧିକ ଲୋକ ସଫଳତାର ସହିତ ଚିକିତ୍ସିତ ହୋଇ ସୁସ୍ଥ ହୋଇଛନ୍ତି। ଚୀନ୍‌ ଏବେ ଲଗାତାର ୪ ଦିନ ଧରି କୌଣସି କରୋନା ଆକ୍ରାନ୍ତଙ୍କୁ ଦେଖିବାକୁ ପାଇ ନ ଥିବାରୁ ସେଠାରେ ଏହି ରୋଗର ଘନଘଟା ସମାପ୍ତ ହୋଇଛି ବୋଲି ଧରି ନେବାକୁ ହେବ। କିନ୍ତୁ ଇଟାଲୀରେ ୫୩ ହଜାର ୫୭୮ ଜଣ ଆକ୍ରାନ୍ତଙ୍କ ଭିତରୁ ୪ ହଜାର ୮୨୫ ଜଣଙ୍କ ମୃତ୍ୟୁ ଘଟିଛି। ଆମେରିକାରେ ୨୬ ହଜାର ୯୦୦ ଜଣ ବ୍ୟକ୍ତି ଆକ୍ରାନ୍ତ ହୋଇଥିବା ବେଳେ ୩୪୮ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ଆମ ଦେଶ ଭାରତରେ ଏ ପର୍ଯ୍ୟନ୍ତ ୩୪୧ ଜଣ ସ˚କ୍ରମିତ ଚିହ୍ନଟ ହୋଇଥିବା ବେଳେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ସରକାରୀ ସ୍ତରରେ କୁହାଯାଇଛି।

ଯଦିଓ କରୋନାରେ ମୃତ୍ୟୁ ହାର ୨ ପ୍ରତିଶତ ବୋଲି କୁହାଯାଇଛି, ଏ ପର୍ଯ୍ୟନ୍ତ ଆକ୍ରାନ୍ତ ଓ ମୃତକମାନଙ୍କ ସ˚ଖାକୁ ହିସାବକୁ ନେଲେ ଜଣାଯାଇଛି ଯେ ବାସ୍ତବରେ ଏହି ମହାମାରୀରେ ବିଶ୍ବ ସ୍ତରରେ ମୃତ୍ୟୁହାର ୪ ପ୍ରତିଶତରେ ରହିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୩୯ ପ୍ରତିଶତ ଆରୋଗ୍ୟ ଲାଭ କରିସାରିଛନ୍ତି। ଅବଶିଷ୍ଟ ଆରୋଗ୍ୟ ଲାଭ କରିବାର ସମ୍ଭାବନା ଅଧିକ।

କ‌େରାନା ମହାମାରୀର ମହାମୁକାବିଲା କରିବା ଲାଗି ଭାରତ ସରକାର ଓ ଓଡ଼ିଶା ସରକାର ପ୍ରାଣପଣେ ଉଦ୍ୟମ କରୁଛନ୍ତି। ଭାରତରେ କରୋନା ମୃତ୍ୟୁ ହାର ମାତ୍ର ୨ ପ୍ରତିଶତ ରହିଛି। ଇଟାଲୀରେ ମୃତ୍ୟୁ ହାର ୮ଦଶମିକ ୩୩ ପ୍ରତିଶତ।

ଏବେ ସରକାର କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା କରାଯାଉଥିବା ବ୍ୟକ୍ତିମାନଙ୍କର ରକ୍ତ ଓ ଲାଳ ପରୀକ୍ଷା କରିବା ଲାଗି ସେଥିପାଇଁ ଅଧିକ ତଥା ଅତିରିକ୍ତ ପରୀକ୍ଷାଗାରମାନ ଖୋଲିବା ସହିତ ଡାକ୍ତର ଓ ଟେକ୍ନିସିଆନ୍‌ମାନଙ୍କୁ ତାଲିମ ଦେଉଛନ୍ତି। ସେହିପରି ପ୍ରତ୍ୟେକ ଡାକ୍ତରଖାନାରେ ପ୍ରତିଦିନ କରୋନା ରୋଗୀମାନଙ୍କର କିଭଳି ସଫଳ ଚିିକିତ୍ସା କରିହେବ ସେ ନେଇ ଅଭ୍ୟାସ କରାଯାଉଛି। ଡାକ୍ତରଙ୍କ ଠାରୁ ଆରମ୍ଭ କରି ସଫେଇ କର୍ମଚାରୀମାନଙ୍କ ପର୍ଯ୍ୟନ୍ତରେ ଡାକ୍ତରଖାନାରେ କରୋନା ରୋଗୀମାନଙ୍କୁ କିଭଳି ପ୍ରଥମେ ଗ୍ରହଣ କରାଯିବ ଏବ˚ କେଉଁଭଳି ଭାବେ ସେମାନଙ୍କର ଚିକିତ୍ସା କରାଯିବ, ସେ ନେଇ ଏ ଅଭ୍ୟାସ ବା ‘ମକ୍‌ ଡ୍ରିଲ୍‌’ରେ ତାଲିମ ଦିଆଯାଉଛି ।

କରୋନା ନେଇ ସାଧାରଣ ଲୋକେ ଯେପରି ଆତଙ୍କିତ ନ ହୋଇ ଯଥେଷ୍ଟ ସତର୍କତା ଅବଲମ୍ବନ କରିବେ, ସେଥି ଲାଗି ସରକାର ମାର୍ଗଦର୍ଶିକା ଜାରି କରିଛନ୍ତି। ଏହାଛଡ଼ା ଡାକ୍ତର ଓ ଚିକିତ୍ସା ସହିତ ଜଡ଼ିତ ସମସ୍ତ ବ୍ୟକ୍ତିବିଶେଷଙ୍କ ଲାଗି ସ୍ବତନ୍ତ୍ର ଉପଦେଶାବଳୀ ଜାରି କରାଯାଇଛି। ସାଧାରଣ ଲୋକେ ଘରେ ରହିବା ଓ ସର୍ବଦା ସାମାଜିକ ଦୂରତା ରକ୍ଷା କରିବା ପାଇଁ ସରକାର ଉପଦେଶାବଳୀରେ ସଚେତନ କରାଇବାରେ ଲାଗିଛନ୍ତି। ଧନୀ ଓ ମଧୢବିତ୍ତ ପରିବାର ଘରେ ରହି ପାରିବାରେ କିଛି ଅସୁବିଧା ନାହିଁ। କିନ୍ତୁ ଗରିବ ଓ ଖଟିଖିଆମାନେ ନିଶ୍ଚିତ ଘରୁ ଗୋଡ଼ କାଢ଼ି ଦୈନନ୍ଦିନ କାର୍ଯ୍ୟ କରିବା ଲାଗି ବାହାରକୁ ଯିବେ। ଏଭଳି ସ୍ଥଳେ ସେମାନେ କାର୍ଯ୍ୟସ୍ଥଳରେ କିପରି କରୋନା ଦ୍ବାରା ସ˚କ୍ରମିତ ନ ହେବେ, ସେ ନେଇ ସେମାନଙ୍କର ନିଯୁକ୍ତିଦାତାମାନେ ଯଥେଷ୍ଟ ଯତ୍ନବାନ ହେବା ଆବଶ୍ୟକ।

ସୁଖର କଥା ଭାରତୀୟ ମେଡିକାଲ ଗବେଷଣା ପରିଷଦ ବା ‘ଇଣ୍ତିଆନ୍‌ କାଉନସିଲ୍‌ ଅଫ୍‌ ମେଡିକାଲ ରିସର୍ଚ୍ଚ’ କହିଛି ଯେ ଏ ପର୍ଯ୍ୟନ୍ତ କରୋନା କମ୍ୟୁନିଟି ବା ଗୋଷ୍ଠୀ ସ˚କ୍ରମଣରେ ପରିଣତ ହୋଇନାହିଁ। ଏହା ସୂଚନା ଦେଉଛି ଯେ ସରକାରଙ୍କ ତ୍ବରିତ ପଦକ୍ଷେପ ଯୋଗୁ ଏ ପର୍ଯ୍ୟନ୍ତ କରୋନାକୁ କିଛି ମାତ୍ରାରେ ଅଟକାଇ ରଖାଯାଇପାରିଛି। ଆଗୁଆ ସତର୍କତା ସ୍ବରୂପ ଆମ ରାଜ୍ୟରେ ହାଟବଜାର, ସପିଙ୍ଗ୍‌ମଲ୍‌, ସିନେମାହଲ୍‌ ଇତ୍ୟାଦି ବନ୍ଦ କରିବା ସହିତ ମନ୍ଦିର, ମସ୍‌ଜିଦ୍‌ ବା ଅନ୍ୟାନ୍ୟ ଉପାସନା ସ୍ଥଳ, ମେଳା, ମହୋତ୍ସବ ପ୍ରଭୃତି ଉପରେ କଟକଣା ଲଗାଯିବା ଦ୍ବାରା କରୋନା ସ˚କ୍ରମଣ ଏ ପର୍ଯ୍ୟନ୍ତ ଆମ ରାଜ୍ୟରେ ଷ୍ଟେଜ୍‌-୧ରେ ରହିଛି।

ଆଜି ପର୍ଯ୍ୟନ୍ତ ଆମ ରାଜ୍ୟରେ ମାତ୍ର ଦୁଇ ଜଣ ବ୍ୟକ୍ତିଙ୍କ ଠାରେ କୋଭିଡ୍‌-୧୯ ଭୂତାଣୁ ଚିହ୍ନଟ ହୋଇଛି। ଅପର ପକ୍ଷରେ ମହାରାଷ୍ଟ୍ରରେ ୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇ ସେଠାକାର ସରକାରଙ୍କ ବିଳମ୍ବିତ ପଦକ୍ଷେପ ପ୍ରତି ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

କରୋନାକୁ ରୋକିବା ଲାଗି ସରକାରଙ୍କ ଯେତିକି କର୍ତ୍ତବ୍ୟ ରହିଛି, ନାଗରିକମାନଙ୍କ ଠାରୁ ତା’ଠାରୁ ଅଧିକ ଦାୟିତ୍ବବୋଧ ଆଶା କରାଯାଏ। ଜନସାଧାରଣ ବ୍ୟକ୍ତିଗତ ପରିଚ୍ଛନ୍ନତା ଉପରେ ଗୁରୁତ୍ବ ଦେବା ସବୁଠାରୁ ଅଧିକ ଆବଶ୍ୟକ। ସରକାରଙ୍କ ଉପଦେଶାବଳୀ ମୁତାବକ ବାରମ୍ବାର ସାବୁନ ଯୋଗେ ହାତ ଧୋଇବା ସହିତ ସାନିଟାଇଜର ବ୍ୟବହାର କରିବା ଉପରେ ଗୁରୁତ୍ବ ଆରୋପ କରାଯାଉଛି। ଏହା ସହିତ ସାମାଜିକ ଦୂରତା ରକ୍ଷା କରିବା ଉପରେ ମଧୢ ଗୁରୁତ୍ବ ଦିଆଯାଉଛି।

ଶେଷରେ କୁହାଯାଇପାରେ ଯେ କରୋନାରୁ ମୁକ୍ତି ପାଇବାର ଏକମାତ୍ର ବାଟ ହେଲା ନିଜକୁ ସୁରକ୍ଷିତ ରଖିବା ଲାଗି ସତର୍କତାରେ ଆଦୌ କୌଣସି ଢିଲା ପଣ ପ୍ରଦର୍ଶନ ନ କରିବା। ଆମେ ଭୁଲିଗଲେ ଚଳିବ ନାହିଁ ଯେ ଏହି ରୋଗରେ ଆମେ ସମସ୍ତେ କୋଭିଡ୍‌-୧୯ ଭୂତାଣୁ ଦ୍ବାରା ବ୍ୟବହୃତ ହେବା ଲାଗି ଗୋଟିଏ ଗୋଟିଏ ଅସ୍ତ୍ର। ଥରେ ଯାହା ମଧୢକୁ ଏ ଭୂତାଣୁ ପ୍ରବେଶ କରିଯିବ, ସେ ଏକ ଅସ୍ତ୍ରରେ ପରିଣତ ହୋଇଯିବ। ତେଣୁ କୋଭିଡ୍‌-୧୯ ଭୂତାଣୁ ଯେମିତି ଆମ ଶରୀରରେ ପ୍ରବେଶ କରିବାର ଟିକିଏ ବି ସୁଯୋଗ ନ ପାଏ ତାହା ଦେଖିବା ଆମ ସମସ୍ତଙ୍କର ପରମ କର୍ତ୍ତବ୍ୟ।

ମୋ -୯୪୩୯୧୭୬୮୩୬

ସମ୍ବନ୍ଧିତ ଖବର