ଲାଞ୍ଚ ଦେବା ନେବା କଥା

ଆମରି କଥା - ନାରାୟଣ ମିଶ୍ର

ଲାଞ୍ଚ ଦେବା ନେବା ଏକ ଗତାନୁଗତିକ ଓ ନିରନ୍ତର ପଦ୍ଧତି ହୋଇ ସାରିଥିଲେ ବି ଶବ୍ଦଟା କାହିଁକି କେଜାଣି କାନକୁ ଭଲ ଲାଗେ ନାହିଁ। ମଉସା ବଦଳରେ ଅଙ୍କଲ ଡାକ, ମଦ ଜାଗାରେ ଡ୍ରିଙ୍କ୍‌ସ କହିବା ଭଳି ଲାଞ୍ଚ ବଦଳରେ କମିସନି କହିବା ସର୍ବାଦୌ ଗ୍ରହଣୀୟ। ବନ୍ଧୁ ସୁଧାକର ନିଜ ଚାକିରି କାଳ ମଧୢରେ ଶହ ଶହ ଲୋକଙ୍କ ଠାରୁ ଲାଞ୍ଚ ନେଇଥିବାରୁ ଓ ଅନେକଙ୍କୁ ଲାଞ୍ଚ ଦେଇ କାମ କରାଇ ଥିବାରୁ ଏ ସମ୍ବନ୍ଧରେ ତାଙ୍କ ଠାରୁ ଏକ ଗବେଷଣାତ୍ମକ ବକ୍ତୃତା ଶୁଣିବା ଲକ୍ଷ୍ୟରେ ଆମ୍ଭେ ବିନା ନିମନ୍ତ୍ରଣରେ ତାଙ୍କ ଘରେ ଖ୍ରୀଷ୍ଟମାସ ଦିନ ପହଞ୍ଚିଗଲୁ। ସେଦିନ ଶୁକ୍ରବାର ଏବ˚ ଆମ ଜାଣତରେ ତାଙ୍କ ଘରେ ବୁଧବାର ଓ ଶୁକ୍ରବାର ନିଶ୍ଚିତ ଭାବେ ଆମିଷ ରୋଷେଇ ହୁଏ; କିନ୍ତୁ ଦୁର୍ଭାଗ୍ୟ ଯେ ସେଦିନ ହିନ୍ଦୁ ଧର୍ମ ଅନୁସାରେ ତିଥି ଥିଲା ଏକାଦଶୀ- ‘‘ମୋକ୍ଷଦା ଏକାଦଶୀ’’। ପୂର୍ବ ରାତ୍ରିରୁ ସୁଧାକର ବାବୁଙ୍କ ଶାଶୂ ଫୋନ୍‌ କରି ସତର୍କ କରାଇ ଦେଇଛନ୍ତି ଯେ ଶୁକ୍ରବାର ଖ୍ରୀଷ୍ଟମାସ ଦିନ ହେଲେ ବି ଏକାଦଶୀ ତିଥି ହେତୁ ଆମିଷ ଅର୍ଥାତ୍‌ କୌଣସି ପ୍ରାଣୀଙ୍କ ଶବକୁ ଭୋଜନ ପାଇଁ ଘରକୁ ଆଣିବ ନାହିଁ। ଏଇ କାରଣରୁ ଆମ୍ଭେ ବନ୍ଧୁଙ୍କ ଘରେ ପହଞ୍ଚିବା ବେଳକୁ ସଦା ହସ ହସ, ସଦା ତତ୍ପର ଚଳଚଞ୍ଚଳ ସୁଧାକରଙ୍କ ମୁହଁଟା ଉଷୁନା ହାଣ୍ତି ପରି ଓହଳି ପଡ଼ିଥିଲା; ତଥାପି କୃତ୍ରିମ ହସ ଫୁଟାଇ ଅଭ୍ୟର୍ଥନା ପରେ ଚା’ ଦେଇ ସୁଧାକର ଆମେ ହଠାତ୍‌ ପହଞ୍ଚିଯିବାର କାରଣ ଜିଜ୍ଞାସା କଲା।

ଲାଞ୍ଚ ଦେବା ନେବା ବିଷୟରେ ପ୍ରବଳ ଅଭିଜ୍ଞତା ଥିବା ସୁଧାକର ସେ ବିଷୟରେ ଭାଷଣ ଦେବାକୁ ପଡ଼ିବ ଶୁଣି ଉତ୍‌ଫୁଲିତ ହୋଇ ଉଠିଲା ଏବ˚ ସମୟ ନଷ୍ଟ ନ କରି କହିବାକୁ ଲାଗିଲା। ତା’ର ତିନି ଘଣ୍ଟାର ଭାଷଣ ଲେଖା ମାଧୢମରେ ପ୍ରକାଶ ଅସମ୍ଭବ ହେତୁ ଆମ୍ଭେ ତା’ର ଏକ ସ˚କ୍ଷିପ୍ତ ଓ ସାରଗର୍ଭକ ଅ˚ଶ ନିମ୍ନରେ ଉଦ୍ଧୃତ କରୁଛୁ। ଆଶା, ସର୍ବସାଧାରଣ, ଲାଞ୍ଚ ଦେବା ଓ ନେବା ପୂର୍ବରୁ ସୁଧାକରର ଅଭିଜ୍ଞତାପୂର୍ଣ୍ଣ ଭାଷଣକୁ ମନେ ରଖି ସତର୍କ ହୋଇ କାର୍ଯ୍ୟ କରିବେ।

ଲାଞ୍ଚ ଦେବା ଏକ କଷ୍ଟକର ବ୍ୟାପାର। ଏଥିରେ ଥିବା ସମସ୍ୟା ହେଲା, କାହାକୁ ଦେବେ, କେଉଁ ପ୍ରକାରେ (ଟଙ୍କା, ଜିନିଷ, ଆକାଉଣ୍ଟ ଟ୍ରାନ୍‌ସଫର ଇତ୍ୟାଦି) ଦେବେ, କେଉଁଠି ଓ କେତେବେଳେ ଦେବେ, କେତେ ପରିମାଣର ଦେବେ ଇତ୍ୟାଦି। ଲାଞ୍ଚ ଦେବା ପୂର୍ବରୁ ପ୍ରଥମେ ବୁଝିବାକୁ ହେବ କେଉଁ ନିର୍ଦ୍ଦିଷ୍ଟ ଲୋକକୁ ଏହା ଦେଲେ କାମ ନିଶ୍ଚିତ ହେବ। ଆହୁରି ବୁଝିବାକୁ ହେବ ସେ ଘରେ ନିଅନ୍ତି, ଅଫିସ୍‌ରେ ନିଅନ୍ତି ବା କାହା ମାଧୢମରେ ନିଅନ୍ତି। ମଝିଲୋକ ମାଧୢମରେ ଦେବା ନିରାପଦ, ଯଦିଓ ଏହାଦ୍ବାରା ଟିକିଏ ଅଧିକା ଖର୍ଚ୍ଚ ହେବ, କାରଣ ମଝିଲୋକ ତା’ନିଜ ପାଇଁ ବି କିଛି ରଖି ଲାଞ୍ଚର ପରିମାଣ ନିର୍ଦ୍ଧାରଣ କରିବ। ସିଧାସଳଖ ଦେବାକୁ ଚାହୁଁଥିଲେ ଅଫିସ୍‌ ଅପେକ୍ଷା ଘରେ ଦେବା ଭଲ ଆଉ ଘରେ ଅଫିସରଙ୍କୁ ନ ଦେଇ ତାଙ୍କ ଅର୍ଦ୍ଦଳୀ ବା ମାଳୀ ମାଧୢମରେ ମା’ (ଅଫିସରଙ୍କ ସ୍ତ୍ରୀ)ଙ୍କ ସଙ୍ଗେ ପରିଚିତ ହୋଇ ତାଙ୍କୁ ଦେବା ନିରାପଦ। ସବୁବେଳେ ମନେ ରଖିଥିବେ ଯେ କାମ ନିଶ୍ଚିତ କରିବାକୁ ହେଲେ ଲାଞ୍ଚ ନେଉଥିବା ଅଫିସରଙ୍କ ଆଶା ଅପେକ୍ଷା ଯଥେଷ୍ଟ ଅଧିକ ଦେବାକୁ ପ୍ରସ୍ତୁତ ହୋଇ ଯାଇଥିବେ। କିରାଣିଙ୍କ ଆଶା ବୈତରଣୀ ନଦୀ ଅର୍ଥାତ୍‌ ଅପ୍ରମିତ। କିରାଣି ଦୁଇ ହଜାର ଟଙ୍କା ମାଗିଲେ ତାଙ୍କୁ ତିନି ବା ପାଞ୍ଚ ହଜାର ଦେଇଦେଲେ ସେ କାମ କରାଇ ଆପଣଙ୍କ ଘରେ ଆଣି କାଗଜ ଦେଇ ଦେଇଯିବ। ଆକାଉଣ୍ଟ ଟ୍ରାନ୍‌ସଫର ସଦା ବିପଜ୍ଜନକ, କାରଣ ନିର୍ଦ୍ଦିଷ୍ଟ ମଝିଲୋକର ବା ଅଜଣା ଲୋକର ଆକାଉଣ୍ଟକୁ ସବୁବେଳେ ଟଙ୍କା ଟ୍ରାନ୍‌ସଫର ହେଲେ ଉଭୟ ଧରାପଡ଼ି ଜେଲ୍‌ ଯିବା ନିଶ୍ଚିତ। ଆଜିକାଲି ଭିଜିଲାନ୍‌ସ ବାଲାଙ୍କୁ ବର୍ଷକୁ ନିର୍ଦ୍ଦିଷ୍ଟ ସ˚ଖ୍ୟକ କେସ୍‌ ଠାରୁ ଅଧିକ ଲୋକଙ୍କୁ ଧରିବାକୁ ଟାର୍ଗେଟ୍‌ ଦିଆଯାଉଛି। ତେଣୁ ଲାଞ୍ଚ ନେବା ବେଳେ ଧରାପଡ଼ି ବଦନାମ ହେବା, ଖବର କାଗଜରେ ନିଜର ନାମ ଫଟୋ ସହ ବାହାରିବା ଓ ଗିରଫ ହୋଇ ଜେଲ୍‌ ଯିବାର ଆଶଙ୍କା ବଢ଼ୁଥିବାରୁ ଲାଞ୍ଚ ଦେବା ଓ ନେବା ଆଗଭଳି ଆଉ ବିପଦମୁକ୍ତ ନାହିଁ। ସବୁଠୁ ବଡ଼ କଥା ହେଲା ଆଗେ ଲାଞ୍ଚ ଦେଲେ କାମ ହେବାର ନିଶ୍ଚିତତା ଥିଲା, ଏବେ ଲାଞ୍ଚ ଦେବା ପରେ ପରେ ଆପଣ ଶୁଣିପାରନ୍ତି- ‘‘ବାବୁ ଟଙ୍କା ନେଇଛନ୍ତି ସତ, କିନ୍ତୁ ସେ ଆଉ ଏ ଅଫିସ୍‌ରେ ନାହାନ୍ତି; ତାଙ୍କର ଭୁବନେଶ୍ବରରୁ ଦୁଇ, ତିନି ଦିନ ତଳେ ବଲାଙ୍ଗୀର ବଦଳି ହୋଇଯାଇଛି।’’

ସୁଧାକର ଗପି ଚାଲିଥାଏ, ମୁଁ କାବା ହୋଇ ଶୁଣୁଥାଏ; କାବା ବା ଆଶ୍ଚର୍ଯ୍ୟ ହେବାର କାରଣ ଲାଞ୍ଚ ଦେବା ଓ ନେବାରେ ଏତେ ମାତ୍ରାରେ ସତର୍କ ରହିବା! ଲାଞ୍ଚ ଦେବା ଲୋକ ଭଳି ଲାଞ୍ଚ ନେବା ଲୋକ ମଧୢ ଚଉଆଖିଆ ହେବା ଦରକାର। ଯାହାଠାରୁ ଲାଞ୍ଚ ନେଉଛ, ଯଦି ସେ କୌଣସି ମନ୍ତ୍ରୀ, ଏମ୍‌.ଏଲ୍‌.ଏ ବା ପ୍ରଶାସନିକ ଅଫିସରଙ୍କ ମାଉସୀ ପୁଅ ଭାଇର ଶଳାର ସାଙ୍ଗ ବି ହୋଇଥାଏ, କଥା ସରିଲା। ଲାଞ୍ଚ ଖାଦ୍ୟଟି, ତଣ୍ଟିବାଟେ ବାନ୍ତି କରି ବାହାର କରିବା ହିଁ ସାର ହେବ ଏବ˚ ତତ୍‌ସହିତ ନିଜ ଚାକିରି ଉପରେ ବି ଆଞ୍ଚ ଆସିପାରେ।

କେତେକ ସରକାରୀ ଅଫିସ୍‌ରେ ବିନା ଲାଞ୍ଚରେ କାର୍ଯ୍ୟ ହେବା ଆଶା ନିରର୍ଥକ; କାରଣ ସେଠାରେ ପ୍ରତିଦିନ ପ୍ରାୟ ସମସ୍ତ କାର୍ଯ୍ୟରେ ଲାଞ୍ଚ ଦିଆନିଆ ‘ନୀତି’ ବା ନିୟମରେ ପରିଣତ ହୋଇଯାଇଛି। ତହସିଲ ଅଫିସ୍‌, ସବ୍‌ରେଜିଷ୍ଟ୍ରାର ଅଫିସ୍‌, ଡିପିଆଇ ଅଫିସ୍‌ ଇତ୍ୟାଦିରେ କ୍ରମାନ୍ବୟରେ ପଟ୍ଟା କରାଇବା, ଜମି ରେଜେଷ୍ଟ୍ରି କରିବା ଓ ପେନ୍‌ସନ୍‌ ପାଇବା ବ୍ୟବସ୍ଥା କରିବା ଇତ୍ୟାଦିରେ ବିନା ଲାଞ୍ଚ ବା କମିସନିରେ ପ୍ରାୟତଃ କାର୍ଯ୍ୟ ହେଉନାହିଁ ଏବ˚ ଏ ସବୁ ଅଫିସ୍‌ରେ ଲେଖା ଅଛି- ‘‘ନିଜର କାର୍ଯ୍ୟ ପାଇଁ କାହାକୁ ଲାଞ୍ଚ ଦିଅନ୍ତୁ ନାହିଁ।’’ ଯଦିଓ ଅନେକ ସରକାରୀ କର୍ମଚାରୀ ଏବେ ବି ସଚ୍ଚୋଟ ଅଛନ୍ତି, ଲାଞ୍ଚ ନେଇ ଉପରକୁ ଉଠିବା ଚେଷ୍ଟାରେ ଅନେକ ଏଭଳି ଅଭ୍ୟସ୍ତ ଯେ, ଅଫିସ୍‌ କାମ ପାଇଁ ଦରମା ପାଉଛନ୍ତି ବୋଲି କେବେ ବି ସେମାନଙ୍କ ମନ ମଧୢରେ ଆସେନି। ଅଟୋରିକ୍‌ସା ବାଲା କହୁଛନ୍ତି ପ୍ରତି ମାସରେ ନିର୍ଦ୍ଦିଷ୍ଟ ପରିମାଣର କମିସନି (ବଟି) ସ୍ଥାନୀୟ ପୁଲିସ ଷ୍ଟେସନକୁ ଅଟୋଷ୍ଟାଣ୍ତରୁ ଆଦାୟ ହୋଇ ଯାଏ- ଏହା ସତ୍ୟ ହୋଇଥିଲେ ନିଶ୍ଚିତ ସା˚ଘାତିକ। କେବଳ ସେତିକି ନୁହେଁ, ପ୍ରତି ରୁଟ୍‌ରେ ଛକ ଜାଗାମାନଙ୍କରେ ବସ୍‌ ପିଛା ନିର୍ଦ୍ଦିଷ୍ଟ ପରିମାଣ ବଟି ଆଦାୟ ହେଉଥିବାର ବି ଅଭିଯୋଗ ଆସିବା କେବେଠୁ ଆରମ୍ଭ ହେଲାଣି। ଅନ୍ୟ ଦେଶରୁ କିଣା ଯାଉଥିବା ଜିନିଷ ସାମଗ୍ରୀରେ ମଧୢସ୍ଥମାନଙ୍କୁ ବା ଶାସନଗାଦିରେ ଥିବା ସରକାରଙ୍କୁ କମିସନି ଦେବା ପ୍ରକ୍ରିୟା ଏବେ ବି ଚାଲିଛି, ଯାହାକୁ ଆମେ ‘ସ୍କାମ୍‌’ ନାମରେ ନାମିତ କରୁଛୁ। ବିଭିନ୍ନ ସ୍କାମ୍‌ରେ ଅନେକ ସରକାର ଅନେକ ଦେଶରେ ଏଇ ‘‘ଲାଞ୍ଚ’’ ଯୋଗୁ ବଦନାମ ହୋଇଥିବାର ଖବର ପ୍ରକାଶ ପାଉଛି। ତେଣୁ ଲାଞ୍ଚ ଏବେ କାର୍ଯ୍ୟ ହାସଲର ଏକ ନୀତିଗତ ମାଧୢମ ହୋଇ ସାରିଲାଣି।

ତେଲ ମାଲିସ୍‌କୁ ସମସ୍ତେ ଏକ ଖରାପ ଶବ୍ଦ କହିଲେ ବି ଯାହାଠାରେ ତେଲ ମରାଯାଉଥାଏ, କାହିଁକି କେଜାଣି ତେଲ ମରାଯାଉଥିବା ବେଳେ ସେ ପ୍ରତିବାଦ କରିପାରେ ନାହିଁ। ଠିକ୍‌ ସେମିତି ଲାଞ୍ଚ ଦେବା ନେବାକୁ ସମସ୍ତେ ଏକ ଅନୈତିକ କାର୍ଯ୍ୟ କହିଲେ ବି ଯିଏ ଲାଞ୍ଚ ନେଉଥାଏ, ସେ ନେଇ ସାରିବା ପରେ ଅଦ୍ଭୁତ ଏକ ଆତ୍ମତୃପ୍ତି ଲାଭ କରେ। ସେତେବେଳେ ଲାଞ୍ଚ ଗ୍ରହୀତା ଭାବିପାରେ ନାହିଁ ଯେ ଲାଞ୍ଚ ଦାତା କେବେ ବି ଖୁସି ମନରେ ଲାଞ୍ଚ ଦେଇନଥିବ। ଲାଞ୍ଚ ଦେଇ ସାରି ଘରେ, ବାହାରେ ଲାଞ୍ଚ ଗ୍ରହୀତାର ଅନିଷ୍ଟ ଚିନ୍ତା କରି ଈଶ୍ବରଙ୍କୁ ଦଣ୍ତ ଦେବା ପାଇଁ ପ୍ରାର୍ଥନା କରୁଥିବ। କାରଣ, ଦେବା ଓ ମରିବାକୁ ଭଲ ପାଇବା ଲୋକଙ୍କ ସ˚ଖ୍ୟା ଏ ସ˚ସାରରେ ନଗଣ୍ୟ। ତେଣୁ ଆମେ ସମସ୍ତେ ନିଜ ପରିଶ୍ରମର ରୋଜଗାରରେ ନିଜ ପାଇଁ ଓ ପରପିଢ଼ିର ଭବିଷ୍ୟତ୍‌ ପାଇଁ ଐଶ୍ବରିକ ଆଶୀର୍ବାଦ ଅର୍ଜନରେ ବ୍ରତୀ ହେଲେ ‘ଲାଞ୍ଚ’ର ଲୋଭ ଯେ ନିଶ୍ଚିତ କମିଯିବ ଏଥିରେ ସନ୍ଦେହ ନାହିଁ।

ଗୁରୁକୃପା, ୪୯/୬୦୦,
ଲକ୍ଷ୍ମୀବିହାର, ଭୁବନେଶ୍ବର
[email protected]

ସମ୍ବନ୍ଧିତ ଖବର