କଥାରେ ଅଛି ପାଣି ପିଇବ ଛାଣି। ଏହାର ଅର୍ଥ କଦାପି ନୁହେଁ ଯେ ପାଣିକୁ ଲବଣ ଓ ଜୀବନ ଶୂନ୍ୟ କରି ପିଇବା। “ଶୀଥମ୍, ସୁଶିହି, ଶିବମ୍, ଇସ୍ତାମ୍, ବିମଳମ ଲହୁ ସଦ୍ଗୁଣମ।” ପିଇବା ପାଣି କେମିତି ହେବା ଉଚିତ ତାହା ଋକ୍ ବେଦର ଏହି ଶ୍ଲୋକରେ ଅତି ସୁନ୍ଦର ଭାବରେ ବର୍ଣ୍ଣନା କରାଯାଇଛି। ଏହି ଶ୍ଳୋକ ଅନୁଯାୟୀ ପିଇବା ପାଣି ଶୀତଳ, ସ୍ୱଚ୍ଛ, ଦରକାରୀ ଖଣିଜ ଯୁକ୍ତ, ନିର୍ମଳ ଓ ଅମ୍ଳ ସନ୍ତୁଳିତ ହେଇଥିବା ଜରୁରୀ। ମଣିଷ ଯେ ଦିନେ ବୋତଲ ବନ୍ଦ ପାଣି କିଣି ପିଇବ, ଏ କଥା ନିକଟ ଅତୀତରେ କଳ୍ପନା ବାହାରେ ଥିଲା। ଜଳ ପ୍ରଦୂଷଣର ମାତ୍ରା ବୃଦ୍ଧି ଏବଂ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇବା ଫଳରେ ପାଣି ଏକ ପଣ୍ୟ ଦ୍ରବ୍ୟ ପାଲଟିଯାଇଛି। ଗାଁ ଗହଳିରେ ଆଉ ଲୋକମାନେ ନଳକୂଅ ପାଣିକୁ ସିଧାସଳଖ ନ ପିଇ ଆର୍ଓ ଫିଲ୍ଟର କରି ପିଇଲେଣି। ଫିଲ୍ଟର ବିକ୍ରେତା ଜଣେ ସାଧରଣ ଲୋକକୁ ଅତି ସହଜରେ ଫିଲ୍ଟର କିଣିବା ପାଇଁ ରାଜି କରାଇନେଉଛି। ହାତରେ କଲମ ପରି ଧରିଥିବା ଏକ ଉପକରଣ ସାହାଯ୍ୟରେ ସେ ଆମ ଘର ପାଣିରେ ଥିବା ଦ୍ରବୀଭୂତ କଠିନ ପଦାର୍ଥ ବା ଟୋଟାଲ୍ ଡିଜଲ୍ଭଡ୍ ସଲିଡ୍ସ୍ (ଟିଡିଏସ୍) ମାପି ବୁଝାଇ କହେ ଯେ ଆମ ପାଣି କେତେ ଖରାପ। ଯେଉଁ କୂଅରୁ ଆମ ବାପ ଅଜା ଅମଳରୁ ପାଣି ପିଆଯାଉଥିଲା, ଅଚାନକ ଆମେ ବିକ୍ରେତାର କଥାରେ ପ୍ରଭାବିତ ହୋଇ ଫିଲ୍ଟର କିଣି ସେଥିରୁ ପାଣି ପିଇବା ଅଭ୍ୟାସ କରୁ।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ଯଦି ଏକ ଲିଟର ପାଣିେର ଟିଡିଏସ୍ର ମାତ୍ରା ୫୦ ମିଲିଗ୍ରାମ୍ରୁ କମ୍, ତେବେ ସେ ପାଣି ସ୍ୱାଦହୀନ ଏବଂ ପିଇବା ପାଇଁ ଅଯୋଗ୍ୟ, କାରଣ ସେଥିରେ କୌଣସି ଲବଣ ନ ଥାଏ। ଏହି ପାଣି ପିଇବା ଦ୍ୱାରା ଶରୀରରୁ ଜରୁରୀ ଖଣିଜ କ୍ଷୟ ହେଇଯାଏ। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ ଅତି କମ୍ରେ ପିଇବା ପାଣିରେ ଟିଡିଏସ୍ର ମାତ୍ରା ପ୍ରତି ଲିଟରରେ ୧୦୦ ମିଲିଗ୍ରାମ୍ ହେବା ଦରକାର। ପିଇବା ପାଣିରେ ଟିଡିଏସ୍ ମାତ୍ରା ୨୦୦ରୁ ୫୦୦ ମଧ୍ୟରେ ରହିବା ଗ୍ରହଣଯୋଗ୍ୟ। ଆର୍ଓ ଫିଲ୍ଟର ପାଣିରୁ ଟିଡିଏସ୍ର ମାତ୍ରା ହ୍ରାସ କରିବା ସଙ୍ଗେ ସଙ୍ଗେ ଅତି ଦରକାରୀ ଖଣିଜ ଯଥା କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ଆଇରନ୍ ଇତ୍ୟାଦି ବାହାର କରିଦିଏ। ଏଥିରେ ଦ୍ୱିମତ ନାହିଁ ଯେ ଆର୍ଓ ପ୍ରକ୍ରିୟା ପାଣିକୁ ସଫା କରିବା ପାଇଁ ଏକ ସର୍ବୋତ୍ତମ ଉପାୟ କିନ୍ତୁ ପାଣିରୁ ସମ୍ପୂର୍ଣ୍ଣ ଖଣିଜ ବାହାର କରିଦେଇ ଏହାକୁ ପିଇବା ଅନୁପଯୋଗୀ କରିଦେଇଥାଏ। ଏହା ପାଣିକୁ ଏମିତି ଭାବରେ ଖଣିଜ ମୁକ୍ତ କରିଦିଏ ଯେ ପାଣିର ସ୍ୱାଦ ପରିବର୍ତ୍ତନ ହେଇଯାଏ। ସେଥିପାଇଁ ସଫା ପାଣିକୁ ପିଇବା ପୂର୍ବରୁ ଲାଇମ୍ ମଧ୍ୟ ଦେଇ ପ୍ରବାହିତ କରାଯାଇଥାଏ। ଲାଇମ୍ ଦେଇ ପାଣି ପ୍ରବାହିତ ହେଲେ ସେଥିରେ କିଛି ମାତ୍ରାରେ କ୍ୟାଲସିୟମ୍ ଓ ମ୍ୟାଗ୍ନେସିୟମ୍ ପ୍ରଭୃତି ଲବଣ ପୁଣି ପାଣିରେ ମିଶିଥାଏ। ଆରୋ ଫିଲ୍ଟର୍ରୁ ବାହାରୁଥିବା ପାଣିର ପିଏଚ୍ କମ୍ ଥିବାରୁ ଏହା ଅମ୍ଳଯୁକ୍ତ ହେଇଥାଏ। ଏହା ଶରୀର ଭିତରେ ଅସୁବିଧା ସୃଷ୍ଟି କରିବାର ସମ୍ଭାବନା ଥାଏ। ପାଣିରେ ଆବଶ୍ୟକ ମାତ୍ରାରେ କ୍ୟାଲସିୟମ୍, ମ୍ୟାଗ୍ନେସିୟମ୍, ପୋଟାସିୟମ୍ ଆଦି ଲବଣ ନ ଥିଲେ ଏହା ହୃଦ୍ରୋଗ, ଗର୍ଭ ଧାରଣରେ ଜଟିଳତା ଓ ଛୋଟ ପିଲାମାନଙ୍କର ହାଡ଼ ଜନିତ ରୋଗ ସୃଷ୍ଟି କରିପାରେ ବୋଲି ଅନେକ ଗବେଷଣାରୁ ଜଣାପଡ଼ିଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆର୍ଓ ପାଣିର ହାନିକାରକ ପ୍ରଭାବ ଶୀର୍ଷକ ଏକ ରିପୋର୍ଟ ବୋତଲ ବନ୍ଦ ଶୁଦ୍ଧ ଜଳ ବିକ୍ରି କରୁଥିବା ବିଖ୍ୟାତ ବିସ୍ଲେରି କମ୍ପାନିର ୱେବ୍ସାଇଟରେ ଉପଲବ୍ଧ। ଏହି ରିପୋର୍ଟ ଅନୁଯାୟୀ କମ୍ ଖଣିଜ ପଦାର୍ଥ ଓ ସ୍ୱଳ୍ପ ଦ୍ରବୀଭୂତ କଠିନ ପଦାର୍ଥ ଯୁକ୍ତ ଜଳ ଆମ ଶରୀରର ଲବଣ ସନ୍ତୁଳନ ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ। ଏପରି ଜଳ ପରିସ୍ରା ବାଟ ଦେଇ ଖଣିଜ କ୍ଷୟ କରାଇ ହରମୋନ୍ କ୍ଷରଣ, ବୃକ୍କ କାର୍ଯ୍ୟକ୍ଷମତା ଏବଂ ହାଡ଼ର ଖଣିଜ ସାନ୍ଦ୍ରତା ଉପରେ କ୍ଷତିକାରକ ପ୍ରଭାବ ପକାଇଥାଏ। ଯଦି ପାଣିରେ ଆର୍ସେନିକ୍, କ୍ରୋମିୟମ୍ ଓ ଫ୍ଲୋରାଇଡ୍ ଭଳି ଭାରୀ ଧାତୁ ଥାଏ, ତେବେ ଆରୋ ଫିଲ୍ଟର୍ ଉପଯୋଗୀ ହେଇଥାଏ। ଯଦି ଏସବୁ ସମସ୍ୟା ନ ଥାଏ, ତେବେ ଆରୋ ବଦଳରେ ସାଧାରଣ ଫିଲ୍ଟର୍ ବ୍ୟବହାର କରିବା ଭଲ। ସାଧରଣତଃ ନଳକୂଅର ପାଣିକୁ ଶୁଦ୍ଧ ଓ ଜୀବାଣୁମୁକ୍ତ ଭାବେ ବିବେଚନା କରାଯାଇଥାଏ। ଆର୍ଓ ଫିଲ୍ଟର୍ ବ୍ୟବହାର ଅପରିହାର୍ଯ୍ୟ ହୋଇପଡ଼ିଲେ ସେଥିରେ ଲବଣ ମିଶ୍ରଣ (ମିନେରାଲାଜେସନ୍) ଏବଂ ଦ୍ରବୀଭୂତ କଠିନ ପଦାର୍ଥ ନିୟନ୍ତ୍ରଣ (ଟିଡିଏସ୍ ନିୟନ୍ତ୍ରଣର)ର ବ୍ୟବସ୍ଥା ରହିଛି କି ନାହିଁ ତାହା ସୁନିଶ୍ଚିତ କରିନେବା ଉଚିତ।
ବୈଜ୍ଞାନିକ, ଭାବା ପରମାଣୁ ଗବେଷଣା କେନ୍ଦ୍ର
ପରିବେଶ ନିରୀକ୍ଷଣ ପରୀକ୍ଷାଗାର,
ଯାଦୁଗୁଡ଼ା, ଝାରଖଣ୍ଡ
ମୋ- ୯୪୭୧୩୮୦୮୧୦