ସ˚ପ୍ରତି ଆମ ଦେଶରେ ଥିବା ୮୨୧ ବିଶ୍ବବିଦ୍ୟାଳୟ ଓ ଏଥିସହ ସ˚ଶ୍ଳିଷ୍ଟ ତଥା ସହବନ୍ଧିତ ୩୯,୭୦୧ଟି କଲେଜରୁ ପ୍ରତିବର୍ଷ ୯ ନିୟୁତରୁ ଅଧିକ ବିଦ୍ୟାର୍ଥୀ ସ୍ନାତକ ଡିଗ୍ରୀ ହାସଲ କରୁଛନ୍ତି। ଦେଶର ମୋଟ ଜନସ˚ଖ୍ୟାର ଶତକଡ଼ା ୮.୧୫ ଭାଗ ଅର୍ଥାତ୍ ପ୍ରାୟ ୬୮ ନିୟୁତ ହେଉଛନ୍ତି ସ୍ନାତକ ଡିଗ୍ରୀଧାରୀ। ‘ପିଉ ଗବେଷଣା କେନ୍ଦ୍ର’ (Pew Research Centre)ର ୨୦୧୯ର ଏକ ଅଧ୍ୟୟନରୁ ଜଣାଯାଏ ଯେ ଏମାନଙ୍କ ମଧ୍ୟରୁ ୧୮.୬ ନିୟୁତ ଜଣ ହେଉଛନ୍ତି ବେକାର। ତା’ଛଡ଼ା ପ୍ରାୟ ୩୯୩.୯ ନିୟୁତ ଜଣ ଅପେକ୍ଷାକୃତ ନିମ୍ନମାନର ଚାକିରିରେ ମୁତୟନ ହୋଇଛନ୍ତି। କ୍ଷୋଭର ବିଷୟ, ଆମ ଉଚ୍ଚ ଶିକ୍ଷାନୁଷ୍ଠାନମାନଙ୍କରୁ ସ୍ନାତକ ଡିଗ୍ରୀ ହାସଲ କରୁଥିବା ଛାତ୍ରଛାତ୍ରୀଙ୍କ ଭିତରୁ ଅଧିକା˚ଶ ଚାକିରି ପାଇଁ ଅଯୋଗ୍ୟ। ଏଥିରୁ ଜଣାପଡୁଛି ଯେ ଆମ ଶିକ୍ଷା ବ୍ୟବସ୍ଥାରେ ଏମିତି କିଛି ଗୁରୁତର ତ୍ରୁଟିବିଚ୍ୟୁତି ରହିଛି ଯଦ୍ଦ୍ବାରା ଆମ ପିଲାଏ ଜୀବନ ଜୀବିକା ପାଇଁ ଅନୁପଯୁକ୍ତ ହୋଇପଡୁଛନ୍ତି। ସବୁ ସ୍ତରର ଶିକ୍ଷାରେ କିଛି ନା କିଛି ତ୍ରୁଟି ରହୁଥିବାରୁ ଏହି ବିଷମ ଅବସ୍ଥା ସୃଷ୍ଟି ହେଉଛି।
ଏହା ସତ ଯେ ଶିକ୍ଷାର ଲକ୍ଷ୍ୟ ଚାକିରି ନୁହେଁ। ବ୍ୟକ୍ତିତ୍ବର ସମ୍ପୂର୍ଣ୍ଣ ବିକାଶ ହେଉଛି ଶିକ୍ଷାର ମୂଳ ଉଦ୍ଦେଶ୍ୟ ଯଦ୍ଦ୍ବାରା ଆମ ବିଦ୍ୟାର୍ଥୀମାନେ ଉଭୟ ‘ଜୀବନ କଳାକୌଶଳ’ (ଜିଇବାର କଳା- ଲାଇଫ ସ୍କିଲ୍ସ) ଏବ˚ ‘ଜୀବିକା କଳାକୌଶଳ’ (ରୋଜଗାର କରିବା କଳା- ଲାଇଭ୍ଲିହୁଡ୍ ସ୍କିଲ୍ସ)ରେ ନିପୁଣ ହୋଇପାରିବେ। କିନ୍ତୁ ଆମ ଶିକ୍ଷା ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କୁ ବିଧିବଦ୍ଧ ଭାବେ ଏହି ଶିକ୍ଷା ଦିଆଯାଉ ନାହିଁ। ଜିଇବାର କଳା ହାସଲ କରିବାରେ ବା ଆତ୍ମନିର୍ଭରଶୀଳ ହେବାରେ ସେମାନେ ଅସଫଳ ହେଉଛନ୍ତି। ସେମାନେ କିଛି ବିଷୟ ତଥା ପାଠ୍ୟକ୍ରମକୁ ଆୟତ୍ତ କରି କୌଣସିମତେ ବିବିଧ ପରୀକ୍ଷାରେ ପାସ୍ କରୁଛନ୍ତି ଏବଂ ସରକାରୀ ବା କମ୍ପାନି ଚାକିରି ଉପରେ ନିର୍ଭର କରିବାକୁ ଉଚିତ ମଣୁଛନ୍ତି। ସେମାନଙ୍କ ଭିତରେ ନିଜସ୍ବ ଉଦ୍ୟମରେ କିଛି କରିବା ପାଇଁ ସାହସ ତଥା ଆତ୍ମବିଶ୍ବାସ ରହୁନାହିଁ। ଏହି ତଥାକଥିତ ଶିକ୍ଷିତ ବେକାରଙ୍କ ଭିତରୁ ଅନେକେ ଅସାମାଜିକ କାର୍ଯ୍ୟରେ ଲିପ୍ତ ହେବାକୁ ପଛାଉନାହାନ୍ତି। ଆମର ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମଙ୍କ ଭାଷାରେ, ‘‘ଯେତେଦିନ ଯାଏ ଶିକ୍ଷାର ଲକ୍ଷ୍ୟ ଚାକିରି ହୋଇ ରହିଥିବ ସେତେଦିନ ଯାଏ କେବଳ ଚାକର ସୃଷ୍ଟି ହେବେ, ମାଲିକ ବା ମୁନିବ ନୁହେଁ।’’
ଏହି ପରିପ୍ରେକ୍ଷୀରେ ପ୍ରଚଳିତ ଶିକ୍ଷା ବ୍ୟବସ୍ଥା ଆମ ଛାତ୍ରଛାତ୍ରୀଙ୍କୁ ସମୟକ୍ରମେ କାହିଁକି ଓ କିପରି ଅଯୋଗ୍ୟ କରିଦେଉଛି ଏବ˚ ଏହା କିପରି ଅଧିକ ସାର୍ଥକ ଓ ଫଳପ୍ରସୂ ହେବ ତା’ ଉପରେ ସାମାନ୍ୟ ଆଲୋକପାତ ସମୀଚୀନ ମନେହୁଏ। ଏଠାରେ ଏ ସ˚କ୍ରାନ୍ତରେ ହୋଇଥିବା କିଛି ପରୀକ୍ଷଣର ଆଲୋଚନା ଆବଶ୍ୟକ। ୧୯୬୫ ମସିହାରେ ପ୍ରଖ୍ୟାତ ଲେଖକ, ପରାମର୍ଶଦାତା ଏବ˚ ଜେନେରାଲ୍ ସିଷ୍ଟମ୍ସ ବିଜ୍ଞାନୀ ଜର୍ଜ ଲ୍ୟାଣ୍ତ୍ ଆମେରିକାର ‘ନାସା’ ସ˚ସ୍ଥା ପାଇଁ ନବପ୍ରବର୍ତ୍ତନକ୍ଷମ ଇଞ୍ଜିନିୟର ତଥା ବିଜ୍ଞାନୀଙ୍କ ଚୟନ ନିମନ୍ତେ ଏକ ସୃଜନଶୀଳତାଭିିତ୍ତିକ ପରୀକ୍ଷଣ କରିଥିଲେ। ଏହାର ଫଳାଫଳ ଏତେ ବେଶି ଉତ୍ସାହଜନକ ଥିଲା ଯେ ସେ ଏହାକୁ ସାଧାରଣ ଶିକ୍ଷା କ୍ଷେତ୍ରରେ ପ୍ରୟୋଗ କରିବା ପାଇଁ ନିଷ୍ପତ୍ତି ନେଲେ। ତଦନୁଯାୟୀ ୧୯୬୮ ମସିହାରେ ଛୋଟ ପିଲାଙ୍କୁ ନେଇ ସେ ଏହିପରି ପରୀକ୍ଷଣ ଏବ˚ ଗବେଷଣା କରିଥିଲେ। ପ୍ରଥମେ ୫ ବର୍ଷ ବୟସର ୧୬୦୦ ପିଲାଙ୍କୁ ନେଇ ଏ ପ୍ରକାର ସୃଜନଶୀଳତା ପରୀକ୍ଷା କରି ସେ ଜାଣିଲେ ଯେ ଏହି ବୟସର ଶତକଡ଼ା ୯୮ ଭାଗ ପିଲାଙ୍କ ସୃଜନଶୀଳତା ସ୍ତର ଖୁବ୍ ଉଚ୍ଚ ତଥା ଉନ୍ନତ। ତେବେ ୧୦ ବର୍ଷ ବୟସ ବେଳକୁ ସେହି ପିଲାଙ୍କ ଭିତରୁ ମାତ୍ର ୩୦%ଙ୍କ ଠାରେ ସୃଜନଶୀଳତା ଉଚ୍ଚ ରହୁଥିବା ସ୍ଥଳେ ୧୫ ବର୍ଷ ବୟସ ବେଳକୁ ଏହା ୧୨% ଏବ˚ ୨୫ ବର୍ଷ ବୟସ ବେଳକୁ ଏହା ମାତ୍ର ୨%କୁ ଖସିଯାଉଛି। ପରବର୍ତ୍ତୀ ସମୟରେ ବିଭିନ୍ନ ପର୍ଯ୍ୟାୟରେ ପ୍ରାୟ ୨,୮୦,୦୦୦ ବୟସ୍କ ବ୍ୟକ୍ତିଙ୍କଠାରେ ଏହି ପରୀକ୍ଷଣ କରି ସେ ଜାଣିବାକୁ ପାଇଲେ ଯେ ଏମାନଙ୍କ ମଧ୍ୟରୁ ମାତ୍ର ୨% ବ୍ୟକ୍ତିଙ୍କଠାରେ ସୃଜନଶୀଳତା ବଞ୍ଚିରହିଛି। ଏହିସବୁ ପରୀକ୍ଷଣଲବ୍ଧ ଫଳାଫଳରୁ ସେ ଏହି ସିଦ୍ଧାନ୍ତରେ ଉପନୀତ ହେଲେ ଯେ ବୟସ ବଢ଼ିବା ସହ ସୃଜନଶୀଳତା ଦୟନୀୟ ଭାବେ ହ୍ରାସ ପାଇଥାଏ।
ବୟସ ବଢ଼ିବା ସହ କ୍ରମକ୍ଷୟିଷ୍ଣୁ ସୃଜନଶୀଳତାର କାରଣ ଅନୁସନ୍ଧାନ କରି ଲ୍ୟାଣ୍ତ୍ ସ୍ପଷ୍ଟ ମତ ଦେଇଥିଲେ ଯେ ଆମର ଆନୁଷ୍ଠାନିକ ତଥା ଔପଚାରିକତା ସର୍ବସ୍ବ ଶିକ୍ଷା ବ୍ୟବସ୍ଥାର ଦୃଢ଼ ଶୃଙ୍ଖଳ ଭିତରେ ଏବ˚ ବ୍ୟବସ୍ଥା ସହ ସ˚ଶ୍ଳିଷ୍ଟ ନିୟମାବଳୀ ପାଳନରେ ଆମ ଛାତ୍ରଛାତ୍ରୀ ନିଜକୁ ଏକ ଚିରାଚରିତ ଢାଂଚାରେ ପକାଇବାକୁ ବାଧ୍ୟ ହେଉଛନ୍ତି। ଫଳରେ ସେମାନଙ୍କର ଏହି ସର୍ଜନାତ୍ମକ ବିଭବଟି କେଉଁଠି ମରିହଜିଯାଉଛି! ଏ ପ୍ରକାରର ପରୀକ୍ଷଣଗୁଡ଼ିକରୁ ସ୍ପଷ୍ଟ ଜଣାଯାଏ ଯେ ବୟସ ବଢ଼ିବା ସହ ଆମେ ‘ଅଣସୃଜନଶୀଳ ବ୍ୟବହାର’କୁ ଆପଣେଇ ନେଇଥାଉ, ଏଥିସହ ଅଭ୍ୟସ୍ତ ହୋଇଯାଇଥାଉ। ତେବେ ଏହାକୁ ଏଡ଼ାଇବା ପାଇଁ ବିବିଧ ପନ୍ଥା ରହିଛି ବୋଲି ମାନବ ସମ୍ବଳ ବିକାଶ ବିଶାରଦମାନେ ମତ ଦିଅନ୍ତି। ଅଥଚ ଆମ ଶିକ୍ଷା ବ୍ୟବସ୍ଥାରେ ଏଥିପାଇଁ ସୁଯୋଗ ନାହିଁ, ବର˚ ଏହାକୁ ବିଧିବଦ୍ଧଭାବେ ନଷ୍ଟ କରିଦିଆଯାଉଛି।
ଏହି ଅବସ୍ଥାରେ ସୁଧାର ଆଣି ଶିକ୍ଷା ବ୍ୟବସ୍ଥାକୁ ଅଧିକ ସାର୍ଥକ ଓ ଫଳପ୍ରସୂ କରିବାକୁ ହେଲେ ସବୁ ସ୍ତରର ଶିକ୍ଷା ପ୍ରତି ଆମ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବା ଦରକାର। ଶିକ୍ଷାର ମୂଳଦୁଆ ପ୍ରାଥମିକ ଶିକ୍ଷା ହୋଇଥିବା ଦୃଷ୍ଟିରୁ ପ୍ରଥମେ ଆମକୁ ପ୍ରାଥମିକ ତଥା ପ୍ରାକ୍-ପ୍ରାଥମିକ ଶିକ୍ଷାର ପ୍ରକୃତ ଲକ୍ଷ୍ୟ ହୃଦୟଙ୍ଗମ କରିବାକୁ ପଡ଼ିବ। ପିଲାଙ୍କ ପ୍ରତିଭା ଯାହା ହୋଇଥାଉ ନା କାହିଁକି, ପରମ୍ପରା ଓ ବ୍ୟବସ୍ଥା ଅନୁଯାୟୀ, ଆମେ ଶୃଙ୍ଖଳା ତଥା ସମତାର ଦ୍ବାହି ଦେଇ ସବୁ ପିଲାଙ୍କୁ ଏକା ପ୍ରକାରର ଢାଂଚାରେ ପକାଇଦେବାକୁ ଚାହୁଁ, ‘ଏକା ଘଣାରେ ପେଷି ଦେବାକୁ’ ପସନ୍ଦ କରୁ। କିନ୍ତୁ ଏହା ଆଦୌ ଉଚିତ ନୁହେଁ। ଆନୁଷ୍ଠାନିକ ଶିକ୍ଷା ଆରମ୍ଭ କରୁଥିବା ଅବସରରେ ପିଲାଟି ନିଜ ପରିଚିତ ପରିବେଶଠାରୁ ଭିନ୍ନ ଏକ ପରିବେଶ ଭିତରେ ପରିବାରଠାରୁ ବେଶ କିଛି ସମୟ ପାଇଁ ଦୂରେଇ ରହେ। ପିଲାଟି ନୂଆ ପରିବେଶରେ କିପରି ନୂଆ ନୂଆ ଲୋକଙ୍କ ଗହଣରେ ନିଜକୁ ସହଜ ତଥା ସ୍ବାଭାବିକ ଅନୁଭବ କରୁଛି ଓ ଖାପଖୁଆଇ ପାରୁଛି, ତା’ ଉପରେ ଦୃଷ୍ଟି ଦେବା କଥା। ଏହା ସ˚ପୃକ୍ତ ଅଙ୍ଗନବାଡ଼ି କର୍ମୀ/ଶିକ୍ଷକ ବା ଶିକ୍ଷୟିତ୍ରୀଙ୍କ ଧ୍ୟେୟ ହେବା ବାଞ୍ଛନୀୟ। ସେ କିପରି ନୂଆ ନୂଆ କଥା ଶିଖିବାରେ ଏବ˚ ଭିନ୍ନ କିଛି କାମ କରିବାରେ ଆଗ୍ରହ ଦେଖାଇବ ସେଥିପ୍ରତି ଦୃଷ୍ଟି ଦେବା ବିଧେୟ। ତା’ଛଡ଼ା ଅନ୍ୟମାନଙ୍କୁ ସମ୍ମାନ ଦେବା ଏବ˚ ସେମାନଙ୍କ ସହ ମିଳିମିଶି କାମ କରିବା ପାଇଁ ତାକୁ ଉତ୍ସାହିତ କରିବାକୁ ପଡ଼ିବ। ଏହାଦ୍ବାରା ଜୀବନ ତଥା ସମାଜ ଏବ˚ କର୍ତ୍ତବ୍ୟ ପ୍ରତି ତା’ର ଆଗ୍ରହ ଧୀରେଧୀରେ ବଢ଼ିବ। ଫଳରେ ଆମ ପିଲାଙ୍କ ବ୍ୟକ୍ତିତ୍ବର ଉତ୍ତରଣ ସୁଚାରୁରୂପେ ସମ୍ପନ୍ନ ହେବାର ସମ୍ଭାବନା ସୃଷ୍ଟି ହେବ।
ଆମକୁ ମନେ ରଖିବାକୁ ହେବ ଯେ ପ୍ରେତ୍ୟକ ଶିଶୁର କିଛି ନା କିଛି ନିଜସ୍ବ ଅନ୍ତର୍ନିହିତ ପ୍ରତିଭା ରହିଛି। ତା’ର ମନ ଭିନ୍ନ କିଛି କରି ଦେଖାଇଦେବାକୁ ଚାହୁଁଥିବା ସ୍ଥଳେ ଆମ ବ୍ୟବସ୍ଥା ତା’କୁ ଏଥିରୁ ବଂଚିତ କରୁଛି। ଏହା ତା’ ପ୍ରତି ଅନ୍ୟାୟ। ଏଠାରେ ‘ପ୍ରାକୃତିକ ଉଦ୍ବରଣ’ (ନେଚୁରାଲ ସିଲେକ୍ସନ) ତତ୍ତ୍ବର ପ୍ରଣେତା ଚାର୍ଲସ ଡାର୍ଉଇନ୍ଙ୍କ ଉଦାହରଣ ବିଚାର କରାଯାଇପାରେ। ୧୮୦୯ ମସିହାରେ ଜନ୍ମିତ ଏହି ମହାନ ପ୍ରକୃତିବିତ୍ ତଥା ବିବର୍ତ୍ତନବାଦୀଙ୍କୁ ୯ ବର୍ଷ ବୟସରେ ସ୍କୁଲ୍ରେ ଏବ˚ ୧୭ ବର୍ଷ ବୟସରେ ଡାକ୍ତରୀ ପାଠ ପାଇଁ ଏଡିନବରା ବିଶ୍ବବିଦ୍ୟାଳୟରେ ଦାଖଲ କରାଯାଇଥିଲା। ତାଙ୍କ ସ୍କୁଲ୍ ଶିକ୍ଷକମାନଙ୍କ ମତରେ ସେ ‘ଭଲ ଛାତ୍ର’ ନ ଥିଲେ। ସେହିପରି ସେ ଦୁଇଟି ସେସନ୍ ପରେ ଡାକ୍ତରୀ ପାଠକୁ ଅଧାରୁ ଛାଡ଼ି ଫେରିଆସିଥିଲେ। ପରେ ୧୮୨୮ରେ ତାଙ୍କୁ କ୍ୟାମ୍ବ୍ରିଜସ୍ଥିତ ଖ୍ରୀଷ୍ଟ କଲେଜରେ ବି.ଏ. ଶ୍ରେଣୀରେ ଭର୍ତ୍ତି କରାଗଲା। ଉଦ୍ଦେଶ୍ୟ ଥିଲା ସେ ଜଣେ ଧର୍ମଯାଜକ ହେବେ। ୧୮୩୧ରେ ସେ ବି.ଏ. ପାସ୍ କଲେ କିନ୍ତୁ ଧର୍ମଯାଜକ ହେଲେନାହିଁ। ତାଙ୍କ ମତରେ ସ୍କୁଲ୍ ଓ ଏଡିନବରା ପରି ଏହି ତିନି ବର୍ଷ ମଧ୍ୟ ନଷ୍ଟ ହୋଇଥିଲା। ତେବେ ଏହି ସମୟରେ ସେ ପ୍ରଚୁର-ସ˚ଖ୍ୟକ ଗୋବରପୋକ (ବିଟଲ) ସ˚ଗ୍ରହ କରିଥିଲେ। ଏହି ରୁଚି ତାଙ୍କ ଭବିଷ୍ୟତ ଜୀବନର ସଫଳତାର ସୂଚନା ଦିଏ। ତା’ଛଡ଼ା ସେ ଜନ୍ ହେନସ୍ଲୋଙ୍କ ତତ୍ତ୍ବାବଧାନରେ ଉଦ୍ଭିଦବିଜ୍ଞାନ ଅଧ୍ୟୟନ କରିଥିଲେ ଏବ˚ ତାଙ୍କ ସୁପାରିସକ୍ରମେ ଜଣେ ପ୍ରକୃତିବିତ୍ ଭାବେ ୧୮୩୧ରୁ ୧୮୩୬ ଯାଏ ଏଚ୍.ଏମ୍.ଏସ୍. ବିଗଲ ଜାହାଜରେ ସମୁଦ୍ରଯାତ୍ରା କରିଥିଲେ। ଏହି ସମୟରେ ସେ ପ୍ରକୃତି ଓ ଜୀବଜନ୍ତୁଙ୍କ ପର୍ଯ୍ୟବେକ୍ଷଣ ଓ ଅଧ୍ୟୟନ କରିବାର ସୁଯୋଗ ପାଇଥିଲେ, ଯାହା ପରେ ତାଙ୍କୁ ନିଜର ବିବର୍ତ୍ତନଭିିତ୍ତିକ ତତ୍ତ୍ବ ଉପସ୍ଥାପନ କରିବାରେ ସହାୟକ ହୋଇଥିଲା। କହିବା ବାହୁଲ୍ୟ ଯେ ଗୋବରପୋକ ସ˚ଗ୍ରହ, ଉଦ୍ଭିଦବିଜ୍ଞାନ ଅଧ୍ୟୟନ ଏବ˚ ବିଗଲରେ ସମୁଦ୍ରଯାତ୍ରା ତାଙ୍କ ଅନ୍ତରାତ୍ମାର ଆହ୍ବାନ ସହ ମେଳ ଖାଉଥିଲା। ମେଣ୍ତେଲ୍ ଓ ଆଇନ୍ଷ୍ଟାଇନ୍ଙ୍କ ପରି ବହୁ ମହାନ ବୈଜ୍ଞାନିକଙ୍କ ଜୀବନରେ ମଧ୍ୟ ଅନୁରୂପ ଅନୁଭୂତି ରହିଛି।
ଗୁରୁତ୍ବର ବିଷୟ, ଶିକ୍ଷା ହେଉଛି ନିଜକୁ ଆବିଷ୍କାର କରିବାର ଏକ ମାର୍ଗ। ଗାନ୍ଧୀଜୀ ନିଜର ଅନ୍ତରାତ୍ମାର ଆହ୍ବାନ ଅନୁଯାୟୀ ଏହି ମାର୍ଗ ବାଛିଥିଲେ, ସତ୍ୟର ସନ୍ଧାନ କରିଥିଲେ ଓ ଏଥିରେ ସଫଳ ହୋଇଥିଲେ। ସୁତରା˚ ଛାତ୍ରଛାତ୍ରୀ କିପରି ନିଜକୁ ଆବିଷ୍କାର କରିବେ ତାହା ନିଶ୍ଚିତ କରିବା ବିଧେୟ। ଏଥିସହ ସେମାନଙ୍କର ପ୍ରତିଭା ଓ ପସନ୍ଦ ଅନୁଯାୟୀ ସେମାନଙ୍କର ବିକାଶ ପ୍ରତି ଦୃଷ୍ଟି ଦେବା ଆବଶ୍ୟକ।
ଶିକ୍ଷାଗ୍ରହଣ ପ୍ରକ୍ରିୟାରେ ଭାଷଣସର୍ବସ୍ବ ଶିକ୍ଷାଦାନ ଆଦୌ ଫଳପ୍ରସୂ ନୁହେଁ। ବର˚ ପିଲାଟି ଦିନରୁ ଛାତ୍ରଛାତ୍ରୀ ନିଜେ କିଛି କରିବା ବା ପରୀକ୍ଷଣ-ଭିିତ୍ତିକ ଶିକ୍ଷା ପାଇବା ଉଚିତ। ଏଠାରେ ଚୀନ ଦାର୍ଶନିକ କନଫୁସିୟସଙ୍କ ଏକ ଉକ୍ତିର ଉଲ୍ଲେଖ ଓ ସାମାନ୍ୟ ବିଶ୍ଳେଷଣ ପ୍ରାସଙ୍ଗିକ ହେବ। ସେ କହିଥିଲେ, ‘‘ମୁଁ ଶୁଣେ ଓ ମୁଁ ଭୁଲିଯାଏ, ମୁଁ ଦେଖେ ଓ ମୁଁ ମନେ ରଖେ, ମୁଁ କରେ ଓ ମୁଁ ବୁଝିପାରେ।’’ ଏଥିରୁ ଶିକ୍ଷାଗ୍ରହଣ ଅବସରରେ ପରୀକ୍ଷଣର ଗୁରୁତ୍ବ ସ୍ପଷ୍ଟ ହୁଏ। ସୁତରା˚ ବିଦ୍ୟାର୍ଥୀମାନଙ୍କ ପାଇଁ ପରୀକ୍ଷଣ, ପ୍ରକଳ୍ପ ପ୍ରସ୍ତୁତି, କ୍ଷେତ୍ର ଅଧ୍ୟୟନ, ତଥ୍ୟ ତଥା ନମୁନା ସ˚ଗ୍ରହ, ସର୍ବେକ୍ଷଣ ଆଦି ଅପରିହାର୍ଯ୍ୟ। ସ˚ପୃକ୍ତ ଶିକ୍ଷକ/ଶିକ୍ଷୟିତ୍ରୀ ଏଥିପ୍ରତି ଦୃଷ୍ଟି ଦେବା ବାଞ୍ଛନୀୟ। ପରୀକ୍ଷାବହୁଳ ଶିକ୍ଷା ବ୍ୟବସ୍ଥାରେ ମଧ୍ୟ ପୁନର୍ବିଚାର ତଥା ସ˚ସ୍କାର ଦରକାର। ଏଥିସହ ‘ଘୋଷବନ୍ତ ବଳବନ୍ତ’ ନୀତି ବଦଳରେ ସୃଜନଶୀଳତା, ନବଚିନ୍ତନ ତଥା ଗବେଷଣା ଏବ˚ ନବପ୍ରବର୍ତ୍ତନକୁ ପ୍ରୋତ୍ସାହନ ଦେବା ଆବଶ୍ୟକ। ସର୍ବୋପରି ସଫଳ ଶିକ୍ଷାଗ୍ରହଣକୁ ନିଶ୍ଚିତ କରିବାକୁ ହେଲେ ଦକ୍ଷ, ବିଦଗ୍ଧ, ପ୍ରେରଣାଦାୟୀ ଶିକ୍ଷକ ଚୟନ ଓ ମୁତୟନକୁ ଅଗ୍ରାଧିକାର ଦେବାକୁ ପଡ଼ିବ।
ମୋ- ୮୨୮୦୨୩୯୯୫୭