ସୁଖୀ ଜୀବନ ଓ ସୁଖାନୁଭୂତି

ସୁଭାଷ ପଟ୍ଟନାୟକ

ସୁଖାନୁଭୂତି କ’ଣ? ଏ ଅନୁଭବ ମନୁଷ୍ୟର କିପରି ଆସେ? ସୁଖରେ ବିତୁଥିବା ଜୀବନ ଓ ସୁଖାନୁଭୂତି ଦୁଇଟି ଯାକ ଏକା କଥା ନୁହେଁ। ସୁଖାନୁଭବ ହେଉଛି ମନର ଏକ ଅବସ୍ଥା, ଯାହା ଆମର ଏକ ଇଚ୍ଛାଧୀନ ଅଭିରୁଚି। ଏହା ସହିତ ସୁଖ ସ୍ବାଚ୍ଛନ୍ଦ୍ୟ ଜୀବନର କୌଣସି ସମ୍ପର୍କ ନାହିଁ। ସାଧାରଣ ଭାବରେ ଜଣେ ବ୍ୟକ୍ତିକୁ ଆମେ କେତେବେଳେ ସୁଖୀ କହୁ? ପରିତୃପ୍ତ ଜୀବନଧାରା, ଜୀବନର ଗୁରୁତ୍ବପୂର୍ଣ୍ଣ ଦିଗ, ଯଥା: କର୍ମସଂସ୍ଥାନ, ଧନସମ୍ପଦ, ବ୍ୟକ୍ତି ସମ୍ପର୍କ, ସ୍ବାସ୍ଥ୍ୟ ଇତ୍ୟାଦିର ଅନୁକୂଳତା ଏବଂ ସର୍ବଦା ସକାରାତ୍ମକ ଚିନ୍ତନର ଅଧିକାରୀ ବ୍ୟକ୍ତି ହିଁ ସୁଖୀ। ମାତ୍ର ଏହି ପ୍ରକାର ସୁଖୀ ଜୀବନ ଜିଉଥିବା ମନୁଷ୍ୟମାନଙ୍କର ଯେ ସୁଖର ଅନୁଭବ ରହିଥିବ, ତାହା କହିହେବନି। ଅନେକ ବ୍ୟକ୍ତି ସୁଖ ଓ ଦୁଃଖକୁ ନିଜ ପରିସ୍ଥିତିର ଅବଦାନ ବୋଲି ଭାବନ୍ତି। ଯଦି ସୁଖର ଅନୁଭବ ମନୁଷ୍ୟର ପରିସ୍ଥିତି ଉପରେ ପର୍ଯ୍ୟବସିତ ହୋଇଥାନ୍ତା, ତେବେ କେହି ବି ସୁଖର ଅନୁଭବୀ ହୋଇନଥାନ୍ତେ। କାରଣ କାହାରି ଜୀବନ ଦୁଃଖଶୂନ୍ୟ ନୁହେଁ।

ଆଲୋଚନା ପାଇଁ ତିନିଟି ଉଦାହରଣ ନେବା। ମୋର ତିନି ବନ୍ଧୁଙ୍କ ମଧ୍ୟରୁ ପ୍ରଥମ ବନ୍ଧୁ ଖୁବ୍ ଧନବାନ। ସଫଳ ବ୍ୟବସାୟ ସହିତ ଘର, ଗାଡ଼ି, ସୁନ୍ଦର ପରିବାର, ସବୁ କିଛି ଅଛି। ତଥାପି କୁହନ୍ତି, ‘ଏତେ ଥାଇ କ’ଣ ହେବ, ଜୀବନରେ ତ ସୁଖ ଟିକିଏ ନାହିଁ’। ଅନେକ ଅନୁସନ୍ଧାନ ପରେ ଜାଣିଲି ଯେ ସେ ମାନସିକ ସ୍ତରରେ ସୁଖର ଅନୁଭବ କରିପାରୁନାହାନ୍ତି, କାରଣ ବୟସ ହୋଇଯିବା ପରେ ଘରେ ତାଙ୍କୁ କିଏ ଆଉ ଗୁରୁତ୍ୱ ଦେଉନାହାନ୍ତି କି ପରିବାର ଉପରେ ତାଙ୍କର ଆଉ ପୂର୍ବ କର୍ତ୍ତୃତ୍ବ ନାହିଁ। ସେଇଥିପାଇଁ ସବୁ ଥାଇ ମଧ୍ୟ ସେ ମାନସିକ ସ୍ତରରେ ଅସୁଖୀ।

ଦ୍ୱିତୀୟ ବନ୍ଧୁଟି ପ୍ରବଳ କୁନ୍ଥା ସ୍ବଭାବର। କୌଣସି କଥାକୁ ସହଜରେ ଗ୍ରହଣ କରିପାରନ୍ତି ନାହିଁ। ନକାରାତ୍ମକ ଦିଗଟି ପ୍ରଥମେ ତାଙ୍କ ନଜରକୁ ଆସିଯାଏ। ବିନା କୌଣସି କାରଣରେ ରାଗି ଉଠନ୍ତି। ଧନସମ୍ପଦ ଥିଲେ ମଧ୍ୟ ସ୍ବଭାବଟା ଏଇମିତି। କାଳୀ ଗାଈର ଭିନ୍ନଗୋଠ ପରି ହସଖୁସିର ପରିବେଶରୁ ନିଜକୁ ସର୍ବଦା ଦୂରରେ ରଖିଥାନ୍ତି। ସବୁବେଳେ ନିଜ ଭିତରେ ଆବଦ୍ଧ ରହୁଥିବା ଏହି ବନ୍ଧୁଟି ସୁଖାନୁଭୂତି କ’ଣ, କିଛି ଜାଣନ୍ତି ନାହିଁ।

ତୃତୀୟ ବନ୍ଧୁ ଜଣକ ସଦା ଚଞ୍ଚଳ, ହସହସ। କୌଣସି ଦୁଃଖ ତାଙ୍କୁ ସ୍ପର୍ଶ କରିପାରେନି। ଉଚ୍ଚ ପଦରୁ ଅବସରପ୍ରାପ୍ତ। ସ୍ତ୍ରୀ ଆଂଶିକ ପକ୍ଷାଘାତ ପୀଡ଼ିତା। ଘରକାମ ନିଜେ କରନ୍ତି। ନାତୁଣୀ ସାଙ୍ଗରେ ଚଟା (ମାଟିରେ ଘର କାଟି ଗୋଟିଏ ଗୋଡ଼ରେ ଡେଇଁ ଖେଳା ଯାଇଥାଏ) ଖେଳନ୍ତି। ସବୁ ପ୍ରସ୍ତାବରେ ଆଗଭର ହୋଇ ବାହାରି ପଡ଼ନ୍ତି। ଏବେ ଦିନେ ବାରଣ୍ଡାରେ ବସି କେଉଁଆଡ଼େ ତନ୍ମୟ ହୋଇ ଚାହିଁ ରହି ଠୋ ଠା ହସୁଥିଲେ। ପଚାରିବାରୁ କହିଲେ, ‘ଏଇ ଦେଖ, ଏ ଗୋବରପୋକଟା ତା’ ଓଜନଠାରୁ ଚାରି ଗୁଣ ଅଧିକ ଓଜନର ଗୋବର ଗୁଳାକୁ କେମିତି ପଛୁଆ ଠେଲି ଠେଲି ନେଇଯାଉଛି। ରାସ୍ତା ଦେଖିପାରୁନି, ତଥାପି ତା କାମରେ ଲାଗିଛି। ଓଲଟିପଡୁଛି, ପୁଣି ଉଠିପଡ଼ି ଠେଲିବାରେ ଲାଗୁଛି।’ ଏତେ ଅସୁବିଧା ମଧ୍ୟରେ ଥାଇ ମଧ୍ୟ ସାମାନ୍ୟ ଗୋଟିଏ ଘଟଣାରୁ ଆନନ୍ଦ ଉଠାଇ ପାରିବା ଏ ବନ୍ଧୁଙ୍କ ଠାରୁ ଶିଖିବା କଥା।

ଏଇ ତିନି ବନ୍ଧୁଙ୍କ ସୁଖର ଅନୁଭବ କାହାର କେମିତି ବିଚାର କରନ୍ତୁ। ପ୍ରଥମ ଦୁଇ ବନ୍ଧୁ ଜୀବନର ଉଜ୍ଜ୍ବଳ ଦିଗକୁ ନିରୀକ୍ଷଣ କରି ପାରନ୍ତି ନାହିଁ। ଉତ୍‌ଫୁଲ୍ଲ ରହିବାକୁ ଚେଷ୍ଟା କରନ୍ତି ନାହିଁ। ସମସ୍ତଙ୍କ ସହିତ ସାର୍ଥକ ସମ୍ପର୍କ ଯୋଡ଼ି ପାରନ୍ତି ନାହିଁ। ଜୀବନ ଅତୃପ୍ତ ଲାଗୁଥିଲେ ମଧ୍ୟ ତା’ ଭିତରୁ କିଛି ସକାରାତ୍ମକତା ଖୋଜନ୍ତି ନାହିଁ। ଏମାନଙ୍କ ସମ୍ମୁଖରେ ସୁଖ ଉପଲବ୍‌ଧିର କିଛି ଗୋଟେ ଧାର୍ଯ୍ୟ ଲକ୍ଷ୍ୟ ନାହିଁ। ନିଜକୁ ସର୍ବଦା ଅତୃପ୍ତ ଭାବନ୍ତି, ତେଣୁ ସବୁ କିଛି ଥାଇ ମଧ୍ୟ ଏମାନଙ୍କ ଠାରେ ସୁଖାନୁଭୂତିର ଅଭାବ ରହିଛି। ମୂଳକଥା ହେଉଛି, ଆମେ ଯେତେବେଳେ ସୁଖର ସଂଜ୍ଞା ନିର୍ଦ୍ଧାରଣ କରିବା ଛାଡ଼ିଦେବା, ଆମେ ନିଜର ପାଖେପାଖେ ସୁଖକୁ ଅନୁଭବ କରିପାରିବା। ଜୀବନ ଗୋଟିଏ ଦୀର୍ଘ ଯାତ୍ରା। ଏହି ଯାତ୍ରାପଥରେ ଅନେକ ଉତ୍‌ଥାନ ପତନ ଆସିଥାଏ। ଯାତ୍ରାର ହର୍ଷୋଲ୍ଲାସଗୁଡ଼ିକ କେବଳ ଯେ ଆମକୁ ସୁଖର ଅନୁଭବ ଦିଏ, ତା’ ନୁହେଁ। ବରଂ ପ୍ରତ୍ୟେକ କ୍ଷେତ୍ରରୁ ଆମେ ସୁଖର ଅନୁଭୂତିକୁ ସାଉଁଟି ପାରିବା, ଯଦି ସୁଖବୋଧକୁ ନିଜର ପସନ୍ଦ ଭାବରେ ଗ୍ରହଣ କରିନେବା। ମନରୁ ନକାରାତ୍ମକ ଭାବନାଗୁଡ଼ିକୁ ତ୍ୟାଗ କରିପାରିଲେ ସୁଖର ଅନୁଭବ ସମ୍ଭବ ହେବ। ଦୁଇ ବନ୍ଧୁ ଜୀବନରେ ସଫଳ ହେଲେ ମଧ୍ୟ ସଫଳତା ଏମାନଙ୍କ ପାଇଁ ସୁଖର ଅନୁଭବ ଆଣିପାରିନି। ଏମାନେ ବୁଝନ୍ତିନି ଯେ, ସୁଖାନୁଭୂତି ହେଉଛି ସବୁ ସଫଳତାର ଦ୍ୟୋତକ।

ଗ୍ରୀକ୍ ଦାର୍ଶନିକ ଡେମୋକ୍ରିଟସ୍ ସର୍ବପ୍ରଥମେ ମନୁଷ୍ୟର ସୁଖାନୁଭୂତିକୁ ବିଶ୍ଳେଷଣ କରି କହିଥିଲେ ଯେ, ‘ଏହା ମନୁଷ୍ୟର ସୌଭାଗ୍ୟରୁ କିମ୍ବା ବାହ୍ୟ ପରିସ୍ଥିତିରୁ ପ୍ରାପ୍ତ ହୁଏ ନାହିଁ, ବରଂ ସୁଖାନୁଭୂତି ମନର ଏକ ଅବସ୍ଥା।’ ସୁଖର ଅନୁଭବ ଏକ ଅଭିରୁଚି, ପରିଣତି ନୁହେଁ। ଯେ ପର୍ଯ୍ୟନ୍ତ ଜଣେ ଇଚ୍ଛା ନକରିଛି, କୌଣସି ସୁଖ ତାକୁ ସୁଖର ଅନୁଭବ ଦେଇ ପାରିବନି। ତେଣୁ ବାହ୍ୟ ପରିବେଶରୁ ସୁଖର ଅନୁଭବ ଆସେନାହିଁ; ସୁଖର ଉପଲବ୍‌ଧି ମନ ଭିତରେ ହିଁ ସୃଷ୍ଟି ହୋଇଥାଏ।

ସୁଖ ବା ଆନନ୍ଦ ଏବଂ ସୁଖର ଅନୁଭବ ପରସ୍ପର ଠାରୁ ସମ୍ପୂର୍ଣ୍ଣ ଅଲଗା। ଆନନ୍ଦ କ୍ଷଣସ୍ଥାୟୀ ଓ ସୁଖାନୁଭୂତି ଦୀର୍ଘସ୍ଥାୟୀ। ଆନନ୍ଦ ପାଇବା ପାଇଁ ମାଧ୍ୟମର ଆବଶ୍ୟକ କିନ୍ତୁ ସୁଖର ଅନୁଭବ ବସ୍ତୁରୁ ଆସେନା; ଏହା ମନରେ ହିଁ ସର୍ବଦା ରହିଥାଏ। ଆନନ୍ଦ ପଞ୍ଚେନ୍ଦ୍ରିୟ ଦ୍ବାରା ପ୍ରାପ୍ତ ହୁଏ କିନ୍ତୁ ସୁଖବୋଧର ସୃଷ୍ଟି ମସ୍ତିଷ୍କରେ। ଆନନ୍ଦର ପରିଣତି ତେଣୁ ସୁଖବୋଧ ନୁହେଁ।

ସୁଖର ଅନୁଭବ କେମିତି ହେବ, ଚାଲନ୍ତୁ ଆମ ତୃତୀୟ ବନ୍ଧୁଙ୍କ ଠାରୁ ଶିଖିବା। ତାଙ୍କ ପରି ଆପଣ ମଧ୍ୟ ଦିନଟିକୁ ଚେନାଏ ହସରେ ଆରମ୍ଭ କରନ୍ତୁ। ଛୋଟ ଛୋଟ ଘଟଣାରୁ ଆନନ୍ଦ ସାଉଁଟିବାକୁ ଚେଷ୍ଟା କରନ୍ତୁ। ବନ୍ଧୁ ପରିଜନଙ୍କ ସହିତ ଯୋଡ଼ି ହୁଅନ୍ତୁ। ଯାହା ପାଇଛନ୍ତି ସେଥିପାଇଁ ସର୍ବଦା କୃତଜ୍ଞ ରହନ୍ତୁ। ସର୍ବାଧିକ ପସନ୍ଦଯୋଗ୍ୟ କାର୍ଯ୍ୟ କରନ୍ତୁ। ସର୍ବଦା ସକାରାତ୍ମକ ରହନ୍ତୁ, ଅର୍ଥାତ୍‌ ସର୍ବଦା ‘ଅଧା ପାତ୍ର ପୂର୍ଣ୍ଣ’ ମାନସିକତା ରଖନ୍ତୁ; ‘ଅଧା ପାତ୍ର ଶୂନ୍ୟ’ ବୋଲି ଭାବନ୍ତୁ ନାହିଁ। ଜୀବନର ଲକ୍ଷ୍ୟ ନିର୍ଦ୍ଧାରଣ କରନ୍ତୁ। ନକାରାତ୍ମକ ଆବେଗଗୁଡ଼ିକୁ ପରିତ୍ୟାଗ କରି ବର୍ତ୍ତମାନକୁ ନେଇ ବଞ୍ଚନ୍ତୁ।

ସୁଖ ଏକ ଛାଇ ପରି। ଧରିବାକୁ ଗୋଡ଼ାଇଲେ ଧରାଦେବନି, ବୁଲିପଡ଼ି ନିଜ ବାଟରେ ଚାଲିଲେ ପଛରେ ଗୋଡ଼ାଇବ। ଦୁଇହଜାର ବର୍ଷ ପୂର୍ବେ ଦାର୍ଶନିକ ସେନେକା ଦେଇଥିବା ମନ୍ତବ୍ୟ ଆଜି ମଧ୍ୟ ପ୍ରଯୁଜ୍ୟ: ‘ସୁଖାନୁଭୂତି ହେଉଛି ଭବିଷ୍ୟତ୍‌ ଉପରେ ନିର୍ଭର ନ କରି ବର୍ତ୍ତମାନଟିକୁ ଉପଭୋଗ କରିବା ଏବଂ ଆଶା, ଆକାଂକ୍ଷା ଓ ଭୟ ଇତ୍ୟାଦି ଠାରୁ ନିରୁପଦ୍ରୁତ ରହି ଯାହା ପାଇଛେ ସେଥିରେ ସନ୍ତୁଷ୍ଟ ରହିବା’।

ସୁଖ ଓ ଦୁଃଖ- ଏ ଦୁଇଟିର ଅନୁଭବକୁ ନେଇ ଜୀବନ। ଏଇଥିରୁ ହିଁ ଜୀବନକୁ ଚିହ୍ନି ହୁଏ। ‘ମ୍ୟାନସ୍ ସର୍ଚ୍ଚ ଫର ମିନିଂ’ ପୁସ୍ତକରେ ଡ. ଫ୍ରାଙ୍କ୍ ଲେଖିଛନ୍ତି, ମନୁଷ୍ୟର ସର୍ବଶେଷ ସ୍ବାଧୀନତା ହେଉଛି, ପରିସ୍ଥିତିକୁ ସେ କିପରି ସାମନା କରିବ ତାହା ନିର୍ଦ୍ଧାରଣ କରିବାର କ୍ଷମତା। ଏ କ୍ଷମତା ତା’ଠାରୁ କେହି ଛଡ଼ାଇ ନେଇ ପାରିବେନି। ପରିସ୍ଥିତିକୁ ହସି ହସି ସାମନା କରିପାରିଲେ ସୁଖର ଚିର ଅନୁଭବ ଆମ ସହିତ ରହିଥିବ। ଉର୍ଦ୍ଦୁ କବି ଏହେସାନ ମରହରବି ପଚାରିଥିଲେ, ‘ମୁଝେ ଖବର ନହିଁ ଘମ୍ କ୍ୟାହୈ ଔର ଖୁସି କ୍ୟାହୈ, ୟେ ଜିନ୍ଦେଗୀ କି ହୈ ସୁରତ ତୋ ଜିନ୍ଦେଗୀ କ୍ୟାହୈ”? ମତେ ଜଣାନାହିଁ ଦୁଃଖ କ’ଣ, ସୁଖ ବା କ’ଣ। ଏହା ଯଦି ଜୀବନର ଦୁଇଟି ରୂପ, କହିଦିଅନ୍ତୁ ଜୀବନଟା ତା’ହେଲେ କ’ଣ?

ଏସ୍-୧/୯୨, ନୀଳାଦ୍ରି ବିହାର
ଭୁବନେଶ୍ୱର-୭୫୧୦୨୧

ସମ୍ବନ୍ଧିତ ଖବର