ଗଲା ନଭେମ୍ବର ମାସର ଏକ ସଂଖ୍ୟାରେ ବିଶ୍ବପ୍ରସିଦ୍ଧ ଇ˚ରେଜୀ ପତ୍ରିକା ‘ଟାଇମ୍’ ଏକ ଅଭିନବ ପଦକ୍ଷେପ ଆପଣେଇ ସମଗ୍ର ବିଶ୍ବର ଦୃଷ୍ଟି ଆକର୍ଷଣ କରିଥିଲା। ୧୯୨୭ରେ ପ୍ରଥମେ ଆତ୍ମପ୍ରକାଶ କରିଥିବା ଏହି ପତ୍ରିକା ସେହି ସଂଖ୍ୟାରେ ପ୍ରଥମ ଥର ଲାଗି ପ୍ରଚ୍ଛଦପଟରୁ ତା’ର ‘ମାଷ୍ଟ ହେଡ୍’ ‘ଟାଇମ୍’କୁ ହଟେଇ ଦେଇ ସେହି ସ୍ଥାନରେ ଇଂରେଜୀରେ ‘ଭୋଟ୍’ ଶବ୍ଦକୁ ବଡ଼ ବଡ଼ ଅକ୍ଷରରେ ଲେଖିଥିଲା। ଏହା ଏକ ସାହସିକ ପଦକ୍ଷେପ ଥିଲା ବୋଲି କହିଲେ ଭୁଲ ହେବନାହିଁ। ଏହାର କିଛି ଦିନ ଆଗକୁ ଥିଲା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ। ‘ଟାଇମ୍’ ପତ୍ରିକା ଅନୁଯାୟୀ, ଏହି ନିର୍ବାଚନ ଆଗାମୀ ଦିନରେ କେବଳ ଆମେରିକାର ନୁହେଁ, ବର˚ ସମଗ୍ର ପୃଥିବୀର ଗଣତନ୍ତ୍ର ଏବ˚ ଗଣତନ୍ତ୍ରର ସ୍ବରୂପକୁ ବ୍ୟାପକ ଭାବରେ ପ୍ରଭାବିତ କରିବ। ଏଥିରେ ସାଧାରଣ ଜନତାଙ୍କ ମତ ଗୁରୁତ୍ବପୂର୍ଣ୍ଣ ଭୂମିକା ନେବ। ସେହି କାରଣରୁ ‘ଟାଇମ୍’ ପତ୍ରିକା ଏଭଳି ଏକ ପଦକ୍ଷେପ ନେଇ ସାଧାରଣ ନାଗରିକଙ୍କୁ ସଚେତନ କରେଇବା ସହ ‘ଭୋଟ’ ଦେବା ପାଇଁ ପ୍ରରୋଚିତ କରିଥିଲା।
୧୯୨୭ରେ ବ୍ରିଟନ୍ ହେଡେନ୍ ଏବ˚ ହେନ୍ରୀ ଲ୍ୟୁସ୍ଙ୍କ ଦ୍ବାରା ‘ଟାଇମ୍’ ପତ୍ରିକା ପ୍ରତିଷ୍ଠିତ ହେବା ପରେ ଏକ ପ୍ରଭାବଶାଳୀ ତଥା ଏକ ମର୍ଯ୍ୟାଦାଜନକ ପତ୍ରିକା ଭାବରେ ପତିଆରା ସୃଷ୍ଟି କରି ଆସିଛି। ୧୯୭୦ ଡିସେମ୍ବର ସ˚ଖ୍ୟାରେ ଭାରତର ଜନସାଧାରଣଙ୍କ ଉପରେ ମହାତ୍ମା ଗାନ୍ଧୀଙ୍କ ଲବଣ ସତ୍ୟାଗ୍ରହର ସଶକ୍ତ ପ୍ରଭାବର ଠିକ୍ ମୂଲ୍ୟାଙ୍କନ କରି ମହାତ୍ମା ଗାନ୍ଧୀଙ୍କୁ ‘ମ୍ୟାନ୍ ଅଫ୍ ଦି ଇଅର୍’ ଭାବରେ ଅଭିହିତ କରିଥିଲା। ଏଭଳି କରି ‘ଟାଇମ୍’ ନିଜର ମର୍ଯ୍ୟାଦା ବଢ଼େଇ ଥିଲା। ଅତ୍ୟନ୍ତ ମାମୁଲି ଲୁଣକୁ ଏକ ପ୍ରତୀକ ଭାବେ ବ୍ୟବହାର କରି ମହାତ୍ମା ଗାନ୍ଧୀ ଯେଭଳି ଭାବରେ ସାଧାରଣ ଭାରତୀୟ ଜନତାଙ୍କୁ ବ୍ରିଟିସ୍ ଶାସନ ବିରୋଧରେ ଏକଜୁଟ କରି ଭାରତୀୟ ସ୍ବାଧୀନତା ସ˚ଗ୍ରାମକୁ ଏକ ନିର୍ଣ୍ଣାୟକ ମୋଡ଼ ଦେଇପାରିଥିଲେ; ତାହା ଥିଲା ଅନନ୍ୟ। ଲବଣ ସତ୍ୟାଗ୍ରହ ଦ୍ବାରା ସାଧାରଣ ଜନତାଙ୍କୁ ଠିକ୍ ମାର୍ଗରେ ପ୍ରରୋଚିତ କରି ବିଶ୍ବର ଇତିହାସକୁ ମୋଡ଼ ଦେବାରେ ମହାତ୍ମା ଗାନ୍ଧୀ ସଫଳ ହୋଇ ପାରିଥିଲେ। ସାଧାରଣ ଜନତାଙ୍କ ହାତରେ ଯେ ଅତ୍ୟନ୍ତ ପ୍ରଭାବଶାଳୀ ଅସ୍ତ୍ର ରହିଛି, ତାହା ମହାତ୍ମା ଗାନ୍ଧୀ ମୂଳରୁ ହୃଦୟଙ୍ଗମ କରିଥିଲେ। ଏହାକୁ ‘ଟାଇମ୍’ ପତ୍ରିକା ଅତ୍ୟନ୍ତ ଚମତ୍କାର ଭାବରେ ବର୍ଣ୍ଣନା କରି ଲେଖିଥିଲା- ‘ଜେଲ୍ରେ ଥିବା ପତଳା ଶରୀର ଓ ସ୍ବଳ୍ପ-ବସ୍ତ୍ରଧାରୀ ମଣିଷ ଜଣକ ୧୯୭୦ ମସିହାରେ ସମଗ୍ର ବିଶ୍ବ ଇତିହାସକୁ ନିଃସନ୍ଦେହରେ ସବୁଠୁ ବେଶୀ ପ୍ରଭାବିତ କରିଛନ୍ତି।’
ଯେ କୌଣସି ଶାସନ ବ୍ୟବସ୍ଥାରେ ସାଧାରଣ ଜନତାଙ୍କ ନିର୍ଣ୍ଣାୟକ ଭୂମିକାକୁ ପ୍ରଖର ଗଣତନ୍ତ୍ରବାଦୀ ଆବ୍ରାହମ୍ ଲିଙ୍କନ୍ ମଧୢ ପ୍ରମାଣିତ କରିଥିଲେ। ଆମେରିକାରେ ଗୃହଯୁଦ୍ଧ ସମୟରେ ପେନ୍ସିଲ୍ଭାନିଆର ଗେଟିସ୍ବର୍ଗ ଠାରେ ଆବ୍ରାହମ୍ ଲିଙ୍କନ୍ ୧୮୬୭ ମସିହାରେ ଦେଇଥିବା କାଳଜୟୀ ଭାଷଣଟି ଆଜି ମଧୢ ଗଣତନ୍ତ୍ରରେ ସାଧାରଣ ଜନତାଙ୍କ ଭୂମିକାକୁ ଆଲୋକିତ କରିଥାଏ। ଆବ୍ରାହମ୍ ଲିଙ୍କନ୍ଙ୍କ ଭାଷାରେ, ‘ ସ˚ଗ୍ରାମୀମାନଙ୍କ ଅସୀମ ତ୍ୟାଗ ଓ ସାହସ ବଳରେ ଆମେରିକାରେ ସ୍ବାଧୀନତାର ନବଜନ୍ମ ଘଟିଛି ଏବ˚ ଏହା ଲୋକଙ୍କ, ଲୋକମାନଙ୍କ ଦ୍ବାରା ଏବ˚ ଲୋକମାନଙ୍କ ପାଇଁ ସରକାରକୁ ପୃଥିବୀ ପୃଷ୍ଠରୁ କେବେ ଧ୍ବ˚ସ ହେବାର ଅବସର ଦେବନାହିଁ।’ ଆବ୍ରାହମ୍ ଲିଙ୍କନ୍ଙ୍କ ଗେଟିସ୍ବର୍ଗ ଭାଷଣ ଗଣତାନ୍ତ୍ରିକ ମୂଲ୍ୟବୋଧ ପାଇଁ ଏକ ଚିରନ୍ତନ ସ୍ରୋତ।
ଆମେରିକାର ରାଷ୍ଟ୍ରପତି ନିର୍ବାଚନ ନଭେମ୍ବର (୨୦୨୦) ମାସରେ ଅନୁଷ୍ଠିତ ହେଲା। ପୁଣି ସେହି ନଭେମ୍ବର ମାସରେ ପୂର୍ବ-ୟୁରୋପରେ ଥିବା ମଲ୍ଡୋଭା ନାମକ ଦେଶରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ ଅନୁଷ୍ଠିତ ହେଲା। ୧୯୯୧ ପରେ ମଲ୍ଡୋଭା ରାଷ୍ଟ୍ରପତି ପଦ ଲାଗି ଚତୁର୍ଥ ନିର୍ବାଚନ ଦେଖିଲା। ଗଣତାନ୍ତ୍ରିକ ପଦ୍ଧତିରେ ମତଦାନ ଏବ˚ ଜନପ୍ରତିନିଧି ଚୟନ ପ୍ରକ୍ରିୟାଟି ଧୀରେ ଧୀରେ ପୂର୍ବ-ୟୁରୋପୀୟ ରାଷ୍ଟ୍ରମାନଙ୍କରେ ଦାନା ବାନ୍ଧି ଆସୁଛି। ଜର୍ଜିଆ ପରେ ମଲ୍ଡୋଭାରେ ଗଣତାନ୍ତ୍ରିକ ମତଦାନ ଏହି ଧାରାର ଏକ ଜ୍ବଳନ୍ତ ଉଦାହରଣ।
୨୦୨୦ ନଭେମ୍ବରରେ ଅନୁଷ୍ଠିତ ଆମେରିକା ଏବ˚ ମଲ୍ଡୋଭାର ନିର୍ବାଚନକୁ ପର୍ଯ୍ୟାଲୋଚନା କଲେ କିଛି ନୂଆ ଧାରା ଦୃଷ୍ଟିଗୋଚର ହୁଏ। ସେଇଟା ହେଲା ଏହି ଦୁଇ ଦେଶରେ ଗଣତନ୍ତ୍ରର ସ୍ବରୂପଟି ଅଧିକ ପ୍ରଶସ୍ତ ଏବ˚ ସମାବେଶୀ ହୋଇଛି। ଆମେରିକାରେ ଗଣତାନ୍ତ୍ରିକ ଇତିହାସରେ ଜଣେ ମହିଳା (କମଳା ହେରିସ୍) ପ୍ରଥମ ଥର ଲାଗି ଉପରାଷ୍ଟ୍ରପତି ଭାବେ ନିର୍ବାଚିତ ହେଲେ। ତାଙ୍କ ଛଡ଼ା, ଆମେରିକୀୟ ରାଜନୀତିରେ ‘ଦି ସ୍କ୍ବାଡ’ ନାମରେ ପରିଚିତ ଚାରି ଜଣ ମହିଳା ପ୍ରତିନିଧି (ମିନେସୋଟାରୁ ଲହାନ୍ ଓମାର୍, ନ୍ୟୁୟର୍କରୁ ଆଲେକଜାଣ୍ତ୍ରିଆ ଓକାସିଓ-କୋର୍ଟେଜ, ମିସିଗାନ୍ରୁ ରଶିଦା ତ୍ଲାଲବ୍ ଏବ˚ ମାସାଚୁସେଟ୍ସରୁ ଆୟାନ୍ନା ପ୍ରେସ୍ଲୀ) ପୁନଃ ନିର୍ବାଚିତ ହେବାର ଗୌରବ ହାସଲ କରିଛନ୍ତି। ଆମେରିକାର ରଟଗାର୍ ବିଶ୍ବବିଦ୍ୟାଳୟର ‘ସେଣ୍ଟର ଫର୍ ଆମେରିକେନ୍ ଉମେନ୍ ଏଣ୍ତ ପଲିଟିକ୍ସ’ର ଅଧୢୟନ ଅନୁସାରେ ଆମେରିକାର ହାଉସ୍ ଅଫ୍ ରିପ୍ରେଜେଣ୍ଟେଟିଭ (ପ୍ରତିନିଧି ସଭା)ରେ ମହିଳାମାନଙ୍କ ସ˚ଖ୍ୟା ୨୩.୨%ରୁ ସାମାନ୍ୟ ବୃଦ୍ଧି ପାଇ ୨୫.୫%ରେ ପହଞ୍ଚିବ।
ସେହିପରି ମଲ୍ଡୋଭା ନିର୍ବାଚନରେ ମାଇଆ ସାନ୍ଦୁ ନାମକ ଜଣେ ମହିଳା ରାଷ୍ଟ୍ରପତି ଭାବରେ ନିର୍ବାଚିତ ହୋଇ ନୂଆ ଇତିହାସ ରଚିଛନ୍ତି। ମାଇଆ ସାନ୍ଦୁ ୨୦୧୬ରେ ନିର୍ବାଚନରେ ପରାସ୍ତ ହେବା ପରେ ମଲ୍ଡୋଭାର ପ୍ରାୟ ସବୁ ଅଞ୍ଚଳକୁ ଯାଇ ଦୁର୍ନୀତି ବିରୋଧରେ ସାଧାରଣ ଜନତାଙ୍କୁ ବୁଝେଇଥିଲେ ଯାହା ତାଙ୍କୁ ସଫଳ କରିବା ସହିତ ରାଜନୈତିକ ଇତିହାସର ଧାରାକୁ ମୋଡ଼ି ଦେଇଛି। ରୁମାନିଆ ଏବ˚ ୟୁକ୍ରେନ ମଧୢରେ ଅବସ୍ଥିତ ଏହି କ୍ଷୁଦ୍ର ଦେଶ ଏବେ ନିଜର ଅର୍ଥନୀତିକୁ ସଜାଡ଼ିବା ଦିଗରେ ଚଳଚଞ୍ଚଳ ହୋଇ ଉଠିଛି।
ଏ ଦୁଇଟି ପରେ ତୃତୀୟ ନିର୍ବାଚନଟି ସ˚ଘଟିତ ହୋଇଛି ଭେନେଜୁଏଲାରେ, ୨୦୨୦ ଡିସେମ୍ବର ପ୍ରଥମ ସପ୍ତାହରେ। ଭେନେଜୁଏଲାର ପ୍ରସିଦ୍ଧ ରାଷ୍ଟ୍ରପତି ହ୍ୟୁଗୋ ଚାଭେଜ୍ଙ୍କ ମୃତ୍ୟୁ ପରେ ରାଷ୍ଟ୍ରପତି ଦାୟିତ୍ବ ସମ୍ଭାଳିଥିବା ନିକୋଲାସ ମାଦୁରୋ ଏବେ ପୁନର୍ବାର ରାଷ୍ଟ୍ରପତି ହେବାକୁ ଯାଉଛନ୍ତି। ହ୍ୟୁଗୋ ଚାଭେଜ୍ଙ୍କ ବ୍ୟକ୍ତିତ୍ବ ଏବ˚ ନୀତିକୁ ସାଧାରଣ ଜନତାଙ୍କ ଠାରେ ପୁନଃ ସ୍ବୀକୃତ କରେଇ ମତଦାନକୁ ନିଜ ପକ୍ଷରେ ନେବାରେ ମାଦୁରୋ ସଫଳ ହୋଇଛନ୍ତି। ଭେନେଜୁଏଲା ପାର୍ଲିଆମେଣ୍ଟରେ ୨୨.୧୬% ନିର୍ବାଚିତ ଜନପ୍ରତିନିଧି ହେଉଛନ୍ତି ମହିଳା।
କୌଣସି ଶାସନ ବ୍ୟବସ୍ଥାରେ ସାଧାରଣ ଜନତାଙ୍କ ମତ ତହିଁରେ ପରିବର୍ତ୍ତନ ଆଣିବାରେ ପ୍ରମୁଖ ଭୂମିକା ନିର୍ବାହ କରିଥାଏ। ଏଥିରେ ଖବରକାଗଜ ଓ ପତ୍ରପତ୍ରିକା ବା ଅନ୍ୟ ଗଣମାଧୢମ ପରିବର୍ତ୍ତନର ବାର୍ତ୍ତାକୁ ଠିକ୍ ଦିଗରେ ନେବା ପାଇଁ ଅଗ୍ରଦୂତ ସାଜିଥାନ୍ତି। ୧୯୭୫ରେ ଭାରତର ଜରୁରୀ ପରିସ୍ଥିତି ଜାରି ହେବା ବିରୋଧରେ ‘ଦି ଇଣ୍ତିଏନ୍ ଏକ୍ସପ୍ରେସ’ ତା’ର ୨୮ ଜୁନ୍ ୧୯୭୫ ସ˚ଖ୍ୟାରେ ସମ୍ପାଦକୀୟ ସ୍ତମ୍ଭକୁ ସ˚ପୂର୍ଣ୍ଣ ଭାବେ ଖାଲି ଛାଡ଼ି ଦେଇଥିଲା। ଜରୁରୀ ପରିସ୍ଥିତି ସମୟରେ ଗଣତନ୍ତ୍ରରେ ମୁକ୍ତ ଅଭିବ୍ୟକ୍ତିର କଣ୍ଠରୋଧକୁ ଚିହ୍ନିତ କରି ‘ଦି ଇଣ୍ତିଏନ୍ ଏକ୍ସପ୍ରେସ’ର ସେହି ଅଭିନବ ପଦକ୍ଷେପକୁ ଆଜି ମଧୢ ସସମ୍ମାନେ ସ୍ମରଣ କରାଯାଏ। ତିନି ବର୍ଷ ତଳେ, ୨୦୧୭ ମସିହାରେ ପୂର୍ବୋତ୍ତର ଭାରତର ତିନିଟି ଖବରକାଗଜ ‘ଦି ନାଗାଲେଣ୍ତ ପେଜ୍’, ‘ଇଷ୍ଟର୍ଣ୍ଣ ମିରର’ ଏବ˚ ‘ଦି ମୋରୁଙ୍ଗ ଏକ୍ସପ୍ରେସ’ ସେମାନଙ୍କ ସମ୍ପାଦକୀୟ ସ୍ତମ୍ଭଗୁଡ଼ିକୁ ଖାଲି ଛାଡ଼ି ଦେଇ ସାଧାରଣ ଜନତାଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଜନମତକୁ ବ୍ୟାପକ ଭାବରେ ପ୍ରଭାବିତ କରିବାରେ ସକ୍ଷମ ହୋଇଥିଲେ।
ଅଭିନବ ଉପାୟରେ କୌଣସି ନିର୍ଦ୍ଦିଷ୍ଟ ବିଷୟ ଉପରେ ସାଧାରଣ ଜନତାଙ୍କ ଚିନ୍ତନକୁ ପ୍ରଭାବିତ କରିପାରୁଥିବା ପତ୍ରିକା ଅଥବା ଖବରକାଗଜ ପରବର୍ତ୍ତୀ ସମୟରେ ନିଜ ନିଜର ଅନନ୍ୟ ପରିଚୟ ସୃଷ୍ଟି କରିପାରିଛନ୍ତି। ଏ ଦିଗରେ ପରାଧୀନ ଓଡ଼ିଶାରେ ‘କୁଜୀବର ପତ୍ର’ ନାମକ ପତ୍ରିକା ସାମାଜିକ ଏବ˚ ରାଜନୈତିକ ପରିବର୍ତ୍ତନରେ ବ୍ରତୀ ଥିଲା। କଟକ ଜିଲ୍ଲାର ଚୌଦ୍ବାର ପାଖରେ ଥିବା ଛୋଟ ଗାଁ କୁଜୀବର ଠାରେ ଥିବା ଏକ ମଠର ମହନ୍ତ ସାଧୁ ସୁନ୍ଦର ଦାସ ୧୮୭୦ ମସିହାରେ ଏହି ହାତଲେଖା ପତ୍ରିକା ପ୍ରକାଶ କରିଥିଲେ। ତତ୍କାଳୀନ ସମାଜରେ ଦୁଃଖୀ ଓ ଅଭାବୀ ଲୋକଙ୍କୁ ସାହାଯ୍ୟ, ନିଶା ନିଷେଧ, ବୃକ୍ଷ ଛେଦନ ବନ୍ଦ, ନାରୀ ହରଣରୁ ଦୂରେଇ ରହିବା ପାଇଁ ଏହି ପତ୍ରିକା ଜରିଆରେ ସାଧାରଣ ଜନତାଙ୍କୁ ପ୍ରରୋଚିତ କରାଯାଉଥିଲା। ‘କୁଜୀବର ପତ୍ର’ ଓଡ଼ିଆ ଭାଷାରେ ପ୍ରକାଶିତ ଖବରକାଗଜମାନଙ୍କ ମଧୢରେ ଅଗ୍ରଗଣ୍ୟ କିନ୍ତୁ ଏହାର କୌଣସି ପ୍ରତିଲିପି ଓଡ଼ିଆଜାତି ପାଖରେ ନାହିଁ।
କହିବା ବାହୁଲ୍ୟ ଯେ ଗୋଟିଏ ଗଣତନ୍ତ୍ର ବିଶ୍ବର ଅନ୍ୟତମ ମର୍ଯ୍ୟାଦାବନ୍ତ ପତ୍ରିକା ‘ଦି ଇକୋନେମିଷ୍ଟ’ ଦ୍ବାରା ‘ଡେମୋକ୍ରେସି ଇଣ୍ତେକ୍ସ’ ବା ‘ଗଣତନ୍ତ୍ର ସୂଚକାଙ୍କ’ ଷାଠିଏଟି ସୂଚକକୁ ନେଇ ସାରା ପୃଥିବୀର ଦେଶମାନଙ୍କୁ ଚାରି ଭାଗରେ ବିଭକ୍ତ କରିଥାଏ। ତାହା ହେଲା ସ˚ପୂର୍ଣ ଗଣତନ୍ତ୍ର, ଆ˚ଶିକ ଗଣତନ୍ତ୍ର, ମିଶ୍ରିତ ଗଣତନ୍ତ୍ର ଏବ˚ ଏକଛତ୍ରବାଦୀ ଗଣତନ୍ତ୍ର। ସେହି ଷାଠିଏଟି ସୂଚକମାନଙ୍କ ମଧୢରେ ଗୋଟିଏ ଗୁରୁତ୍ବପୂର୍ଣ୍ଣ ସୂଚକ ହେଉଛି ‘ରାଜନୈତିକ ପ୍ରକ୍ରିୟାରେ ଅ˚ଶଗ୍ରହଣ’। ଖବରକାଗଜ, ପତ୍ରିକା କିମ୍ବା ଗଣମାଧୢମ ସାଧାରଣ ଜନତାଙ୍କ ‘ରାଜନୈତିକ ପ୍ରକ୍ରିୟାରେ ଅ˚ଶଗ୍ରହଣ’କୁ ସଶକ୍ତ କରିଥାଆନ୍ତି।
ସାମ୍ପ୍ରତିକ ସମୟରେ ଗଣତନ୍ତ୍ର ଏବ˚ ସାଧାରଣ ଜନତାଙ୍କ ରାଜନୈତିକ ପ୍ରକ୍ରିୟାରେ ଅ˚ଶଗ୍ରହଣ ଉପରେ ବୈଚାରିକ ଆଲୋକପାତ କରୁଥିବା ଚିନ୍ତାନାୟକମାନଙ୍କ ମଧୢରେ ଜନ୍ ରଲ୍ସ୍ଙ୍କ ଚିନ୍ତନ ବେଶ୍ ପ୍ରଭାବଶାଳୀ। ଜନ୍ ରଲ୍ସ୍ଙ୍କ ପ୍ରସିଦ୍ଧ କୃତି ହେଉଛି ‘ଏ ଥିଓରି ଅଫ୍ ଜଷ୍ଟିସ୍’। ଜନ୍ ରଲ୍ସ୍ଙ୍କ ମତ ଅନୁସାରେ, ଗଣତନ୍ତ୍ରର ଅବିଚ୍ଛେଦ୍ୟ ଅଙ୍ଗ ହେଉଛି ‘ପବ୍ଲିକ୍ ରିଜନିଙ୍ଗ’ ବା ‘ସାର୍ବଜନୀନ ଯୌକ୍ତିକତା’। ଏହାକୁ ପ୍ରଭାବିତ କରିବାରେ ଗଣମାଧ୍ୟମର ନିର୍ଣ୍ଣାୟକ ଭୂମିକା ଥାଏ। ଏ କ୍ଷେତ୍ରରେ ‘ଦି ଇଣ୍ତିଆନ୍ ଏକ୍ସପ୍ରେସ’ର ସମ୍ପାଦକୀୟ ସ୍ତମ୍ଭକୁ ଖାଲି ଛାଡ଼ିବା ବା ‘ଟାଇମ୍’ ପତ୍ରିକା ନିଜର ‘ମାଷ୍ଟ ହେଡ୍’ ବଦଳାଇ ‘ଭୋଟ’ ଲେଖିବା ପ୍ରଣିଧାନଯୋଗ୍ୟ। ସାଧାରଣ ଜନତାଙ୍କୁ ଯୁକ୍ତିଯୁକ୍ତ ମାର୍ଗରେ ପ୍ରଭାବିତ କରିବା ଲାଗି ଏଗୁଡ଼ିକ ହେଉଛି ଅଭିନବ ପଦକ୍ଷେପ।
ମୋ: ୯୮୬୮୭୬୬୭୦୫