ଭାରତ-ଆମେରିକା ଅନ୍ତରଙ୍ଗତା ବଜାୟ ରହୁ

କେନିଥ୍‌ ଆଇ ଜସ୍‌ଟର‌୍‌

ଯୁକ୍ତରାଷ୍ଟ୍ର ଆମେରିକା ଏବ˚ ଭାରତ ମଧ୍ୟରେ ଦ୍ବିପାକ୍ଷିକ ସ˚ପର୍କ ଭଳି ଅନ୍ୟ କୌଣସି ଦେଶ ମଧ୍ୟରେ ସଂପର୍କ ଏତେ ପ୍ରଶସ୍ତ, ଜଟିଳ ଓ ସମୃଦ୍ଧ ନୁହେଁ। ପ୍ରତିରକ୍ଷା, ଆତଙ୍କବାଦର ମୁକାବିଲା, ସାଇବର‌୍‌ ନିରାପତ୍ତା, ବାଣିଜ୍ୟ, ନିବେଶ, ଶକ୍ତି, ପରିବେଶ, ଶିକ୍ଷା, ସ୍ବାସ୍ଥ୍ୟ, ବିଜ୍ଞାନ ଓ କାରିଗରି ଜ୍ଞାନ କୌଶଳ, କୃଷି, ମହାକାଶ ଗବେଷଣା ଆଦି ଅନେକ କ୍ଷେତ୍ରରେ ଆମେ ପରସ୍ପରର ସହଯୋଗୀ। ଆମର ଯୋଜନାବଦ୍ଧ ଭାଗୀଦାରିତାରେ ଗତ ଦୁଇ ଦଶନ୍ଧିରେ ବେଶ୍‌ ବୃଦ୍ଧି ପରିଲକ୍ଷିତ ହୋଇଛି। ଅଭିଳାଷ, ଉପଲବ୍‌ଧି ଓ ସଫଳତାର କାଳ ଭାବେ ଗତ ଚାରି ବର୍ଷ ବେଶ୍‌ ନିଆରା।

ଏକ ମୁକ୍ତ ଓ ଉନ୍ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ଗଠନ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକା ସଦା ଆଗ୍ରହୀ। ଭାରତର ଉତ୍‌ଥାନକୁ ସହାୟତା ଦେବା ପାଇଁ ଆମେରିକାର ସ˚କଳ୍ପବଦ୍ଧତାରୁ ଆମର କୂଟନୈତିକ ସ˚ପର୍କ ସୃଷ୍ଟ। ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ତତ୍ତ୍ବର ଉଦ୍ଭବ ବେଶ୍‌ ପୁରୁଣା ହେଲାଣି। ତେବେ, ଏହାକୁ ବାସ୍ତବ ରୂପରେଖ ଦେବା ପାଇଁ ଗତ ଚାରି ବର୍ଷରେ ଆମ ଦୁଇ ଦେଶ ବିଶେଷ ଅଭିଳାଷ ଦେଖାଇଛନ୍ତି। ଏକ ପରିବର୍ତ୍ତନଶୀଳ ଓ ଆହ୍ବାନମୂଳକ ସମୟରେ ଯୁକ୍ତରାଷ୍ଟ୍ର ଆମେରିକା ପାଇଁ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ଓ ସମୃଦ୍ଧିରେ ଭାରତର ସହଯୋଗ ଆମେରିକା ନିମନ୍ତେ ବେଶ୍‌ ମହତ୍ତ୍ବ ରଖେ।

ଏହି ଅଞ୍ଚଳକୁ ସୁଦୃଢ଼ କରିବା ପାଇଁ ଆମେ ସମାନ ଚିନ୍ତାଧାରା ଥିବା ଦେଶଗୁଡ଼ିକ ସହ ସ˚ପର୍କ ସ୍ଥାପନ କରିଛୁ। ‘ଏଏସ୍‌ଇଏଏନ୍‌’କୁ ସମର୍ଥନ ଦେଇଛୁ। ୨୦୧୮ ଓ ୨୦୧୯ରେ ଜାପାନ ସହ ତ୍ରିଦେଶୀୟ ଏବ˚ ୨୦୧୯ ଓ ୨୦୨୦ରେ ଜାପାନ ଓ ଅଷ୍ଟ୍ରେଲିଆ ସହ ଚତୁର୍ଦେଶୀୟ ଶୀର୍ଷକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ସମୁଦ୍ର ପଥ ନିରାପତ୍ତା, ମହାମାରୀ ପରିଚାଳନା, ଆଞ୍ଚଳିକ ଯୋଗାଯୋଗ, ମାନବିକ ସହାୟତା, ବିପର୍ଯ୍ୟୟ ପ୍ରଶମନ ଓ ସାଇବର‌୍‌ ନିରାପତ୍ତା ଆଦି କ୍ଷେତ୍ରରେ ସହଯୋଗ ଓ ସମନ୍ବୟ ରକ୍ଷା ପାଇଁ ଆମେ ସହମତ ହୋଇଥିଲେ। ଏହି ଅଞ୍ଚଳର ସମସ୍ତ ରାଷ୍ଟ୍ରର ସମୃଦ୍ଧି ସହ ସ୍ବାୟତ୍ତତା ତଥା ନୀତି-ନିଷ୍ଠ ସହଯୋଗ ପାଇଁ ଆମେ ଅଙ୍ଗୀକାରବଦ୍ଧ। ଏହି ଲକ୍ଷ୍ୟ ଓ ଆଭିମୁଖ୍ୟ ଆସନ୍ତା ପାଞ୍ଚ ବର୍ଷ ତଥା ତାହା ଆଗକୁ ମଧ୍ୟ ବଳବତ୍ତର ରହିବ।

ଗତ ଚାରି ବର୍ଷରେ ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ଆମେ ଉଦ୍ଦେଶ୍ୟମୂଳକ ଭାବେ ଆମର ସହଯୋଗିତାକୁ ସୁଦୃଢ଼ କରିଛୁ। ଫଳରେ ଆମେ ନିରାପଦ ରହିପାରିଛୁ ଏବ˚ ନିଜ ସୀମା ବାହାରେ ମଧ୍ୟ ନିରାପତ୍ତା ଯୋଗାଇପାରିଛୁ। ପ୍ରତିରକ୍ଷା ଓ ନିରାପତ୍ତା କ୍ଷେତ୍ରରେ ଆମର ଦ୍ବିପାକ୍ଷିକ ସହଯୋଗିତା ସେପ୍‌ଟେମ୍ବର‌୍‌ ୨୦୧୮ରେ ଏକ ନୂତନ ସ୍ତରରେ ପ୍ରବେଶ କରିଥିଲା; ଯେତେ ବେଳେ ଯୁକ୍ତରାଷ୍ଟ୍ର ଆମେରିକା ଏବ˚ ଭାରତର ପ୍ରତିରକ୍ଷା ଓ ବୈଦେଶିକ ମନ୍ତ୍ରୀମାନେ ମୁହାଁ-ମୁହିଁ ଆଲୋଚନା କରିଥିଲେ। ଏ ଭଳି ତିନି ଥର ମନ୍ତ୍ରୀ ସ୍ତରୀୟ ଆଲୋଚନା ହୋଇଥିଲା। ପ୍ରତି ଥର ଗୁରୁତ୍ବପୂର୍ଣ୍ଣ ପ୍ରତିରକ୍ଷା ଚୁକ୍ତି ସ୍ବାକ୍ଷରିତ ହୋଇଥିଲା। ଫଳରେ ଆମର ସେନା ଓ ପ୍ରତିରକ୍ଷା ଶିଳ୍ପ ମଧ୍ୟରେ ଅନ୍ତଃ-ସକ୍ରିୟତା ବଢ଼ିଛି। ଆମେ ମିଳିତ ସମରାଭ୍ୟାସ କରିଥିଲେ। ୨୦୧୯ରେ ପ୍ରଥମ ଥର ପାଇଁ ଏକ ତ୍ରିଦେଶୀୟ ସମରାଭ୍ୟାସ ହୋଇଥିଲା। ପରେ ମାଲାବାର ନୌସେନା ସମରାଭ୍ୟାସରେ ଜାପାନ ସହ ଅଷ୍ଟ୍ରେଲିଆ ମଧ୍ୟ ଯୋଗ ଦେଇଥିଲା।

ଏସବୁରୁ ମୁଁ ବିଶ୍ବାସ କରେ ଯେ, ଭାରତ ସହ ଯୁକ୍ତରାଷ୍ଟ୍ର ଆମେରିକାର ପ୍ରତିରକ୍ଷା ସ˚ପର୍କ ଯେଉଁ ପରି ସୁଦୃଢ଼ ହୋଇଛି, ଅନ୍ୟ କୌଣସି ଦେଶ ମଧ୍ୟରେ ସେହି ପରି ହୋଇନାହିଁ। ଭାରତର ନିରାପତ୍ତା ପାଇଁ ଆମେରିକା ଯେଉଁ ସହଯୋଗ କରିଛି, ବୋଧହୁଏ ଅନ୍ୟ କୌଣସି ଦେଶ କରିନାହିଁ। ଆମର ବନ୍ଧୁତା ବେଶ୍‌ ମହତ୍ତ୍ବପୂର୍ଣ୍ଣ। ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଆମେ ସମାନ ଧରଣର ଅଭିଳାଷ ପୋଷଣ କରିବା ଆବଶ୍ୟକ। ଆମର ଦ୍ବିପାକ୍ଷିକ ବାଣିଜ୍ୟିକ ଓ ନିବେଶ ସ˚ପର୍କରେ ବୃଦ୍ଧି ଘଟିଥିଲେ ହେଁ ଏହା ଯଥେଷ୍ଟ ନୁହେଁ। ୨୦୧୯ରେ ଦ୍ରବ୍ୟ ଓ ସେବା ସ˚ପର୍କିତ ଦ୍ବିପାକ୍ଷିକ ବାଣିଜ୍ୟର ପରିମାଣ ଥିଲା ୧୪୬.୧ ବିଲିଅନ୍‌ ଡଲାର‌୍‌। ୨୦୦୧ରେ ଏହା ଥିଲା ମାତ୍ର ୨୦.୭ ବିଲିଅନ୍‌ ଡଲାର‌୍‌। ତଥାପି ଏହି ବୃଦ୍ଧି ଆଖିଦୃଶିଆ ନୁହେଁ। ଭାରତର ମୋଟ ରପ୍ତାନିର ଷୋହଳ ପ୍ରତିଶତ ଯୁକ୍ତରାଷ୍ଟ୍ର ଆମେରିକା ସହ। ଯୁକ୍ତରାଷ୍ଟ୍ର ଆମେରିକା, ଭାରତର ସବୁଠାରୁ ବଡ଼ ବାଣିଜ୍ୟିକ ଅ˚ଶୀଦାର। ଅପର ପକ୍ଷେ ଭାରତ, ଯୁକ୍ତରାଷ୍ଟ୍ର ଆମେରିକାର ଦ୍ବାଦଶତମ ବଡ଼ ଅ˚ଶୀଦାର। ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଉଛି, ଅନ୍ୟ ଯେକୌଣସି ଦେଶ ତୁଳନାରେ ଆମ ଦେଶ, ଭାରତୀୟଙ୍କୁ ଅଧିକ ସ˚ଖ୍ୟକ ଚାକିରି ଦେଉଛି। ଆମେ ଭାରତୀୟଙ୍କର ଅର୍ଥନୈତିକ ବିକାଶ ପାଇଁ ଉଦ୍ୟମ ଜାରିରଖିଛୁ। ବୈଷୟିକ ସହାୟତା ଦେଉଛୁ। ଉପଭୋକ୍ତାଙ୍କ ପାଇଁ ଏକାଧିକ ବିକଳ୍ପର ବ୍ୟବସ୍ଥା କରୁଛୁ।

ଆମ ଦ୍ବିପାକ୍ଷିକ ସ˚ପର୍କ ପରିପ୍ରେକ୍ଷୀରେ ଆଉ ଏକ ଗୁରୁତ୍ବପୂର୍ଣ୍ଣ କ୍ଷେତ୍ର ହେଉଛି- ଶକ୍ତି। ଏହି କ୍ଷେତ୍ରରୁ ଆମେ ଗତ ଚାରି ବର୍ଷରେ ଉଲ୍ଲେଖନୀୟ ସଫଳତା ପାଇଛେ। ଶକ୍ତି କ୍ଷେତ୍ରରେ ଆମର ଅ˚ଶୀଦାରି ୨୦୧୮ରେ ଏକ ନୂଆ ରୂପ ପାଇଥିଲା। ଉଭୟ ଦେଶର ସହମତି ଓ ସହାୟତାରେ ଯୁକ୍ତରାଷ୍ଟ୍ର ଆମେରିକା ଏବେ ଭାରତ ପାଇଁ ଶକ୍ତିର ଏକ ଗୁରୁତ୍ବପୂର୍ଣ୍ଣ ଉତ୍ସ। ୨୦୧୯ ସୁଦ୍ଧା ଭାରତ ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ବୃହତ୍ତମ କୋଇଲା ରପ୍ତାନିକାରୀ, ଚତୁର୍ଥ ବୃହତ୍ତମ ଅଶୋଧିତ ତୈଳ ରପ୍ତାନିକାରୀ ଏବ˚ ସପ୍ତମ ବୃହତ୍ତମ ତରଳ ପ୍ରାକୃତିକ ବାଷ୍ପ ରପ୍ତାନିକାରୀ ରାଷ୍ଟ୍ର। ଏସବୁ ଦ୍ବାରା ଭାରତର ଶକ୍ତି ଉତ୍ସ ସମୃଦ୍ଧ ହୋଇଛି।

ସ୍ବାସ୍ଥ୍ୟ କ୍ଷେତ୍ରରେ ସହଯୋଗ ମଧ୍ୟ ଉଭୟ ଦେଶ ପାଇଁ ଗୁରୁତ୍ବପୂର୍ଣ୍ଣ। ଏ କ୍ଷେତ୍ରରେ ଅନେକ ବର୍ଷ ତଳୁ ଆମ ଦୁଇ ଦେଶ ଭିତରେ ଉତ୍ତମ ସ˚ପର୍କ ରହିଆସିଛି। ‘କୋଭିଡ୍‌-୧୯’ ପରିଚାଳନା ବେଳେ ତାହାର ପ୍ରତିଫଳନ ଦେଖିବାକୁ ମିଳିଥିଲା। ଯୁକ୍ତରାଷ୍ଟ୍ର ଆମେରିକାର ରୋଗ ନିୟନ୍ତ୍ରଣ ଓ ପ୍ରତିରୋଧ ବିଭାଗୀୟ ବିଶେଷଜ୍ଞମାନେ ଭାରତକୁ ଭେଷଜ ସହାୟତା ଯୋଗାଉଛନ୍ତି; ତାଲିମ ଦେଉଛନ୍ତି; ପରୀକ୍ଷା କାର୍ଯ୍ୟରେ ସହାୟତା ଦେଉଛନ୍ତି। ସ୍ବାସ୍ଥ୍ୟ ସୁବିଧାର ବିକାଶ ପାଇଁ ଭିତ୍ତିଭୂମି ପ୍ରସ୍ତୁତିରେ ସହଯୋଗ କରୁଛନ୍ତି। ସ˚କ୍ରମଣ ବିରୋଧୀ ଲଢ଼େଇରେ ସହାୟତା ଯୋଗାଇ ଦିଆଯାଉଛି। ଆମେରିକୀୟ ବିଶେଷଜ୍ଞ ଓ ଅନୁଷ୍ଠାନଗୁଡ଼ିକ ଦ୍ବାରା ତାଲିମପ୍ରାପ୍ତ ଭାରତୀୟ ଚିକିତ୍ସକମାନେ ସା˚ପ୍ରତିକ ମହାମାରୀ ବିରୋଧୀ ଲଢ଼େଇରେ ମୁଖ୍ୟ ଭୂମିକାରେ ଅବତୀର୍ଣ୍ଣ।

ଆମ ଦୁଇ ଦେଶର ନାଗରିକଙ୍କ ମଧ୍ୟରେ ଉତ୍ତମ ଆବେଗିକ ସ˚ପର୍କ ରହିଛି। ଏହି ସ˚ପର୍କକୁ ଉଭୟ ଦେଶର ନେତୃବୃନ୍ଦ ସ୍ବୀକୃତି ଦେଉଛନ୍ତି। ଏହି ସ˚ପର୍କ ଆମ ପାଇଁ ଯଥେଷ୍ଟ ଗୁରୁତ୍ବ ବହନ କରେ। ଏହା ମାଧ୍ୟମରେ ଏକ ମୁକ୍ତ-ଉନ୍ମୁକ୍ତ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳର ବିକାଶ ସ˚ଭବ। ଏଣୁ, ଯୁକ୍ତରାଷ୍ଟ୍ର ଆମେରିକା ଓ ଭାରତ ମଧ୍ୟରେ ବଳିଷ୍ଠ ଓ ସକାରାତ୍ମକ ସ୍ଥାୟୀ ସ˚ପର୍କ ସର୍ବଦା ଜରୁରୀ ଏବ˚ ଏହାକୁ ପ୍ରାଥମିକତା ଦିଆଯିବା ମଧ୍ୟ ଆବଶ୍ୟକ।

ଗତ ଚାରି ବର୍ଷରେ ଆମେ ଯାହା ହାସଲ କରିଛେ, ତାହାକୁ ନେଇ ମୁଁ ଗର୍ବିତ। ମୁଁ ନିଶ୍ଚିତ ଯେ, ପରବର୍ତ୍ତୀ ଆମେରିକୀୟ ପ୍ରଶାସନ ଭାରତ ସହ ବିକଶିତ ହୋଇଥିବା ସ˚ପର୍କକୁ ଅଧିକ ଦୃଢ଼ ଓ ମଜଭୁତ କରିବ।

(ଭାରତରୁ ବିଦାୟ ନେଉଥିବା ଆମେରିକୀୟ ରାଷ୍ଟ୍ରଦୂତ)

ସମ୍ବନ୍ଧିତ ଖବର