ଅହଙ୍କାରୀ କିଏ- ସରକାର ନା କୃଷକ?

ମହାମେଘବାହନ ଐର ଖାରବେଳ ସ୍ବାଇଁ

ଗତ ବର୍ଷ ସ˚ସଦରେ ଗୃହୀତ ହୋଇଥିବା ତିନିଟି କୃଷି ଆଇନର ପ୍ରତ୍ୟାହାର ଦାବିକୁ ନେଇ ମୁଖ୍ୟତଃ ପଞ୍ଜାବ, ହରିୟାଣା ଓ ପଶ୍ଚିମ ଉତ୍ତର ପ୍ରଦେଶର କୃଷକମାନେ ୪୦ରୁ ଅଧିକ ଦିନ ହେଲା ଦିଲ୍ଲୀ ସୀମାନ୍ତରେ ପ୍ରତିବାଦ କରି ଆସୁଛନ୍ତି। ଇତି ମଧ୍ୟରେ ସରକାରଙ୍କ ସହ ସେମାନଙ୍କର ୮ ଦଫାର କଥାବାର୍ତ୍ତା ହୋଇ ସାରିଲାଣି। ତଥାପି ସମାଧାନର କୌଣସି ରାସ୍ତା ଏଯାଏ ବାହାରୁନାହିଁ। ପ୍ରବଳ ଶୀତରେ ମଧ୍ୟ କୃଷକମାନେ ସେମାନଙ୍କର ଦାବିକୁ ନେଇ ରାସ୍ତାରେ ପଡ଼ି ରହିଛନ୍ତି। ସେମାନେ କହୁଛନ୍ତି, ସରକାର ହେଉଛନ୍ତି ଅହଙ୍କାରୀ, ତେଣୁ ସେହି ସମସ୍ୟାର ସମାଧାନ ବାହାରୁ ନାହିଁ। ସେମାନଙ୍କର ଏକାନ୍ତ ଜିଦ୍‌ ଯେ ସ˚ସଦରେ ଗୃହୀତ ହୋଇଥିବା ତିନିଟି କୃଷି ଆଇନକୁ ସରକାର ପ୍ରତ୍ୟାହାର କରିନିଅନ୍ତୁ। ଏହାଛଡ଼ା ସର୍ବନିମ୍ନ ସହାୟକ ମୂଲ୍ୟ ଏକ ଆଇନ ହେଉ। ତା’ହେଲେ ସରକାର କୃଷକଙ୍କ ଉତ୍ପାଦିତ ସବୁ ପଦାର୍ଥକୁ ଏକ ନିର୍ଦ୍ଧାରିତ ମୂଲ୍ୟ ଦେଇ କିଣି ନେବାକୁ ଆଇନଗତ ଦୃଷ୍ଟିରୁ ବାଧ୍ୟ ହେବେ।

କେନ୍ଦ୍ର ସରକାର କୃଷକଙ୍କ ଏହି ଦାବିକୁ ମାନିବାକୁ ରାଜି ନୁହନ୍ତି। ସରକାରଙ୍କ ପକ୍ଷରୁ କୃଷକ ପ୍ରତିନିଧିମାନଙ୍କୁ କୁହାଯାଇଛି, ସେମାନେ ଗୃହୀତ ଆଇନମାନଙ୍କର ଧାରା ୱାରି ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। ଗୃହୀତ ଆଇନର କେଉଁ କେଉଁ ବ୍ୟବସ୍ଥା ସମ୍ପର୍କରେ କୃଷକମାନଙ୍କର ଆପତ୍ତି ଅଛି, ତାହା ସେମାନେ ଜଣାନ୍ତୁ। ସରକାର ତା’ର ସ୍ପଷ୍ଟୀକରଣ ଦେବେ ବା ସେଥିରେ ସ˚ଶୋଧନ କରିବେ। କିନ୍ତୁ ଏହା କରିବାକୁ କୃଷକ ପ୍ରତିନିଧିମାନେ ରାଜି ନୁହନ୍ତି। ସେମାନଙ୍କର ଏକା ଜିଦ ହେଲା, ସରକାର ପ୍ରଥମେ ତିନିଟି କୃଷି ଆଇନକୁ ପ୍ରତ୍ୟାହାର କରିନିଅନ୍ତୁ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, ସରକାର କହୁଛନ୍ତି, ଏହି ଆଇନକୁ ସ˚ସଦରେ ଗୃହୀତ କରାଯାଇଥିବାରୁ, ଏମିତି ହଠାତ୍‌ ପ୍ରତ୍ୟାହାର କରି ନିଆଯାଇ ପାରିବ ନାହିଁ। ଏହା ହେଲେ ଆଗାମୀ ସମୟରେ ଗୋଟିଏ ବିଲ୍‌ ସ˚ସଦରେ ଗୃହୀତ ହେଲା ପରେ ଏହାକୁ ବିରୋଧ କରୁଥିବା ବ୍ୟକ୍ତି ବା ସ˚ଗଠନମାନେ ଆଇନ ପ୍ରତ୍ୟାହାର ପାଇଁ ଅଡ଼ିବସିବେ ଓ କୃଷି ଆଇନ ପ୍ରତ୍ୟାହାରର ଦୃଷ୍ଟାନ୍ତ ଦେଇ ତାହାକୁ ପ୍ରତ୍ୟାହାର କରିବା ପାଇଁ ମଧ୍ୟ ଜିଦ ଧରି ବସିବେ। ଏମିତି ଖରାପ ପରମ୍ପରା ଭବିଷ୍ୟତ ପାଇଁ ସୃଷ୍ଟି କରିବାକୁ ସରକାର ଚାହାନ୍ତି ନାହିଁ।

ଦ୍ବିତୀୟତଃ ସରକାର କହୁଛନ୍ତି, ଏହି ଆଇନ କୃଷକର ଆୟକୁ ବଢ଼ାଇବା ପାଇଁ ଉଦ୍ଦିଷ୍ଟ। ସ୍ବାଧୀନତା ପରେ କୃଷକର ଆୟ ନବଢ଼ିବାର କାରଣ ହେଲା, କୃଷି କ୍ଷେତ୍ରରେ ସ˚ସ୍କାର ଅଣାନଯିବା। ଏବେ ସେହି ସ˚ସ୍କାର ଆସିଛି, ଯାହା ସମ୍ପର୍କରେ ପ୍ରାୟ ସମସ୍ତ ରାଜନୈତିକ ଦଳ ଅତୀତରେ ସହମତି ପ୍ରକଟ କରିଛନ୍ତି। ସରକାର କୃଷକମାନଙ୍କୁ ମଧ୍ୟ ସ୍ପଷ୍ଟ ଭାବରେ କହୁଛନ୍ତି ଯେ, ସେମାନେ ଯଦି ଆଇନ ପ୍ରତ୍ୟାହାର ଚାହାନ୍ତି ତେବେ ବର˚ ସୁପ୍ରିମ କୋର୍ଟକୁ ଯାଆନ୍ତୁ। ଅର୍ଥାତ୍‌ ଯଦି ସୁପ୍ରିମ କୋର୍ଟ ସରକାରଙ୍କୁ ଏହି ଆଇନ ଅସାମ୍ବିଧାନିକ ଅବା ଜନବିରୋଧୀ ବୋଲି କହିବେ, ତେବେ ସରକାର ତାହା ପ୍ରତ୍ୟାହାର କରିନେବେ। କିନ୍ତୁ କୃଷକମାନେ ସୁପ୍ରିମ କୋର୍ଟକୁ ଯିବା ପାଇଁ ସେମିତି ଆଗ୍ରହ ପ୍ରକଟ କରୁନାହାନ୍ତି। ସେମାନେ ସରକାରଙ୍କ ଉପରେ ଚାପ ଦେଉଛନ୍ତି ଯେ, ଏହି ଆଇନକୁ ପ୍ରତ୍ୟାହାର କରି ନିଆଯାଉ।

ଯେତେବେଳେ କେନ୍ଦ୍ର ସରକାର, କ’ଣ ପାଇଁ ଏହି କୃଷି ସ˚ସ୍କାର ଆଇନ ସ˚ସଦରେ ଗୃହୀତ କରାଯାଇଛି ବୋଲି ବୁଝାଉଛନ୍ତି ସେତେବେଳେ କାହିଁକି କୃଷକମାନେ ଏହାର ବିରୋଧ କରୁଛନ୍ତି, ତାହା ଜନସାଧାରଣଙ୍କ ପାଇଁ ସ୍ପଷ୍ଟ ହେଉନାହିଁ। ଉଦାହରଣ ସ୍ବରୂପ, କୃଷକମାନେ ଯୁକ୍ତି ବାଢୁଛନ୍ତି ଯେ ଯଦି ଏହି ନୂଆ ଆଇନ ଗୁଡ଼ିକ କାର୍ଯକାରୀ ହୁଏ ତେବେ ସର୍ବନିମ୍ନ ସହାୟକ ମୂଲ୍ୟ ବ୍ୟବସ୍ଥା କ୍ରମଶଃ ଦୁର୍ବଳ ହୋଇଯିବ। ସରକାର ତା’ପରେ ସର୍ବନିମ୍ନ ମୂଲ୍ୟକୁ ଆଉ ବଢ଼ାଇ ନପାରନ୍ତି। ବର˚ ଧୀରେ ଧୀରେ ସରକାର ଏହାକୁ କମାଇ ଦେଇପାରନ୍ତି। କୃଷକମାନଙ୍କର ଯୁକ୍ତି ଅନୁସାରେ, ନୂଆ ଆଇନ କୃଷକମାନଙ୍କୁ ସୁଯୋଗ ଦେଇଛି, ଯେଉଁଠି ଅଧିକ ମୂଲ୍ୟ ମିଳିବ ସେମାନେ ସେଇଠି ସେମାନଙ୍କର ଫସଲ ବିକ୍ରି କରିବେ। ଏହା ଫଳରେ ଅନେକ କୃଷକ ସର୍ବନିମ୍ନ ସହାୟକ ମୂଲ୍ୟ ଅପେକ୍ଷା ଅଧିକ ଦରରେ ସେମାନଙ୍କ ଫସଲ ବିକ୍ରି କରିବେ ଓ ଏହା ଫଳରେ ଏହି ବ୍ୟବସ୍ଥା ଦୁର୍ବଳ ହୋଇଯିବ। ଅଧିକରୁ ଅଧିକ ଚାଷୀ ଏଣିକି ମଣ୍ତିକୁ (ଏ.ପି.ଏମ.ସି.ବଜାର) ନଆସି ବାହାରେ ସେମାନଙ୍କର ଉତ୍ପାଦିତ ଦ୍ରବ୍ୟ ବିକ୍ରି କରିବେ। ପୁଣି ସରକାର ଘରୋଇ ବେପାରୀମାନଙ୍କ ପାଇଁ ନୂଆ ମଣ୍ତି ଖୋଲିବେ। ପୁରୁଣା ସରକାରୀ ମଣ୍ତି ଓ ନୂଆ ଘରୋଇ ମଣ୍ତି ମଧ୍ୟରେ ଫରକ ହେଲା, ପୁରୁଣା ମଣ୍ତିମାନଙ୍କରେ ଟିକସ ଲାଗୁ ହେଉଛି। ନୂଆ ଘରୋଇ ମଣ୍ତିମାନଙ୍କରେ ଟିକସ ଲାଗୁ ହେବ ନାହିଁ। ତେଣୁ ଚାଷୀମାନେ ଟିକସ ଲାଗୁ ହେଉନଥିବା ମଣ୍ତିକୁ ଯିବା ସ୍ବାଭାବିକ। ଏହାଦ୍ବାରା ଧୀରେ ଧୀରେ ପୁରୁଣା ମଣ୍ତିମାନେ ବନ୍ଦ ହୋଇଯିବେ ବୋଲି କୃଷକମାନଙ୍କର ଧାରଣା। ଏ କ୍ଷେତ୍ରରେ ବିଶେଷଜ୍ଞମାନଙ୍କର ମତ ହେଲା କେବଳ ଧାନ ଓ ଗହମ ପାଇଁ ସର୍ବନିମ୍ନ ସହାୟକ ମୂଲ୍ୟ ସରକାର ଧାର୍ଯ୍ୟ କରୁନାହାନ୍ତି। ମୋଟ ୨୩ଟି କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ସରକାର ଧାର୍ଯ୍ୟ କରିଛନ୍ତି। କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ମଣ୍ତିମାନଙ୍କରେ ତୈଳବୀଜ, ଡାଲି, ଆଖୁ ଓ ଅନ୍ୟ ଅନେକ କୃଷିଜାତ ଦ୍ରବ୍ୟର ବିକ୍ରି ହୁଏ କି? ସେମାନେ ଏଇଥିପାଇଁ ଏ ସବୁ ପଦାର୍ଥକୁ ବିକ୍ରି କରିବା ପାଇଁ ମଣ୍ତିକୁ ଆସନ୍ତି ନାହିଁ କାରଣ ଖୋଲା ବଜାରରେ ଏ ସବୁର ଦର ସରକାରଙ୍କ ଦ୍ବାରା ନିର୍ଦ୍ଧାରିତ ମୂଲ୍ୟ ଅପେକ୍ଷା ଅଧିକ। ଚାଷୀମାନେ ଯଦି ଏ ସବୁ ଦ୍ରବ୍ୟର ସରକାରୀ ମୂଲ୍ୟଠାରୁ ଖୋଲା ବଜାରରେ ମିଳୁଥିବା ଅଧିକ ମୂଲ୍ୟରେ ସେମାନଙ୍କର ଦ୍ରବ୍ୟକୁ ବିକ୍ରି କରିପାରୁଛନ୍ତି, ତେବେ, ବର୍ତ୍ତମାନର ନୂଆ ଆଇନକୁ ବିରୋଧ କରୁଛନ୍ତି କାହିଁକି? ଏହି ଆଇନରେ ତ ସେଇ ବ୍ୟବସ୍ଥା ହିଁ ଅଛି! ମୋଟ ଉପରେ କହିବାକୁ ଗଲେ, ମଣ୍ତିରେ ବିକ୍ରି କହିଲେ କେବଳ ଧାନ ଓ ଗହମର ବିକ୍ରି କଥା ଉଠିଥାଏ। ବାସ୍ତବରେ ଦେଖିବାକୁ ଗଲେ ଖୋଲା ବଜାରରେ ଧାନ, ଗହମର ମୂଲ୍ୟ ସେତେ ବେଶି ନୁହେଁ। କାରଣ ଭାରତରେ ଯେତେ ଧାନ ଓ ଗହମର ଆବଶ୍ୟକତା ଅଛି ତା’ଠାରୁ ଉତ୍ପାଦିତ ହେଉଛି ବହୁ ଅଧିକ। ସେଥିପାଇଁ ଭାରତର ଖାଦ୍ୟ ନିଗମ (ଏଫ.ସି.ଆଇ.)ର ଗୋଦାମମାନଙ୍କରେ ଠୁସାଠୁସି ହୋଇ ଧାନ, ଗହମର ବସ୍ତା ପଡ଼ିରହିଥାଏ। ଏହାକୁ ପୋକ, ମୂଷା ଅନେକ ଖାଇଯାଆନ୍ତି। ବର୍ଷା ପାଣି ପଶି ଅନେକ ଧାନ, ଗହମ ମଧୢ ଏମିତି ପଚିଯାଏ। ଗତ କେତେ ବର୍ଷ ତଳେ ସୁପ୍ରିମ କୋର୍ଟ, ଏଫ.ସି.ଆଇ. ଗୋଦାମରେ ଏପରି ନଷ୍ଟକୁ ଦେଖି ମାଗଣାରେ ଗରିବ ଲୋକଙ୍କୁ ଏ ସବୁ ବାଣ୍ଟି ଦେବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। କେନ୍ଦ୍ର ସରକାର ମାଗଣାରେ ଏହି ଖାଦ୍ୟାନ୍ନକୁ ରାଜ୍ୟ ସରକାରଙ୍କୁ ଦେଇଦେବା ପାଇଁ ଜଣାଇଲେ ମଧ୍ୟ, ରାଜ୍ୟ ସରକାରମାନେ ଏହାକୁ ଆଣିଲେ ନାହିଁ। କାରଣ, ପ୍ରଥମତଃ, ସେମାନଙ୍କ ପାଖରେ ଧାନ, ଗହମର ଅଭାବ ନଥିଲା। ପୁଣି ଅଧିକ ଧାନ, ଗହମକୁ କେନ୍ଦ୍ର ସରକାରଙ୍କ ଭଣ୍ତାରରୁ ଆଣିବାକୁ ହେଲେ ଯେଉଁ ଗାଡ଼ି ଭଡ଼ା ପଡ଼ିବ, ତାହା ଦେବାକୁ ସେମାନେ ରାଜି ନଥିଲେ।

ଅନାବଶ୍ୟକ ଭାବରେ ଉତ୍ପାଦିତ ହେଉଥିବା ଧାନ, ଗହମକୁ କିଣିବାକୁ ସରକାରଙ୍କୁ ଚାଷୀମାନେ ବାଧୢ କରିବେ କାହିଁକି? ଆନ୍ଧ୍ର ପ୍ରଦେଶ ଓ ଦାକ୍ଷିଣାତ୍ୟର ରାଜ୍ୟମାନେ ଧାନ ଉତ୍ପାଦନକାରୀ ରାଜ୍ୟ ହୋଇଥିଲେ ମଧ୍ୟ ସେମାନେ ଏହାକୁ ଜବରଦସ୍ତ କିଣିବା ପାଇଁ ସରକାରଙ୍କୁ ବାଧ୍ୟ କରିନଥାନ୍ତି। ସେମାନେ କୃଷିର ବହୁବିଧ-କରଣ କରିଛନ୍ତି। ତେଣୁ ଆନ୍ଧ୍ର ପରି ରାଜ୍ୟମାନେ ଆଜି ସାରା ଭାରତକୁ ଫଳ, ପନିପରିବା, ମାଛ, କୁକୁଡ଼ା, ଅଣ୍ତା, ଡାଲି ଆଦି ପଠାଉଛନ୍ତି। କିନ୍ତୁ ପଞ୍ଜାବ, ହରିୟାଣା ଅବା ପଶ୍ଚିମ ଉତ୍ତର ପ୍ରଦେଶର ଚାଷୀମାନେ ତାହା କରିବାକୁ ରାଜି ନୁହନ୍ତି। ସେମାନେ ସହଜରେ ଉତ୍ପାଦନ ହେଉଥିବା ଧାନ ଓ ଗହମ ଚାଷରେ ଲାଗିଛନ୍ତି। ସରକାର ଏହାକୁ କିଣିନେଉଥିବାରୁ ବିକ୍ରି ପାଇଁ ମଧ୍ୟ ସେମାନଙ୍କର କୌଣସି ଚିନ୍ତା ନାହିଁ। ଏହାକୁ କ’ଣ କୃଷକର ଯୁକ୍ତିଯୁକ୍ତ ଦାବି ବୋଲି କୁହାଯିବ?

ସେହିପରି ବିକ୍ଷୋଭକାରୀ କୃଷକମାନେ କଣ୍ଟ୍ରାକ୍‌ଟ ଫାର୍ମି˚କୁ (ଚୁକ୍ତିବଦ୍ଧ ଚାଷ) ପ୍ରବଳ ବିରୋଧ କରୁଛନ୍ତି। ସେମାନେ କହୁଛନ୍ତି, ଏହି ଚାଷର ନିୟନ୍ତ୍ରଣ ବଡ଼ ବଡ଼ ଶିଳ୍ପମାନଙ୍କ ହାତରେ ରହିବ। ଚାଷୀମାନେ ସେମାନଙ୍କ ନିୟନ୍ତ୍ରଣରେ ରହିବେ। ମାତ୍ର ଏହା କାହିଁକି ହେବ ଓ କେମିତି ହେବ ସେ କଥା ବୁଝାଇବାକୁ ଚାଷୀମାନେ ନାରାଜ। ଚାଷୀମାନଙ୍କ ନାମରେ ବାମପନ୍ଥୀମାନେ ପ୍ରଚାର କରୁଛନ୍ତି ଯେ, ଏହାଦ୍ବାରା ଚାଷୀର ଜମିକୁ କମ୍ପାନିମାନେ ନେଇଯିବେ। କିନ୍ତୁ ଜମିର ମାଲିକ ଚାଷୀ ହୋଇଥିବାରୁ, କମ୍ପାନିମାନେ ତାଙ୍କ ଜମିକୁ ନେବେ କେମିତି? ଯେତେବେଳେ ଅନେକ ଜମି ମାଲିକ ସେମାନଙ୍କ ଜମିକୁ ଭାଗଚାଷ ପାଇଁ ଅନ୍ୟ କାହାକୁ ଦେଉଛନ୍ତି ସେତେବେଳେ କ’ଣ ଭାଗଚାଷୀ ସେହି ଜମିକୁ ଦଖଲ କରିନେଉଛି?

ସର୍ବନିମ୍ନ ସହାୟକ ମୂଲ୍ୟକୁ ଆଇନରେ ପରିଣତ କରିବା ପାଇଁ ଚାଷୀମାନେ ଜିଦ୍‌ ଧରିବସିଛନ୍ତି। କିନ୍ତୁ ସତୁରି ଦଶକରୁ ସର୍ବନିମ୍ନ ସହାୟକ ମୂଲ୍ୟ ଧାର୍ଯ୍ୟ ହେଲାପରେ କେବେହେଲେ ଏହାକୁ ଆଇନରେ ପରିଣତ କରାଯାଇନାହିଁ। ଯଦି ଗତ ପଚାଶ ବର୍ଷ ହେଲା ସର୍ବନିମ୍ନ ସହାୟକ ମୂଲ୍ୟ ବିନା ଆଇନଗତ ସୁରକ୍ଷାରେ ଚାଲୁ ରହିଛି ଓ ପ୍ରାୟ ପ୍ରତ୍ୟେକ ବର୍ଷ ଏହା ବଢ଼ି ବଢ଼ି ଚାଲିଛି ଓ ଅଧିକରୁ ଅଧିକ କୃଷିଜାତ ଦ୍ରବ୍ୟମାନଙ୍କୁ ଏହାର ପରିସର ମଧ୍ୟକୁ ଅଣାଯାଉଛି ତେବେ ବର୍ତ୍ତମାନ ସେଥିପାଇଁ ଆଇନଗତ ବ୍ୟବସ୍ଥା କରିବାକୁ କାହିଁକି ଜିଦ୍‌ ଧରାଯାଉଛି, ତାହା ଏଯାଏ ବିକ୍ଷୋଭକାରୀ କୃଷକମାନେ ଜନସାଧାରଣଙ୍କୁ ବୁଝାଇପାରିନାହାନ୍ତି।

ଯେତେବେଳେ ନୂଆ ଆଇନ ଅନୁସାରେ ଶିଳ୍ପମାନେ ଚାଷ ଉପରେ ଅଧିକାର ସାବ୍ୟସ୍ତ କରିବେ ବୋଲି କୃଷକମାନେ ଆଶଙ୍କା ପ୍ରକଟ କରୁଛନ୍ତି, ସେତେବେଳେ ସେମାନେ ଧରିନେଇଛନ୍ତି ଯେ, ମୁଖ୍ୟତଃ ଅମ୍ବାନୀ ଓ ଅଦାନୀଙ୍କ ଭଳି ଶିଳ୍ପପତିମାନେ ଏହି ଆଇନ ଦ୍ବାରା ଲାଭାନ୍ବିତ ହେବେ। ତେଣୁ ସେମାନେ ପଞ୍ଜାବରେ ଥିବା ଅମ୍ବାନୀଙ୍କ ରିଲାୟାନ୍‌ସ ଜିଓ ମୋବାଇଲର ଟାୱାରମାନଙ୍କୁ ଦିଆଯାଇଥିବା ବିଦ୍ୟୁତ ସ˚ଯୋଗକୁ କାଟି ଦେଇଛନ୍ତି ଓ ଅନେକ ଟାୱାରକୁ ଭାଙ୍ଗି ଦେଇଛନ୍ତି। ଏହା ଫଳରେ ପଞ୍ଜାବର ଅଧିକା˚ଶ ସ୍ଥାନରେ ଜିଓ ମୋବାଇଲ ଏବେ କାମ କରୁନାହିଁ ଓ ଏହି ମୋବାଇଲର ଗ୍ରାହକମାନେ ଅନ୍ୟ କମ୍ପାନି ଆଡ଼କୁ ମୁହାଁଉଛନ୍ତି ବୋଲି ରିଲାୟାନ୍‌ସ ପକ୍ଷରୁ ପଞ୍ଜାବ ହରିୟାଣା ହାଇକୋର୍ଟରେ ଏକ ସତ୍ୟପାଠ ଦାଖଲ କରାଯାଇଛି। କୃଷକମାନଙ୍କୁ ଏପରି ସମ୍ପତ୍ତି ନଷ୍ଟ କରିବାରୁ ରୋକିବାକୁ ସେହି କମ୍ପାନି ପକ୍ଷରୁ ପଞ୍ଜାବର କ˚ଗ୍ରେସ ମୁଖ୍ୟମନ୍ତ୍ରୀଙ୍କୁ ଆବେଦନ କରାଯାଇଛି। ପଞ୍ଜାବର ମୁଖ୍ୟମନ୍ତ୍ରୀ ନିଜେ କୃଷକ ଆନ୍ଦୋଳନର ସମର୍ଥକ ହୋଇଥିଲେ ମଧ୍ୟ ସେମାନଙ୍କୁ ଏପରି ନକରିବାକୁ ଅନୁରୋଧ କରିଛନ୍ତି।

ଏଣୁ କେବଳ ନିଜର ଯୁକ୍ତି ହିଁ ପୃଥିବୀର ଏକମାତ୍ର ସତ୍ୟ ଏବ˚ ଆଉ ସବୁ ଭୁଲ, ଏହାହିଁ ପଞ୍ଜାବ, ହରିୟାଣା କୃଷକମାନଙ୍କର ଯୁକ୍ତି। କିନ୍ତୁ ସେମାନେ ସେମାନଙ୍କର କୌଣସି ଆଶଙ୍କାକୁ ପ୍ରମାଣିତ କରିପାରୁନାହାନ୍ତି। ସେମାନେ ଯାହା କହୁଛନ୍ତି, ତାହା ସବୁ ହେଉଛି ଅନୁମାନ। କିନ୍ତୁ କେବଳ ଅନୁମାନକୁ ନେଇ କ’ଣ ଲଢ଼ାଇ କରାଯିବ? ଅନେକ କୃଷକମାନେ ଯୁକ୍ତି ବାଢୁଛନ୍ତି ଯେ, ଏହି ଆଇନ ଗୃହୀତ ହେବା ମାତ୍ରକେ ରିଲାୟାନ୍‌ସ ଓ ଅଦାନୀଙ୍କ କମ୍ପାନି ହଜାର ହଜାର ହେକ୍‌ଟର ଜମି କିଣିସାରିଲେଣି। ଏହାପରେ କୃଷକଙ୍କଠାରୁ କମ୍‌ ଦାମ୍‌ରେ ଧାନ, ଗହମ କିଣି ତା’କୁ ଗୋଦାମରେ ରଖି ପରେ ଅଧିକ ଦରରେ ବିକିବେ। କିନ୍ତୁ ରିଲାୟାନ୍‌ସ କେଉଁଠି ଏପରି ଜମି କିଣିନାହିଁ ଓ ଭବିଷ୍ୟତ୍‌ରେ କୃଷି କ୍ଷେତ୍ରକୁ ପଶିବାକୁ ତା’ର କୌଣସି ଯୋଜନା ନାହିଁ ବୋଲି ହାଇକୋର୍ଟରେ ସତ୍ୟପାଠ କରିଛି। ତେଣୁ କେଉଁଠି ଏ କମ୍ପାନିମାନେ ହଠାତ୍‌ ବହୁତ ଜମି କିଣି ପକାଇଛନ୍ତି ତାହା ଚାଷୀମାନେ ପ୍ରମାଣ କରିବା ଉଚିତ। ନହେଲେ ସରକାର ନୁହନ୍ତି, ସେମାନେ ଅହଙ୍କାରୀ ବୋଲି ପ୍ରମାଣିତ ହେବେ ନାହିଁ କି?

ମୋ- ୯୪୩୭୦୨୦୨୯୦
[email protected]

ସମ୍ବନ୍ଧିତ ଖବର